Padmalaya Padhy

Inspirational

4.5  

Padmalaya Padhy

Inspirational

ପ୍ରତିବିମ୍ବ

ପ୍ରତିବିମ୍ବ

4 mins
384


ଦେଖୁଛ ଟି ତୁମ ମା ପୁଣି କେମିତି ସୁଡୁ ସୁଡୁ କରି ଚାହା ପିଇଲେଣି ? ଯେତେ କହିଲେ ବି ତାଙ୍କର ସେଇ ଗୋଟିଏ ଜିଦ ଛାଡ଼ିବେ ନାହିଁ l ସ୍ୱାତୀ ଯାଇ ସ୍ୱାମୀ ଲିଟୁନ ସାମ୍ନା ରେ ଅଭିଯୋଗ ଭରା କଣ୍ଠ ରେ ଫେରାଦ ହେଲା ଯାହା ଲିଟୁନ ତ ଶୁଣି ପାରିବ ତା ସହିତ ଶାଶୁ ସାବିତ୍ରୀଙ୍କୁ ବି ଶ୍ରୁତି ଗୋଚର ହେବ l

ମୁଁ ବି ଜାଣି ନାହିଁ ମା ସେମିତି କାହିଁକି ଚାହା ପିଏ l ପୁରୁଣା ଅଭ୍ୟାସ ଛାଡିବା କଷ୍ଟକର l

–ଏବେ ସିନା ତୁମେ ଆଉ ମୁଁ ଦୁଇ ଜଣ ମାତ୍ର l କିନ୍ତୁ କାଲି ଆମର ଛୁଆ ପିଲା ବି ତ ହେବେ l ସେମାନଙ୍କୁ ଭଲ ମ୍ୟାନରସ ଶିଖାଇବା ନା ନାହିଁ କହିଲ l ଇଏ ଗଲା ଗୋଟିଏ ଆହୁରି ଅନେକ ଅଭ୍ୟାସ ଅଛି ତୁମ ମାଆଙ୍କ ର ଯାହାକୁ ଛାଡିବାକୁ ସେ ରାଜି ନୁହନ୍ତି l

–ଏ ବୟସ ରେ ସେ ଯାହା କରୁଛି କରୁ l ଛାଡ଼ ଦିଅ ତାକୁ l ଆମର ତ କିଛି କ୍ଷତି ହେଉନାହିଁ ସେଥିରେ l ଏକଥା ଶୁଣି ମୁହଁ ଫୁଲାଇ ରହିଲା ସ୍ୱାତୀ l ହଁ ମୁଁ ଯେତେହେଲେ ପର ଘର ଝିଅ ନା l କିନ୍ତୁ ରାଣ ଖାଇ କହୁଛି ମୋ ଘରେ କାହାର ଖାଇଲା ବେଳେ ପାଟିରୁ ଏଭଳି ଶବ୍ଦ ବାହାରେ ନାହିଁ l

ସାବିତ୍ରୀ ଙ୍କ କାନ ରେ ସବୁ ପଡେ କିନ୍ତୁ କିଛି କହି ପାରନ୍ତି ନାହିଁ କି ସୁଡୁ ସୁଡୁ କରି ଚାହା ପିଇବା ଛାଡି ହୁଏନାହିଁ l ଫେରି ଯାଆନ୍ତି ଯୁଗେ ପଛକୁ l ସେ ଥିଲେ ନବେ ଦଶକ ର ବୋହୁ l ମାନେ କୁମାର ସାନୁ ଏବଂ ଉଦିତ ନାରାୟଣଙ୍କ ଯୁଗ ର ! ତାଙ୍କ ଶାଶୁ ଜେମାମଣୀଙ୍କର ବ୍ଲାଉଜ ପିନ୍ଧିବା ଅଭ୍ୟାସ ନଥିଲା l ହେଲେବି ଏମିତି ଘୋଡ଼ି ଘାଡି ହୋଇ ଲୁଗା ପିନ୍ଧିଥିବେ ଯେ ଯେମିତି ପ୍ୟାକ ହୋଇଛନ୍ତି l ଖାଲି ହାତ ପାପୁଲି ଦୁଇଟି ଏବଂ ପାଦ ଦୁଇଟିକୁ ଛାଡିଦେଲେ ଆଉ କିଛି ଦେଖାଯାଏ ନାହିଁ l ତେବେ ବି ସାବିତ୍ରୀଙ୍କୁ ଅସୁବିଧା l ପ୍ରତ୍ୟକ୍ଷ ରେ ହେଉ କି ପରୋକ୍ଷ ରେ ହେଉ ଅନବରତ ବାରୁଥିବେ l

