Exclusive FREE session on RIG VEDA for you, Register now!
Exclusive FREE session on RIG VEDA for you, Register now!

Lalita Mohan Mishra

Tragedy Horror


4.8  

Lalita Mohan Mishra

Tragedy Horror


ପ୍ରତ୍ୟୟ

ପ୍ରତ୍ୟୟ

9 mins 604 9 mins 604

  ରାତି ବାରଟା ପରେ ହୋଇଯିବ ! କମ୍ପୁଟରରେ କାମ କରୁଥିବା ହେତୁ ସମୟ ଜ୍ଞାନ ରହିଲା ନାହିଁ । ସନ୍ଧ୍ୟା ସାତଟାରୁ କମ୍ପୁଟରରେ ବସିଛି ଯେ ରାତି ବାରଟା ହୋଇଗଲା କିନ୍ତୁ କାମ ଛିଣ୍ଡିଲା ନାହିଁ । ଇଆଡେ ଭୀଷଣ ଭୋକ ଲାଗିଲାଣି । ରୋଷେଇ ଘର ଯାଇ ଦେଖେ'ତ - ଖାଲି କ୍ଷୀର ଅଛି । ରୁଟି ଦିଇଟା କରି, ଗରମ କ୍ଷୀର ସହିତ ଖାଉଛି ହଠାତ୍ କ୍ବାଟରର ବାହାରେ ରୁଣୁଝୁଣୁ ଶବ୍ଦ ହେଲା ।


      ଭାବିଲି ଏତେବେଳେ କିଏ କାହିଁକି ଆସିଲା । ସ୍କୁଲଠାରୁ କ୍ବାଟର ବହୁ ଦୂରରେ । ଆଜି ଶନିବାର ହେତୁ ସାର୍ ମାନେ କ୍ଲାସ୍ ସାରି ଦିନ ଏକଟା ଦୁଇଟା ସୁଦ୍ଧା ସମସ୍ତେ ପଳାଇ ଯାଇଛନ୍ତି ।


     ଏହି ସମୟରେ କୌଣସି ଝିଅ ପିଲା ଆସିବାର କାରଣ କ'ଣ ? କାହାର କ'ଣ ଅସୁବିଧା ହେଲା କି ? ମନରେ ଶଙ୍କା, ଶୀଘ୍ର ଖାଇବା ସାରି ଦେଲି । ଭିଡରୁ ସନ୍ଧ୍ୟାବେଳୁ କବାଟ କିଳି ଦେଇଛି ଝରକା ପ୍ରାୟ ଖୋଲେ ନାହିଁ ।


      କିଛି ସମୟ ପରେ ଦୂରରେ ଥିବା ଆମ୍ବଗଛ ଠାରେ ରୁଣୁଝୁଣୁ ଶୁଭାଗଲା । କିଏ ଗୋଟାଏ ଡାକିବାର ଅନୁମାନ କଲି । ମନରେ ଭୟ ଥିଲେ ମଧ୍ୟ ବାହାରକୁ ବାହାରିବାକୁ ଚେଷ୍ଟାକଲି । ଏମିତି ତ ଅନ୍ୟ ଦିନ ଗୁଡ଼ିକରେ ରାତି ବାର ଗୋଟେ ହେଲେ ମଧ୍ୟ ବାହାରକୁ ଯାଏ ପରିସ୍ରା କରିବାକୁ । କଥାର ଅଛି ପରା - "ଗାଁ ମଶାଣି ପର ଗାଁ ପାଣି" ତେଣୁ ପର ଗାଁ ରେ ଏତେ ଡରିବାର ନାହିଁ ଭାବି ବାହାରକୁ ବାହାରିଲି । ଅମାବାସ୍ୟା ଆଉ ଦିନେ ଦୁଇଦିନ ବାକି ଅଛି, ଚାରିଆଡ଼େ କିଟିକିଟି ଅନ୍ଧାର । ଚତୁର୍ଦ୍ଦିଗ ଚାହିଁଲି, ଟର୍ଚ୍ଚ ପକାଇଲି ଅନ୍ଧାରରେ କାହାକୁ ଦେଖିପାରିଲି ନାହିଁ ।

    


         ମନେପଡେ ପିଲାଦିନର ଏହିପରି ଏକ ଦୃଶ୍ୟ । ନବମ ଶ୍ରେଣୀରେ ପାଠ ପଢୁଥାଏ - ଗାଁ ରେ କାର୍ତ୍ତିକ ପୂର୍ଣ୍ଣମୀ ପୂର୍ବଦିନ ରାତିରେ ବାଡିପଟ ଚଉରା ମୂଳେ ରାତିସାରା କାର୍ତ୍ତିକ ପୁରାଣପାଠ ହୁଏ, ଆଉ ଭୋର ତିନିଟା ଚାରିଟାରୁ ବୋଇତ ଭସାଇ ଯିବା ପାଇଁ ପୋଖରୀକୁ ଯାଉ ।


      ଗୋଟିଏ ବର୍ଷ ବୋଉ ମୋତେ କହିଲା - ପୁଅରେ ! ଆମେ ସ୍ତ୍ରୀ ଲୋକମାନେ ଖାଲି ଅଛୁ ତୁ ଟିକେ ବାଡି ପଟେ ବସିଥାଆ ! କାର୍ତ୍ତିକ ମାହାତ୍ମ୍ୟ ପୁରାଣ ପାଠ ଚାଲିଥାଏ ।


    ଅଳପ ଅଳପ ଶୀତ ଲାଗୁଥାଏ ତେଣୁ ମୁଁ କମଳ ଟିଏ ଘୋଡି ହୋଇ ଢିଙ୍କି ଶାଳେ ଗଡୁଥାଏ । ନୀଳବୋଉ ହର ଦେଠେଇ, ଭାଲୁହର ବୁଢୀ ମାଆ, ସୁବାଷ କକେଇ ହର ଖୁଡୀ, ଗୁଡିଆ ମାଆ ହେରିକା ସମସ୍ତେ ବସି ପୁରାଣ ଶୁଣୁଥାନ୍ତି । କାହାର ଆଖିକୁ ନିଦ ମାଡି ଆସୁଥାଏ ତ କିଏ ଢୁଳାଉ ଥାଏ ।


     ଏହି ସମୟରେ ଆମ ବାଡିପଟ ବରକୋଳି ଗଛରୁ ଝୁଣୁଝୁଣୁ ହୋଇ ବାଲି ପଡିବାର ଶଦ୍ଦ ଶୁଭାଗଲା । ମୁଁ ସେତେବେଳକୁ କମଳ ଘୋଡି ହୋଇ ଶୋଇଥାଏ । ମୋର ଆଖିକୁ ନିଦ ମାଡି ଆସୁଛି ହଠାତ୍ ଏହି ଶବ୍ଦର ଭୟରେ ନିଦ ଭାଙ୍ଗିଗଲା । ତା ପରେ ପ୍ରେତାତ୍ମାର ବିକଟାଳ ହସ ଭାସି ଆସିଲା । ଗଛର ଡାଳ ଗୁଡିକ ଜୋରରେ ହଲିବାକୁ ଲାଗିଲା।

 

     ଭାଲୁହର ବୁଢୀ କହିଲା - ଏ ତ ରଖେଇ ଦେବ ନାହିଁ ! ଅଳପ ବୟସରେ ମରିଛି ତ....... ତାର ଆତ୍ମା ଶାନ୍ତି ପାଇ ନାହିଁ । କିଛି ସମୟ ପରେ ମୁଁ ଅନୁମାନ କଲି ଦୂରରୁ କିଏ ଗୋଟାଏ ଧଳା ଶାଢୀ ପିନ୍ଧି ଯାଉଛି । ମୁଁ ଭୟରେ କମଳ ଘୋଡାଘୋଡି ହୋଇ ଶୋଇ ପଡିଲି । କିଛି ସମୟ ପରେ ପୁଣି କମଳ ଭିତରୁ ମୁହଁଟି କାଢି ବାହାରକୁ ଦେଖିଲି ସମସ୍ତେ ଭୟରେ ପ୍ରକମ୍ପିତ । ଭାଲୁହର ବୁଢୀ ଗାଳି କରୁଥାଏ - ଅଳପେଇସିଣିଟା କାହିଁକି ଏମିତି ହେଉଛୁ, ତୁ ମଲୁ ତ ମଲୁ....... କ'ଣ କାହାକୁ ରଖେଇ ବସେଇ ଦେବୁ ନାହିଁ କି ?


      ବିକଟାଳ ହସ । ମୁହଁ ଉପରେ ଉପରେ ବାଳ ଗୁଡିକ ପଡିଥିବାର ଅସ୍ପଷ୍ଟ ବାରି ହେଉଥାଏ । ଗଛଟି ଜୋରରେ ହଲିବାର ଜଣାପଡୁଥାଏ । ମୁଁ ସେତେବେଳେ ଏତେ ଜାଣିବାର ହୋଇ ନ ଥାଏ । କିଟିମିଟିଆ ଅନ୍ଧାରରେ ଭୂତପ୍ରେତର ଗତିବିଧି ସ୍ପଷ୍ଟ ବାରି ହେଉ ନ ଥାଏ । ଭୂତ କେତେବେଳେ ଶାନ୍ତ ହୋଇଯାଏ ତ କେତେବେଳେ ଅଶାନ୍ତ । ଭାଲୁହର ବୁଢୀ କାହାକୁ କହୁଛି ଅଳପେଇସାଣି, କିଏ ମରିଛି, କାହିଁକି ମରିଛି, ମରିବାର ଉଦ୍ଦେଶ୍ୟ କ'ଣ ? ଏମିତି ଅନେକ ଅସମାହିତ ପ୍ରଶ୍ନ ମନକୁ ଉଙ୍କି ମାରୁଥାଏ କିନ୍ତୁ କାହାକୁ ଏକଥା ପଚାରିବି ? ଉପଯୁକ୍ତ ସମୟ ନୁହେଁ ଭାବି କାହାକୁ ପଚାରିନଥିଲି ! ଏପଟେ ଗଛର ଡାଳଗୁଡିକ ଜୋରରେ ହଲିଲା ।


    କିଏ ଜଣେ ଦୌଡ଼ିବାର ଶଦ୍ଦ ହେଲା, ସମସ୍ତେ ମୃତ୍ୟୁ ସନ୍ନିକଟ ଭାବି ଭୟଭୀତ ହେବାରେ ଲାଗିଲା । ଦୌଡୁଥିବା ଭୂତ ପାଖକୁ ଆସି ଦେଖନ୍ତି ତ ଆମ ସୁବାଷ କକେଇ । ସେ ଏମିତି ବେଳେ ବେଳେ ପିଲା ମାନଙ୍କୁ ସ୍ତ୍ରୀ ଲୋକମାନଙ୍କୁ ଡରାନ୍ତି । ଭାଲୁହର ବୁଢୀ ରାଗରେ କହିଲା - "ବାଡିଖିଆ ସୁବାଷ" .......  ଏମିତି କାହିଁକି ହେଉ ଥିଲୁ ରେ........


     ପିଲାବେଳେ ଜେଜେ ବାପା ଜେଜେମାଆଙ୍କର ଏମିତି ଭୂତପ୍ରେତ, ଡାହାଣୀ ଚିରୁଗୁଣୀଙ୍କର ଅନେକ ଡରେଇବା କଥା ଶୁଣିଛି । ନନା ଆମର ଗାଁ ରେ କିଏ ମରିଗଲେ ତାର ଶବ ପୋଡି ଯାଆନ୍ତି । ରାତି ଗୋଟେ ଦିଟାରେ ଘରକୁ ଫେରନ୍ତି । ଘରକୁ ଆସିବା ପୂର୍ବରୁ ଡାକ ପକାନ୍ତି ବୋଉ ତାଙ୍କର ଗୋଡକୁ ହଳଦି ପାଣି ପକାଏ ଶୁଦ୍ଧପୂତ କରାଏ । ନନା ପିନ୍ଧିଥିବା ଲୁଗାକୁ ବାହାରେ ଥୋଇ ଭଲ ଲୁଗା ପିନ୍ଧି ଘରକୁ ଆସନ୍ତି । ନନା ଆମର ଡରୁଆ ଲୋକ ନୁହଁନ୍ତି ତେଣୁ ମୋତେ ଏତେ ପ୍ରାୟ ଡର ନ ଥାଏ କିନ୍ତୁ ବାହାରେ ଚାରିଆଡ଼େ ଟର୍ଚ୍ଚ ପକାଇ ଦେଖିଲି କାହାକୁ ପାଇଲି ନାହିଁ ।


     ନିଜକୁ ଯେତେ ନିର୍ଭୟୀ ବ୍ୟକ୍ତି ବୋଲି ପରିଚୟ ଦେଲେ କ'ଣ ହେଲା ! ମନର ନିଭୃତ କୋଠରୀରେ କେଉଁଠି ନା କେଉଁଠି ଶଙ୍କା ରହିଯାଇଛି । କବାଟ ବନ୍ଦ କଲି । ଭାବିଲି ସମସ୍ତେ ପୂର୍ବରୁ ଯେଉଁ କଥା କୁହନ୍ତି...... ଆଉ ସେ ନୁହେଁ ତ.......

   ଏହି ପରି ଅନେକ ଅସମାହିତ ପ୍ରଶ୍ନ ? ଶେଯରେ ପଡି ସେ କଥା ଭାବି ଭାବି କେତେବେଳେ ଆଖି ପଡିଯାଇଛି ଜଣା ନାହିଁ ।

 

   ଶୀତ ଦିନ ରାତି କମଳ ଘୋଡି ହୋଇ ଶୋଇଥାଏ, କେତେବେଳେ କମଳଟି ଟିକେ ଗୋଡ ଆଡୁ ଖସିଗଲେ ଶୀତ ଲାଗୁଛି । ନିଦ ଯୋରରେ ଲାଗିଛି। ଶୋଷ ଲାଗୁଛି କିନ୍ତୁ ଶୀତରେ ପାଣି ଗ୍ଲାସ୍ ଟେ ଆଣି ପିଇବାକୁ ଇଛା ନାହିଁ, ଏପଟେ ନିଦ ଜୋରରେ........ ଏକ ଦୁଃସ୍ବପ୍ନ.......


    ଆମ୍ବଗଛ ମୂଳେ ଧଳା ବସ୍ତ୍ର ପରିଧାନ କରି କିଏ ଜଣେ ନାରୀ ନିକାଞ୍ଚନରେ ଏକାଗ୍ରତାରେ ଠିଆ ହୋଇ ଥିବାର ଲକ୍ଷ୍ଯ କଲି । ଲମ୍ବ କେଶ ଦ୍ବାରା ମୁଖ ମଣ୍ଡଳ ଆବୃତ୍ତ ହୋଇ ରହିଅଛି । ମେରୁହାଡ ଟାଇଁ ଟାଇଁ ହେଲା ପରି ଶଦ୍ଦ ହେଉଛି । ବିକଟାଳ ଶଦ୍ଦ ଦ୍ଵାରା ଚତୁର୍ଦ୍ଦିଗ ପ୍ରକମ୍ପିତ ହେଉଛି ।


     ମୁଁ ଦୂରରୁ ଦେଖିଲି - ଅଦଦ୍ଭୁତ ବିକଟାଳ ମୂର୍ତ୍ତି, ମୁଖ ମଣ୍ଡଳ ଉପରେ ଲମ୍ବ କେଶ ଲମ୍ବାୟିତ, ଲମ୍ବ ଭୂଜ, ଶିରଟି ସମୟେ ସମୟେ ଅଗ୍ର ପଶ୍ଚାତ୍ ଭ୍ରମତି, ପାଦ ନାହିଁ, ଲମ୍ବ ଗୋଡ ଏସବୁ ଦୂରରୁ ଦେଖି ଡରିଗଲି ।


ସେ ମୋତେ କହିଲେ ଭୟ କର ନାହିଁ ! 


ମୁଁ ପଚାରିଲି  - ଦେବୀ ! କିଏ ତୁମେ ଏଠାକୁ ଏତେ ରାତିରେ ଆସିବାର କାରଣ କ'ଣ  ? କେଉଁ ଉଦ୍ଦେଶ୍ଯ ନେଇ ଏଠାକୁ ଆସିଛ ? କାହିଁକି ଭୟଭୀତ କରାଉଛ ?


ସେ କହିଲା - ମୁଁ ଶରଣ୍ୟା ! ମୋର କଥା କହିବି ତୁମେ ଧର୍ଯ୍ୟର ସହ ଶୁଣିବ ....


ମୋର ଘର ଦିଗପହଣ୍ଡି ନିକଟ ସହଦେବପୁର ଶାସନରେ । ମୁଁ ଦିଗପହଣ୍ଡିର ଖେମୁଣ୍ଡି କଲେଜରେ +୩ ପଢୁଥିଲି । ମୋର ସହିତ ଚନ୍ଦ୍ରଗିରିର ନିର୍ନିମେଷ ମଧ୍ୟ ପଢ଼ୁଥିଲେ । ଆମ ଭିତରେ ପ୍ରଥମେ ବନ୍ଧୁତା ସୃଷ୍ଟି ହେଲା । ବନ୍ଧୁତା ହିଁ ପ୍ରେମର ଶ୍ରେଷ୍ଠ ନିଦର୍ଶନ । ବନ୍ଧୁତାରୁ ଧିରେ ଧିରେ ପ୍ରେମ । ଦୁହେଁ ଦୁହିଁଙ୍କୁ ନ ଦେଖିଲେ ରହି ପାରିଲୁ ନାହିଁ । ତା ପରେ ଦୁହିଁଙ୍କର ବିଶ୍ବସନୀୟତା, ପ୍ରତିଶ୍ରୁତିବଦ୍ଧତା ଓ ସାଧୁତା ବଢିବାରେ ଲାଗିଲା । ଧିରେ ଧିରେ ଆମେ ନିଃସର୍ତ୍ତ ଭଲ ପାଇବାରେ ଲାଗିଲୁ ।

    

        ଦୁଇଜଣଯାକ ପ୍ରେମରେ ନିଜକୁ ସମର୍ପିତ କରିଦେଲୁ । ଧିରେ ଧିରେ ପ୍ରେମ ରୂପକ ଘର ଗଢି ଉଠିଲା । ପ୍ରେମ ଏକ ନୈସର୍ଗିକ ଉପାଦାନ, ଜୀବାତ୍ମା ଆଉ ପରମାତ୍ମାକୁ ଏକାକାର କରି ଯେ ସ୍ବାର୍ଥକୁ ପରମାର୍ଥରେ ରୁପାନ୍ତରିତ କରିବାର କ୍ଷମତା ରଖେ ସେ ହେଉଛି ପ୍ରେମ । ବେଳେ ବେଳେ ବେଳାଭୂମିର ବାଲିଘର ସଦୃଶ ହଠାତ୍ ଭୁଶୁଡ଼ି ପଡିବାର ଭୟ କିମ୍ବା ସମୁଦ୍ର ଗର୍ଭରେ ଲୀନ ହୋଇଯିବାର ଭୟ ସେତେବେଳେ ରହିଲା । ପ୍ରତ୍ୟେକ ପ୍ରଶ୍ନ ସମୁଦ୍ର ଲହଡିର ଜଳକଣାରେ ସିକ୍ତ ହୋଇ ମୋର ସତ୍ତାକୁ ସମୁଦ୍ରର ପ୍ରୟୋଧିରେ ନିର୍ନିମେଷଙ୍କ ଠାରେ ହଜାଇଦିଏ । ପ୍ରେମର ସୁମଧୁର ବାସ୍ନା ଆମ ଦୁହିଁଙ୍କୁ ଆତ୍ମବିଭୋର କରିଦିଏ ।


