STORYMIRROR

Kalyani Nanda

Tragedy Others

4  

Kalyani Nanda

Tragedy Others

ପୁଷ୍ପା ର ହସ

ପୁଷ୍ପା ର ହସ

2 mins
618

ପୁଷ୍ପା ଗାଧୋଇ ସାରି ବାଥ୍ ରୁମରୁ ବାହାରି ଆସିଲା ବେଳକୁ ହଠାତ୍ କାନରେ ଜୋରରେ , କିଛି ଲୋକ କଣ ସବୁ କହୁଥିବାର ଶୁଭିଲା । ପ୍ରଥମେ ତ କିଛି ବୁଝି ପାରିଲାନି । କାରଣ ତାଙ୍କ ବସ୍ତିରେ ଏମିତି ବେଶି ଲୋକଙ୍କ ଏକା ସଂଗରେ କଥା କହି ଆସିବା ସେ ଜାଣିନି ।କୌତୁହଳ ମନେହୁଏ ତାକୁ ବାଲକୋନି ଆଡକୁ ଟାଣି ନେଇ ଗଲା। ବାଲକୋନି ରେ ଯାଇ ଦେଖିଲା ,ଦୂରରୁ କିଛି ଲୋକ ହାତରେ ପ୍ଲା କାର୍ଡ ନେଇ ତାଙ୍କ ବସ୍ତି ଆଡକୁ ଆସୁଛନ୍ତି । ପୁରୁଷ ଲୋକ କମ ଅଛନ୍ତି । ଆଉ ସ୍ତ୍ରୀ ଲୋକଙ୍କ ସଂଖ୍ଯା ବେଶି । ସେମାନେ ପାଖକୁ ଆସିବାରୁ ଦେଖିଲା, ପ୍ଲା କାର୍ଡ ରେ ଲେଖା ହୋଇଛି, " ବେଶ୍ୟା ବୃତ୍ତି ବନ୍ଦ କରାଯାଉ ", ଦେହ ବ୍ଯବସାୟ ବନ୍ଦ ହେଉ ," " ଦେହ ଜୀବିତଙ୍କୁ ଅନ୍ଯତ୍ର ଥଇଥାନ କରାଯାଉ " ଇତ୍ଯାଦି ଇତ୍ଯାଦି ।


ସେଇ ପୁରୁଷ, ସ୍ତ୍ରୀ ଙ୍କ ଦଳ ଦୂରକୁ ଚାଲିଗଲେ । ପୁଷ୍ପା ମୁହଁରେ ହସ ଧାରେ ଖେଳିଗଲା । ଭାବୁଥାଏ, ଭଲ ହେବ ଏଇ ଦେହ ବ୍ଯବସାୟ ବନ୍ଦ ହୋଇଗଲେ । ନିଜ ଇଚ୍ଛା ବିରୁଦ୍ଧରେ ଏମିତି କାମ କରିବାକୁ କାହାକୁ ବା ଭଲ ଲାଗିବ ଯେ ? ହେଲେ ଏଇଠୁ ନେଇ ସମାଜ ଭିତରେ ରଖିଲେ , ଏଇମାନେ ସମ୍ମାନ ପାଇବେ ତ ?ଯେଉଁ ମାନେ ଏତେ ବଡ ବଡ କଥା କହୁଛନ୍ତି , ସ୍ଲୋଗାନ ଦେଉଛନ୍ତି,ଏଇ ଦେହଜୀବୀ ମାନଙ୍କୁ ସମାଜ ଅନ୍ଯ କାମ କରିବାକୁ ସୁଯୋଗ ଦେବ ତ ? କହିବା ଲୋକ ଖାଲି ବଡ ବଡ କଥା କହନ୍ତି ।


ଏଇ ସବୁ କଥା ପୁଷ୍ପା ଭାବୁଥିବା ବେଳେ ରାମୁ କାକାଙ୍କ ପାଟି ଶୁଭିଲା । " ଆରେ ପୁଷ୍ପା, ତୋ ଅଗଣାରୁ ମାଟି ନେବାକୁ ଆସିଛି । ଏଠୁ ମାଟି ନେଲେ ମାଁ ଦୁର୍ଗଙ୍କର ମୂର୍ତ୍ତି ତିଆରି ଆରମ୍ଭ କରିବି । ଦଶହରା ଆସିଗଲା ଯେ । " ପୁଷ୍ପା କବାଟ ଖୋଲି ବାହାରକୁ ଯାଇ , ରାମୁ କାକାଙ୍କୁ ଭିତରକୁ ଡାକିଲା । ରାମୁ କାକା ବୁଢା ହେଲେଣି । ହେଲେ , ଦୁର୍ଗାଙ୍କ ମୂର୍ତ୍ତି ତିଆରି କରିବା ତାଙ୍କର ବନ୍ଦ ହୋଇନି । ପୁଷ୍ପା ଅଗଣାରୁ ମାଟି ନେଇ ରାମୁ କାକା ଚାଲିଗଲେ । ମାଁ ଦୁର୍ଗାଙ୍କର ମୃଣ୍ମୟ ମୂର୍ତ୍ତି ବେଶ୍ୟା ଘର ଅଗଣା ମାଟି ନେଇ ଶୁଭାରମ୍ଭ କରାଯାଏ। ଯେଉଁ ବେଶ୍ୟା ମାନଙ୍କୁ ସଭିଏଁ ଘୃଣା କରନ୍ତି, ସମାଜରୁ ଯାହାକୁ ବାସନ୍ଦ କରାଯାଏ,ଯାହାକୁ ଅନ୍ଯତ୍ର ଥଇଥାନ କରିବାର ସ୍ଲୋଗାନ ଦିଆଯାଏ, ସେ ସମସ୍ତଙ୍କ ପାଇଁ ଅପବିତ୍ର କିନ୍ତୁ ତା ଅଗଣାର ମାଟି ନୁହେଁ । କି ବିଚିତ୍ର ! ! ପୁଷ୍ପା ଓଠରେ ଏକ ତୀର୍ଯ୍ଯକ ହସ ଧାରେ ଲାଗିଥାଏ । ପୁଷ୍ପା ଯିଏ ସେଇ ବେଶ୍ୟା ବସ୍ତିର ଏକ ବେଶ୍ୟା, ଦେହ ବିକ୍ରି କରି ଯିଏ ନିଜ ଓ ନିଜ ପରିବାରର ଭରଣ ପୋଷଣ ପାଇଁ ସମ୍ବଳ ଅର୍ଜନ କରେ, ସେ ନିଜେ ଅପବିତ୍ର କିନ୍ତୁ ତା ଅଗଣା ମାଟି ପବିତ୍ର। ତା ଓଠରେ ଏବେ ବି ଧାରେ ହସ ଲାଗିଥାଏ । ଖିଏ ହସରେ ବିଦ୍ରୁପର ଝଲକ ସ୍ପଷ୍ଟ ବାରି ହୋଇ ଯାଉଥାଏ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy