Satyabati Swain

Tragedy

3  

Satyabati Swain

Tragedy

ପୁଞ୍ଜି

ପୁଞ୍ଜି

7 mins
188



ମାଆ ମଲା ପରେ ସମସ୍ତଙ୍କ ଆଖି ସେଇ ବାକ୍ସ ଉପରେ।


କେମିତି ଚଉଦ ଦିନ ଯିବ ସେ ବାକ୍ସଟି ଭଙ୍ଗା ଯିବ ସମସ୍ତଙ୍କ ଉପସ୍ଥିତରେ।


ତିନି ପୁଅ ଓ ଦୁଇ ଝିଅ ମାଆର। ନନା ମୁହଁ ମନେ ନାହିଁ ଆମର।ବିଶେଷ କରି ମୋର।ସବା ସାନ ଝିଅ କୋଳରେ ଥିଲି ନନା ଆମ ପାଞ୍ଚ ପିଲାଙ୍କୁ ମାଆ ଜିମା ଦେଇ ଆକାଶରେ।ବଡ଼ ଭାଇ ସଂଜୁ; ସଞ୍ଜୟ, ତା ତଳ ଭାଇ ବିନୁ; ବିନୟ, ତା ତଳେ ପଲୁ; ପଲ୍ଲୀଶ୍ରୀ ଦି, ତା ତଳେ ଅଭି; ଅଭୟ ଭାଇ ଓ ସବା ଶେଷ କୋଳ ପୋଛା ମୁଁ ଶ୍ରୀ। ସଂଜୁ ଭାଇ ମେଟ୍ରିକ ପରୀକ୍ଷା ଦେଇନଥିଲା ମାଆ ନନାଙ୍କୁ ହରେଇ ଏକା।


ଏକା ଏକା ମାଆ କେମିତି ଏତେ ବାଟ ଚାଲିଲା ଆମ ପାଞ୍ଚ ପିଲାଙ୍କୁ ବଞ୍ଚେଇ, ଭାବିଲେ ଯେତିକି ଆଶ୍ଚର୍ଯ୍ୟ ଲାଗେ ସେତିକି କଷ୍ଟ ଅନୁଭବ ହୁଏ।


ମାଆ ଜଣେ ପ୍ରାଇମେରୀ ସ୍କୁଲ ଶିକ୍ଷୟିତ୍ରୀ ଥିଲା। ଆମ ଜେଜେବାପା, ମାଆ, ପିଉସୀ ମୀରାନୀ ଓ ଆମ ପାଞ୍ଚ ପିଲାଙ୍କୁ ନେଇ ଆଠ ଜଣିଆ ପରିବାରଟି ଥିଲା ଆମର।ଜେଜେ ବାପା ଆମ ନନାଙ୍କ ଅଭାବ ପୂରଣ କରୁଥିଲେ। ମାଆ ସ୍କୁଲ ଗଲେ ଜେଜେ ବାପା ଆମକୁ ଜଗୁଥିଲେ।ସେ ତ ଜେଜେ ବାପା ନଥିଲେ ପରନ୍ତୁ ଆମ ନନା, ସାଙ୍ଗ ଓ ମାଆ ବି ହେଉଥିଲେ। ମାଆ ଅନୁପସ୍ଥିତରେ ଆମ ଝାଡା ପରିସ୍ରା ସଫା କରିବା ସହ ଖୁଆଇ ପିଆଇ ଶୁଆଉଥିଲେ। ଆମ ସଂଗେ ସାଙ୍ଗ ହୋଇ ଖେଳୁଥିଲେ ବି।


