ପୁଣ୍ୟ ରାସ୍ତା
ପୁଣ୍ୟ ରାସ୍ତା
ତତେ ଅପେକ୍ଷା କରି କରି ରହିଛି ଲୋ ଫୁଲ. ବିରି ଚାଉଳ ବତୁରେଇନି କି ଚିତା ପଇତା ପଡ଼ିବାକୁ ଘରଦ୍ୱାର ପରିଷ୍କାର ହୋଇନି. ମୁଁ କଣ କରିବି ମାଆ!ଆମ ସାଇ ଟା ସାରା ପଡୁଛି ଉଠୁଛି.ପଡୋଶୀ ଘର ବୁଢ଼ୀର ଜୀବନ ଛାଡ଼ୁନଥିବା ବେଳେ ଏକୋଇର ବଳା ବିଶିକେଶନ ପୁଅ ତାର କହୁଛି କେତେ ପାପ କରିଛି ସହଜେ ଜୀବନ ଯିବ କୁଆଡୁ? ପୁଅ ହୋଇ ଏମିତି କେମିତି କହୁଛି ଲୋ ଫୁଲ. କେମିତି କହିବନି କହିଲ ମାଆ! ବୁଢ଼ୀର କରି କରି ନୟାନ୍ତ ହେଲାଣି. ଆଉ ପାଞ୍ଚଟା ପୁଅ ପରି ହୋଇଥିଲେ ଅନାଥଆଶ୍ରମ କୁ ଛାଡ଼ି ସାରନ୍ତାଣି. ଏ ପୁଅ ବୋଲି ସବୁ କରୁଛି. କେତେ କରିବ. ହଉ ମାଆ ବୁଢ଼ୀ କଥା ପଛରେ ମୋ କାମ ସାରେ ଆଗେ ମୁଁ. କାଲି ତୃତୀୟ ପାଳି ଗୁରୁବାର. ଧୁଆ ମଜା ପୋଚ୍ଛା କଲେ ତୁମେ ଝୋଟି ଚିତା ଦେବ, ବିରି ଚାଉଳ ବତୁରେଇ ପିଠା କରିବ. ତୁମ ହାତ ପୁଳି ଯିଏ ଖାଇଥିବ ଝୁରୁ ଥିବ ପରା ମାଆ କହୁ କହୁ ପାଇଟି ସାରୁଥିଲା ଫୁଲ ହେଲେ ମାନସୀ ଭାବୁଥିଲେ ଶେଷ ଜୀବନ କଥା.ବୟସ ନହୋଇ ମରିଗଲେ ଯେମିତି ଅସୁବିଧା ବୟସ ହୋଇ ମରିବା ବି ସେତିକି ଅସୁବିଧା. ଧନ୍ୟ ଭାଗ୍ୟ ବିଧାତା. କାହାକୁ କାନ୍ଦାଏ କାହାକୁ ହସାଏ ସେଇ ଏକା ଜାଣିଥାଏ. ପଚାରି ବସିଲେ ମାନସୀ.ଆଲୋ ଫୁଲ ବୁଢ଼ୀର କଣ ବୋହୁ ନାହିଁ. ସେଉଠି ତ କଥାଟା ମାଆ. ବୋହୁ ଅଛି ହେଲେ ସେ ପରଝିଅ ନା ମାଆ. ଏଇଥି ପାଇଁ ପୁଅ ଯେତିକି ଦରକାର ଝିଅ ମଧ୍ୟ ସେତିକି ଦରକାର. ତା ସାଙ୍ଗକୁ ନିଜର କରମ ଓ ଧରମ. ଧରମ କଣ ସେ ବୁଢ଼ୀ କରୁନଥିଲା କି ଫୁଲ? କରୁଥିଲା ମାଆ. ହେଲେ ସେ କରମ ଅପେକ୍ଷା ପୁଣ୍ୟ ର କରମ ଅଲଗା କଥା ମାଆ. ତୁମ ନିଜ ପାଇଁ କାର୍ତ୍ତିକ କରିବା ବା ନିଜ ପାଇଁ ପୁଣ୍ୟ ଅର୍ଜ୍ଜନ କରିବା ଅପେକ୍ଷା ଅନ୍ୟ ପାଇଁ କେତେ କରିଛ, ଦାନ ଦେଇଛ କି ଦକ୍ଷିଣା ଦେଇଛ ସେଇଟା ପରା କୁଆଡେ ବେଶି ଧରମ ମାଆ. ତୁମ ଘରେ ତୁମ ଆବଶ୍ୟକତା ଠାରୁ ଅଧିକ ଶାଢ଼ୀ, ଧୋତି ଚାଦର ନସାଇତି କୁଆଡେ ଅନ୍ୟକୁ ଦେଲେ ହିଁ ପୁଣ୍ୟ. ବୁଢ଼ୀର ଆମ୍ବ ପଣସ ନଡ଼ିଆ ଗଛ କାଁହିରୁ କଣ ହେଲେ ଆମ୍ବ ଖାଇ ବିକି ବାକୁ ରଖିବ ସେଯାଏଁ ଯେତେବେଳ ପର୍ଯ୍ୟନ୍ତ ପଚା ହେବାଯାଏଁ ପଛେ କାହାକୁ ଦିଇଟା ହାତ ଟେକି ଦେବନି ପରା ମାଆ. ଏବେ ବୁଢ଼ୀର କଲବଲ ଦେଖି ଲୋକେ ଏମିତି ସବୁ କହିବାରୁ ମୁଁ ସବୁ ଜାଣୁଛି ମାଆ. ସେଇଥି ପାଇଁ ସକାଳେ ତୋଳୁଥିବା ଫୁଲରୁ ମୁଠେ ମୁଠେ ଦେଇ ଦେଇ ଆସୁଛି ପରା ମାଆ. ହଉ ମୁଁ ଯାଏ କହି ପୁଣି ହାତ ବଟାଉଥିଲା ଫୁଲ ତ ମାନସୀ କହୁଥିଲେ ବୁଢ଼ୀ ପାଇଁ ଚାଦର ଶାଢ଼ୀ ରଖିଥିବି ନେଇଯିବୁ କାଲି.
କାଲି ଆସିଲା ଲଷ୍ମୀ ପୂଜା ନେଇ ହେଲେ ଫୁଲ ଆସୁନଥିଲା ଫୁଲ ଦିଟା ନେଇ. ତାକୁ ଅପେକ୍ଷା କରି କରି ବାଳ, ମଧ୍ୟାହ୍ନ ଓ ଅପରାହ୍ନ ଧୂପ ସରିଲାଣି ମାନସୀଙ୍କର ହେଲେ ଫୁଲର ଦେଖା ନାହିଁ.ଶେଷକୁ ଫୁଲ ଆସିଲା. ବାକି କାମ ଧଡ଼ପଡ଼ କରି, କ୍ଷୀରି ଖେଚେଡ଼ି, ପିଠା, ମିଠା ଖାଇସାରିଲା ପରେ ମାନସୀ କହିଲେ ବୁଢ଼ୀ ପାଇଁ ଏ ଚାଦର ଓ ଶାଢ଼ୀ ନେଇଯା ଫୁଲ. ଶୀତ ରାତିକୁ ରୋଗୀଣା ବୁଢ଼ୀ ସେଥିରେ ଅଭାବୀ ସଂସାର, ନେଇଯା ଦେଇଦେବୁ. ମାଆ ଆଜି ପରା ଗୁରୁବାର. ଘରୁ ପୁରୁଣା ଜିନିଷ ଦେଇଦେଲେ ଲଷ୍ମୀ ଚାଲିଯିବେନି. ନାଇଁଲୋ ଫୁଲ ଲଷ୍ମୀ ମାଆ ପରା ତୁମ ଭକ୍ତି ଓ ଭାବରେ ବନ୍ଧା ହୋଇ ତୁମ କରମ ଓ ଧରମ ପରୀକ୍ଷା କରନ୍ତି. ଶୁଣିନୁ କି ତୁ!ହଁ ମାଆ ଶୁଣିଛି ବଳାରାମ ଦାସ ଲେଖିଥିବା ଲଷ୍ମୀ ପୁରାଣ କଥା ତ ସେଇଥି ପାଇଁ କହିଲି. ଆଲୋ ନାହିଁ. ଆମ ଓଡ଼ିଆଣୀ ମାନଙ୍କ ଲଷ୍ମୀ ପୂଜା ଦେଖି ପଡୋଶୀ ମହିଳା ଜଣେ ତାଙ୍କ ଦାରିଦ୍ର୍ୟ କାଟିବା ପାଇଁ ଵିଧି ବିଧାନ ଓ ଶ୍ରଦ୍ଧାର ସହ ଲଷ୍ମୀ ପୂଜା କରୁଥିବା ଦେଖି ମାଆ କମଳିନୀ ଦୁଇ ପାଦ ପକେଇ ସେହି ଘରେ ଷୋକୋଠି ପଦ୍ମ ଉପରେ ଉଭା ହେବା ଦେଖି