Padmalaya Padhy

Inspirational

4.0  

Padmalaya Padhy

Inspirational

ପ୍ରଥମ ପ୍ରଥମାଷ୍ଟମୀ

ପ୍ରଥମ ପ୍ରଥମାଷ୍ଟମୀ

6 mins
160



ପ୍ରଥମାଷ୍ଟମୀରେ ପ୍ରଥମ ସନ୍ତାନକୁ ବନ୍ଦାଇବାର ପରମ୍ପରାକୁ ସାମାନ୍ୟ ବଦଳାଇ ପ୍ରତିଭା ଦୁଇଟିଯାକ ପୁଅଙ୍କୁ ବନ୍ଦଉଛନ୍ତି l ସାନ ପୁଅଟି କାହିଁକି ବା ଗୋଟେ ଭଲ ଦିନରେ ମୁହଁ ଫୁଲେଇ ବସିବ l ସ୍ୱାମୀ ରଜତ ବାବୁ ମଜାରେ ବଡ ପୁଅକୁ କହନ୍ତି ତୋ ମାଆ ଭଲ ଉପାୟ କରୁଛି l ତୁମ ଦୁଇ ଜଣକୁ ହାତରେ ରଖୁଛି ଯେମିତି ଆମ ଭିତରେ ଝଗଡା ହେଲେ ତୁମେ ମାନେ ମାଆ ପଟିଆ ହେବ ଓ ବାପାଟି ବିଚରା ସମ୍ପୂର୍ଣ୍ଣ ଏକୁଟିଆ ହୋଇ ରହିଯିବ l


ସବୁ ବର୍ଷ ଭୋର ଚାରିଟାରୁ କାମବାଲୀ ନିକିର ମାଆ ନିକି ସହିତ ଆସି ପ୍ରତିଭାଙ୍କୁ ସାହାଯ୍ୟ କରି ହାତ ପାଖକୁ ସବୁ ଜିନିଷ ପତ୍ର ଯୋଗାଡି ଦେଇ ଚାଲି ଯାଏ ଓ ପ୍ରତିଭା ରକମ ରକମର ପିଠା କରିବାକୁ ଆରମ୍ଭ କରନ୍ତି l ରଜତ କହନ୍ତି ପ୍ରତିଭାଙ୍କ ସବୁ ପ୍ରତିଭା କାଳେ ପିଠାରେ ହିଁ ପ୍ରତିଫଳିତ ହେଉଛି l ସତରେ ପ୍ରତିଭା କିନ୍ତୁ ଶହେ ପ୍ରକାର ପିଠା ବନେଇବାରେ ଉସ୍ତାଦ l ପଡୋଶୀ ମାନେ ତାଙ୍କ ଠାରୁ ଶିଖନ୍ତି ସିନା କିନ୍ତୁ ତାଙ୍କ ପରି କେହି କରି ପାରନ୍ତି ନାହିଁ l


ସବୁ ପିଠା ସରେନା ପର ଦିନ ପୁଣି ବଳକା ଜିନିଷ ନିକିର ମାଆ ନିଏ l ଦଶ ବର୍ଷ ହେଲାଣି ନିକିର ମାଆ ପ୍ରତିଭାଙ୍କ ଘରେ କାମ କରି ଆସୁଛି l ନିକି ମଧ୍ୟ ମାଆକୁ କାମରେ ସାହାଯ୍ୟ କରେ l ଛଅ ବର୍ଷର ଝିଅ ନିକିର କାମ ତା ମାଆ ଠୁ ମଧ୍ୟ ଆହୁରି ନିଖୁଣ l


ନିକି ତା ପରିବାର ମଧ୍ୟରେ ସବୁଠୁ ବଡ l ତା ତଳେ ତାର ଆହୁରି ଦୁଇ ଭଉଣୀ ଓ ଗୋଟେ ଭାଇ l ନିକିର ମାଆ କେବେ ପ୍ରଥମାଷ୍ଟମୀ ପାଳେନାହିଁ ସିନା ନିକି କିନ୍ତୁ ବାବୁମାନଙ୍କ ଘରକୁ କାମ କରିବାକୁ ଯାଇ ସବୁ ଦେଖିଛି ଓ କେଉଁ ଦିନ କେଉଁ ପର୍ବ ମନା ଯାଏ ପଚରା ଗଲେ ସବୁ କହି ଦେବ l ହେଲେ ଏଇ ପ୍ରଥମାଷ୍ଟମୀକୁ ନେଇ ନିକିର ବଡ ଲୋଭ l ସେ କଦାପି ଖାଇବା ରଂକୁଣି ନୁହେଁ କିନ୍ତୁ ନୂଆ ଡ୍ରେସ ପିନ୍ଧି ବନ୍ଦାପନା ହେବାକୁ ଭାରି ମନ ତାର l


