Pramod Kumar Jena

Tragedy Inspirational

3  

Pramod Kumar Jena

Tragedy Inspirational

ପୂତ୍ ନର୍କ

ପୂତ୍ ନର୍କ

6 mins
416



 ଏମିତି ଦିନେ ପଡିଶା ଘରକୁ ଚାଲି ଯାଇଥିଲେ । କ’ଣ ପାଇଁ ଠିକରେ ମନେ ପଡୁନି । ଦେଖିଲେ ପଡିଶା ଘର ଖୁଡୀ ପଖାଳ କଂସାଏ ଧରି ବସି ବାଆଁ ହାତରେ ଖାଉଛନ୍ତି । ଟିକିଏ ଅଡୁଆ ଲାଗିଲା । ଭାବିଲେ ସେ ଭୁଲ ଦେଖୁ ନାହାନ୍ତି ତ । ନାଁ... ଖୁଡୀ ବାଆଁ ହାତରେ ହିଁ ଖାଉଛନ୍ତି । ମୁଣ୍ଡ ଉପରକୁ କରି ତାଙ୍କ ଆଡେ ଚାହିଁଲେ । ଟିକିଏ ବିବ୍ରତ ହୋଇ ପୁଣି ଖାଇବାରେ ଲାଗିଲେ । ତାଙ୍କ ଉପସ୍ଥିତି ଖୁଡୀଙ୍କୁ ବୋଧହୁଏ ଟିକିଏ ଅଡୁଆରେ ପକେଇ ଦେଇଥିଲା । ଏପଟେ ତାଙ୍କ ମନ ଭିତରେ ଦ୍ୱନ୍ଦ୍ୱ । ଖୁଡୀ କ’ଣ ବାଉଁଆ ? ଯେମିତି ବଡ ବଡ ଚିତ୍ର ତାରକା ଆଉ କ୍ରିକେଟ୍ ଖେଳାଳୀ ଅଛନ୍ତି, ତାଙ୍କରି ଭଳି ବାଉଁଆ । ଗାଆଁ ଗହଳିରେ ଯେଉଁମାନେ ବାଆଁ ହାତରେ ବେଶି କାମ କରନ୍ତି, ତାଙ୍କୁ ବାଉଁଆ କହନ୍ତି । କିନ୍ତୁ...


ପୁଣି ଭାବିଲେ, ହୋଇଥାଇପାରେ ଖୁଡୀଙ୍କର ଡାହାଣ ହାତରେ କିଛି ଅସୁବିଧା ଅଛି । ତେଣୁ ବାଆଁ ହାତରେ ଖାଉଥିଲେ । ଫେରୁ ଫେରୁ ପଛକୁ ଚାହିଁ ଆଉ ଥରେ ଦେଖିଲି ଖୁଡୀ କିନ୍ତୁ ବାଆଁ ହାତରେ କଷ୍ଟେ ମଷ୍ଟେ ଖାଉଥିଲେ । ଅଧା ଖାଇବା ହାତରୁ ଖସି ବି ପଡୁଥିଲା । ମନେ ମନେ ନିଶ୍ଚିନ୍ତ ହେଲି ସେ ବାଉଁଆ ନୁହନ୍ତି । ଡାହାଣ ହାତରେ କିଛି ଗୋଟେ ଅସୁବିଧା ଅଛି ନିଶ୍ଚୟ ।


ଏମିତି କିଛି ଦିନ ଗଡିଗଲା । ସେ କଥା ସେ ଦିନ ତାଙ୍କ ଘରେ ପଚାରି ପାରି ନ ଥିଲେ ଅଶୋକ । ପଡିଶା ଘର ଦାଦାଙ୍କ ପୁଅ ଗୋପାଳ ସେତେବେଳକୁ ଦେଢ ବର୍ଷ ପାଖାପାଖି ହେବ । ଛୋଟ ପିଲାଙ୍କ ସାଙ୍ଗେ ଖେଳିବାକୁ ଅଶୋକ ବହୁତ ଭଲ ପାଆନ୍ତି । ସେଥିପାଇଁ ପଡିଶା ଘରକୁ ବେଳେ ବେଳେ ଚାଲିଆସନ୍ତି ଅଶୋକ । ପଡିଶା ଘରକୁ ଯିବାକୁ ତାଙ୍କ ଘରେ କେହି ପସନ୍ଦ କରନ୍ତିନି । ତେଣୁ ଗୋପାଳ ବୋଉ ଖୁଡୀଙ୍କର ବାଆଁ ହାତରେ ଖାଇବାଟା ଘରେ କାହାକୁ ଜଣେଇ ପାରିନଥିଲେ ।


