ପ୍ରଶଂସା
ପ୍ରଶଂସା
ବିମଳା ଘରର ବଡ଼ବୋହୁ । ଯେଉଁଦିନ ବିବାହ ହୋଇ ଦାଶ ପରିବାରକୁ ଆସିଲେ ଖୁସିର ଲହର ଖେଳିଗଲା । ବିମଳାଙ୍କ ଶଶୁର ଜଣେ ଚାଷୀ । ବୟସ ବଢିଯିବାରୁ ବ୍ୟାଧିରେ ପଡି ରୋଗାକ୍ରାନ୍ତ । ଚାରି ପୁଅ ଓ ଗୋଟିଏ ଝିଅ । ଝିଅ ସବା ବଡ, ବିବାହିତ । ବଡ଼ ପୁଅ ଜଣେ କୃଷକ । ଆଉ ତିନିଜଣଙ୍କ ଭିତରୁ ଜଣେ ପୋଲିସ, ତା ତଳ ତହସିଲ ଅଫିସରେ କିରାନି, ସାନ ପୁଅ ବି ଶିକ୍ଷକ । ସମସ୍ତେ ବିବାହିତ । ବଡ ବୋହୁ ହିସାବରେ ବିମଳା ଘରର ସମସ୍ତଙ୍କ ଭଲମନ୍ଦ ବୁଝନ୍ତି । ଘରର ଗୁମରକୁ ପଦାକୁ ନନେଇ ସବୁ ସହିଯାନ୍ତି । ବିମଳାଙ୍କ ସ୍ୱାମୀ ସହଦେଵ ଜଣେ ଭଲ ଚାଷୀ । ଘରର ଏଗାର ଏକର ସମ୍ପତ୍ତି । ସେଥିରେ ଚାଷ କରି ଘରର ଧାନ ବର୍ଷକ ପାହିଯାଏ । ବାଡ଼ିରେ ପନିପରିବା ଚାଷ କରି ବର୍ଷକ ବାରମାସ ପରିବାସବୁ ମିଳିଯାଏ । ପୋଲିସ ଵାଲା ଭାଇ ତାର ପତ୍ନୀର ପ୍ରଲୋଭନରେ ପଡି ଭିନେ ହେବାକୁ ଚାହିଁଲେ । ଭିନେ ହେବାକୁ ଭାଇମାନେ ସମସ୍ତେ ବସିଲେ । ବିମଳାଙ୍କ ଶଶୁର ବଡପୁଅକୁ ବସେଇ ଭିନେ ହେବାର ପ୍ରାରମ୍ଭିକ ଆଲୋଚନା କଲେ । ଜମିବାଡ଼ି ଘର ଓ ଆସବାସ ପତ୍ର ଖଟରୁ କଂସାବାସନ ସବୁ ଭାଗ ହେଲା । ଶଶୁର ବଡ଼ପୁଅ ପାଖରେ ରହିବାକୁ କହିଲେ । କାରଣ ଶଶୁରଙ୍କ ଯତ୍ନ କେବଳ ବିମଳା ବୁଝନ୍ତି । ମନଲାଖି ଖାଇବା ପ୍ରସ୍ତୁତ କରିବା ଓ ଦେହପା ହେଲେ ଡାକ୍ତର ଦେଖେଇ ଔଷଦ ଆଣିବା ଠାରୁ ବଂଧୁ ବାନ୍ଧବମାନଙ୍କ ଦୁଃଖ ସୁଖରେ ଭାଗୀ ହେବା ବିମଳା ଓ ତାଙ୍କ ସ୍ୱାମୀଙ୍କ କାମ । ପରିବାରକୁ ଚଳେଇ ନେବା ଥିଲା ବଡପୁଅର କର୍ତବ୍ୟ । ବଡ଼ପୁଅ ହିସାବରେ ଭିନେ ହେଲେବି ଭାଇ ମାନଙ୍କ ପିଲାମାନଙ୍କ ପ୍ରତି ଶ୍ରଦ୍ଧା ଓ ସ୍ନେହ ରହିଥାଏ । ଜମିବାଡ଼ି ଭାଗ ହେବାରୁ ଅଢେଇ ଏକର ଜମି ସହଦେଵଙ୍କ ଭାଗରେ । ସେତିକି ଜମିରେ ଚାଷ କରି ବର୍ଷକ ପାଇଁ ଚଳିବା କଷ୍ଟକର ହୁଏ । ତେଣୁ ମନେ ମନେ ଚିନ୍ତା କଲେ ବାହାର ପ୍ରଦେଶକୁ ଯାଇଁ କିଛି ଗୋଟିଏ ଚାକିର କରି ପରିବାରର ଗୁଜୁରାଣ ମେଣ୍ଟେଇବେ । ବିମଳାକୁ କହିବାରୁ ବିମଳା ପ୍ରସ୍ତାବ ଦେଲେ ଘରେ ମୁଁ ବଢି ଓ ଛତୁ ଚାଷ କରିବି । ତୁମେ ପାଖ ବଜାରରେ ବିକି ଆସିବ । ସେଇଆ ବି ହେଲା, ବିମଳା ଚାଷୀ ଘର ର ଝିଅ । ସୁନ୍ଦର ବଢି ପ୍ରସ୍ତୁତ କଲେ । ସହଦେଵ ମଧ୍ୟ ଛତୁ ଚାଷ କଲେ । ବଜାରରେ ଚାହିଦା ବଢ଼ିଲା । ଆସ୍ତେ ଆସ୍ତେ ତାଙ୍କର ଅର୍ଥ ପ୍ରତିବନ୍ଧକ ଦୂର ହେବାକୁ ଲାଗିଲା । ଏବେ ପୋଲିସ ବାଲାଙ୍କ ଲାଞ୍ଚ ନେବା ଅଭିଯୋଗରେ ଚାକିରୀରୁ ସସପେଣ୍ଡ କରାହେଲା । କିରାଣୀ ଭାଇର ବି ବଦଳି ହେଲା ଘର ଠାରୁ ଶହେ ମାଇଲ ଦୂରକୁ । ମାଓବାଦୀ ଇଲକାକୁ । ତେଣୁ ସେ ଜଏନ ନକରି ଘରେ ରହିଲା । ଶିକ୍ଷକର ପତ୍ନୀ ବେମାର ପଡି ଦୂର ନର୍ସିଂହୋମରେ ରହି ଚିକିତ୍ସିତ ହେଲା । ସମସ୍ତଙ୍କ ବିପଦ ବେଳେ ସହଦେଵ ଓ ବିମଳା ସହଯୋଗର ହାତ ବଢ଼େଇ ଏପରିକି ଅର୍ଥ ସାହାଯ୍ୟ କଲେ । ପରିବାରକୁ ସମ୍ଭାଳିବା ଦାଇତ୍ୱ ପୁଣି ସହଦେଵ ନେଲେ । ଗ୍ରାମବାସୀ ଓ ବନ୍ଧୁବାନ୍ଧବ ସମସ୍ତେ ସହଦେଵ ଓ ପତ୍ନୀ ବିମଳାକୁ ପ୍ରଶଂସା କଲେ । ଭାଇମାନଙ୍କ ପତ୍ନୀ ମାନେ ବି ବିମଳା ଓ ସହଦେବଙ୍କ ସହଯୋଗ କାର୍ଯ୍ୟ ପାଇଁ ଅନୁତାପ କଲେ । ସବୁଭାଇମାନେ ନିଜ ନିଜ ଭୂଲ ବୁଝି ପୁଣି ଏକାଠି ହୋଇ ଚାଲିବାର ପ୍ରସ୍ତାପ ଦେଲେ । ସହଦେଵ ଓ ବିମଳା ନିରବ ରହିଲେ ।
