ପ୍ରଥମ ସ୍ପର୍ଶ
ପ୍ରଥମ ସ୍ପର୍ଶ
ବ୍ରହ୍ମପୁର ସହର। ରେଶମ ସହର ନାମରେ ଖ୍ୟାତ। ଅଖ୍ୟାତ ପଲ୍ଲୀ ଜଗନ୍ନାଥପୁରର ତନ୍ମୟ ଖଲ୍ଲିକୋଟ କଲେଜର ଛାତ୍ର। ନିମ୍ନମଧ୍ୟବିତ୍ତ ପରିବାରର ସନ୍ତାନ। ଶିକ୍ଷକ ପରିବାରର ସଂସ୍କାର। ଆଜିକାଲି କଲେଜ ପଢିଲେ ବି ଟିଉସନ ନିତାନ୍ତ ଜରୁରୀ। ସବୁଦିନ ଟିଉସନ ପଢିବା ପାଇଁ ପାଞ୍ଚ କିଲୋମିଟର ଯିବାଆସିବା କରେ ତନ୍ମୟ ।
ଚାଲିଚାଲି ଯିବା ଆସିବା ଭିତରେ କୌଣସି ନା କୌଣସି ଭଦ୍ରବ୍ୟକ୍ତିଙ୍କର ଗାଡିର ସାହାଯ୍ଯ ନେଇ ଯିବାଆସିବା କରେ ତନ୍ମୟ ।ପ୍ରତିଦିନ ଅଟୋରେ ଯିବାଆସିବା ସମ୍ଭବ ନଥିଲା ତନ୍ମୟ ପକ୍ଷରେ। ସବୁଦିନ ସମାନ ଯାଏନା। ସେଦିନ ଟିଉସନସାରି ଫେରିଲାବେଳେ ମୂଷଳ ଧାରାରେ ବର୍ଷା। ରାତି ବଢିବା ସହ ରାସ୍ତା ଶୂନଶାନ। ଯେଉଁ ଗୋଟିଏ ଦୁଇଟି ଗାଡି ଯାଉଥିଲା, ସେମାନେ ଅଟକୁ ନଥିଲେ। ନିରାଶ, ନିରୁପାୟ ତନ୍ମୟ ସେଇ ବର୍ଷାରେ ସେମିତି ଭିଜି ଭିଜି ଫେରିବା ବ୍ୟତୀତ ଅନ୍ୟ ଉପାୟ ନଥିଲା।
ଚିନ୍ତିତ ଥିଲା ତନ୍ମୟ , କାରଣ ଘରେ ହଳେ ମାତ୍ର ମଇଳାଜାମା ପଡିଛି, ଏଇଟା ପୁରା ଭିଜିଗଲା, ଆସନ୍ତାକାଲି ପିନ୍ଧିବ କଣ ? ଭାବୁଭାବୁ ଖାତରେ ଗୋଡଟା ପଡି ପିନ୍ ଦିଆ ହାୱାଇ ଚପଲଟା ଠକ୍ କରି ଛିଣ୍ଡିଗଲା। ଏପଟେ ଅନବରତ ବର୍ଷା ସେପଟେ ଛିଣ୍ଡା ଚପଲ, ଶିବତାଣ୍ଡବ ପରି ଗୋଟିଏ ଗୋଡରେ ଠିଆ ହୋଇ ଚପଲ ସଜାଡିବାରେ ଲାଗିଲା।
ହଠାତ୍.......