ମୀରାନୀ ଯଦିଓ ଆମ ସମସ୍ତଙ୍କ ଠାରୁ ବଡ଼ ଥିଲେ ଆମ ପାଖେ ରହୁ ନଥିଲେ। ରେଭେନ୍ସା ହଷ୍ଟେଲରେ ରହି ପଢ଼ୁଥିଲେ।ସେ ଛୁଟିରେ ଘରକୁ ଆସିଲେ ଆମ ଘରର ଘୋ ଘୋ ମଜା ଦ୍ଵିଗୁଣିତ ହୋଇ ଯାଉଥିଲା।ମୁଁ ତ ମୀରାନୀ କୋଳ ଛାଡୁ ନଥିଲି।ମୋ ଅନ୍ୟ ଚାରି ଭାଇ ଭଉଣୀ ମୋ ଠାରୁ ସମସ୍ତେ ବଡ଼ ଥିଲେ।ଏଣୁ ଗେହ୍ଲା ଭାଗ ସବୁଠାରୁ ମୋର ଅଧିକ ଥିଲା।ସଂଜୁ ଭାଇ କାନ୍ଧରେ ବସି ବୁଲାଏ।ବିନୁ ଭାଇ ଲାଉ କରେ।ଅଭି ଭାଇ ଭାରି ହିଂସିକା। ମୋତେ ସମସ୍ତେ ଗେହ୍ଲା କରନ୍ତି ବୋଲି ସେ ରାଗେ। ଧୁଲ୍ ଧୁଲ୍ ନଦି ଦିଏ ମୋ ପିଠିରେ ବିଧା।ପତଳୀ ଦିହଟି ମୋର ବଙ୍କା ହୋଇଯାଏ।କିଛି ସମୟ ନିଃଶ୍ୱାସ ନେଇ ପାରେନି।


ମାଡ଼ ସହି ନ ପାରି ଭେଁ କିନା ରଡି ଛାଡେ ମୁଁ।ଜେଜେ ବାଡ଼ି ଧରି ଗୋଡ଼ାନ୍ତି ଅଭି ଭାଇ ଉପରକୁ। ସଂଜୁ, ଓ ବିନୁ ଭାଇ ଅଭି ସଂଗେ କଟି ପକେଇ ଦିଅନ୍ତି।ପଲୁ ଦି ଦି ପଟେ ରୁହେ।ସଂଜୁ ଓ ବିନୁ ଭାଇଙ୍କ କଥା ନେଇ ଅଭି ଭାଇଙ୍କ ପାଖରେ ପହଂଚାଏ ଓ ଅଭି ଭାଇ କଥା ଆଣି ଅନ୍ୟ ଦୁଇ ଭାଇଙ୍କ କୁହେ। ଏଣୁ ତାଙ୍କୁ ସମସ୍ତେ ଡାକନ୍ତି ଡାଳ ବାଲା।


ମୁଁ ମାଡ଼ ଖାଇବା କ୍ଷଣି ଟିକେ ରାଗେ ତାପରେ ଭୁଲି ଯାଏ।ସଂଜୁ ଓ ବିନୁ ଭାଇ ଯେତେ ବାରଣ କଲେ ବି ଅଭି ଭାଇ ସାଙ୍ଗରେ ଲାଗେ।ମୋତେ ଏତେ ଜୋରେ କାଇଁ ମାଇଲୁ ଅଭିଯୋଗ କରେ।ଅଭି ଭାଇ ମୋତେ ଆଖି ତରାଟି ଚାହେଁ। ମୁଁ ତୋ ଭାଇ ନୁହେଁ ଯା ତୋ ଭଲ ଭାଇ ପାଖକୁ କହି ମୋ ହାତ ଛିଞ୍ଚାଡି ଦିଏ।ମୁଁ କେଉଁ ଛାଡେ। ତା ସଙ୍ଗେ ଧେତି କୁକୁର ପରି ଲାଗେ।ସେ ବିରକ୍ତ ହୋଇ କୁହେ ମାଆ ଦେଖିଲୁ, ଏତେ ମାଇଲି ଟି, ଶ୍ରୀ କେମିତି ପୁଣି ବିଲେଇ ଭଳିଆ ଆସି ମୋ ଦେହରେ ଘଷି ହେଉଛି।


