ରାଜତନ୍ତ୍ର ଏକ ବିଲୁପ୍ତ ଅଧ୍ୟାୟ
ରାଜତନ୍ତ୍ର ଏକ ବିଲୁପ୍ତ ଅଧ୍ୟାୟ
ରାଜତନ୍ତ୍ର ପ୍ରଥା କେଉଁ କାଳରୁ ବିଲୁପ୍ତ। ଅଧିକାଂଶ ରାଜବାଟି ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ, ଇତିହାସ ପୋଥିରେ କେବଳ କ୍ରୁଷ୍ଣ ଧବଳ ଫଟୋ କେତେଟା ଦ୍ରୁଷ୍ଟିଗୋଚର ହୁଏ। କିନ୍ତୁ ରାଜତନ୍ତ୍ର ବିଷୟରେ ଗବେଷଣା କରିଥିବା ଓ ରାଜତନ୍ତ୍ର ଶୈଳୀରେ ଜୀବନ ଅତିବାହିତ କରିବାକୁ ଚେଷ୍ଟିତ ଥିବା ପ୍ରୌଢ ସୌମ୍ୟକାନ୍ତ ପରିଣତ ବୟସରେ ଏତେବଡ କୋଠାରେ ଏକାଏକା ମୁହଁମାଡି ବିରାଟ ପଲଙ୍କରେ ଏପଟସେପଟ ଗଡି ଗାଇଉଠୁଛନ୍ତି,
ମିଛ ମାୟା ଭରା ଏସାରା ଦୁନିଆ
କେହି ନୁହେଁ ଆପଣାର।
ନିମିଷକେ ଚୁନା ସୁନାର ସଂସାର,
ସତେ ଅବା ବାଲିଘର।
ଆଜି ବୟସର ଅପରାହ୍ନରେ ଦିନସରୁନାହିଁ କି ରାତି ବିତୁନାହିଁ। ଆଜି କାହିଁକି ଭାରୀ ମନେ ପଡୁଛ ତମେ ଅପର୍ଣ୍ଣା। ଏ ରାଜତନ୍ତ୍ର ଠାଣିରେ ବଞ୍ଚି ଆସିଥିବା ସୌମ୍ୟକାନ୍ତର ପ୍ରେମିକା ଅପର୍ଣ୍ଣା।
ଦୁଇପଡୋଶୀ, ଦୁଇ ଚାକିରୀଆ ପରିବାର। ସୌମ୍ୟକାନ୍ତର ପାଠଶାଠ ଚାଲିଚଳନରେ ଗଭୀର ଭାବରେ ପ୍ରଭାବିତ ଥିଲା ଅପର୍ଣ୍ଣା। ଗୋଟିଏ କଲେଜର ଛାତ୍ର ଦୁହେଁ। ପ୍ରଶ୍ନ ବହୁତ ଅପର୍ଣ୍ଣାର। ସୌମ୍ୟକାନ୍ତ ସ୍ୱଳ୍ପଭାଷୀ, ଟିକେ ଗର୍ବୀ, ରାଜକୀୟ ଠାଣି। ଯାହା ବି ପ୍ରଶ୍ନ କଲେ ଉତ୍ତର ନଦେଇ ଚୁପଚାପ୍ ଚାଲିଯାଏ ସେ। ଦିନେ ଅପର୍ଣ୍ଣା ଆସି ସୌମ୍ୟକାନ୍ତର ଘରେ କହିଲା ମାଉସୀ ସୌମ୍ୟକାନ୍ତକୁ କୁହନ୍ତୁ ମୋତେ ଟିକେ ପାଠ ବୁଝେଇଦେବେ। ମାଆବାପାଙ୍କ କଥାରୁ ବାହାରିଯାଇନଥିବା ସୌମ୍ୟକାନ୍ତ ଧିରେଧିରେ ସହଜ ହୋଇଯାଏ ଅପର୍ଣ୍ଣା ସହ। ପାଠଶୁଣିବା ସଙ୍ଗେସଙ୍ଗେ ଅପର୍ଣ୍ଣା କୁହେ, ସୌମ୍ୟକାନ୍ତ ! ଟିକେ ଭଲପାଠ ପଢୁଛ ତେଣୁ ଏ ଗର୍ବ ନା ଏହା ତମର ଚିରାଚରିତ ଅଭ୍ୟାସ ?
