ଚାହିଁରହିଥିଲେ ଜଳକା
ଚାହିଁରହିଥିଲେ ଜଳକା
ଅନାମକୁ ଗାଁରେ ଯେମିତି ଭଲ ପାଆନ୍ତି ସହରରେ ମଧ୍ୟ ସେମିତି ଭଲ ପାଆନ୍ତି ସମସ୍ତେ. ଗାଁ ପାଖରୁ ସହର ଅଳ୍ପ ଦୂର ତ ଶୀତ ଋତୁ ସାରା ଅନାମର ଖୁବ ଆଦର ଘରେ ଘରେ ସହରରେ. ଘରୁ ଘରୁ ପୁରୁଣା କପଡା ଯଥା ସାର୍ଟ ପ୍ୟାଣ୍ଟ, ଶାଢ଼ୀ ବ୍ଲାଉଜ, ଓଢଣୀ, ସାଲୁଆର ପଞ୍ଜାବି ସବୁ କନ୍ଥା କରିବାକୁ ନେଇଆସେ ଅନାମ. ଠିକ ସମୟରେ ବରାଦୀ ମୁତାବକ ଗନ୍ଥା ଯୋଗେଇଦେଇ ଉପଯୁକ୍ତ ପାରିଶ୍ରମିକ ପାଇଥାଏ ଅନାମ. ଦୁଃଖେ ସୁଖେ ସଂସାର ଗାଡି ଯାଉଥାଏ ଆଗକୁ ମାଡି ମାଡି.
ଗାଁରେ ବି ଖୁବ ଭିଡ଼ ତା ଦୁଆରେ. ଟ୍ରଲି ଭିଡୁଥିବା ଅଖିଳ, ରିକ୍ସା ଟାଣୁଥିବା ସୁକୁଟା ଆଉ ଆଉ ହରି, କେତନ ସନା ଆଦି ପହଞ୍ଚିଯାଆନ୍ତି ଶୀତରୁ ରକ୍ଷା ପାଇବା ପାଇଁ ବଡବଡିଆ ବାବୁଘରୁ ଆସିଥିବା କପଡା ଭିତରୁ ସାର୍ଟ କି ଗଞ୍ଜି ଖଣ୍ଡେ ପାଇଁ. ନିରାଶ କରେନି କାହାକୁ ଅନାମ. ସବୁ ଗଣ୍ଠିଲି ଭିତରୁ ଗୋଟେ ଗୋଟେ ସାର୍ଟ କି ଗଞ୍ଜି ଗରୀବ ଖଟିଖିଆ ମଣିଷଙ୍କୁ ଦେଇଦେଲେ କିଛି ଫରକ ପଡ଼େନି କିନ୍ତୁ ତା ନୁଆଁଣିଆ ଚାଳ ଘରୁ ଅଦିନ ବରଷା ଛାଡ଼ୁନଥିଲା. ସ୍ତ୍ରୀ ତାର ବୋତାମ ନଥିବା ସାର୍ଟ କି ପ୍ୟାଣ୍ଟରେ ବୋତାମ ଲଗେଇ ଦେଇପାରୁଥିଲା କିନ୍ତୁ ବର୍ଷାକୁ ରୋକି ପାରୁନଥିଲା. ଅନାମ ସୁକୁଟା ଇତ୍ୟାଦିଙ୍କୁ ଚାହିଁ ଭରଷା ଦେଉଥିଲା ବର୍ଷାଟା ଛାଡୁ ପ୍ରତି ଗଣ୍ଠିଲିରୁ ଖଣ୍ଡିଏ ଲେଖାଏଁ ପାଇଯିବ କିନ୍ତୁ ବୁଝିପାରୁନଥିଲା ବୋତାମ ଗୁଡା ଏ ବଡବଡିଆ ବାବୁ ଘର ଲୋକ କାଟି ରଖନ୍ତି କାହିଁକି??
