ପୁଅ ଛେଉଣ୍ଡ ବୃଦ୍ଧ
ପୁଅ ଛେଉଣ୍ଡ ବୃଦ୍ଧ
କୁହୁଡ଼ି ଭର୍ତ୍ତି ଅନ୍ଧାରୁଆ ଶିତୁଆ ସକାଳରେ ଶୀତର ପ୍ରକୋପ ଏତେ ଥିଲା ଯେ ସେଦିନ ଜଣେ ବୃଦ୍ଧ ବ୍ୟକ୍ତିର ଦେହ ଶହେ ଦୁଇ ଡିଗ୍ରୀ ଜ୍ବର ପରି କମ୍ପୁଥାଏ । ତଥାପି ସେ ବାଡି଼ରୁ କିଛି ଶୁଖିଲା ପତ୍ର ଓ କାଠ ସଂଗ୍ରହ କରି ନିଆଁ ଜାଳିବାକୁ ଚେଷ୍ଟା କରୁଥାଏ ।
-ଏଥର ଅଗ୍ନିର ତାପରେ କମ୍ପନ କମି କମି ଆସିଲା ବୋଧେ ଆଶ୍ବସ୍ତ ଅନୁଭବ କରି ଲତକିନା ବସିପଡିଲା ଭୂଇଁରେ ।
ଡାହାଣ ପାଖରେ ପୋଷା କୁକୁର ବସି ଏସବୁର ଲକ୍ଷ୍ୟ କରୁଥାଏ । ଯେମିତି ତାକୁ ବି ଗରମର ଆବଶ୍ୟକତା ଥିଲା । ସେ ବଶ ହୋଇ ଯାଇଛି ତା ସ୍ନେହରେ । ଜଗୁଆଲ ସାଜୁଛି ସାରା ରାତି ବିଛଣା କଡରେ ଶୋଇ । ତା ପାଇଁ ବୋଲି ତ ଶାନ୍ତିରେ ନିଦଟିଏ ମାରିପାରେ ବୃଦ୍ଧ ।
ସେ ପ୍ରଭାତର ଟାଣ ଖରାକୁ ଅପେକ୍ଷା କରୁ କରୁ ବାହାରି ପଡ଼ିଲା, ଜମିହିଡ଼ ରାସ୍ତାରେ କୁକୁର ସହ ସହର ଆଡକୁ । ଶୀତ ଋତୁ ମନ ଦୁଃଖ କରିଥାଏ କି କେଜାଣି ଫୁଲର ବାସ୍ନା ତା ନାକ ଗହ୍ବରକୁ ପହଞ୍ଚୁ ନଥାଏ । ସେ ଫୁଲ ଫୁଟିଥିବା ଗଛ ଖୋଜୁ ଖୋଜୁ ରାଜରାସ୍ତାକୁ ଓହ୍ଲାଇ ପଡିଲା । ଟିକିଏ ଅଟକି ଦେଖିଲା, ଆଗ ଅପେକ୍ଷା ସେଠାରେ ଗାଡ଼ି-ମଟର ର ଭିଡ କ୍ରମଶଃ ବୃଦ୍ଧି ପାଇଛି । ଆଗକୁ ବଢ଼ିଚାଲିଲା...।
ଅନତି ଦୁରରୁ ଆଖି ଉପରେ ହାତ ଦେଇ ସହରକୁ ନିରୀକ୍ଷଣ କଲା । ମଧ୍ୟାହ୍ନ ଖରାରେ କୋଠାସବୁ ଝାପ୍ସା ଝାପ୍ସା ଦେଖା ଯାଉଥିଲା । ରାସ୍ତା କଡ଼ର ଗଛ ଛାଇରେ ଅନେକ ଥର ଅଟକି, ବିଶ୍ରାମ ନେଇ, ପହଞ୍ଚି ଗଲା ସହରକୁ ।
ସହର ଭିତରକୁ ଯିବା ରାସ୍ତା କଡର ପ୍ରଥମ ଜଳଖିଆ ଦୋକାନରେ
ପହଞ୍ଚି ଗୋଟିଏ ପ୍ଲେଟ୍ ଚିରା ଖବର କାଗଜରେ କୁକୁରଟିକୁ ଖାଇବାକୁ ଦେଲା । ଆଉ ବାକି ନିଜେ ଖାଇଲା ପରେ ଗୋଟିଏ ଗ୍ଳାସ ପାଣି ଏକ ନିଶ୍ବାସରେ ମାରିନେଲା ।
- ଦୁଇ ପ୍ଳେଟକୁ କେତେ ଟଙ୍କା ଆଜ୍ଞା ?
