Bijayalaxmi Das

Tragedy Inspirational

4.5  

Bijayalaxmi Das

Tragedy Inspirational

ପୁତ୍ରଧର୍ମ

ପୁତ୍ରଧର୍ମ

7 mins
233


ବୋଉକୁ ସ୍ୱର୍ଗଦ୍ୱାରରେ ଦାହ କରିବାକୁ ଗାଡ଼ିରେ ନେବା ବେଳକୁ ଚନ୍ଦନ ଆଖିରୁ ଲୁହର ଝରଣା ବୋହି ଚାଲିଲା। ବୋଉର ଗୋଡକୁ ଜାବୁଡି ଧରି ଭେଁ ଭେଁ କରି କାନ୍ଦୁଥିଲା ଚନ୍ଦୁ। ପୁରୀ ଯାଇ ବୋଉ ମୁହଁରେ ମୁଖାଗ୍ନି ଦେଲାବେଳେ ବୋଉ ମୁହଁକୁ ଅନାଇ କହିଲା-- ବୋଉଲୋ, କିଛି କରିପାରିଲିନି ମୁଁ ତୋର। ହୁତୁହୁତୁ ହୋଇ ଜଳୁଥିବା ନିଆଁକୁ ଅନାଇ ପଛକଥା ସବୁ ମନେ ପଡ଼ିଯାଉଥିଲା ଚନ୍ଦୁର।

ବୋଉର ଚନ୍ଦୁ, ଆଜି ଚନ୍ଦନ ମହାପାତ୍ର। ଲଣ୍ଡନର ଏକ ବଡ଼କମ୍ପାନୀର ପଦସ୍ଥ ଅଧିକାରୀ। ଭାରତର ୪-୫ଟା କମ୍ପାନୀର ହେଡ୍। ପ‌ଇସା ଅପର୍ଯ୍ୟାପ୍ତ, ଲଣ୍ଡନରେ ବିରାଟ ଘର। କିନ୍ତୁ ଆଜି ସବୁ ଥାଇ ବି ଶୂନ୍ୟ ଅନୁଭବ କରୁଛି ଚନ୍ଦୁ। ବୋଉ ରୁମକୁ ଯାଇ ସେଇ ଖଟକୁ ଅନାଇ ରହିଲା ଯେଉଁଠି ସେ ବୋଉ କୋଳରେ ପରମ ଶାନ୍ତିରେ ଶୋଇଯାଏ । ଆଖି ବୁଜିଲେ ଖାଲି ବୋଉର ଡାକ ବାଜିଯାଉଛି କାନରେ ତା'ର।

