STORYMIRROR

KRUTIBAS NAYAK

Tragedy Inspirational

3  

KRUTIBAS NAYAK

Tragedy Inspirational

ପତ୍ନୀ ସରୋଜିନୀ

ପତ୍ନୀ ସରୋଜିନୀ

10 mins
255

ଡାକ୍ତର ଚନ୍ଦନ ବାବୁ ବିରକ୍ତହେଇ ଦାଣ୍ଡ ଦୁଆରକୁ ବାହାରି ଆସି ମନକୁ ମନ କହି ଚାଲିଲେ-"ପ୍ରତିଦିନ ଏଇମିତି ରାତି ସାତଟାରୁ ଦଶଟା ପର୍ଯ୍ୟନ୍ତ କରେଣ୍ଟ ଲାଇନ ଚାଲିଯାଉଛି | ଏଥିରେ ଆଉ ମଣିଷ ବସି ଲେଖାପଢ଼ା କରିବ କ'ଣ ? ଏଣେ ଗରମ ଯେ, ସହି ହେଉନାହିଁ |"

-"ଆହା ! ବାହାରେ କେତେ ବଢିଆ ଥଣ୍ଡା ପବନ ବହୁଛି | ଆସ ମ, ଗରମଟାରେ କାହିଁକି ଘର ଭିତରେ ପଶି ରହିଛ ? ଏବେ କ'ଣ ଲାଇନ ଆସିଯିବ ଯେ, ଅପେକ୍ଷା କରି ବସିଛ | ବାହାରକୁ ପଳେଇ ଆସ |" ଚନ୍ଦନବାବୁ ଘର ଭିତରକୁ ଚାହିଁ ପତ୍ନୀଙ୍କ ଉଦ୍ଦେଶ୍ୟରେ ଏଥର ଉଚ୍ଚ ସ୍ୱରରେ କହିଲେ |

ଘର ଭିତରୁ ସରୋଜିନୀ ଦେବୀ ଏକପ୍ରକାର ଗର୍ଜିଗର୍ଜି ଆସିଲେ-"ମୁଁ ତୁମକୁ ଆଗରୁ ମନା କରିଥିଲି ନା, ସେ ଅପନ୍ତରା ଜାଗାରେ ଜଏନ କରନା | ମୋ କଥା ତ ତମ କାନରେ ପଶିଲା ନାହିଁ | କଟକ, ପୁରୀ, ଭୁବନେଶ୍ୱର ଭଳି ଭଲଜାଗାରେ ଅନ୍ୟମାନେ କେମିତି ରହିପାରୁଛନ୍ତି ? କ'ଣ, ଓଡ଼ିଶାରେ ତମେ ଜଣେ ଡାକ୍ତର ହେଇଛ, ଖାଲି ମଫସଲ ରୋଗୀସେବା କରିବା ପାଇଁ ? ତମେ ତ ନିଜେ ବରବାଦ ହଉଛ-ହଉଛ, ତା'ସଂଗେ ସଂଗେ ମୋତେ, ଆଉ ମୋ ଛୁଆକୁ ବି ବରବାଦ କରିବାକୁ ବସିଛ | କାନଖୋଲି ମୋକଥା ଏଇ ଶେଷଥର ପାଇଁ ଶୁଣିନିଅ | ତମେ ଏଇଠି ରହି ପିଅନ ସୁଇପରଙ୍କ ହାତରନ୍ଧା ଖାଇ, ନିଷ୍ଠାର ସହିତ ରୋଗୀସେବା କରୁଥାଅ, ସେଥିରେ ମୋର କିଛି କହିବାର ନାହିଁ | ଭୁବନେଶ୍ୱରରେ ମୋ ପାଇଁ ଗୋଟାଏ ଭଡ଼ାଘର ଠିକ କରିଦିଅ, ମୁଁ ମୋର ଛୁଆକୁ ନେଇ ସେଇଠି ରହିବି | ତମର ନିଷ୍ଠାପର ସେବା ଦେଖି ଦେଖି ଏଠିକାର ଲୋକେ ତମକୁ ମହାପୁରୁଷ କହି ପୂଜା କରୁଥାଆନ୍ତୁ | ଆଉ ଏଠୁ ତମେ ଚାଲିଗଲା ପରେ ଡାକ୍ତରଖାନା ଆଗରେ ତମର ଗୋଟାଏ ମୂର୍ତ୍ତି ବସେଇ ସେମାନେ ସବୁଦିନ ଫୁଲ ଚନ୍ଦନ ଲଗାଉଥିବେ | ବୁଝିଲ, ମୁଁ ଆଉ ଏମିତି ମଫସଲରେ ରହିପାରିବି ନାହିଁ |"