ସେଦିନ ରାମବାବୁଙ୍କ ଘରେ ଭିଡ଼. ରାମବାବୁଙ୍କ ବାପା ଚାଲିଗଲେ. ଅନାମର ଏଇ ଦୁଇ ଆଖି ଦେଖିଛି ବୁଢାର ପ୍ରତିପତ୍ତି.ବୁଢ଼ୀ ଥିଲା ବେଳୁ ତାଙ୍କ ଘର ସହ ସଦଭାବ ଅନାମର. କାହିଁ କେଵେ କୋଉ ସାର୍ଟ ପ୍ୟାଣ୍ଟରୁ ବୋତାମ କାଢି ତାକୁ ଦେବା ସେ କେଵେ ଦେଖିନି କିନ୍ତୁ ଏତେ ଗନ୍ଥା ଏ ବଡ଼ଲୋକିବାବୁମାନଙ୍କ ଘରେ କଣ ହୁଏ କେଜାଣି ତ ଥରେ ମାଆଙ୍କୁ ପଚାରିଦେଇଥିଲା ଅନାମ. ରାମବାବୁଙ୍କ ମାଆ ହସି ହସି ଉତ୍ତର ଦେଇଥିଲେ ଆରେ ଅନାମ ମଣିଷର ସବୁଦିନ ସମାନ ନଥାଏ. ତୁମ ବାବୁ ଏ ଯେଉଁ ଆଲିସାନ ବଙ୍ଗଳା ଭଳି ଘର କରି ସବୁ ଘରେ ଖଟ ଗଦି ପକେଇବା ସହ ସୁନ୍ଦର ସୁନ୍ଦର ପରଦା ଟାଙ୍ଗିଛନ୍ତି ଓ ଟମିକୁକୁରକୁ ରଖି ତା ପାଇଁ ସବୁ ଯୋଗେଇଛନ୍ତି ସେସବୁ କଣ ମୁଁ ବୁଢ଼ୀ ହେଲେ ମତେ ମିଳିବ!ଏଇ ଗନ୍ଥା ହିଁ ମୋ କାମରେ ଲାଗିବ. ବୁଢ଼ୀ ବୟସରେ କିଏ ଆଉ ଶେଷ ସମୟରେ ଶେଜ ଗଦିରେ ଶୋଇବାକୁ ଦେବ ମତେ, ସେଇଥିପାଇଁ ପା ଗନ୍ଥା କରି ରଖୁଛି ତ ରାମବାବୁଙ୍କ ବାପା ସାନାତନ ବାବୁ କହନ୍ତି କେଵେ ନୁହେଁ ଆମେ ସେଇ ଶେଜ ଗଦିରେ ଶୋଇବା ଓ ହାତ ଥରୁଥିଲେ ମଧ୍ୟ ସେଇ କାଚଗ୍ଲାସରେ ପାଣି ପିଇବା.
ପୁରା ବୁଢ଼ୀ ନହେଉଣୁ ରାମ ବାବୁଙ୍କ ମାଆ ପାର୍ବତୀ ଦେବୀ ଟିକେଟ କାଟିଲେ ଆଗ ଆଉ ସାନାତନ ବାବୁ ନାହିଁ କରୁଥିଲେ ମଧ୍ୟ ଶୋଇଲେ କନ୍ଥାରେ ଆଉ ପିଇଲେ ଷ୍ଟିଲ ଗିଲାସରେ ପାଣି. ଅନାମ କେତେଥର ଦେଖିଛି ସନାତନବାବୁଙ୍କ ଅବସ୍ଥା. କିନ୍ତୁ ଟମି ଛାଡେନାହିଁ. ସବୁ ବୁଝିଯାଏ ତ ଗଦି ଗୁଡିକୁ କାଟୁଥାଏ ଦାନ୍ତରେ ଆଉ କାଚ ଗ୍ଲାସ ଗୁଡିକୁ ଭାଙ୍ଗୁଥାଏ ସତେ ଯେମିତି ଜାଣି ଶୁଣି କିନ୍ତୁ ସେ ଜାଣିନଥିଲା ତାର ସନାତନବାବୁଙ୍କ ପ୍ରତି ବିଦ୍ରୋହ ତାକୁ ମଧ୍ୟ ବୁଢା ବୟସରେ ବନ୍ଧା ହୋଇ ରହିବାକୁ ପଡିବ.
