STORYMIRROR

Sunanda Mohanty

Abstract Drama Thriller

3  

Sunanda Mohanty

Abstract Drama Thriller

ପରପୁଅ

ପରପୁଅ

3 mins
181


କୁନା ଅଣନିଶ୍ୱାସୀ ହୋଇ ଦଉଡ଼ି ଦଉଡ଼ି ଆସି କହିଲା ଜାଣିଛ ବାପା ,ଜେଜେମା ଚାଲିଗଲା। ତୁ କେମିତି ଜାଣିଲୁ? ଏଇ ଦେଖୁନ ମୁନା ତା ଫେସବୁକରେ ପୋଷ୍ଟ କରିଛି। ତୁ କୋଉ ଫୋନରୁ ଦେଖିଲୁ?ମୁଁ ମାମା ଫୋନରୁ ଦେଖୁଛି। ଵିନି ଅପାର ତିରିଶଟା ମିସ୍ କଲ୍ ଏଥିରେ। ନିଜ ଫୋନ ଚେକ୍ କରି ଅତନୁ ଜାଣିଲେ ପ୍ରକୃତରେ ବିନିର ପଚାଶ ଫୋନ୍। ବିନିକୁ ଫୋନ୍ ଲଗେଇଲେ, ସେ କାନ୍ଦୁଥିଲା ତ ଅତନୁ କହିଲେ ମୁଁ ସପରିବାର ଯାଇ ପହଞ୍ଚୁଛି।

   ବାଟ ସାରା ଅତନୁ ଭାବୁଥିଲେ, ବାପାଙ୍କ ଶୁଦ୍ଧି କ୍ରିୟା ସାରି ବୋଉକୁ ନିଜ ପାଖକୁ ଆଣିବାକୁ ଭାବିଲା ବେଳକୁ କ୍ଵାଟର ଘରେ ବୋଉ ଚଳିପାରିବ କି ନା ଦ୍ୱନ୍ଦ ଭିତରେ, ସାନଭଉଣୀ ବିନିକୁ ପଚାରିଥିଲେ, ବିନି ବୋଉକୁ ତୁ ନେଇଯା ସାଙ୍ଗରେ, ମୁଁ କିଛିଦିନ ପରେ କ୍ୱାଟରରେ ଗୋଟେ ଅଧିକା ରୁମ କରିସାରି ବୋଉକୁ ନେଇଆସିବି। ବିନି ଖୁସିରେ ରାଜି ହୋଇଯାଇଥିଲା। ତା ସ୍ବାମୀ ମଧ୍ଯ ପ୍ରତିବାଦ କରିବା ବଦଳରେ, ଉତ୍ସାହିତ ହୋଇ ବୋଉର ଜିନିଷ ପତ୍ର ସଜାଡ଼ି ରଖୁଥିଲା ନିଜ ଅଟୋରେ। ଆଉ ମୁନାର ଖୁସି ଦେଖେ କିଏ। କିନ୍ତୁ ବୋଉ ଗଲାବେଳେ କେବଳ ପଦେ ଉଚ୍ଚାରଣ କରିଥିଲା, ଯାହା ହେଲେ ପରପୁଅ। ଅତନୁ ଚୁପ କରେଇଦେଇଥିଲେ ବୋଉକୁ, କୌଣସିମତେ।

  କିଛିଦିନ ପରେ ବୋଉକୁ ଆଣିବା ତ ଦୂରର କଥା ବୋଉ କେମିତି ଅଛୁ ବୋଲି, ପ୍ରଥମେ ପଦେ ପଚାରୁ ପଚାରୁ ପରେ ଭୁଲିଗଲେ ସମ୍ପୂର୍ଣ୍ଣ,କାରଣ ମାସକୁ ମାସ, ଟଙ୍କା ପଠାଇ ସବୁ ଦାଇତ୍ତ୍ଵ ସାରିଦେଇଛନ୍ତି ବୋଲି ଭାବୁଥିଲେ ଅତନୁ। ବିଶେଷ କରି ତୁଳିକାଙ୍କ ଅଭିଯୋଗ ,ବିନି ପଇସା ପାଇ, ବହୁ ଆନନ୍ଦରେ ବୋଉଙ୍କୁ ରଖିଛନ୍ତି ।କାହିଁକି ଛାଡ଼ିବେ, ବୋଉଙ୍କୁ ଛାଡ଼ିଦେଲେ ମାସିକ ରୋଜଗାର ବନ୍ଦ ହୋଇଯିବନି। ପୁଣି କେବେ କେବେ ବିନି ଫୋନ କଲେ ତୁଳିକା ବାରଣ କରନ୍ତି, ପାଇସା ଦରକାର ଥିବ ନିଶ୍ଚୟ ।ଅଟୋରୁ କି ରୋଜଗାର ହେଉଥିବ ବରଂ ବୋଉଙ୍କୁ ରଖି ଗୋଟେ ଇନକମ୍ ସୋର୍ସ ଖୋଲିଛି ଦୀପକଙ୍କର ବୋଲି ତୁଳିଳାଙ୍କ କଥାକୁ ନୀରବ ସମର୍ଥନ କରିଯାନ୍ତି ଅତନୁ। ଦାଇତ୍ୱ ଓ କର୍ତ୍ତବ୍ୟ ହିସାବରେ ମାସିକ ଟଙ୍କା ପଠାଇ ଚୁପ ରହିଥାନ୍ତି।

