ପ୍ରତିଶ୍ରୁତି
ପ୍ରତିଶ୍ରୁତି
ଆରେ ସମୀର, ଏଇ କେତେ ଦିନ ହେଲାଣି ପିଙ୍କୁ ବାଇକ ପଛରେ ଝିଅଟିଏ ବସି ଯିବା ଆସିବା କରୁଛି, ସିଏ କିଏ କିରେ??
ଦାଦାଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଇଚ୍ଛା ନ ଥିଲା ସମୀରର । ତେଣୁ ଜାଣି ଶୁଣି କଥା ବଦଳେଇ ସେଠାରୁ ସେ ଅନ୍ୟ ଆଡେ ଚାଲିଗଲା ।
ଦାଦାଙ୍କର ଆଉ କିଛି କାମ ନାହିଁ । ଖାଲି ପିଙ୍କୁ ପଛରେ ଲାଗି ଥିବେ । ସିଏ କୁଆଡେ ଗଲା, କୁଆଡୁ ଆସିଲା,ତା ସାଙ୍ଗରେ କିଏ ଯାଉଛି ସବୁ ଜାଣିବାକୁ ଇଚ୍ଛା । କାହିଁ କେଉଁ ଦିନ ତ ବୁଝୁନ ସିଏ କଣ ଖାଉଛି କେମିତି ରହୁଛି । ତା ଅସୁବିଧାରେ ଟିକେ ଠିଆ ହେବାର ନାହିଁ, ଖାଲି ତା ସମ୍ପତ୍ତି ଉପରେ ଆଖି ।
ସମୀର, ସମ୍ପର୍କରେ ପିଙ୍କୁର ବଡ଼ ଭାଇ ହେବ । ଭାରି ଭଲ ପାଏ ପିଙ୍କୁକୁ, ଗାଆଁର ଜମିଦାର ନବ କିଶୋର ସାମନ୍ତରାଏଙ୍କର ଏକ ମାତ୍ର ଉତ୍ତରାଧୀକାରୀ ପ୍ରିୟଙ୍କ ସାମନ୍ତରାଏ । ଭାରି ସରଳ ଆଉ ସ୍ନେହୀ, ଅନ୍ୟର ଦୁଃଖ ଦେଖିଲେ ସହି ପାରେନି, ତା ସାମର୍ଥ୍ୟ ଅନୁସାରେ ସାହାଯ୍ୟ କରେ । ତାକୁ ଖାଲି ସ୍ନେହ ଆଉ ଭଲପାଇବା ଟିକେ ଦରକାର, ଭାରି ଅଭାଗୀନିଟା ଜନ୍ମ ହଉ ହଉ ଝିଅଟିଏ ବୋଲି ମା'ସ୍ନେହରୁ ବଞ୍ଚିତ ହେଲା । ପୁଣି ସେଇ ମାଆ ମଧ୍ୟ ଅଳ୍ପ ଦିନ ପରେ ଏ ସଂସାର ଛାଡ଼ି ଚାଲିଗଲା, ମାଆକୁ ଝୁରି ଝୁରି ବାପା ଗଲେ, ଜେଜେ ତ ବୁଢା ହୋଇଥିଲେ ସିଏ ବି ଅଳ୍ପ କିଛି ଦିନ ପରେ ଦୁନିଆଁ ଛାଡ଼ିଲେ ।
ନବ ସାମନ୍ତରାଏଙ୍କ ପୁଅ ତ ଅଯୋଗ୍ୟର,କେଉଁ କାମକୁ ନୁହେଁ । ବସି ବସି ଖାଇ ଟଙ୍କା ଉଡାଏ । ଖୁଡିଙ୍କୁ ସୁନ୍ଦର ଦେଖି ବାହା ହୋଇଥିଲେ । ନିଶାଖୋର୍ ଆଉ ଜୁଆଡି, ଅଏସ କରି କରି ଜୀବନ ବିତାଇ ଦେଲେ । ଚାରିଚାରିଟା ଝିଅ । ପୁଅଟିଏ ହେଲେ କେତେ ଖୁସି ହେବେ ଜେଜେ, ସାରା ଗାଆଁରେ ମିଠା ବାଣ୍ଟିବେ, ଏକୋଇଶିଆରେ ଭୋଜି ଭାତ କରିବେ, ମନ ତାଙ୍କର ଆନନ୍ଦରେ ନାଚି ଉଠିବ । ଆଉ ତାଙ୍କର ଡର ନାହିଁ ଯେ ତାଙ୍କ ସମ୍ପତ୍ତିକୁ ଅନ୍ୟ କିଏ ହଡପ କରି ନେବ ଖାଲି ନାତିଟେ ହେଲେ ସିଏ ବଞ୍ଚି ଥିବା ଭିତରେ ତା ନାଁରେ ସବୁ ସମ୍ପତ୍ତିକୁ ଲେଖି ଦେଇ ଯିବେ । ପାଚିଲା ଆମ୍ବ ଭଳି ଅବସ୍ଥା କେତେବେଳେ ଡ଼େମ୍ଫରୁ ଖସି ପଡ଼ିବା ଭଳି ଖସି ପଡିବେ, ଲୋକ ତ ଚାହିଁ ବସିଛନ୍ତି ସାଆନ୍ତରା ପରିବାରର ଅପର୍ଯ୍ୟାପ୍ତ ସମ୍ପତ୍ତିର ମାଲିକ ହବାକୁ । ପୁଅକୁ ତ ଭରସା ନାହିଁ, ସବୁ ନେଇ ଜୁଆ ଖେଳିଦେବ ।
ହେଲେ ଖୁଡୀଙ୍କର ପଞ୍ଚମ ଗର୍ଭରେ ପୁଣି ଗୋଟିଏ ଝିଅ । ସମସ୍ତଙ୍କର ମନ ଭାଙ୍ଗିଗଲା, କେହି ଖୁସି ନଥିଲେ ତା ଆଗମନରେ । ପୁତ୍ର ମୋହରେ ଅନ୍ଧ ଖୁଡି ତାକୁ ହତାଦର କରନ୍ତି । ତେଣୁ ପିଲା ବେଳୁ ସର୍ବଦା ସ୍ନେହ କାଙ୍ଗାଳ ।
ପିଙ୍କୁର ଭଉଣୀ ମାନେ ପିଲା ବେଳୁ ଗେହ୍ଲାରେ ବଢ଼ିଥିଲେ, ପ୍ରତି ଜିନିଷରେ ଅଧିକାର ସାବ୍ୟସ୍ତ କରି ନିଜର ଆବଶ୍ୟକତା ପୂରଣ କରି ନିଅନ୍ତି । କିନ୍ତୁ ପିଙ୍କୁ ଭାରି ସ୍ୱାଭିମାନୀ ନିଜର ଅଧିକାରକୁ ଜାହିର କରିବାକୁ ଭଲ ପାଏ ନାହିଁ । ନିହାତି ଆବଶ୍ୟକ ନ ହେଲେ କାହାକୁ ଜୋର କରି କହେନି କି ମାଗେନି । ନିଜର ଭାଗ୍ୟ ଆଉ ଭବିଷ୍ୟତ ଅନିଶ୍ଚିତ ବୋଲି ଜାଣି ଆଗରୁ ନିଜକୁ ଅଲଗା ଭାବରେ ଗଢି ନେଲା ।
ପିଙ୍କୁ ଓରଫ ପ୍ରିୟଙ୍କ, ନାଁ ଯେମିତି ସେମିତି ରହସ୍ୟ ମୟ ତା ଜୀବନ । ନାଁରୁ ପୁଅ କି ଝିଅ କେହି ଜାଣିପାରିବେ ନାହିଁ । ଜନ୍ମ ହୋଇଥିଲା ଝିଅଟିଏ ହୋଇ, ସମସ୍ତଙ୍କ ପାଖରେ ଅଲୋଡ଼ା ଥିଲା । ଚାରି ଚାରିଟା ଝିଅ ଜନ୍ମପରେ ସମସ୍ତଙ୍କର ଅପେକ୍ଷା ପୁଅଟିଏ ପାଇଁ, ଦିଅଁ ଦେବତା କରି କରି ଜନ୍ମ ନେଇଥିଲା ବୋଲି ଠାକୁର ତାକୁ ଅନ୍ୟ ପ୍ରକାର ଗଢି ଦେଇଥିଲେ ।
ପୁଅର ଅଭାବବୋଧରେ ଜେଜେଙ୍କ ଆଗରେ ପୁତ୍ରସୁଲଭ ଗୁଣଗୁଡ଼ିକ ଦେଖେଇବାକୁ ଲାଗିଲା । ଯେମିତିକି ପୁଅମାନଙ୍କ ସହ ବେଶି ମିଶିଲା ପୁଅମାନଙ୍କୁ ଅନୁକରଣ କଲା । ଡ୍ରେସ ପିନ୍ଧିଲା ପୁଅଙ୍କ ପରି, ଗିଲିଦଣ୍ଡା ବାଟି ଖେଳିଲା, ଟିକେ ବଡ଼ ହେଲା ପରେ କ୍ରିକେଟ ବ୍ୟାଟ ଧରି ସ୍କୁଲ ପଡ଼ିଆରେ ପୁଅମାନଙ୍କୁ ଟକ୍କର ଦେଲା । ବାଇକ ଚଲେଇଲା । କାହାକୁ ଭୟ କରିବା ତା ଜାତକରେ ଲେଖି ଆଣିନି ସେ । ଜେଜେ ମଧ୍ୟ ଧୀରେ ଧୀରେ ପିଙ୍କୁକୁ ଭରସା କରିବା ସହ ଭଲ ପାଇଲେ ।
ଜେଜେ ଯେତିକି ଦିନ ବଞ୍ଚିଥିଲେ ସବୁ ଯାଗା, ଜମିଜମା କୋଠ ଖମାର ସବୁର ଖବର ବୁଝି ନେଇଥିଲା । କୋଉଁଠି କେତେ ଧାନ, କେଉଁ ଧାନ ହୁଏ ସବୁର ହିସାବ ଜାଣେ । ଜେଜେ ମଲା ବେଳକୁ ମାତ୍ର ପନ୍ଦର ଷୋହଳ ବର୍ଷ ହୋଇଥାଏ ହେଲେ ତାଙ୍କୁ ଦୃଢ ପ୍ରତିଶୃତି ଦେଇଥିଲା ଏ ଜମି ବାଡ଼ିର ଦାୟିତ୍ଵ ତାର ସବୁ ସିଏ ବୁଝିବ କାହାକୁ ଏଥିରେ ହାତ ମାରିବାକୁ ସୁଯୋଗ ଦେବ ନାହିଁ ।
ତା ପ୍ରତିଶ୍ରୁତିକୁ ଠିକ୍ ଠିକ୍ ପାଳନ କରୁଛି ପିଙ୍କୁ ।