କେତେ ବିକଳ ହେଇ କୁହେ-- "ଚନ୍ଦୁରେ... ବାପା ଆସିବା ସମୟ ହୋଇଗଲାଣି। ଖାଇ ଦେଇ ବହି ଧରି ବସିପଡ। ରାଗିକି ଏଇନେ ବାଡ଼େଇ ଦେଇ ଯିବେ।" ବୋଉ ଏମିତି ମିଛିମିଛିକା ବହିଟା ଧରି ବସିବା ପାଇଁ ଚନ୍ଦୁକୁ କୁହେ। କାରଣ ତା' ମାଡ଼ ଖାଇବା ଦେଖିଲେ ସହିପାରେନି ବୋଉ। ଅନେକ ଥର ବଞ୍ଚିଯାଇଛି ମାଡରୁ କେବଳ ବୋଉ ପାଇଁ। ସ୍କୁଲ୍ ନଯାଇ ଲୁଚିକି ଗାଁ ପୋଖରୀରେ ଏମୁଣ୍ଡରୁ ସେ ମୁଣ୍ଡ ପହଁରି ସାରି ଘରକୁ ଫେରେ। ଆଉ କେତେବେଳେ ଗିଲିଦଣ୍ଡା ତ କେତେବେଳେ ବାଟି ଖେଳେ ଆର ସାଇ ପିଲାଙ୍କ ସାଙ୍ଗରେ। ଧୂଳି ଧୂସର ହୋଇ ଘରକୁ ଫେରେ। ଆଉ କେତେବେଳେ କାହା ସାଙ୍ଗରେ ମାଡ଼ଗୋଳ କରି ଆସିଥାଏ। ବୋଉର ବାପାଙ୍କୁ ବହେ ଡର। ବିକଳରେ କାନ୍ଦୁଣୁ ମାନ୍ଦୁଣୁ ହୋଇ କୁହେ,"ଚନ୍ଦୁରେ ଗୋଡ଼ ହାତ ଧୋଇ ବହିଧରି ବସିପଡ। ନହେଲେ ବାପା ଅମରୀ ଡାଙ୍ଗ ଖଣ୍ଡେ ଆଣି ବାଡ଼େଇ ଦେଇଯିବେ।" କେଜାଣି ବାପା କେମିତି ଜାଣିଦିଅନ୍ତି। ତାକୁ ଦେଖି ଡାଙ୍ଗ ଖଣ୍ଡେ ଗଛରୁ ଭାଙ୍ଗି ଆଣି ନିର୍ଦ୍ଧୁମ ମାଡ଼ ମାରନ୍ତି। ତା'ପରେ ବୋଉ ଖାଲି ସୁଁ ସୁଁ ହୋଇ କାନ୍ଦେ। ମନଦୁଃଖରେ ଆଉ ଖାଏନା ବୋଉ। ଚନ୍ଦୁର ଭାରି ଅଭିମାନ ହୁଏ ବାପାଙ୍କ ଉପରେ। ବାପା ତାକୁ ବାଡ଼େଇବାରୁ ସିନା ବୋଉ ଉପାସ ରହୁଛି। ଦିନେ ଦିନେ ତା' ପିଠି ସବୁ ନୋଳା ଫାଟି ରକ୍ତାକ୍ତ ହୋଇ ଯାଇଥାଏ। ପିଠିରେ ମଲମ ମାରି ମାରି ବୋଉ ତାକୁ ବୁଝାଏ-- ଚନ୍ଦୁରେ,ପାଠ ନପଢିଲେ କରିବୁ କ'ଣ... ବାପା ତ କେତେ କଷ୍ଟରେ ଧାରକରଜ କରି ନାନୀକୁ ବାହାଘର କରିଛନ୍ତିି। ସେଇ ପ‌ଇସା ଆଜିଯାଏଁ ଶୁଝାହେଇନି। ତୁ ପାରିବାର ହେଇଗଲେ ଆମ ଦୁଃଖ ଘୁଞ୍ଚିବ । 

ବାପା ତାକୁ ରାଗିକି ବାଡ଼େଇ ଦିଅନ୍ତି ସିନା, ଶାନ୍ତିରେ କ'ଣ ବସିପାରନ୍ତି ନା ଶୋଇପାରନ୍ତି। ଆଖି ବୁଜି କପାଳରେ ହାତ ଦେଇ ଦ‌ଉଡିଆ ଖଟ ଉପରେ ସିଧା ହୋଇ ପଡ଼ି ଯାଆନ୍ତି। କେତେବେଳେ ଗାଁ ମୁଣ୍ଡ ନ‌ଈକୂଳ ଆଡ଼େ ଚାଲିଯାଆନ୍ତି ତ ଆଉ କେତେବେଳେ ଅସହାୟ ହୋଇ ବସିଥାନ୍ତି ଦାଣ୍ଡଦୁଆରରେ ମୁଣ୍ଡରେ ହାତ ଦେଇ। ବିକଳ ହୋଇ ଗାଁର ଭଲ ପିଲାଙ୍କୁ କୁହନ୍ତି,"ଚନ୍ଦୁକୁ ସାଙ୍ଗରେ ନେଇ ମିଶିକରି ପଢ଼ାପଢ଼ି କରିବାକୁ। କାଳେ ପୁଅଟା ଭଲ ପିଲାଙ୍କ ସାଙ୍ଗରେ ମିଶି ବାଗେଇଯିବ। କିନ୍ତୁ ସେମାନେ ତ ଭଲ ପଢନ୍ତି। ଚନ୍ଦୁ ସାଙ୍ଗରେ ମିଶନ୍ତି ନାହିଁ। 

