Prakas Tripathy

Inspirational

4.5  

Prakas Tripathy

Inspirational

ରାକ୍ଷୀ

ରାକ୍ଷୀ

3 mins
7.5K


ସକାଳୁ ସକାଳୁ ଵାହାରି ପଡ଼ିଲି ଯୋଗ କ୍ଲାସକୁ। ଗତ ରାତିରୁ ଝିପ୍ ଝିପ୍ ଵର୍ଷା ଚାଲିଛି ।କୋହଲା ପାଗରେ ସକାଳୁ ସକାଳୁ ଉଠିବାକୁ ଇଛା ନଥିଲେ ବି ଯୋଗ କ୍ଲାସ ବନ୍ଦ କରିବାକୁ ଚାହୁଁ ନଥିଲି। ଘର ଠାରୁ ଯୋଗାଶ୍ରମ ପ୍ରାୟ ଦେଢ଼ କିଲୋମିଟର । ମୁଁ ଏଠାକୁ ସବୁ ଦିନ ଚାଲି ଚାଲି ଯାଏ। କାହିଁକିନା ଏହା ଦ୍ୱାରା ଦେହ ୱାର୍ମ ଅପ ହୋଇଯାଏ ଓ ତାହା ମୋତେ ଯୋଗାସନରେ ସାହାଯ୍ୟ କରେ। ଛତା ଧରି ପହଂଚିଲି ଯୋଗାଶ୍ରମରେ।

ଆଜି ଯୋଗକ୍ଲାସରେ ଉପସ୍ଥାନ ଖୁବ କମ ଥିଲା। ବର୍ଷା ପାଗ ଯୋଗୁଁ ଅନେକ ଶିକ୍ଷାର୍ଥୀ ଆସିନଥିଲେ। ଏତେ କମ୍ ଉପସ୍ଥାନରେ ମୋତେ ବି କାହିଁକି ବେଶି ସମୟ ଯୋଗକ୍ଲାସରେ ରହିବାକୁ ଇଛା ହେଲା ନାହିଁ। ତେଣୁ ଯୋଗ ସାରି ଧ୍ୟାନ କ୍ଲାସ ପୂର୍ବରୁ ମୁଁ ଘରକୁ ଫେରିବାକୁ ବାହାରିଲି। ସମୟ ସେତେବେଳକୁ ସକାଳ ସାଢେ ସାତ। ଵର୍ଷା ଛାଡିଯାଇଥାଏ। ରାସ୍ତାରେ ଠାଏ ଠାଏ ପାଣି ଜମିଥାଏ। ଶୁଖିଲା ଥିବା ଜାଗାରେ ଗୋଟିଏ ଗୋଟିଏ ପାଦ ପକାଇ ମୁଁ ଆଗକୁ ଚାଲୁଥାଏ। ରାସ୍ତାରେ ସେତେବେଳକୁ ଲୋକଙ୍କ ଯିବା ଆସିବା ବି ବଢିଯାଇଥାଏ। କିଛି ଲୋକଙ୍କ ହାତରେ ରାକ୍ଷୀ ବନ୍ଧା ହୋଇଥିବା ଦେଖି ମନେ ପଡିଗଲା ଯେ ଆଜି ରାକ୍ଷୀ ପୂର୍ଣ୍ଣିମା ବୋଲି। ସାନ ଭଉଣୀ ଗୀତା ଅପେକ୍ଷା କରିଥିବ ରାକ୍ଷୀ ବାନ୍ଧିବାକୁ। ତର ତରରେ ପାଦ ପକାଇଲି ଆଗକୁ। ରାକ୍ଷୀ ବାନ୍ଧିବାପାଇଁ ନୁହେଁ, ବୋଉ କରିଥିବା ନଡିଆ ପୁରଦିଆ ମଣ୍ଡା ଓ ଏଣ୍ଡୁରି ପିଠା ଖାଇବା ପାଇଁ। ଏ ପିଠା ମୋର ଭାରି ପ୍ରିୟ।

ହଠାତ ପଛପଟୁ କାହା ଧକ୍କାରେ ମୁଁ ଆଗକୁ ହାମୁଡେଇ ପଡିଲି। ହାତରୁ ଛତାଟି ଛିଟିକି ଖଣ୍ଡେ ଦୂରରେ ପଡିଗଲା। ମୋ ଧଳା କୁର୍ତ୍ତା ପାଇଜାମାଟି ପାଣି କାଦୁଅରେ ପୁରା ଅପରିଷ୍କାର। ରାଗ ତମ ତମ ହୋଇ ପଛକୁ ଚାହିଁ ଦେଖେ ତ ଝିଅଟିଏ ସ୍କୁଟର ସହ ତଳେ ପଡିଛି । ଛତା ଗୋଟେଇବା ପୂର୍ବରୁ ଝିଅଟିର ସ୍କୁଟରକୁ ଉଠାଇଲି। ଝିଅଟି ମୋର ବିନା ସାହାଯ୍ୟ ରେ ଉଠିପଡ଼ିଲା। ସେ ଭୟରେ ଗୋଟା ପଣେ ଥରୁଥାଏ। ମୁଁ କିଛି କହିବା ପୂର୍ବରୁ, ସେ ଭୟ ମିଶା କଣ୍ଠରେ କହିଲା, ଭାଇନା, ମୋର ଭୁଲ। ନୂଆ ନୂଆ ଗାଡି ଶିଖୁଛି। ଅନ୍ୟମନସ୍କ ହୋଇଗଲି। ହଠାତ ଆଗରେ ଆପଣଙ୍କୁ ଦେଖି ବ୍ରେକ ମାରି ପାରିଲିନି। ମୁଁ ସେ ଝିଅଟିର ମୁହଁକୁ ଭଲ କରି ଦେଖିଲି। ଠିକ୍ ମୋ ସାନ ଭଉଣୀ ଗୀତା ଭଳି ଦେଖାଗଲା। ତା'ରି ଭଳି ଗୋଲ ମୁହଁ, ଗୋରା ରଙ୍ଗ ଓ ଡ଼ଉଲ ଡ଼ାଉଲ ଚେହେରା । ପଚାରିଲି, ତୁମର କିଛି ହୋଇନି ତ?।ସେ ନିଜ ଦେହକୁ ନଦେଖି ଚଟାପଟ କହିଲା,ନା ମୋର କିଛି ହୋଇନି। ମୁଁ ସ୍କୁଟର ଷ୍ଟାର୍ଟ କରିଦେଖିଲି ତାହା ବି ଠିକ୍ ଥିଲା ।ମନେମନେ ଈଶ୍ୱରଙ୍କୁ ଧନ୍ୟବାଦ ଦେଉଥିଲି ଏଇଥିପାଇଁ ଯେ ଆମ ଦୁଇ ଜଣଙ୍କର କାହାର କିଛି ଖଣ୍ଡିଆ ଖାବରା ହୋଇ ନାହିଁ। ଝିଅଟି ଯିବା ପୂର୍ବରେ ପୁଣି ଥରେ ଭାଇନା ଥ୍ୟାଙ୍କ ୟୁ କହିବାକୁ ଭୁଲିନଥିଲା।

ଘରେ ପହଂଚିବା ପରେ ସମସ୍ତଙ୍କର ସେଇ ଗୋଟିଏ ପ୍ରଶ୍ନ ମୁଁ କେଉଁଠି ପଡ଼ିଗଲି। ବୋଉ ତ ପୁରା ବ୍ୟସ୍ତ ହୋଇଗଲା ଓ କାଲିଠାରୁ ମୋର ଯୋଗ କ୍ଲାସକୁ ଯିବା ବନ୍ଦ ବୋଲି ଘୋଷଣା କରିଦେଲା। ଯେତେବେଳେ ମୁଁ ସମସ୍ତ ଘଟଣା ବର୍ଣ୍ଣନା କଲି, ସେତେବେଳେ ସମସ୍ତଙ୍କର ପାଟି ଚୁପ୍ ହେଲା। ତୁରନ୍ତ ମୋ ହାତରେ ରାକ୍ଷୀ ବାନ୍ଧିବାକୁ ଗୀତାକୁ ନିର୍ଦ୍ଦେଶ ଦେଇ ବୋଉ ଚାଲିଲା ରୋଷେଇ ଘରକୁ ମୋ ପାଇଁ ପିଠା ଆଣିବାକୁ।