ଜେଜେ ଥିଲା ବେଳୁ ତିନି ଭଉଣୀଙ୍କୁ ବାହା କରି ଦେଇଥିଲେ । ଆଉ ଜଣକୁ ପିଙ୍କୁ ଧୁମଧାମରେ ବାହା କଲା ଯେମିତି ବାପା ମାଆ କରନ୍ତି ।
ତା ଉପର ଭଉଣୀକୁ ବାହା କଲା ପରେ ପୁରା ଏକା ହୋଇଗଲା ସେ । ଯେଝା ଶାଶୁ ଘରକୁ ନେଇ ସମସ୍ତେ ବ୍ୟସ୍ତ ରହିଲେ, ପିଙ୍କୁ ତା ଜେଜେଙ୍କୁ କଥା ଦେଇ ସବୁ ସମ୍ଭାଳି ରଖିଛି । ତା କଥା ବୁଝିବାକୁ କେହି ନାହିଁ ।
ସମୀର ଏମିତି ଭାବୁଛି ପିଙ୍କୁ ସେଇ ବାଟ ଦେଇ ବାଇକରେ ଚାଲିଗଲା, ପଛରେ ବସିଛି ଝିଅଟିଏ ।
ମନେ ପଡ଼ିଲା ସମୀରର ଦାଦାଙ୍କ କଥା । ଏଇ ଝିଅ ବିଷୟରେ ଜାଣି ବାକୁ ଚାହୁଁଥିଲେ ବୋଲି ।
ସେ ଭାବିଲା କିଏ ଇଏ, ମୁଁ ତ ଜାଣିନି ୟାଙ୍କୁ କଣ କହିବି ।
ତା ଦାଦାଙ୍କୁ ସେ ଠିକ୍ ଚିହ୍ନିଛି, ଭାରି ଲୋଭ ତାଙ୍କର ପିଙ୍କୁର ସମ୍ପତ୍ତିକୁ ଗୋଟେ ଚୁଟ୍କିରେ ହଜମ କରିଦେବା ଲୋକ ସେ । କେବଳ ପିଙ୍କୁ ଯୋଗୁ ତାଙ୍କ ହାତ ପହଞ୍ଚି ପାରୁନି ସେ ଯାଏ ।
ଦିନେ ସୁବିଧା ଦେଖି ସମୀର ପହଞ୍ଚିଲା ପିଙ୍କୁ ଘରେ, ଜାଣିବାକୁ ଯେ ଏ ଝିଅଟି କିଏ ?
ପିଙ୍କୁ ସମୀରକୁ ଦେଖି ଖୁସି ହୋଇଗଲା । କହିଲା ସମୀର ଭାଇ ତୁମ କଥା ଭାବୁଥିଲି ତୁମେ ମନକୁ ଆସିଲ, ମୁଁ ଆଜି ବହୁତ ଖୁସି । ପ୍ରିୟଙ୍କ କହିଲା
କଣ ପାଇଁ କିରେ??ସମୀର ପଚାରିଲା ।
କହୁଛି ଭାଇ । ତୁମେ ତ ଜାଣିଛ ନାନୀମାନେ ବାହା ହୋଇ ଚାଲିଗଲେ, ମୁଁ ରହିଲି ଘରେ ଏକା, ବହୁତ ଅସୁବିଧା ହଉଛି ମୋତେ ଖାଇବା ପିଇବା ପାଇଁ, ତେଣୁ ଭାବୁଛି କିଛି ଗୋଟେ କରିବି ।
ତୁ କଣ ବାହା ହବୁନି??