ଏତିକିରେ ସରୋଜିନୀ ଦେବୀଙ୍କର କଥା ସରି ନ ଥିଲା | ନାକ ସୁ ସୁ କରି ପୁଣି କହିଲେ-"ବୁଝିଲ, ଏଥିପାଇଁ ମୁଁ ତମର ଦୋଷ ଦେଉନାହିଁ, ସବୁଦୋଷ ମୋ ବାପାଙ୍କର | ତମେ ଏମିତିକା ଡରକୁଳା ମଣିଷ ବୋଲି ଆମେ ଆଗରୁ ଜାଣିଥିଲେ, ମୋ ବୋଉ କେବେ ବି ଏମିତିକା ପ୍ରସ୍ତାବରେ ରାଜିହେଇ ନ ଥା'ନ୍ତା | ତମର ଭାଗ୍ୟଭଲ, ଆଉ ମୋ ଭାଗ୍ୟ ଖରାପ | କୋଉଠୁ କାହାପାଖରୁ ଖବର ପାଇ ବାପା ଆସି ବୋଉ ପାଖରେ କହିଲେ-" ସେ ପିଲାଟି ଭେରି ଇଣ୍ଟେଲିଜେଣ୍ଟ, ଦେଖିବାକୁ ପୁରୁଷୋତ୍ତମ ଶ୍ରୀରାମ ଆଉ ଗୁଣରେ ଶ୍ରୀକୃଷ୍ଣ, ଜ୍ଞାନରେ ସ୍ୱୟଂ ଗଣପତି | ପିଲାଟି ଖାଲି ଡାକ୍ତର ନୁହେଁ, ଖାଣ୍ଟି ସୁନା ମୁଣ୍ଡଟାଏ |"

ତାଙ୍କ କଥାଶୁଣି ବୋଉ ଜିଦ ଧରି ବସିଲା-" ଯାହା ହେଲେ ବି ମୁଁ ମୋ ସେଇଠି ମୋ ଝିଅକୁ ବାହାଦେବି | ସେ ମୋର ଅନେକ ଜନ୍ମର କଳ୍ପିତ ଜ୍ୱାଇଁ | ମୋତେ ନ ପଚାରି ନିଜେ ବାପା-ବୋଉ ଦୁହେଁ ମୋର ବାହାଘର ଠିକ କରିଦେଲେ, ମୋତେ ବି ଟିକେ ଆଗରୁ ତମକୁ ଦେଖିବାକୁ ସୁଯୋଗ ଦେଲେନାହିଁ | ଏବେ ଦେଖିଲାବେଳକୁ ତମେ ବାପାଙ୍କର ସେଇ ସୁନାମୁଣ୍ଡା ନା' ଛେନାଗୁଡ଼ ?" ଏତେଗୁଡ଼ାଏ କଥା କହି ସାରିବା ପରେ ସେ ଟିକେ ଚୁପ ରହିଗଲେ ସିନା, ପୁଣି ତାଙ୍କର ନାକ ସୁ ସୁ ଜୋରରେ ଆରମ୍ଭ ହେଇଗଲା | ଲୁଗାକାନିରେ ସେ ମଝିରେ ମଝିରେ ନିଜ ଲୁହ ଆଉ ମୁହଁକୁ ପୋଛି ପକାଉଥିଲେ |

ଚନ୍ଦନ ବାବୁଙ୍କପାଇଁ ଏସବୁ ଅଭିନୟ, ଅଭିମାନ ଦେହସୁଆ ହେଇଗଲାଣି | ବରଂ ସରୋଜିନୀ ଦେବୀଙ୍କର କ୍ରୋଧମିଶା ମଧୁର ଗାଳିଗୁଡ଼ାକ ତାଙ୍କୁ ଉପଭୋଗ କରିବାକୁ ଭଲଲାଗେ | ସେ ଅନ୍ୟମାନଙ୍କ ଭଳି ବ୍ୟସ୍ତ ନ ହେଇ ବରଂ ଏଣିକି ତେଣିକି ଚାହିଁ, ଅନ୍ୟମନସ୍କ ହେଇଯାଇଥିଲେ |

ସରୋଜିନୀ ଦେବୀ କାନ୍ଦମିଶା କ୍ରୋଧରେ ପୁଣି କହିଲେ-"ଦେଖିବ ରୁହ, କେନ୍ଦୁଝର ଭଳି ତମେ ଏଠି ବି ବଦନାମୀ ହେଇକି ଫେରିବ | ଯଦି ନ ହେଇଛି, ମୋତେ ପୁଣି ପଛରେ କହିବ |"

ଏତେବେଳଯାଏ ଚନ୍ଦନବାବୁ ନିରବ ରହିଥିଲେ | ଏହି ଶେଷକଥା ପଦକ ତାଙ୍କ ମରମକୁ ବାଧିଗଲା | ସେ ଉଚ୍ଚସ୍ୱରରେ କହିଲେ-"କେନ୍ଦୁଝରରେ କ'ଣ ଖରାପ କାମଟା କରିଦେଇଥିଲି ଯେ, ବଦନାମୀ ହେଇଗଲି ?"

-" ତମର ମନେନାହି କି ? ମୁଁ ମନା କରୁକରୁ ତମେ ସେ ବୁଢା ପିଅନଟାକୁ ହଜାର ଟଙ୍କା ବଢ଼େଇ ଦେଇଥିଲ | ସେ ଆଜିଯାଏ, ତମକୁ ସେ ନେଇଥିବା ଧାରଟଙ୍କା ଫେରେଇଲା ? ତମେ ତା' ପାଇଁ ମୋ ସହିତ ଝଗଡ଼ା କରିଥିଲ | ସେଦିନ ମୋତେ ମାରିବାକୁ ହାତ ଉଠେଇଥିଲ | ଶେଷରେ କ'ଣ ହେଲା ?"