ଡାଇନିଂ ଟେବୁଲ ରେ ନ ବସି ତଳେ ଗୋଡ଼ ଲମ୍ବାଇ ବସି ଖାଇବା ସାଙ୍ଗକୁ ଆମ୍ବୁଲ ଓ ଆଚାର ସହିତ ଟାକରା ଫୁଟା ତ ନିଶ୍ଚୟ ରହିଥିବ l ସେଥିପାଇଁ ମୁଳୁ ମାଇଲେ ଯିବ ସରି ନ୍ୟାୟ ରେ ଘରକୁ ସେସବୁ ଜିନିଷ ଆଣିବା ହିଁ ବନ୍ଦ କରି ଦେଇଥିଲେ ସାବିତ୍ରୀ l ନିରୀହ ଶାଶୁ ତାଙ୍କର ବୁଝୁଥିଲେ କି ନାହିଁ କେଜାଣି ହେଲେ ସହି ଯାଉଥିଲେ ସବୁ l ସେତେବେଳେ ସାବିତ୍ରୀ ତାଙ୍କୁ ଦେଖି ଭାବୁଥିଲେ ବୋକା କୋଉଠିକାର !

ସ୍ୱାମୀ ଙ୍କ ସାମ୍ନାରେ ଅଭିଯୋଗ କରନ୍ତି ଯେ ତୁମ ମା ବ୍ଲାଉଜ ନପିନ୍ଧି ଅତିଥି ମାନଙ୍କ ଆଗରେ ଆସି ବସି ପଡିଲେ l ମୁଁ ଯଦି ଶାଢ଼ୀ ନପିନ୍ଧି ଡ୍ରେସ ପିନ୍ଧିଲେ ଖରାପ ତେବେ ବ୍ଲାଉଜ ନପିନ୍ଧିବାଟା କଣ ଅଭିଜାତ୍ୟ ର ପ୍ରତୀକ ? ସ୍ୱାମୀ ତାଙ୍କର ଉତ୍ତର ଦିଅନ୍ତି ନାହିଁ l ନୂଆ ବାହା ହେଲାବେଳେ ସାବିତ୍ରୀଙ୍କର ଡ୍ରେସ ପିନ୍ଧିବାକୁ ନେଇ ମା କଣ କହିଦେଇଥିଲା ବୋଲି ସେଇ କଥା କୁ ଗଣ୍ଠି କରି ଧରି ବସିଲେ କଅଣ ମିଳିବ ଏବେ ?

ଏବେ ଶାଶୁ ନାହାନ୍ତି କି ସ୍ୱାମୀ ନାହାନ୍ତି l ଏକମାତ୍ର ପୁଅ ଲିଟୁନ ହିଁ ସାହା ଭରସା l ସାବିତ୍ରୀଙ୍କ ମନ ତଳେ ଥିବା କଥାଟି ବାରମ୍ବାର ଉଙ୍କି ମାରୁଥାଏ ଯେ ବୋହୁ ଭଲ ହେଲେ ପୁଅ ଭଲ l ନଚେତ ସବୁ ହିସାବ କିତାବ ବିଗିଡି ଯାଏ l ପୁଅ ଆଜ୍ଞାଧୀନ କି ନାହିଁ ବାପା ମା ର ସେବା କରିବ କି ନାହିଁ ତାହା ପୁଣି ବୋହୁ ଉପରେ ନିର୍ଭର କରେ ବୋଲି ସାବିତ୍ରୀଙ୍କ ର ବର୍ଷ ବର୍ଷ ର ଅଭିଜ୍ଞତା କହେ l 