ବାପାଙ୍କର ଗାଁରେ ଛୋଟ ତେଜରାତି ଦୋକାନଟିଏ ଥିଲା। କେତେ ବା ପ‌ଇସା ପାଉଥିଲେ। ଗାଁରେ କିଛି ଜମିବାଡ଼ି ଥିଲା। ମୁଗ,ବିରି, ଚାଉଳ ଯାହା ଆମଦାନୀ ହେଉଥିଲା ବୋଉ ସେଇଥିରେ ଘର ଚଳାଇନିଏ। ଆଉ ଯାହା ବଳକିଯାଏ ବିକି ଭାଙ୍ଗି କରି ପ‌ଇସା ସଞ୍ଚିରଖିଥାଏ। ଦରକାର ବେଳେ ବାପାଙ୍କ ହାତକୁ ପ‌ଇସା ବଢାଇ ଦିଏ। ଅନ୍ଧାର ଥାଇ ଉଠିପଡ଼ି ବୋଉ ବାରିଘର ଓଳାଏ, ବାସନକୁସନ ମାଜେ, ଗୁହାଳ-ଗୋବର କରେ, ଘଷିପାରେ। ତା'ପରେ ଗାଧେଇ ପାଧେଇ ଠାକୁର ପୂଜା ସାରି ନାଲି ଚାହା, ମୁଢ଼ି ଗଣ୍ଡେ ତାଟିଆରେ ବାପାଙ୍କ ପାଇଁ ଥୋଇ ଦେଇ ଭାତ, ତରକାରୀ ବସାଇ ବାକୁ ରୋଷେଇ ଘରେ ପଶିଯାଏ। ରୁନୁ ନାନୀ ତା' ପଢ଼ାରେ ଲାଗିଥାଏ। ଭଲ ପଢେ ବୋଲି ନାନୀକୁ କାମ ବତାଏନି ବୋଉ, ମରିପଡି ସେମିତି କାମ କରୁଥାଏ। ବାପା ନାନୀକୁ ଭାରି ଭଲ ପାଆନ୍ତି। ଗାଁ ସ୍କୁଲରେ ଆଉ ଆଗକୁ ଶ୍ରେଣୀ ଅଧିକ ନଥିଲା। ନାନୀ ତେଣୁ ଗାଁ ପାଖରେ ଥିବା ଛୋଟ ସହରକୁ ପଢ଼ିବାକୁ ଗଲା। ଗ୍ରାଜୁଏଟ୍ ପାସ୍ କଲାପରେ ନାନୀ ପାଇଁ ବାହାଘର ପ୍ରସ୍ତାବ ସବୁ ଆସିବାକୁ ଲାଗିଲା। ନାନୀ ଦେଖିବାକୁ ଖୁବ୍ ସୁନ୍ଦର ଥିଲା। ତେଣୁ ଭଲ ଘର, ବ୍ୟାଙ୍କ ଚାକିରିଆ ବର ନାନୀକୁ ମିଳିଗଲା। ବାପାଙ୍କ ଛାତି ଖୁସିରେ କୁଣ୍ଢେମୋଟ ହୋଇଗଲା।ବାହାହୋଇ ନାନୀ ଚାଲିଗଲା ତା' ଶାଶୁ ଘର।

ନାନୀ ଚାଲିଗଲା ସିନା, ବୋଉ କିନ୍ତୁ ଆହୁରି ଜାକିଜୁକି ହୋଇ ଘର ଚଳାଇଲା। ଯାହା ସଞ୍ଚିଥିଲା ସବୁ ବାପାଙ୍କ ହାତକୁ ବଢାଇଦେଇଥିଲା ନାନୀ ବାହାଘର ପାଇଁ। ବହୁତ କଷ୍ଟେମଷ୍ଟେ ଘର ଚଳ‌ଉଥିଲା ବୋଉ। ବେଳେ ବେଳେ ଭଲ ଖାଇବା ହୋଇ ନଥିବାରୁ ଚନ୍ଦୁ ପାଟିକୁ ଗୁଣ୍ଡା ଚଳୁନଥିଲା। ବାପା ମୁଣ୍ଡରେ ହାତ ଦେଇ କ'ଣ ସବୁ ଭାବୁଥାନ୍ତି। ବୋଉର ହାତ ଗୋଡ ସକାଳୁ ସଞ୍ଜ ଯାଏଁ ଚାଲୁଥାଏ, କିନ୍ତୁ ମୁହଁ ଶୁଖିଯାଇଥାଏ। ବୋଉର ଶୁଖିଲା ମୁହଁକୁ ଅନାଇ ଚନ୍ଦୁ କିଛି ଅଳି କରେନା। ସେ‌ମିତି ଉପାସ ଭୋକରେ ଶୋଇ ପଡେ। ବାପା ବୋଉକୁ ଆସି ପଚାରିବାର ଶୁଣେ-- ଚନ୍ଦୁ ଖାଇକି ଶୋଇଛି ? ବୋଉ କୁହେ, "ନାଁ... ଖାଇବାକୁ ଇଛା ନାହିଁ କହି ଶୋଇପଡ଼ିଲା। ବାପା କିନ୍ତୁ ଚନ୍ଦୁକୁ ଡାକି ସାଙ୍ଗରେ ବସାଇ ଖୁଆନ୍ତି। ନାନୀ ମନରେ ଦୁଃଖ ହେବ କାଳେ ସେଥିପାଇଁ ଘରର ଅଭାବ ଅସୁବିଧା କଥା କେହି ଜଣାନ୍ତିନି ନାନୀକୁ।

 ବାଙ୍ଗାଲୋରରୁ ୧୦-୧୫ଦିନ ପାଇଁ ଘରକୁ ବୁଲିବାକୁ ଆସିଥାଏ ରୁନୁ ନାନୀ। ଘରକଥା ସବୁ ଦେଖି ଦେଖି ନାନୀ ଜାଣିଗଲା। କଥାରେ ଅଛି-- 'ନାରୀର ଆଖି କଷଟି ପଥର'। ନାନୀ କହିଲା --  

 --ମୋତେ ବାହାଘର ଦେଇ ତମେ ସବୁ ତ କଷ୍ଟରେ ଚଳୁଛ ।ମୁଁ କ'ଣ ବାଙ୍ଗାଲୋରରେ ଯାଇ ଖୁସିରେ ରହିପାରିବି। ଚନ୍ଦୁକୁ ମୁଁ ନେଇ ଯାଉଛି ସାଙ୍ଗରେ। ସେଇଠି ମୋ ପାଖରେ ବାଙ୍ଗାଲୋରରେ ରହି ପଢ଼ିବ। 

ସେତେବେଳକୁ ଚନ୍ଦୁ ଦଶମ ଶ୍ରେଣୀ ଫେଲ୍ ହୋଇ ଘରେ ବସିଥାଏ। ବାପାଙ୍କର ମୁଣ୍ଡଫଟା ଚିନ୍ତା... କ'ଣ କରିବ ଚନ୍ଦୁ। ତେଣୁ ଅପାର କଥାରେ ରାଜି ହୋଇ ବାପା, ବୋଉ ଚନ୍ଦୁକୁ ଯିବାକୁ ଦେଲେ ଅପା ସାଙ୍ଗରେ। ବୋଉ କାନ୍ଦି କାନ୍ଦି ଅଥୟ ହେଇଯାଇଥିଲା, ଚନ୍ଦୁର ନାନୀ ସାଙ୍ଗରେ ଯିବା ବେଳକୁ। ନାନୀ ବିଦା ହେଲାବେଳେ ବି ଏତେ କାନ୍ଦି ନଥିଲା ବୋଉ। କାରଣ ଚନ୍ଦୁ ଥିଲା ବୋଉର କୋଳପୋଛା ପୁଅ। ଛାତିରେ ପଥର ରଖି ବୋଉ ଛାଡିଥିଲା ଚନ୍ଦୁକୁ ନାନୀ ସାଙ୍ଗରେ ବାଙ୍ଗାଲୋର।