ମାଆ କାମ ଧନ୍ଦା ସାରି ଆମ ପାଖେ ପହଁଞ୍ଚି ପାରେନି।ଘର ଗୋଟାକ କାମ କରି କିଏ କଣ କେତେବେଳେ ଖାଇବ ଅଲଗା ଅଲଗା ଘୋଡେଇ ସ୍କୁଲ ଯାଏ। ମାଆ ନିଜେ ଖାଏ କି ନାହିଁ ଆମେ ଜାଣି ପାରୁନା।କାମ କରୁ କରୁ ହସି ହସି କୁହେ ତୋତେ ସେ ଅଧିକ ଭଲ ପାଏରେ ଅଭି।ସେଥିପାଇଁ ମାଇଲେ ବି ଘଡ଼ିଏ ଛାଡି ରହି ପାରୁନି।ଏଡ଼େ ଗେହଲୀ ଭଉଣୀଟିକୁ ତୁ କେମିତି ମାରୁ କହିଲୁ ?


ରବିବାରଟିରେ ମାଆ ପୁରା ଦିନ ରାତି ଆମର।


ମାଆ କଥା ଶୁଣି ଅଭି ଭାଇ ଦୋଷୀ ପରି କୁହେ, ମାଆ ମୁଁ କଣ କରିବି, ତାକୁ କଣ ପାଇଁ ସମସ୍ତେ ଅଧିକ ଭଲ ପାଉଛନ୍ତି ? ମୁଁ ସହି ପାରୁନି। ସେଇପାଇଁ ରାଗରେ ମାରୁଛି।ହେଲେ ଜାଣିଛୁ ମାଆ ମୁଁ ସମସ୍ତଙ୍କ ଠାରୁ ମୋ ଗେହ୍ଲା ଶ୍ରୀକୁ ବେଶୀ ଭଲ ପାଏ।ମୁଁ ଏକା ଭଲ ପାଇବି ମୋ ଶ୍ରୀକୁ।ସେମାନେ କାଇଁକି ଶ୍ରୀକୁ ତାଙ୍କ ପଟିଆ କରୁଛନ୍ତି।କହି ଦେ ମାଆ ଶ୍ରୀ ଏକା ମୋ ଭଉଣୀ,ତାଙ୍କର ନୁହଁ।ପଲୁ ଦି ତାଙ୍କ ଭଉଣୀ।


ମାଆ ସ୍ୱର ଗମ୍ଭୀର ହୋଇଯାଏ।ସେ କୁହେ ତୁମେ ପାଞ୍ଚ ଜଣ ଓ ମୀରା ମୋ ପିଲା।ସମସ୍ତେ ତୁମେ ଭାଇ ଭଉଣୀ। ମୋର ତୋର କଣ କିରେ ଅଭି ! ଏ ଭଲ କଥା ନୁହେଁ, ସୁନା ପିଲା ଏମିତି ମୋର ତୋର କୁହନ୍ତିନି।


ଅଭି ଭାଇ ସବୁ ବୁଝିଗଲା ପରି କୁହେ ହଉ ହଉ ଆଉ କହିବି ନାହିଁ।ଏଇ ଦେଖ କାନ ଧରୁଛି।


ଅଭି ଭାଇଟା ସବୁବେଳେ ଏମିତି।ଫୋ ଫା କଥା।ଯାହା ଭାବିବ ଜମା ପେଟରେ ରଖି ପାରିବ ନାହିଁ।ବାନ୍ତି କରି ପକାଇବ। ବହୁତି ଖୋଲା ହୃଦୟଟି ତାର।ଅନ୍ୟାୟ ଜମା ସହି ପାରେନି। ସ୍କୁଲରେ ମାଡ଼ ଗୋଳ କେସ୍ କରିବାରେ ଏକ ନମ୍ବର।ଭଲ ଗୀତ ଗାଏ।ମୋ ଦେହ ଖରାପ ଥିଲେ ମୋତେ ଛାଡ଼ି କୁଆଡେ ଯାଏନି।ମିଠା ମିଠା ଗୀତ ଗାଇ ମୋତେ ଖାଲି ଆଉଁସେ।


