ପତିଆରା
ପତିଆରା
ରୌପ୍ୟ ନଗରୀ କଟକ ସହସ୍ର ବର୍ଷର ସମୃଦ୍ଧ ଇତିହାସର ମୂକସାକ୍ଷୀ।ଉତ୍କଳୀୟ ଶାସନତନ୍ତ୍ର ଓ ସଂସ୍କୃତିର ମୂଳ ପୀଠ, ପ୍ରାଣକେନ୍ଦ୍ର! କେତେ ସଭ୍ୟତାର ଉତ୍ଥାନ ପତନ ଦେଖିଛି ଏଇ ପ୍ରାଚୀନ ସହର। ବହୁ ଭାଷାଭାଷୀ, ବହୁ ସଂସ୍କୃତି, ବହୁଧର୍ମ ଓ ସମ୍ପ୍ରଦାୟର ମିଳନ ସ୍ଥଳୀ କଟକ। ପାରସ୍ପରିକ ଭାଇଚାରା ଓ ସଦଭାବନା ହେତୁ ଅନେକ ଅନେକ ବର୍ଷ ଧରି ଏଠାରେ ସଭିଙ୍କ ଏକତ୍ର ସହବସ୍ଥାନ ସମ୍ଭବ ହୋଇ ପାରିଛି। ଏପରି ଭାବମୟ ପରିବେଶ ଅନ୍ୟତ୍ର ବିରଳ! କଟକ ସହରର କଥା ହିଁ ନିଆରା। କଟକିଆ ଭାବ ଏକ ସମୃଦ୍ଧ ପରମ୍ପରା!
ବାବନ ବଜାର ତେପନ ଗଳିର ସହର ରୂପେ ପରିଚିତ ଏହି ପ୍ରାଚୀନ ଜନପଦ ଦଶହରା ପର୍ବ ପାଇଁ ବିଶ୍ବ ପ୍ରସିଦ୍ଧ। ପ୍ରତିଟି ସାହି ବସ୍ତିରେ ମୃଣ୍ମୟୀ ଦୁର୍ଗା ପ୍ରତିମା ନିର୍ମାଣ କରାଯାଇ ପୂଜା ପାଆନ୍ତି ସୁସଜ୍ଜିତ ବର୍ଣ୍ଣାଢ୍ୟ ମଣ୍ଡପମାନଙ୍କରେ। ଦଶହରାର ଅନେକ ସମୟ ପୂର୍ବରୁ କଟକ ସହର ନିଜକୁ ପ୍ରସ୍ତୁତ କରି ରଖିଥାଏ ଜଗତଜନନୀଙ୍କର ସ୍ବାଗତ ନିମନ୍ତେ। ମନେହୁଏ ସତେ ଯେମିତି ମହାମାୟା ମାଆ ଦୁର୍ଗା ଓହ୍ଲାଇ ଆସିଛନ୍ତି ଏ ଧୂଳି ଧୂସରିତ ଧରାପୃଷ୍ଠକୁ ଆଶ୍ବିନର ପାବନ ଲଗ୍ନରେ। ଜାତି ଧର୍ମ ବର୍ଣ୍ଣ ସମ୍ପ୍ରଦାୟ ନିର୍ବିଶେଷରେ ସଭିଏଁ କଟକବାସୀ ଏହି ପର୍ବରେ ସାମିଲ୍ ହୁଅନ୍ତି ପର ଆପଣା ଭେଦାଭାବ ଭୁଲି। ସମସ୍ତେ ଜଗତଜନନୀଙ୍କ ସ୍ବାଗତ ସମ୍ବର୍ଦ୍ଧନା ପାଇଁ ଆତୁରତାର ସହ ପ୍ରତୀକ୍ଷା କରିଥାନ୍ତି ବର୍ଷ ସାରା, କେବେ ଆସିବ ଦଶହରା...
