ରାବଣ ପୋଡ଼ି
ରାବଣ ପୋଡ଼ି


ଆଶ୍ଵିନ ମାସ I ପୂଜାପାର୍ବଣର ଋତୁ I ଶରତର ଧୋବ ଫରଫର ଆକାଶରେ ତାରାମାନଙ୍କ ଗହଣରେ ଶୋଭା ପାଉଥାନ୍ତି, ଅତି ଆଦରର ଜହ୍ନ ମାମୁଁ I ମାଟି ମା’ କୂଳରେ ଲହଡି ମାରୁଥାନ୍ତି, କାଶତଣ୍ଡି ଫୁଲ ଓ ସବୁଜ ଧାନ କ୍ଷେତ I ଏ ହେଉଛି, ଜଗତ ଜନନୀ ମା’ ଦୁର୍ଗାଦେବୀଙ୍କର ଆଗମନୀର ଦିନ I ମା’ଙ୍କର ଆବାହନୀ ନିମନ୍ତେ ସମସ୍ତେ ବ୍ୟସ୍ତ ଆଉ ତତ୍ପର I
ମହିଷାମର୍ଦ୍ଦିନୀ ଦେବୀ ମା’ ଦୁର୍ଗାଙ୍କର ନବମୀ ପର୍ବ I ଗାଁଠୁ ସହର ଯାଏଁ ସବୁଠି ଦେବୀ ଦୂର୍ଗାଙ୍କର ପୂଜା I ସବୁଠାରେ ସୁସଜ୍ଜିତ ତୋରଣରେ ଶୋଭା ପାଉଥାନ୍ତି, ମା’ I ଏଥିପାଇଁ ରାଜଧାନୀ ଭୁବନେଶ୍ଵର ଓ ମହାନଗର କଟକ ଥାଏ, ଚଳଚଞ୍ଚଳ I ନଭଶ୍ଚୁମ୍ବୀ ତୋରଣ, ମେଢ ଓ ରଙ୍ଗ ବେରଙ୍ଗର ଆଲୋକରେ ପାର୍ଶ୍ଵଦେବତାମାନଙ୍କ ସହ ବିରାଜମାନ କରୁଥାନ୍ତି, ଦୁର୍ଗତି ନାଶିନୀ ସଙ୍କଟ ହାରିଣୀ ମା’ I ଏହି ମନୋହାରିଣୀ ପରିବେଶକୁ ଉପଭୋଗ କରିବା ନିମନ୍ତେ କାହିଁ କେତେଦୂରରୁ ଦଉଡିଆସିଛନ୍ତି, ଏହି ସହର ଦୁଇଟିକୁ I ଲୋକ ଗହଳିରେ ସାରା ସହରରେ ଅସମ୍ଭବ ଭିଡ ଲାଗିରହିଥାଏ I
ଆଇ.ପି.ଏସ. ଜଗନ ମାଡକାମିଙ୍କର ବଦଳି ହୋଇଥାଏ, ସୁଦୂର ମାଲକାନଗିରିରୁ ଭୁବନେଶ୍ଵରକୁ I ଶାନ୍ତିପୂର୍ଣ୍ଣ ଆଲୋଚନାଦ୍ଵାରା ମାଓବାଦୀମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରାଇବାରେ କିଛି ମାତ୍ରାରେ ସଫଳ ହୋଇଥିବାରୁ ସେ ସାରା ରାଜ୍ୟରେ ସେ ଉଦାହରଣ ପାଲଟିଥାନ୍ତି I ଏହି ବର୍ଷ ଦଶହରାରେ ହୋଇଥିବା ରାବଣ ପୋଡି ଉତ୍ସବରେ ତାଙ୍କୁ ମୁଖ୍ୟ ଅତିଥିଭାବେ ନିମନ୍ତ୍ରଣ କରାଯାଇଥାଏ I ତାଙ୍କର ଏହି ସଫଳ କାର୍ଯ୍ୟର କାହାଣୀ ଶୁଣିବା ପାଇଁ ଉପସ୍ଥିତ ଦର୍ଶକମାନେ ଅନାଇ ରହିଥାନ୍ତି I
ଆଇ.ପି.ଏସ. ଜଗନ ତାଙ୍କର ଅପାସୋରା କାହାଣୀ ସମସ୍ତଙ୍କ ଆଗରେ କହିବା ଆରମ୍ଭ କଲେ I ପ୍ରଥମେ ସେ ଗୋଟିଏ ଗପ ଶୁଣିବା ପାଇଁ ସମସ୍ତକୁ ଅନୁରୋଧ କଲେ I ସେ ଗପ ଥିଲା, ଗିରିଶର ଗପ I
xxxx
ଭୁବନେଶ୍ଵରସ୍ଥିତ ଏକ ଆବାସିକ ମହାବିଦ୍ୟାଳୟରେ +୨ ବିଜ୍ଞାନ ଶ୍ରେଣୀର ଛାତ୍ର ଗିରିଶ I ମାଲକାନଗିରି ଜିଲ୍ଲାର ଏକ ଉପାନ୍ତ ଗାଁରେ ଏକ ଗରିବ ଆଦିବାସୀ ପରିବାରରେ ଗିରିଶର ଜନ୍ମ I ତା’ରି ପରି ଅନେକ ପିଲା ଓଡିଶାର ବିଭିନ୍ନ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରୁ ଆସି ଏହି ମହାବିଦ୍ୟାଳୟରେ ପାଠ ପଢୁଥାନ୍ତି I ସ୍ଵଭାବରେ ସେ ନମ୍ର ଓ ଶାନ୍ତଶିଷ୍ଟ; ହେଲେ ପଢIରେ ସେ ସବୁବେଳେ ଆଗରେ ଥାଏ I ମହାବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ ତଥା ଛାତ୍ର ଛାତ୍ରୀଙ୍କଠାରୁ କର୍ମଚାରୀ ସମସ୍ତଙ୍କ ନିକଟରେ ତା’ ଗୁଣ ପାଇଁ ସେ ଆଦରଣୀୟ ହୋଇଥିଲା I ଗୋଟିଏ ରୁମରେ ୪ଜଣ ପିଲା ରୁହନ୍ତି I ସମସ୍ତଙ୍କ ମଧ୍ୟରେ ନିବିଡ ବନ୍ଧୁତା ଥାଏ, କେମିତି ଗୋଟେ ବନ୍ଧନରେ ବାନ୍ଧି ହୋଇ ଯାଇଥାନ୍ତି, ସେମାନେ I
xxx
ଗିରିଶ ସେଦିନ ତା’ ସାଙ୍ଗମାନଙ୍କ ସହ ଅପରାହ୍ନ ୪ଟା ବେଳୁ ବୁଲି ବାହାରିଲା, ଭୁବନେଶ୍ଵରର ପୂଜା ମଣ୍ଡପ ଦେଖିବାକୁ I ବିଭିନ୍ନ ମଣ୍ଡପର ସାଜସଜ୍ଜା, ତୋରଣ, ରଙ୍ଗବେରଙ୍ଗର ଆଲୋକ, ମେଢ ଓ ମା’ଙ୍କର ମୂର୍ତ୍ତି ଦେଖି ବହୁତ ଖୁସି ହେଲା I ବରମୁଣ୍ଡା, ନୟାପଲ୍ଲୀ, ସହିଦ ନଗର, ରସୁଲଗଡ, ଝାରପଡା ଆଦି ପୂଜା ମଣ୍ଡପ ଦେଖି ଫେରିଲା ବେଳକୁ ରାତି ୯ଟା ହେଲାଣି I ହାତ ଗୋଡ ଧୋଇ ହଷ୍ଟେଲରେ ଗଣ୍ଡେ ଖାଇ ସେ ରାତି ୧୦ଟାରେ ଶୋଇ ପଡିଲା I
xxx