ସଂଜୁ ଭାଇ ଖୁବ୍ ଧୀର ସ୍ଥିର। ଆମ ମାନଙ୍କ ଠାରୁ ଟିକେ ବଡ଼।ଏଣୁ ସେ ଜେଜେଙ୍କ ପରେ ଘରେ ଗାର୍ଡ଼ିଆନ ହୋଇଯାଏ। ଜେଜେ ଯେଉଁ ବୋଲ ହାକ କୁହନ୍ତି କରିଦିଏ।ଚାଷ ବାସ ଭାଗ କଥା ବି ଦେଖା ରଖା କରେ। ମାଆର ସଂଜୁ ଭାଇ ଡାହାଣ ହାତ ଜାଣ।ନନାଙ୍କ ଗାଡି ଶିଖି ମାଆକୁ ସ୍କୁଲ ନେବା ଆଣିବା କରେ।ଘରର ହାନି ଲାଭ ବୁଝୁ ବୁଝୁ ବଡ଼ ଖୋଳପା ପିନ୍ଧି ତା ସାନ ବୟସକୁ ଅଭିମାନରେ ବିଦାୟ ଦେଇ ଦେଲା କେତେବେଳେ ଜଣା ପଡ଼ିଲାନି।ଗାଆଁ ପାଖ କଲେଜରେ ମାତ୍ର ବିଏ ପାସ୍ ପରେ ସିଟି ଟ୍ରେନିଂ ନେଇ ମାଆ ପରି କୁନି ଶିକ୍ଷକ ଟିଏ ହେଲା।


ମାଆ ମନ ଊଣା କରେ ଯେ ସଂଜୁ ଭାଇ ଅତି ଭଲ ପଢ଼ୁଥିଲେ ବି କେବଳ ଘର ଅଚଳ ହେବ ବୋଲି ସେ ବାହାରକୁ ଯାଇ ତା ମନ ମୁତାବକ ପଢି ପାରିଲା ନାହିଁ।


ସଞ୍ଜୁ ଭାଇ କୁହେ ମୋ ଭାଗ୍ୟରେ ନାହିଁ ମାଆ।ନନା କହୁଥିଲେ ପାଠ ପଢି ଡାକ୍ତର ହେବି। ମୋର ତ ଶିକ୍ଷକ ହେବାର ଅଛି, ଡାକ୍ତର କଣ ହେବି ?


ମାଆ ସଂଜୁ ଭାଇ ମୁଣ୍ଡ ସାଉଁଳେଇ କୁହେ ମୋତେ କ୍ଷମା କରିଦେବୁ ପୁଅ ତୋତେ ତୋ ଇଚ୍ଛାର ଜୀବନ ଦେଇ ପାରିଲି ନାହିଁ। ମୋର ବି ତ ଭାରି ଆଶା ଥିଲା ତୁ ଭଲ ଡାକ୍ତରଟିଏ ହେବୁ।ତୋ ନନା ଅନ୍ତନଳୀ କ୍ୟାନ୍ସରରେ ନ ମରନ୍ତୁ ନା ତୁ ତୋ ସ୍ୱପ୍ନରୁ ବଞ୍ଚିତ ନ ହଅ।


ତୋର କିଛି ଦୋଷ ନାହିଁ ମାଆ।ତୁ ଜେଜେ ସମସ୍ତେ ତ କହୁଥିଲ ବାହାରେ ସହରରେ ଯାଇ ପଢିବାକୁ। ମୁଁ ମନା କଲି ନା।କହିଲୁ ମୁଁ ଘରେ ନଥିଲେ କିଏ ଘର ଚାଷ,ବନ୍ଧୁବାନ୍ଧବଙ୍କ କଥା ବୁଝି ଥାଆନ୍ତା।ସବୁ କଥା ଛାଡ୍ ତୁ କେମିତି ଖରା ବର୍ଷାରେ ଚାଲି ଚାଲି ସ୍କୁଲ ଯାଉ ? ସେ କଷ୍ଟ ବିନୁ କି ଅଭି ଅନୁଭବ କରି ନଥିବେ।ଛୋଟ ପିଲା ଥିଲେ ନା।ମୁଁ ତ ଟିକେ ବଡ଼ ହୋଇ ଥିଲି ବୁଝି ପାରୁଥିଲି, ଦେଖି ପାରୁଥିଲି ସବୁ।


ମନ ଅଛି ମାଆ ତୁ ଦୀନବନ୍ଧୁ କକାଙ୍କ ସହ ସ୍କୁଲକୁ ଯିବା ଆସିବା କରୁ ବୋଲି ଲୋକେ କେତେ କଣ ଖରାପ କଥା କୁହନ୍ତି?