ସ୍କୁଟିଟିଏ ଆସିବାର ଦେଖି ଅଟକାଇଲା ତନ୍ମୟ। ଅଟକିଗଲା ଝିଅଟି। ନିଜର ଗନ୍ତବ୍ୟ ସ୍ଥଳ କହିଲା ତନ୍ମୟ ଓ ଗୋଟିଏ ମିନଟ ଅଟକିବା ପାଇଁ ଅନୁରୋଧ କଲା ଝିଅଟିକୁ ଓ ଚପଲ ସଜାଡିବାରେ ଲାଗଲା। ଝିଅଟି ଗାଡି ଡିକିରୁ ଛତା ବାହାର କଲା। ଚପଲ ସଜାଡିବା ଭିତରେ ଝିଅଟି ତା ପରିଚୟ ପ୍ରଦାନ କଲା। ଯେନତେନ ପ୍ରକାରେଣ ଚପଲ ସଜାଡି, ଝିଅଟିକୁ ଅଟକାଇଥିବାରୁ କ୍ଷମା ପ୍ରାର୍ଥନା କରି ସଂଯମତାର ସହ ଦୂରତ୍ବ ବଜାୟ ରଖି ବସିଗଲା ସ୍କୁଟିରେ।
ଝିଅଟି ହେଲମେଟ ଭୁଲିଯାଇଥିଲା, ଏପଟେ ତନ୍ମୟ ଛତା ଧରି ଥିବାରୁ ଝିଅଟି ଧିରେଧିରେ ସ୍କୁଟି ଚଲେଇବା ସହ ଗପିଚାଲିଥିଲା ତନ୍ମୟ ସହ। ତନ୍ମୟ ଜାଣିସାରିଥିଲା ସେଇ ଝିଅଟିର ନାଆଁ ରତ୍ନା ଓ ସେ ମହିଳାମହାବିଦ୍ୟାଳୟର କ୍ରୁତି ଛାତ୍ରୀ।
ପ୍ରେମ...। କେତେବେଳ, କେଉଁଠି, କେଉଁ ପରିସ୍ଥିତିରେ ହୋଇଯାଏ କେହି କହିପାରେନା। ଅଧଘଣ୍ଟା ଯାତ୍ରାରେ ଦୁହିଁଙ୍କର ଦୁହିଁଙ୍କ ପ୍ରତି ଦୁର୍ବଳତା ଆସିଯାଇଥିଲା। ଅଧଘଣ୍ଟାରେ ତା ପୁଣି ଢୋ ଢୋ ବର୍ଷାରେ ତାଠାରୁ ହୁଏତ ଅଧିକ କିଛି ହୋଇନଥାନ୍ତା। କାରଣ ଦୁର୍ବଳତାର ପରବର୍ତ୍ତୀ ପାହାଚ ପ୍ରେମ। ହେଲେ ବର୍ଷାର ପ୍ରାବଲ୍ୟ, ସମୟର ପାବନ୍ଧି ଭିତରେ ଦୁହିଁଙ୍କର ସମ୍ପର୍କ ଦୁର୍ବଳତାରେ ହିଁ ସୀମିତ ଥିଲା। ବର୍ଷା ବାଧକ ଥିଲା। ବିଦାୟ ନେଲେ ଦୁହେଁ ଦୁହିଁଙ୍କ ଠାରୁ। ତନ୍ମୟର ମନରୁ ଲିଭୁନଥିଲା ରତ୍ନାର ଛବି। ରତ୍ନା କଣ ତାକୁ ମନେ ପକାଉଥିବେ? ଚାରିଆଖିର ମିଳନ ହେବାସମୟରେ ଠିକ୍ ଲକ୍ଷ୍ୟ କରିଛି ତନ୍ମୟ ଲାଜେଇ ଯାଇ ଓଃ କି ବର୍ଷା କହି ବର୍ଷାତି ସଜାଡିବାର ମୁହୂର୍ତ୍ତ।
ରାତି ସାରା ବର୍ଷାର ତାଣ୍ଡବ ସାଙ୍ଗକୁ ସେଇ ଅଧଘଣ୍ଟାର ଯାତ୍ରା ରୋମାଞ୍ଚିତ କରୁଥିଲା ତନ୍ମୟକୁ। ପୁଣି ଭାବୁଥିଲା, ରତ୍ନା ବି ......!
