ପତିପତ୍ନୀ
ପତିପତ୍ନୀ
ଈଶ୍ୱର ସୃଷ୍ଟିରେ ସଂସାର ଜୀଵଜଗତକୁ ନେଇ ଗଠିତ।ଏହି ଜୀବଜଗତ ମଧ୍ୟରେ ମାନବ ଜନ୍ମ ହେଉଛି ସବୁଠାରୁ ଶ୍ରେଷ୍ଠ ତଥା ଅମୂଲ୍ୟ ସମ୍ପଦ। ପୁରୁଷ ଓ ନାରୀର ସମନ୍ୱୟରେ ହିଁ ସଂସାର ସୃଷ୍ଟି ହୋଇଥାଏ।
ଭଗବାନଙ୍କ ସୃଷ୍ଟି ଅତି ବିଚିତ୍ର। ଗୋଟିଏ ଅଜଣା ଅଚିହ୍ନା ପୁରୁଷ ସହିତ ଆଉ ଏକ ଅଜଣା ଅଚିହ୍ନା ଝିଅକୁ ପୂର୍ବରୁ ଖଞ୍ଜି ରଖିଥାନ୍ତି ଵିଵାହ ସୂତ୍ରରେ ବାନ୍ଧି ରଖିବା ପାଇଁ।ସେ ଦୁହିଁଙ୍କୁ ଏମିତି ଗୋଟିଏ ସମ୍ପର୍କରେ ବାନ୍ଧି ଦେଇଥାନ୍ତି ଯେ ସେ ଦୁହେଁ ପରସ୍ପରର ଅତି ଆପଣାର,ଅତି ନିଜର ହୋଇଯାଆନ୍ତି। ପରସ୍ପର ପରସ୍ପରର ପରିପୂରକ।ଏ ଦୁହିଁଙ୍କର ସମ୍ପର୍କ ପତିପତ୍ନୀର ସମ୍ପର୍କ ଭାବେ ସମାଜ ଆଖ୍ୟା ଦେଇଥାଏ ଓ ପତ୍ନୀକୁ ପତିର ଅର୍ଦ୍ଧାଙ୍ଗିନୀ ବୋଲି କୁହାଯାଇଥାଏ।
ପତିପତ୍ନୀ ମଧ୍ୟରେ ଉତ୍ତମ ବୁଝାମଣା, ସ୍ନେହ, ପ୍ରେମ, ଭଲପାଇବା ଆଉ ବିଶ୍ୱାସ ଥିଲେ ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ। ସମ୍ପର୍କରେ କେବେ ବି ତିକ୍ତତା ଆସି ନ ଥାଏ।ଆଉ ଯଦି ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ବିଶ୍ୱାସ ନ ଥାଏ ତେବେ ସେ ଦୁହିଁଙ୍କ ମଧ୍ୟରେ ସନ୍ଦେହ ନାମକ କଳାଛାୟା ସୃଷ୍ଟି ହୋଇଥାଏ ।ଆଉ ସେହି ସନ୍ଦେହ ପରସ୍ପରର କ୍ଷତି କରିବା ସହ ପରିବାର ଉପରେ ଓ ନିଜ ପିଲାଙ୍କ ଉପରେ ପ୍ରଭାବ ପଡିଥାଏ। ଗୋଟିଏ ବାସ୍ତବିକ୍ ଘଟଣା ବର୍ଣ୍ଣନା କରୁଅଛି।
ଅଭିଷେକ ଓ ପୂଜା ଦୁଇଜଣ ଭଲ ସାଙ୍ଗ ଥିଲେ।