ସେଥିଲାଗି ତ ଜିଦ୍ କରି ତୁ ମନା କଲେ ବି ନନାଙ୍କ ଗାଡି ଶିଖି ତୋତେ ସ୍କୁଲ ନବା ଆଣିବା କଲି।


ମାଆ ଦୀର୍ଘଶ୍ଵାସ ଛାଡି କୁହେ ସବୁ ମୋରି ଫଟା କପାଳ ପାଇଁରେ ସଂଜୁ।


ବିନୁ ଭାଇ ଖୁବ୍ ସଜ କୁଳିଆ।ବସି ବସି ମଝି ଗର ଖାଇବା ପିଲା।ଭାରି ହିସାବକିତାବ ତାର ସମ୍ପର୍କ ହେଉ କି ସମୟ ଅବା ପଇସା।ଭାରି ବୁଦ୍ଧିଆ।ଗୋଟେ ଥରେ ବ୍ୟାଙ୍କ ଜବ୍ ପାଇଗଲା।


ଅଭି ଭାଇ ଇଞ୍ଜିନିୟର ହୋଇଛି।ମୀରା ଦି ଲବ୍ ମ୍ୟାରେଜ୍ କଲା ଜଣେ ଅନ୍ୟ କାଷ୍ଟର ପିଲାକୁ।ମା ବାରଣ ନ କରି ବରଂ ବୁଝା ଶୁଝା କରି ବାହାଘରଟି କରିଦେଲା ତାର ।ଜେଜେ ଭାରି ଦାଣ୍ଡୁଆ ଲୋକ ଥିଲେ।ମୀରା ନୀ ଏତେ ପାଠ ଶାଠ ପଢି ଏମିତି କରିବା ଟାକୁ ସହଜରେ ଗ୍ରହଣ କରି ପାରିଲେ ନାହିଁ।ସବୁବେଳେ ଚୁପ୍ ଚାପ୍ ରହି ଦିନେ ଖାଇକି ଶୋଇଛନ୍ତି ଯେ ଆଉ ଉଠିଲେନି।ମୀରାନୀ ଓ ଶିବ ପିଉସା ଦୁଇଜଣ ଯାକ ଚାକିରିଆ।ଖୁବ୍ ଭଲରେ ଅଛନ୍ତି ସେମାନେ।


ପଲୁ ଦିର ପାଠ ଶାଠ ହେଲାନି।ସେ ବୟସ ନ ହେଉଣୁ ପଲେଇଲା ଆର ସାହି ବିଷ୍ଣୁ ନନାଙ୍କ ପୁଅ ମଦୁଆ ନିଲୁ ଭାଇନା ସହିତ। ପଲୁ ଦିର ନିଷ୍ପତ୍ତିଟି ଭୁଲ ଥିଲା।ଯାହା ଦଣ୍ଡ ଭୋଗୁଛି ସେ ନିତି ବାଡ଼ିଆ ଖାଇ ନିଲୁ ଭାଇଙ୍କ ଠାରୁ।


ମୁଁ ଅନ୍ୟ ଚାରି ଭାଇ ଭଉଣୀ ପରି ଅଭାବ କି ଦୁଃଖ ଭୋଗିନି।ମୋ ପଢା ବେଳକୁ ସଂଜୁ ଭାଇ ଲାଗି ଯାଇଥିଲା।ଏଣୁ ସେ ପୂରଣ କରି ପାରି ନଥିବା ଡାକ୍ତର ହେବା ଇଚ୍ଛାଟିକୁ ମୋ ଦେଇ ପୂରଣ କରିବାକୁ ଚାହିଁଲା।ଦୁଇ ଦୁଇ ଥର ଅକୃତକାର୍ଯ୍ୟ ହେଲା ପରେ ମୁଁ ମେଡ଼ିକାଲ ପାଇଲି ଏବଂ ବାଲେଶ୍ଵର ମେଡ଼ିକାଲରେ ଏବେ ଜଣେ ଗାଇନିଂ ଡକ୍ଟର।ମୋ ମିଷ୍ଟର ମଧ୍ୟ ଜଣେ ଡକ୍ଟର। ମୋର ଆରେଞ୍ଜ ମ୍ୟାରେଜ୍ ମାଆ କରେଇଛି।


