STORYMIRROR

Siddhartha Sankar Tripathy

Tragedy Crime Inspirational

4  

Siddhartha Sankar Tripathy

Tragedy Crime Inspirational

ପୁରୁଷୋତ୍ତମ ମାସ

ପୁରୁଷୋତ୍ତମ ମାସ

3 mins
357


    ଛଅଖଣ୍ଡ କାଠ ବିଛଣାରେ ଶାନ୍ତିରେ ଶୋଇଯାଇଛି, ଅଫେରା ପଥିକ, ଅର୍ଥାତ ଭଗିଆର ସ୍ତ୍ରୀ। ବାହୁନି ବାହୁନି କାନ୍ଦୁଛି ଭଗିଆ। ବିଳପି ଉଠି କହୁଛି, ଏ...ସୁରିଆ ବୋଉ, ଏ କି ବିଶ୍ବାସଘାତକତା ? ସୁରିଆ, ଜୁରିଆ, ରମିଆକୁ ମାଆ ଛେଉଣ୍ଡ କରି ଚାଲିଗଲୁ। ତୁ କାନରେ ତୁଳା ଦେଇ ଶୋଇଯାଇଛୁ, ତେଣୁ ଶୁଣିପାରୁନୁ ଆକାଶବାଣୀ। ସେ ପରା କହୁଛି, ଅଟ୍ଟହାସ୍ୟ କରୁଛି ,ଏ ଭଗିଆ ଏସବୁ ତୋର ପ୍ରାରବ୍ଧର କର୍ମଫଳ। କ୍ରୁର ନିୟତିର ଏ କି ବିଚାର ? କି ଦୋଷ କରିଥିଲେ ତିନି ତିନୋଟି ନିଷ୍ପାପ ଶିଶୁ ? ନିୟତିର ଅଟ୍ଟହାସ୍ୟ, ଆରେ ଭଗିଆ ସବୁ ପ୍ରାରବ୍ଧର ଫଳ। ମୁଣ୍ଡଟାକୁ ଚାପି ଧରିଥିଲା ଭଗିଆ। ନିୟତିର ଅଟ୍ଟହାସ୍ୟରେ ତା କାନମୁଣ୍ଡା ଝାଇଁ ଝାଇଁ କରୁଥିଲା। 


  

    ସରିଗଲା କର୍ମ। ଚାଲିଗଲା ସୁରିଆର ମାଆ। ରଙ୍ଗମଞ୍ଚରେ ସୁରିଆର ମାଆର ନାଟକ ସମ୍ପୁର୍ଣ୍ଣ ହୋଇସାରିଥିଲା। ତିନିତିନିଟା ଛୁଆର ବାପା ଓ ମାଆ ଥିଲା ଜୁରିଆ। ସହରର କାରଖାନାର ତଳସ୍ତରର କର୍ମଚାରୀ ।କାମକୁ ନଗଲେ ପରିବାର ଓପାସ। କି ଖରା, କି ବର୍ଷା, କି ଶୀତ ବାରମାସ କାମକରେ ଭଗିଆ। ଉଦ୍ଦେଶ୍ଯ ସୁରିଆ, ଜୁରିଆ, ରମିଆକୁ ତା କାରଖାନାର ମ୍ୟାନେଜର ପରି ଉଚ୍ଚାସନରେ ଦେଖିବ। ଭଲ ପଢୁଛନ୍ତି ତିନିଛୁଆ ।


     