-ତିରିଶି, ଏଇ ନିଅନ୍ତୁ...
ବଡେଇ ଦେଲା ତିନୋଟି ମଇଲା ଅସଜଡା ଦଶ ଟଙ୍କିଆ ନୋଟ୍ ।
ଦୁହେଁ ପଶିଲେ ସହର ଭିତରକୁ...ଅନେକ ଦପ୍ତର ଠିଆ ହୋଇଛି ଲୋକଙ୍କ ଭିଡ଼ରେ ଥୁଣ୍ଟା ଗଛଟିଏ ପରି ...ମଣିଷମାନେ ପକ୍ଷୀ ଓ ମୂଷା ସଦୃଶ ଏକ କୋଠରୀରୁ ଅନ୍ୟ ଏକ କୋଠରୀକୁ ଯା ଆସ କରୁଥାନ୍ତି ।
ବଡ଼ ବ୍ୟାନର ଉପରେ ନଜର ପକାଇଲା ବୃଦ୍ଧ "ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁ" ର ନାରା ବଡ଼ ବଡ଼ ଅକ୍ଷରରେ ଲେଖା ହୋଇଥାଏ କିନ୍ତୁ ସେହି ବ୍ୟାନର ର ତଳରେ କଁଅଳ ଶିଶୁମାନେ ଜରି, ପ୍ଲାଷ୍ଟିକ ବୋଟଲ୍ ଓ ଅନ୍ୟାନ୍ୟ ଭଙ୍ଗା ପ୍ଲାଷ୍ଟିକ ଗୋଟାଉଛନ୍ତି । ବୃଦ୍ଧର ମନରେ ଭିନ୍ନ ପ୍ରଶ୍ନ ଉଙ୍କି ମାରିଲା-
ଏଇ ସହରରେ ଶିକ୍ଷିତ, ଧନୀ ଓ ଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀମାନେ ଥିବା ସତ୍ତ୍ବେ କିନ୍ତୁ ଆଜିଯାଏଁ କାହାର ନଜର ଏମାନଙ୍କର ଉପରେ ପଡୁନାହିଁ କାହିଁକି ? ଧିକ୍ ତାଙ୍କର ଶିକ୍ଷିତ ସମାଜକୁ...ଏଇ...ସ୍ବାର୍ଥପର ମଣିଷମାନଙ୍କୁ !!
