STORYMIRROR

Kanan Bala Nayak

Inspirational

4.9  

Kanan Bala Nayak

Inspirational

ପ୍ରତିଶ୍ରୁତି

ପ୍ରତିଶ୍ରୁତି

4 mins
647



 ଭାଇ ତୁ ସବୁ ଥର ଖାଲି ମୋତେ ଠକି ଦେଉଛୁ। ମୋ ପାଇଁ ରାକ୍ଷୀ ପୂର୍ଣ୍ଣିମାରେ କିଛି ବି ଉପହାର ଆଣୁନୁ। ମୋ ସାଙ୍ଗ ମାନଙ୍କୁ ତାଙ୍କ ଭାଇ ମାନେ ନାନା ରକମର ଉପହାର ଦେଉଛନ୍ତି। ଅଥଚ ତୁ କେବେ ବି ମୋ ପାଇଁ କିଛି ଉପହାର ଆଣୁନୁ। ସୁମିତ୍ ହସି ହସି କହେ, ତୋ ସାଙ୍ଗ ମାନଙ୍କୁ ତାଙ୍କ ଭାଇ ମାନେ ତାଙ୍କ ବାପାଙ୍କ ଟଙ୍କାରେ ଉପହାର ଆଣି ଦେଉଛନ୍ତି । ତୁ ତୋ ଜାଣୁ ତୋ ଭାଇ ଏବେ ଛୋଟ ଅଛି। ରୋଜଗାର କ୍ଷମ ହୋଇ ନାହିଁ। ତେଣୁ ତୋତେ ଯାହାବି ଦେବ ବାପାଙ୍କ ଟଙ୍କାରୁ ଆଣି ଦେବ। ତୁ କଣ ଚାହୁଁ ତୋ ଭାଇ ସେମିତି କରୁ?ସୁମି କହେ ନାଁ ଥାଉ ମୁଁ ବାପାଙ୍କ ଟଙ୍କାରେ ଉପହାର କାହିଁକି ନେବି। ତୁ ବଡ଼ ହୋଇ ଚାକିରୀ କଲା ପରେ ମୋତେ ସୁଧ ମୂଳ ସହ ସବୁ ଦେଇ ଦେବୁନି।ଆଉ ଭାଇ ହାତରେ ରାକ୍ଷୀଟିଏ ବାନ୍ଧି ଦେଇ ତା ପାଟି ଭିତରେ ମିଠାଟିଏ ପୁରାଇ ଦିଏ। ସୁମିତ୍ କହେ ମୁଁ ସିନା ଏବେ ତୋତେ ଉପହାରଟିଏ ଦେଇ ପାରୁନି କିନ୍ତୁ ପ୍ରତିଶ୍ରୁତି ଦେଉଛି ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ତୋର ସୁରକ୍ଷା କରୁଥିବି। ତୋର କୌଣସି ଅସୁବିଧା ହେବାକୁ ଦେବିନି।


 ସୁମିତ୍ ବଡ ହୋଇ ଭାରତୀୟ ସୈନ୍ୟ ବାହିନୀର ଜଣେ ଅଧିକାରୀ ଭାବରେ ଭାରତ ପାକିସ୍ତାନ ବର୍ଡରରେ ପୋଷ୍ଟି ହୋଇଛି। ଆଗକୁ ରାକ୍ଷୀ ପୂର୍ଣ୍ଣିମା ଆସୁଛି। ସୁମି ବୋଉକୁ ପଚାରିଲା ଭାଇ ରାକ୍ଷୀ ପୂର୍ଣ୍ଣିମାକୁ ଆସିବ ନାଁ ନାହିଁ କହିଲୁ। ସେ ପରା ଚାକିରୀ କଲାଣି। ମୋ ପାଇଁ ଯଦି ସୁନ୍ଦର ଉପହାରଟିଏ ନ ଆଣି ଥିବ, ମୁଁ ତା ହାତରେ ରାକ୍ଷୀ ବାନ୍ଧି ବିନି କହିଦେଉଛି। ବୋଉ କହିଲେ ରାକ୍ଷୀ ପୂର୍ଣ୍ଣିମାରେ ଘରକୁ ଆସିବ ବୋଲି ପରା ସେ ବର୍ଷେ ହେଲାଣି ଘରକୁ ଆସିନି । ହେଲେ ବର୍ତ୍ତମାନ ବର୍ଡରର ଯାହା ପରିସ୍ଥିତି ତୋ ଭାଇକୁ ଛୁଟି ମିଳିଲେ ସିନା। ମାଆ ଝିଅଙ୍କ କୋଥ ପୋକଥନ ଭିତରେ ହଠାତ୍ ଫୋନ୍ ଟା ରିଙ୍ଗ ହେଲା। ସେ ପଟୁ ସୁମିତ୍ କହୁଥାଏ ମାଆ ମୋ ଛୁଟି ଅନୁମୋଦନ ହୋଇଯାଇଛି। ମୁଁ ରାକ୍ଷୀ ପୂର୍ଣ୍ଣିମା ଦିନ ଘରେ ପହଞ୍ଚିବି। ସୁମିକୁ କହିଦେବୁ ମୁଁ ଏଥର ତାକୁ ଆଉ ଠକି ବିନି। ତା ପାଇଁ ତା ମନ ପସନ୍ଦର ଉପହାର ନେଇକିଯିବି।