-"କ'ଣ ହେଲା ତମେ କହୁନା |"

-"ତମରି କର୍ମଚାରୀମାନେ ଅପପ୍ରଚାର କରି କହିଲେ-"ଡାକ୍ତର ବାବୁ ସେ ବୁଢାକୁ ଟଙ୍କା ସୁଧକୁ ଲଗେଇଥିଲେ ଯେ, ମୂଳରୁ ଗଲା | ତମେ ଛୋଟ କର୍ମଚାରୀଙ୍କ ଆଗରେ କେତେ ଛୋଟ ହେଇଗଲ ସେକଥା ଜାଣିଛ ? ଅସୁବିଧାରେ ପଡ଼ି ଲୋକଟା ବିକଳହେଇ ଧାର ମାଗିଥିଲା | ଟଙ୍କାନେଇ କଲେଜରେ ତା' ପୁଅର ନାଆଁ ଲେଖେଇଥିଲା | ବର୍ଷକ ପରେ ଥରେ ମୁଁ ତାକୁ ମୁହଁ ଖୋଲି ସେ ଟଙ୍କା ଫେରେଇବାକୁ କହିଥିଲି | ଶେଷରେ ମଦୁଆ ବୁଢ଼ା ମୋତେ ସିଧା ସିଧା କହିଲା-"ଅସୁବିଧାରେ ପଡ଼ିଥିଲି ବୋଲି, ଡାକ୍ତର ବାବୁଙ୍କଠାରୁ ମୁଁ ହଜାର ଟଙ୍କା ଧାର କି କରଜ ନେଇଛି | ସୁଵିଧାହେଲେ, ମୁଁ ସୁଧ-ମୂଳ ମିଶେଇକି ବାବୁଙ୍କୁ ଫେରେଇଦେବି | ତମେ କ'ଣ ମୋତେ ଟଙ୍କା ଦେଇଥିଲ କି, ମୋତେ ମାଗୁଛ ?"

-"ସେ ହଜାର ଟଙ୍କା ସେଇମିତି ଗଲା, ତମେ ବଦନାମୀ ପାଇଲ | ମୁଁ ଭାବୁଛି, ତମପାଇଁ ଠିକ ହେଇଛି | ଏଥର ମୁଁ ତମକୁ ହୁସିଆର କରିଦେଉଛି, ଛୋଟ କର୍ମଚାରୀଙ୍କ ସହିତ ଏତେ ଖୋଲାଖୋଲି ମିଳାମିଶା କରନାହିଁ | ସେମାନେ ସୁଯୋଗ ଦେଖି ଧାର ଉଧାର ମାଗିବେ | ଖାଇବୁଡ଼ା ଠକ ଆଉ ବଦମାସଲୋକଙ୍କ ସଂଖ୍ୟା ଏବେ ବହୁତ ବଢିଯାଇଛି | ଧାରଖିଆ, ମାଗିଖିଆମାନଙ୍କୁ କହିଦିଅ-"ମୁଁ କ'ଣ ଟଙ୍କାଗଛ ଲଗେଇଛି, ସେଇଥିରୁ ତୋଳି ଆଣି ତମକୁ ଦେବି ? ମୁଁ କେବେ କାହାରିକୁ ଧାର ଦିଏନାହିଁ | ତମେ ସେଗୁଡ଼ାଙ୍କ ପ୍ରତି କଠୋର ହୁଅ | ଦେଖିବ, ସେମାନେ ଠିକ ଭାବରେ କାମ କରିବେ | ଆଉ ତମକୁ ବି ଭୟ କରିବେ | ନିଜ ସମକକ୍ଷ ଅଫିସରଙ୍କ ସହିତ ମିଶିଲେ ସିନା, ଅଫିସରଙ୍କର ଇଜ୍ଜତ ବଢେ |"

ସରୋଜିନୀ ଦେବୀଙ୍କ କଥାର ମୋଡ଼ ଟିକେ ବଦଳି ଗଲାଣି ଜାଣିପାରି ଚନ୍ଦନ ବାବୁ ବୁଝେଇ କହିଲେ-"ଆରେ ବାବା ! ତମେ ଏମିତି ବ୍ୟସ୍ତ ହଉଛ କାହିଁକି ? ମୁଁ କ'ଣ ପିଲା ନା' ଛୁଆ ହେଇଛି ? ଏବେ ଯୁଗ ବଦଳି ଗଲାଣି | କେତେ ନୂଆ ଆଇନ ତିଆରି ହେଇସାରିଲାଣି | ସେଇ ଆଇନ ବଳରେ ଠକ ବଦମାସ କର୍ମଚାରୀଙ୍କୁ ସାବାଡ଼ କରିବାକୁ ଚାହୁଁଥିବା ଅଫିସର ହିଁ ଆଜି ସାବାଡ଼ ହେଇଯାଉଛନ୍ତି | ଧାର ଉଧାର ଦେବାକୁ କାହାକୁ ଭଲଲାଗେ କହିଲ ? ଅସୁବିଧାରେ ପଡ଼ିଥିବା ଯେ କୌଣସି କର୍ମଚାରୀଙ୍କୁ ତ ସାହାଯ୍ୟ କରିବା ହେଉଛି, ଭଲ ଅଫିସରର କର୍ତ୍ତବ୍ୟ | ଯଦି କିଏ ନ ଦେଲା କି ଠକିଲା, ତା'ହେଲେ ତ ଭଲକଥା | ଆଉଥରେ ସେ ମାଗିବାକୁ ଆସିବନାହିଁ | ଏବେ ଅଫିସରେ ଥିବା ଟାର୍ଗେଟ ମୋତେ ପୂରଣ କରିବାକୁ ହେଲେ, କେତେଜଣଙ୍କ ପିଠି ଥାପୁଡ଼େଇ, ମିଛ ପ୍ରଶଂସା କରି ତାଙ୍କଠାରୁ କାମ ଆଦାୟ କରିବାକୁ ହେଉଛି | ତମେ ଘରେ ରହି ଏତେକଥା କେମିତି ଜାଣିବ ?"

-"ସେଇଥି ପାଇଁ ତ ମୁଁ କହୁଛି, ତମେ ଡରକୁଳା ମଣିଷ | ହଉ, ତମେ ଏଇଠି ରହି ସରକାରଙ୍କ ଟାର୍ଗେଟ ପୂରଣ କରୁଥାଅ, କିନ୍ତୁ, କାହାରିକୁ ଧାର ଉଧାର ଦେଇ ଯେମିତି ବଦନାମୀ ନ ହୁଅ | ଏତିକି ମୋର କହିବାର କଥା |"

-"ହଉ ଆଉ ପାଟି କରନା, ତମକଥାକୁ ମୁଁ ମନେ ରଖିଲି | ଏଣିକି ଆଉ କାହାରିକୁ ଧାର କି ଉଧାର ଦେବିନାହିଁ | ଦରମା ପାଇ ମୁଁ ସବୁଯାକ ଟଙ୍କା ତମହାତରେ ଧରେଇ ଦେବି | ଟଙ୍କା ପାଖରେ ଥିଲେ ସିନା କାହାକୁ ଦେଇଦେବାକୁ ମନହେବ | ହେଲା ତ ? ଏବେ ଛାଡ଼ ସେ ଟଙ୍କା ପଇସା, ଧାର ଉଧାର କଥା | ଦାଣ୍ଡ କବାଟଟାକୁ ଆଉଜେଇ ଦେଇଆସ, ପଦାରେ ଟିକେ ଟହଲିବା | ଶୀତଳ ପବନ ଖାଇବା | ଦେଖ, ଚାରିଆଡ଼େ କେମିତି ଶୂନଶାନ ଆଉ ଘନ ଅନ୍ଧକାର | ତଥାପି ଆକାଶଟା ସୁନ୍ଦର ଦିଶୁଛି | ତାରାଗୁଡ଼ାକ କେମିତି ଚୁପିଚୁପି କଥା ହେଉଛନ୍ତି | ଆଖି ମିଟିକା ମାରୁଛନ୍ତି | ତମେ କହିଲ, ସେମାନେ କି କଥା ହେଉଥିବେ ?"

-"ଥାଉ ମ, ମିଛରେ ମୋ ଆଗରେ ଆଉ ଏତେ ରସିକପଣିଆ ଦେଖାନା, ଶେଷରେ ପ୍ରକୃତି କବି ଗଙ୍ଗାଧର ହେଇଯିବ, ସାଙ୍ଗରେ ପୁଳାଏ ବଦନାମୀ ନେଇକି ଗାଆଁକୁ ଫେରିବ | ଦେଖିଲ, ଦେଖିଲ କିଏ ଗୋଟାଏ ଲୋକ ଆମ ଆଡ଼କୁ ମାଡିଆସୁଛି, ଚାଲ ଘର ଭିତରକୁ ପଳେଇବା | ମୋତେ ଡର ଲାଗୁଛି | ଚୋର କି ବଦମାସ ହେଇଥିବ |

ଚନ୍ଦନ ବାବୁ ଲକ୍ଷ୍ୟକଲେ-ସତରେ ଗେଟଖୋଲି କିଏ ଜଣେ ତାଙ୍କଆଡ଼କୁ ଆସୁଛି | ବାମ ହାତରେ ଲଣ୍ଠନ, ଡାହାଣ ହାତରେ ଗୋଟାଏ ମୋଟା, ଲମ୍ବାଠେଙ୍ଗା ଧରିଛି, ଅଣ୍ଟାରେ ତା'ର ଖଣ୍ଡେ ଗାମୁଛା | ମୁଣ୍ଡରେ ଆଉ ଗୋଟାଏ ନାଲି ଗାମୁଛାର ଠେକା | ବୟସ ସତୁରିରୁ ଅଧିକ ହେବ | ଠେଙ୍ଗାଟା ତା'ର ଆଶ୍ରାବାଡ଼ି | ତାକୁ ଠକଠକ କରି ନିର୍ଭୟରେ ସେ ଆମ ଆଡ଼କୁ ଆଗେଇ ଆସୁଛି |

ଲୋକଟା ତାଙ୍କର ଅତି ପାଖକୁ ଆସି ଲଣ୍ଠନଟାକୁ ତଳେ ଥୋଇଦେଇ କହିଲା-"ଡାକ୍ତର ବାବୁ, ଜୁହାର | ମାଆ, ତମକୁ ବି ଜୁହାର କରୁଛି |"

-"ନମସ୍କାର | କିଏ ତମେ ? ରାତିର ପୁଣି ଅନ୍ଧାରରେ ତମେ କୁଆଡ଼େ ଆସିଛ, କାହାକୁ ଖୋଜୁଛ ?" ଡାକ୍ତର ବାବୁ ପଚାରିଲେ |

-"ମୁଁ ଆଜ୍ଞା ଚନ୍ଦୁବୁଢ଼ା | ଏଇ ବସ୍ତିରେ ରହେ | ଘରେ ଆମେ ବୁଢ଼ା-ବୁଢ଼ୀ ଦି'ଜଣ | ପୁଅଟା ତ ଅଲଖଣାଟା, ଆମକୁ ପଚାରେ ନାହିଁ | ସେ ବାହାରେ ରହିକି ଟ୍ରକ ଚଳାଏ | 

ବୁଢ଼ୀ କଥାରେ ପଡ଼ି ମୁଁ ରାସ୍ତା ପାଖରେ ଚା' ଦୋକାନଟିଏ କରିଥିଲି ଯେ, ଚାଲିଲା ନାହିଁ |"

-"ଏବେ ତମେ ମୋ ପାଖକୁ କାହିଁକି ଆସିଛ ?"

- ଆଜ୍ଞା, ପହରଦିନ ସେହି ପୁଅର ଗାଡ଼ି ଓଲଟି ପଡ଼ିଛି ବୋଲି ମୁଁ କାଲି ଖବର ପାଇଲି | ସେ ଏବେ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି ହେଇଛି, ବଞ୍ଚିବା କଷ୍ଟ | ତା'ର ଚେତା ଚଇତନ ନାହିଁ |

-"ସିଏ ପିଲା ତ କଟକରେ ଆଡ଼ମିସନ ହେଇସାରିଛି | ସେଇଠି ଡାକ୍ତରମାନେ ଦେଖାଦେଖି କରିବେ | ମୁଁ କ'ଣ କରିବି ?" ଡାକ୍ତର ବାବୁ ପଚାରିଲେ |

-ତାକୁ ଟିକେ ଦେଖି ଆସିବାକୁ ମୋର ମନଟା ବିକଳ ହଉଛି ବାବୁ ! ସିଏ ସିନା ପଚାରୁନାହିଁ, ଆମେ ତ ତାକୁ ଜନ୍ମଦେଇ ଏଡ଼ିକିରୁ ଏଡ଼େଟ କରିଛୁ | ଆମ ଦି'ଜଣଙ୍କର କଲିଜା ଫାଟି ଯାଉଛି ଆଜ୍ଞା | ତାକୁ ଶେଷଥର ଟିକେ ଦେଖିଦେଲେ-ଗଲା | ତା'ର ଯାହା ହଉଛି ହଉ |"

ଏତେବେଳକେ ଯାଇ ସରୋଜିନୀ ଦେବୀଙ୍କର ପାଟି ଖୋଲିଲା | ସେ କହିଲେ-"ପୁଅଟା ଏକ୍ସିଡେଣ୍ଟହେଇ ମେଡ଼ିକାଲରେ ପଡ଼ିଛି | ବାପା-ମାଆହେଇ ତମେ କେମିତି ଥୟଧରି ଘରେ ବସି ରହିଛ ? ଖବର ପାଇବା ମାତ୍ରେ ତମେ ସେଠିକି ଯିବାକଥା |"

-"କ'ଣ କରିବି ମାଆ, କେମିତି ଯିବି ? ହାତରେ ତ ଟଙ୍କାଟିଏ ନାହିଁ | ଧାର ଉଧାର ପାଇଁ ବସ୍ତିଟା ସାରା ବୁଲି ଆସିଲିଣି | କେହି ପାଞ୍ଚଟା ଟଙ୍କାଦେଲେ ନାହିଁ | ଆଗରୁ ତ ସବୁଠି ଧାର ଉଧାର ଖାଇଛି | ତାକୁ ଶୁଝି ପାରିନାହିଁ | ସେମାନେ କେମିତି ଦେବେ ?"

-"ଏବେ ବସରେ କଟକ ଯିବାକୁ କେତେ ଟଙ୍କା ଲାଗୁଛି ?" ଡାକ୍ତର ବାବୁ ପଚାରିଦେଲେ |

-"ଆଜ୍ଞା, ଯିବା ଆସିବା ପଚାଶ ଲେଖା ଟଙ୍କାଶହେ ପଡ଼ିବ | ଦୟାକରି ମୋତେ ସେହି ଶହେ ଟଙ୍କା ଦେଇଥା'ନ୍ତୁ | ମୁଁ ସୁଧ ମୂଳକି ଆଜି ନ ହେଲେ କାଲି ଶୁଝିଦେବି | ନ ପାରିଲେ, ତମର ମୁଲଲାଗି ଘରକାମ କରି ଶୁଝିଦେବି |"

ଏତିକି କହୁକହୁ ଠେଙ୍ଗାଟାକୁ ତଳେ ଥୋଇଦେଇ ଦୁଇହାତ ଯୋଡ଼ି ବୁଢା କାନ୍ଦି ପକାଇଲା | 

ଚନ୍ଦନ ବାବୁଙ୍କ ହୃଦୟଟା ତରଳିଗଲା ସିନା ଏଣେ କରିବେ କ'ଣ ? ଏଇଅଳ୍ପ ସମୟ ଆଗରୁ ତ ସେଇକଥା ତାଙ୍କର ଚର୍ଚ୍ଚା ହେଇଛି | ଆଉ କାହାରିକୁ ଧାର ଉଧାର କି କରଜ ଦେବିନାହିଁ ବୋଲି ସରୋଜିନୀକୁ କଥା ଦେଇଛନ୍ତି | ପାଟିରେ ତାଙ୍କର ବଡ଼ତାଲା ପଡ଼ିଯାଇଥିଲା |