ଗାମୁଛା କାନ୍ଧରେ ପକାଇ ଆଗକୁ ପାଦ କାଢିଲା । ହଠାତ୍ ଆଖି ପଡିଲା କୋଟି କୋଟି ଟଙ୍କାରେ ନିର୍ମାଣ ହୋଇଥିବା ମନ୍ଦିରକୁ । ଯେଉଁଠି ଅନେକ ବୃଦ୍ଧ ଭିକ୍ଷାବୃତ୍ତି କରୁଛନ୍ତି । ଠିକ୍ ପୁଅ ଛେଉଣ୍ଡ ବାପା ଓ ମାଆ ପରି । ସେମାନଙ୍କ ଠାରେ ମଧ୍ୟ ତା ପରି ଅନେକ କରୁଣ କାହାଣୀ ନିଶ୍ଚୟ ଲୁଚିଯାଉଥିବ । କିନ୍ତୁ ସେମାନଙ୍କୁ ପଚାରି ବୁଝିବାର ସମୟ ନଥିଲା ତା ପାଖରେ ।
ଏଦୃଶ୍ୟ ଦେଖୁ ଦେଖୁ ସହରର ଛକରେ ପହଞ୍ଚିଗଲା ।
ଅନେକଙ୍କୁ ପଚାରି ବୁଝିଲା ତା ପୁଅ ଦୁହିଁଙ୍କର ଠିକଣା । ବହୁତ ଖୋଜିଲା ପରେ ଶେଷରେ ବଡ ପୁଅଙ୍କର ଠିକଣା ପାଇଲା । ପହଞ୍ଚି ଦେଖିଲା ବିରାଟ ବିଳାସପୂର୍ଣ୍ଣ କୋଠା ଠିକ୍ ଇନ୍ଦ୍ରମହଲ ପରି ଲାଗୁଛି । ପାଖକୁ ଯାଇ ହାଲକା ଭାବରେ କବାଟକୁ ପିଟିଲା । ଚାକଚକ୍ୟ ସ୍ତ୍ରୀ ଲୋକ ଜଣେ ବାହାରି ଦେଖିଲେ ବୃଦ୍ଧ ବ୍ୟକ୍ତି ଜଣେ କୁକୁର ସହ ଦ୍ବାର ମୁହଁରେ ଠିଆ ହୋଇଛି ।
- "ମାଆ ମତେ ଚିହ୍ନି ପାରୁଛ ?"
-ନା..!
-"ମୁଁ ତୁମ ସ୍ୱାମୀଙ୍କର ବାପା ।" ଧିରେ କହିଲା ।
ଆଶ୍ଚର୍ଯ୍ୟ ହୋଇଗଲା ସ୍ତ୍ରୀ ଲୋକ ! ବଦଳି ଗଲା ମୁହଁର ରଙ୍ଗ । ସେହି କ୍ଷଣି କୁନି କୁନି ପୁଅ ଓ ଝିଅ ଦୁହେଁ ସ୍କୁଲ୍ ଡ୍ରେସ୍ ପିନ୍ଧି ମାଆ ନିକଟକୁ ଧାଇଁ ଆସିଲେ ।
-ମାଆ ଏ କିଏ ? ପ୍ରଶ୍ନ କଲା କୁନି ଝିଅ ।
ନୀରବଦ୍ରଷ୍ଟା ପାଲଟି ଯାଇଥିଲା ସ୍ତ୍ରୀ ଲୋକ । କ'ଣ କହି ଉତ୍ତର ଦେବ ନିଜ ସନ୍ତାନକୁ, ଶେଷରେ ନିରୁତ୍ତର ରହିବାକୁ ପସନ୍ଦ କଲା ।
- ତୁମମାନଙ୍କ...
ସେହି ପ୍ରଶ୍ନର ଉତ୍ତର ବୃଦ୍ଧ କହିବାକୁ ଆରମ୍ଭ କରୁ କରୁ ସ୍ତ୍ରୀ ଲୋକ କହି ପକାଇଲା -
"ନା ଜାଣିନି, ତୁମେ ଏଠୁ ଚାଲିଯାଅ" ସ୍ତ୍ରୀ ଲୋକ ପୁଅଝିଅକୁ ନେଇ କବାଟକୁ ଏକାଥରେ ବନ୍ଦ କରିଦେଲା ।
ବୃଦ୍ଧ ସ୍ଥିର ନୟନରେ ଅନାଇଲା ବନ୍ଦ କରି ଦେଇଥିବା କବାଟକୁ । ତା ଆଖିରେ ଏଥର ଲୁହ ଭାସି ଆସୁଥିଲା ସମୂଦ୍ରର ଢେଉ ପରି । ପାହାଚ ତଳରୁ ଦୁଇ ଚାରି ପାଦ ପଛକୁ ଫେରି ନିର୍ଜନ ସ୍ଥାନରେ କୁକୁରକୁ ଧରି କାନ୍ଦିଲା, ଆରାମ ଲାଗିବା ପର୍ଯ୍ୟନ୍ତ । ଶାନ୍ତ ଚିତ୍ତରେ ଭାବିଲା, ପୁଅ ରହିଥିଲେ ବୋଧେ ବୁଝିଥାନ୍ତା । ଚାଲି ଆସିଲା ଅଲଗା ଗଳିକୁ ଯେଉଁଠାରେ ଲୋକଙ୍କ ଭିଡ଼ ଟିକେ ଅଧିକ ।
ସହରୀ କୁକୁର ଓ ବୃଦ୍ଧର କୁକୁର ଦେଖାଦେଖି ହୋଇ ଭୁକୁଥାନ୍ତି । ପୋଷା କୁକୁର ମାଲିକର ବାମ କଡ଼ରେ ଚାଲୁଥାଏ । ବୃଦ୍ଧ ନିଜକୁ ପ୍ରଶ୍ନ କଲା- କୁକୁର ପଶୁ ହୋଇ କୁକୁରକୁ ଦେଖି ଚିହ୍ନିପାରୁଛି ଯଦି ଏଠାରେ ମଣିଷ ଶ୍ରେଷ୍ଠ ଜୀବ ହୋଇ ମଣିଷକୁ ଚିହ୍ନି ପାରୁ ନାହିଁ କାହିଁକି ?
ଏଥର ସ୍ଥିର କଲା ସାନ ପୁଅର ଠିକଣା ପଚାରିବ । ସହର ରାସ୍ତାର ଡାହାଣ କଡରେ ଚାଲୁ ଚାଲୁ କାର କାଚ ଭିତରେ ଦେଖିଲା ଯୁବକ ଜଣଙ୍କର ସୁନ୍ଦର ଚେହେରାଟିଏ । ବିଲକୁଲ ତା ସାନ ପୁଅର ମୁହଁ ସହ ମିଶୁଥିଲା । ଦଶ ବର୍ଷରେ ନିଶ ଓ ଦାଢ଼ିର ଗଠନରେ ବଦଳି ଯାଇଥିବା ମୁହଁ ପରି ।
-ପାଖକୁ ଯାଇ ଗେହ୍ଲାରେ କହିଲା- "ସାନ ପୁଅ...ଏ.. ପୁଅ, ସାନ ପୁଅ... ଏ ସାନ ପୁଅ.....।"
ତା କଥାର ଶବ୍ଦ ଯୁବକ ପାଖକୁ ପହଞ୍ଚି ପାରୁନଥିଲା । ଦୁହିଁଙ୍କ ମଧ୍ୟରେ କାର କାଚ ଓ କାନ ଭିତରେ ଗୁଞ୍ଜି ହୋଇ ବାଜୁଥିବା ମୋବାଇଲ ଏୟାରଫୋନର ଗୀତ ବାଧକ ସାଜିଲା ।
-"ସାନ ପୁଅ...ଏ ସାନ ପୁଅ..."। ପୁଣି ଥରେ ଉଚ୍ଚ ସ୍ୱରରେ କହିଲା । ନା କୌଣସି ପ୍ରଭାବ ନାହିଁ ।
ଶେଷରେ ଆଙ୍ଗୁଠି ସାହାଯ୍ୟରେ କାଚକୁ ଠକ୍ ଠକ୍ କଲା ।
ଏଥର ଭିକାରୀ ବୁଝି ଅନ୍ୟମନସ୍କରେ ଅନାଇ ହାତକୁ ଇସାରା କଲା ଯୁବକ-
"ଯାଅ...ଟଙ୍କା..ନାହିଁ..."।
ବୃଦ୍ଧ ଚୁପ୍ ରହି ପାରିଲା ନାହିଁ ପୁଣି ଥରେ କାର୍ କାଚକୁ ଠକ୍..ଠକ୍..ଠକ୍...କଲା ।
ଯୁବକ ରାଗରେ ଅନାଇଲା ଏଥର । ରାଗ ଦେଖି ବୃଦ୍ଧ ଜଣକ ଚୁପ୍ ହୋଇଗଲା, କିଛି କହି ପାରିଲା ନାହିଁ । ଭିତରକୁ ପଶି ଯାଇଥିବା ଆଖି ଦୁଇଟା ଲୁହରେ ଟଳମଳ ହେଲା । ହଠାତ୍ ବୁଲିପଡି ଗାମୁଛାରେ ଲୁହ ପୋଛି ପୁଣି ଆୟତକୁ ଫେରିଲା । ଯୁବକ ଜଣକ ଏସବୁ ଲକ୍ଷ୍ୟ କରୁଥାଏ ।
-ବୃଦ୍ଧ ଭାବିଲା-"ବାପାର ପରିଚୟ ନ ଦେଇ ଫେରିଗଲେ ଭଲ ହୁଅନ୍ତା । ମୋ ବିନା ଏମାନେ ଖୁସିରେ ଅଛନ୍ତି" ।
ବୃଦ୍ଧର କୁଞ୍ଚି କୁଞ୍ଚି ଘନ ନିଶ-ଦାଡି଼ ଧଳା ଦିଶୁଥାଏ ବୋଲି ଯୁବକ ଚିହ୍ନି ପାରିଲା ନାହିଁ । ଯୁବକ କାରରୁ ଓହ୍ଲାଇ ଅବଶ ଦେଖା ଯାଉଥିବା ବୃଦ୍ଧ ନିକଟକୁ ଯାଇ ପଚାରିଲା-
-"ତମେ ମତେ ଦେଖି କାନ୍ଦୁଛ କାହିଁକି" ??
ବୃଦ୍ଧର ପାଟି ଶୁଖିଗଲା, ଯୁବକର ପ୍ରଶ୍ନ ଶୁଣି, ଓଠ ଯୋଡି଼ ଥରିବାକୁ ଲାଗିଲା.. । ମୁଣ୍ଡ ତଳକୁ କରି ଜବାବ୍ ଦାଖଲ କଲା ବୃଦ୍ଧ-
-"ମୋ ପୁଅ ଦୁହେଁ ଦଶବର୍ଷ ହେଲା ଏ ସହରରେ ରହୁଛନ୍ତି ଆଜ୍ଞା..ହେଲେ ଆଜି ପର୍ଯ୍ୟନ୍ତ ବାପାମାଆର କଥା ପଚାରି ବୁଝିବାରେ ସେମାନେ ଅସମର୍ଥ । ସେମାନଙ୍କୁ ଶିକ୍ଷିତ କରି ଗଢିଛି..! ବଡ ବଡ ପଦବରେ ରହୁଛନ୍ତି ! ଶିକ୍ଷାରେ ଟିକିଏ ତୃଟି ରହିଗଲା ଆଜ୍ଞା... ବାପା ମାଆଙ୍କର ଯତ୍ନ ନେବା କଥା ଶିକ୍ଷା ଦେଇ ପାରିଲିନି ବୋଲି ଆଜି ସେ ଦୁହିଁଙ୍କୁ ମତେ ଖୋଜିବାକୁ ପଡୁଛି, ସହର ଗଳିକନ୍ଦିରେ ବୁଲି । ତୁମ ମୁହଁ ଠିକ୍ ମୋ ସାନ ପୁଅ ଭଲି ତେଣୁ......।" ଏଥର କଣ୍ଠ ରୁଦ୍ଧ ହୋଇଗଲା ଆଉ କହି ପାରିଲା ନାହିଁ । ଭାବିଲା ପୁଣି ଫେରିଯିବ ନିଜ ଜନ୍ମମାଟିକୁ.....।
-ତୁମେ ବଡ ପୁଅ ପାଖକୁ କେବେ ଯାଇଛ ?? ବାପାଙ୍କୁ ଚିହ୍ନିପାରି ଅଭିନୟ ସହକାରେ ପ୍ରଶ୍ନ କଲା ଯୁବକ ।