କିଛି ଦିନ ପରେ ପୁଣି ଥରେ ଗୋପାଳ ଘର ଆଡେ ଯାଇଥିଲେ ଅଶୋକ । ଯୋଗକୁ ସେ ଦିନ ମଧ୍ୟ ଗୋପାଳ ବୋଉ ଖୁଡୀ ଖାଇ ବସିଥିଲେ । ଏଥର ମଧ୍ୟ ସେ ବାଆଁ ହାତରେ ଖାଉଥିଲେ । କିନ୍ତୁ ଆଗ ଭଳି ଅସହଜ ନ ଥିଲେ । ହାତରୁ ଆଉ ଖାଇବା ଜିନିଷ ଖସୁନଥିଲା । ପାଖରେ ଗୋପାଳର ପିଉସୀ ଠିଆ ହୋଇଥିଲେ । ତା’ଙ୍କୁ ଧୀର ଗଳାରେ ଅଶୋକ ପଚାରିଲେ,

: ଅପା ! ଖୁଡୀ କାହିଁକି ବାଆଁ ହାତରେ ଖାଉଛନ୍ତି ? ତାଙ୍କ ଡାହାଣ ହାତ କ’ଣ ଏ ଯାଏଁ ଭଲ ହୋଇନି ?

ଅପା ଖାଲି ଟିକିଏ ମୁରୁକି ହସି ତାଙ୍କ ହାତ ଧରି ଟିକିଏ ଦୂରକୁ ନେଇ କହିଲେ,

: ଯୋଉଦିନ ଗୋପାଳ କହିବ, “ବୋଉ ! ବାଆଁ ହାତରେ କାହିଁକି ଖାଉଛୁ ? ଡାହାଣ ହାତରେ ଖାଆ...”। ତେବେ ଯାଇ ସେ ଡାହାଣ ହାତରେ ଖାଇବେ ।

ଅଶୋକଙ୍କ ମୁଣ୍ଡ ଗୋଳମାଳ ହୋଇଗଲା । ସେ କଥାରୁ କାଣିଚାଏ ବି ତାଙ୍କ ମୁଣ୍ଡରେ ପଶିଲାନି । ହତବାକ୍ ହୋଇ ଏଡେ ଏଡେ ଆଖି କରି ପଚାରିଲେ,

: କାହିଁକି ?

: ପୁଅ ହେବ ବୋଲି ନୂଆବୋଉ (ଗୋପାଳର ବୋଉ) ଠାକୁରଙ୍କ ପାଖରେ ମନାସି ଥିଲା, ଯଦି ପୁଅଟିଏ ହେବ, ତା’ହେଲେ ସେ ବାଆଁ ହାତରେ ଖାଇବ । ଯେ ପର୍ଯ୍ୟନ୍ତ ସେ ପୁଅ ବଡ ହୋଇ ତା’କୁ ବାରଣ ନ କରିଛି, ସେ ସେମିତି ବାଆଁ ହାତରେ ଖାଉଥିବେ ।


ବାପରେ... ତାଙ୍କର ମୁଣ୍ଡ ଆହୁରି ଗୋଳମାଳିଆ ହୋଇଗଲା । ତା’ ମାନେ ଗୋପାଳ ଜନ୍ମ ହେବା ଠାରୁ ଆଜି ଯାଏଁ ସେ କଷ୍ଟ କରି ଚାଲିଛନ୍ତି । ଗୋପାଳ ତ ଏବେ କଥା କହିଲାଣି । ତାଙ୍କୁ ମନା କାହିଁକି କରୁନି ? କେତେ ଦିନ ଯାଏ ଖୁଡୀ ଏମିତି ବାଆଁ ହାତରେ ଖାଉଥିବେ ? ପୁଅ ପାଇଁ ଏତେ କଷ୍ଟ ? ସେ ପୁଅ ବଡ ହେଲେ କ’ଣ ସେ କଥା ତା’ର ମନେ ଥିବ ? ଏମିତି ଅନେକ ପ୍ରଶ୍ନ ନେଇ ସେ ଦିନ ସେ ଘରକୁ ଫେରିଥିଲେ ।