ପାର୍ବଣ ଋତୁର ସର୍ବଶେଷ୍ଠ ପର୍ବ ଦଶହରା I ସେଦିନ ସକାଳୁ ଗିରିଶ ତା’ ସାଙ୍ଗମାନଙ୍କ ସହ ଯାଇଥିଲା, ରାବଣ ପୋଡି ଦେଖିବାକୁ I ସାଙ୍ଗମାନଙ୍କ ସାଙ୍ଗରେ ଗିରିଶ ସେଦିନ ରାବଣ ପୋଡି ଦେଖିବାକୁ ଯାଇଥିଲା ଓ ମନଭରି ଉପଭୋଗ ବି କରିଥିଲା; ହେଲେ ଗୋଟିଏ ଜିନିଷ ସେ ବୁଝିପାରୁନଥିଲା I ମା’ ଦୁର୍ଗା ତ ମହିଷାସୁରକୁ ବଧ କରିଥିଲେ, ହେଲେ ଦଶହରା ଦିନ ରାବଣ ପୋଡି ହେବାର ଯଥାର୍ଥତା କ’ଣ? ସାଙ୍ଗମାନଙ୍କୁ ଏ ବିଷୟରେ ପଚାରିଥିଲା, ଗିରିଶ; ହେଲେ ସନ୍ତୋଷଜନକ ଉତ୍ତର ପାଇ ପାରିନଥିଲା I
ସେଦିନ ରାତିରେ ଫେରିଲେ ସମସ୍ତେ ହଷ୍ଟେଲକୁ I ସାରଙ୍କୁ ରାବଣ ପୋଡି ଦେଖି ଯିବା କଥା କହିଥିଲେ, ସେମାନେ I ନିଜ ମନର ଉତ୍କଣ୍ଠା ଓ ଆବେଗକୁ ଚାପିରଖି ପାରିନଥିଲା, ଗିରିଶ I ରାବଣ ପୋଡିର ରହସ୍ୟ ବିଷୟରେ ପଚାରିଥିଲା, ସନ୍ତୋଷ ସାରଙ୍କୁ ସେ I ସନ୍ତୋଷ ସାର୍ ସେମାନଙ୍କୁ ବୁଝାଇ କହିଥିଲେ, ରାବଣ ନାମକ ଏକ ଅସୁରକୁ ପ୍ରଭୁ ଶ୍ରୀରାମଚନ୍ଦ୍ର ବଧ କରିଥିଲେ I ପୁରାଣରେ ପଢୁଥିବା ଦେବତା, ମାନବ, ଦାନବ ଏ ସବୁ ମାନସିକ ଗୁଣ I ସମସ୍ତଙ୍କ ପାଖରେ ଏ ସବୁ ଗୁଣ ଅଛି I ମଣିଷମାନଙ୍କ ଭିତରେ ଅନେକ ଆସୁରିକ ପ୍ରବୃତ୍ତି ରହିଛି, ଯଥା- କାମ, କ୍ରୋଧ, ଲୋଭ, ମୋହ, ଈର୍ଷା, ହିଂସା, ଦ୍ଵେଷ ଏସବୁକୁ ନିଜ ମନ ମଧ୍ୟରୁ ଦୂର କରି ପାରିଲେ, ମଣିଷଟି ଦେବତ୍ଵରେ ପ୍ରତିଷ୍ଠିତ ହୋଇପାରିବ I ରାବଣ ପୋଡିର ଉଦ୍ଦେଶ୍ୟ ମନ ରୂପକ ନଗରୀରେ ଥିବା ଆସୁରିକ ପ୍ରବୃତ୍ତିକୁ ପୋଡିଦେବା ବା ଦୂର କରିବା I କଥାଟା ଗିରିଶ ମନକୁ ପାଇଲା I
xxx
କାନ୍ଥ ଘଣ୍ଟାରେ ୩ ଟା ବାଜି ୩୦ ମିନିଟ୍ I ହଠାତ୍ ନିଦରୁ ଚିତ୍କାର କରି ଉଠିଲା, ଗିରିଶ I ତା’ ଚିତ୍କାରରେ ସବୁ ସାଙ୍ଗମାନଙ୍କ ନିଦ ଭାଙ୍ଗି ଯାଇଥିଲା I ଜଣେ ସାଙ୍ଗ ଉଠିପଡି ରୁମର ଲାଇଟ ଦେଇଦେଲା I ଦେଖିଲା ବେଳକୁ ଗିରିଶ ନିଜ ବେଡ ଉପରେ ଉଠିବସିଛି I ତା’ ଦେହରୁ ଗମଗମ ଝାଳ ବୋହୁଥିଲା I ବହୁତ ବ୍ୟତିବ୍ୟସ୍ତ ହୋଇପଡିଥିଲା, ସେ I ଆଉ ଜଣେ ସାଙ୍ଗ ପାଣି ଗ୍ଲାସଟେ ଆଣି ଗିରିଶକୁ ପିଇବାକୁ ଦେଲା I କିଛି ସମୟ ପରେ ଗିରିଶ ପ୍ରକୃତିସ୍ଥିତ ହେଲା I ତା’ ରୁମରେ ଥିବା ଚାରିଜଣଯାକ ସାଙ୍ଗ ତାକୁ ଘେରି ଯାଇଥିଲେ ଓ ସେ ଚିତ୍କାର କରିବାର କାରଣ ବିଷୟରେ ପଚାରି ଚାଲିଥିଲେ I ଆସ୍ତେ ଆସ୍ତେ ସବୁ କଥା କହୁଥିଲା, ଗିରିଶ I ମୁଁ ଗୋଟେ ସ୍ଵପ୍ନ ଦେଖିଲି - ଭୟଙ୍କର ସ୍ଵପ୍ନ Iଏ ସ୍ଵପ୍ନ ମଝିରେ ମଝିରେ ଦେଖେ ପ୍ରକୃତରେ ଏହା ଏକ ସ୍ଵପ୍ନ ନୁହେଁ ; ଏହା ଏକ ସତ୍ୟ ଘଟଣା, ଯେଉଁଟା କି ମୋ ଆଖି ସାମ୍ନାରେ ଘଟିଥିଲା I ସେ ଘଟଣାକୁ ମୁଁ ଆଜି ପର୍ଯ୍ୟନ୍ତ ଭୁଲି ପାରୁନାହିଁ I ସମସ୍ତେ ଅତି ଆଗ୍ରହ ଓ ଉତ୍ସୁକତାର ସହିତ ଗିରିଶର ମୁହଁକୁ ଚାହିଁ ରହିଥାନ୍ତି I
ଘଟଣାଟିକୁ କହିବାକୁ ଆରମ୍ଭ କଲା ଗିରିଶ I ସେତେବେଳେ ମୁଁ ପଞ୍ଚମ ଶ୍ରେଣୀରେ ପଢୁଥାଏ I ଦିନେ ସନ୍ଧ୍ୟାବେଳେ ଦୁଇତିନିଜଣ ଅଚିହ୍ନା ଲୋକ ଆସି ଆମ ଦୁଆରେ ଆସି ପହଞ୍ଚିଲେ, ବାପାଙ୍କୁ ଖୋଜୁଥିଲେ I ବାପାଙ୍କର ଚିହ୍ନାପରିଚିତ ଲୋକ ହୋଇଥିବେ ଭାବି ମୁଁ ବାପାଙ୍କୁ ଘର ବାହାରକୁ ଡାକି ଆଣିଲି I ବାପାଙ୍କୁ ଦେଖୁ ଦେଖୁ ସେ ଲୋକମାନେ ହଠାତ୍ ଧରି ପକାଇ ଘୋଷାରି ଘୋଷାରି ନେଉଥାନ୍ତି I ମୋ ବାପା ସେମାନଙ୍କୁ ମୋତେ ଛାଡିଦିଅ, ମୋର କିଛି ଦୋଷ ନାହିଁ, ବୋଲି ବହୁତ ନେହୁରା ହୋଇ କହୁଥାନ୍ତି; ହେଲେ ସେ ଲୋକଗୁଡାକ ଏତେ ନିର୍ଦ୍ଦୟ ଥିଲେ ଯେ, ସେମାନେ ତାଙ୍କ କଥାକୁ ନ ଶୁଣି ଟାଣି ଟାଣି ନେଇ ଯାଉଥାନ୍ତି ; ଆଉ କହୁଥାନ୍ତି ଚାଲ ଆଜି ତୋର ବିଚାର ହେବ I ମୁଁ ବାପାଙ୍କ ପଛେ ପଛେ ଗୋଡାଇ ଗୋଡାଇ ଗଲାରୁ ଗୋଟେ ଲୋକ ମୋତେ ଧକାଏ ମାରି ତଳେ ପକାଇ ଦେଲା I ଏ ଘଟଣା ଦେଖି ଆମ ଗାଁର ସବୁ ଲୋକ ସେମାନଙ୍କ କବାଟ ବନ୍ଦ କରିଦେଇଥାନ୍ତି; କେହି ଜଣେ ବି ଦାଣ୍ଡକୁ ବାହାରୁ ନ ଥାନ୍ତି I ମୁଁ ଘଟଣାଟିକୁ କିଛି ବି ବୁଝି ପାରୁନଥାଏ I କ’ଣ ହେଉଛି, କିଛି ବି ଜାଣିପାରୁନଥାଏ I