ଏକା ଶ୍ରେଣୀରେ ପଢ଼ୁଥିଲେ। ପରସ୍ପର ପରସ୍ପରକୁ ପ୍ରତ୍ୟେକ କ୍ଷେତ୍ରରେ ସାହାଯ୍ୟ ସହଯୋଗ କରୁଥିଲେ। ଦୁହେଁ ଦୁହିଁଙ୍କୁ ଗୋଟିଏ ମୁହୁର୍ତ୍ତ ବି ଛାଡିକି ରହି ପାରୁନଥିଲେ। ଏହିଭଳି ସମୟ ମଧ୍ୟରେ ଦୁଇଜଣ ଅତି ନିକଟତର ଓ ଆପଣର ହୋଇସାରିଥିଲେ ଯେ କେହି କାହାଠାରୁ ଅଲଗା ହେବେ ନାହିଁ ବୋଲି କଥା ଦେଇଥିଲେ। ତେଣୁ ପରିବାର ଲୋକ ଏହି କଥା ଜାଣିବା ପରେ ସେ ଦୁହିଁଙ୍କର ଵିଵାହ ମଧ୍ୟ କରିଦେଲେ।କାରଣ ସମସ୍ତଙ୍କ ବାପମାଆ ଚାହାଁନ୍ତି ଯେ ନିଜ ପିଲାମାନେ କେମିତି ଖୁସିରେ ରୁହନ୍ତୁ।
ତେଣୁ ଅଭିଷେକ ଓ ପୂଜା ବର୍ତ୍ତମାନ ଦୁଇ ସାଙ୍ଗ ନୁହଁନ୍ତି,ସେମାନେ ଦୁନିଆ ଆଗରେ ଜଣେ ଭଲ ସ୍ୱାମୀ ସ୍ତ୍ରୀ ରୂପେ ପରିଚିତ। ଅଭିଷେକ ଜଣେ ଭଲ ବ୍ୟବସାୟୀ । ତାଙ୍କର ବ୍ୟାଙ୍କ ବାଲାନ୍ସ,କାର୍,ଅମାପ ସମ୍ପଦ, କୋଠାବାଡ଼ି ଏମିତିକି କୈାଣସି କ୍ଷେତ୍ରରେ ସମସ୍ୟା ନ ଥିଲା। ତେଣୁ ଦୁହେଁ ପରସ୍ପର ବହୁତ ହସଖୁସିରେ ଜୀବନ ଆରମ୍ଭ କରିଥିଲେ। ଉଭୟ ଉଭୟଙ୍କ ମନୋଭାବକୁ ବୁଝିପାରୁଥିଲେ।ପୂଜା ଅଭିଷେକର ବହୁତ ସେବା କରୁଥାଏ। ସ୍ୱାମୀର ପ୍ରତ୍ୟେକ ସମସ୍ୟାରେ ସାହାଯ୍ୟ ସହଯୋଗ କରେ। ସେ ଭିତରେ ବି ସେମାନଙ୍କର ଗୋଟିଏ ପୁଅ ହୋଇସାରିଥାଏ।
ଏମିତି କେତେ ବର୍ଷ ଅତିକ୍ରମ କରନ୍ତେ ହଠାତ୍ ଯେମିତି ତାଙ୍କ ହସଖୁସି ପରିବାରରେ କାହାର ନଜର ଲାଗିଯାଇଥିଲା। ଅଭିଷେକ ଶୁଣିବାକୁ ପାଇଲା ତା'ର ସମସ୍ତ ଧନସମ୍ପଦ ଅନ୍ୟ ହାତକୁ ଚାଲିଯାଇଛି। ବର୍ତ୍ତମାନ ସେ ନିଃସ୍ୱ, ଦରିଦ୍ର । ଭାଗ୍ୟର ବିଡମ୍ବନା।ସମୟ ଚକ୍ର କେତେବେଳେ କାହା ସହ କ'ଣ ଖେଳୁଛି।କାଲି ଯିଏ ସ୍ଥାବର ଅସ୍ଥାଵର ସମ୍ପତ୍ତିର ମାଲିକ ଥିଲା ଆଜି ସିଏ ଗରିବ, ଦାଣ୍ଡର ଭିକାରୀ ହୋଇଯାଇଛି।କାରଣ ତା'ର ଅତି ଘନିଷ୍ଠ ବନ୍ଧୁ ଯାହାକୁ ଅଭିଷେକ ବହୁତ ବିଶ୍ୱାସ କରେ,ସେ ତା ସହ ବିଶ୍ୱାସ ଘାତକ କରି ଦସ୍ତଖତ କରାଇ ଅଭିଷେକର ଅଜାଣତରେ ସମସ୍ତ ସମ୍ପତ୍ତିକୁ ନିଜର କରିନେଇଥିଲା। ଅଭିଷେକ ବହୁତ ସାଦାସିଧା ସରଳ ପ୍ରକୃତିର ପିଲା।