ବୟସ ଝୁଙ୍କାଇ ଦେଇଛି ତାଙ୍କୁ l ନହେଲେ ଘର ଦ୍ୱାର କୋଉଠୁ କୋଉଯାଏ ଲମ୍ବିଛି ତାଙ୍କର l ଏଇ ଦିଆସିଲି ଖୋଳ ପରି ଫ୍ଲାଟ ରେ ଆସି ରହି ନଥାନ୍ତେ ସେ l ବେଡ଼ରୁମ ଭିତରେ ବାଥରୁମ ଟୟଲେଟ ରୁମ ସବୁ କିଛି l ଦଶ କୋଡିଏ ପାଦ ର ଚଳ ପ୍ରଚଳ l ଦୁନିଆ ରୋଗ ଦୁନିଆ ବାରଣ ଭିତରେ ଦିନସାରା ତାଙ୍କର ଦଶ କପ ଚାହା ପିଆ ଗୋଟିଏ କପ କୁ ଖସି ଆସିଲାଣି l ସେଥିରେ ବି ବୋହୁ ର ହଜାରେ ଅସୁବିଧା ଓ ହଜାରେ ଅଭିଯୋଗ l

କାହାର ଦୋଷ ନାହିଁ ଏଥିରେ l ନା ବୋହୂର ନା ଶାଶୁ ର l ବୟସ ଟା ସେମିତି l ଏ ବୟସ ରେ ସେ ବୋଝ ଛଡା ଆଉ କଅଣ ହୋଇ ପାରିବେ l ଏ ଦୁନିଆରେ ବୋଝ ବୋହିବାକୁ କାହାକୁ ବା ଇଚ୍ଛା ? ତେଣୁ କାହାକୁ କିଛି ନକହି ଚା କପ ଧରି ଧୀରେ ଉଠି ଚାଲି ଯାଆନ୍ତି ତାଙ୍କ ରୁମ କୁ l କମସେ କମ ଶାନ୍ତିରେ କପେ ଚାହା ଅନ୍ତତଃ ପିଇ ପାରିବେ ତ l

ଏଣେ ସ୍ୱାତୀ ବୁଝି ପାରୁ ନଥିଲା ଯେ ସୁଡୁ ସୁଡୁ କରି ପିଇଲେ କଣ ଚାହା ଟା ଅଧିକା ମିଠା ଲାଗେ ? ନା ଚାହା କୁ ଜଣାଇ କରି ପିଆଯାଏ ଯେ ଆମେ ତୋତେ ପିଇବାକୁ ଯାଉଛୁ l ଖବରଦାର ! ତେବେ ଏତେ ଶବ୍ଦ କରି ପିଇବା କଣ ଦରକାର?

ଶନିବାରକୁ ଶନିବାର ଆପାର୍ଟମେଣ୍ଟ ରେ ଟି ପାର୍ଟି ର ଆୟୋଜନ ହୁଏ l କୋଉ ଶନିବାର କାହାର ପାଳି l ସେଇ ଶନିବାର ଦିନ ସ୍ୱାତୀ ର ପାଳି ଅଛି l ପଡୋଶିନୀ ମାନେ ଆସିବେ l ସିଂଘଡ଼ା ଛାଣି ତା ସହିତ ଚାହା ଏବଂ ଅନଲାଇନ ରେ କିଛି ମିଠା ମଗାଇ ଦେଲେ ଚଳିଯିବ l ସକାଳୁ କାମରେ ଲାଗିଛି ସ୍ୱାତୀ l ସିଂଘଡ଼ା ଛଣା ସରିଲା ଏବେ ସମୟ କମ ଅଛି ହେଲେ ବି ଚାହା କପେ ପିଆ ଯାଇପାରେ l

