ପ୍ରତୀକ୍ଷା ...
ପ୍ରତୀକ୍ଷା ...
କୁମ୍ଭପାଟଣା ଛକରୁ ଠିକ୍ ଡାହାଣକୁ କିଛି ବାଟ ଗଲା ପରେ ପଡେ ସୁବର୍ଣ୍ଣପୁର । ସରୁ ଅଙ୍କା ବଙ୍କା ନଈଟିଏ ବହିଯାଇଛି କାହିଁ କେତେ ଦୂର ଏଇ ଗାଁ ପାଖ ଦେଇ । ଉକ୍ତ ଗାଁ’ରେ ଆଜି ପର୍ଯ୍ୟନ୍ତ ବିଜୁଳି ସଂଯୋଗ ହେଇନି ଓ ନଳକୂପଟିଏ ମଧ୍ୟ ବସାଯାଇ ନାହିଁ । ତେଣୁ ବାଧ୍ୟ ହୋଇ ଲୋକେ କୂଅ ଆଉ ନଦୀ ଉପରେ ବର୍ଷ ତମାମ୍ ନିର୍ଭର କରିଥା’ନ୍ତି । ଖାଲି ସେତିକି ନୁହେଁ, ଏ ଗାଁ’କୁ ମଧ୍ୟ ଭଲ ରାସ୍ତାଟିଏ ନଥିବାରୁ ବର୍ଷା ଦିନେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୁଅନ୍ତି । ଗାଁ ଦାଣ୍ଡରେ ଆଣ୍ଠୁଏ ପାଣି ହେଇଯାଏ । ସେଇ ଗାଁ’ର ଝିଅ ସରିତା । ଏବେ ତାଙ୍କୁ ବୟସ ପାଖାପାଖି ୫୦ ଛୁଇଁବ । ଗୈାର ବର୍ଣ୍ଣ, ମଧ୍ୟମ ସ୍ୱାସ୍ଥ୍ୟ । ବୃତିରେ ଶିକ୍ଷକତା । ତାଙ୍କର ପରିବାର କହିଲେ ଦୁଇ ଜଣ । ଆଈବୁଢୀ ଓ ସେ । ପିଲାଟିଦିନୁ ବାପମାଆଙ୍କୁ କେବେ ଦେଖିନି ସରିତା । ଆଈ କୋଳରେ ଯାହା ମଣିଷ ହେଇଛି ।
ସମୟ ଦିନ ଦଶଟା । ସ୍କୁଲ ଛୁଟି ଥାଏ । ଘର ପଛପଟେ ଥିବା ଆମ୍ବ ବଗିଚାରେ ବସିଛି ସରିତା । ସୁଲୁସୁଲିଆ ପବନ ବହୁଛି । ଗଛ ଡାଳରୁ ଚଢେଇମାନଙ୍କର କେଁ କଟର ଶବ୍ଦ ଭାସି ଆସୁଛି । ବିଗତ ଦିନରୁ ଛାତି ତଳେ ସାଇତି ରଖିଥିବା ପିଲାଦିନର ଅଭୂଲା ସ୍ମୃତିସବୁ କାହିଁକି କେଜାଣି ଆଜି ମନେ ପଡୁଛି ତା’ର ବାରମ୍ବାର । ଭାବନା ରାଜ୍ୟରେ ଖୋଜୁଛି ସେଇ ବହୁ ପ୍ରତୀକ୍ଷୀତ ମୁହୁର୍ତକୁ ।
ପିଲାଦିନେ ସରିତା ମାମୁଁଘରେ ରହି ପାଠ ପଢୁଥିଲାବେଳେ ତା’ର ଅତି ପ୍ରିୟ ସାଥୀ ଥିଲା ସଲିଳ । ପାଠପଢାରେ ସେ ସର୍ବଦା ତାକୁ ସାହାଯ୍ୟ କରୁଥିଲା । ଏ ଦୁହିଁଙ୍କ ଫ୍ରେଣ୍ଡ୍ସିପ୍କୁ ଶ୍ରେଣୀର ସହପାଠୀମାନେ ଭିନ୍ନ ଦୃଷ୍ଟିରେ ଦେଖି ଟାହିଟାପରା କରୁଥିଲାବେଳେ, ସରିତା ମନଦୁଃଖରେ ବେଲେବେଳେ ସ୍କୁଲ ଯାଏନି । ଏଇଥିପାଇଁ ସଲିଳ ସଦାବେଳେ ତାକୁ ଅନ୍ୟମାନଙ୍କ କଥା ପ୍ରତି ଗୁରୁତ୍ୱ ନଦେଇ ନିଜର କ୍ୟାରିୟର ଉପରେ ଧ୍ୟାନ ଦେବାକୁ କୁହେ । ଦିନେ ସରିତା ଆଖିରେ ଲୁହ ଦେଖି, ସେ ନିଜକୁ ସହି ନପାରି ବୁଝାଇ କହିଲା –
-ତୁ କାହିଁକି କାନ୍ଦୁଛୁ ?