 ଭାଇ ଆସିବ ବୋଲି ସୁମିର ପାଦ ତଳେ ଲାଗୁ ନଥାଏ। ସେ ତାର ସବୁ ସାଙ୍ଗ ସାଥୀଙ୍କୁ ଭାଇ ଆସିବାର ଖବରଟା ଦେଇଆସିଲା।ସୁମିତ୍ ଆସିବାର ଦିନ ଆସିଲା। ସୁମି ସକାଳୁ ଉଠି ବୋଉକୁ ପଚାରିଲା ବୋଉ ଭାଇ ଆଜି କେତେବେଳେ ଟ୍ରେନ୍ ଚଢିବ। ସେ ଫୋନ୍ କଲାଣି ନାଁ ନାହିଁ ।ତୁ ଟିକେ ତାକୁ ଫୋନ୍ କରୁନୁ। ବୋଉ କହିଲେ ମୁଁ ଫୋନ୍ କରିଥିଲି,ହେଲେ ତା ଫୋନ୍ ଲାଗୁନି। ନଟ୍ ରିଚେବୁଲ୍ ଆସୁଛି। ସେ ଟ୍ରେନ୍ ଚଢିଲେ ନିଜେ ଫୋନ୍ କରିବନି । ସୁମି ଦିନ ସାରା ବୋଉକୁ ପଚାରୁ ଥାଏ ବୋଉ ଭାଇ ଫୋନ୍ କଲାଣି ନାଁ ନାହିଁ। ସେ ଆସୁଛି ତ ? ବୋଉ କହିଲେ ସେ ତ ଏତେ ବେଳକୁ ଟ୍ରେନ୍ ରେ ବସିଯିବା କଥା। ହେଲେ ଫୋନ୍ କରିନି। ସୁମି ବୋଉ ତା ବାପାକୁ କହିଲେ, ତୁମେ ଟିକେ ସୁମିତ୍ ର ରୁମ୍ ମେଣ୍ଟକୁ ଫୋନ୍ କରୁନ। ସୁମିର ବାପା ସୁମିତ୍ ର ରୁମ୍ ମେଣ୍ଟକୁ ଫୋନ୍ କଲେ। ହେଲେ ୟେ କଣ ତା ଫୋନ୍ ମଧ୍ୟ ନଟ୍ ରିଚେବୁଲ୍ ଆସୁଛି। ଦିନ ଯାଇ ରାତି ହେଲା। ହେଲେ ସୁମିତ୍ ଟ୍ରେନ୍ ଚଢିଲା ନାଁ ନାହିଁ ଫୋନ୍ କଲା ନାହିଁ। ସମସ୍ତେ ବ୍ୟସ୍ତ ହୋଇ ପଡିଲେ। 


 ଠିକ୍ ସେଇ ସମୟରେ ଟିଭିରେ ନିଉଜ ଆସିଲା ଯେ, କାଶ୍ମୀରରେ ଥିବା ଏକ ମଲ୍ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଆଉ ସେଥିରେ କିଛି ଜବାନ ଓ ସାଧାରଣ ଲୋକ ଆହତ ହୋଇଛନ୍ତି। ମୃତାହତ ହେବାର କିଛି ଖବର ନାହିଁ। ଆଉ ଦୁଇଜଣ ଆତଙ୍କବାଦୀ ମଧ୍ୟ ଜୀବନ୍ତ ଧରାପଡିଛନ୍ତ