ସବୁ ଯାଇ ତାଇ ଠିକ୍ ଠାକ୍ ଥିଲା।କିନ୍ତୁ ଭାଇ ମାନେ ମ୍ୟାରେଜ୍ କଲା ପରେ ସବୁ ଓଲଟ ପାଲଟ ହୋଇଗଲା। ଆମ ସ୍ୱର୍ଗ ପରି ଘରଟି ନର୍କ ହେବାକୁ ବସିଲା।ଛୋଟ ଛୋଟ କଥାରେ ସମସ୍ତେ ମାଆକୁ ଦୋଷ ଦେଲେ। 


ମାଆ କିନ୍ତୁ ପ୍ରତି କଥାରେ ହସିଦିଏ।ରିଟାର୍ଡ କରିବାର ଦି ବର୍ଷ ହୋଇନି ସେ ବି ହାର୍ଟ ଆଟାକରେ ଆଖି ବୁଜିଲା।ଖୁବ୍ ମନ ଭିତରେ ଅଶାନ୍ତି ଥିଲା ତାର ପୁଅ ମାନଙ୍କ ପରିବର୍ତ୍ତନକୁ ନେଇ,।ପ୍ରକାଶ କିନ୍ତୁ କରି ପାରୁନଥିଲା।ପଲୁ ଦିର ଦୁଃଖ ଦେଖି ଭାଙ୍ଗି ପଡୁଥିଲା।ରୋଜଗାର ନିଲୁ ଭାଇନଙ୍କ ନଥିବାରୁ ମାଆ ତା ପେନସନ ପଇସା ପଲୁ ଦିକୁ ଦିଏ ବୋଲି ଘରେ କୁଆଡେ ଅଶାନ୍ତି ହେଉଥିଲେ ସଂଜୁ ଭାଇ ଓ ତାଙ୍କ ମିସେସ୍।


ଇଏ ସେଇ ସଂଜୁ ଭାଇ ତ ଯେ ମାଆ ପାଇଁ ନିଜ ସ୍ୱପ୍ନକୁ ବଳି ଦେଇଥିଲା !! ବଡ଼ ହେଲେ ପିଲାମାନେ ଏମିତି ପରିବର୍ତ୍ତନ ହୁଅନ୍ତି କାହିଁକି ଯେ !!


ମାଆର ଗୋଟେ ବଡ଼ ଦସ୍ତା ବାକ୍ସ ଥିଲା।ସେଇଟି ସେ କୁଆଡେ ବାହା ହୋଇ ଆସିଲା ବେଳେ ଯୌତୁକରେ ଆଣିଥିଲା। ସେତେବେଳେ ମାଆ ପରି ଶିକ୍ଷିତା, ସୁନ୍ଦରୀ କି ଅଧିକ ଯୌତୁକ ଆଣି ଥିବା ବୋହୁ ଆମ ଅଞ୍ଚଳରେ କେହି ନଥିଲେ।ବିଧୁ ମିଶ୍ରଙ୍କ ଘରର ନିହାତି ନାଁ ଥିଲା। ଜମିଦାର କିସମର ଲୋକ। ମାଆ ତାଙ୍କର ଗୋଟିଏ ବୋଲି ଝିଅ ହେତୁ ଗାଡି ଗାଡି ଯୌତୁଳ ଦେଇଥିଲେ।ଆମ ଘରେ କୁଆଡେ ଯୌତୁକ ରଖିବାକୁ ଜାଗାନଥିଲା।ସେଇ ଯୌତୁକ ଭିତରୁ ଦସ୍ତା ବିରାଟ ବାକ୍ସଟି ଅନ୍ୟତମ।ମୁଁ ପିଲା ବେଳେ ତା ଉପରେ ଖଟ ପରି ଆରାମରେ ଶୁଏ।