-"ହଁ...ତା ସ୍ତ୍ରୀ ସବୁ ଜାଣିଶୁଣି ନିଷ୍ଠୁରତାର ସହ ଫେରିଯିବାକୁ କହିଲେ ମୁଁ ସେଇଠୁ ପଲେଇ ଆସିଛି !!" କୋହଭରା କଣ୍ଠରେ କହିଲା ବୃଦ୍ଧ...।
ଯୁବକ ନିଜ ପରିଚୟ ନ ଦେଇ, ଟିକିଏ ଦୁରକୁ ଯାଇ ବଡ ଭାଇକୁ ଫୋନ କରି ସବୁତକ କଥା ଜଣାଇଲା ।।
କିଛି କ୍ଷଣପରେ ଓଲଟି ଫେରି ଦେଖିଲା, ବୃଦ୍ଧ ସେଇଠୁ ଉଭାନ ହୋଇ ସାରିଥିଲା । ଯୁବକ ଚାରିଆଡ଼େ ଖୋଜଲା ନିଜ ବାପାକୁ ପାଇଲା ନାହିଁ...।
ବୃଦ୍ଧ ମନରେ ଏତେ ପୁତ୍ରସ୍ନେହ ଥିଲା ଯେ ତା ପେଟ ଭୋକର ଖବର ଦେଇ ପାରିନଥିଲା । ସେ ଶେଷ ଥର ପାଇଁ ଓଲଟି ଦେଖିଥିଲା ସହର ଆଡକୁ । ଏଥର ଗାଢ଼ ଅନ୍ଧାରର ଖୋଳପାରେ ଲୁଚିଯାଉଥିଲା ପୃଥିବୀ କିନ୍ତୁ ମଣିଷର କୃତ୍ରିମ ଆଲୁଅରେ ଦିପ୍ ଦିପ୍ ଜଳୁଥିଲା ସହରର ସବୁ କୋଠା ଓ ରାସ୍ତାକଡ଼ । ବୃଦ୍ଧ ଫେରିଗଲା ସନ୍ଧ୍ୟା ସମୟର ଶେଷ ସୂର୍ଯ୍ୟ କିରଣରେ । ଏ ସହରୀ ରାସ୍ତାରେ କେବେ ନ ଆସିବାର ସଂକଳ୍ପ ରଖି ଦେଇ ଚାଲିଗଲା ।
-ଅନେକ ଖୋଜା ଖୋଜି ପରେ ଦୁଇ ଭାଇ ଶେଷ ନିଷ୍ପତ୍ତି ନେଲେ ଯେ ବାପା ଫେରି ଯାଇଥିବେ, ଆସନ୍ତା କାଲି ସକାଳୁ ଦୁହେଁ ବାପାକୁ ଆଣିବା ପାଇଁ ଗାଁକୁ ଯିବା ।
ଘୋର ଅନ୍ଧକାର ରାଜରାସ୍ତାରେ ବେଳେବେଳେ ଗାଡ଼ିର ଆଲୁଅ ଓ କୁକୁର ସାହାଯ୍ୟରେ ଏକଲୟ ହୋଇ ଆଗକୁ ମାଡ଼ିଚାଲିଲା । ଭୟ ନ ଥିଲା ମୃତ୍ୟୁକୁ ନା ଭବିଷ୍ୟତକୁ । ଚାଲୁ ଚାଲୁ ଥକି ପଡିଲା ବୁଢ଼ା ପାଦରେ... ଆଉ ଆଗକୁ ଯିବା ପାଇଁ ଦୁହିଁ ଗୋଡ଼ ସମର୍ଥ ହେଲା ନାହିଁ । ଲମ୍ବା ଥକ୍କା ଟିଏ ମାରି ବସିଗଲା ରାସ୍ତା କଡ଼ରେ । ଆଉ ଉଠି ପାରିଲା ନାହିଁ ।
-ପାଣି....ପାଣି...ପାଣି..ପାଣି. ଶୁଷ୍କ କଣ୍ଠରେ ଡାକିଲା ।
ନିଶ୍ବାସର ଗତି କମିବାରେ ଲାଗିଲା । ବୁଢ଼ା ଅଣନିଶ୍ବାସୀ ହେଲା...ଜୀବନର ଶେଷ ଯୁଦ୍ଧ କଲା ମୃତ୍ୟୁ ସହ..ପାରିଲା ନାହିଁ ।
କଲବଲ ହୋଇ ରାତି ଏଗାରଟାରେ ଜୀବନ ଦୀପ ଲିଭିଗଲା ।
ଶବ ପାଖରେ ଜୀବନର ଶେଷ ବନ୍ଧୁ ଘୂରି ବୁଲୁଥିଲା ସବୁଦିନ ପରି,ସେ କେତେବେଳେ ଉଠିବ..??
କେହି ଜଣେ ଖବର ଦେଲା ପୋଲିସକୁ...ପୋଲିସ ଆସି ଗୋଟା ପାହାର ମାଡ ମାରି କୁକୁରକୁ ଖେଦିଦେଲା । ଅନତି ଦୂରରେ ବସି ବୁଝିବାକୁ ଚେଷ୍ଟା କରୁଥିଲା କୁକୁର...ପଶୁ ହୋଇ ଲୁହ ଧାରେ ଢାଲିଥିଲା ।
ସମ୍ବାଦିକ ଆସି ଲାଇଟ୍ ସାହାଯ୍ୟରେ ଫଟୋ ଉତ୍ତୋଳନ କଲା ପରେ ବୃଦ୍ଧକୁ ଗାଡ଼ିରେ ଲଦି ନେଇଯାଉଥିଲେ ଅନେକ ଦୂରକୁ...କେବଳ ଗାଡ଼ିର ଲାଲ ସାଇରନ୍ ଲାଇଟ୍ ହିଁ ଶେଷ ଦର୍ଶନ ଥିଲା । କୁକୁର ମଝି ରାସ୍ତା ଗାଡ଼ି ପଛରେ କେତେ ଦୂର ଦୌଡ଼ିଥିଲା..
ଆଉ ସେ ବି ଲୁଚି ଯାଇଥିଲା ଅନ୍ଧାର ର କୋରଡ଼ରେ ।
ସକାଳ ପାହୁଣୁ ପେପର ବାଲା ପେପର ଫିଙ୍ଗିଦେଇଥିଲା ସମସ୍ତଙ୍କ କବାଟ ଦୁଆରେ । ପ୍ରଥମ ପୃଷ୍ଠା ମଣ୍ଡନ କରିଥିଲା- "ରାସ୍ତା କଡ଼ରେ ଅଜଣା ବୃଦ୍ଧର ମୃତ୍ୟୁ" ।
ମାନବିକତା ହଜି ସାରିଥିଲା...ତଥାପି ଦୁଇ ପୁଅ ଅନୁତାପ କରି ପୋଲିସ ଷ୍ଟେସନରେ ପହଞ୍ଚିଥିଲେ । କାନ୍ଦୁଥିଲେ ଶବକୁ ଧରି...। ବୁଝି ସାରିଥିଲେ ସେମାନେ କ୍ଷମାର ପାତ୍ର ନୁହନ୍ତି । କାରଣ ଛୋଟିଆ ଭୁଲ ପାଇଁ ମଣିଷ କରି ଗଢିଥିବା ମଣିଷକୁ ଭୁଲିଯାଇଥିଲେ । ମଣିଷ ପଣିଆ ମରିଯାଇଥିଲା କେବଳ ଅନୁତାପ ହିଁ ବଞ୍ଚିଥିଲା..