ପୁଣି ମୁଁ ଉଠିଲି, ତଳୁ I ତାଙ୍କ ପଛେ ପଛେ ଯିବା ପାଇଁ ଉଦ୍ୟତ ହେଲାବେଳେ ଆମ ସାହିର ରାମ ଦାଦା ମୋତେ ପଛରୁ ଆସି ଧରିଲେ ଆଉ କହିଲେ, ସେମାନେ ମାଓବାଦୀ I ତୁ ସେମାନଙ୍କ ପଛରେ ଯା ନି, ନ ହେଲେ ସେମାନେ ତୋତେ ମାରି ଦେବେ I ମୁଁ କହିଲି ନା’ ମୁଁ ମରିବି ପଛେ ହେଲେ ମୁଁ ମୋ ବାପାଙ୍କୁ ରକ୍ଷI କରିବି I ତା’ପରେ ରାମ ଦାଦI ଜୋର ଜବରଦସ୍ତି ମୋ ପାଟିକୁ ବନ୍ଦ କରି ଆଗରେ ଥିବା ଗଛ ପଛରେ ଲୁଚିକି ରହିଲେ I
ବାପାଙ୍କୁ ଧରିନେଇଥିବା ସେ ତିନିଜଣ ଲୋକ ଗାଁ ମୁଣ୍ଡରେ ଥିବା ବରଗଛ ପାଖରେ ଯାଇ ପହଞ୍ଚିଲେ I ସେ ବରଗଛ ପାଖରେ ଆଉ ଦଶ ବାର ଜଣ ଲୋକ ମଧ୍ୟ ଥିଲେ I ସେମାନଙ୍କ ବେଶଭୁଷା କେମିତି ଏକ ଅଦ୍ଭୁତ ପ୍ରକାରର ଥିଲା ଓ ସମସ୍ତଙ୍କ ହାତରେ ବନ୍ଧୁକ ଥିଲା I ତା’ପରେ ଜଣେ ଲୋକ ବାପାଙ୍କୁ ଦେଖି କହିଲା, ଶଳା ତୁ ଆମ ବିଷୟରେ ଯାଇ ପୋଲିସକୁ କହୁଛୁ I ପୋଲିସର ଇନଫର୍ମର ସାଜିଛୁ I ମୋ ବାପା ଯେତେ ମନା କଲେ ବି ସେମାନେ ତାଙ୍କ କଥା ଶୁଣୁ ନ ଥିଲେ I ପୁଲିସର ଇନଫର୍ମର ହୋଇ ପୁରସ୍କାର ପାଇବୁ I ନେ, ଆମ ଠାରୁ ଏବେ ପୁରସ୍କାର ନେ, କହି ହଠାତ୍ ତାଙ୍କ ଉପରକୁ ଗୁଳି ଚଳାଇଲେ I ତା’ପରେ ସେମାନେ ସେହିଠାରେ ବହୁ ଉଚ୍ଚ ସ୍ଵରରେ ଲାଲ ସଲାମ କହି ଉପରକୁ ଗୁଳି ଫୁଟାଇ ପଳାଇଯାଇଥିଲେ I