ବାଙ୍ଗାଲୋରରେ ଭଲ ସ୍କୁଲରେ ନାଁ ଲେଖାଇଦେଲେ ଭାଇନା। ରୁନୁ ନାନୀ ରାତି ରାତି ଅନିଦ୍ରା ରହି ଚନ୍ଦୁ ପାଇଁ ନୋଟ୍ ଲେଖେ। ପଢ଼ିବାବେଳେ ତା' ପାଖରେ ବସେ। ନାନୀର ଓ ତା ନିଜର ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ଦଶମ ଶ୍ରେଣୀରେ ୯୦% ରଖି ପାସ୍ କଲା ଚନ୍ଦୁ। ତା'ପରଠୁ ଚନ୍ଦୁ ଆଉ ପଛକୁ ଫେରି ଚାହିଁନି। ସାଇନ୍ସ ନେଇ ପଢି ସେଥିରେ ବି ଭଲ ମାର୍କ ରଖିଲା। ଇଞ୍ଜିନିୟରିଂ କରି ଭଲ କମ୍ପାନୀରେ ଚାକିରୀ ପାଇବା ପରେ ଗାଁକୁ ଦ‌ଉଡି ଆସିଥିଲା ବାପା, ବୋଉଙ୍କ ପାଖକୁ। ବୋଉ ତାକୁ ଧରି ରଡ଼ି ଛାଡ଼ି ଏମିତି କାନ୍ଦି ଥିଲା ଯେ ସାଇପଡିଶା ଆସି ଦୁଆର ମୁହଁରେ ଠିଆ ହୋଇଗଲେ। ଚନ୍ଦୁର ଚାକିରୀ ପାଇବା ଶୁଣି ସମସ୍ତଙ୍କର ଆଖି ଟେକିହୋଇଗଲା। ବାପା କୋହଭରା ସ୍ୱରରେ କହୁଥାନ୍ତି-- ଏଇ ଦିନ ଦେଖିବାକୁ ମୁଁ ଚାହୁଁଥିଲିରେ ଚନ୍ଦୁ।ଆଜି ମୁଁ ତୋ ପାଇଁ ଗର୍ବିତ। ସାଇ ପଡ଼ିଶା କହିଲେ-- ଏ ସବୁ ତା' ରୁନୁ ନାନୀ ପାଇଁ ସମ୍ଭବ ହୋଇଛି। ଚନ୍ଦୁ ବୁଝିଯାଇଥିଲା ବାପାଙ୍କ ଭିତରର ପୀଡାକୁ, କ'ଣ ପାଇଁ ବାପା ତାକୁ ଏତେ ବାଡ଼ାନ୍ତି ବୋଲି। ଆଉ ରୁନୁ ନାନୀ ହିଁ ତା ସଫଳତାର ଉତ୍ସ।