       ବଡଅଧିକାରୀ କରିବା ଉଦ୍ଦେଶ୍ଯରେ ତିନିପୁଅକୁ ଇଂରାଜୀ ମିଡିୟମ ସ୍କୁଲରେ ପଢୋଉଥିଲା ଭଗିଆ। ଦିନରାତି କାରଖାନାରେ କାମକରି ବୟସ ପୁର୍ବରୁ ବ୍ରୁଦ୍ଧ ସହ ରୋଗିଣା ପାଲଟି ଯାଇଥିଲା ସେ। ପଡିଶାଘର ବିଧବା ସୁକାନ୍ତି, ଭଗିଆକୁ ନିଜର କରିବାର ପ୍ରସ୍ତାବ ଦେଉଥିଲା ବାରମ୍ବାର। ହସିହସି ଭଗିଆ କହୁଥିଲା, ମୋ ପିଲାଙ୍କର ବାପାମାଆ ମୁଁ। ଉତ୍ତମ ସଂସାର ଦେଇ ଉଚ୍ଚଶିକ୍ଷିତ କରିବା ସହ ସେମାନଙ୍କୁ ବାବୁ ରୂପରେ ଦେଖିବା ମୋର ଲକ୍ଷ୍ୟ। ତାଛଡା, ସୁରିଆର ମାଆକୁ ମୁଁ କେମିତି ଧୋକା ଦେବି ଯେ। ସବୁରାତିରେ ପରା ସୁରିଆର ମାଆ ମୋତେ ଉପଦେଶ ଦିଏ, ପିଲାମାନଙ୍କ କଥା ବୁଝୁଥିବ। ରାଗତମତମ ହୋଇ ସୁକାନ୍ତି ପାଦକଚାଡି କୁହେ, ବୋକାଟା, ଜାଣିନି ମିଛମାୟାଭରା ଏସାରା ଦୁନିଆ। ତାଛଡା ଆପେ ବଞ୍ଚିଲେ ବାପର ନାଆଁ। ଜୀବନ ସାରା କଷ୍ଟ ପାଇ ବଞ୍ଚିଛୁ। ପୁଅମାନେ ବଡ ହେଲେ ତତେ ରାଜା କରିଦେବେ। ଭଗିଆ କୁହେ ଏ ସୁକାନ୍ତି, ତୋ ରାସ୍ତାରେ ତୁ ଯାଆ। ମୋ ମନରେ ବିଷର ବୀଜବପନର ବ୍ରୁଥା ପ୍ରଚେଷ୍ଟା କରନାହିଁ, ବିଫଳ ହେବୁ। ମୁଁ ରାଜା ହୁଏ କି ରଙ୍କ, ତୋର ମୁଣ୍ଡ ପୁରେଇବାର ଦରକାର ନାହିଁ। ଏ ଜନ୍ମରେ ସୁରିଆ ମାଆର ସ୍ଵାଭିମାନ ସହ ମୋର ଖେଳିବାର ନାହିଁ। ମରଦ ଦରକାର ହେଲେ ଅନ୍ୟ ମସ୍ଛ୍ୟକୁ ଜାଲ ପକେଇ ଖୋଜିବା ଜାରିରଖେ। ରାଗିଯାଇ ଚାଲିଯାଏ ସୁକାନ୍ତି।


 


    ପରିବର୍ତ୍ତନଶୀଳ ଦୁନିଆରେ ଧନୀ, ଗରିବ ଉଭୟ ସମାନ। ଟିକେ ସ୍ଥିର ମସ୍ତିଷ୍କରେ ଭାବନ୍ତୁନା। ଧନାଢ୍ଯ ବ୍ୟକ୍ତି ମେସିନ ପରି କାମକରେ ସମ୍ପତ୍ତିର ବ୍ରୁଦ୍ଧି ପାଇଁ। ଗରୀବଟି ମେସିନ ପରି କାମକରେ ଜୀବନ ସହ ସଂଘର୍ଷ କରି ବଞ୍ଚିବା ପାଇଁ। ଉଭୟ କ୍ଷେତ୍ରରେ ଉଭୟଙ୍କ ପାଖରେ ସମୟର ଅଭାବ ପରିବାର ପାଇଁ। ଧନାଢ୍ଯ ପରିବାରର ସମ୍ପତ୍ତି ବ୍ରୁଦ୍ଧି ହୁଏ, ଗରୀବର ପରିବାର ଖାଇବାକୁ ପାଏ। କିନ୍ତୁ ପରିବାରର ପ୍ରେମ ? ନା ପାଏ ଗରୀବ, ନା ପାଏ ଧନୀ। 

*ଉଭୟ କ୍ଷେତ୍ରରେ ଅଭାବ ଭାବର* !!