ହସିଦେଇ ସୌମ୍ୟକାନ୍ତ କହେ ମୁଁ ରାଜତନ୍ତ୍ର ଶୈଳୀରେ ଅନୁପ୍ରାଣିତ ଓ ଜୀବନସାରା ରାଜତନ୍ତ୍ରର ମୁକସାକ୍ଷୀ ରାଜରାଜେଶ୍ଵରଙ୍କ ପରି ଜୀବନ ଅତିବାହିତ କରିବାକୁ ଚାହେଁ। ଫେଁ କିନା ହସିଦିଏ ଅପର୍ଣ୍ଣା।
ପ୍ରେମର ବିଗୁଲ୍ ବାଜିଉଠିଲା। ସୌମ୍ୟକାନ୍ତ ଓ ଅପର୍ଣ୍ଣାର ସମ୍ପର୍କ ନିବିଡ଼ତର ହେବାରେ ଲାଗିଲା। ଅପର୍ଣ୍ଣା ଠିକ୍ ଜାଣିସାରିଥିଲା ସୌମ୍ୟକାନ୍ତର ଆଚାର, ବ୍ୟବହାର, ଲକ୍ଷ୍ୟ ଉପରେ। ଦୁଇପରିବାରର ସମ୍ପର୍କର ତିକ୍ତତା ସାଙ୍ଗକୁ ଏ ଦୁହିଁଙ୍କର ମିଳାମିଶାକୁ ପସନ୍ଦ କରୁନଥିଲେ ଦୁଇପରିବାର।
ପ୍ରେମର ସାଗର ମାନେନା ଜାତି, ଧର୍ମ, ଉଚ୍ଚ, ନୀଚ ମାଡିଚାଲେ ଆଗକୁ ଆଗକୁ। ବେଳେବେଳେ ଭସାଇ ନିଏ ପରିବାର, ସମ୍ପର୍କ, ଲୀନ କରିଦିଏ ସବୁକିଛି ତାର ପ୍ରବାହରେ। ବିଲୁପ୍ତ ରାଜତନ୍ତ୍ରରେ ବିଶ୍ବାସ କରୁଥିବା ସୌମ୍ୟକାନ୍ତ ରାଜକୀୟ ଠାଣିରେ ପ୍ରତ୍ୟାଖ୍ୟାନ କଲେ ଜୀବନଠୁ ଅଧିକ ଭଲପାଉଥିବା ଅପର୍ଣ୍ଣାର ପ୍ରେମକୁ ବାପାମାଆଙ୍କ କଥାରେ।କାନ୍ଦିଉଠିଲା ଅପର୍ଣ୍ଣା। ସୌମ୍ୟକାନ୍ତ କହିଲା ଅପର୍ଣ୍ଣା, ଆମ ପ୍ରେମକୁ ମୁଁ ସମ୍ମାନ ଦେଇ କହୁଛି, ତମେ ନୁହଁ ତ କେହି ନୁହଁ। ମୁଁ ଜୀବନସାରା ଅବିବାହିତ ରହିଯିବି, ଅପରପକ୍ଷରେ ବାପାମାଆଙ୍କ ଆଦେଶ ବି ପାଳନ କରିବି କାରଣ ମୋର ରାଜତନ୍ତ୍ରରେ ଅଗାଧ ଦୁର୍ବଳତା।
ହେଲେ ମୁଁ ?? ହସିଉଠି କହିଲା ମୁଁ ରାଜା ହେଲେ ତମେ ରାଣୀ। ସେଇ ଅନୁଯାୟୀ ନିଷ୍ପତ୍ତି ନିଅ। ଆରେ ସୌମ୍ୟକାନ୍ତ, ମୁଁ ପରା ଅବଳା, ଦୁର୍ବଳା ଲତାଟିଏ। ମୋତେ ସାହାରା ଦରକାର। ବିରୋଧ କରିବି କେମିତି ? ତମ ରାସ୍ତା ତମେଦେଖ କହି ଚାଲିଗଲା ସୌମ୍ୟକାନ୍ତ।
ତାପରଠୁ ଆଉ ଦେଖାହୋଇନାହିଁ ସୌମ୍ୟକାନ୍ତ ଓ ଅପର୍ଣ୍ଣାର। ରାଜତନ୍ତ୍ର ବିଲୁପ୍ତ ହେଲା ପରି ବାପାମାଆଙ୍କ କଥାମାନି ଅପର୍ଣ୍ଣା ଠାରୁ ଅଲଗା ହେବା ସହ ଜୀବନସାରା ବାହା ନହେବାକୁ ପ୍ରତିଶ୍ରୁତିବଦ୍ଧ ଥିଲା ସୌମ୍ୟକାନ୍ତ ଓ ପାଳନ ବି କରିଛି।