***           ***           ***

ୟା ଭିତରେ ଅନେକ ବର୍ଷ ବିତି ଗଲାଣି । ସେ ଦିନ ହଷ୍ଟେଲରୁ ଫେରିଥାନ୍ତି ଅଶୋକ । ପଡିଶା ଘର ଗୋପାଳ ବୋଉ ଖୁଡୀଙ୍କ କାନ୍ଦଣା ଶୁଣାଗଲା । କାନ୍ଦଣା ସାଙ୍ଗରେ କାହାର ପାଟି ବି ଶୁଣା ଗଲା । ଠିକରେ ଜାଣି ହେଉ ନ ଥାଏ । ବୋଉଙ୍କୁ ପଚାରିଲେ,

 : ବୋଉ ! ଗୋପାଳ ବୋଉ ଖୁଡୀଙ୍କ କାନ୍ଦ ଭଳି ଶୁଣା ଯାଉଛି ।

: ତୁ ଖାଆ । ସେଥିରେ ତୋ’ର ମୁଣ୍ଡ ଖେଳାଇବା ଦରକାର ନାହିଁ ।

: କଥା କ’ଣ ? ତମେ ମାନେ ଜାଣିଛ ?

: ହଁ...

: ଯାଇ ଟିକେ ଦେଖି ଆସୁନ । କାହିଁକି କାନ୍ଦୁଛନ୍ତି ?

: ଦିନେ ହେଲେ ସିନା ଦେଖିବୁ । ରୋଜ୍ ରୋଜ୍ ତ ପାଲା ଲାଗିଛି ।

: କ’ଣ ହୋଇଛି ତାଙ୍କର ?

: ଆଗେ ବୋପା ପିଟୁଥିଲା । ଏବେ ପୁଅ...

: ଖୁଡୀଙ୍କୁ ଗୋପାଳ ବାଡୋଉଛି ? ଅବିଶ୍ୱାସ କଣ୍ଠରେ ପଚାରିଲେ ଅଶୋକ ।

: ତୁ ଖାଆ । ତାଙ୍କ କଥାରେ ବେଶି ମୁଣ୍ଡ ଖେଳାନି ।

ଭଲ ଲାଗିଲାନି ଅଶୋକଙ୍କୁ । ତରବର ହୋଇ ଖିଆ ଶେଷ କରି ଗୋପାଳ ଘର ଆଡକୁ ଚାଲି ଆସିଲେ । ତାଙ୍କୁ ଦେଖି ଗୋପାଳ ଭିତରକୁ ପଶିଗଲା । ଖୁଡୀ ତଳେ ପଡି ଭୋ ଭୋ ହୋଇ କାନ୍ଦୁଥାନ୍ତି । ପାଖରେ ଆଉ ଜଣେ ଦୁଇ ଜଣ ସ୍ତ୍ରୀ ଲୋକ ଠିଆ ହୋଇଥାନ୍ତି । ନାଁ କେହି ତାଙ୍କୁ ଉଠୋଉଥାନ୍ତି, ନାଁ ତାଙ୍କୁ ସାନ୍ତ୍ୱନା ଦେଉଥାନ୍ତି । ସମସ୍ତଙ୍କ ମୁହଁରେ ଅସହାୟତାର ଚିହ୍ନ । ହଠାତ୍ ଖୁଡୀଙ୍କ ନଜର ତାଙ୍କ ଉପରେ ପଡିଗଲା । ସମ୍ଭାଳି ନ ପାରି ମୁହଁରେ କାନି ଘୋଡେଇ ଦେଲେ । ଚୁପ୍ ହୋଇ ଯିବାକୁ ଚେଷ୍ଟା କଲେ । କିନ୍ତୁ ଧକେଇବାର ଅବସ୍ଥାଟା ଲୁଗା ଭିତରୁ ବି ବାରି ହୋଇ ପଡୁଥିଲା । ଅନେକ ବେଳୁ ବୋଧହୁଏ କାନ୍ଦୁଥିଲେ । ପାଖକୁ ଯିବେ ନା ନାହିଁ ଚିନ୍ତା କରି ପାରିଲେନି ଅଶୋକ । ପିଲାଦିନେ ଅନେକ ଥର ତାଙ୍କ ଘରକୁ ଯାଇଛନ୍ତି । ଏବେ ତ ସେ ବଡ ହୋଇଗଲେଣି । ଏ ଅବସ୍ଥାରେ ସ୍ତ୍ରୀ ଲୋକଙ୍କ ପାଖକୁ ଯାଇ ତାଙ୍କ ନିଜସ୍ୱ ମାମଲାରେ ଦଖଲ ଦେବା ଠିକ୍ ହେବ ନା ନାହିଁ, ଚିନ୍ତା କରୁ କରୁ ସାନ ଭଉଣୀ ଆସି ଡାକିଲା,

