ପୃଥ୍ୱୀ, ଆକାଶ ଓ ସାଗର
ପୃଥ୍ୱୀ, ଆକାଶ ଓ ସାଗର
ଅନ୍ୟମନସ୍କ ଭାବେ ବେଳାଭୂମିରେ ବୁଲିବା ଆଜିକାଲି ଏକ ଅଭ୍ୟାସରେ ପରିଣତ ହୋଇଗଲାଣି ଆକାଶର. ଗୋଟେ ସାମାନ୍ୟ ଭୁଲ ବୁଝାମଣାକୁ ନେଇ ମତାନ୍ତର, ମନାନ୍ତର ଓ ପରେ ପରେ ଛାଡ଼ପତ୍ର ଯାଏଁ କଥା ଯିବ ଭାବିନଥିଲେ ଆକାଶ. ପିଲାଦିନରୁ ପୃଥ୍ୱୀ ସାଙ୍ଗରେ ତାଙ୍କର ବନ୍ଧୁତା.କଲେଜ ବେଳକୁ ପ୍ରେମର ରୂପ ନେଇସାରିଥିଲା ସେହି ବନ୍ଧୁତା . ଘରେ ବାପା ମାଆ ଯେତେ ବୁଝାଇଲେ ମଧ୍ୟ ଆକାଶ ବୁଝିନଥିଲା. ବାପା କହିଥିଲେ ନିଜ ସମକକ୍ଷ ଘରେ ବନ୍ଧୁ ବାନ୍ଧିବା ଉଚିତ. ବୋଉ କହିଥିଲା ବଡ଼ଲୋକ ଘର ଝିଅ ସେ. ରାଜାଉଆସରୁ ଆସି ସେ କଣ ଆମ ଗରୀବ କୁଡ଼ିଆରେ ଚଳିପାରିବ ପୁଅ. ତୁ ତାକୁ ଭୁଲିଯା ପୁଅ. ଆକାଶ କିନ୍ତୁ ଏକା ଜିଦ କରି କହିଥିଲା ପୃଥ୍ୱୀ ସେମିତି ଝିଅ ନୁହେଁ ବୋଉ. ପିଲାଦିନୁ ମୁଁ ତାକୁ ଜାଣିଛି. ତା ବ୍ୟାଗରେ ଥିବା ବହି ଖାତା ପତ୍ର ସବୁକୁ ସେ ମୋ ପାଇଁ ଭାଗ କରିବା ସହ ତା ଟିଫିନରୁ ଅଧା ମୁଁ ନଖାଇଲା ଯାଏଁ ସେ ନିଜେ କେଵେ ଖାଇନି. ବୋଉ କହିଥିଲା ସେଇକଥା ମୁଁ ବି କହୁଛି ପୁଅ.ତା ଜିନିଷରୁ ତତେ ଅଧା ଦେଇ ତା ବଡ଼ପଣ ଦେଖାଉଥିବା ବଡଘର ଝିଅ ତୋ ଜିନିଷରେ ଅଧା ଅଧିକାର କରିବନିରେ ପୁଅ. କିନ୍ତୁ ଶେଷରେ ଆକାଶ ଜିତିଥିଲା. ବାପା ବିନା ଯୌତୁକରେ ବୋହୂ କରି ଆଣିଥିଲେ ପୃଥିକୁ. କିନ୍ତୁ ଦିନ କେଇଟାରେ ତାର ଅସଲ ଚେହେରା ଧରା ପଡିଯାଇଥିଲା. ସେ ସବୁବେଳେ ଚାହୁଁଥିଲା ତା ସହିତ ଆକାଶ ଯାଇ ତା ବାପାଙ୍କ ଘରେ ରହିବ. ଏକମାତ୍ର ଝିଅ ପୃଥ୍ୱୀ ସବୁବେଳେ ତା ଭାଗରୁ ଆକାଶ ଖାଇ ପିଇ ବଞ୍ଚୁ ଚାହିଁବାଟା ଏଣିକି ଆକାଶକୁ ପସନ୍ଦ ହେଉନଥିଲା. ଆକାଶର ମଧ୍ୟ ଉଚ୍ଚ ପଦ ପଦବୀ ଓ ପ୍ରତିଷ୍ଠା ଥିଲା. ଶେଷରେ ପୃଥ୍ୱୀର ଡେଲିଭରି ପାଇଁ ପ୍ରଥା ଅନୁଯାୟୀ ସେ ତା ବାପାଙ୍କ ଘରକୁ ଗଲା ଯେ ଗଲା. ଆଉ ଫେରିଲାନି. ଏମିତିକି ସେଠାରେ ଏକୋଇଶିଆ ପାଲା ପୂଜା ହେଲା ତ ଆକାଶ ମଧ୍ୟ ଯୋଗଦେଲାନାହିଁ. ଶେଷକୁ କଥା ବଢ଼ି ବଢ଼ି ଛାଡ଼ପତ୍ର ନୋଟିସ ପାଇଥିଲା ଆକାଶ.