କିଛି ସମୟ ରହି ସେ କହିପକାଇଲେ-"ଶୁଣ ବୁଢା, ତମକୁ ଆମେ ଆଗରୁ କେବେ ଦେଖିନାହୁଁ କି ଚିହ୍ନିନାହୁଁ | ତଥାପି ତମର ଦୁଃଖଦେଖି ମୁଁ ସହିପାରୁ ନାହିଁ | ମୁଁ ଏବେ ତମକୁ ଦୁଇଶହ ଟଙ୍କା ଦେବି | କାଲି ସକାଳେ ତମେ ବୁଢୀକୁ ସାଙ୍ଗରେ ନେଇ କଟକ ଯାଇ ପୁଅକୁ ଦେଖିକି ଆସ, କିନ୍ତୁ ଗୋଟିଏ କଥା ମନେ ରଖିଥିବ, ଆଉ କେବେ ଏ'ଦୁଆର ମାଡ଼ିବ ନାହିଁ କି ଧାର ଉଧାର ମାଗିବ ନାହିଁ | ସେ ଦୁଇଶହ ଟଙ୍କା ଆଉ ତମକୁ ଫେରେଇବାକୁ ପଡ଼ିବ ନାହିଁ |"

ସରୋଜିନୀ ଦେବୀଙ୍କୁ ଚନ୍ଦନ ବାବୁ ନରମ ଗଳାରେ କହିଲେ-"ବୁଢାକୁ ଏଇ ଶେଷଥର ପାଇଁ ମୋ ତରଫରୁ ଦୁଇଶହ ଟଙ୍କା ଦେଇଥାଅ |"

ପତ୍ନୀ ସରୋଜିନୀ ଦୁମଦୁମହେଇ ଘର ଭିତରକୁ ଯାଇ ଶହେ ଟଙ୍କିଆ ଦୁଇଖଣ୍ଡ ଆଣି ବୁଢାହାତରେ ଧରାଇଦେଲେ | ବୁଢା କୃତ୍ୟକୃତ୍ୟହେଇ ତାଙ୍କଠାରୁ ବିଦାୟନେଇ ଚାଲିଗଲା | ଶ୍ରୀମତୀ ସେ ସମୟରେ ଖୁବ ଗମ୍ଭୀର ରହିଥିଲେ |

ଚନ୍ଦନ ବାବୁ ବୁଝିଗଲେ, ଏହି ଗମ୍ଭୀର ମେଘଖଣ୍ଡଟି କେତେବେଳେ ନିଶ୍ଚୟ ଘୁର୍ଣ୍ଣିବାତ୍ୟାର ରୂପନେବ | ଶ୍ରୀମତୀ ନାକକୁ ଫୁଲେଇ ଉଗ୍ରଚଣ୍ଡୀ ରୂପ ଧାରଣକରି କହିବେ-ସେଇ ପୁରୁଣା ପାଠକୁ ଦୋହରିବେ-"କ'ଣ ଏଠି ବି ଧାର ଉଧାର, ଦାନ ଖଇରାତ ଆରମ୍ଭ କରିଦେଲ ? ଏଇମିତି କେତେ ନା' କେତେଲୋକ ଆସିବେ, ତାଙ୍କର ଦୁଃଖ ଅଭାବ କଥା କହିବେ | କେତେଜଣକୁ ଏମିତି ଟଙ୍କା ବାଣ୍ଟୁଥିବ ? ତମ ପାଖରେ ଯଦି ଏତେଟଙ୍କା ଅଛି, ତେବେ ମୋ ବେକକୁ ଭଲକି ଗୋଟାଏ ହାର କରି ଦେଉନା | ଭଲ ଶାଢ଼ୀ ଦି' ଚାରିଖଣ୍ଡ କିଣି ଦେଉନା | ନା' -ସେକଥା ତମ ଦିହରେ ଯିବନାହିଁ | ମୋତେ ଦେଲେ ତମେ କି ସୁଖ ପାଇବ ?"

କିନ୍ତୁ ତାଙ୍କର ଅନୁମାନ ସେତେବେଳେ ଅନ୍ୟ ଦିଗକୁ ମୋଡ଼ନେଲା | ଶ୍ରୀମତୀଙ୍କ ଗମ୍ଭୀର ମୁହଁଟା ସେଇମିତି ରାତିରେ ଶୋଇବା ପର୍ଯ୍ୟନ୍ତ ରହିଥିଲା | ପରିସ୍ଥିତିକୁ ସମ୍ଭାଳି ନେବାପାଇଁ ଚନ୍ଦନ ବାବୁ ମଧ୍ୟ ଚୁପ ରହିବାକୁ ବାଧ୍ୟ ହେଇଥିଲେ |

ସକାଳ ବସରେ ବୁଢ଼ାବୁଢ଼ୀ ଦୁଇଜଣ କଟକ ମେଡ଼ିକାଲକୁ ଯାଇ ସଞ୍ଜବେଳକୁ ଘରକୁ ଫେରୁଥିଲେ | ସେତିକିବେଳେ ତାଙ୍କୁ ଦେଖି ସରୋଜିନୀ ଦେବୀ ବୁଢାକୁ ପାଖକୁ ଡାକି, ତା'ପୁଅ ଖବର ପଚାରି ବୁଝିଲେ |