ଚାକିରୀ ପାଇବାର ୩ବର୍ଷ ପରେ ଚନ୍ଦୁର ବାହାଘର ପାଇଁ ବୋଉ ବ୍ୟସ୍ତ କଲା। ବଡ଼ ଚାକିରୀ, ଭଲ ପ‌ଇସା ସକାଶେ ବଡ଼ ଘରେ ଚନ୍ଦୁର ବାହାଘର ହେଲା। ବାହାଘର ପରେ ପତ୍ନୀ ଶିଖାର ଗୁଣ ଠିକ୍ ଚିହ୍ନି ଯାଇଥିଲା ଚନ୍ଦୁ। ବାପା, ବୋଉ ଓ ନାନୀ ପ୍ରତି ଭଲପାଇବା କି ଆନ୍ତରିକତା ନଥିଲା ଶିଖାର। ଶିଖା, ଚନ୍ଦୁ ସାମ୍ନାରେ ଗୋଟେ ପ୍ରକାର ପଛରେ ଆଉ ଗୋଟେ ପ୍ରକାର ବ୍ୟବହାର ଦେଖାଏ ବାପା, ବୋଉଙ୍କୁ। ଚନ୍ଦୁକୁ ବହୁତ ବାଧିଥିଲା ଶିଖାର ବ୍ଯବହାର ଯେତେବେଳେ ବାପା, ବୋଉ ତା ପାଖରେ ରହିବାକୁ ଆସିଥିଲେ ବାଙ୍ଗାଲୋର। ମର୍ଣ୍ଣିଂୱାକ୍ ରୁ ଫେରି ଜଳଖିଆ ଖାଇବାକୁ ବାପା ମାଗିବାରୁ ଶିଖା ଚନ୍ଦୁକୁ ବେଡ଼ରୁମରେ ଯାଇ କହିଲା-- ଏତେ ସକାଳୁ କିଏ କରିକି ଦେବ ଜଳଖିଆ ତମ ବାପାଙ୍କୁ ଯେ ? ବାପା ଶୁଣିଦେଲେ କି କ'ଣ। ଗାଁକୁ ଫେରିବାପରେ ଆଉ ବାଙ୍ଗାଲୋର ଆସିବା ନାଁ ଧରିଲେନି। ଗାଁକୁ ଚନ୍ଦୁ ଆସିଲେ ୭-୮ଦିନ ବୋଉ, ବାପାଙ୍କ ପାଖରେ ରହେ। ବୋଉ କୋଳରେ ମୁଣ୍ଡ ଗୁଞ୍ଜି ଶୁଏ। ଶିଖା ଯାହା ଶିଖାଇଲେ ତା କଥା ଜମା ଶୁଣେନା ଚନ୍ଦୁ। ସେତକ ଦିନ ଚନ୍ଦୁ ତା ନିଜ ଇଚ୍ଛାର ମାଲିକ ହୋଇଯାଏ। ବାପା,ବୋଉଙ୍କ ପାଇଁ ଗାଁରେ ସବୁ ପ୍ରକାର ସୁବିଧା କରିଦେଲା। ଟିଣ ଘର ଭାଙ୍ଗି ଛାତ ଘର କରିଦେଲା। ବାପା, ବୋଉଙ୍କ କଥା ବୁଝିବା ପାଇଁ ପାଖରେ ଥିବା ଲୋକଙ୍କୁ ପ୍ରତି ମାସରେ ଦରମା ଦେବାର ବ୍ୟବସ୍ଥା ବି କରିଦେଲା। ବୋଉ କହେ-- ଚନ୍ଦୁରେ, କାହିଁକି ଏତେ କରୁଛୁ ଖର୍ଚ୍ଚ ଆମ ପାଇଁ। କିଛି ଶୁଣେନି ଚନ୍ଦୁ। ତା ମନବୋଧ କରି ବାପା, ବୋଉଙ୍କ ପାଇଁ ଖର୍ଚ୍ଚ କରେ। ପୁଣି ଫେରିଯାଏ ତା' କର୍ମ ସ୍ଥାନ ବାଙ୍ଗାଲୋରକୁ।

କମ୍ପାନୀରେ ଭଲ କାମ କରୁଥିବାରୁ ଲଣ୍ଡନ ଯିବା ପାଇଁ ଚନ୍ଦୁକୁ ଅଫର୍ ଆସିଲା। ଚନ୍ଦୁ ବାପା, ବୋଉଙ୍କୁ ଛାଡି ଯିବନି ବୋଲି ମନାକରି ଦେବାରୁ ରୁନୁ ନାନୀ ରାଣ ନିୟମ ପକାଇ ଯିବାକୁ ବାଧ୍ୟ କଲା। କହିଲା - "ମୁଁ ତ ଅଛି। ବାପା, ବୋଉଙ୍କ କଥା ଚିନ୍ତା କରନି। କେତେ କଷ୍ଟ କରି ପାଠ ପଢାଇଛୁ ତୋତେ। ତୁ ଆଗକୁ ବଢ଼ିଲେ ଆମକୁ ଖୁସି ଲାଗିବ।" ନାନୀ କଥାରେ ଚନ୍ଦୁ ଲଣ୍ଡନ ଗଲା। ହେଲେ ସବୁବେଳେ ବାପା, ବୋଉଙ୍କ ପାଖରେ ଥାଏ ତା ମନ। 