ି। ଠିକ୍ ସେଇ ସମୟରେ ସୁମି ଘରର ଲେଣ୍ଡଫୋନ୍ ଟା ରିଙ୍ଗ ହେଲା।ଆର୍ମି ହେଡକ୍ବାଟର୍ ରୁ ଫୋନ୍ ଆସିଥାଏ। ଫୋନ୍ ପାଇବା ପରେ ସୁମିର ବାପା ତା ବୋଉ ଓ ତାକୁ ଧରି କାଶ୍ମୀର ଅଭିମୁଖେ ବାହାରି ପଡିଲେ।ଦୁଇ ଦିନ ପରେ ଠିକ୍ ରାକ୍ଷୀ ପୂର୍ଣ୍ଣିମା ଦିନ କାଶ୍ମୀରରେ ପହଞ୍ଚିଲେ। ରାସ୍ତା ସାରା ବୋଉ ବାପାଙ୍କୁ ଯେତେ ପଚାରିଲେ ମଧ୍ୟ କିଛି କହୁନଥାନ୍ତି। ଖାଲି ଗୁମ୍ ମାରି ବସି ଥାଆନ୍ତି। ଷ୍ଟେସନରେ ଆର୍ମି ଗାଡ଼ି ତାଙ୍କୁ ଅପେକ୍ଷା କରିଥିଲା। ଗାଡି ତାଙ୍କୁ ଆଣି ଆର୍ମି ହସ୍ପିଟାଲ ସାମ୍ନାରେ ଛାଡି ଦେଲା। ସୁମି ବୋଉ କହିଲେ ସେମାନେ ଆମକୁ ଏ ହସ୍ପିଟାଲକୁ କାହିଁକି ଆଣିଛନ୍ତି? ମୋ ସୁମିତ୍ ଭଲ ଅଛି ତ? ତୁମେ କିଛି କହୁନ କାହିଁକି? ସୁମିର ବାପା କହିଲେ ମୁଁ କିଛି ଜାଣିଥିଲେ ତ କହିବି। ଆର୍ମି ପକ୍ଷରୁ ମୋତେ ଖାଲି ଟ୍ରେନ୍ ର ନାଁ ଓ ସିଟ୍ ନମ୍ବର ଦେଇ ଶୀଘ୍ର କାଶ୍ମୀର ପହଞ୍ଚିବା ପାଇଁ କୁହାଯାଇଥିଲା।


 ହସ୍ପିଟାଲ୍ ରେ ଆର୍ମି ର ଜଣେ କର୍ମଚାରୀ ତାଙ୍କୁ ସୁମିତ୍ ରୁମ୍ କୁ ନେଇ ଗଲେ। ସୁମିତ୍ କୁ ହସ୍ପିଟାଲ ବେଡ୍ ରେ ଦେଖି ତା ବୋଉ ଯୋରରେ ଚିତ୍କାର କରି କାନ୍ଦିବାକୁ ଲାଗିଲେ। ସୁମିତ୍ କହିଲା ବୋଉ ମୁଁ ଠିକ୍ ଅଛି ତୁ କାନ୍ଦୁଛୁ କାହିଁକି? ସୁମିର ବାପା ସୁମିତ୍ କୁ କହିଲେ ତୁ ତ ରାକ୍ଷୀ ପୂର୍ଣ୍ଣିମାରେ ଘରକୁ ଯିବା ପାଇଁ  ଟ୍ରେନ୍ ରେ ବସିବା କଥା। ତୁ ହସ୍ପିଟାଲ ପହଞ୍ଚିଲୁ କେମିତି। ସୁମିତ୍ କହିଲା ରାକ୍ଷୀ ଉପଲକ୍ଷେ ସୁମି ପାଇଁ ଉପହାର ଆଣିବା ପାଇଁ ସହରର ସବୁ ଠାରୁ ବଡ଼ ମଲ୍ କୁ ଯାଇଥିଲି। ସେଠାରେ ଅଚାନକ ଦୁଇ ଜଣ ଆତଙ୍କବାଦୀ ଆକ୍ରମଣ କରି ଦେଲେ । ସେଠାରେ ଉପସ୍ଥିତ ଲୋକଙ୍କୁ ରକ୍ଷା କରିବା ପାଇଁ ମୁଁ ତାଙ୍କ ଉପରେ ପାଲଟା ଆକ୍ରମଣ ଆରମ୍ଭ କରିଦେଲି। ମଲ୍ ରେ ନିଯୁକ୍ତ ସିକ୍ୟୁରିଟି ଗାର୍ଡ ଓ କିଛି ଲୋକ ମଧ୍ୟ ମୋ ସହ ମିଶି ଆତଙ୍କବାଦୀଙ୍କୁ ପ୍ରତିରୋଧ କରିବା ଆରମ୍ଭ କରିଦେଲେ।ଆମ ଉଦ୍ୟମ ଯୋଗୁଁ ସେଦିନ ମଲ୍ ରେ ଥିବା ସବୁ ଲୋକ ସୁରକ୍ଷିତ ଉଦ୍ଧାର ହୋଇଥିଲେ ଓ ଆତଙ୍କବାଦୀ ମାନେ ଧରାପଡିଥିଲେ। ଆଉ ତାଙ୍କ ସହ ସଂଙ୍ଘର୍ଷ ବେଳେ ମୁଁ ଆହତ ହୋଇ ଆଜି ହସ୍ପିଟାଲରେ।