ପାର୍ବଣର ଦିନସବୁ ଅପାର ଆନନ୍ଦର ଦିନ କଟକ ସହରରେ। ଘରେ ଘରେ ବନ୍ଧୁ ବାନ୍ଧବଙ୍କର ଗହଳ ଚହଳ ଲାଗି ରହେ। ହସଖୁସି ମଉଜରେ କଟିଯାଏ ସମୟ। ଆବାଳବୃଦ୍ଧ ବନିତା ସଭିଏଁ ଆନନ୍ଦିତ। ପ୍ରଫୁଲ୍ଲ ଚିତ୍ତରେ ଜଗତଜନନୀଙ୍କର ଆରାଧନାରେ ନିମଗ୍ନ ରହନ୍ତି। ନାନା ରକମର ସ୍ବାଦିଷ୍ଟ ପିଠା ପଣା ବ୍ୟଞ୍ଜନର ପ୍ରସ୍ତୁତି ଉତ୍ସବର ଏହି ମାହୋଲକୁ ଆହୁରି ଆକର୍ଷଣୀୟ କରି ଗଢି ତୋଳେ। ଏ ସାହିରୁ ସେ ସାହି ପର୍ଯ୍ୟନ୍ତ ବୁଲି ବୁଲି ମେଢ଼ ଦେଖିବାର ମଜା କହିଲେ ନ ସରେ।
ସାହିମାନଙ୍କରେ ମେଢକୁ ନେଇ ଚାଲେ ଅହେତୁକ ପ୍ରତିଦ୍ୱନ୍ଦିତା। ମେଢ଼ଗୁଡିକର ସାଜସଜ୍ଜା ପାଇଁ ତ କଟକ ଜଗତ ବିଖ୍ୟାତ। ସୂକ୍ଷ୍ମ ତାରକସି କାର୍ଯ୍ୟରେ ଆଖି ଝଲସି ଉଠେ। ଆଜିକାଲିର ଉପଭୋକ୍ତାବାଦୀ ଯୁଗରେ ଏହି ପ୍ରତିଯୋଗିତା ଚରମ ସୀମାରେ ପହଞ୍ଚିଛି। କାହାର ସୁନା ମେଢକୁ କାହାର ଚାନ୍ଦି! ମଣ୍ଡପ ସାଜ୍ଜସଜ୍ଜାକୁ ନେଇ ସରଗରମ ହୋଇ ଉଠେ ପୂଜା ବଜାର। କାହାର ମେଢ ଓ ମଣ୍ଡପ ସବୁଠାରୁ ଆକର୍ଷଣୀୟ ହେବ ସେଥିପାଇଁ ଏଇ ପ୍ରତିଦ୍ୱନ୍ଦିତା। ଦିନକୁ ଦିନ ଏ ପ୍ରତିଦ୍ୱନ୍ଦିତା ବଢୁଛି ସିନା କମିବାର ନାହିଁ।
ମଣ୍ଡପ ସଜାଇବାକୁ କଲିକତା କି ରାଜସ୍ଥାନୀ କାରିଗରମାନଙ୍କ ଠାରୁ ଆରମ୍ଭ କରି ମେଲୋଡୀ ପାଇଁ ବମ୍ବେରୁ କଳାକାର ଆଣିବାରେ ବି ପ୍ରତିଦ୍ୱନ୍ଦିତା। ବେଳେ ବେଳେ ନିଜକୁ ବଡ଼ କରି ଦେଖେଇ ହେବାର ଏଇ ପ୍ରତିଦ୍ୱନ୍ଦିତା ପରିବର୍ତ୍ତିତ ହୁଏ ପତିଆରାର ଲଢ଼େଇରେ। ଅବଶ୍ୟ ଏଥିପାଇଁ ଲାଗୁଥିବା ସମ୍ବଳ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଉଠା ଦୋକାନୀ ଓ ନାମ ମାତ୍ର ବ୍ୟବସାୟୀଙ୍କ ଖାତାରୁ ଆସିଥାଏ। କିଏ ସ୍ବେଚ୍ଛାକୃତ ଭାବେ ଦାନ କରେ ତ ଆଉ କିଏ ଦାଦାଗିରିର ଡରରେ। କୋଉ ସାହି ଶ୍ରେଷ୍ଠ? କାହାର ମଣ୍ଡପ ଶ୍ରେଷ୍ଠ? କାହାର ମେଢ ଶ୍ରେଷ୍ଠ? କାହାର ଆଲୋକମାଳା ଶ୍ରେଷ୍ଠ? କାହାର ତୋରଣ ଶ୍ରେଷ୍ଠ? କାହାର ମେଲୋଡୀ ଶ୍ରେଷ୍ଠ? ଏମିତି କେତେ ଶ୍ରେଷ୍ଠତ୍ବର ଲଢେଇ ଏଇ କଟକର ଦଶହରା!
ଆଉ ଏଇ ପତିଆରାର ଲଢ଼େଇରେ ବଳି ପଡ଼େ ମଣିଷ! ଦୁର୍ଗା ପୂଜା ପାଇଁ ଇଏ ନରବଳୀ ନୁହେଁ ତ ଆଉ କଣ? ପଶୁବଳିକୁ ସିନା ପ୍ରଶାସନ ବନ୍ଦ କରିଦେଲା, ହେଲେ ଏଇ ନରବଳିକୁ ରୋକିବାକୁ ଯୁ' କାହାର ଅଛି? କତିପୟ ତଥାକଥିତ ମୁରବୀ ଶ୍ରେଣୀୟ ବ୍ଯକ୍ତି ବିଶେଷଙ୍କ ଅହଂକାର ଆଗରେ ତୁଚ୍ଛ ହୋଇଯାଏ ଜୀବନ। ସାହି ସାହି ମଧ୍ଯରେ ସଂଘଟିତ ହୁଏ ସଂଘର୍ଷ। ରକ୍ତାକ୍ତ ସଂଘର୍ଷ, ପତିଆରାର ସଂଘର୍ଷ। ଶାନ୍ତି କମିଟି ବସେ, ସମସ୍ୟା ଉପରେ ଆଲୋଚନା ହୁଏ, ସମାଧାନ ମଧ୍ଯ। କିନ୍ତୁ ସେତେବେଳକୁ ଗଡିସାରିଥାଏ କେତୋଟି ନର ମୁଣ୍ଡ ତାର ହିସାବ ନ ଥାଏ କାହା ପାଖରେ। କାରଣ ଇଏ ପତିଆରାର ଲଢ଼େଇ। ଯିଏ ଅପରପକ୍ଷର ଯେତେ ମୁଣ୍ଡ ଗଡେଇବ ସେ ହେବ ବିଜୟୀ, ବିଜୟା ଦଶମୀରେ। ପତିଆରା ରହିବ ତାର ସମଗ୍ର ସହରରେ। ତାର କଥାରେ ସହର ହେବ ଥରହର। ସଭିଏଁ କରିବେ ତାର ବଶତା ସ୍ଵୀକାର। ସେ ହେବ ମୁକୁଟ ବିହୀନ ସମ୍ରାଟ କଟକ ସହରର!
ତଳସାହିର ରବିନ୍ଦ୍ରନାଥ ମହାନ୍ତି, ଓରଫ ରବି ଭାଇ! ସାହି ତ ସାହି ପୁରା କଟକ ସହର ପାଇଁ ସେ ରବି ଭାଇ। ତଳ ସାହିର ବାସିନ୍ଦା ହେଲେ କଣ ହେବ କିନ୍ତୁ ଏଇ ପତିଆରାର ଲଢ଼େଇରେ ସବୁବେଳେ ଆଗୁଆ ସେ। ତଳ ସାହିକୁ ସହରଟା ସାରା ଲୋକଙ୍କ ଡର କେବଳ ଏଇ ରବିଭାଇଙ୍କ ପାଇଁ। ସବୁ ରାଜନୈତିକ ଦଳର ନେତାଙ୍କ ସହ ତାଙ୍କର ଭିତିରିଆ ନିବିଡ଼ ସମ୍ପର୍କ। କରିତକର୍ମା ଲୋକଟିଏ ସତେ! ସବୁ ଫଉଦାରୀରେ ମୁଖ୍ୟ ଆସାମୀ ଥିବେ ସେ କିନ୍ତୁ କେଉଁଥିରେ ବି ନାଁ ନଥିବ ତାଙ୍କର। ନିଜେ ପଣସ ଖାଇ ଅନ୍ୟ ମୁଣ୍ଡରେ ଅଠା ବୋଳି ଦେବା ଚରିତ୍ରର ଲୋକ ସିଏ। ସବୁ କିଛି ନେଇ ଆଣି ଥୋଇବାରେ ଓସ୍ତାଦ!
