Sambit Srikumar

Abstract Classics Inspirational

4.0  

Sambit Srikumar

Abstract Classics Inspirational

ପ୍ରତିକ୍ରିୟା

ପ୍ରତିକ୍ରିୟା

8 mins
215


ସୂର୍ଯ୍ୟ ପରାଗ ପାଇଁ ସରକାରଙ୍କ ତରଫରୁ ଆଜିର ଦିନଟିକୁ ସବୈତନିକ ଛୁଟି ଘୋଷଣା କରାଯାଇଛି। ଏହି ହେତୁ ବେସରକାରୀ ଇଞ୍ଜିନିୟରିଂ କଲେଜ୍ ବି ଛୁଟି। ଏଣୁ ଅଧ୍ୟାପକ ଅରୁଣ ବାବୁଙ୍କୁ ସୁଯୋଗ ମିଳିଲା ଗାଁ ଆଡେ ଟିକେ ବୁଲି ଆସିବାକୁ। ସକାଳୁ ସକାଳୁ ଗାଡ଼ି ଧରି ବାହାରି ପଡ଼ିଲେ ଗାଁକୁ। ଛୁଟି ହୋଇଥିବା ଯୋଗୁଁ ରାସ୍ତାଘାଟ ଶୂନଶାନ, କାଁଭାଁ ଦୋକାନ ବଜାର ଖୋଲା ଅଛି। ରାଜଧାନୀର ପ୍ରଶସ୍ତ ରାଜପଥ ଛାଡ଼ି ଦନ୍ତୁରିତ ଗ୍ରାମ୍ଯ ସଡ଼କରେ ଗଡି ଚାଲିଲା ଅରୁଣ ବାବୁଙ୍କ କାର୍। 


କେଇ ଘଣ୍ଟାର ବ୍ୟବଧାନ ପରେ ଗାଁ ଛକ ନିକଟରେ ପହଞ୍ଚିଲା ବେଳକୁ କ୍ଲବ୍ ଘରେ ଭୋଜିଭାତର ଆୟୋଜନ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ସେ। ଅଗତ୍ୟା ସେଠାରେ କିଛି ସମୟ ଅଟକି ରହିଲେ କଣ ଚାଲିଛି ବୋଲି ଦେଖିବାକୁ। ଆଜି ତ ସୂର୍ଯ୍ୟ ପରାଗ, ସେଥିପାଇଁ ତ ପାକତ୍ଯାଗ, ଦେବନୀତି ନିଷେଧ, ଦେବାଳୟ ବନ୍ଦ। ମହାପ୍ରଭୁଙ୍କ ନୀତିକାନ୍ତିରେ ପରିବର୍ତ୍ତନ ଘଟିଛି, ମଧ୍ୟରାତ୍ରିରୁ ସମାପନ ହୋଇଛି ସବୁକିଛି। ବାହାରେ ଥିବା ବିଗ୍ରହମାନଙ୍କୁ କପଡ଼ାରେ ଘୋଡାଇ ରଖାଯାଇଛି। କିନ୍ତୁ ଗାଁରେ କ୍ଲବ୍ ପିଲାମାନଙ୍କ ଏଇ ଅଭିନବ ଅଭୂତପୂର୍ବ ଭୋଜନ ପ୍ରସ୍ତୁତି କେଜାଣି କାହିଁକି ଅରୁଣ ବାବୁଙ୍କ ଗଳାରେ ଗଳିଲା ନାହିଁ।


କିହୋ ବାବୁ? ପାଠଶାଠ ଦି' ଅକ୍ଷର କଣ ପଢିଲ ବୋଲି ଆଉ ବାପା ଅଜା ଚଉଦ ପୁରୁଷଙ୍କ ଦ୍ବାରା ପ୍ରଚଳିତ ପ୍ରଥା ପରମ୍ପରା ମାନିବ ନାହିଁ ନା କଣ? ସୂର୍ଯ୍ୟ ତ ସକଳ ଶକ୍ତିର ଆଧାର, ତାଙ୍କ ବିନା ଜୀବଜଗତର ଅସ୍ତିତ୍ବ କି ଅବସ୍ଥିତି ନାହିଁ। ସୂର୍ଯ୍ୟନାରାୟଣଙ୍କ ଆଲୋକ ଓ ଉତ୍ତାପ ବିନା ଆମର ଜୀବନଧାରଣ ଅସମ୍ଭବ। ଆଜି ଯେବେ ସୂର୍ଯ୍ୟ ପରାଗ ପଡୁଛି ଦିନଟିଏ ପରମ୍ପରା ବିଧିବିଧାନକୁ ସମ୍ମାନ ଦେଇ ରନ୍ଧା ଖାଦ୍ୟ ନଖାଇଲେ କଣ ଚଳିବ ନାହିଁ? ଛି.. ଛି... କି ବିଧର୍ମୀ କଥା ଇଏ? ଆଖି କଣ ନଦେଖୁଛି?? 