-ମୋ ସାଙ୍ଗମାନେ ମୋତେ କମେଂଟ୍ କରୁଛନ୍ତି । ମୋ ନାଁ’କୁ ତୋ ନାଁ’ରେ ଯୋଡି କେତେ କଥା କହୁଛନ୍ତି ।
-ତୁ ଶୁଣୁଛୁ କାହିଁକି ? କେମିତି ଭଲ ପାଠ ପଢିବୁ, ପରୀକ୍ଷାରେ ଭଲ କରିବୁ, ସେ ବିଷୟରେ ଆଗ ଚିନ୍ତା କର । ବାଜେ କଥାରେ ମୁଣ୍ଡ ପୁରାନା । ତୁ ଦେଖ୍, ସେମାନେ ମୋତେ ବି କହୁଛନ୍ତି । ହେଲେ ମୁଁ କିଛି ଶୁଣୁଛି କି ? ସବୁ ଏ କାନରେ ପୁରେଇ ସେ କାନରେ ବାହାର କରି ଦେଉଛି । ଆ’, ମମି ଡାକିଲାଣି, ଖାଇବା । ତା’ପରେ କିଛି ସମୟ ପଢାପଢି କରିବା ।
ରାତି ପରେ ଦିନ ଆସେ, ଦିନ ପରେ ରାତି । ଏ ହେଉଛି ସୃଷ୍ଟିର ନୀୟମ । ବିଧିର ବଧାନ । ଏହାକୁ କେହି ଏଡାଇ ଦେଇ ପାରିବେ ନାହିଁ । ରଥ ଚକ ପରି ସମୟ ଗଡି ଚାଲିଛି । ମେଟ୍ରିକ୍ ପରେ ସଲିଳ ସହରରେ ରହି ପଢିବାକୁ ତା ବାପା ଚାହିଁଥିଲାବେଳେ ସରିତା ସେଇ ଗାଁ ପାଖ କଲେଜ୍ରେ ପଢିବ ବୋଲି ମନରେ ଆଶା ରଖିଛି । ଦିନେ ସଂଧ୍ୟାରେ, ଛାତ ଉପରେ ଦୁହେଁ ଏକାଠି ବସି ଗପସପ ହେଉଥିଲାବେଳେ, ସରିତା ମନ ଦୁଃଖରେ ଚାହିଁ କହିଲା-
-ତୁ ସହରରେ ରହି ପଢିବୁନା ?
-ହଁ, ସେଥିରେ କ’ଣ ଅଛି ? ଭଲ ପଢିଲେ ହେଲା । ସହର କ’ଣ, ଗାଁ କ’ଣ ? ଯେଉଁମାନେ ଗାଁ କଲେଜ୍ରେ ପଢୁଛନ୍ତି ସେମାନେ କ’ଣ ଚାକିରି ପାଉନାହାନ୍ତି ? ଯେତିକ ସବୁ ଅଜବ କଥା ଖାଲି ତୋ’ରି ମୁଣ୍ଡରେ ।
-ତୋତେ ମୁଁ କଥାରେ ପାରିବିନି । କିନ୍ତୁ ସହର ମାଟି ଛୁଇଁଲା ପରେ ତୁ ମୋତେ ଭୂଲି ଯିବୁନି ତ ? ସରିତା ଆଖିରେ ଲୁହ ସ୍ପଷ୍ଟଭାବେ ବାରିହୋଇପଡୁଥିଲା ।
-କେବେ ନୁହେଁ । ହେଲେ ତୁ ଏସବୁ କଥା ଭାବୁଛୁ କାହିଁକି ? ଠିକ୍ ଅଛି । ପ୍ରତି ଛୁଟିରେ ମୁଁ ଗାଁ’କୁ ଆସିବି । ଏଥର ଖୁସି ତ ?