ମାତ୍ର ପାଞ୍ଚ ଫୁଟିଆ ବାଙ୍ଗରା ଶାବନା ରଙ୍ଗର ମଧ୍ଯ ବୟସ୍କ ଲୋକଟେ ରବିଭାଇ। ମଥାରେ ନାଲି ସିନ୍ଦୁର ଆଉ ଦେହରେ ଧଳା ରଙ୍ଗର ପଞ୍ଜାବୀ ଟ୍ରାଉଜର ତାଙ୍କର ଟ୍ରେଡମାର୍କ୍। ଖୋଲା ଜିପରେ ଚାରି ପାଞ୍ଚଟା ବିଶ୍ବସ୍ତ ସାହି ଟୋକାଙ୍କ ମେଳରେ ବୁଲନ୍ତି ସହର ସାରା ରବି ଭାଇ। ଶାନ୍ତି କମିଟି ମେମ୍ବର ହୋଇଥିବାରୁ ଲୋକେ ଦୁଇ ହାତ ଟେକନ୍ତି ତାଙ୍କୁ ଆଦରରେ ଅବା ଭୟରେ। ପ୍ରତିବଦଳରେ ରବିଭାଇ ପାନଖିଆ ନାଲି ଦାନ୍ତ ଦୁଇଧାଡ଼ି ଦେଖାଇବାର କଷ୍ଟ କରନ୍ତି। କେବେ କେବେ ଗଦଗଦ ହେଇ ଗୋଟିଏ ହାତ ଉପରକୁ ଟେକି ଦିଅନ୍ତି ତାଙ୍କଠୁ ବୟସ୍କ ଲୋକ ଦେଖି। ହେଲେ କାହା ପ୍ରତି ତାଙ୍କର ଅସମ୍ମାନ ଅବା ବେଖାତିର ଭାବ କେହି କେବେ ବି ଦେଖି ନାହାନ୍ତି ସର୍ବସାଧାରଣ ସ୍ଥାନରେ।
ଦଶହରା ସମୟରେ ସବୁ ସାହି ମୁରବୀମାନଙ୍କର ଗୋଟେ ଅଲଗା ପ୍ରକାର ପତିଆରା ଥାଏ। କହିବାକୁ ଗଲେ ଏମାନେ ହିଁ ପୂଜାର ମୁଖ୍ୟ ଆକର୍ଷଣ! ଅବଶ୍ୟ ମେଢ଼ ପରେ ଏମାନଙ୍କ ପାଳି। ପୂଜା ସମୟରେ କଣ ପିନ୍ଧିବେ କିପରି ଚାଲିବେ କେମିତି କଥା ହେବ ଏସବୁର ପୁଙ୍ଖାନୁପୁଙ୍ଖ ପ୍ରସ୍ତୁତି ବହୁ ଆଗରୁ ସାରିଥାଏ। ଚେଲା ଚାମୁଣ୍ଡାମାନେ ବି ଅନୁରୂପ ଭାବେ ପ୍ରସ୍ତୁତ। ରବିଭାଇ ଯେହେତୁ ତଳସାହିର ମୁରବୀ, ତାଙ୍କ ପତିଆରାଟା ଟିକେ ନିଆରା। ମେଢ଼ ମଣ୍ଡପ ମେଲୋଡୀ ତୋରଣ ଆଲୁଅ ଆଦିରେ ସେ କାହା ସହ ପ୍ରତିଦ୍ୱନ୍ଦିତା କରନ୍ତି ନାହିଁ, ବଜେଟ୍ ଅଭାବ କାରଣରୁ। କିନ୍ତୁ ଅଡି ବସନ୍ତି ସବୁବର୍ଷ ଭସାଣୀରେ ପ୍ରଥମେ ତାଙ୍କ ସାହି ମେଢକୁ ଯିବାକୁ ଦେବାକୁ। ଅନ୍ୟମାନେ ବି ସେହି ଏକା କଥା ଅଡି ବସନ୍ତି। ଧର୍ମଗୁଳାରେ ସମାଧାନ ହୁଏ, କିନ୍ତୁ ସେଥିରେ ବି ସବୁ ବେଳେ ରବିଭାଇ ବିଜୟଶ୍ରୀ ମଣ୍ଡିତ ହୁଅନ୍ତି। ଏହି କଥାଟା ଅନ୍ୟ ସାହିମାନଙ୍କର କାହାରିକୁ ସହଜରେ ହଜମ ହୁଏନି। ହୁଅନ୍ତା ବା କେମିତି?