ଏମିତି ଭାବୁଥିଲା ବେଳେ କେହି ଜଣେ ଆସି ମୁଣ୍ଡିଆ ମାରିଲା ତାଙ୍କୁ। ମଥା ଉଠାଇ ଚାହିଁଲେ ସେଇ ପିଲାଟିକୁ ଅରୁଣ ବାବୁ। ଏଇ ତ ତାଙ୍କ ସାହିର ବିନୟ, ପୁତୁରା ହେବ ହିସାବରେ। "ଆରେ ଆଜି ପରା ସୂର୍ଯ୍ୟ ପରାଗ, ପାକତ୍ଯାଗରେ ତମେ ସବୁ କଣ ଏଠି ରୋଷେଇବାସ କରି ମୌଜ ମସ୍ତି କରୁଛ? ତମ ଘରେ କଣ କେହି ବାରଣ କରି ନାହାଁନ୍ତି?"


: ନାଇଁ କକା। ଘରେ ତ କାଲି ରାତିଠୁଁ ହାଣ୍ଡିଛାଡ ହେଲାଣି। ପୂଜାପାଠ ସବୁ ବନ୍ଦ। ହେଲେ ବିଜ୍ଞାନର ଛାତ୍ର ହୋଇ ଏସବୁ ଅନ୍ଧବିଶ୍ୱାସକୁ ମାନିବା ଆମମାନଙ୍କ ପକ୍ଷେ ଆଉ ସମ୍ଭବ ନୁହେଁ। ପିଲାବେଳେ ଯାହା କରୁଥିଲୁ କିନ୍ତୁ ଏବେ ଆଉ ନୁହେଁ। ଏଇଥିପାଇଁ କ୍ଲବ୍ ଘରେ ଆମେ ସମସ୍ତେ ଭୋଜି କରୁଛୁ। ଯାହାର ଖାଇବା କଥା ଆସିକି ଏଠି ଖାଇବେ। ଆପଣ ବି ଆସନ୍ତୁ। ବହୁତ ଦିନ ପରେ ଗାଁକୁ ଆସିଛନ୍ତି। ଆସନ୍ତୁ ଆମ ସହିତ ଖାଇବେ ଆଜି... 


: ନାଇଁରେ ବାବା। ମୋର ତ ଆଜି ଉପବାସ। କିନ୍ତୁ ତମେମାନେ ଯାହା ସବୁ କରୁଛ କିଛି ଭଲ କରୁ ନାହଁ। ବଡ଼ ଗର୍ହିତ ଅପରାଧ ଇଏ। ହଜାର ହଜାର ବର୍ଷର ପ୍ରଥାକୁ ମାଟିରେ ମିଶେଇ ଦେଲ। ନିଶ୍ଚୟ ଦିନେ ଏହାର ଫଳ ଭୋଗିବ। 


: ହାଃ ହାଃ ହାଃ.... କକା ଆପଣ ଇଞ୍ଜିନିୟରିଂ କଲେଜରେ ଆସିଷ୍ଟାଣ୍ଟ୍ ପ୍ରଫେସର ହୋଇ ଏପରି ଅବୈଜ୍ଞାନିକ କଥା କେମିତି କହି ପାରୁଛନ୍ତି? ସୂର୍ଯ୍ୟ ପରାଗ ତ ଛାଇ ଆଲୁଅର ଖେଳ, ମହାଜାଗତିକ ବିରଳ ଦୃଶ୍ୟ। ମାନବସମାଜ ପାଇଁ ପ୍ରକୃତିର ଅବଦାନ ମଧ୍ୟରୁ ଗୋଟିଏ ଉଲ୍ଲେଖନୀୟ ଘଟଣା ଏଇଟା। ଉନ୍ନତ ବିକଶିତ ତଥା ପାଶ୍ଚାତ୍ଯ ଦେଶମାନଙ୍କରେ ଲୋକେ ସମୁଦ୍ର କୂଳରେ କି କୋଉ ଦୂର ସ୍ଥାନକୁ ଯାଇ ସାଙ୍ଗସାଥିମାନଙ୍କ ମେଳରେ ପିକନିକ୍ କରୁଛନ୍ତି ଆଉ ଆମ ଦେଶରେ ଲୋକେ ଘରେ ଲୁଚିକି ରହୁଛନ୍ତି! ରାହୁ, କେତୁ କୁଆଡ଼େ ସୂର୍ଯ୍ୟ ଓ ଚନ୍ଦ୍ରକୁ ଗିଳି ପକାଉଛନ୍ତି, ହାସ୍ୟାସ୍ପଦ କଥା ଇଏ। ସୂର୍ଯ୍ୟ ତ ଗୋଟିଏ ବାଷ୍ପୀୟ ପିଣ୍ଡ, ନିଆଁର ପେଣ୍ଡୁଟିଏ ବିଭିନ୍ନ ଗ୍ଯାସରେ ଭରା। ଆପଣ ତ ଭଲ ଭାବରେ ଜାଣିଛନ୍ତି, ଏମିତି କୋଟି କୋଟି ସୂର୍ଯ୍ୟ ଅଛନ୍ତି ଆମ ବ୍ରହ୍ମାଣ୍ଡରେ... 