  


     ଠିକ୍ ସେମିତି ଘଟିଥିଲା ଭଗିଆ କ୍ଷେତ୍ରରେ। ତିନିପୁଅ ପ୍ରତିଷ୍ଠିତ ଓ ବିବାହିତ ସ୍ୱଇଚ୍ଛାରେ। ହେଲେ ଭଗିଆ ?? ରୋଗଗ୍ରସ୍ତ, ଅଭାବୀ ଜୀବନ। ପୁଅମାନେ ଯେ ଝା ସହରରେ। ଭଗିଆ ବ୍ୟସ୍ତ ହୁଏ ସୁରିଆ, ଜୁରିଆ, ରମିଆକୁ ଟିକେ ଦେଖିବାକୁ। ଉତ୍ତର ମିଳେ, ବାପା ହିସାବରେ ତମ କର୍ତ୍ତବ୍ଯ ତମେ କରିଛ ତା ବି ଠିକ୍ ଭାବରେ ନୁହେଁ। ତାଛଡା ଆମ ସଂସାର ବୋଝ, ଛୁଆଙ୍କ ଭବିଷ୍ୟତ ଆମକୁ ଦେଖିବାର ଅଛି। ହଁ ଯାହାହେଲେ ବି ବାପଟା। ଫୋପାଡି ତ ଦେଇହେବନି। ତମେ ତ ପାଚିଲାପତର। ଆମର ଫାଟକ ଜଗିବ। ତିନିଭାଇ ଚାରିମାସ ଲେଖାଏଁ ରଖିବୁ।



   ଏ ବୟସରେ ଭିକ୍ଷାବ୍ରୁତ୍ତି ଅପେକ୍ଷା ପୁଅମାନଙ୍କ ଘରର ଜଗୁଆଳି ହେବା ଉଚିତ ମଣି ହଁ ଭରିଲା ଭଗିଆ। ଆଜି ବି ଆକାଶକୁ ଅନେଇ ଦେଖି ପାରୁଥିଲା ନିୟତିର ଅଟ୍ଟହାସ୍ୟ। ମନେମନେ ହିସାବ କରୁଥିଲା ପାଇଲା କଣ ? ହରାଇଲା କଣ ? ମୁର୍ଖ ଲୋକ ହିସାବନିକାଶର ଗଣିତ ଜାଣିନପାରି ସଂସାର ଯୁଦ୍ଧରେ ହାରିଗଲା ବୋଧେ। 



    ଆରମ୍ଭ ହେଲା ପୁଅମାନଙ୍କ ଘରେ ଜଗୁଆଳ ଜୀବନ। ଅସୁବିଧା ହେଲା ନାହିଁ, କାରଣ ଜୀବନ ସାରା ବାସିପଖାଳରେ ବଞ୍ଚିଥିବା ଲୋକଟାର ଆଜି ବି ବାସିପଖାଳ ଯୋଗ। ଉପରକୁ ଅନାଇ କହୁଥିଲା ଏ....... ସୁରିଆର ମାଆ ! ଦୁଃଖ କରନାହିଁ। ଆମ ଛୁଆଗୁଡାକ ସୁନାମୁଣ୍ଡା। କାହିଁକି ଜାଣିଛୁ ? ତୁ ତ ବୋକିଟା। ଆମ ଛୁଆ ଚାହାନ୍ତି ବାପା ଅଧିକ ଦିନ ବଞ୍ଚୁ। ସେଇଥିପାଇଁ ତ ବାସିପଖାଳ ଦିଅନ୍ତି, କାରଣ ଖିରି ଖେଚୁଡି ଅଭ୍ୟାସ ନାହିଁ। ଗରିଷ୍ଠ ଖାଦ୍ୟ ଖାଇଲେ ବାପାଟା ମରିଯିବନି ? 