ସେଇ ବାକ୍ସଟି ଏବେ ପାଞ୍ଚ ପୁଅ ଝିଅଙ୍କ ଲାଲସାର କେନ୍ଦ୍ର ବିନ୍ଦୁ।ମିଶ୍ର ଘର ଝିଅ, ମୋ ନନା ଚାକିରିଆକୁ ମାଆ ଶିକ୍ଷକ।ଖୁବ୍ ଗୁଡ଼େ ମାଲ୍ ରଖିଥିବ ମାଆ ସେଥିରେ।ବାକ୍ସର ଚାବିଟି ମାଆ କେଉଁଠି ରଖେ କେହି ଜାଣି ନାହାନ୍ତି।କିନ୍ତୁ ମୁଁ ଜାଣିଛି।ମା କହିଥିଲା ମୋତେ ଚାବିଟି ନନାଙ୍କ କାନ୍ଥରେ ଝୁଲୁଥିବା ଫୋଟୋ ଭିତରେ ଅଛି। ଜାଣେନି ମାଆ ମୋତେ ଅଧିକ ବିଶ୍ୱାସ କରେ କାହିଁକି?


କାହାର ପଇସା ପତ୍ରରେ ଅଭାବ ନାହିଁ ତଥାପି କେହି କହୁ ନାହାନ୍ତି ମାଆ ବାକ୍ସ ଭଙ୍ଗା ନ ଯାଉ ।ସେ ସେମିତି ପୂଜା ପାଉ ଠାକୁର ଘରେ !!


ସମସ୍ତେ ମିଶି ଟେକି ଟେକି ବାକ୍ସଟିକୁ ଅଗଣା ମଝିକୁ ଆଣିଲେ।ତାଲା ଭାଙ୍ଗିବାକୁ ଅସ୍ତ୍ର ଖୋଜିଲେ।ମୀରା ନୀ ବି ଉପସ୍ଥିତ ଥିଲେ।


ଆରେ ରୁହ ବାକ୍ସଟି ଭାଙ୍ଗୁଛ କାହିଁକି।ମାର ଶେଷ ସନ୍ତକ ଏଇଟି। ସଞ୍ଜୁ ଭାଇ ଯା ବାପାଙ୍କ ଫୋଟୋ ଖୋଲ।ତା ପଛ ପଟେ ଚାବି ଅଛି।


ବିସ୍ମୟ ହୋଇ ସମସ୍ତେ କହିଲେ ତୁ ତାହେଲେ ଜାଣିଥିଲୁ ଚାବି ଏଠି ଅଛି ?


ହଁ ଦିନେ ମାଆ ମୋତେ କହିଥିଲା ଫୋନରେ।ଏହା ବି କହିଥିଲା ତାକୁ ଆଉ ବଂଚିବାକୁ ଇଚ୍ଛା ନାହିଁ।ତାର ସବୁ ଦାୟିତ୍ୱ ସରିଛି।ଏଣିକି ନନାଙ୍କ ପାଖକୁ ଯିବାର ସମୟ ଆସିଗଲା।


କଣ ତୁମେ ମାନେ ଏମିତି ମାଆକୁ କହୁଥିଲ ଯେ ସେ ମରିବାକୁ ମନ କଲା ? କେତେ ଦୁଃଖ ସେ ଜୀବନ କାଳ ଭିତରେ ଭୋଗିଛି ଆମେ ସମସ୍ତେ ଜାଣିଛେ।ତା ସତ୍ତ୍ୱେ ବି...। ଯେତେ କହିଲି ମୋ ପାଖକୁ ନେଇ ଆସିବି, ମନା କରି କହିଲା ତୋ ନନାଙ୍କୁ ଛାଡି କୁଆଡେ ଯିବି !!


ନନା !!