   ଘରେ ସଦାବେଳେ ଅନ୍ୟମନସ୍କା ରହିଲି, ଖାଇବାକୁ ଭଲ ଲାଗିଲା ନାହିଁ । ମୋର ଅନ୍ୟ ମନସ୍କତା ଦେଖି ମମିର ସନ୍ଦେହ ହେଲା ।ଡାଡି ମମିଙ୍କର ଏକମାତ୍ର ଅଲିଅଳି କନ୍ଯା ମୁଁ । ମମି ଥରେ ଦୁଇଥର ପଚାରିଲେ - କ'ଣ ହୋଇଛି ତୋର..... ଏକା ଏକା ରହୁଛୁ ? ମମିକୁ ନିଜ ମନର କଥା କହିପାରେ ନାହିଁ ।

  

         ପ୍ରେମ ରୂପକ ମନ୍ତ୍ରରେ ଆମେ ଅଭିମନ୍ତ୍ରିତ ହୋଇଗଲୁ । ଅମାବାସ୍ୟାର ଅମା ଅନ୍ଧକାରରେ ନିର୍ନିମେଷ ହୋଇଗଲେ ମୋ ପାଇଁ ରୂପେଲି ଜହ୍ନ। ମୋର ଆଖିରେ ସେ ସଦାସର୍ବଦା ନାଚି ଉଠିଲେ ।


    ସେଦିନ କଲେଜ ଯିବା ବାହାନାରେ ଆମେ ବୁଲିବାକୁ ପଳାଇଗଲୁ ଗୋପାଳପୁର ସି ବିଚ୍ । ଗୋପାଳପୁର ବେଳାଭୂମିର କି ଅପରୂପ ସୌନ୍ଦର୍ଯ୍ୟ । ସେହି ସୌନ୍ଦର୍ଯ୍ୟରେ ଆମେ ବିମୋହିତ ହୋଇଗଲୁ । ମୋର ଭାବ ସେଇ ସମୁଦ୍ରର ଅଶାନ୍ତ ଜଳରାଶି କବଳିତ କରିନେଲା । ସତେ ଲାଗିଲା - ଶରୀର ଆଉ ମନ ମୋର ହୋଇ ରହିନାହିଁ । ମୁଁ ତୃଷାର୍ତ୍ତ ପରି ତୃଷା ଅପନୋଦନ ପାଇଁ ପ୍ରେମର ଶୀତଳ ସଲୀଳକୁ ପାନ କରିବାକୁ ଇଚ୍ଛା କରୁଅଛି । ସେତେବେଳକୁ ନିର୍ନିମେଷଙ୍କ ବାହୁ ବନ୍ଧନରେ ଜଡେଇ ହୋଇଯାଇଥିଲି ।


      ପ୍ରେମ କେମିତିକା ରୋଗ କେଜାଣି ! ଆଖି ନ ବୁଜି ମଧ୍ୟ ଅନେକ ସ୍ବପ୍ନକୁ ନିଜର କରିଦିଏ, ଆଉ ଆଖି ମୁଦିଲେ ସେହି ସ୍ବପ୍ନ ରାଇଜର ରାଜା ହୋଇଯାଏ । ମନର ଭାବନା ତରଙ୍ଗରେ ମନ ଆକାଶର ଇନ୍ଦ୍ରଧନୁ ଆଙ୍କିଯାଏ । ଆବେଗ ଉଦ୍ ଗୀରଣ ପାହାଡରୁ ଭାବାବେଗର ଝରଣା ବହିଗଲା । ସ୍ମିତହାସ୍ୟ ଓଷ୍ଠରେ ନିର୍ନିମେଷଙ୍କର ନିରବଛିନ୍ନ ସ୍ପର୍ଶ । ଅପହଞ୍ଚ ଇଲାକାରେ କରମର୍ଦ୍ଦନ । ମୋର ହୃଦୟ ରାଇଜର କାନଭାସରେ କାମନାର ତୃଷ୍ଣା ମେଣ୍ଟାଇବା ପାଇଁ ନିଜକୁ ସମର୍ପି ଦେଲି । ମୋର ମାଂସଳ ଶରୀରକୁ ଉଲଗ୍ନତା କରି ପ୍ରତ୍ୟେକ ଅଙ୍ଗକୁ ଚୁମ୍ବନରେ ଭରିଦେଲେ । ମୋର ଯୌବନର ସବୁଜିମାକୁ ସେ ପାନ କରିବାକୁ ଲାଗିଲେ । ମୋର ସମଗ୍ର ସତ୍ତାକୁ ସେ କବଳିତ କରିଦେଇଥିଲେ । ଭାବ ପ୍ରବଣତାର ଆବେଗରେ ସେ ମୋଠାରେ ପ୍ରେମବୀଜ ବପନ କରିଦେଇଥିଲେ ।


     ମୁଁ ଗୋପାଳପୁରରେ ଥିବା ଦିନ ମମି ଫୋନ କରିଥିଲେ ମୁଁ ମୋର ସାଙ୍ଗ ଘରକୁ ବ୍ରହ୍ମପୁର ଆସିଛି ବୋଲି କହିଥିଲି କିନ୍ତୁ ମମିଙ୍କର କଥାବାର୍ତ୍ତାରୁ ଅନୁଭବ କଲି - ଡାଡି ମମିଙ୍କର ମୋ ଉପରେ ସନ୍ଦେହ ।


