Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!
Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!

Goutam Mohanty

Tragedy Inspirational

2  

Goutam Mohanty

Tragedy Inspirational

ପୁଅ

ପୁଅ

3 mins
107



ସଦାଶିବ ବାବୁ ସକାଳୁ ଉଠି, ଚା କପଟିଏ ପାଇଁ, ପାର୍ବତୀଙ୍କୁ ଉଠାଇଲା ବେଳକୁ, ସେ ଆଉ ଉଠୁନାହାନ୍ତି । ସହଧର୍ମିଣୀ ଦେହାନ୍ତ ହେବା ଦେଖି ସେ ଭାଙ୍ଗି ପଡିଲେ । ପାଦ ତଳୁ ମାଟି ଖସି ଯାଉଥିଲା । ।ପଞ୍ଜରାଭେଦୀ କୋହ ପାଲଟୁଥିଲା ଲୁହରେ । ଆଖିର ଉପକୂଳକୁ ଲଂଘି ବହିଚାଲିଥିଲା ଲୋତକର ସ୍ରୋତସ୍ବିନୀ ।  


ପାର୍ବତୀ ମଧୁମେହ ଓ ହୃଦରୋଗ ଭଳି ବହୁ ରୋଗରେ ଘାଣ୍ଟି ହେଉଥିଲେ । କିନ୍ତୁ ଏମିତି ଅପ୍ରତ୍ୟାଶିତ ଭାବେ ତାଙ୍କୁ ଛାଡି ଚାଲିଯିବେ, ସେ ଭାବିନଥିଲେ । ଫୁଲର ପାଖୁଡା ପରି ତାଙ୍କ ହୃଦୟ, ଚନ୍ଦ୍ରାଲୋକ ଭଳି ସୁଶୀତଳ ମନ, ନଦୀର ସ୍ରୋତ ପରି ଆବେଗ, ମାଧୁର୍ଯ୍ଯମୟୀ ହସ । ।ତାଙ୍କ ବିନା ଜୀବନ କିଭଳି ଦୁର୍ବିସହ, ଏହା ଚିନ୍ତା କରି ମ୍ରିୟମାଣ ହେଉଥିଲେ ସଦାଶିବ ବାବୁ ।  

   

ପ୍ରକୃତିସ୍ଥ ହୋଇ, ମୁମ୍ବାଇରେ ରହୁଥିବା ଦୁଇ ପୁଅଙ୍କ ପାଖକୁ ଫୋନ୍ କଲେ । ଦୁଇ ପୂଅ ଦୁଇ ଅଗ୍ରଣୀ କମ୍ପାନୀର ଉଚ୍ଚ ପଦସ୍ଥ ଅଫିସର । ସେମାନେ ମାଆର ଦେହାନ୍ତ ଖବରପାଇ ଵ୍ୟସ୍ତ, ବିବ୍ରତ ଓ ବିଷର୍ଣ୍ଣ ହୋଇ ପଡ଼ିଲେ । କହିଲେ -ଏବେତ କରୋନା ମହାମାରୀ ବ୍ୟାପୁଥିବା ଯୋଗୁଁ ସଟ୍ ଡ଼ାଉନ୍, ଲକ୍ ଡ଼ାଉନ । ଟ୍ରେନ ଓ ଫ୍ଲାଇଟ ସବୁ ବାତିଲ । ଆମେ ଯିବା ସମ୍ଭବ ନୁହେଁ । ଆପଣ କେମିତି କାମ ଚଳାଇନିଅନ୍ତୁ ।  

  

ସଦାଶିବ ବାବୁ, ପଡୋଶୀ, ବନ୍ଧୁ ବାନ୍ଧବ, ସାଂଗମାନଙ୍କୁ ଫୋନ୍ କଲେ । ସମସ୍ତଙ୍କ ଆଖିରେ ସହାନଭୂତିର ଲୁହ, ସହୃଦୟତାର କୋହ l  କିନ୍ତୁ କେହି ତାଙ୍କ ଘରକୁ ଆସିବାକୁ ରାଜି ନୁହନ୍ତି। ।

    