ହଁ ଲୋ ଶ୍ରୀ ତୋ ନନା ହାତ ଗଢା ଘରେ ତାଙ୍କ ସହ ବିତେଇଥିବା ସମସ୍ତ ଦୁଃଖ ସୁଖର ମୁହୂର୍ତ୍ତ ଏ କାନ୍ଥ, ଛାତ, ବାରି ଘର, ଗଛ ବୃକ୍ଷରେ ପରା ଅଛି ! ସେ ସଶୀରରେ ସିନା ମୋ ପାଖରେ ନାହାନ୍ତି କିନ୍ତୁ ଏ ଘର ପ୍ରତି କୋଣେନୁ କୋଣେ ଅଛନ୍ତି ମୋ ଭିତରେ ଅଛନ୍ତି।ସେ ନଥିଲେ ପାଞ୍ଚ ପାଞ୍ଚ କୋଳ ଛୁଆଙ୍କୁ ନେଇ କଣ ମୁଁ ବଡ଼ କରି ପାରି ଥାଆନ୍ତି!!ତାଙ୍କୁ ଛାଡି କୁଆଡେ ଯିବି।ଯିବି ଯଦି ତାଙ୍କ ପାଖକୁ ଯିବି।


ସମସ୍ତେ ପରସ୍ପର ମୁହଁକୁ ଚାହିଁଲେ।


ଛାଡ଼ ସେ ତ ଗଲାଣି।ତା ବାକ୍ସଟି ଏବେ ଚାରି ଭାଗ ହେଉ।


ମୀରା ନୀ କହିଲେ ଚାରି ଭାଗ ! ତୋ ଭାଗ କୁଆଡେ ଯିବ !!


ମାଆ ତ ମୋ ଭାଗରେ ମୁଁ ନେଇ ସାରିଛି। ତା ଛଡା ଅଭାବ କଣ ଅଛି ଯେ ମୋର, ମୁଁ ଲୋଭ କରିବି।


ମୋ କଥାର ଗୁରୁତ୍ୱ ସେତେ ପ୍ରଭାବଶାଳୀନଥିଲା ଯେତେ ବାକ୍ସ ଖୋଲା ଉପରେ ଥିଲା। ମୀରାନୀ ବାକ୍ସ ଖୋଲିଲେ। ଏତେ ବଡ଼ ବାକ୍ସ ଭିତରେ କେବଳ ଗୁଡାଏ ନୂଆ ପୁରୁଣା ଫୋଟୋ ଆଲବମ୍ !!


ମୀରାନୀ ଗୋଟେ ଗୋଟେ ପେଜ୍ ଖୋଲି ଦେଖାଉ ଥାଏ।ପ୍ରତି ପେଜରେ ଗୋଟେ ଫୋଟୋ ଓ ଫୋଟୋ ବିଷୟରେ ଧାଡିଏ ଲେଖା। ମାଆର ବହାଘରଠାରୁ ଆରମ୍ଭ କରି ପ୍ରତିଟି ବିଶେଷ ଘଟଣାର ମୁକ ସାକ୍ଷୀ ଏଇ ଆଲବମ୍।


ମୋ ଜେଜେମାଙ୍କ ମୃତ୍ୟୁ, ସଂଜୁ ଭାଇ ସହ ଆମ ସମସ୍ତଙ୍କ ଜନ୍ମରୁ ସାନରୁ ବଡ଼ କ୍ରମରେ ପ୍ରତି ବୟସର ଫୋଟୋ ଅତି ଯତ୍ନରେ ସାଇତା ହୋଇ ରହିଛି।କେତେ ଫୋଟୋ !! ଶହ ଶହ ସଂଖ୍ୟାରେ।ମାଆ ତା ଜୀବନର ପ୍ରତିଟି ମୁହୂର୍ତ୍ତ କଏଦ କରି ରଖିଛି ଆଲବମର ପ୍ରତି ପୃଷ୍ଠାରେ ।


ଶେଷକୁ ଲେଖିଛି "ମୋ ଜୀବନର ସମସ୍ତ କମେଇଁ ଥିବା "ଦୁର୍ମୂଲ୍ୟ ପୁଞ୍ଜି" ପ୍ରକୃତ ସମ୍ପତ୍ତି ମୋ ପାଞ୍ଚଟି ପିଲା।



Rate this content
Log in

Similar oriya story from Tragedy