ବୁଢା କହିଲା-"ମାଆ, କ'ଣ ଆଉ କହିବି ? ତା' ମୁହଁଟା ଛେଚରା ହେଇଯାଇଛି | ଦୁଇଟାଯାକ ଗୋଡ଼ର ହାଡ଼ ଗୁଣ୍ଡହେଇ ଯାଇଛି | ମୁଣ୍ଡଟା ଫୁଲିକି ବେଲୁନ ଭଳି ଦେଖାଯାଉଛି | ତାକୁ ଦେଖି ଆମେ ତ ଆଗ ଚିହ୍ନି ପାରିଲୁ ନାହିଁ | ବୁଢ଼ୀ ତାକୁ କୁଣ୍ଡେଇକି ଘଣ୍ଟାଏ କାନ୍ଦିଲା | ଡାକ୍ତରବାବୁ କେତେ କ'ଣ ଲେଖିକି ମୋତେ କାଗଜ ବିଡ଼ାଏ ଧରେଇଦେଇ କହିଲେ-"ଏଇ ସବୁ ଜିନିଷ ଆଉ ଔଷଧ ବଜାରରୁ କିଣି ଆଣିବ | ସେଇ କାଗଜକୁ ଧରି ଭୋକ ଉପାସରେ ଚାଲିଚାଲି ଆମେ ବସଷ୍ଟାଣ୍ଡକୁ ଆସିଲୁ | ଏବେ ବସରୁ ଓହ୍ଲେଇ ଘରକୁ ଯାଉଛୁ |"

ସରୋଜିନୀ ଦେବୀ କହିଲେ-"ହଉ ତମେ ଏବେ ଘରକୁ ଯାଅ | ରାତିରେ ଡାକ୍ତରବାବୁ ଆସିଲେ, ତମେ ଆସି ତାଙ୍କୁ ସେଇ କାଗଜକୁ ଦେଖେଇବ, ଏଇଠି ଯଦି ସେ ଔଷଧ ଥାଏ, ସେ ତମକୁ ଦେଇଦେବେ |"

ବୁଢ଼ାବୁଢ଼ୀ ଦୁଇଜଣ ବିକଳ ମନରେ ଘରକୁ ଫେରି ଯାଇଥିଲେ | ଚନ୍ଦନ ବାବୁ ଘରକୁ ଫେରି ଶ୍ରୀମତୀଙ୍କଠାରୁ ସବୁକଥା ଶୁଣି ତାଙ୍କୁ ବୁଝେଇଦେଲେ- "କଟକ ବଡ଼ ମେଡିକାଲର ଡାକ୍ତର ଯେଉଁସବୁ ଔଷଧ ଲେଖିଥିବେ, ସେ ସବୁ ଏଠି ମିଳିବ ନାହିଁ | ତାକୁ କଟକରୁ ହିଁ କିଣିବାକୁ ପଡ଼ିବ | ଠିକ ସେତିକିବେଳେ ବୁଢା ତା'ର ଠେଙ୍ଗାକୁ ଠକଠକ କରି ଆସି ସେଇଠି ପହଞ୍ଚିଗଲା | ତା'ଠାରୁ କାଗଜ ପତ୍ରନେଇ ସେ ଦେଖିଲେ, ଗୋଡ଼ ଦୁଇଟାର ଷ୍ଟିଲ ରଡ଼ ଲାଗିବ | ସେଥିପାଇଁ ବିଭିନ୍ନ ସରଞ୍ଜାମ କିଣିବାକୁ ପଡ଼ିବ, ତା'ର ମୂଲ୍ୟ ଦଶ ହଜାରରୁ କମ ହେବନାହିଁ | ଯେଉଁ ପରିମାଣରେ ଔଷଧ ଲେଖାଯାଇଛି, ତା'ର ମୂଲ୍ୟବି ଦଶହଜାର ଟଙ୍କାରୁ ବେଶିହେବ | ଚିନ୍ତାରେ ପଡ଼ିଗଲେ-ଚନ୍ଦନ ବାବୁ |

ଏ' ସବୁ କଥାକୁ ବୁଢାକୁ ବୁଝେଇ କହିଲେ-କାହାର ବା କି ପ୍ରକାର ଲାଭହେବ ? ଅସଲ କଥା ହେଉଛି ଟଙ୍କା | ଏତେଟଙ୍କା ସେ କେଉଁଠୁ ପାଇବ ?

ସେ ଅସହାୟ ଅବସ୍ଥାରେ ବୁଢାହାତକୁ କାଗଜତକ ବଢ଼େଇଦେଇ କହିଲେ-"ଆଜି ମୁଁ ତମକୁ କିଛି କହିପାରିବି ନାହିଁ | କାଲି ସକାଳେ ମୋ ପାଖକୁ ଆସିବ | କିଛି ଗୋଟାଏ ବ୍ୟବସ୍ଥା କରିବା |"

ବୁଢା ଯେମିତି ଆସିଥିଲା, ସେମିତି ଚାଲିଗଲା |

ରାତିସାରା ଚନ୍ଦନ ବାବୁ କେତେ କ'ଣ ଭାବି ହେଉଥିଲେ | ତାଙ୍କର ମନେ ପଡ଼ିଗଲା- "ସରକାରଙ୍କ ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରେଡ଼କ୍ରସ ବିଭାଗ ଅଛି | ଗରିବଲୋକଙ୍କୁ ସେହି ଫଣ୍ଡରୁ ତ କିଛି ଦେବାର ବ୍ୟବସ୍ଥା ଥିବ | କାଲି ସକାଳୁ ସକାଳୁ ଯାଇ ଜିଲ୍ଲାପାଳଙ୍କୁ ଦେଖାକରି ଦରଖାସ୍ତଟିଏ ଦେବି | କିଛି ମିଳିଗଲା ତ ଭଲ,| ନ ହେଲେ ନାହିଁ | ଚେଷ୍ଟା କରିବାରେ କ୍ଷତି କ'ଣ ?"