: ରଖ, ତୋ' ବିଜ୍ଞାନ ତୋ' ପାଖରେ। ଆରେ ବାବୁ, ପାଠ ତା' ଜାଗାରେ ଆଉ ଆମ ପ୍ରଥା ପରମ୍ପରା ତା' ଜାଗାରେ। ତମେମାନେ ଯାହା କରୁଛ କର। ଯେମିତି କରୁଛ, ସେମିତି ଭୋଗିବ! ତମ ସହିତ ଖାଇକି ତମ ପାପରେ ଭାଗୀଦାର ହେବାର ନାହିଁ। ମୁଁ ଯାଉଛି ଘରକୁ ମୋର। 


ବିନୟ ସହିତ ଅଯଥାରେ ଯୁକ୍ତି ତର୍କ କରି ସମୟ ନଷ୍ଟ ହେଲା ଯାହା। ଏବେକାର ପିଲା କାହାରି କଥା ଶୁଣିବାକୁ ଅପ୍ରସ୍ତୁତ। ବାପା ମାଆ, ଗୁରୁ, ଗୁରୁଜନ କାହାକୁ ଖାତିର୍ ନାହିଁ, ନିଜେ ନିଜର ମୁରବୀ। ବିରକ୍ତି ପ୍ରକାଶ କରି ଘର ଅଭିମୁଖେ ଚାଲିଲେ ଅରୁଣ ବାବୁ। ଗାଡ଼ିକୁ ଦାଣ୍ଡରେ ରଖି ଘର ପିଣ୍ଡାକୁ ଉଠିଲେ। ଦାଣ୍ଡଘରେ ବସି ଟିଭି ଦେଖୁଥାନ୍ତି ତାଙ୍କ ବାପା ନାରାୟଣ ନନ୍ଦ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ। ମହାଭାରତୀୟ ସଂସ୍କୃତିର ପ୍ରଜ୍ଞାନ ବାଚସ୍ପତି ଭାବରେ ଆଖପାଖ ଅଞ୍ଚଳରେ ବେଶ୍ ସୁନାମ ରହିଛି। ଟିଭିରେ ହେତୁବାଦୀଙ୍କ ବିରିୟାନୀ ପାର୍ଟି ତୁହାକୁତୁହା ପ୍ରସାରିତ ହେଉଥିଲା। ଏହାକୁ ଦେଖି ଆଉ ଧୈର୍ଯ୍ୟ ଧରି ରହିପାରିଲେ ନାହିଁ ଅରୁଣ ବାବୁ। ବାପାଙ୍କୁ ମୁଣ୍ଡିଆ ମାରି ପ୍ରଣାମ କରିବା ପରେ କହି ଉଠିଲେ, "ଜାଣିଲ ନନା, ଆମ ଗାଁ ପିଲାମାନେ ନା ପୁରା ବିଗିଡ଼ି ଗଲେଣି! ଚାରି ପାଞ୍ଜିରୁ ଯିବେ..." 


: କାଇଁ କଣ ହେଲା କି? 


: ଗାଁମୁଣ୍ଡ କ୍ଲବ୍ ଘରେ ଆଜି ପରାଗଟାରେ ଭୋଜିଭାତ ଚାଲିଛି ବାବୁମାନଙ୍କର। ମଦ, ମାଂସ ତ ନିଶ୍ଚୟ... 


: କଣ ହେଲା ସେଠୁଁ? ଏଇ ଟିଭିରେ ଦେଖୁନୁ ହେତୁବାଦୀ ଚିନ୍ତାଧାରାର କିଛି ଲୋକେ କେମିତି ଚିକେନ୍ ବିରିୟାନୀ ଖାଇକରି, ବାହାସ୍ପୋଟ ମାରି ବୟାନବାଜି କରୁଛନ୍ତି। ଆପଣାର ଯୁକ୍ତି ଉପସ୍ଥାପନ କରୁଛନ୍ତି। ଆମ ଗାଁ ପିଲା ତ ଆଉ ସେମିତି କରୁନାହାଁନ୍ତି। ଭୋକ ସମ୍ଭାଳି ନପାରି ଘର ପରିବାରକୁ ଲୁଚିଛପି ବାହାରେ ଖିଆପିଆ କରୁଛନ୍ତି। ଯାହାର ଇଛା ହେଲା ସେ ଖାଇଲା, ଏଇଟା ତା'ର ଅଧିକାର। ଯୁଗ ବଦଳୁଛି, ମଣିଷ ବଦଳୁଛି, ପ୍ରଥା ପରମ୍ପରା ବି ବଦଳୁଛି। ତିରିଶି ଚାଳିଶି ବର୍ଷ ଆଗରୁ ପରାଗ କି ଗ୍ରହଣରେ ଆମେ ଉପବାସ କରୁଥିଲୁ, ଦେବନୀତି ବନ୍ଦ ହେଉଥିବାରୁ। ଏବେ ବୟସ ହେଲାଣି, ନାନାଦି ରୋଗ ବଇରାଗ ଦେହରେ, ତେଣୁ ଚୁଡ଼ା, ମୁଢ଼ି, ଖଈ, ହୁଡୁମ୍ବ ଖାଇ ଯାହିତାହି ରହିଯାଉଛୁ। 


: ତା' ବୋଲି ଆମ ଗାଁର ଭେଣ୍ଡିଆ ଗୁଡ଼ାକ ହେତୁବାଦୀ ହେଇଗଲେ ନା କଣ? ଗାଁରେ ଘର କରି ରହିଛ ମାନେ, ନୀତି ନିୟମ ମାନିବାକୁ ପଡ଼ିବ... 