ଦଶହରା ବଜାରରେ ସବୁ ପତିଆରା ରବି ଭାଇ ଭସାଣୀ ବେଳେ ଦେଖାନ୍ତି। ସୁସଜ୍ଜିତ ଖୋଲାଗାଡିରେ ରାଜା ମହାରାଜାଙ୍କ ଭଳି ପଟୁଆରରେ ବାହାରି ଆସିଲା ବେଳେ ସଭିଏଁ କହନ୍ତି, "ବାଟ ଛାଡ଼। ତଳସାହି ରବିଭାଇ ଆଇଲାରେ।" ଦୂରରେ ଥାଇ ଏଇ କଥା ପଦକ ଶୁଣି ଦେଇ ରବିଭାଇ ନିଜ ନିଶକୁ ମୋଡି ଦିଅନ୍ତି ଆତ୍ମ ଗର୍ବରେ। ସାହିର ଚେଲା ଚାମୁଣ୍ଡାଙ୍କ ମେଳରେ ଟିଭି ଚ୍ୟାନେଲ୍ କ୍ଯାମେରା ଆଗରେ ତୁଛା ବାହାଦୁରୀ ଦେଖାଇ ବାହାସ୍ଫୋଟ ମାରନ୍ତି ଆତ୍ମ ବିଭୋର ହୋଇ।
ପାର୍ବଣର ଏଇ ହସଖୁସିର ଉତ୍ତାଳ ଜୁଆରରେ ଦିନେ ଆସେ ଭଟ୍ଟା! ଭସାଣୀ, ମାଆ ଦୁର୍ଗାଙ୍କର ମେଲାଣି! ସପ୍ତାହକର ଆନନ୍ଦ ଉଲ୍ଲାସ ପରେ ଆସେ ବିଦାୟର ବେଳା। ମାଆ ଦୁର୍ଗା ବାହୁଡ଼ି ଯାଆନ୍ତି ପୁଣି ଆସନ୍ତା ବର୍ଷ ଆସିବାର ଦୃଢ଼ ନିର୍ଭର ପ୍ରତିଶ୍ରୁତି ଦେଇ। ଏଇ ଭସାଣୀ ପରି ତ ଆମର ଜୀବନ। ଚାରିଟା ଦିନର ଆନନ୍ଦମୟ ପାର୍ବଣ। ହର୍ଷୋଲ୍ଲାସ କୋଳାହଳ ରଙ୍ଗରାସ ରାଗ ରୋଷ ସହ ପତିଆରା ପାଇଁ ବିଦ୍ବେଷ। ପ୍ରୀୟଜନଙ୍କ ମେଳରେ ସୁଖର କେଇଟା ମୂହୁର୍ତ୍ତ, ବିତିଗଲା ପରେ ସେଇ ମହାର୍ଘ କ୍ଷଣ ବାହୁଡିବାକୁ ହୁଏ ଦିନେ ନା ଦିନେ ମଣିଷକୁ। ବାହୁଡିଯିବାର ପରେ ପରେ କେବଳ ଶୂନ୍ଯତା ହିଁ ଶୂନ୍ଯତା। ଏହା ହିଁ ସୃଷ୍ଟିର ଅଲ୍ଲଂଘନୀୟ ନିୟମ, ଯିଏ ଆସିଛି ତାକୁ ଯିବାକୁ ହେବ ହିଁ ଦିନେ। ସୁର ନର ବାନର କିନ୍ନର ଅସୁର ସଭିଙ୍କ ପାଇଁ ଏକଇ ନିୟମ। ଏଇ ତ ଅଢ଼େଇ ଦିନିଆ ସଂସାରର ଅଲିଖିତ ଅଥଚ ଅଲ୍ଲଂଘନୀୟ ବିଧି।