ଗୀତା ଗୋଟେ ଥାଳିରେ ଦୀପ,ଚନ୍ଦନ ଓ ରାକ୍ଷୀ ଧରି ପହଂଚି ଗଲା ମୋ ପଢାଘରେ । ସେତବେଳକୁ ମୁଁ ବି ଡ୍ରେସ ବଦଳାଇ ସାରିଥାଏ। ଚନ୍ଦନ ଲଗାଉ ଲଗାଉ ଗୀତାର ଅନେକ ପ୍ରଶ୍ନ। ଚୁପି ଚୁପି କରି ପଚାରିଲା-ଦାଦା, ସେ ଝିଅଟି ଦେଖିବାକୁ କେମିତି । ତୁ ତାକୁ କଣ କହିଲୁ, ସେ କଣ କହିଲା, ସେ କେଉଁଠି ରହୁଛି ,କେଉଁଠି ପଢୁଛି ଏମିତି ଅନେକ କ'ଣ। ମୁଁ ବି ବନେଇ ଚୁନେଇ ତାକୁ କହିଲି,ସେ ଦେଖିବାକୁ ଠିକ୍ ତୋ ଭଳି ଗୋଲ ଟୋଲ । ଗୀତା ଏଥର ପୁରା ଚୁପ୍। ମୋ ହତରେ ରାକ୍ଷୀ ବାନ୍ଧୁ ବାନ୍ଧୁ କହିଲା, ଆରେ ଦାଦା, ମୁଁ ତତେ ଗୋଟେ କଥା କହିବାକୁ ଭୁଲିଯାଇଛି। କାଲି ମାର୍କେଟରେ ରାକ୍ଷୀ କିଣିଲାବେଳେ ନେହା ଅପା ଦେଖାହୋଇଥିଲେ। ମୋତେ କହିଲେ ,"ତୁ ଦାଦାକୁ ପଚାରିବୁ,ତାଙ୍କ ହାତରେ ମୁଁ ରାକ୍ଷୀ ବାନ୍ଧିବି ନା ନାହିଁ?" ତୁ ହଁ କହିଲେ ମୁଁ ତାଙ୍କୁ ଫୋନ କରି କହିବି ବୋଲି କହି ଗୀତା ମୋ ମୁହଁକୁ ଚାହିଁଲା। ମୁଁ ଟିକେ ଗମ୍ଭୀର ହେବାର ଛଳନା କରି କହିଲି, ହାତରେ ପୁଳାଏ ରାକ୍ଷୀ ବାନ୍ଧି କ'ଣ ମୁଁ ଯାତ୍ରା କରିବି ? ଗୀତା ମୋର କଥାକୁ ଠିକ୍ ବୁଝି ପାରିଲା। ମୋତେ ଚିଡାଇବା ପାଇଁ ଆଉ ଥରେ ପଚାରିଲା, ତା ହେଲେ ନେହା ଅପାକୁ ରାକ୍ଷୀ ନ ବାନ୍ଧିବା ପାଇଁ କହିଦେବି ତ?। ଗୀତାର ରାକ୍ଷୀ ବନ୍ଧା କାମ ସରିଥିଲା। ତା ପାଟିରେ ମଣ୍ଡା ପିଠା ଟିଏ ପୁରେଇ ଦେଇ ମୁଁ ବାହାରକୁ ଚାଲି ଆସିଲି।

ପ୍ରକାଶ ତ୍ରିପାଠୀ

କୋଣାର୍କ,ପୁରୀ।


Rate this content
Log in

Similar oriya story from Inspirational