: ଶୁଣ୍ ଅରୁ... ତୋ'ର ଏପରି ପ୍ରତିକ୍ରିୟାଶୀଳ ହେବା ତୋ' ପରି ଜଣେ ଅଧ୍ୟାପକ କ୍ଷେତ୍ରରେ ଆଦୌ ସ୍ପୃହଣୀୟ କିମ୍ବା ଶୋଭନୀୟ ନୁହେଁ। ଆତ୍ମ ଘୋଷିତ ହେତୁବାଦୀମାନେ ସଂପୂର୍ଣ୍ଣ ଭାବେ ଭୁଲ୍ କହୁନାହାନ୍ତି ବରଂ ତର୍କସଙ୍ଗତ କଥା କହୁଛନ୍ତି। କେତେ ଦୂର ବିଜ୍ଞାନକୁ ପଢିଛନ୍ତି ବୁଝିଛନ୍ତି ଜଣା ନାହିଁ କିନ୍ତୁ ସେମାନେ ଆମ ଦେଶର ସମ୍ବିଧାନର ପ୍ରତ୍ୟେକଟି ଧାରା, ଉପଧାରା, ବ୍ୟବହୃତ ଶବ୍ଦଗୁଡ଼ିକର ମର୍ମ ସଠିକ୍ ଭାବେ ଜାଣିଛନ୍ତି। ଧର୍ମନିରପେକ୍ଷତା, ବ୍ଯକ୍ତି ସ୍ବାଧୀନତା, ସମାନତା, ସାମାଜିକ ନ୍ୟାୟ ସମେତ ସମସ୍ତ ବିଷୟ ଉପରେ ଅଗାଧ ପାଣ୍ଡିତ୍ୟ ଏହି ହେତୁବାଦୀମାନଙ୍କର। ମୁଖସ୍ଥ କଣ୍ଠସ୍ଥ କରିଦେଇଛନ୍ତି ସମ୍ବିଧାନକୁ। ଦେଶର ସର୍ବୋଚ୍ଚ କାନୁନ୍ ତ ସମ୍ବିଧାନ। ଏହି ସମ୍ବିଧାନ ହିସାବରେ ଦେଶର ଶାସନ ଚାଲିଛି। ଏହାକୁ କିଏ ଅବା ଅନ୍ଯଥା କରିବ?


: ସମ୍ବିଧାନର ବିଧିବ୍ୟବସ୍ଥା ମଧ୍ୟରେ ପରିଚାଳିତ ଆମ ଦେଶର ଶାସନମୁଖ୍ୟ ଈଶ୍ବରଙ୍କୁ ସାକ୍ଷୀ ରଖି ପଦ ଓ ଗୋପନୀୟତାର ଶପଥ ନିଅନ୍ତି ସମ୍ବିଧାନର ନାମରେ ଏହାର ନିୟମ ପରିପାଳନ କରିବା ପାଇଁ। ଯଦି ଈଶ୍ବର ନାହାଁନ୍ତି ତେବେ ଈଶ୍ବରଙ୍କୁ ସାକ୍ଷୀ ରଖି କାହିଁକି ଶପଥ ନିଅନ୍ତି? ଏଇ ହେତୁବାଦୀ ତ କହୁଛନ୍ତି ଈଶ୍ବର ବୋଲି କେହି ନାହାନ୍ତି। ଏସବୁ ମଣିଷ ମନର ଭ୍ରମାତ୍ମକ ଭାବନା। 


: ପ୍ରକୃତ ହେତୁବାଦୀ ଚିନ୍ତାଧାରାର ଲୋକେ ସମାଜରେ ସକାରାତ୍ମକ ତଥା ବାସ୍ତବଧର୍ମୀ ପରିବର୍ତ୍ତନ କରିବା ପାଇଁ ସଦାସର୍ବଦା ଆଗ୍ରହୀ। ମାତ୍ର ସେମାନଙ୍କ ମଧ୍ୟରୁ କିଛି ବିଧର୍ମୀ, କର୍ମନଷ୍ଠ, କୁଚକ୍ରୀ ବ୍ଯକ୍ତି ବିଶେଷଙ୍କ କାର୍ଯ୍ୟ କରିବାର ଶୈଳୀ ହିଁ ବିଭ୍ରାନ୍ତ ସୃଷ୍ଟି କରୁଛି। ସମାଜରେ ପରିବର୍ତ୍ତନ ଆସିବା ନିହାତି ଦରକାର। କୁସଂସ୍କାର, ଅନ୍ଧବିଶ୍ବାସ, ଅନ୍ଧଶ୍ରଦ୍ଧା, ଅନ୍ଧଭକ୍ତି ଦୂର ହେବା ଜରୁରୀ। ବାଲ୍ୟବିବାହ, ସତୀଦାହ, ନର ବଳି ପ୍ରଥା ପରି କୁସଂସ୍କାର ଦୂର ହୋଇଗଲା ଆମ ସମାଜରୁ, ଏଗୁଡ଼ାକ କେଉଁ ବଡ଼ କଥା? କିନ୍ତୁ ପରିବର୍ତ୍ତନ ଏକ ପ୍ରବାହ, ଏହା ସୃଷ୍ଟିର ଅପରିବର୍ତ୍ତନୀୟ ନିୟମ। ମାତ୍ର ଏହାର ସ୍ରୋତ ପ୍ରଖର ନୁହେଁ, ଖୁବ୍ ଧୀର ମନ୍ଥର। ରାତାରାତି କିଛି ବି ବଦଳି ଯିବ ନାହିଁ। ଧୈର୍ଯ୍ୟର ସହ ଅପେକ୍ଷା କରିବାକୁ ପଡ଼ିବ ଲୋକଙ୍କ ମାନସିକତାରେ ପରିବର୍ତ୍ତନ ଆଣିବାକୁ। ଅନ୍ୟଥା ବିଦ୍ବେଷ ବଢିବ, ବିଦ୍ରୋହର ସୂତ୍ରପାତ ହେବ। ଅଯଥାରେ ରକ୍ତପାତ ହେବ। 