ଗୋଟିଏ ଘରେ ପାର୍ବତୀଙ୍କ ମରଶରୀର । ଅନ୍ଯଘରେ ବସିଛନ୍ତି ସଦାଶିବ ବାବୁ । ।ଅଖିଆ ଅପିଆ ।l ଘରେ କରୁଣ ନିରବତା । ।ହୃଦୟବିଦାରକ ସେ ନିରବତାର ଯନ୍ତ୍ରଣା । ସଦାଶିବ ବାବୁଙ୍କ ମୁହଁରେ ଘୋଟିଯାଇଛି କଳାହାଣ୍ଡିଆ ମେଘ । ପ୍ରାଣୋଚ୍ଛ୍ବଳ ମନଟି ଆଜି ଉଦାସ, ଉଜୁଡା ଉପବନ । ଆଖି ଦୁଇଟି 

ନିଃସ୍ବ, ନିଥର ହ୍ରଦ । ପାର୍ବତୀ କଣ ଏମିତି କରୋନାର ଶେଷପର୍ଯ୍ଯନ୍ତ ପଡ଼ିରହିବେ ଅଲୋଡ଼ା, ଅଖୋଜା ? ସଦାଶିବ ବାବୁଙ୍କ ହୃଦୟ, ସମୁଦ୍ରର ଢେଉ ପରି ଅସ୍ଥିର, ଅଧୀର ଓ ଉଦଗ୍ରୀବ ।  

  

ମଣିଷର ସବୁ ଆଶା ମଉଳି ଗଲେ, ମଣିଷ ଗୋବିନ୍ଦଙ୍କୁ ଭରସା କରେ । ଏ ମହାସଂକଟରୁ ଉଦ୍ଧାର କରିବା ପାଇଁ, କରୁଣା ବାରିଧି କାଳିଆ ଠାକୁରଙ୍କୁ, ଲୁହଡ଼ବଡ଼ବ ଆଖିରେ ଆକୁଳ ଆବେଦନ କଲେ ସଦାଶିବ ବାବୁ ।              


ତୃତୀୟ ଦିନ ଅପରାହ୍ନରେ କଲିଂବେଲ୍ ବାଜି ଉଠିଲା । ସଦାଶିବ ବାବୁଙ୍କର ମନ ଓ ହୃଦୟରେ ଆଶାର ସୂର୍ଯ୍ୟ ଉଇଁ ଆସିଲା । କିଏ ଆସିଛି ବୋଲି ଜାଣିବା ପାଇଁ କବାଟ ଖୋଲିଲାବେଳକୁ, ସାମ୍ନାରେ ଠିଆ ହୋଇଛି କାଳିଆ ।  


ବିଶାଳ ବପୁ । କଳା ମଚମଚ ନିଶ ସାଂଗକୁ, କଳା ମଚମଚ ଦେହ । ଚମକି ପଡିଲେ ସଦାଶିବ ବାବୁ । ଭୟ ଓ ଆଶଙ୍କା ରେ ବରଡାପତ୍ର ପରି ଆପାଦମସ୍ତକ ଥରିବାକୁ ଲାଗିଲେ ।  


କାଳିଆ, ସାହିର ଦାଦା । ଦାଦା ବଟି ଆଦାୟ କରିବାରେ ଓସ୍ତାତ । ଗଣେଶ ପୂଜା, ଦୁର୍ଗା ପୂଜା ସମୟରେ, ସଦାଶିବ ବାବୁଙ୍କୁ ଅଶ୍ରାବ୍ଯ ଭାଷାରେ ଗାଳି ଗୁଲଜ କରି, ଧମକାଇ, ମୋଟା ଚାନ୍ଦା ଆଦାୟ କରେ । ଏବେ ତାଙ୍କ ମନ ଆକାଶରେ ଆଶଙ୍କାର ଘୂର୍ଣ୍ଣିଝଡ । କରୋନା ସମୟରେ, ସେ ବିପଦ ନଈରେ ଉବୁଟୁବୁ ହେଉଥିବା ସମୟରେ, ଫାଇଦା ଉଠାଇବାକୁ ଆସିଛି କାଳିଆ । ଭୁଜାଲି ଦେଖାଇ, ତାଙ୍କଠାରୁ ସବୁ ଲୁଟି ନେଇ, ତାଙ୍କ ଘରେ କଳାକନା ବୁଲାଇଦେବ ।  

   

ସ୍ବଭାବସୁଲଭ ଗୁରୁ ଗମ୍ଭୀର କଣ୍ଠରେ କହିଲା - ମାଉସୀଙ୍କର କରୋନାରେ ମୃତ୍ୟୁ ହୋଇଛି ବୋଲି ଏ ଖଣ୍ଡ ମଣ୍ଡଳରେ ହାଲା ହୋଇ ଯାଇଛି । ।ମାଉସୀଙ୍କର କଣ କ୍ରିୟା କର୍ମ କଲେଣି ? 