ସେମାନେ ଗଲା ପରେ ରାମ ଦାଦା ଓ ମୁଁ ଯାଇ ବାପାଙ୍କ ପାଖରେ ପହଞ୍ଚିଲୁ I ବାପାଙ୍କ ରକ୍ତ ଜୁଡୁବୁଡୁ ଦେହଟା ମାଟିରେ ଗଡୁଥାଏ ଓ ସେ ଯନ୍ତ୍ରଣାରେ ଛଟପଟ ହେଉଥାନ୍ତି I ରାମଦାଦା ଦଉଡିଯାଇ ଠାକୁରାଣୀଙ୍କ ନିକଟରେ ଥିବା ନଳକୂଅରୁ ପାଣି ଆଣି ଆସିଲା ବେଳକୁ ବାପାଙ୍କ ଶରୀରଟା ସ୍ଥିର ହୋଇ ଯାଇଥିଲା I ସେତେବେଳକୁ ଗାଁରୁ କିଛି ଲୋକ ଲଣ୍ଠନ ଓ ଠେଙ୍ଗା ଧରି ଆମ ନିକଟରେ ପହଞ୍ଚି ଯାଇଥାନ୍ତି I ବୋଉ ଆଉ ବୁଢୀମା’ ମୁଣ୍ଡ ବାଡେଇ କାନ୍ଦୁଥାନ୍ତି I ବାପାଙ୍କ ଚାରି ପାଖରେ ବଡ ବଡ କାଗଜରେ କ’ଣ ସବୁ ଲେଖା ହୋଇଥାଏ I କେହି ଜଣେ ପଢୁଥାଏ, ପୋଲିସ ଇନଫର୍ମର ହେଲେ ଏହିଭଳି ଦଶା ଭୋଗିବାକୁ ପଡିବ I
xxxx
ଗିରିଶର କଥା ଶୁଣି ତା’ ସାଙ୍ଗମାନେ ନିର୍ବାକ୍ ହୋଇଯାଇଥାନ୍ତି I ସମସ୍ତଙ୍କ ଆଖିରୁ ଲୁହ ଝରୁଥାଏ I ସେତେବେଳକୁ ସକାଳ ହୋଇଆସିଥିଲା I ପକ୍ଷୀମାନଙ୍କର କଳରବରେ ରାତିର ଅନ୍ଧାର ଦୂରେଇ ଯାଉଥିଲା, ଆଉ ସିନ୍ଦୂରିତ ହୋଇ ଉଠୁଥାଏ, ଧରାପୃଷ୍ଠ I କ’ଣ ଭାବି ଚାଲିଥିଲା, ଗିରିଶ I ହଠାତ୍ ପ୍ରକୃତିସ୍ଥ ହୋଇଉଠିଲା ସେ, ଆଉ କହିଉଠିଲା, ମୁଁ ଅନ୍ଧକାରର ବିନାଶ କରି ଆଲୋକ ବର୍ତ୍ତିକା ଜାଳିବି I ବାପାଙ୍କୁ ମାରିଥିବା ମାଓବାଦୀମାନଙ୍କ ମଧ୍ୟରେ ରହିଥିବା ରାକ୍ଷସ ରୂପୀ ଭାବନାକୁ ଦୂର କରି ରାବଣ ପୋଡିର ପ୍ରକୃତ ଉଦ୍ଦେଶ୍ୟର ମହନୀୟତାକୁ ପ୍ରତିପାଦିତ କରିବି ଓ ସେମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରାଇବି I ଅନ୍ୟ ତିନିଜଣ ସାଙ୍ଗ ମଧ୍ୟ ଏକ ସ୍ଵରରେ କହି ଉଠିଲେ, ଆମେ ତୋର ଏହି ଭାବନାକୁ ସଫଳ କରାଇବା ନିମନ୍ତେ ଯତପରୋନାସ୍ତି ଚେଷ୍ଟା କରିବୁ ଏବଂ ସେମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରି ଆମ ସମାଜ ଓ ଦେଶକୁ ରକ୍ଷା କରିବୁ I ଭାରତର ଐତିହାସିକ ବିଚାରଧାରା ସତ୍ୟ ଓ ଅହିଂସା ମାଧ୍ୟମରେ ଏକ ଶାନ୍ତିର ଦୁନିଆ ପ୍ରତିଷ୍ଠା କରିବାର ପ୍ରୟାସ କରିବୁ I
xxxxx