ସେ କାହାର ଛନ୍ଦ କପଟ ବୁଝେ ନାହିଁ।ଅତି ସହଜରେ ସମସ୍ତଙ୍କୁ ବିଶ୍ୱାସ କରିଦିଏ। ସେହି ବିଶ୍ଵାସର ଫଳ ଆଜି ତାକୁ ଭୋଗିବାକୁ ପଡୁଛି। ତେଣୁ ସ୍ୱାମୀର ଏହି ପରିସ୍ଥିତିରେ ପୂଜା ପାଖରେ ରହି ତାକୁ ଭାଙ୍ଗିପଡିଵାର ଦେଖି ଆଶା ଆଶ୍ୱାସନା ଦେବା ବଦଳରେ ନିଜକୁ ଜଣେ ନିସ୍ୱ ଓ ଦରିଦ୍ର ସ୍ୱମୀର ସ୍ତ୍ରୀ ବୋଲି କହିବାକୁ ଘୃଣ୍ୟ ମନେ କଲା।ସେ ଧୀରେ ଧୀରେ ଅଭିଷେକ ଠାରୁ ଦୂରେଇ ଯିବାକୁ ଚେଷ୍ଟା କଲା ଓ ବାପଘର ଭୁଲି ଯିବା ବାହାନାରେ ଗଲା ଯେ ଆଉ ଫେରିଲା ନାହିଁ। ସ୍ୱାମୀଙ୍କୁ କେତେ କଥା କହି ତାକୁ କଷ୍ଟ ଦେଲା। ଅଭିଷେକ ଯେତେ ତାର ଅସୁବିଧା କଥା କହିଲେ ମଧ୍ୟ ପୂଜା ବିଶ୍ୱାସ କଲା ନାହିଁ। ଅଭିଷେକର ଘର ଲୋକ ଯାଇ ଯେତେ ଅନୁରୋଧ କଲେ ମଧ୍ୟ ଅଭିଷେକ ଜଣେ ଅଯୋଗ୍ୟ ଓ ଦାୟିତ୍ଵ ହୀନ ବୋଲି କହି ତାଙ୍କ ଶାଶୁଘର ଲୋକଙ୍କୁ ଫେରାଇ ଦିଏ। ଆହୁରି ମଧ୍ୟ ଅଭିଷେକ ଯେତେ ଚେଷ୍ଟା କଲେ ବି ପୂଜା ପୁଅକୁ ମଧ୍ୟ ତା'ର ବାପା(ଅଭିଷେକ)ଙ୍କ ଠାରୁ ଦୂରେଇ ରଖେ। ଏହିପରି ଭାବରେ ପରସ୍ପର ମଧ୍ୟରେ ଅବିଶ୍ୱାସ , ତିକ୍ତତା, ମତାନ୍ତର ସୃଷ୍ଟି ହୋଇଥିଲା। ଶେଷରେ ଦୁହେଁ ଦୁହିଁଙ୍କଠାରୁ ଅଲଗା ହୋଇଯାଇଥିଲେ।
ତେଣୁ ଏଠାର ପୂଜା ଅତି ଭଲ ପାଉଥିବା ଅଭିଷେକର ଅସୁବିଧାକୁ ଭଲଭାବରେ ଵୁଝିପାରିନଥିଲା।ତା'ର ଭଲପାଇବା ପ୍ରକୃତ ଭଲପାଇବା ନଥିଲା,ସେ କେବଳ ନିଜ ଖୁସି ପାଇଁ ନିଜର ବିଳାସମୟ ଜୀବନଯାପନ ପାଇଁ ଅଭିଷେକକୁ ନିଜର କରିଥିଲା ,ଏହି କଥା ଅଭିଷେକ ମଧ୍ୟ ଭଲଭାବରେ ଵୁଝିଯାଇଥିଲା। ତେଣୁ କଥାରେ କୁହାଯାଇଛି ଯେ" ସ୍ୱାମୀକୁ ଚିହ୍ନିବା ସ୍ତ୍ରୀର ଅସୁସ୍ଥ ସମୟରେ,ଆଉ ସ୍ତ୍ରୀକୁ ଚିହ୍ନିବା ସ୍ୱାମୀର ଆର୍ଥିକ ସମସ୍ୟାରେ।