: ଭାଇ ! ଘରକୁ ଚାଲ୍ । ବୋଉ ଡାକୁଛି ।

ଫେରି ଆସିଲେ ସିନା, ମନଟା କିନ୍ତୁ ସେଇଠି ଅଟକି ଗଲା । ରାତିରେ ଶୋଇବାବେଳକୁ ପିଲାଦିନର ସେ ଦୃଶ୍ୟ ଆଖି ଆଗରେ ନାଚିଗଲା । ଏଇ ପୁଅ ପାଇବା ଆଶାରେ ଖୁଡୀ ଠାକୁରଙ୍କ ଆଗରେ କ’ଣ କ’ଣ ମନାସି ଥିଲେ । ଛାତି ଥରାଇ ଦୀର୍ଘ ନିଃଶ୍ୱାସଟା ପଳାଇ ଆସିଲା ।


ପରଦିନ ସକାଳୁ ସକାଳୁ ଫେରି ଆସିଲେ ହଷ୍ଟେଲକୁ । ତା’ପରେ ପାଠ ପଢା... କଲେଜ୍... ପରୀକ୍ଷା... ଇଣ୍ଟରଭିୟୁ... ଗୋଟିଏ ପରେ ଗୋଟିଏ ସିଡି ଅତିକ୍ରମ କରି କେବେ ଯେ ଚାକିରି ଜୀବନର ଦୀର୍ଘ ପନ୍ଦର ବର୍ଷ କାଟିଦେଲେ ହିସାବ ରଖି ନାହାନ୍ତି । ଏଇ ଦୀର୍ଘ କୋଡିଏ ବର୍ଷ ଭିତରେ କେବେ ଗୋପାଳ କଥା କିମ୍ବା ଖୁଡୀ କଥା ମନେ ପକାଇଛନ୍ତି, ତା’ର ହିସାବ ତାଙ୍କ ପାଖରେ ନାହିଁ । ସେମାନଙ୍କ ଉପସ୍ଥିତି କିମ୍ବା ଅନୁପସ୍ଥିତିର ପ୍ରଭାବ ତାଙ୍କ ଉପରେ କିଛି ବି ନଥିଲା । ଖାଲି ଯାହା ପଡିଶାଘର ହିସାବରେ ପିଲାଦିନର କିଛି ଯିବା ଆସିବା ଥିଲା । ଜୀବନ ସାରା ଗାଆଁ ବାହାରେ ଅଧିକାଂଶ ସମୟ କଟିଯାଇଛି । କେତେବେଳେ ହଷ୍ଟେଲରେ ତ କେତେବେଳେ ଭଡାଘରେ । ଅବା ଆଉ କେତେବେଳେ ସରକାରୀ କ୍ୱାର୍ଟର୍ସରେ । ଯଦି ବା କେବେ କେବେ ଗାଆଁକୁ ଆସିଛନ୍ତି, ଗୋପାଳ କିମ୍ବା ଖୁଡୀଙ୍କ ସହ ଦେଖା ବି ହୋଇ ନ ଥାଏ । ଏମିତି ଦଶହରା ସମୟରେ ଆସିଥାନ୍ତି । ଟିକିଏ ବେଶି ଛୁଟି ମଞ୍ଜୁର ହୋଇଯାଇଥିବାରୁ ମନଟା ବେଶ୍ ଖୁସି ଥାଏ । ଘରକୁ ମଧ୍ୟ ଅନ୍ୟ ଭାଇ ଭଉଣୀମାନେ ଆସିଥିଲେ । ହସ ଖୁସିରେ ଦିନଗୁଡିକ କଟି ଯାଉଥାଏ । ଆଠ ଦିନ ଛୁଟିରୁ ସାତ ଦିନ କେତେ ଜଲଦି କଟିଗଲା ଜାଣି ପାରିଲେନି । ବାପା ଥିଲେ ଆଉ ଟିକେ ଖୁସି ଲାଗିଥାନ୍ତା । କିନ୍ତୁ ସେ ଦଶ ବର୍ଷ ହେଲା ଚାଲିଗଲେଣି । ବାପାଙ୍କ ବିୟୋଗର ଦୁଃଖଟା ପ୍ରାୟ ସମସ୍ତେ ଭୁଲି ଗଲେଣି । କାଲି ସକାଳୁ ଯିବାକୁ ପଡିବ । ପାଖ ପଡିଶାର ବୁଢା ଆଉ ବୁଢୀ ଲୋକଙ୍କ କଥା ବୋଉକୁ ପଚାରୁ ପଚାରୁ ଗୋପାଳ ବୋଉ ଖୁଡୀଙ୍କ କଥା ମନେ ପଡିଲା ତାଙ୍କର ।

