Padmalaya Padhy

Inspirational

3  

Padmalaya Padhy

Inspirational

ପ୍ରୋଭିଜନ

ପ୍ରୋଭିଜନ

6 mins
374


--ମୋତେ ଆଉ ସେଇ ଝିଅ ପିଲାଙ୍କ କାମ ଗୁଡାକ କହିବୁ ନାହିଁ କହିଲି l ନାନୁ ଅଙ୍କଲ ଙ୍କ ପୁଅ ମୋତେ ମାଇଚିଆ ମାଇଚିଆ କହି ଚିଡଉଛି l

--ଆରେ ଠାକୁରଙ୍କ କାମରେ ପୁଅ କଣ ଝିଅ କଣ ?

--କହିଲି ପରା ସେ ଯୋଉ ଫୁଲ ତୋଳା ଠାକୁର ଙ୍କ ବାସନ ମାଜିବା ଏସବୁ ମୋ ଦ୍ୱାରା ହେବନାହିଁ l

ଏତିକି କହି ଶୈଳେଶ ଏକାବେଳକେ ବାହାରିଗଲା ବାହାରକୁ l ତା ପରେ ବିଷ୍ଣୁ ବାବୁ ତାଙ୍କ ସ୍ତ୍ରୀ ଙ୍କୁ ତାଗିଦ କଲା ପରି କହିଲେ

--କିହୋ ପିଲାଟା ଯଦି ମନା କରୁଛି ଯିବାକୁ ଦିଅ l ଜବରଦସ୍ତି ତା ଉପରେ ସବୁ ଭାର ଆଣି ଥୋଇ ଦେଉଛ କାହିଁକି l କାମବାଲୀ କୁ କହୁନ ?

--ଘରର ସଂସ୍କାର ପିଲାଏ ନଜାଣିଲେ ତାଙ୍କ ପର ପିଢ଼ି କଣ

ଶିଖିଵ ? ଆହେ ତୁମେ ଜାଣିନ ପିଲାଟା କୁ ସତର ପୁରି ଅଠର ହେଲାଣି l ଶୁଖିଲା ପତ୍ର ପରି କେତେଦିନ ଉଡି ବୁଲୁଥିବ ଆଉ ? ଆମ ପରେ ବି ଏମିତି ଚାଲିଥିବ ନା କଣ ? ଜୀବନ ଟା ଶୃଙ୍ଖଳିତ ହେବ ଗୋଟେ ରାସ୍ତା ରେ ଲାଗିବ l ସେଥିପାଇଁ କହୁଛି l

ଶୈଳେଶ ର ସାଙ୍ଗ ମାନେ କହନ୍ତି ତା ଘର ଲୋକ ହୁଏତ ଝିଅଟିଏ ଚାହୁଁଥିବେ ଏବଂ ପୁଅ ହୋଇ ଯିବାରୁ ତା ହାତରେ ଝିଅ ମାନେ କରୁଥିବା କାମ କରାଇ ନିଜ ର ଅରମାନ ମେଣ୍ଟାଉଛନ୍ତି l ସେ ହୁଏତ ଶୈଳେଶ ନ ହୋଇ ଶୈଳଜା ହେବାର ଥିଲା l ସେ ନିଜେ ବି ବେଳେ ବେଳେ ଭାବେ ଏ ମା ବି କେମିତି ଅଦ୍ଭୁତ ମଣିଷ ଟା କେଜାଣି l ଗୋଟେ ବୋଲି ପୁଅ ଅଥଚ ଯେତେବେଳେ ଦେଖ ଖାଲି କାମ କର କାମ କର କହୁଥିବ ପୁଣି ଠାକୁରଙ୍କ ପାଖରେ ସତେ ଯେମିତି ବନ୍ଧା ପକାଇ ଦେଇଛି ଶୈଳେଶ କୁ l କାଇଁ ବାପା ତ କିଛି କହୁନାହାନ୍ତି ?