ବାପ ତାର ମାଆକୁ ଛାଡି ପାଖ ସାହିରେ ଆଉ ଗୋଟେ ସ୍ତ୍ରୀ ରଖିଛି ଯାହାକୁ ପୁଣି ସାବତ ମାଆ କୁହା ଯାଏ ବୋଲି ନିକି ଶୁଣିଛି l ସେ ମାଆର ଦୁଇଟି ଝିଅ ଅଛନ୍ତି l ସେ ମାଆ କିନ୍ତୁ ତା ନିଜ ଝିଅକୁ ବନ୍ଦାପନା କରି ଟିକା ଲଗାଇ ପିଠା ଖୁଆଇ ଦିଏ l ସାହିରେ ମଧ୍ୟ ପିଠା ଆଣି ବାଣ୍ଟି ଥାଏ l କିନ୍ତୁ ନିକି ଘରେ ଦିଏନା l ନିକିର ମାଆ ସେ ସ୍ତ୍ରୀ ଲୋକର ସଉତୁଣୀ ବୋଲି ସାହିରେ ସମସ୍ତେ କହନ୍ତି l ତେଣୁ ସଉତୁଣୀକୁ କୌଣସି ଉପହାର ଦିଆ ଯାଏନା !!


ନିକି ସବୁ ପର୍ବ ପର୍ବାଣିରେ ପ୍ରତିଭାଙ୍କ ଘରୁ ଲୁଗା ପଟା ପାଏ l ସାନ ଭାଇ ଭଉଣୀ ମାନେ ବି ପାଆନ୍ତି l ଯେତେ ଜଣଙ୍କ ଘରେ ତା ମାଆ କାମ କରେ ସମସ୍ତେ କିଛି ନା କିଛି ଦିଅନ୍ତି l ସେମାନଙ୍କର ସେତିକିରେ ଚଳି ଯାଏ l ହେଲେ ଏଇ ଯୋଉ ବନ୍ଦାପନା କଥା ଅଛି ସେଥିପାଇଁ ନିକି ତା ମାଆକୁ ଥରେ ପଚାରିଥିଲା ଯେ ତା ମାଆ ଖାଲି କାନ୍ଦି ଥିଲା ସିନା କିଛି କହି ନଥିଲା l ତା ପରଠୁ ସେ ମାଆକୁ କେବେ ବି ବନ୍ଦାଇବାକୁ କହି ନାହିଁ l ମାଆକୁ ଯାହା କହିଲେ ବି ମାଆ ବାପାକୁ ମନେ ପକାଇ କାନ୍ଦେ l ନିକି ମାଆ ଆଖିରେ ଲୁହ ଦେଖି ପାରେନି l


ଥରେ ନୂଆ ମାଆ ତା ଝିଅକୁ ବନ୍ଦାପନା କଲା ବେଳେ ନିକି ଯାଇ ଝରକା ବାଟେ ଦେଖୁଥିଲା ଯେ ତା ବାପା ଆସି ଧଡ଼ାସ କରି ଝରକା ବନ୍ଦ କରିଦେଲା l ତା ନିଜ ମାଆ ବି କେତେ କଣ ଉପାସ ବ୍ରତ ରଖେ l ମାଆ ନିର୍ଜଳା ସାବିତ୍ରୀ ବ୍ରତ କଲା ବେଳେ ନିକି ଭାବେ ସେ ବଡ ହେଲେ ତା ବର ପାଇଁ ଏମିତି ବ୍ରତ କରିବ l ସେ କଥା ଶୁଣିକି ତା ମାଆ ପୁଣି ଉଦାସ ହୋଇଯାଏ ଓ ମାର କାନ୍ଦ ଆରମ୍ଭ ହୋଇଯାଏ l 


ପ୍ରତିଭା ସବୁ ଦେଖନ୍ତି ଜାଣନ୍ତି l ନିକିର ମାଆ ଚାରୋଟି ଛୁଆଙ୍କୁ ଧରି କି ଅବସ୍ଥା ହେଉଛି କେମିତି ଦିନ କାଟୁଚି ସବୁ ଦେଖନ୍ତି କିନ୍ତୁ କିଛି କରି ପାରନ୍ତି ନାହିଁ l ପାରୁ ପର୍ଯ୍ୟନ୍ତ ନିକିର ମାଆକୁ ପଇସା ପତ୍ର ଦେଇ ସାହାଯ୍ୟ କରନ୍ତି l ଆଉ କଣ ବା କରି ପାରିବେ ସେ l


କାଲିର ପ୍ରଥମାଷ୍ଟମୀ କିନ୍ତୁ ସବୁ ଥରଠୁ ନିଆରା ଥିଲା ପ୍ରତିଭାଙ୍କ ପାଇଁ l ନିକିର ମାଆ ଆସି ସବୁ ଯୋଗାଡ଼ି ଦେଇ ଚାଲିଗଲା l ସନ୍ଧ୍ୟାରେ ଆସିବ ଯାହା ପିଠା ପଣା ବଳିଥିବ ନେଇକି ଯିବ l ସମସ୍ତଙ୍କ ଘରୁ ମିଶେଇ ଦେଲେ ତାକୁ ରୋଷେଇ କରିବାକୁ ପଡ଼େନି ସେଦିନ l ପ୍ରତିଭାଙ୍କ ବଡ ପୁଅ ସିଲୁ ନିକି ଠାରୁ ବର୍ଷେ ବଡ ହେବ କି କଣ l କିନ୍ତୁ ମାଆ ବାପାଙ୍କୁ ବୟସ୍କଙ୍କ ଭଳି ଉପଦେଶ ଦେବ l ବଳକା ଖାଇବା ଦେଲା ବେଳେ କହିବ l


__ମା ! ଆଉ ଟିକିଏ ଖିରି ଦିଅ ତାଙ୍କୁ l ତାଙ୍କ ଘରେ ଏତେ ପିଲା ଅଛନ୍ତି l ନିକି ଭାଗକୁ କିଛି ନଥିବ l

__ମା ! ତୁମେ ନିକିର ମାଆକୁ ଶାଢ଼ୀ ଦେଲ କିନ୍ତୁ ନିକି କଣ ଶାଢ଼ୀ ପିନ୍ଧି ପାରିବ ? ତା ପାଇଁ ବି ଗୋଟେ ଫ୍ରକ କିଣି ଆଣିଲନି l


ସେଦିନ ବନ୍ଦାପନା ସରିଲା ପରେ ସିଲୁର ସାନ ଭାଇ ଦିଲୁ ମଧ୍ୟ ଜିଦ ଧରି ବସିଲା ତାକୁ ବି ଠିକ ସେମିତି ବନ୍ଦାପନା ଦରକାର ଯେମିତି ଭାଇକୁ କରାହେଲା l ତାକୁ ବୁଝାଇବାକୁ ଯାଇ ସିଲୁ କହିଲା l


__ଆମର ସିନା ବାପା ଅଛନ୍ତି ଚାକିରୀ କରି ଟଙ୍କା ଆଣିଲେ ମାଆ ପିଠା ପଣା କରି ପୂଜା କରୁଛନ୍ତି l ନିକିର ତ ବାପା ଛାଡି ଚାଲି ଯାଇଛନ୍ତି l ତାଙ୍କର ଏତେ ଟଙ୍କା ବି ନାହିଁ l ତାକୁ କିଏ ବନ୍ଦାପନା କରିବ ଆଜି ? କିନ୍ତୁ ସେ ତ ତୋ ଭଳି ଟିକେ ବି କାନ୍ଦୁନାହିଁ ?


ପ୍ରତିଭାଙ୍କ ହୃଦୟରେ କଥାଟି ଭେଦି ଯାଇଥିଲା l ସତରେ ସେ ବି ତ ସିଲୁ ଦିଲୁ ବୟସର ପିଲାଟିଏ l ସମସ୍ତଙ୍କ ଘରେ ଯାଇ ପୂଜା ପାର୍ବଣ ଦେଖୁଛି l ତାର ବି ମନ ହେଉଥିବ l


ନିକି ସୁଧାର ପିଲାଟିଏ ହେଲେ ବି ବନ୍ଦାପନା ବେଳେ ସିଲୁକୁ ଅପଲକ ନେତ୍ରରେ ଚାହିଁ ରହେ l ପ୍ରଥମେ ସେ ବୁଝି ପାରି ନଥିଲେ ପରେ ତା ମାଆ ଠୁ ଜାଣିଲେ ଯେ ସଜବାଜ ହୋଇ ନୂଆ ପିନ୍ଧି ବସିବାକୁ ନିକିର ବହୁତ ଆଗ୍ରହ l ତାଙ୍କ ଘରେ ସେ ବି ପ୍ରଥମ ସନ୍ତାନ ! କିନ୍ତୁ ତା ମାଆ ଏତେ ପ୍ରକାର ଆଡମ୍ବର କରି ପାରେନି l ସୁତରାଂ ନିକି ଆଜି ପର୍ଯ୍ୟନ୍ତ କେବେ ବନ୍ଦାପନା ହେବାର ସୁଯୋଗ ପାଇନାହିଁ l


ସିଲୁର କଥା ଶୁଣିବା ପରେ ସବୁ କିଛି ଫିକା ଫିକା ଲାଗୁଥିଲା l ଭଳି କି ଭଳି ପିଠା କରିବାର ଚାତୁର୍ଯ୍ୟ , ପଡୋଶୀଙ୍କ ବାହାବା ସାଙ୍ଗକୁ ରଜତଙ୍କ ସାଙ୍ଗ ମେଳରେ ସ୍ତ୍ରୀକୁ ନେଇ ବାହାଦୁରି ସବୁ କିଛି ପାଣିଚିଆ ଲାଗୁଥିଲା ପ୍ରତିଭାଙ୍କୁ l ନିଜ ଘରର ଚାରି କାନ୍ଥ ଭିତରେ ଖୁସିକୁ ବାନ୍ଧି ରଖିଛନ୍ତି ସେ l ସେଇ ଖୁସି ଯେଉଁଥିରେ କେବଳ ତାଙ୍କ ସ୍ୱାମୀ ଓ ପୁଅ ମାନେ ହିଁ ଭାଗ ବସାଇ ପାରିବେ l ଘରର ଚାରି କାନ୍ଥ ବାହାରକୁ ତାହା ଯିବ ନାହିଁ l ଖୁସି ଆଜି ପର୍ଯ୍ୟନ୍ତ ତାଙ୍କ ଘରର ପରିସୀମା ଅତିକ୍ରମ କରି ପାରି ନାହିଁ l ଖୁସିକୁ ନ ବାଣ୍ଟିଲେ ବଢିବ ବା କେମିତି l


ହଠାତ ସେ ଉଠିଗଲେ ଓ ନିକିର ମାଆକୁ ଫୋନ ଲଗାଇ ଶୀଘ୍ର ନିକିକୁ ନେଇ ପହଞ୍ଚିବା ପାଇଁ କହିଲେ l ନିକିର ମାଆ ଛାନିଆ ହେଇ ଆସି ପହଞ୍ଚିଥିଲା l କୋଉଠି କିଛି ଭୁଲ ଭଟକା ହେଇଗଲା କି l ଏମିତି ଅସମୟରେ କାହିଁକି ଡାକରା ଆସିଲା l ସାଙ୍ଗରେ ନିକି ଅଛି l ଛଅ ବର୍ଷର ନିକି ମଧ୍ୟ ବୁଝି ପାରୁଛି ଯେ ବାବୁମାନଙ୍କ ଘରେ କାମରେ ଗଡବଡ କଲେ ସେମାନେ କାମରୁ ବାହାର କରି ଦେବେ ଓ ତାକୁ ତା ପରିବାର ସହିତ ଭୋକ ଉପାସରେ ରହିବାକୁ ହେବ l 


ନିକିକୁ ଦେଖି ପ୍ରତିଭା ସିଲୁ ପାଇଁ ନୂଆ କିଣା ଯାଇଥିବା ହଳେ ଜିନ୍ସ ଓ ଟି ସାର୍ଟ ଆଣି ଦେଲେ l ନିକି କିଛି ବୁଝି ପାରୁ ନଥିଲା l ପୁଅମାନଙ୍କ ପୋଷାକ ପିନ୍ଧି ସେ କଣ କରିବ l ପ୍ରତିଭା ନିକିର ମାଆକୁ ତାର ପୁରୁଣା ଡ୍ରେସ ବଦଳାଇ ସେ ଦେଇଥିବା ସିଲୁର ନୂଆ ଡ୍ରେସ ପିନ୍ଧାଇବାକୁ କହିଲେ l ହେଲେ ମଧ୍ୟ ନିକିର ମାଆ କିଛି ବୁଝୁ ନଥାଏ l