ପୁଣି ଶାଢ଼ୀ ପିନ୍ଧିବ ନା ଡ୍ରେସ ପିନ୍ଧିବ ଏପର୍ଯ୍ୟନ୍ତ ଠିକ କରିନାହିଁ l ଡ୍ରେସ ପିନ୍ଧିବାରେ ବାରଣ ନାହିଁ କିନ୍ତୁ ତିନ ତିନଟା ପାଟଶାଢ଼ୀ ଥାଉ ଥାଉ ଡ୍ରେସ କାହିଁକି l ହଁ ସବୁ ଗୁଡାକ ମ୍ୟାରେଜ ଆନିଭର୍ସରୀ ରେ ଲିଟୁନ ଗିଫ୍ଟ ଦେଇଛି ତାକୁ ଯାହାକୁ ସେ ପିନ୍ଧି ନାହିଁ କାରଣ ମଫସଲି ଷ୍ଟାଇଲ ର ସବୁ l ଆରେ ବାବା ଜଣେ ଇଣ୍ଡଷ୍ଟ୍ରିଆଲିଷ୍ଟ ର ଝିଅ କୁ ଗିଫ୍ଟ ଦେଉଛ ଗେଣ୍ଡୁପଲ୍ଲୀ ଗାଁର ବୋହୂକୁ ନୁହେଁ ! ହଉ ଛାଡ଼ ଚାହା ପିଇ ସାରିଲେ ଯାଇ ଯୋଉ କଥା l

ଇଲୋ ବୋଉଲୋ ! ପାଟି କରି ଉଠିଲା ସ୍ୱାତୀ l ଅନ୍ୟମନସ୍କ ହୋଇ ଗରମ ଚାହା ପାଟିରେ ଲଗାଇ ଦେଇଛି l ଜିଭ ପୋଡିଗଲା କି କଣ l ପାଟି ଶୁଣି ସାବିତ୍ରୀ ଉଠି ଆସିଲେ l

–କଣ ହେଲା ଲୋ ମା ?

–କିଛି ନାହିଁ ମା l ଗରମ ଚାହା ବାଜି ଜିଭ ପୋଡୁଛି l ଏତକ କହି ସୁ ସା ହେଲା ସ୍ୱାତୀ l

–ସେଥିପାଇଁ କହୁଛି ଯେ ଏତେ ତର ତର ନହୋଇ ଫୁଙ୍କି ଫୁଙ୍କି ଥଣ୍ଡା କରି ପିଇବୁ l ତୁ ସବୁ କଥାରେ ବହୁତ ତର ତର ହେଉଛୁ ମୁଁ ଦେଖୁଛି l

ସ୍ୱାତୀ ଏ ଭିତରେ ଦୁଇ ଥର ସୁଡୁ ସୁଡୁ କରି ଚାହା କୁ ଶୋଷାଡ଼ି ପିଇ ସାରିଲାଣି l ସୁଡୁ ସୁଡୁ କଲା ଭିତରେ ଜିଭଟା ଥଣ୍ଡା ହୋଇ ଯାଏ ତେଣୁ ଗରମ ଚାହା ଟା ବେଶୀ ବାଧେ ନାହିଁ l ଭଲ ଉପାୟ ତ ! ତୃତୀୟ ଥର ସୁଡୁ ସୁଡୁ କଲା ବେଳକୁ ସାବିତ୍ରୀଙ୍କ ଆଖିରେ ପଡିଗଲା l ଉଭୟେ ହସି ଉଠିଥିଲେ l

ଏହି ଘଟଣା ପରେ ସ୍ୱାତୀ ଆଉ କେବେ ବି ସାବିତ୍ରୀଙ୍କର କୌଣସି କଥାରେ ବାରଣ କରିନାହିଁ l ସାବିତ୍ରୀ ଭାବନ୍ତି କୋଉ ଜନ୍ମରେ କେତେ ତପସ୍ୟା କରି ଏମିତି ବୋହୁ ପାଇଛନ୍ତି l କିନ୍ତୁ ତାଙ୍କ ନିରୀହ ଶାଶୁଙ୍କର ବୋଧେ ଏତେ ପୁଣ୍ୟବଳ ନଥିଲା !!!


Rate this content
Log in

Similar oriya story from Inspirational