କିଛି ଭାବିପାରୁନଥିଲା ଗାଉଁଲି ପୁଅ ତନ୍ମୟ ନାରୀର ମନସ୍ତତ୍ତ୍ୱ। ତାଛଡା ତାର ପାଠ ପ୍ରତି ଧ୍ୟାନ ଦେବାର ଅଛି, ତାପାଇଁ ବାପାମାଆ କେତେ କଷ୍ଟ କରିଛନ୍ତି, କେତେ ଆଶା, କେତେ ସ୍ୱପ୍ନ। ଏମିତି ବହୁତ ତନ୍ମୟ ପ୍ରେମର ପୁର୍ବ ପାହାଚରେ ହିଁ ସୁନ୍ଦର ଅନାବିଳ ପ୍ରେମର କବର ଦେବାକୁ ବାଧ୍ୟ ହୁଅନ୍ତି।
କିଛି ବର୍ଷ ପରେ ........
ଆଜି ତନ୍ମୟ ସ୍ମାର୍ଟସିଟି ଭୁବନେଶ୍ଵରର ଅତିରିକ୍ତ ଏସ୍. ପି। ସେଦିନ ପ୍ରେମର ପୁର୍ବ ପାହାଚରେ ଛାଡିଯାଇଥିବା ରତ୍ନାକୁ ଖୋଜିବୁଲୁଛି ଆଖି, କିନ୍ତୁ ମନୁଷ୍ଯ ଯାହା ଚାହେଁ ତାହା ପାଏନା ନ୍ୟାୟରେ ଅଦ୍ରୁଶ୍ୟ ଅନାମିକା ନାୟିକା ରତ୍ନା।
ବାହାଘର ପ୍ରସ୍ତାବର ଲମ୍ୱା ଧାଡି ସହ ଜଲଦି ବାହାଘରର ଚାପ ଭିତରେ ମନ ଖୋଜିବୁଲୁଛି ଦୁର୍ବଳତାକୁ ପ୍ରେମ ଓ ବିବାହର ରୁପ ଦେବାକୁ। ଆଜିକାଲି ଗଣତନ୍ତ୍ରର ଚତୁର୍ଥସ୍ତମ୍ଭ ବହୁତ ସକ୍ରିୟ। ବାରମ୍ବାର ସହରର ଅନୈତିକ କାର୍ଯ୍ୟର ଲମ୍ୱାତାଲିକା ଯୋଗୁଁ ପୋଲିସ ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ ହେଉଥିଲା।
ହଠାତ୍ ଖବର ପାଇ ସହରର ପ୍ରତିଷ୍ଠିତ ହୋଟେଲ୍ ଉପରେ ଚଢାଉ କଲା ପୁଲିସ୍ ଟିମ୍ ତନ୍ମୟର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ। ସମସ୍ତେ ଧରା ହୋଇ ଥାନାକୁ ବୁହା ହେଲେ। ଶେଷରେ ଗୋଟିଏ ରୁମ୍ ଭିତରକୁ ପଶିଗଲେ ତନ୍ମୟ । ଓଃ ରୁମ୍ ସାରା ମଦ ଗନ୍ଧ। ଅର୍ଦ୍ଧ ଉଲଗ୍ନ ଯୁବତୀ ଜଣେ ମୁଣ୍ଡ ତଳକୁ କରି ଅର୍ଦ୍ଧଚେତନ ଅବସ୍ଥାରେ ଖଟତଳେ ଗୋଟିଏ କୋଣରେ ବସିଛି। ପିଠିସାରା ରକ୍ତାକ୍ତ।