: ଏଇ ହେତୁବାଦୀ ଚିନ୍ତାଧାରା ଯଦି ଏତେ ଉନ୍ନତ ଧରଣର, ତେବେ ଏମାନେ ଆମ ହିନ୍ଦୁ ଧର୍ମର ଦେବାଦେବୀଙ୍କୁ କୁତ୍ସିତ ଢଙ୍ଗରେ ଅପମାନ ଭରା କଥା କାହିଁକି କହୁଛନ୍ତି? 


: ଏହା ସତ ଯେ, ଆମ ସମ୍ବିଧାନରେ ଥିବା କେତେକ ଧାରାର ବିଭ୍ରାନ୍ତ ବ୍ଯାଖା ପାଇଁ ତ ଏଇ ହେତୁବାଦୀଙ୍କ ନାମରେ କତିପୟ ଦାୟିତ୍ୱହୀନ କୁଚକ୍ରୀଙ୍କ ଏତେ ଆସ୍ପର୍ଦ୍ଧା। କଥା କଥାକେ ଆମ ସନାତନୀ ହିନ୍ଦୁ ଧର୍ମଧାରାକୁ ଗାଳି ଗୁଲଜ କରୁଛନ୍ତି। ଦେବାଦେବୀଙ୍କୁ ଅପମାନିତ କରୁଛନ୍ତି। ଆମେ ସବୁ ଦେଖି ମଧ୍ୟ ନୀରବ, ନାଚାର। ଏମାନଙ୍କ ବାକ୍ ସ୍ବାଧୀନତା କାହାର ବି ଧର୍ମୀୟ ଭାବାବେଗକୁ ଆଘାତ ଦେଇପାରେ, ଏକଥା ଏମାନେ ଚିନ୍ତା କରି ପାରୁନାହାଁନ୍ତି। 


: ସର୍ବନିମ୍ନ ଶିଷ୍ଟାଚାର, ଶାଳିନତା ଭୁଲି ଯାଇ କଥା କଥାକେ ଅନ୍ୟକୁ ମୁର୍ଖ, ଅପଦାର୍ଥ, ଅର୍ବାଚୀନ କହି ଅରୁଚିକର ଆକ୍ଷେପ କରିବା କେତେ ଦୂର ଯଥାର୍ଥ? ଏମାନଙ୍କୁ ଏହି ଅଧିକାର କିଏ ପ୍ରଦାନ କଲା? ଯଦି ଏମାନେ ବାସ୍ତବରେ ହେତୁବାଦୀ, ତେବେ ଗୋଟିଏ ନିର୍ଦ୍ଦିଷ୍ଟ ଧର୍ମ, ସନାତନୀ ଜୀବନଧାରାକୁ ଆକ୍ରମଣ ନକରି ବରଂ ଅନ୍ୟ ସମସ୍ତ ଧର୍ମରେ ଥିବା ମୌଳିକବାଦୀ, ଧର୍ମାନ୍ଧ, ଜେହାଦୀ, ସନ୍ତ୍ରାସବାଦୀ ଚିନ୍ତାଧାରାକୁ ଦୂର କରିବା ପାଇଁ ଯତ୍ନବାନ୍ ହେବା ଉଚିତ୍। ଏଥିପାଇଁ ଏମାନଙ୍କର ସତ୍ ସାହାସ ରହିବା ବାଞ୍ଛନୀୟ। 


: ଆମ ହିନ୍ଦୁ ଧର୍ମ ଉଦାର ବୋଲି ତ ଏଠି ପ୍ରଶ୍ନ ପଚାରିବା, ଯୁକ୍ତି ଉପସ୍ଥାପନ କରିବା ପାଇଁ ଉତ୍ସାହିତ କରାଯାଏ। କେତେ ଋଷି, ମୁନୀ, ସାଧୁ, ସନ୍ଥ, ମହାତ୍ମା କେତେ କେତେ ପନ୍ଥ, ମତ, ସିଦ୍ଧାନ୍ତର କଥା କହିଛନ୍ତି। ବୈଷ୍ଣବ, ଶୈବ, ଶାକ୍ତ, ଗାଣପତ୍ୟ, ଅଦ୍ବୈତ ଏମିତି କେତେ ମତବାଦ ଆମ ସନାତନୀ ଧର୍ମଧାରାକୁ ଋଦ୍ଧିମନ୍ତ କରିଛି କେଉଁ ଅନାଦି କାଳରୁ। ଆମ ଧର୍ମଧାରା ଏକ ମହାସମୁଦ୍ର। ସଚରାଚର ବିଶ୍ବବ୍ରହ୍ମାଣ୍ଡର ସମସ୍ତ ସଜୀବ, ନିର୍ଜୀବ, ଜଡ଼, ଚେତନ ଉପାଦାନକୁ ଆମେ ଉପାସନା କରୁ। କାରଣ ଏହି ସମସ୍ତ ତତ୍ତ୍ବ ଆମ ଜୀବନ ଧାରଣ ନିମନ୍ତେ ଏକାନ୍ତ ଅପରିହାର୍ଯ୍ୟ। ଭାରତବର୍ଷ ଏକ ହିନ୍ଦୁ ବହୁଳ ରାଷ୍ଟ୍ର ଏବଂ ହିନ୍ଦୁମାନେ ସ୍ବଭାବତଃ ଉଦାରବାଦୀ ହୋଇଥିବା ହେତୁ ଏଦେଶ ଧର୍ମନିରପେକ୍ଷ। ନଚେତ୍ ପରିସ୍ଥିତି ଭିନ୍ନ ହୋଇଥାଆନ୍ତା ନିଶ୍ଚୟ। 