ନା, ମୁଁ କାହାକୁ ବାହା ହେବି,.... କିଏ ମୋତେ ଝିଅ ବୋଲି ଗ୍ରହଣ କରିବ । ମୁଁ ନିଜେ ବି ଜାଣିନି ମୁଁ ଝିଅଟିଏ ବୋଲି, ହଁ ମୁଁ ଜନ୍ମ ହେଲା ବେଳେ ଝିଅ ବୋଲି ସମସ୍ତେ ମୁହଁ ବୁଲେଇ ଦେଲେ ........ ।
ମୋ ପ୍ରତି ଅବହେଳା କଲେ.......... ।
ମୋ ମାଆ ମୋତେ ତା ଛାତିରୁ ଅମୃତ ଟୋପେ ମଧ୍ୟ ପିଇବାକୁ ଦେଇନି .... ।
ଯେଉଁ ଅସହ୍ୟ ଦୁଃଖ ଆଉ ଯନ୍ତ୍ରଣା ମୁଁ ସହିଛି, ତାର ପ୍ରଭାବ ଏତେ ଯେ ନିଜକୁ ସବୁବେଳେ ପୁରୁଷ ବୋଲି ମାନସିକ ସ୍ତରରେ ଭାବି ଚାଲିଲି । ତାରକୁ ଫଳ ନା ସୁଫଳ ମିଳିଲା ମୁଁ ଜାଣିନି ମୋ ଭିତରେ ଗୋଟେ ପରିବର୍ତ୍ତନ ହେଲା ମୁଁ ସବୁବେଳେ ଚାହିଁଲି ପୁଅଟିଏ ହେବା ପାଇଁ । ନିଜକୁ ପ୍ରସ୍ତୁତ କରିବାକୁ ଲାଗିଲି ସବୁ କ୍ଷେତ୍ରରେ । ଏବେ ମୁଁ ନିଜକୁ ପୁରୁଷ ବୋଲି ପ୍ରମାଣ କରିବାକୁ ଯାଉଛି । ଆଉ ମୋତେ ତ କେହି ଝିଅ ବିବାହ କରିବେନି । ତେଣୁ ମୁଁ ଠିକ୍ କରିଛି ଜଣେ କିନ୍ନରକୁ ବିବାହ କରିବି । ସିଏ ମୋର ଜୀବନ ସାଥୀ ହୋଇ ମୋ ସୁଖ ଦୁଃଖରେ ସାଥ ଦବ ।
ଆଉ ରହିଲା ବଂଶ ରକ୍ଷା କଥା ମୁଁ ଅନାଥଆଶ୍ରମରୁ ପିଲାଟିଏ ଆଣି ପାଳିଵି ।
ତା ହେଲେ ତୋ ସାଙ୍ଗରେ ଯେଉଁ ଝିଅଟି ବସି ଯାଉଛି ସେଇ......., ସମୀର ଏତିକି କହୁ କହୁ ପ୍ରିୟଙ୍କବକହିଲା
ହଁ ଭାଇ ସେଇ, ଯିଏ ମୋ ସହିତ ବାଇକ ପଛରେ ବସି ଯାଉଛି ।
ସେ ବି ମୋ ଭଳି ଦୁଃଖୀଟିଏ, ପୁଅ ହୋଇ ଜନ୍ମ ହେଲା ସିନା ପୁରୁଷ ସୁଲଭ ଗୁଣ ତା ପାଖରେ ନ ଥିଲା । ଝିଅର ବେଶ ପୋଷାକରେ ରହିବାକୁ ପସନ୍ଦ କରୁ ଥିଲା । ଲୁଚି ଲୁଚି ଚୁଡ଼ି ସିନ୍ଦୂର ଅଳତା ଲଗାଉ ଥିଲା, ଫଳରେ ତାକୁ ତା ବାପା ଘରୁ ବାହାର କରିଦେଲେ । ସମାଜରେ ତାକୁ କିନ୍ନର କହି ଅପମାନିତ କରାଗଲା ।
ଏମିତି ଥରେ ଦେଖା ହୋଇ ଆମେ ଦୁହେଁ ପରସ୍ପରର ଦୁଃଖ ସୁଖର ସାଥୀ ପାଲଟି ଗଲୁ ଆଉ ଠିକ୍ କଲୁ ଦୁହେଁ ଦୁଇ ଜଣଙ୍କ ସାହାରା ହୋଇ ବାକି ଜୀବନ ବିତାଇ ଦେବୁ ।
ପ୍ରିୟଙ୍କର କଥା ଶୁଣି ସମୀର ଆଖିରୁ ଲୁହ ଝରି ଆସିଲା, ପିଙ୍କୁର ପିଠି ଥାପୁଡେଇ ଦେଇ ସମୀର କହିଲା
ତୁ ଯାହା ଭାବିଛୁ ଠିକ୍ । ସେଇଆ କର ମୁଁ ସବୁବେଳେ ତୋ ସାଙ୍ଗରେ ଅଛି ।