ପୁସ୍ତକ ମେଳା
ପୁସ୍ତକ ମେଳା
ରିତାଞ୍ଜଳି ସାହୁ
ସ୍ମାର୍ଟଫୋନ୍ଟା ହାତରୁ ଖସିପଡ଼ିଲା ମନସ୍ୱିନୀର । ସେପଟୁ ଅତନୁଙ୍କ ‘ହ୍ୟାଲୋ’ ‘ହ୍ୟାଲୋ’ ଶୁଭୁଥିଲେ ବି ଆଉ ଧରିପାରି ନ ଥିଲା ଫୋନଟା ।
ଯେତେବେଳେ ସେ ଆଇ.ଏ. ପଢୁଥିଲା ଏମିତି ଲେଖୁଲେଖୁ ଲେଖିଦେଇଥିଲା କେତୋଟି କବିତା । ସେଇ ସବୁ କବିତାକୁ କଲେଜ ପୋଷ୍ଟ୍ ଅଫିସ୍ରେ ପକେଇଦେଇଥିଲା , ସେତେବଳକାର ପ୍ରମୁଖ ମ୍ୟାଗାଜିନ୍ମାନଙ୍କ ଠିକଣାରେ । ସାଙ୍ଗମାନେ ହସୁଥିଲେ ! ‘‘ଆରେ ମାନୁଟା ଗୋଟେ କବି ହୋଇଗଲାଣି । ’’ ତା’ ପରେ ପରେ ମାନୁ ପାଖରେ କେଇଖଣ୍ଡ କାର୍ଡ ଚିଠି ପହଞ୍ଚିଲା । ସବୁଜ କାଳିରେ ଲେଖା ଖୁବ୍ ସୁନ୍ଦର ଅକ୍ଷର । ସବା ଶେଷରେ ଇତି ତଳେ ଲେଖା ଥିଲା ‘ଅତନୁ’ । ଖୁସି ହୋଇଥିଲା ମାନୁ । ମନ ଭିତରେ କବିତାର ପାଠକଙ୍କୁ ଆଉ କବିତାକୁ ଭଲପାଇଲା ।
ଦିନେ ସେଇ ସବୁଜ କାଳି ଗୋଲ୍ ଅକ୍ଷରରେ ଭୁବନେଶ୍ୱର ପୁସ୍ତକ ମେଳାରେ ଯୋଗଦେବାକୁ ଅନୁରୋଧ ଜଣାଇଥିଲେ ଅତନୁ ।
କେନ୍ଦୁଝରରୁ ଭୁବନେଶ୍ୱର ଖୁବ୍ ଦୂର ବାଟ ଥିଲେ ବି ଯିବାକୁ ଇଚ୍ଛା କରିଥିଲା ମନସ୍ୱିନୀ । ଟ୍ରେନ୍ ନ ଥିଲା । ରାସ୍ତାର ଅବସ୍ଥା ଅତିଖରାପ । ତଥାପି ସେ ଭୁବନେଶ୍ୱରରେ ରହୁଥିବା ବଡ଼ ଭାଇଙ୍କ ପାଖେର ପହଞ୍ଚିଲା । ଇସ୍ , ସେଇ କେତୋଟି ଅକ୍ଷରର କି ଆକର୍ଷଣ !
ଭାଇ ତାକୁ ପୁସ୍ତକ ମେଳାରେ ଛାଡ଼ିଦେଇ ତାଙ୍କ କାମରେ ଚାଲି ଯାଇଥିଲେ । ମାନୁ ଷ୍ଟଲ୍ ପରେ ଷ୍ଟଲ୍ ବୁଲୁଥିଲା । କିଣିଥିଲା କେଇଟି ବହି । ତାକୁ ବସିପଡ଼ି ଓଲଟାଇବାରେ ଲାଗିପଡ଼ିଥିଲା । ସେତେବେଳେ ମୋବାଇଲ୍ ଫୋନ୍ର ଏତେଟା ବ୍ୟବହାର ନ ଥିଲା। ଲ୍ୟାଣ୍ଡଫୋନରେ ହିଁ ଯୋଗାଯୋଗ । ଅତନୁଙ୍କୁ ସେ ଚିହ୍ନିପାରି ନ ଥିଲା ଆଉ ଦୀର୍ଘ ସମୟ ସେଠି ରହି କବିତା ଆସରରେ କବିତାଟିଏ ପଢ଼ି ଫେରିଆସିଥିଲା ଘରକୁ ।
ତା’ପରେ ସଂସାର ଜଞ୍ଜାଳ ଭିତରେ ଲେଖାଲେଖିରେ ଭଟ୍ଟା ପଡ଼ି ଆସିଥିଲା । ତଥାପି ଲେଖି ଚାଲିଥିଲା ସେ । ହଠାତ୍ କୋଡ଼ିଏ ବର୍ଷ ପରେ ଫୋନରେ ଭାସିଆସିଲା , ‘‘ମୁଁ ଅତନୁ କହୁଛି ।’’ ସ୍ୱାଭାବିକ ଭାବରେ କଥା ହୋଇଥିଲା ମାନୁ । ଆଉ ତା’ପରେ କବିତା କଥା ଗଳ୍ପ କଥା ଭିତରେ ମାନୁ ପଚାରିଦେଇଥିଲା , ‘‘ଆପଣଙ୍କ ପିଲାମାନେ କ’ଣ ପଢୁଛନ୍ତି ?’’ ସେ ପଟୁ ଉତ୍ତର ଆସିଥିଲା , ‘‘ମୁଁ ସେଦିନ ତମକୁ ପାଗଳ ପରି ଖୋଜି ବୁଲିଲି , ହେଲେ ପାଇଲି ନାହିଁ । ଆଉ କ’ଣ ପାଇଁ କେଜାଣି ଗଳ୍ପ , କବିତା ଲେଖୁଥିବା ଝିଅଟିଏ ଖୋଜିଖୋଜି ଏ ଅତିକ୍ରାନ୍ତ ବୟସେର ବି ସେ ସୁନ୍ଦର ମନଛୁଆଁ ଅକ୍ଷର ଆଉ କବିତା ଖୋଜୁଛି ପ୍ରତି ବର୍ଷ ପୁସ୍ତକ ମେଳାରେ !’’ ମାନୁ ହାତରୁ ପଡ଼ି ଫୋନଟା ଭାଙ୍ଗିଗଲା ବୋଧହୁଏ !