ମନ ଥିଲେ କ'ଣ ହେବ। ଏତେ ବାଟରୁ କ'ଣ ଆଉ ଆସିବା ସମ୍ଭବ ହୁଏ। ବେଳେ ବେଳେ ରାତିରେ ଉପରକୁ ଅନାଇ ଗାଆଁ ଦାଣ୍ଡରେ ବିତାଇ ଥିବା ମୁହୂର୍ତ୍ତ, ବୋଉର ସ୍ନେହ ବୋଳା ପରଶ ସବୁକୁ ମନେପକାଇ ଦୁଃଖୀ ହୋଇଯାଏ। ପୁଣି ଗାଁକୁ ଫେରିଆସିବାକୁ ମନ ହୁଏ। କାମ, ପରିବାର ଏମିତି ହୋଇ ଦିନ ଗଡ଼ି ଚାଲେ। ଅଚାନକ ଦିନେ ବାପାଙ୍କର ଫୋନ୍ ଆସିଲା... ଆଉ ବେଶୀଦିନ ନୁହେଁରେ, ବୋଉ ତୋର ପଡ଼ି ରହିଛି ଯେ ଆଉ ଉଠୁନି ଶେଯରୁ। ଖାଲି ଚନ୍ଦୁ ଚନ୍ଦୁ ବୋଲି ଝୁରି ହେଉଛି। ବଡ଼ କଷ୍ଟ ପାଇଲାଣି ବୋଉ ଗୋଟିଏ ଜାଗାରେ ପଡ଼ି ପଡ଼ି। ଆଉ ମନ ଲାଗିଲାନି କେଉଁ କାମରେ ଚନ୍ଦୁର। ସେଇଠୁ ଟିକେଟ କାଟି ଶିଖାକୁ ଧରି ଗାଁରେ ଆସି ପହଞ୍ଚିଗଲା। ବାପା, ରୁନୁ ନାନୀ ଥିଲେ ପାଖରେ। କିନ୍ତୁ ସମସ୍ତଙ୍କୁ ଆଡ଼େଇ ଦେଇ ଚନ୍ଦୁ ଝାଡ଼ା,ପରିସ୍ରା ସବୁ ନିଜେ ସଫା କଲା। ବୋଉକୁ ନିଜ ହାତରେ ଖୁଆଇ ଦେଇ ପାଟି, ମୁହଁ ପୋଛିଦିଏ। ଶିଖା ସହାୟତାରେ ପ୍ରତିଦିନ ସଫା ଶାଢ଼ୀ ପିନ୍ଧାଇଦିଏ। ବୋଉକୁ କୋଳରେ ଜାକି ଶୋଇଯାଏ ଚନ୍ଦୁ, ଯେମିତି ଛୋଟ ବେଳେ ସେ ଶୋଉଥିଲା ବୋଉ କୋଳରେ ଠିକ୍ ସେହିପରି। ବୋଉ ତା' ଥର ଥର ହାତରେ ଆଉଁସି ଦେଉଥାଏ ଚନ୍ଦୁକୁ। ସେଇ କୋରଡ ଆଖିରୁ ଲୁହ ଖାଲି ଝର ହୋଇ ବୋହି ଯାଉଥାଏ ବୋଉର। 

ଏହିପରି ୧୫ଦିନ ଚନ୍ଦୁ ଦିନରାତି ସେବାଶୁଶ୍ରୃଷା କରି ଚାଲିଲା ବୋଉର। ହଠାତ୍ ଦିନେ ସକାଳୁ ଉଠି ଦେଖେ ତ, ତା' କୋଳରେ ବୋଉ ଶୋଇଛି ହେଲେ ପୂରା ଶରୀରଟା ନିସ୍ତେଜ ଲାଗୁଛି। ବୋଉ,ବୋଉ ବୋଲି ହଲାଇ କେତେ ଡାକିଲା। ହେଲେ ବୋଉ ଆଉ ଉଠିଲା ନାହିଁ। ପଛପଟେ ରୁନୁ ନାନୀ ତା କାନ୍ଧରେ ହାତ ପକାଇ କହିଲା-- ବୋଉ ଆମକୁ ଛାଡ଼ି ଚାଲିଗଲାରେ ଚନ୍ଦୁ... ତା'ପରେ ନାନୀ ଚନ୍ଦୁକୁ ଧରି ତୁହାକୁ ତୁହା କାନ୍ଦୁଥାଏ । ବାପା କାନ୍ଥକୁ ଆଉଜି ସେମିତି ଠିଆ ହୋଇଥାଆନ୍ତି। ସାଇପଡିଶା ଆସି କହୁଥାନ୍ତି, ଚନ୍ଦୁକୁ ଅନାଇ ରହିଥିଲେ ଚନ୍ଦୁ ବୋଉ। କେତେ ଶାନ୍ତିରେ ଆଖି ବୁଜିଲେ ଦେଖୁନ। ମୁହଁରେ ତାଙ୍କର ଯନ୍ତ୍ରଣାର ଚିହ୍ନ ବୋଲି ଟିକେ ନାହିଁ। ଭାଇନା ଗାଡ଼ି ଆଣି ବୋଉକୁ ପୁରୀ ନେବାର ଆୟୋଜନ କରିସାରିଥିଲେ। ସାଇ ଭାଇମାନେ 'ରାମ ନାମ ସତ୍ୟ, ହରିନାମ ସତ୍ୟ' କହି ବୋଉର ଶବକୁ ସତ୍କାର କରିବା ପାଇଁ ପୁରୀ ନେଇ ଆସିଲେ।