ମହିଳା ପୋଲିସକୁ ନିଜର କୋଟ୍ ଟି ଝିଅଟି ଦେହରେ ଢାଙ୍କି ଦେବାକୁ ଆଦେଶ ଦେଲେ ତନ୍ମୟ ।
ତାପରେ ଯୁବତୀଜଣକ ପାଖରେ ପହଞ୍ଚିଗଲେ ତନ୍ମୟ । କହି ଉଠିଲେ, ତମେ ନାରୀ ନା ରାକ୍ଷସୀ। କିଛି ଟଙ୍କାର ଲାଳସାରେ ନିଜ ଶରୀରକୁ କ୍ଷତାକ୍ତ କରି ପୁରୁଷମାନଙ୍କୁ ଆକର୍ଷିତ ଓ ଆମୋଦିତ କରିବାର ଅଭିନବ ଉପାୟ। ଲଜ୍ଜା ଲାଗୁଛି ତମପରି ନାରୀମାନଙ୍କ ପାଇଁ। ଏହି ଦେଶ ସୀତା, ଦ୍ରୌପଦୀ, ରାଧା, ମିରାବାଇ ପାଇଁ ଗର୍ବିତ କିନ୍ତୁ ତମପରି ନାରୀମାନଙ୍କ ପାଇଁ ଇତିହାସର ପ୍ରୁଷ୍ଠାର କଳଙ୍କିତ ଅଧ୍ୟାୟର ଅୟମାରମ୍ଭ। କିନ୍ତୁ ଏଇ ଦେଶପ୍ରେମୀ ସଚ୍ଚୋଟ ପୋଲିସ ଅଫିସର ବଞ୍ଚିଥିବା ଯାଏଁ ଏସବୁର ପ୍ରଶ୍ରୟ ଦେବନାହିଁ କହି ହାତରେ ଧରିଥିବା ବାଡିରେ ଯୁବତୀର ମୁହଁକୁ ଉପରକୁ ଉଠାଇଦେଲା।
ଚମକି ଉଠିଲା ତନ୍ମୟ ! ପଚାରି ଉଠିଲା, ତମେ ବ୍ରହ୍ମପୁର ସହରର ରତ୍ନା ପରି ଦେଖାଯାଉଛ। ଜାଣିନି ମୁଁ ସେ ଏବେ କେଉଁଠି। ମୋର ପୁରୁଣା ଅତୀତ ଆଜି ମୁଁ ରୋମନ୍ଥନ କରିବାକୁ ବାଧ୍ଯ ହେଉଛି। କ୍ଷୀଣ କଣ୍ଠରେ ଯୁବତୀଟି କହିଲା ବାବୁ ! ଆପଣ କିଏ ? ମୁଁ ଅତିରିକ୍ତ ଏସ୍. ପି ତନ୍ମୟ । କେଉଁଠୁ କେଜାଣି ଝିଅଟି ଦେହରେ ଶକ୍ତି ଆସିଗଲା, କୁଣ୍ଢେଇ ଧରି କାନ୍ଦି କାନ୍ଦି କହିଉଠିଲା, ମୁଁ ହିଁ ରତ୍ନା। ଦୁର୍ବଳତା ପ୍ରେମରେ ପହଞ୍ଚିବା ସମୟରେ ବନ୍ଧନ ଦ୍ରୁଢ ହୋଇଯାଏ। ତନ୍ମୟ ପଚାରିବସିଲା, ତମ ପରି ସୁଶୀଳ, ଶିକ୍ଷିତ ଯୁବତୀର ଏମିତି ଅବସ୍ଥା କିପରି ?