: ଆଚ୍ଛା ବୋଉ ! ଗୋପାଳ ବୋଉ ଖୁଡୀଙ୍କ ଖବର କ’ଣ ?

: ସେଇଟା ଗୋଟେ ଜନମ ଦୁଃଖିନୀ । କି ଭାଗ୍ୟ ନେଇ ଆସିଥିଲା କେଜାଣି ?

: କ’ଣ ହେଲା ତାଙ୍କର ?

: ଆଗେ ବୋପା ପିଟୁଥିଲା । ପରେ ବୋପାଠୁ ଶିଖି କରି ପୁଅ ବି ପିଟିଲା ।

: ଆରେ... ସିଏ ତ ଖୁବ୍ ଭଲ । ତାଙ୍କୁ ଏମାନେ ପିଟନ୍ତି କାହିଁକି ?

: ପ୍ରକୃତିଛଡା । ଏଗୁଡାକ ପଶୁ ଠାରୁ ବି ହୀନ । ବାହାଦୁରିଆ... ଦୁନିଆକୁ ଜଣେଇବେ ତାଙ୍କ ମରଦପଣିଆ କେତେ ।

: ଏବେ କ’ଣ କରୁଛନ୍ତି ?

: ହାତ ଗୋଡ ମୋଡି ହେଇକରି ପଡିଛି । ଉଠି ପାରୁନି । ଆଗେ ବେଳେବେଳେ ସେ ବାପ ପୁଅଙ୍କୁ ଲୁଚି ଲୁଚି ଆମ ଘରକୁ ଆସୁଥିଲା । ଏବେ ଆଉ ଆସି ପାରୁନି । ଶୁଣିଲି ଆଉ ଉଠି ପାରୁନି । ଧନ୍ୟ ସେ ପୁଅ । ମାଆକୁ ଅନାଉନି । ପଇସା ଖର୍ଚ୍ଚ ହୋଇଯିବ ବୋଲି ଔଷଧ ଟିକିଏ ବି ଆଣି ଦେଉନି । ଏମିତି ଅବସ୍ଥାରେ ଆଉ କେତେ ଦିନ ବଞ୍ଚିବ କେଜାଣି ?


ଓଃ... ହୋ... ଭଗବାନ... ବୋଉର ଏ କଥାତକ ଶୁଣି କାହିଁକି କେଜାଣି ଅଶୋକଙ୍କୁ ଭାରି କଷ୍ଟ ହେଲା । ଆଖି ଆଗରେ ପୁଣି ନାଚି ଉଠିଲା ପିଲାଦିନର ସେହି ଦୃଶ୍ୟ । କାନ ପରଦା ଭିତରେ ମନ୍ଦିରର ଘଣ୍ଟି ବାଜିଲା ଭଳି ଢାଇଁ ଢାଇଁ ଶବ୍ଦ ଶୁଣାଗଲା । ପିଲାଦିନର ସେଇ ପ୍ରଶ୍ନ ପୁଣି ତାଙ୍କ ମନକୁ ଆନ୍ଦୋଳିତ କରୁଥାଏ । ବାରମ୍ବାର ସେଇ ଗୋଟାଏ ପ୍ରଶ୍ନ । ପୁଅଟିଏ ପାଇବାକୁ ମାଆମାନେ କ’ଣ ଯେ ନ କରନ୍ତି ? କିନ୍ତୁ କାହିଁକି ? ପୁତ୍ ନର୍କରୁ ଉଦ୍ଧାର ପାଇବା ପାଇଁ ? ଯିଏ ବଞ୍ଚି ଥାଉ ଥାଉ ମାଆକୁ ଏଭଳି ନରକ ଦୁର୍ଦ୍ଦଶା ଦେଉଛି ସେ କି ଉଦ୍ଧାର କରିବ ?



Rate this content
Log in

Similar oriya story from Tragedy