    ପ୍ରେମରେ ହଜି ଯାଇଥିବା ହୃଦୟଟି ଚାହେଁ ଛୋଟ ଉପହାର । ସେ ଉପହାରଟି ହେଲା - ପ୍ରେମିକାଟି ପ୍ରତିଶ୍ରୁତି ଦେଇ ଯେମିତି କହିବ....... ଆମେ ଆଜୀବନ ସାଥି ହୋଇ ରହିବା, ଆଉ ସମସ୍ତ କାର୍ଯ୍ୟ ସହଭାଗିତାର ସହ କରିବା । ପ୍ରତ୍ୟୟ ଯେବେ ପାଲଟି ଯାଏ ଉଦୟ ସୂର୍ଯ୍ୟର ଆଭା ସେତେବେଳେ ପ୍ରୀତି କାନରେ କେତେ ଯେ ବର୍ଣ୍ଣବିଭା ।


     ସମୟ କାହାକୁ ଅପେକ୍ଷା କରେନାହିଁ, ସମୟ ଅବିରତ ଗତାନୁଗତିକ ରୀତିରେ ଚାଲିଥାଏ । ଅନ୍ଧାକାର ଅପସରି ଯିବା ପୂର୍ବରୁ ନିବିଡତା ଭାଙ୍ଗିଯାଏ । ନିର୍ନିମେଷଙ୍କର ତୃଷ୍ଣା ମେଣ୍ଟିଯିବା ପରେ ପୂର୍ବଭଳି ଆବଭାବ ଲକ୍ଷ୍ୟ କରିପାରିଲି ନାହିଁ । ଶରୀରର ଓ ମନର ଯନ୍ତ୍ରଣା ଧିରେ ଧିରେ ବଢିବାରେ ଲାଗିଲା । ନିର୍ନିମେଷଙ୍କ ପ୍ରତି ପ୍ରତ୍ୟୟ ରହିଲା ନାହିଁ । ଗୋଟିଏ ଅବକ୍ଷିପ୍ତ ଅସହାୟର ସୃଷ୍ଟିକୁ ନେଇ ଚିନ୍ତିତ ହେଲି । କ୍ଷଣିକ ସୁଖରୁ ଅସହାୟର ସୃଷ୍ଟି , ଆଉ ସେ ସୃଷ୍ଟି ହୋଇଯିବ ଚିରକାଳ ଅଭିଶପ୍ତ ଜୀବନ । ଦେହ ଭୋଗୀର ନୁହେଁ, ଦେହ ଭୋଗରୁ ସୃଷ୍ଟି ନିଷ୍ପାପ ମାଂସପିଣ୍ଡୁଳାର । 


    ନିର୍ନିମେଷଙ୍କର ତାପର ଠାରୁ ଆଉ ଏତେ ଦେଖା ସାକ୍ଷାତ ନାହିଁ । ଏକଥା କାହାକୁ କହିବି କେମିତି କହିବି ? ଯଦି କାହାକୁ କିଛି ନ କହିବି ସମାଜ ଆଖିରେ ହୋଇଯିବ ସେ ଜାରଜ !


     ଡାଡି ମମିଙ୍କୁ କିଛି ନ ଜଣାଇଲେ ମଧ୍ୟ ସେମାନେ ମୋର ଆବଭାବରୁ ଜାଣିଗଲେଣି । ମମି କେତେ ରାଣ ପ୍ରମାଣ ଦେଇ ପଚାରିଲା - ଏହି ନିଷ୍ପାପ ସୃଷ୍ଟର ପିତୃତ୍ବ କିଏ ? କହିବାକୁ ଇଚ୍ଛା ଥିଲେ ମଧ୍ୟ ସମୟ ଆସିଲେ କହିବି କହି ପ୍ରସଙ୍ଗକୁ ବୁଲେଇ ଦେଇଥିଲି ।


     ନିର୍ନିମେଷଙ୍କର ବିଷୟରେ ଅଧିକ ଜାଣିବା ପାଇଁ ମୋର ସାଙ୍ଗ ସାଥୀଙ୍କୁ ପଚାରି ଥିଲି । ମୋର ସାଙ୍ଗ ସାଥି ଯାହା କହିଲେ - ମୋର ପାଦତଳୁ ମାଟି ଖସିଗଲା ଭଳି ଲାଗିଲା । ନିର୍ନିମେଷ ଜଣେ ଲମ୍ପଟ, ନଷ୍ଟଚରିତ୍ରର ବୋଲି କହିଲେ । ଏମିତି କେତେ ଝିଅଙ୍କୁ ତାର ଜାଲରେ ଫସାଇ , ତାଙ୍କର ଜୀବନକୁ ନଷ୍ଟ କରିଛନ୍ତି ! ମୋର ସ୍ବପ୍ନର ନିଳୟ କ୍ଷଣିକ ମଧ୍ୟରେ ଧୂଳିସାତ୍ ହୋଇଗଲା ।