ଏ ଭିତରେ ପୁଅ ବଡ଼ ହୋଇ ଚାରିବର୍ଷର ହେଲାଣି. ତା ଭବିଷ୍ୟତ ଦେଖିବା ବଦଳରେ ବାପା ମାଆ ଉଭୟ ଉଭୟଙ୍କ ଜିଦରେ ରହି ଅଲଗା ହୋଇଗଲେ. ଆକାଶ ମଧ୍ୟ ପୁଅକୁ ମାଆ କୋଳରୁ ଛଡେଇ ଆଣିନଥିଲା. ମାଆ ବିନା ପିଲା ଅଧା ଅଧୁରା ବୋଲି ବୁଝିଥିବା ଆକାଶ ଏବେ କାହିଁକି ଏତେ ଚିନ୍ତା କରୁଛି ତାର ମଧ୍ୟ ଏକ କାରଣ ଥିଲା.
ଅଫିସରେ ତା ସହକର୍ମୀ ଆଶାର ସ୍ୱାମୀ ଦୁର୍ଘଟଣାରେ ପ୍ରାଣ ହରେଇବା ବେଳକୁ ଆଶା ଗର୍ଭବତୀ ଥିଲା. ଏବେ ପୁଅଟି ସବୁବେଳେ ଆଶାକୁ ପଚାରୁଥିଲା ମୋ ବାପା କାହାନ୍ତି ମାଆ? ତୁମେ କାହିଁକି ମୁଣ୍ଡରେ ସିନ୍ଦୁର, ବେକରେ ମଙ୍ଗଳସୂତ୍ର ପିନ୍ଧିନ? ପ୍ରଥ
ମେ ପ୍ରଥମେ ଆଶା ପୁଅକୁ ବିରକ୍ତ ହୁଏ, କହେ ଏଡେ ଟିକେ ପିଲା ଏଡ଼େ ଏଡ଼େ କଥା ପଚାରୁଛି!ଏବେ ଯୋଉଦିନ ତାର ନାମ ଲେଖା ହେଲା ବାପାଙ୍କ ନାମ ପଚାରୁ ପଚାରୁ ଆଶାଙ୍କ ପୁଅ କହିଥିଲା ସେ ମୃତ ତ ଆଶା କାନ୍ଦିଥିଲା ଖୁବ. ଅଫିସରେ ମଧ୍ୟ ଖୁବ ଦୁଃଖ କରୁଥିଲା ଯେ ତା ଅଭାଗା ପୁଅର ଭବିଷ୍ୟତ କଣ ହେବ. ଠିକ ଏହି ସମୟରେ ସମସ୍ତେ ଆଶାକୁ ବିପତ୍ନୀକ ଭୂପେଶକୁ ଦ୍ୱିତୀୟ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲେ ତ ପୁଅ ତାର ପଚାରୁଥିଲା ମୋ ବାପା କଣ ବଞ୍ଚିଛନ୍ତି ମାଆ? ଆକାଶ ଛାତିଟା ସେଦିନ କାହିଁକି ଭାରି ଲାଗିଲା ତ ସେଇଦିନଠୁ ଆଜି ଯାଏଁ ସେ ଆସେ ଏ ବେଳାଭୂମିକୁ. ସବୁ ଅତୀତ ମନେପଡେ. ଆଜି ମଧ୍ୟ ତାର ଖୁବ ଇଛା ହେଉଥିଲା ତା ପୁଅକୁ ଥରେ ଦେଖିବାକୁ. ଠିକ ଏହି ସମୟରେ ଛୋଟ ପୁଅଟିଏ ସମୁଦ୍ର ଢେଉରେ ଭାଷି ଯାଉଥିବାର ଦୃଶ୍ୟରେ କାଳବିଳମ୍ବ ନକରି ଆକାଶ ପିଲାଟିକୁ ଲହଡି ଭାଙ୍ଗି