 ହଠାତ୍ ରମିଆ କହିଲା ଏ ବୁଢା, କଣ ବସିକି ଭାବୁଛ ? ସେପଟେ କୁକୁରଟା ଗେଟ୍ ଡେଇଁ ଚାଲିଗଲାଣି। ହଁ ଶୁଣ ମୋ ପାଳି ସରିଗଲା, ଜୁରିଆ ଭାଇ ଫୋନ୍ କରି କହିଲା, ଏଇଟା ମଳମାସ। ତମକୁ ଚାକର ରାମୁ ସାଇକେଲରେ ବସଷ୍ଟାଣ୍ଡରେ ଛାଡିଦେବ ।କାରଣ ମଳମାସଟା ଦୁଇମାସ। ଆମର ଭାଗ ଛିଣ୍ଡିବନାହିଁ। ତାଛଡା ଗାଆଁ ଭିଟାମାଟି ବିକ୍ରି ସରିଛି। ତମେ ଗୋଟେ କାମ କର। ସେଇଠି ଭାଗବତ ଟୁଙ୍ଗିରେ ମାଗିଯାଚି ମାସେ କଟେଇଦିଅ। ତାପରେ ଜୁରିଆଭାଇ ତମକୁ ନେଇଯିବ। 



    ଭଗିଆ କିଛି କହିବାଆଗରୁ ରାମୁ ସାଇକେଲ ବେଲ୍ ମାରି କହୁଥିଲା, ଏ ବୁଢା ଜଲ୍ଦି ଆସ। ତମକୁ ଛାଡିଆସିଲେ ମୋର ତେଣେ କେତେ କାମ। ମାଳତୀପାଟପୁର ବସଷ୍ଟାଣ୍ଡରେ ଛାଡିଦେଲା ରାମୁ। ମୁଣ୍ଡଟା ଘୁରେଇଦେଉଛି ଭଗିଆର। ଚାଲିନପାରି ବସଷ୍ଟାଣ୍ଡର ଅଳିଆଗଦାରେ ଶୋଇଗଲା ଭଗିଆ।



 ବହୁତ ଲୋକଙ୍କ ଆତଯାତ ସେହି ରାସ୍ତାରେ। କେହି ମୁହଁରେ ରୁମାଲଦେଇ ସେଇପଟେ ଚାଲିଯାଏ ଓ *କହୁଥାଏ ମେଡିକାଲ ଏମାରଜେନ୍ସି ମେଡିକାଲ ବାଲା ବୁଝିବେ* , ଆଉ କିଛି କଥା ହେଉଥାନ୍ତି, ଶଳା କି ଯୁଗହେଲା ବୁଢାଟା ପେଟେ ପିଇ ଗଡିଛି। ବ୍ୟସ୍ତ ଆମ ସମାଜ। ସମୟର ଘୋର ଅଭାବ ସମସ୍ତଙ୍କର। ମ୍ୟୁନିସିପାଲଟିର ଅଳିଆବୁହା ଗାଡି ବୋହୁଥିଲା ଭଗିଆର ପ୍ରାଣହୀନ ଶରୀର। ହସୁଥିଲା ଭଗିଆର ଆତ୍ମା। କହୁଥିଲା ବୁଝିଲୁ ସୁରିଆବୋଉ ! ମୋ କାର୍ଯ୍ୟକାଳ ସରିଗଲା। ଆଉ ରହିହେଲାନାହିଁ। କାହିଁକି ଜାଣିଛୁ ? ଏଇଠି ପରା ଅଭାବ *ଭାବ ର*........!!


Rate this content
Log in

Similar oriya story from Tragedy