ରତ୍ନା କହିଉଠିଲା କଲେଜ ସରିବାପରେ ମେଡିକାଲ ପଢି ସହରର ସ୍ବନାମଧନ୍ଯ ଡାକ୍ତର ହେବାର ଲକ୍ଷ୍ଯ ନେଇ ବାପାମାଆଙ୍କ ଆଦେଶରେ ଏଇଠି ଜଣେ ସମ୍ପର୍କିୟଙ୍କ ଘରେ ରହି ପଢିବା ଆରମ୍ଭ କଲି। ସବୁକିଛି ଠିକଠାକ୍ ଥିଲା। ମୋର ପଢାପଢି ଓ ପ୍ରତିପୋଷଣ ପାଇଁ ବାପା ସମସ୍ତ ସମ୍ପତ୍ତି ଏହି ନିକଟ ସମ୍ପର୍କିୟଙ୍କ ନାଆଁରେ କରିଦେଲେ। କଳାବାଦଲ ସେଇଦିନ ଘୋଟିଆସିଲା, ଯେଉଁଦିନ ବାପାମାଆଙ୍କ ଦେହାନ୍ତ ଖବର ପାଇଲି। ଆଜିଯାଏଁ ସେହି ମୃତ୍ୟୁ ରହସ୍ୟାବୃତ୍ତ।
ତଥାପି ସମ୍ପର୍କିୟଙ୍କ ତତ୍ତ୍ବାବଧାନରେ ସୁନ୍ଦର ଭାବରେ ଗତିଶୀଳ ହେଲା ଜୀବନ। ସମ୍ପର୍କିୟଙ୍କ ସମସ୍ତ ସମ୍ପତ୍ତି ଧିରେଧିରେ ଶେଷ ହେବାକୁ ଲାଗିଲା ସମ୍ପତ୍ତି। ଦଲାଲ ହାତରେ ଟେକିଦେଲେ ସମ୍ପର୍କିୟ । ଆରମ୍ଭ ହେଲା ଅତ୍ୟାଚାର। ଉଲଗ୍ନ କରି ବୁଟ୍ ମାଡ, ପାଶବିକ ଅତ୍ୟାଚାର ମୋ ପାଇଁ ନିତିଦିନିଆ ଘଟଣା ଥିଲା। ରୁଦ୍ଧକୋଠରୀରେ ବନ୍ଦ ରଖୁଥିଲା ଦଲାଲ ଜଣକ। ଗ୍ରାହକ ମାନଙ୍କ ପାଖରେ ନେଇ ଛାଡିଆସୁଥିଲା ଓ ନିଜ ଈଚ୍ଛା ଅନୁସାରେ ଶରୀରକୁ ପଶୁ ପରି ଉପଭୋଗ କରୁଥିଲା। କୁକୁରର ଅଇଁଠା ଖାଇବାକୁ ଦେଉଥିଲା।
ଆଜି ବି ବୟସ୍କ ମଦ୍ୟପ ପାଖରେ ଛାଡିଦେଇ ଚାଲିଗଲା। ବୟସାଧିକ୍ୟ ଯୋଗୁଁ ସେ ଯୌନକ୍ଷୁଧା ଉପଶମ କରିନପାରି ମୋତେ ଅର୍ଦ୍ଧନଗ୍ନ କରି ମାଡମାରି ଅଚେତ କରିଦେଇ ଚାଲିଗଲେ।
ମୋତେ ଛାଡିଦିଅ ତନ୍ମୟ , ମୁଁ ଏଇ ଅଇଁଠା ଶରୀରର ବିସର୍ଜନ ସହ ଏହି ନର୍କ ଯନ୍ତ୍ରଣାରୁ ମୁକ୍ତି ଚାହେଁ। ହଁ ତମ ଈଚ୍ଛା ନିଶ୍ଚୟ ପୁରଣ କରିବି। ହେଲେ ନଦୀର ମିଳନ ସମୁଦ୍ରରେ, ରତ୍ନାର ମିଳନ ତନ୍ମୟରେ। ଦ୍ରୁଢ ଆଲିଙ୍ଗନରେ ଥିଲେ ଦୁହେଁ। ତନ୍ମୟ କହିଲା ଦୁର୍ବଳତାର ପର ପାହାଚ ହିଁ ପ୍ରେମ। ସେଇ ବର୍ଷାରାତିର ତିରିଶ ମିନଟ୍..... !!
ଦୁର୍ବଳତାରୁ ପ୍ରେମ। ପ୍ରେମରୁ ବିବାହ। କହୁଥିଲା ତନ୍ମୟ । ହସୁଥିଲା ରତ୍ନା। ଘଣ୍ଟାକଣ୍ଟା, ମିନଟକଣ୍ଟା ମିଶିଯାଇଥିଲେ। ଘଡି ସୁଚୋଉଥିଲା ବାରଟା। ।