ବନ୍ଧା ହୋଇ ରହିଥିଲେ ମଧ୍ୟ ସେଦିନ ସନାତନବାବୁଙ୍କ କମଳା ଜୁସରେ ଅଧିକ ପାଣି ଭାଙ୍ଗୁଥିବା ରାମବାବୁଙ୍କ ସ୍ତ୍ରୀ ଅର୍ଥାତ ସନାତନବାବୁଙ୍କ ବୋହୁ ଲୋନୀ ଯେବେ ଷ୍ଟିଲ ଗ୍ଲାସରେ ପାଣି ମିଶେଇ ନେଉଥିଲେ ଏମିତି ଜମ୍ପ ମାରି ଲୋନୀଙ୍କ ହାତକୁ କାମୁଡିଲା ଟମି ଯେ ଶେଷକୁ ବେଘର ହୋଇ ଦାଣ୍ଡରେ ରହିଲା. ଖାଇବାକୁ ମିଳିଲାନି ତାକୁ. ଆଖିରୁ ଲୁହ ଝରାଇ ଦାଣ୍ଡରେ ପଡିରହିଥିଲା.
କାହିଁକି ବୁଢ଼ାଟାର ଜୀଵନ ଛାଡ଼ୁନି କେଜାଣି ବୋଲି ଏଣିକି ଶୁଣିବାକୁ ମିଳୁଥିଲା. ଆହାର ଛାଡିଦେଇଥିଲେ ସନାତନବାବୁ ଯୋଉଦିନଠୁ ଟମି ଆଉ ଦେଖାଯାଉନଥିଲା କି ତାଙ୍କ ଦୁଇ ଯୋଡ଼ା ପାଦ ଉପରେ ଶୋଇ ଟିକେ ଟିକେ ଘଷି ଦେଉନଥିଲା. ସେଦିନ ଯେବେ ଲୋନୀ କଣ୍ଟା ଗଲା କହି ଟମିକୁ ବୁଲା କୁକୁର ଧରା ଗାଡି ଵାଲା ଧରିନେଲେ ବିଷ ଦେଇ ମାରିଦେଲେ କହିଥିଲେ ତ ସନାତନବାବୁଙ୍କ ଖୋଲା ଆଖି ଦୁଇଟା ମୁଜି ହୋଇଯାଇଥିଲା. ଯୋଗକୁ ସନାତନବାବୁଙ୍କ ଗନ୍ଥାଗୁଡାକ ଅନାମ ଫେରିପାଇଥିବାରୁ କୃତ୍ୟ କୃତ୍ୟ ହୋଇଥିଲା କାରଣ ତା ଗାଁରେ ନେତି ନାନୀଟା ଏକୁଟିଆ ଶୀତରେ ସପରେ ଥରୁଥିବା ବେଳେ ନଖି ନାନିର ସପ ଖଣ୍ଡେ ବି ନଥିଲା. ଫେରିଲା ବେଳେ ସାନାତନବାବୁଙ୍କ ମୁହଁ ବଦଳରେ ଟମି ମୁହଁଟା ଅନାମ ଆଖିରେ କାହିଁକି କେଜାଣି ଭାରି ନାଚୁଥିଲା ଆଉ ବୁଝିଯାଇଥିଲା ବଡବଡିଆବାବୁଘର ଗନ୍ଥା ପାଇଁ ସାର୍ଟ ପ୍ୟାଣ୍ଟରୁ ବୋତାମ କାଢି ରଖନ୍ତି କାହିଁକି!ସନିଆ ହରିଆ ହେରିକା କିନ୍ତୁ ପଚାରୁଥିଲେ କାହିଁକି.