 

    ସେତେବେଳକୁ ଆମେ ଗୋପାଳପୁର ଯିବାର ଦୁଇମାସ ବିତିଯାଇଥିଲା । ସୃଷ୍ଟ ନିଷ୍ପାପଟି ଖୋଜେ ପିତୃତ୍ୱର ପରିଚୟ, ଖୋଜେ ମା'ର ମମତା କିନ୍ତୁ କିଏ ଦେବ ତାର ପରିଚୟ ! କିଏ ଦେବ ମାତୃତ୍ୱର ସ୍ନେହ ! ଜଳପୂର୍ଣ୍ଣ ବାଦଲ ପରି ଏଠାରେ ମେଞ୍ଚାଏ ମେଞ୍ଚାଏ ଜୀବନ ଯନ୍ତ୍ରଣା । ହୀରାପରି ଚକ୍ ଚକ୍ କରୁଥିବା ସମାଜର ଦେହଭୋଗୀମାନେ ଶ୍ରେଷ୍ଠ କିନ୍ତୁ ନାରୀ ସମାଜରେ କଳଙ୍କିତ କଳୁଷିତ ।


      ଏ ସବୁର ଉତ୍ତର ପାଇବା ପାଇଁ ନିର୍ନିମେଷଙ୍କର ଠିକଣା କାଢୀ ଦେଖାକରିବାକୁ ଏଠାକୁ ଆସିଥିଲି । ସେଦିନ ବାହୁଡାଯାତ୍ରା ହୋଇଥାଏ । ଗାଁ ରେ କେତେ ପ୍ରକାରର ନାଚଗୀତ । ଭେଳିକି ଭେଳି ଦୋକାନ ବଜାର ।  ମୁଁ ଯାତ୍ରା ଦେଖିବା ବାହାନରେ ନିର୍ନିମେଷଙ୍କୁ ଦେଖା କରିବାକୁ ଆସିଥିଲି ।


      ଦେଖାହେଲା ଘରର ଅସୁବିଧା ହେତୁ ଯାଇପାରିଲି ନାହିଁ ବୋଲି ଦର୍ଶାଇଲେ । ଏହି ମାସରେ ତୁମକୁ ଜୀବନ ସାଥି କରିବି ବୋଲି ପ୍ରତିଶ୍ରୁତି ଦେଲେ । ତାଙ୍କର କଥାରେ ମୋର ପୂର୍ଣ୍ଣ ପ୍ରତ୍ୟୟ ହେଲା । ବିଶ୍ବାସରେ ବନ୍ଧା ଏ ଜୀବନ ! ସୁଖରେ ବି ଅଶ୍ରୁ, ଦୁଃଖରେ ବି ଅଶ୍ରୁ । ଅଶ୍ରୁ ହେଉଛି ସମୟର ସାଥୀ । ସଂଘର୍ଷମୟ ଜୀବନ ଅତିକ୍ରମ କଲାବେଳେ ଅଶ୍ରୁ ଯୋଗାଏ ପା ପଥି ସ୍ବରୂପ ।

   

   ସେଦିନ ନିଆରା ମୁହୂର୍ତ୍ତ , ନିଆରା ଆବେଗ ଭାବପ୍ରବଣତା । ଅଶ୍ରୁ ସହିତ ମିଶି ପରେ ବହୁତ ମଜା କରିଥିଲୁ ହସିଥିଲୁ । ସମ୍ପର୍କର ପୁନଃ ଜୀବନ୍ୟାସରେ ଜୀବନ ପୁଣି ପୂର୍ଣ୍ଣତା ଲାଭ କଲା । ଅତୀତର ପୃଷ୍ଠା ଅଭିଲେଖ, ଆଉ ଭବିଷ୍ୟତ ଦିଗବାରେଣୀ । ପ୍ରେମର ଫଲଗୁ ପୁଣି ପ୍ରବାହିତ ହୁଏ ମମତ୍ବ ଗୃହକୁ ନେଇ ।


      ମୁଁ ପୁଣି ଆଶା ପ୍ରତ୍ୟୟ ନେଇ ଆଗେଇ ଚାଲିଲି । ମୋତେ ବହୁଦିନ ପରେ ପାଇଥିବାର ଦ୍ବାହି ଦେଇ ଏହି ନିବୃତ୍ତ ପରିତ୍ଯକ୍ତ କୋଠରୀକୁ ଆଣିଥିଲେ । ପ୍ରେମର ଅତଳ ମହୋଦଧିରେ ସନ୍ତରଣ କରିବାକୁ ବାଧ୍ୟ କରିଥିଲେ । ନିର୍ନିମେଷଙ୍କର ଅଛିଣ୍ଡା ରଜ୍ଜୁରେ ବାନ୍ଧି ହୋଇ ପୁନଃ ସ୍ବର୍ଗସୁଖ ପାନକଲି ।