-ତୁ ଚାଲିଗଲେ ମୁଁ ଏକା ହେଇଯିବିନା ? କ’ଣ କରିବି କିଛି ଭାବି ପାରୁନି ।
-ତୋର କିଛି ଭାବିବା ଦରକାର ନାହିଁ । ମୋ କଥା ମାନି ମନ ଦେଇ ପାଠ ପଢିବୁ, ବୁଝିପାରିଲୁ ?
-ଠିକ୍ ଅଛି ।
ବଡଦିନ ଛୁଟି ହେବ ଆଉ ଦୁଇ ଦିନ ପରେ । ସଲିଳ ଘରକୁ ଆସିବ । ଏକଥା ଭାବିଲାବେଳକୁ ଖୁସିରେ ସରିତାକୁ ରାତିରେ ନିଦ ହୁଏନି । ଦୁଇ ଦିନ, ଦୁଇଟି ଯୁଗ ପରି ଲାଗୁଛି ସତେ ଯେମିତି । ସଲିଳ ତା ପାଖକୁ ଆସିଲେ ସେ ତାକୁ କି ସରପ୍ରାଇଜ୍ ଦେବ, ଭାବି ଭାବି ରାତି ପାହି ଯାଉଛି ହେଲେ, ମନେ ପଡୁନି । ଚକୋରୀଟିଏ ହୋଇ ଚକୋରର ଫେରନ୍ତା ବାଟକୁ ଚାତକିନୀ ପରି ଅପଲକ ନୟନରେ ଚାହିଁବସିଛି ଶ୍ରାବଣୀ ।
ସଲିଳ ଆସି ଗାଁ’ରେ ପହଂଚିଲାବେଳକୁ ସଂଧ୍ୟା ଛଅଟା । ମନ୍ଦିରରୁ ଘଂଟ ମାଦଳର ଗୁରୁଗମ୍ଭିର ଶବ୍ଦ ଭାସିଆସୁଥାଏ । ଦୈବାତ୍ ସେଦିନ ଠାକୁରାଣୀଙ୍କ ପାଖରେ ବାର୍ଷିକ ମେଳା ଖୁବ୍ ଧୁମ୍ଧାମ୍ରେ ପାଳିତ ହେଉଥିଲାବେଳେ, ଲୋକମାନେ ଯେଝା ଯେଝା କାର୍ଯ୍ୟରେ ରହି ସାହାଯ୍ୟ ସହଯାଗ କରୁଥା’ନ୍ତି । ଏତିକିବେଳେ ସଲିଳ ଘରେ ପହଂଚି, ବ୍ୟାଗ୍ ରଖି, କ’ଣ ଟିକେ ଟିଫିନ୍ କରି, ତରତର ହୋଇ ସରିତାକୁ ଦେଖା କରିବାକୁ ଆସି, ଚାରିଆଡେ ଖୋଜି, ନପାଇ, ମନଦୁଃଖରେ କିଏ କହିଦେଲାଭଳି ଶେଷରେ ମନ୍ଦିରକୁ ଯାଇ ଦେଖେ ତ – ସେ ଧ୍ୟାନର ସହ ଏକାଗ୍ର ଚିତରେ ଆଳତୀ କରିବାରେ ମଗ୍ନ ଅଛି । ସଲିଳ ଏସବୁ ଦେଖି ଖୁସି ହୋଇ ସେଠାରେ ତାକୁ ଅପେକ୍ଷା କଲା । କିଛି ସମୟ ପରେ ସରିତା ପଛକୁ ଚାହିଁ, ହଠାତ୍ ତାକୁ ଦେଖି ଦେଇ କିଛି କହିବା ପୂର୍ବରୁ ସଙ୍ଗେ ସଙ୍ଗେ ସଲିଳ ସ୍ମିତ ହସି କହିଲା-ଲେଟ୍ ହେଲାଣି । ଚା’ଲେ, ଘରକୁ ଯିବା । ତା’ପରେ ଯେଉଁ କଥା ।
ସରିତା ଲାଜରେ ଚୁପ୍ଚାପ୍ ବସିଥାଏ ସଲିଳ ପାଖରେ । ଅତି ଖୁସିରେ ତଥା ଭାବବିହ୍ୱଳରେ କିଛି କହିବାକୁ ଚାହୁଁଥିଲେ ବି ସେ କିଛି କହିପାରୁନଥିଲା । ତା ପାଟି ଓଠ ଶୁଖିଯାଉଥିଲା ଯେମିତି । ସରିତାର ଏପରି ନିରବତା ଦେଖି ସଲିଳ ହସି ହସି କହିଲା-
-କ’ଣ ହେଲା ? ଏମିତି ଚୁପ୍ଚାପ୍ ବସିଛୁ କାହିଁକି ? କିଛି କହିବୁନି ?