ସେ ଘର ସ୍ତ୍ରୀ ଲୋକ ଖୁବ ଆନନ୍ଦ ରେ ଅଧୀର ହୋଇ କହିଲେ ସବୁଦିନ ଆମ ଘରେ ରହିଯାଆନ୍ତୁ ମାଆ. ଲଷ୍ମୀ ମାଆ ହସିଲେ ଓ କହିଲେ ତୁମ ପରି ଅନେକ ଶ୍ରଦ୍ଧାଳୁ ମତେ ଚାହିଁଥିବେ, ମୁଁ ଯିବି ହେଲେ ପାଣି ଗ୍ଲାସ ଟେ ଦିଅ ପିଇଦେଇ ଯିବି. ସ୍ତ୍ରୀ ଲୋକ ଜଣକ ଅନୁରୋଧ କଲେ ମାଆ ଏଇ ଗଲି ଆଉ ଆସିଲି. ମୁଁ ପାଣି ଆଣି ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିଥିବ ମାଆ. ରାଜି ହେଲେ ମାଆ ଲଷ୍ମୀ. ସ୍ତ୍ରୀ ଲୋକ ଜଣଙ୍କ ଦଉଡ଼ିଲେ କୁଅ ମୂଳକୁ ଓ ଦଉଡି ବାନ୍ଧି କୂଅକୁ ବାଲ୍ଟି ପକେଇଲେ ମାତ୍ର ବାଲ୍ଟି ସହ ଝିଙ୍କି ହୋଇ ନିଜେ କୂଅରେ ପଡି ମୃତ୍ୟୁ ବରଣ କଲେ କିନ୍ତୁ କଥା ଦେଇଥିବାରୁ ଅପେକ୍ଷାରେ ସେ ଘରେ ସବୁଦିନ ରହିଗଲେ ମାଆ ଲଷ୍ମୀ.ପରେ ପରିବାର କୋଟିପତି ହୋଇଗଲେ. ମୋ ରୁମ ଟାଙ୍କୁରୀ ଉଠୁଛି ତୁମ କଥା ଶୁଣି ମାଆ. ଦିଅ ଦିଅ ଶାଢ଼ୀ ଚାଦର ମୁଁ ଯାଏ.
ଫୁଲ ଚାଲିଗଲା ପରେ ପରେ ମାନସୀ ଙ୍କ ପୁଅର ଚାକିରୀରେ ଜଏନ କରିବା ପାଇଁ ଡାକଵାଲା ଲେଟର ଦେଇଗଲା ସେହିଦିନ. ଖାଲି ସେତିକି ନୁଁହଁ ଝିଅକୁ ଦେଖି ଯାଇଥିବା ବନ୍ଧୁଘର ମଧ୍ୟ ରାଜି ଅଛନ୍ତି ବୋଲି ଖବର ଆସିଗଲା ତ ଧାର ଧାର ଅଶ୍ରୁ ନିଗିଡି ପଡୁଥିଲା ମାନସୀ ଙ୍କ ଆଖିରୁ. ମାଆ ଲଷ୍ମୀ ତୋ ଦୟା ମାଆ. ସକାଳୁ ସକାଳୁ ଫୁଲ ଆସିଗଲା ଫୁଲ ଧରି. ଆଜି ତତେ ଅପେକ୍ଷା କରିବାକୁ ପଡିନି ଶୀଘ୍ର ଆସିଛୁ. ଶୀତ ଦିନ ନେ ଆଗ ଚା ଟା ପି ଦେ ଫୁଲ କହୁ କହୁ ଫୁଲ କହୁଥିଲା ମା ବୁଢ଼ୀ ସକାଳୁ ସକାଳୁ ଚାଲିଗଲା ପରା. ତୁମରି ଚାଦର ଶାଢୀ କୁ ଅପେକ୍ଷା କରିଥିଲା ଯେମିତି. ମାନସୀ ଙ୍କ ଆଖିରୁ ଦୁଇଧାର ଶୁଖି ଯାଉଥିବା ଅଶ୍ରୁ ପୁଣି କାହିଁକି ନିଗିଡି ପଡୁଥିଲା ବେଳେ ଫୁଲ କହିଚାଲିଥିଲା ଯା ହେଉ ବୁଢ଼ୀ ଶୁଖିଲା ଶୁଖିଲା ଗଲା ତୁମ ଶାଢ଼ୀ ଓ ଚାଦର ଭିତରେ ମାଆ. ତୁମେ ଖୁବ ପୁଣ୍ୟ ପାଇଥିବ ଯେ.