ଏହି ଘଟଣାଟି ଗୋଟିଏ ଗପ ନୁହେଁ, ନିରାଟ ସତ୍ୟ ଘଟଣା I ଆଜି ଆମେମାନେ ଯେଉଁ ପ୍ରୟାସ କରିଛୁ, ତାହା ଗିରିଶର ସତ୍ୟ ଘଟଣା ଯୋଗୁଁ ହିଁ ସମ୍ଭବ ହୋଇଛି I ଆଜି ମୁଁ ବି ଆପଣଙ୍କ ଆଗରେ ଠିଆ ହୋଇଛି, କେବଳ ଗିରିଶ ପାଇଁ I ସତ କଥା କହିବାକୁ ଗଲେ, ଗିରିଶର ରୁମରେ ରହୁଥିବା ଅନ୍ୟ ତିନିଜଣ ସାଙ୍ଗମାନଙ୍କ ମଧ୍ୟରୁ ମୁଁ ଜଣେ I ଗିରିଶ ଏବେ ଜଣେ ମନସ୍ତ୍ଵତବିତ I ଗିରିଶର ଘଟଣା ତଥା ପ୍ରେରଣା ଆମକୁ ନୂଆ ଦିଗଦର୍ଶନ ଦେଇଥିଲା I ଚାରିଜଣ ସାଙ୍ଗ ଆମେ ତାରି ପଥରେ ଆଗେଇଛୁ I ମୁଁ ବର୍ତ୍ତମାନ ମୋ ଅତି ପ୍ରିୟ ସାଙ୍ଗ ଗିରିଶ ତଥା ମନସ୍ତ୍ଵତବିତ ଗିରିଶଙ୍କୁ ଅନୁରୋଧ କରୁଛି, ସେ ମଞ୍ଚ ଉପରକୁ ଆସିବା ପାଇଁ I
ତା’ପରେ ଆଇ.ପି.ଏସ. ଜଗନ କହିଲେ, ତଥାପି କାହାଣୀ ଅଧା ରହିଗଲା I ୪ ଜଣଙ୍କ ଭିତରୁ ଦୁଇଜଣଙ୍କର ପରିଚୟ ଆପଣମାନେ ପାଇଲେ I ଆଉ ଦୁଇଜଣ ଯେଉଁମାନେ ଆମର ଏଇ ପଥରେ ଆମକୁ ଆଗେଇନେବାରେ ଆମକୁ ସାହାଯ୍ୟ କରିଛନ୍ତି, ସେମାନେ ଆଉ କେହିନୁହନ୍ତି, ଆମ ସହ ରୁମରେ ରହୁଥିବା ଆମର ଆଉ ଦୁଇଜଣ ଅତି ପ୍ରିୟର ସାଙ୍ଗମାନେ ବିମଳ ଅର୍ଥାତ ପ୍ରଫେସର ବିମଳ ଆଉ ସବିର ଅର୍ଥାତ ଡାକ୍ତର ସବିର I
ଚାରିଜଣ ସାଙ୍ଗ ଆଜି ଏକାଠି ହୋଇଛନ୍ତି, ଗୋଟିଏ ଯାଗାରେ, ଗୋଟିଏ ମଞ୍ଚରେ I ଅତି ଭାବବିହ୍ଵଳିତ ହୋଇ ମଞ୍ଚ ଉପରେ ଚାରିଜଣ ସାଙ୍ଗ ଏକାଠି ହୋଇଥାନ୍ତି I
ତା’ ପରେ ମନସ୍ତ୍ଵତବିତ ଗିରିଶଙ୍କୁ କିଛି କହିବାକୁ ଅନୁରୋଧ କରାଗଲା I ଗିରିଶ କହିବା ଆରମ୍ଭ କଲେ, ମୋ ଆଖି ଆଗରେ ମୋ ବାପାଙ୍କୁ ଅତି ନିର୍ଦ୍ଦୟର ସହ ହତ୍ୟା କରାଯାଇଥିଲା I ମୋ ବାପା ମୋତେ ଛାଡି ଚାଲିଗଲେ I ବାପଛେଉଣ୍ଡ ହେବାର ଦୁଃଖ ମୋ ଠାରୁ ଆଉ କିଏ ଭଲରେ ବୁଝିପାରିବ I ମୋ ଉପରୁ ଛାତ ଉଡିଯାଇଥିଲା I ସେ କଷ୍ଟ କ’ଣ ମୁଁ ଜାଣିଛି I ଜଣେ ମନସ୍ତ୍ଵତବିତ ହିସାବରେ ଯାହାର ବାପା ଏମିତି ଚାଲିଯାଉଥିବେ, ସେମାନଙ୍କୁ କେତେ ଯେ କଷ୍ଟ ହେଉନଥିବ ? ତାହା ମୋ ଠୁ ଆଉ କିଏ ଅଧିକ ଅଙ୍ଗେନିଭେଇଥିବ ? ମରିବା ଓ ମାରିବା ସତରେ ସମାଧାନର ବାଟ ନୁହେଁ I ମରିବା ଓ ମାରିବା ଏ ଦୁଇଟିକୁ ଛାଡି ଏକ ଅଲଗା ବିଚାରର ଧାରାରେ ପରିବର୍ତ୍ତନର ଏକ ସ୍ଵତନ୍ତ୍ର ରାସ୍ତା ଆପଣେଇଛୁ, ଯେଉଁଥିରେ କେଉଁମାନେ ବି ମୋ ଭଳି ବାପଛେଉଣ୍ଡ ହେବେନି କି କାହା ହାତର ଶଙ୍ଖା ଭାଙ୍ଗିବନି କି କୋଉ ମା’ କୋଳରୁ ତା’ ପୁଅର ହତ୍ୟା ହେବନି I
ସେଦିନ ସନ୍ତୋଷ ସାର୍ ଆମ ଚାରିଜଣଙ୍କ ଆଖି ଖୋଲିଦେଇଥିଲେ, ପ୍ରକୃତ ରାବଣ ପୋଡିର ଉଦ୍ଦେଶ୍ୟ ଆମେ ସେଦିନ ବୁଝିପାରିଥିଲୁ I ଆଜି ଭଳି ପବିତ୍ର ଦିନରେ ଆମ ଭିତରର ଥିବା ରାବଣଗୁଡିକୁ ପୋଡିଦେବା କଥା I ସମସ୍ତଙ୍କ ପାଖରେ ଭଲ ଗୁଣ ଓ ଖରାପ ଗୁଣ, ଏ ସବୁ ଗୁଣ ଅଛି I ଆମ ଭିତରେ ଅନେକ ଆସୁରିକ ପ୍ରବୃତ୍ତି ରହିଛି, ଯଥା- କାମ, କ୍ରୋଧ, ଲୋଭ, ମୋହ, ଈର୍ଷା, ହିଂସା, ଦ୍ଵେଷ ଏସବୁକୁ ନିଜ ମନ ମଧ୍ୟରୁ ଦୂର କରି ପାରିଲେ, ଆମ ଭିତରେ ରାମରାଜ୍ୟର ପ୍ରତିଷ୍ଠା ହୋଇପାରିବ I ରାବଣ ପୋଡିର ଉଦ୍ଦେଶ୍ୟ ମନ ରୂପକ ନଗରୀରେ ଥିବା ଆସୁରିକ ପ୍ରବୃତ୍ତିକୁ ପୋଡିଦେବା ବା ଦୂର କରିବା I ଆମେମାନେ କିଛି ମାତ୍ରାରେ ସଫଳ ହୋଇଛୁ I କିଛି ଭାଇ ଭଉଣୀମାନେ ମାଓ ସଙ୍ଗଠନରୁ ଓହରି ଆସି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି I ଏହି ପ୍ରଚେଷ୍ଟା ଆଗକୁ ମଧ୍ୟ ଜାରି ରହିବ I ଆପଣମାନଙ୍କ ସହଯୋଗ ଓ ଆଶୀର୍ବାଦ ଆମମାନଙ୍କର ନିହାତି ଦରକାର I
ସଭାସ୍ଥଳ ଗୁରୁ ଗମ୍ଭୀର ହୋଇଯାଇଥିଲା I ସମସ୍ତେ ସେ ଚାରିଜଣଙ୍କୁ ଦେଖୁଥିଲେ I ଚାରିଜଣଙ୍କ ଆଖିରେ ଆଉ କିଛି ଲୋକଙ୍କ ଆଖିରେ ଲୁହ ଆସିଯାଇଥିଲା I