-ନା,କିଛି କରିପାରିନି । ।ଆମଘରକୁ କେହି ଆସୁନାହାନ୍ତି ।  


-ଆପଣ ବ୍ଯସ୍ତ ହୁଅନ୍ତୁନି । ମୁଁ ସବୁ ବାହାର କାମ ସମ୍ଭାଳି ନେବି । ମୋ ସ୍ତ୍ରୀ ଲକ୍ଷ୍ମୀ, ଘରଭିତର କାମ ତୁଲାଇ ନେବ ।  ହଁ, ମୁଖାଗ୍ନି କିଏ ଦେବ ?


- କେହି ଆସିବେନି । ତୁ ଦେ ।

-ଏହା କିପରି ସମ୍ଭବ ?  ଆପଣ ଉଚ୍ଚ ଜାତିର ବ୍ରାହ୍ମଣ । ମୋର ଜାତି ଗୋତ୍ରର ଠିକଣା ନାହିଁ । ମୁଁ ଆପଣଙ୍କ ସଂପର୍କୀୟ ନୁହେଁ ।  


କାଳିଆର ହାତକୁ ମୁଠାଇଧରି ସଦାଶିବ ବାବୁ କହିଲେ- ତୋତେ ହିଁ ସବୁ କରିବାକୁ ପଡ଼ିବ । ମୋର କେହି ସାହାଭରସା ନାହିଁ, -କହିଲାବେଳକୁ ତାଙ୍କ ଆଖିରୁ ଦୁଇଟି ବରକୋଳିଆ ଲୁହଟୋପା ଖସି କାଳିଆର ହାତକୁ ଭିଜାଇଦେଲା ।  

  

କାଳିଆ ଓ ଲକ୍ଷ୍ମୀ ମିଶି, ଦଶାହ ଓ ଏକାଦଶାହ ଇତ୍ୟାଦି ସବୁ କାମ ସୁଚାରୁ ରୂପେ ସମ୍ପାଦନ କଲେ । ।ସଦାଶିବଙ୍କ ହାତଗୋଡ଼ ଲାଗିଲାନି ।  


ସେ ଭାବୁଥିଲେ -କାଳିଆ ଠାକୁର'ର, କରୁଣା ବାରିଧି । ତାଙ୍କ ବିକଳ ପ୍ରାର୍ଥନା ଶୁଣି, ବିପଦରୁ ଉଦ୍ଧାର କରି ବାକୁ, କାଳିଆକୁ ପଠାଇଛନ୍ତି । ଭଦ୍ର, ସଭ୍ଯ, ଶିକ୍ଷିତ, ସୁ -ନାଗରିକମାନେ, ସ୍ବାର୍ଥର ବୃତ୍ତଭିତରେ ସୁରକ୍ଷିତ ରହିବାକୁ ଚାହାନ୍ତି । ହଲିଲା ପାଣିରେ ଗୋଡ଼ ପୁରାନ୍ତିନି । ତାଙ୍କ ବୃତ୍ତର ବଳୟ ବାହାରେ ଥିବା ମଣିଷମାନେ, ଯନ୍ତ୍ରଣାରେ ଛଟପଟ ହେଉଥିବା ସମୟରେ ସେମାନେ ନିରାପଦ ଦୂରତାରେ ରହିବାକୁ ଶ୍ରେୟସ୍କର ଭାବନ୍ତି । ।କାଳିଆଭଳି, ଜୀବନକୁ ପାଣି ଛଡେଇ,  ଚାରିଦଉଡିକଟା ମଣିଷମାନେ, ବଢ଼ିଲା ମଝି ନଈକୁ, ବିନା ଦ୍ବନ୍ଦ୍ବ, ବିନା ଦ୍ବିଧାରେ ଡେଇଁପଡି, ଅସହାୟ ମଣିଷମାନଙ୍କୁ କୂଳରେ ଲଗାଇ ଦିଅନ୍ତି ।  

  

ସପ୍ତାହକ ପରେ, କାଳିଆ ଓ ଲକ୍ଷ୍ମୀକୁ ଘରକୁ ଡ଼ାକି, ଉତ୍କଣ୍ଠାର ସହ ପଚାରିଲେ -କାଳିଆ, ତୁ ଦସ୍ଯୁ ରତ୍ନାକର ଥିଲୁ । କିପରି ବାଲ୍ମୀକି ହେଲୁ ?