ଆଜି ନାହାନ୍ତି ବାପାମାଆ, କିନ୍ତୁ ଆଡବାୟା ପରି ନିଷ୍ପତ୍ତିର ଫଳ ମିଳୁଛି ଆଜି ଉତ୍ତୀର୍ଣ୍ଣ ବୟସରେ। ମନ ଖୋଜୁଛି ସାଥି ସୁଖ ଦୁଃଖର। ହେଲେ ଅପର୍ଣ୍ଣା, କେଉଁଠି ? ବୋଧେ କାହାର ଗ୍ରୁହିଣୀ ,କାହାର ମାଆ ହୋଇ ଶାନ୍ତିରେ ଥିବ।
ଭାରାକ୍ରାନ୍ତ ମନଟା ସାମୟିକ ହାଲକା କରିବା ପାଇଁ ବାହାରକୁ ବାହାରିଲା ସୌମ୍ୟକାନ୍ତ। କିଛିରାସ୍ତା ଅତିକ୍ରମ କଲାପରେ ଦେଖିଲା କୁକୁରଟିଏ ଦୌଡୁଛି, ତାକୁ ଆୟତ୍ତ କରିବା ପାଇଁ ତା ପଛରେ ଧଇଁସଇଁ ହୋଇ ଦୌଡୁଛନ୍ତି ବ୍ରୁଦ୍ଧାଜଣେ। କୁକୁରଟିକୁ ଧରିନେଲା ସୌମ୍ୟକାନ୍ତ। ଧନ୍ୟବାଦ ଆଜ୍ଞା କହିଲେ ମହିଳାଜଣକ।
ଅପଲକ ନୟନରେ ଅନେଇରହିଥିଲେ ଦୁହେଁ ଦୁହିଁଙ୍କୁ। ମୌନଭଙ୍ଗକରି ମହିଳାଜଣକ କହିଲେ, ହେ ବିଲୁପ୍ତ ରାଜତନ୍ତ୍ରର ଶେଷ ଦାୟାଦ ମହାରାଜ ସୌମ୍ୟକାନ୍ତ, କେମିତି ଅଛନ୍ତି ? ଲଜ୍ଜା ଓ ଗ୍ଳାନିରେ ମୁଣ୍ଡଟାକୁ ତଳକୁ କରି ସୌମ୍ୟକାନ୍ତ କହିଲା ବଞ୍ଚିଛି, ଆଉ ତମେ ଅପର୍ଣ୍ଣା ??ହସିଦେଇ ଅପର୍ଣ୍ଣା କହିଲା ମୁଁ ବି ବଞ୍ଚିଛି। ଆଚ୍ଛା ଅପର୍ଣ୍ଣା ଏଥର ମିଶିକରି ବଞ୍ଚିବା କି ? ହସିଦେଇ ହାତ ବଢେଇଦେଲା ଅପର୍ଣ୍ଣା । ସୌମ୍ୟକାନ୍ତ, ଅପର୍ଣ୍ଣା କୁକୁର ଲୋପାକୁ ଧରି ଆଗକୁ ବଢୁଥିଲେ ଅନାଥାଶ୍ରମର ଫାଟକ ଆଡେ, ନିଷ୍ପତ୍ତି କରି ଛୁଆଟିଏ ଆଣି କନ୍ୟାର ସମ୍ମାନ ଦେବାପାଇଁ। ହସିହସି ଅପର୍ଣ୍ଣା କହୁଥିଲା ହେ ଉଗ୍ରାଧୁନିକ ସମାଜର ପଥଭ୍ରଷ୍ଟ ପ୍ରେମିକ/ ପ୍ରେମିକା ପ୍ରେମ କରିବ ତ ଏମିତି... ମାନେ ବିଲୁପ୍ତ ରାଜତନ୍ତ୍ରର ଶେଷ ତଥା ପ୍ରୌଡ ପ୍ରେମିକ ପ୍ରେମିକାଙ୍କ ପରି।
ପାର୍ଶ୍ବସ୍ଥ ଇସକନ ମନ୍ଦିରରୁ ଭାସି ଆସୁଥିଲା ;;
ୟଦା ୟଦାହି ଧର୍ମସ୍ୟ ଗ୍ଳାନିର୍ଭବତି ଭାରତଃ,
ଅଭ୍ୟୁତ୍ଥାନଂ ଅଧର୍ମସ୍ୟ ତଦାତ୍ମାନଂ ସ୍ରୁଜାମ୍ୟହମ୍।।।