-କ’ଣ କହିବି । ପ୍ରଥମେ ତୁ କହ ।
-ତୋ ପାଠପଢା କେମିତି ଚାଲିଛି ?
-ଭଲ । ଆଉ ତୋ’ର... ?
-ହଁ, ଭଲ ।
-ମୁଁ ମନେ ପଡେ କି ନାହିଁ ?
-ହଁ, ସବୁବେଳେ । ବେଳେବେଳେ ଇଛା ହୁଏ, ତୋତେ ଟିକେ ଦେଖିବାକୁ ।
-କାହିଁକି ?
-କାହିଁକିନା ମୁଁ ତୋତେ ବେଶୀ ଭଲପାଏ ।
ଲାଜରେ ମୁଣ୍ଡ ତଳକୁ କଲା ସରିତା । ଏଇ କଥା ପଦେ ଶୁଣିବା ପାଇଁ ସେ କେବେଠାରୁ ଚାହିଁ ବସିଥିଲା ଯେମିତି । ସଲିଳକୁ ପାଖରେ ପାଇ ସେ ମନେମନେ ଏତେ ଖୁସି ହେଇଯାଇଥିଲା ଯେମିତି, ଫୁଲ ସହ ଭଅଁରର ସମ୍ପର୍କ ପରି । ବଡଦିନ ଛୁଟି କେମିତି କଟିଗଲା, ସେ ଆଦୈା ଜାଣିପାରିଲାନି ।
ସୁଖ ପରେ ଦୁଃଖ ଆସେ । ବିଧିର ବିଧାନକୁ ବା କିଏ ରୋକି ପାରିବ ? ଛୁଟିର ଶେଷ ଦିନରେ, ସେଦିନ ସଂଧ୍ୟା ସମୟରେ, ନଦୀ କୂଳରେ, ସରିତା ଅପେକ୍ଷା କରିଥାଏ ସଲିଳକୁ । କିଛି ସମୟ ପରେ ସଲିଳ ସେଠାରେ ପହଂଚିବା କ୍ଷଣି, ଲୁହ ଭିଜା ଆଖିରେ ସେ ତାକୁ ଆଲିଙ୍ଗନ କରି କହିଲା-
-ତୁ ସତରେ ମୋତେ ଭୂଲିଯିବୁନି ତ ?
-ଏ ଜନ୍ମରେ ନୁହେଁ । ତୋତେ ଟିକେ ନଦେଖିଲେ ମୋତେ କେମିତି କେମିତି ଲାଗେ । ମୁଁ ତୋ ବିନା ବଂଚିପାରିବିନି ।
-ମୁଁ ବି ତୋତେ ମୋ ଜୀବନଠୁ ବେଶୀ ଭଲପାଏ । ସେଇଥିପାଇଁ ନିଇତି ସଂଧ୍ୟାରେ ତୋ ପାଇଁ ଠାକୁରାଣୀଙ୍କ ପାଖରେ ଆଳତୀ କରେ, ତୋ’ର ଶୁଭ ମନାସେ । ତୁ କାଲି ଚାଲିଗଲା ପରେ ମୁଁ ତୋତେ ଛାଡି କେମିତି ବଂଚିବି, ଭାବିପାରୁନି ।
ଅଶ୍ରୁଳ ନୟନରେ ସଲିଳ ତା ଆଖିରୁ ଲୁହ ପୋଛିଦେଇ କହିଲା- ତୁ ମୋ ପାଇଁ ଆଦୈା ବ୍ୟସ୍ତ ହଅନା । ନିଜେ ପାଠ ପଢାରେ ମନ ଦେ । ଦେଖିବୁ , ପରେ ସବୁ ଠିକ୍ ହେଇଯିବ । ଚା’ଲେ, ଘରକୁ ଯିବା । ଅଧିକ ସମୟ ଏଠାରେ ରହିଲେ ଲୋକେ ଆମକୁ ଖରାପ ଦୃଷ୍ଟିରେ ଦେଖିବେ ।