 ସୁମିତ୍ ର କଥା ଶୁଣିବା ପରେ ତା ବାପା ସୁମିକୁ କହିଲେ ଆରେ ତୋ ଭାଇ ତ ଠିକ୍ ଅଛି। ତୁ ଘରେ ରାକ୍ଷୀ ବାନ୍ଧି ଥାଆନ୍ତୁ ନ ହେଲେ ହସ୍ପିଟାଲରେ ବାନ୍ଧିବୁ। ଯାଆ ରାକ୍ଷୀଟା ନେଇ ଆ। ସୁମି ରାକ୍ଷୀ ଆଣି ବେଡ୍ ପାଖରେ ବସି ଭାଇକୁ ହାତ ଦେଖାଇବାକୁ କାହିଲା।ହେଲେ ଭାଇ ଚଦର ଭିତରୁ ହାତ କାଢୁନି କାହିଁକି? ସୁମି ଚଦରଟା ଟେକି ଦେଇ ଯୋରରେ ଚିତ୍କାର କରି କହିଲା ଭାଇ ତୋ ହାତ? ଆଉ କାନ୍ଦିବାକୁ ଲାଗିଲା। ସୁମିତ୍ କହିଲା ତୋ ଭଳି ଅନେକ ଭଉଣୀଙ୍କ ପରିବାରକୁ ସୁରକ୍ଷା ଦେବାକୁ ଯାଇ ଆମ ଦେଶର ଅନେକ ବୀର ନିଜ ଜୀବନକୁ ଉତ୍ସର୍ଗ କରି ଦେଉଛନ୍ତି। ମୁଁ ତ ଖାଲି ହାତ ଦୁଇଟି ହରାଇଛି।ତୁ ମୋ ଭଉଣୀ ହୋଇ ଏମିତି କାନ୍ଦୁଛୁ କଣ? 


 ସୁମିତ୍ ର କଥା ଶୁଣି ସୁମି କାନ୍ଦ ବନ୍ଦ କରି କହିଲା, ଭାଇ ପ୍ରତ୍ୟେକ ରକ୍ଷା ବନ୍ଧନରେ ସବୁ ଭାଇଙ୍କ ପରି, ତୁ ମଧ୍ୟ ଜୀବନ ସାରା ମୋ ସୁରକ୍ଷା କରିବୁ ବୋଲି ପ୍ରତିଶ୍ରୁତି ଦେଉଥିଲୁ। ହେଲେ ଆଜି ତୋ ଭଉଣୀ ତୋତେ ପ୍ରତିଶ୍ରୁତି ଦେଉଛି ଯେ ସେ ବଞ୍ଚି ଥିବା ପର୍ଯ୍ୟନ୍ତ ତୋର ସୁରକ୍ଷା କରିବ,ତୋର କୌଣସି ଅସୁବିଧା ହେବାକୁ ଦେବିନି କି ତୋର ହାତ ନାହିଁ ବୋଲି ଅନୁଭବ ହେବାକୁ ଦେବିନି । ଖାଲି ଭାଇ କଣ ଭଉଣୀର ରକ୍ଷା କରିବାର ପ୍ରତିଶ୍ରୁତି ଦେଇ ପାରିବ। ଭଉଣୀ ଭାଇର ନୁହେଁ? ଆଉ ସୁମିତ୍ ବେକରେ ରାକ୍ଷୀ ଟିକୁ ବାନ୍ଧି ଦେଇଥିଲା।



Rate this content
Log in

Similar oriya story from Inspirational