      ହଠାତ୍ କିଛି ସମୟ ଭିତରେ ମୋର ସମସ୍ତ ସ୍ବପ୍ନ ଚୁରମାର ହୋଇଗଲା । ସୂର୍ଯ୍ୟ ତାର ରଶ୍ମି ବିଚ୍ଛୁରଣ କରି ଅନ୍ଧାରକୁ ଅନ୍ବେଷଣ କରେ , ହେଲେ ଅନ୍ଧାର ଆଲୋକର ପ୍ରଭାବରେ ବହୁ ଦୂରକୁ ଚାଲିଯାଏ । ଆଲୋକକୁ ପ୍ରକୃତ କ'ଣ ଅନ୍ଧାର ଡରେ ? ନା ! ଅପରାଧୀକୁ ପ୍ରଶୟ ଦେଇଥିବାରୁ ଅନ୍ଧାର ଲୁଚିବାକୁ ପ୍ରୟାସ କରେ ।


      ତିନିଚାରି ଜଣ ଟୋକା ମୁଁ ଝିଅ ପିଲାଟି ଏକୁଟିଆ ଥିବାର ସୁଯୋଗ ନେଇ ଏଠାରେ ପହଞ୍ଚିଗଲେ । ମୁଁ ଭୟରେ ଆତଙ୍କିତ ହୋଇଗଲି  । ସେମାନେ ସମସ୍ତେ ମଦ୍ୟପାନ କରିଥିଲେ । ଚୋର ପୋଲିସ୍ ଖେଳ ମଧ୍ୟରେ ଯେମିତି ଅନ୍ଧାର ଜିତିଯାଏ । ଅନ୍ଧାରରେ ଅପରାଧୀକୁ ପ୍ରଶୟ ଦିଏ । ତଟକା କଞ୍ଚାମାଂସ ପାଖରେ ପାଇ ଅପରାଧୀମାନେ ସୈତାନ ପାଲଟିଗଲେ । ଜଣକ ପରେ ଜଣେ ମୋର ସତ୍ତାକୁ କରାୟତ କରି ଅତି ନୃଶଂସ ଭାବେ କଞ୍ଚାମାଂସ ଗୁଡିକୁ ଝୁଣି ଖାଇଗଲେ ଏବଂ ସେମାନଙ୍କର ବଳିଷ୍ଠ ଶରୀର ଦ୍ବାରା ମୋତେ ଆବଦ୍ଧ କରିଦେଲେ ।

 

       ସେତେବେଳକୁ ନିର୍ନିମେଷଙ୍କୁ ଆମ୍ବ ଗଛରେ ବାନ୍ଧି ଦେଇଥିଲେ । ଅନ୍ଧାର ସବୁ ଦେଖେ, ଆହୁରି ପ୍ରଶୟ ଦିଏ ଚୋର ପୋଲିସ୍ ଖେଳ ମଧ୍ୟରେ ଯେମିତି ଚୋର ଜିତିଯାଏ ପୋଲିସ୍ ହାରିଯାଏ । ସେମିତି ମୁଁ ସେମାନଙ୍କ ପାଖରେ ହାରି ଯାଇଥିଲି । ଜଣକ ପରେ ଜଣକର ପାଶବିକ ଅତ୍ଯାଚାରରେ ମୁଁ ଚେତାଶୁନ୍ଯ ହୋଇଗଲି । ମୁଁ ଅଚେତ ହୋଇଯିବା ପରେ ସେମାନେ ମୁଁ ମୃତ ବୋଲି ଅନୁଭବ କରି , କାଳେ ସମାଜ ଆଖିରେ ଅପରାଧୀ ବୋଲି ଧରାପଡି ଯିବେ ଭାବି ଏ ଗଛରେ ମୋତେ ଝୁଲାଇ ଦେଇଥିଲେ । ଆଉ ସେହି ଦିନ ଠାରୁ ମୋର ଅତୃପ୍ତ ଆତ୍ମା ଏ ଗଛରେ ଝୁଲୁଛି ।


       ହଠାତ୍ ମୋର ନିଦ ଭାଙ୍ଗିଗଲା । ଭୟରେ ବିଭ୍ରାନ୍ତିରେ ମୁଁ କମଳକୁ ଘୋଡି ହୋଇ ଥରିବାକୁ ଲାଗିଲି । ପାଖରେ କିଏ ନାହିଁ କାହାକୁ ବା ଡାକିବି  !


     ଆଲୁଅ ଲଗାଇଲି......... ସତରେ କ'ଣ ଶରଣ୍ୟା ପ୍ରତ୍ୟୟ ରଖିଥିଲା ନିର୍ନିମେଷଙ୍କ ଉପରେ । ନିର୍ନିମେଷଙ୍କର ଅପରାଧୀଙ୍କ ସହିତ ହାତ ନାହିଁ ତ ? ଏମିତି ଅନେକ ଜଟିଳ ପ୍ରଶ୍ନ  ? ମୋର କିନ୍ତୁ ପୂର୍ଣ୍ଣ ପ୍ରତ୍ୟୟ ଥାଏ ନିର୍ନିମେଷ ଏହା କରିବାଟା ଠିକ୍ ହେଲାନି........।

       



Rate this content
Log in

More oriya story from Lalita Mohan Mishra

Similar oriya story from Tragedy