ଏହା ମଧ୍ୟରେ ଆଠ ବର୍ଷ ଅତିକ୍ରାନ୍ତ ହୋଇସାରିଛି । ସରିତା ବି.ଇଡ୍ ପାସ୍ କରି ତାଙ୍କ ଗାଁ ନିକଟସ୍ଥ ସରକାରୀ ହାଇସ୍କୁଲରେ ଶିକ୍ଷକତା କରୁଛି । ସଲିଳ ଯୋଗୁଁ ଏହା ସମ୍ଭବ ହେଇପାରିଛି । ସଲିଳ ବି ଷ୍ଟେସନ୍ ମାଷ୍ଟର ଚାକିରି ପାଇ ଭୂବନେଶ୍ୱରରେ ରହୁଛି ।
ଜୀବନ ଆକାଶରେ କଳା ବାଦଲ୍ ଘୋଟି ଆସିଲା ପରି ହଠାତ୍ ଏକ ମର୍ମନ୍ତୁଦ ଗୁର୍ଘଟଣାରେ ସଲିଳର ଡାଡି ମମିଙ୍କ ଅକାଳ ମୃତ୍ୟୁ ଘଟେ । ସେଥିରେ ସଲିଳ ଅତ୍ୟନ୍ତ ବ୍ୟଥିତ ହୋଇ ସେହିଦିନୁ ଆଉ ଗାଁ’କୁ ଫେରିନି । ସିନ୍ଦୂର ଟୋପେ ପିନ୍ଧିବା ପାଇଁ ସରିତା ତା’ର ଫେରନ୍ତା ବାଟକୁ ଚାତକିନୀ ପରି ଚାହିଁବସିଛି । ଦିନ ପରେ ଦିନ ଗଡି ଚାଲିଛି, ହେଲେ ଅଭାଗିନୀ ସରିତା ଆଖିରୁ ଲୁହର ଧାର ଏପର୍ଯ୍ୟନ୍ତ ଶୁଖୁନି । ଏହା ମଧ୍ୟରେ ଅନେକ ବର୍ଷ ବିତିଗଲାଣି । ସରିତା ପ୍ରମୋସନ୍ ପାଇଲାଣି । କିନ୍ତୁ ସଲିଳର ଦେଖା ନାହିଁ । ଗାଁ ଲୋକେ କୁହାକୁହି ହେଉଛନ୍ତି – “ତା ଡାଡି ମମିଙ୍କ ଅକାଳ ବିୟୋଗରେ ସେ ଶକ୍ତ ମାନସିକ ଆଘାତ ପାଇ ଚାକିରି ଛାଡି କୁଆଡେ ବହୁ ଦୂରକୁ ଚାଲିଯାଇଛି, ଏମିତିକି ଫେରିବାର ସମ୍ଭାବନା ବାହାରେ ।” ତା’ର କିଛି ଏପର୍ଯ୍ୟନ୍ତ ଖୋଜ୍ ଖବର ମିଳୁନି । କିନ୍ତୁ ସରିତାର ମନ ଜମା ବୁଝୁନି । ତାକୁ ଖୋଜିବା ପାଇଁ ସିଏ ଅନେକ ଥର ଭୂବନେଶ୍ୱର ଆସିଛି, ସବୁ ରେଳ ଷ୍ଟେସନରେ ବୁଝିଛି, ହେଲେ କିଛି ଉତର ପାଇନି । ପୋଲିସ୍ ଷ୍ଟେସନ୍ରେ ନିଖୋଜ୍ ବୋଲି ଏଫ୍.ଆଇ.ଆର୍ ଦେଇଛି, କିନ୍ତୁ କିଛି ଫଳ ମିଳିନି । ଦୈନିକ ଖବରକାଗଜ, ଟି.ଭି ଚ୍ୟାନେଲ୍ରେ ଫଟୋ ସହ ନିଖୋଜ୍ ବୋଲି ଘୋଷଣା କରିଛି, ହେଲେ ତା’ର ସବୁ ଚେଷ୍ଟା ବିଫଳ ହେଇଛି । ତଥାପି ତା ମନରେ ଦୃଢ ଆଶା ଓ ବିଶ୍ୱାସ ରଖି, ସେ ଏବେ ବି ସଲିଳର ଫେରନ୍ତା ବାଟକୁ ସେମିତି ଚାହିଁରହିଛି । ଯେମିତି ସେ ପ୍ରତୀକ୍ଷାର ଅବସାନ ନାହିଁ