ନିଆଁ ଜଳୁଥିଲା ସେମିତି। ଚନ୍ଦୁ ଭିତରେ ଖାଲି ବୋଉର ଡାକ ଶୁଭୁଥିଲା। ଛାତି ଭିତର କରତି ହେଇଯାଉଥିଲା। କ'ଣ ବା କରିଛି ସେ ବୋଉର। ପେଟରେ ରହିବା ଦିନ ଠାରୁ ଆଜି ପର୍ଯ୍ୟନ୍ତ କେତେ କଷ୍ଟ ଯନ୍ତ୍ରଣା ଭୋଗିଛି ବୋଉ... ଦିନ ୧୫ଟାରେ ବୋଉର ସବୁ କଷ୍ଟ ଯନ୍ତ୍ରଣାର ମୂଲ୍ୟ କ'ଣ ସେ ଶୁଝିଦେଲା ! ଆଖିରୁ ଲୁହ ଖାଲି ବୋହିଯାଉଥାଏ ଚନ୍ଦୁର ।ପଛରୁ ବାପା କାନ୍ଧରେ ହାତ ରଖି ଡାକିଲେ, ଘରକୁ ଚାଲ୍ ବାପା। ବୋଉ କ'ଣ ଆଉ ଫେରିବ !! ତା' କର୍ମ ସାରି ସେ ବାହୁଡ଼ି ଗଲା। ବାପାଙ୍କ ହାତ କ'ଣ ହାତ ଭଳି ଲାଗୁଥିଲା ! କାଠ ପଥର ଭଳିଆ ଲାଗୁଥିଲା। ଖାଲି ମନ ବୁଝାଇବା ପାଇଁ ସାନ୍ତ୍ୱନା ଦେଉଥିଲେ ଚନ୍ଦୁକୁ। ବାପାଙ୍କ ହାତକୁ ଧରି କାନ୍ଦି କାନ୍ଦି ପୁଣି କହିଲା-- 'ମୁଁ କିଛି କରିପାରିଲିନି ବୋଉର'। ବାପା କିନ୍ତୁ ଆଉଁସି ଦେଇ କହିଲେ, ନାଇଁରେ ତୋ ଧର୍ମ ତୁ ଠିକ୍ ଭାବରେ କରିଛୁ। ବୋଉ ବଞ୍ଚିଥିବା ବେଳେ ତୋରି ଗୁଣ ଗାଉଥିଲା। କେତେ ସୁନ୍ଦର ଘର, ଲୋକ ଆମ ପାଇଁ ଚନ୍ଦୁ ଖଞ୍ଜାଇଦେଇଛି। କୋଉଠି ଟିକେ ଅସୁବିଧା ନାହିଁ ଚଳିବା ପାଇଁ। ଆମେ ତ ଚାହିଁଥିଲୁ ତୁ ଭଲ ମଣିଷ ହେଇ ଭଲ ଚାକିରୀ କର। ବୋଉର ଶେଷ ସମୟରେ ତା ସେବା ଯତ୍ନ କରି ପୁତ୍ରଧର୍ମକୁ ତୁ ସୁନ୍ଦର ଭାବରେ ନିଭାଇଛୁ। ସେ ପୁରରେ ଥାଇ ବୋଉର ଆତ୍ମା ଶାନ୍ତି ପାଇଥିବ।

        



Rate this content
Log in

Similar oriya story from Tragedy