ପ୍ରତିଭା କହିଲେ "ଆଲୋ ଚାହୁଁଚୁ କଣ ଏ ହେଲା ଆଜି କାଲିର ନୂଆ ଷ୍ଟାଇଲ l ଆଜି କାଲି ଝିଅମାନେ ବି ଜିନ୍ସ ପିନ୍ଧିଲେଣି l ନିକି ପାଇଁ ମୋ ଘରେ ଫ୍ରକ ନାହିଁ ତେଣୁ ଏଇଟି ନେ ପିନ୍ଧାଇ ଦେ ତାକୁ l ପ୍ରତିଭା ଯେମିତି କହିଲେ ସେପରି କରିବାକୁ ହେଲା l ଏହା ପରେ ପ୍ରତିଭା ନିକିକୁ ବସାଇ ବନ୍ଦାଇବାକୁ ଆରମ୍ଭ କରୁ କରୁ ନିକିର ମାଆ ପଚାରିଲା l


__ମା ! ତୁମେ ଏ କଣ କରୁଛ ? ମୋ ଝିଅକୁ ତୁମେ କାହିଁ ବନ୍ଦlଉଛ ?

__ନିକି ତୋର ପ୍ରଥମ ସନ୍ତାନ ନୁହେଁ କି ? ଆଜି ପରା ପ୍ରଥମାଷ୍ଟମୀ ମନେ ଅଛିଟି ତୋର ?

__ହେଲେ ତୁମ ପିଲାମାନଙ୍କୁ କରିବା କଥା ନା l

__ଖାଲି ନିଜ ପିଲାଙ୍କୁ ହିଁ ବନ୍ଦାପନା କରା ହେବ କିନ୍ତୁ ଆଉ କାହାରିକୁ ହୋଇ ପାରିବ ନାହିଁ ବୋଲି କୋଉଠି ଲେଖା ହୋଇଛି କହିଲୁ l ସବୁ ନାରୀଙ୍କ ପାଖେ ମାତୃ ସୁଲଭ ଗୁଣଟିଏ ଥାଏ l ଖାଲି ନିଜ ପର ଭେଦ ଭାବ ଯୋଗୁଁ ଏହା ପରିସ୍ଫୁଟ ହୋଇ ପାରେନା l ଆମ ପିଲା ସବୁ ସୁଖର ହକଦାର l ତୋ ପିଲା ପର ତେଣୁ ଆମର କରି ପାରିବା ଶକ୍ତି ଥିଲେ ବି ଆମେ କରିବା ନାହିଁ l ଏଇ ତୋର -- ମୋର ପାଚେରୀଟିକୁ ଯଦି ସିଲୁ ଭଳିଆ ସାତ ବର୍ଷର ପିଲାଟିଏ ଭାଙ୍ଗି ପାରିଛି ତେବେ ମୁଁ କାହିଁକି ପାରିବିନି ?


ପ୍ରତିଭା ଜନ୍ମରୁ ଯେତେ ପ୍ରଥମାଷ୍ଟମୀ ଦେଖି ଆସିଛନ୍ତି ଏଇଟି ହେଉଛି ଅର୍ଥପୂର୍ଣ୍ଣ ଓ ସବୁଠୁ ଅଲଗା l ଏହି ଦିନଟିକୁ ସେ କେବେ ବି ଭୁଲିବେ ନାହିଁ କି ନିକି ବି ଭୁଲି ପାରିବ ନାହିଁ l ପ୍ରଥମ ଥର ପ୍ରଥମାଷ୍ଟମୀ ପାଳୁଛି ସେ l 


ନିକି ଭାବୁଥିଲା ତେବେ ତାକୁ ଏହି ସ୍ୱର୍ଗୀୟ ସୁଖଟି ଦେବା ପଛରେ ଯେ ଅଛି ସେ ହେଉଛି ସିଲୁ l "ଭଗବାନ ସିଲୁକୁ ଭଲ ପାଠ ଦିଅ l ସବୁବେଳେ ସେ ଅଙ୍କ ହଉନି ବୋଲି ବାପାଙ୍କଠୁ ମାଡ଼ ଖାଉଛି l ତାର ସବୁ ଅଙ୍କ ଠିକ ହେଇ ଯାଉ" l


ଆଜି ନିକି ନିଜକୁ କୌଣସି ରାଜକୁମାରୀ ଠାରୁ କମ ଭାବୁ ନଥିଲା l ତାକୁ ବି ଚିତା ତିଳକ ଲାଗିଲା ଓ ସେ ବି ପୂଜା ପାଇଲା ଯେ !! ପ୍ରଥମଷ୍ଟାମୀରୁ ନିକି ତା ଜୀବନର ପ୍ରଥମ ପର୍ବ ପାଳିବା ଆରମ୍ଭ କରିଥିଲା l



Rate this content
Log in

Similar oriya story from Inspirational