ଏମିତି ବର୍ଷେ ଭସାଣୀରେ ପତିଆରା ଦେଖେଇବାକୁ ବାହାରିଲେ ରବିଭାଇ ସୁସଜ୍ଜିତ ରଥରେ। ଅତର ମଖା ଗେଣ୍ଡୁ ଫୁଲ ମାଳ ଦି ଚାରିଟା ବେକରେ ପକାଇ ରାଜକୀୟ ଠାଣିରେ ରଥାରୂଢ ହୋଇ ବସିଥାନ୍ତି। ଭସାଣୀ ଉତ୍ସବ ପାଇଁ ରାଜପଥର ଦୁଇ ପ୍ରାନ୍ତରେ ଅଗଣିତ ନରନାରୀଙ୍କ ଭିଡ଼। ପ୍ରଥମେ ତାଙ୍କ ସାହି ମେଢ ସବୁ ବର୍ଷ ଭଳି। ବାଜା ବଜାଇ ବାଣ ଫୁଟାଇ ରୋଷଣୀ କରି ମାଆ ଦୁର୍ଗାଙ୍କୁ ମେଲାଣି ଦେବାକୁ ସଭିଏଁ ହାଜର ପଥ ପ୍ରାନ୍ତରେ। ଭସାଣୀ ଉତ୍ସବରେ ତଳସାହିର ମେଢ଼ ଗଡୁଥିଲା ଆଗକୁ ଆଗକୁ। ପହିଲେ ରବିଭାଇଙ୍କ ରଥ। ସୋମରସ ଆକଣ୍ଠ ପାନ କରି ଲାଲ୍ ଲାଲ୍ ଆଖିକୁ ତରାଟି ଚାରିଆଡ଼େ ଚାହୁଁଥାନ୍ତି ସେ। ପଛରେ ଆସୁଥାଏ ଜଗତଜନନୀ ମାଆ ଦୁର୍ଗାଙ୍କର ମୃଣ୍ମୟୀ ପ୍ରତିମା ବିସର୍ଜନ ନିମନ୍ତେ। ସମବେତ ଜନସମୁଦ୍ରର ଭାବାବେଗ ଉଛୁଳି ପଡୁଥାଏ। ଆଖିରେ ଲୁହ ଜକେଇ ଆସୁଥାଏ ମାଆଙ୍କ ବିଦାୟକାଳୀନ ଯାତ୍ରା ପାଇଁ।
କୋଳାହଳ ମଧ୍ୟରେ ହଠାତ୍ ଫୁଟିଲା ଗୁଳିଟିଏ। ଭେଦି ଯାଇଥିଲା ରବିଭାଇଙ୍କ ଦୁଇ ଆଖିର ଟିକେ ଉପରକୁ ଥିବା ସିନ୍ଦୁର ମଖା କପାଳରେ। ଗୁଳିବିଦ୍ଧ ବିବଶ ଶରୀରଟି ଲୋଟୁଥିଲା ରାଜପଥରେ। ପତିଆରା ସବୁ ବୋହି ଯାଉଥିଲା ରୁଧିରର ଗାଢ଼ା ଧାରଟେ ହୋଇ। ସଭିଏଁ ନିମଗ୍ନ ଥିଲେ ମାଆଙ୍କ ଭସାଣୀ ଉତ୍ସବରେ...।