ସମୁଦ୍ରରୁ ଉଦ୍ଧାର କରି ଆଣି ତାକୁ ତା ମାଆ ହାତରେ ସମର୍ପଣ କରିବାକୁ ଯାଇ ବର୍ଷା ଝରା ଆକାଶରୁ ଖସି ପଡୁଥିବା ବିଜୁଳି ଆଲୋକରେ ପୃଥ୍ୱୀକୁ ଦେଖି ଚମକି ପଡିଲା. ଫେରିପଡୁଥିବା ଆକାଶକୁ ପୃଥ୍ୱୀ କହୁଥିଲା ଏତେ ନିଷ୍ଠୁର ହୋଇ ଚାଲିଯାଅନା ଆକାଶ. ସାଗର ଗରଭରୁ ତୋଳି ଆଣିଥିବା ସାଗର ଆକାଶ ବିନା ବଞ୍ଚିପାରିବ କେମିତି? ରହିଗଲା ଆକାଶର ପାଦ. ପୃଥ୍ୱୀ ବେକରେ ଥିଲା ତା ପ୍ରଦତ୍ତ ମଙ୍ଗଳସୂତ୍ର ଓ ମଥାରେ ସିନ୍ଦୁର ହେଲେ ସାଗର ଯେତେବେଳେ ପଚାରୁଥିବ ମୋ ବାପା କୋଉଠି କି ଉତ୍ତର ଦେଉଥିବ ପୃଥ୍ୱୀ!ଆକାଶ ସବୁବେଳେ ପୃଥ୍ୱୀକୁ ଚାହେଁ ଆଉ ସାଗର ତ ଆକାଶକୁ ଛୁଏଁ. ସାଗର ଆଖିଖୋଲି ସାରିଥିଲା ଆଉ ଡାକୁଥିଲା ବାପା ତ ଆକାଶ ଅଟକିଗଲା. ପୃଥ୍ୱୀ ହାତଧରି ଆଗେଇଗଲା ତାଙ୍କ ଘରକୁ କିନ୍ତୁ ପୃଥ୍ୱୀ କହୁଥିଲା ନା ନା ମୁଁ ସାଗର ଘରକୁ ଯିବାକୁ ଚାହେଁ. ହଁ ହଁ ମୁଁ ବାପାଙ୍କ ଘରକୁ ଯିବି. ସେଠି ମୋ ଜେଜେ ଓ ଜେଜେମା ଅଛନ୍ତି. ସେଇଟା ମୋ ଘର ନା ବାପା. ସାଗରକୁ ଉଠାଇ ଖୁବ ଗେଲ କରି ଆକାଶ କହୁଥିଲେ ହଁ ପୁଅ. ଦାଣ୍ଡଦୁଆରେ ବାପା କହିଲେ ରହିଯା ପୁଅ ତ ସମସ୍ତେ ଚମକି ପଡି ରହିଯିବା ପୂର୍ବରୁ ବାପା ତାଙ୍କର ଅବଶିଷ୍ଟ ବାକ୍ୟ କହୁଥିଲେ ବୋଉ ଠାକୁର ଘରୁ ଆସୁ. ବୋଉ ହାତରେ ଦୁବ ବରକୋଳି ପତ୍ର, ଫୁଲ, ଦୀପ, ଧୂପ, ଅରୁଆ ଚାଉଳ ଭରା କୁଲା ଧରି ବନ୍ଦେଇ ଘରକୁ ନେଉଥିଲା ପୁଅ ବୋହୂ ଓ ନାତିକୁ. ସାଗର କହୁଥିଲା ମୁଁ ଆଉ ଏ ଘର ଛାଡି, ଜେଜେ ଜେଜେମାଙ୍କୁ ଛାଡି କୁଆଡେ ଯିବିନି ମାଆ. ପୃଥ୍ୱୀ କହୁଥିଲା ମୁଁ ବି ଯିବିନି. ତାଳିମାରି ସାଗର କହୁଥିଲା ମାଆ ତୁମେ ଖୁବ ଭଲ. ଆକାଶ ହସୁଥିଲା ଓ ହସୁଥିଲେ ସାଗରର ପିତା ମାତା.ହସୁଥିଲା ମଧ୍ୟ କାଶତଣ୍ଡି ଫୁଲଗୁଚ୍ଛ, ଦେବୀ ଆଗମନ ବାରତା ଦେଇ.ବର୍ଷା ତଥାପି ଝରୁଥିଲା ଝରା ବଉଳ ପରି ।