: ତା' ବୋଲି କଣ ଆମର ହଜାର ହଜାର ବର୍ଷର ପ୍ରଥା ପରମ୍ପରା, ଧର୍ମଧାରା ଓ ଭାବାବେଗକୁ ଏମାନେ ଏମିତି ଆଘାତ ଦେଇ ଚାଲିଥିବେ, ଆଉ ଆମେ କିଛି କରିବା ନାହିଁ? 


: ପରମ୍ପରାବାଦୀ ଆଉ ତଥାକଥିତ ଜ୍ଯୋତିର୍ବିଦ୍ ତଥା ଆଧ୍ୟାତ୍ମବାଦୀମାନେ ମଧ୍ଯ ଅନ୍ଧଶ୍ରଦ୍ଧା, ଅନ୍ଧଭକ୍ତି ପରିତ୍ଯାଗ କରିବା ବିଧେୟ। ଧର୍ମରେ କୌଣସି ପ୍ରକାର ବ୍ଯାଭିଚାର, ଭ୍ରଷ୍ଟାଚାର, ଭଣ୍ଡାମୀର ସ୍ଥାନ ନାହିଁ। ନିକଟ ଅତୀତରେ କତିପୟ ସ୍ବଘୋଷିତ ବିକୃତ ମନୋବୃତ୍ତି ସମ୍ପନ୍ନ ବାବାଙ୍କ ଯୌନ କେଳେଙ୍କାରୀ ଦ୍ବାରା କଳଙ୍କିତ ହୋଇଛି ଆମ ସନାତନୀ ଧର୍ମଧାରା। ନିଃସନ୍ଦେହରେ ଆମେ ଅଳ୍ପେ ବହୁତ ଧର୍ମଭୀରୁ। ପରମପିତା ପରମାତ୍ମା ପୂର୍ଣ୍ଣବ୍ରହ୍ମ ଭଗବାନଙ୍କୁ ଛାଡ଼ି ନିହିତ ସ୍ବାର୍ଥ ସିଦ୍ଧି ପାଇଁ ଅଲୌକିକତାର ସନ୍ଧାନରେ ବାବାମାତାଙ୍କ ଶରଣାଗତ ହେଉ। ଫଳରେ ଶୋଷଣର ଶିକାର ହେଉ କିନ୍ତୁ ଆମର ଅନ୍ବେଷଣର ଅନ୍ତ ନଥାଏ। କର୍ମ ବିନା ଫଳ ପ୍ରାପ୍ତିର ଆଶା ଅବା ବିନା ସାଧନାରେ ସିଦ୍ଧିର ଆଶା ପରୀକ୍ଷାରେ ଉତ୍ତରଖାତାରେ କିଛି ନଲେଖି ଟପ୍ପର ହେବାର ଉଚ୍ଚାଭିଳାଷ ସହିତ ସମାନ। ଗଣମାଧ୍ୟମ ନାରଦ ମୁନୀଙ୍କ ପରି କଳହ ଉପୁଜାଇ ମଜ୍ଜା ଦେଖୁଛନ୍ତି। କିଛି ଶସ୍ତା ଲୋକପ୍ରିୟତା ଆଶାୟୀ ଜ୍ୟୋତିଷଙ୍କୁ ନେଇ ଅନ୍ଧଶ୍ରଦ୍ଧାର ଦୋକାନ ଖୋଲିଛନ୍ତି। ସଞ୍ଜ ସକଳେ ଏମାନଙ୍କ ଅନ୍ତଃସାର ଶୂନ୍ଯ ପ୍ରବଞ୍ଚନା ପୂର୍ଣ୍ଣ ପ୍ରବଚନ ଶୁଣି ଶୁଣି ଲୋକେ ବିଭ୍ରାନ୍ତ ହେଉଛନ୍ତି। ଆମେ ଆମ ଗୀତା ଭାଗବତକୁ ପଢିବା ତ୍ଯାଗ କରି, ଏହାର ମର୍ମକୁ ନବୁଝି ଅନ୍ଧାଧୁନିଆ ବାବାମାତା, ଜ୍ଯୋତିଷ, ନାହାକ, ତାନ୍ତ୍ରିକ ପଛରେ ଧାଇଁଛୁ। ବାବାମାତାମାନେ ଆମ ପରି ସାଧାରଣ ମଣିଷ। ପେଟପାଟଣା ପାଇଁ ଏହି ମାର୍ଗ ଅନୁସରଣ କରିଛନ୍ତି ସେମାନେ। ଏମାନଙ୍କୁ କାହାକୁ ବି ଭଗବାନ୍ ମନେକରି ଉଚ୍ଚାସନରେ ବସାଇବା ଆଦୌ ଆବଶ୍ୟକତା ନାହିଁ। 