- ସବୁ ସେହି କାଳିଆର ଲୀଳା । ଚାରିମାସ ତଳେ, ଲକ୍ଷ୍ମୀକୁ ବାହାହେଲା ପରେ, ସେ ମୋତେ ଗୋଡେ ଗୋଡେ ଜଗିଛି । ମୁଁ ଯେପରି ବାଟଛାଡି ଅବାଟକୁ ନଯାଏ । ମୋତେ କହିଲା, ଆଗରୁ ମଉସାଙ୍କୁ ଖରାପ ବ୍ୟବହାର କରିଛ । ବିପଦ ସମୟରେ ତାଙ୍କୁ ସାହାଯ୍ୟ କରି ପାପର ପ୍ରାୟଶ୍ଚିତ କର ।  

 

ସଦାଶିବ ବାବୁ, ଦୁଇ ଜଣଙ୍କ ହାତକୁ ଜାବୁଡ଼ି ଧରି କହିଲେ - ତୁମେ ଦୁଇ ଜଣ ମୋର ବଡ଼ ଉପକାର କରିଛ । ତୁମ ଋଣ ମୁଁ ଶୁଝି ପାରିବିନି । ମୁଁ ଦୁଇଟି ଅନୁରୋଧ କରିବି । ।ତୁମେ ନିଶ୍ଚୟ ରଖିବ । ମୋ ସ୍ତ୍ରୀ ପାର୍ବତୀ ମୋତେ କହିଥିଲା, ଯେ ତାର ମୁଖାଗ୍ନି ଦେବ, ତାକୁ ତାର ଅଳଙ୍କାରକୁ ଉପହାର ଦେବ । ଏ ଗହଣା ତୁମେ ନେଲେ, ତାର ଆତ୍ମା ଶାନ୍ତି ପାଇବ । ଦ୍ବିତୀୟ କଥା ହେଲା, ଏ ଆପାର୍ଟମେଂଟରେ ମୋର ଦୁଇଟି ଫ୍ଲାଟ ଅଛି । ପାଖ ଫ୍ଲାଟକୁ ତୁମ ଦୁଇ ଜଣଙ୍କ ନାମରେ ମୁଁ ଉଇଲ୍ କରିଦେଇଛି । ତୁମେ ସେଠାରେ ରହି ମୋ ଦେଖାଶୁଣା କରିବ । ।ତୁମେମାନେ ମୋର ରାହା ଆଉ ସାହା । ନହେଲେ ମୁଁ ବଞ୍ଚି ଥାଉଥାଉ ମରିଯିବି ।  


ସଦାଶିବ ବାବୁଙ୍କ ପାଟିରୁ କଥା ଛଡ଼ାଇ ନେଇ କାଳିଆ କହିଲା- ନାଇଁ ମଉସା । ଆମେ ନେବୁନି । ଏହା ଆପଣଙ୍କ ପୁଅମାନଙ୍କର ହକ୍ । ଆମେ ନେଲେ, ଆମକୁ ପାପ ଲାଗିବ ।  

ସଦାଶିବ ବାବୁ ଥରିଲା ଥରିଲା କଣ୍ଠରେ କହିଲେ - କିଏ କାହାର ପୁଅ ? ଖାଲି ରକ୍ତରୁ 

ଜନ୍ମ ହୋଇଗଲେ, କେହି କାହାର ପୁଅ ହୋଇ ଯାଏନା । ବାର୍ଦ୍ଧକ୍ୟ, ବ୍ଯଥା ଆଉ ବେଦନାରେ ଯିଏ ପାଖରେ ଠିଆ ହେଲା, ଶେଷ ଜୀବନରେ ପେଟକୁ ଗଣ୍ଡେ ଦାନା, ତୁଣ୍ଡରେ ଟିକେ ପାଣି ଦେଲା, ରୋଗଯନ୍ତ୍ରଣାରେ ଜଳୁଥିବା ସମୟରେ, ଆହାବୋଲି କହି ଟିକିଏ ଆଉଁଶି ଦେଲା, ସେ ହିଁ ପ୍ରକୃତ ପୁଅ ।  

   

ଲୁହ ଟଳମଳ ଆଖିରେ କାଳିଆ ଓ ଲକ୍ଷ୍ମୀ ଅପଲକ ନୟନରେ ସଦାଶିବ ବାବୁ ଙ୍କୁ ଅନାଇ ରହିଥିଲେ।



Rate this content
Log in

More oriya story from Goutam Mohanty

Similar oriya story from Tragedy