ସତକୁ ସତ ସେ ସକାଳୁ ଉଠି ଗୋଟାଏ ଦରଖାସ୍ତ ଲେଖି ପକାଇଲେ | ବୁଢ଼ାଠାରୁ ସେ କାଗଜପତ୍ର ଧରି ଢେଙ୍କାନାଳ ଜିଲ୍ଲାପାଳଙ୍କୁ ଦେଖାକରି ସବୁକଥା କହିଲେ | ଜିଲ୍ଲାପାଳ ମହୋଦୟ ଘଟଣାର ଗୁରୁତ୍ୱକୁ ବୁଝି ସଙ୍ଗେ ସଙ୍ଗେ ଦଶ ହଜାର ଟଙ୍କା ତାଙ୍କୁ ଦେବାକୁ ଆଦେଶ ଦେଇଦେଲେ | ଦଶ ହଜାର ଟଙ୍କା ଧରି ଚନ୍ଦନ ବାବୁ ଭଗବାନଙ୍କୁ ଧନ୍ୟବାଦ ଜଣାଇଲେ | ଘରେ ପହଞ୍ଚି ଶ୍ରୀମତୀଙ୍କୁ ନିଜର ବାହାଦୂରୀ କଥା କହିପକାଇଲେ |

ସରୋଜିନୀ ଦେବୀ ସବୁକଥା ଶୁଣିସାରି କହିଲେ-"ମାତ୍ର ଏଇ ଦଶହଜାର ଟଙ୍କାପାଇଁ ତମେ ଯାଇ ଜିଲ୍ଲାପାଳଙ୍କ ଦୁଆରେ ଆଣ୍ଠୁଭାଙ୍ଗି ଠିଆ ହେଇଥିଲ ? ମୂଲ୍ୟବାନ ଜୀବନଟାକୁ ବଞ୍ଚିବା ପାଇଁ ତମେ ନିଜେ କ'ଣ ଦଶ ହଜାର ଟଙ୍କା ଦେଇପାରି ନଥା'ନ୍ତ ?"

 ଶ୍ରୀମତୀଙ୍କର ହଠାତ ପରିବର୍ତ୍ତିତ ନୂଆରୂପକୁ ଦେଖି ଚନ୍ଦନ ବାବୁ ଆଶ୍ଚର୍ଯ୍ୟ ହେଇଯାଇଥିଲେ | ସେ କହିଲେ-"ଏଇ ଦଶ ହଜାର ଟଙ୍କାରେ, ତା'ର କେବଳ ଷ୍ଟିଲ ରଡ଼ ଆଉ କିଛି ଆନୁସଂଗିକ ସରଞ୍ଜାମ କିଣା ଯାଇପାରିବ | ତା'ର ଔଷଧ କିଣିବା ପାଇଁ ତ ଆହୁରି ଦଶହଜାର ଟଙ୍କା ଦରକାର |"

 -"ତମେ ଗୋଟାଏ କାମକର | ମୁଁ ତମକୁ ଆଉ ଦଶ ହଜାର ଟଙ୍କା ଦେଉଛି, ଆଜି ତମେ ସେ ବୁଢା-ବୁଢୀଙ୍କୁ ଆମ ଗାଡ଼ିରେ ନେଇ କଟକ ମେଡ଼ିକାଲକୁ ଯାଅ, କହିବ ଯଦି ମୁଁ ବି ତମ ସାଙ୍ଗରେ ଯିବି | ତମର ତ ଚିହ୍ନା ପରିଚୟ ସାଙ୍ଗମାନେ ସେଇଠି ଡାକ୍ତର ଥିବେ, ତମେ ନିଜେଗଲେ ତା' ପାଇଁ ଟିକେ ସୁବିଧା କରିଦେଇ ପାରିବ | ମୋ ପାଖରେ ଆଉ ଦଶହଜାର ଟଙ୍କା ରଖିଥିବି | ସେଇଠି ସେ ପିଲାପାଇଁ ଯାହାଯାହା ଦରକାର କିଣିଦେବା | ଆମେ ବି ତାକୁ ଟିକେ ଦେଖିଦେଇ ଆସିବା | ଏ'ମାନେ ତ କିଛି ଜାଣନ୍ତି ନାହିଁ, ତାଙ୍କଠାରୁ କିଏ ସବୁ ଠକି ନେଇଯିବ ନିଶ୍ଚୟ | ମୁଁ ଜାଣେ ଉପଯୁକ୍ତ ପାତ୍ରରେ ଦାନ କରିବା ହେଉଛି, ପ୍ରକୃତ ଧର୍ମ | ଆମର ମହତ ଦାନ ଆଉ ଆବଶ୍ୟକ କର୍ମ ହିଁ ଶ୍ରେଷ୍ଠଧର୍ମ ଭାବରେ ଗଣାହେବ | ଆମ ଚେଷ୍ଟାରେ ଆଉ ଏଇଟଙ୍କାରେ ଯଦି ସେ ପିଲାଟାର ଅମୂଲ୍ୟ ଜୀବନଟା ରହିଯାଇ ପାରିବ, ତେବେ ତ ଆମର ଜୀବନ ଧନ୍ୟ ହେଇଯିବ |"

କାଳ ବିଳମ୍ବ ନ କରି ଚନ୍ଦନ ବାବୁ ନିଜର ଗାଡ଼ି ଷ୍ଟାର୍ଟକଲେ |


Rate this content
Log in

Similar oriya story from Tragedy