: ଏଇ ହେତୁବାଦୀମାନେ ଦୋମୁହାଁ ଲୋକ। ଏଣେ ଜାତିବାଦକୁ ବିରୋଧ କରୁଛନ୍ତି। କିନ୍ତୁ ଜାତି ଭିତ୍ତିକ ସଂରକ୍ଷଣବାଦରେ କେମିତି ସରକାରୀ ଚାକିରୀ କରୁଛନ୍ତି? 


: ପ୍ରତିଟି ମଣିଷ ତଥା ଜୀବ ଭଗବାନଙ୍କ ଅନବଦ୍ୟ ସୃଷ୍ଟି। କେହି କାହାରିଠୁ ଉଚ୍ଚ କିମ୍ବା ନୀଚ୍ଚ ନୁହଁନ୍ତି। ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ, ଶୁଦ୍ର ସଭିଏଁ ସମାନ। ଜାତି ବଡ଼ ନୁହେଁ କର୍ମ ହିଁ ବଡ଼। ଆମର ଦୈନନ୍ଦିନ ଜୀବନଚର୍ଯ୍ୟାରେ ଆମେ ଏହି ଚାରି ଜାତିର କର୍ମ ସମ୍ପାଦନ କରିଥାଉ।ଶ୍ରୀମଦ ଭଗବତ ଗୀତାରେ ଭଗବାନ କହିଛନ୍ତି -ଚତୁର୍ବର୍ଣ୍ଣା ମୟା ସୃଷ୍ଟ୍ବା ଗୁଣ କର୍ମ ବିଭାଗଚ! ଅର୍ଥାତ ଗୁଣ କର୍ମ ବିଭାଗାନୁସାରେ ବ୍ରାହ୍ମଣ, କ୍ଷତ୍ରୀୟ, ବୈଶ୍ୟ ଓ ଶୁଦ୍ର , ଏହି ଚାରିବର୍ଣ୍ଣ ମୁଁ ସୃଷ୍ଟି କରିଛି। କିଛି ପଣ୍ଡିତ ଜନ ଏହି ବର୍ଣ୍ଣକୁ ଜାତିଆଣ ଭେଦରେ ଦେଖି ନିଜର ନ୍ଯସ୍ତ ସ୍ୱାର୍ଥ ହାସଲ କରିବାକୁ ସମାଜରେ ଗୋଷ୍ଠିବାଦ ସୃଷ୍ଟି କରିଛନ୍ତି। ଉଚ୍ଚ ବଂଶରେ ଜାତ ହେଲେ କେହି ଉଚ୍ଚ ହୁଏ ନାହିଁ। କର୍ମ ହିଁ ତାହାକୁ ଉଚ୍ଚ କରାଇଥାଏ। "ଜନ୍ମନା ଜାୟତେ ଶୁଦ୍ରଃ, ସଂସ୍କାରାତ୍ ଦ୍ଵିଜ ମୁଚ୍ୟତେ, ଵେଦ ପଠେତ୍ ଭଵେତ୍ ଵିପ୍ରଃ, ଵ୍ରହ୍ମ ଜାନାତି ଇତି ଵ୍ରାହ୍ମଣଃ!" ଅର୍ଥାତ୍ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କଲେ କିମ୍ବା ଯଜ୍ଞୋପବୀତ ଧାରଣ କଲେ କେହି ବ୍ରାହ୍ମଣ ହୋଇପାରେ ନାହିଁ। ଉଚ୍ଚତର କର୍ମ ହିଁ ତାହାକୁ ବ୍ରାହ୍ମଣ ପଦବାଚ୍ୟ କରାଏ। ଜାତିଭେଦ ନାମରେ ଚାଲିଥିବା ଅବିଚାର ସମାପ୍ତ ହେବା ଦରକାର। ସମସ୍ତଙ୍କୁ ଦେବାଳୟରେ ପ୍ରବେଶ ଏବଂ ପୂଜାର୍ଚ୍ଚନାର ଅଧିକାର ମିଳିବା ନିତାନ୍ତ ଆବଶ୍ୟକ। ତେବେ ଯାଇ ସଂରକ୍ଷଣବାଦକୁ ହଟାଇ ଦିଆଯାଇପାରିବ। ଜାତି, ଧର୍ମ, ସମ୍ପ୍ରଦାୟକୁ ନେଇ ଆମ ଦେଶରେ ଚାଲିଥିବା ହୀନ ରାଜନୀତି ମଧ୍ୟ ସମାପ୍ତ ହୋଇଯିବ। 


: ତମେ ଯାହା ବି କହୁଛ କୁହ ନନା, କିନ୍ତୁ ଏମିତି ବିଧର୍ମୀମାନଙ୍କ ପାଇଁ ଆଜି ଆମ ହିନ୍ଦୁ ଧର୍ମ ବିପନ୍ନ ଅବସ୍ଥାରେ, ବିଲୁପ୍ତିର ଦ୍ବାରଦେଶରେ... 