   ଵିନି ଘର ଗାଁରେ ଗାଡ଼ି ଲାଗିଲା ବେଳକୁ ମୁହଁ ସଞ୍ଜ ତଥାପି ସମସ୍ତେ ଅପେକ୍ଷା କରିଥାନ୍ତି। ଗାଁ ଲୋକ ମାନେ ଆତ୍ମୀୟତା ସହକାରେ ସହଯୋଗ କରିବା ଦ୍ୱାରା ଶବ ସତ୍କାର ହୋଇଗଲା। ଵିନିକୁ ଓ ପ୍ରଦୀପଙ୍କୁ କାନ୍ଦୁଥିବାର ଦେଖି ଅତନୁ ଵିନିଙ୍କ ପିଠି ଠାପୁଡ଼ାଇ କହିଲେ, ବୋଉର ଶୁଦ୍ଧ ଘର ଏଇଠି ହୋଇଗଲେ ଭଲ ହୁଅନ୍ତା। ତୋ ପାଖେ ଥିଲା, ତୁମ ମାନଙ୍କୁ ଭଲ ପାଉଥିଲା। ଏଠି ଶୁଦ୍ଧ କ୍ରିୟା ହେଲେ ତା ଆତ୍ମା ଶାନ୍ତି ପାଇଯାନ୍ତା। ଯାହା ଖର୍ଚ୍ଚ ମୁଁ ସବୁ ବହନ କରିବାକୁ ପ୍ରସ୍ତୁତ ଅଛି। ମୁଁ ଦୀପକଙ୍କ ସଙ୍ଗେ ମଧ୍ଯ କଥା ହେବି।

  ଏଯାଏଁ କେବଳ ଵିନି କାନ୍ଦୁଥିଲା, ହେଲେ ଏଥର ରୀତିମତ ଗର୍ଜ୍ଜି ଉଠିଲା ବିନି। କଣ କହିଲ ଭାଇ ଟଙ୍କା ଦେବ? ଟଙ୍କା ଦେଇ ସବୁ ପାଇପାର ହେଲେ ବୋଉକୁ ନୁହେଁ, କହି ବୋଉ ଶୋଇଥିବା ଘରୁ ଲଫାପାରେ ଥିବା ସବୁ ଟଙ୍କା ଭାଇ ହାତରେ ଦେଇ କହିଥିଲା ବିନି ,ନିଅ ତୁମ ଟଙ୍କା ହେଲେ ଫେରେଇ ପାରିବ ଦୀପକଙ୍କୁ ମୋ ବୋଉ ନୁହେଁ ତାଙ୍କ ମାଆକୁ?ଯିଏ ତାର ପ୍ରତିଟି ଅଳି ଅର୍ଦ୍ଦଳି ପୁରଣ କରିବା ସହ ଯେତେ ରାତିରେ ଫେରିଲେ ବି ବୋଉ ପାଦରେ ତେଲ ଲଗାଇବା ପରେ ଯାଇ, ଖାଇକି ଶୋଉଥିଲେ। ରାତି ଅନିଦ୍ରା ରହି ବୋଉ ବାଧିକା ପଡିଲେ ଜଗି ରହି ଔଷଧ ଦେଉଥିଲେ। ବୋଉର ଇଛା ପୁରଣ କରି, ଅଧ୍ୟାୟ ଲେଖାଏଁ ଭାଗବତ ପଢ଼ି ବୋଉକୁ ଶୁଣାଉଥିଲେ। ଏତେ ସବୁ କରିବା ସତ୍ତ୍ୱେ ବି ବୋଉ ତୁମ ଆସିବା ବାଟକୁ ଚାହିଁ ରହୁଥିଲା। ଟେଲିଫୋନ କାହିଁ କରୁନି , ମୋ ପୁଅ ଦେହ ଓ ତା ପିଲାପିଲିମାନଙ୍କ ଦେହ ଭଲ ଅଛିଟି ବୋଲି ପଚାରି ପଚାରି ବ୍ୟସ୍ତ କରୁଥିଲା। ଆଉ ଦୀପକ ଯେତେ ଯାହା କଲେବି, ଯାହା ହେଲେ ପରପୁଅ ବୋଲି କହୁଥିଲା। ତୁମେ ପଠେଇଥିବା ଟଙ୍କା ପାଇ କହୁଥିଲା ମୋ ପୁଅ ମୋ ପାଇଁ ଦେଇଛି। ଆଉ ଦୀପକଙ୍କୁ କଣ ପଚାରିବ ଭାଇ?ପିଲାଦିନେ ହରାଇ ଥିବା ମାଆକୁ ଫେରିପାଇ ପୁଣି ହରାଇଦେବାରେ ସେ ମାଟି ସାଉଁଟି କେମିତି ପଡି ରହିଛନ୍ତି ଥରେ ଦେଖ। ଅତନୁ ଭୁଇଁରେ ଗାର କାଟି ଚାଲିଥିଲେ ହୃଦୟକୁ ବାଷ୍ପରୁଦ୍ଧ କରି।


Rate this content
Log in

Similar oriya story from Abstract