: ସବୁ ଦେଶରେ, ସବୁ ସମାଜରେ ଓ ସମ୍ପ୍ରଦାୟରେ ସବୁକାଳରେ ନାସ୍ତିକ, ନିରୀଶ୍ବରବାଦୀ ତଥା ହେତୁବାଦୀ ଅଛନ୍ତି ଏବଂ ରହିବେ ମଧ୍ୟ।ସନାତନ ହିନ୍ଦୁ ଧର୍ମଧାରା ଏତେ ଦୁର୍ବଳ ନୁହେଁ ଯେ, ଏମାନଙ୍କ ଦ୍ବାରା ପ୍ରଭାବିତ ହେବ। ସାତଶହ ବର୍ଷର ବିଧର୍ମୀ ଯବନ ଓ ଫିରିଙ୍ଗି ଶାସନ ହିନ୍ଦୁ ଧର୍ମକୁ ନିଃଶେଷ କରି ପାରିନାହିଁ, ବରଂ ବିଜ୍ଞାନ ଉପରେ ପର୍ଯ୍ୟବେସିତ ଆମ ଧର୍ମ ସୁସଂସ୍କୃତ ହୋଇଛି। ସମୟର କଷଟିରେ ବାରମ୍ବାର ପରୀକ୍ଷିତ ହୋଇ ଶୁଦ୍ଧ ସୁବର୍ଣ୍ଣ ପରି ଔଜ୍ଜଲ୍ୟରେ ଝଲସି ଉଠୁଛି ଆମ ଧର୍ମ। ଧର୍ମ ସଦାସର୍ବଦା ଧର୍ମ। ଏହାର ଆଦି ନାହିଁ କି ଅନ୍ତ ନାହିଁ। ଧର୍ମ ଅନାଦି, ଅନନ୍ତ। କାହାର କୌଣସି କର୍ମ ଧର୍ମର କ୍ଷତି କରି ପାରିବ ନାହିଁ। ଧର୍ମର ହିଁ କାଳେ କାଳେ ଜୟ ହେବ। କେତେ ବାଦ ଆସିଛି ଆଉ ଯାଇଛି କିନ୍ତୁ ହିନ୍ଦୁଧର୍ମ ବଞ୍ଚିଛି ଆଉ ବଞ୍ଚିଥିବ ଅନନ୍ତ କାଳଖଣ୍ଡ ପର୍ଯ୍ୟନ୍ତ। ଏହା ହିଁ ସତ୍ଯ। ଏମିତି ଏବେ ହେତୁବାଦ ମୁଣ୍ଡ ଟେକିଛି। ତୁମେ ଯୁବପିଢ଼ି ଏହାକୁ ନେଇ ମାତ୍ରାଧିକ ପ୍ରତିକ୍ରିୟାଶୀଳ ହୁଅ ନାହିଁ। 


: କି କଥା ନନା? ପ୍ରତିଟି କ୍ରିୟାର ପ୍ରତିକ୍ରିୟା ରହିଛି। ପୁଣି ଇଏ ଆମ ଧର୍ମୀୟ ଭାବାବେଗ ଉପରେ କୁଠାରଘାତ। ଆମେ କେମିତି ପ୍ରତିକ୍ରିୟାଶୀଳ ହେବୁ ନାହିଁ? 


: ପ୍ରତିକ୍ରିୟା ପ୍ରକାଶ କରିବା ଏଇ ମାମଲାର ସମାଧାନ ନୁହେଁ। ଆମେ ଅଯଥାରେ ପ୍ରତିକ୍ରିୟାଶୀଳ ହୋଇ ସେମାନଙ୍କର ଗୁରୁତ୍ୱ ବଢାଇ ଦେଉଛୁ ଦେଶ ବିଦେଶରେ। ଆମର ପ୍ରତିକ୍ରିୟା ହିଁ ଏମାନଙ୍କର ଶକ୍ତି, ଏମାନଙ୍କୁ ପ୍ରସିଦ୍ଧିଲାଭ କରିବାକୁ ସୁଯୋଗ ଦେଉଛି। ଆମେ ପ୍ରତିକ୍ରିୟା ପ୍ରକାଶ ନକରି ଆମ କର୍ମ ଜାରି ରଖିଲେ ଏମାନେ କୁହୁଡ଼ି ପରି ଉଭେଇ ଯିବେ...


ନନାଙ୍କ କଥାରେ ଅରୁଣ ବାବୁଙ୍କ ମନରୁ ସମସ୍ତ ଶଙ୍କା ଦୂର ହୋଇଯାଇଥିଲା। ହେତୁବାଦୀ ଓ ପରମ୍ପରାବାଦୀଙ୍କ ଅହଂର ଲଢେଇ ଟିଭି ଚ୍ୟାନେଲ ପରଦାରୁ ବାହାରି ରାଜରାସ୍ତାରେ ରକ୍ତାକ୍ତ ସଂଘର୍ଷ ଜାରି ରହିଥିଲା। 



Rate this content
Log in

Similar oriya story from Abstract