କିନ୍ତୁ ମା ସହ ବେଶୀ ଲାଗିଲେ ବିପଦ l ମା ରାଗିଗଲେ ଭାତ ରେ ପେଜ ଲାଗିଯିବ ଡାଲି ଲୁଣିଆ ଓ ତରକାରୀ ପୋଡି ଯିବାର ସମ୍ଭାବନା ରହିଛି l ତେଣୁ ମା ଯାହା କହିଲେ ବି ବାପା ତ କିଛି କହି ପାରନ୍ତି ନାହିଁ ଶୈଳେଶକୁ କିଏ ପଚାରେ ? କିନ୍ତୁ ଯାହା ରାନ୍ଧିଲେ ରାନ୍ଧୁ ଚାରି ପାଖ ଖାଲି ମା ମୟ ହୋଇ ରହିଥାଏ ସବୁବେଳେ l ଶୋଇବା ଘରେ ଦେଖ ମା ବେଡ଼ସିଟ ବଦଳାଉ ଥିବ, ରୋଷେଇ ଘରେ ମା ହାତର ସ୍ପର୍ଶ, ଅଗଣା ରେ ଦେଖ ଶୁଖିଲା ପତ୍ରଟିଏ ଉଡି ଆସି ପଡିଗଲେ ସାଙ୍ଗେ ସାଙ୍ଗେ ସଫା କରିଦେଉ ଥିବ l ଏପରିକି ଘର ସାମ୍ନା ନିଧିଆ ସାହୁ ଦୋକାନ କୁ ଆଳୁଚପ କିଣିବାକୁ ଗଲେ ବି ମା ର ଆଳୁଚପ କିଣିବାର ଦୃଶ୍ୟ ଦିଶି ଯାଉଥିବ l ଆଳୁଚପ କି ପିଆଜି ଲଗେଇ ଶୈଳେଶ ପଖାଳ ଖାଇ କଲେଜ ଯିବ ଯେ l ସୁତରାଂ ଚତୁଃର୍ଦିଗ ମା ହିଁ ମା l

ହେଲେ ଏଇ ଠାକୁରଙ୍କ ବାସନ ମାଜିବା କାମ, ଦୀପ ରୁ ଘିଅ ସଫା କରିବା, ଫୁଲ ତୋଳିବା ଏ ସବୁ କଣ ମୋତେ ନଦେଲେ ହୁଅନ୍ତା ନାହିଁ ? ଶୈଳେଶ ଭାବେ ରମା ତ ଅଛି ନା ଝାଡୁ ପୋଛା କରି ମାସକୁ ମାସ ଦରମା ନେଉଛି ପୁଣି ଆମ ଜାତିର ସ୍ତ୍ରୀ ଲୋକ ଟା ଅସୁବିଧା ନାହିଁ l ବାପାଙ୍କ ର ମାସକୁ ପଚିଶ ଦିନ ଟୁର ତେଣୁ ମା ର ମନମୁଖୀ କାରବାର ଚାଲିଥାଏ l ଦିନକୁ ଚବିଶ ଘଣ୍ଟାରୁ ତେଇଶି ଘଣ୍ଟା ମା ଓ ତାର ଠାକୁର ମାନେ

ଖାଇବା ଆଗରୁ ମୁଣ୍ଡିଆ ମାରିବାକୁ ନିର୍ଦ୍ଦେଶ ଖାଇବା ପରେ ମୁଣ୍ଡିଆ ମାର ଶୋଇବା ଆଗରୁ ମୁଣ୍ଡିଆ ଉଠିଲା ପରେ ମୁଣ୍ଡିଆ ଦୁଃଖ ରେ ମୁଣ୍ଡିଆ ମାରି ନିଶ୍ଚିନ୍ତ ହୋଇଯାଅ ଏବଂ ସୁଖ ଆସିଲେ ଯାଇ ଠାକୁରଙ୍କ ଘରେ ସାଷ୍ଟାଙ୍ଗ ପ୍ରଣିପାତ କରି ଜଣାଅ ଆଜି ଜାଣିଛ ନା ଠାକୁରେ ମୋର ଏମିତି ସେମିତି ସବୁ ହେଲା l ନିଜେ ଯାହା ଇଚ୍ଛା କର କେହି ମନା କରୁ ନାହାନ୍ତି ହେଲେ ଶୈଳେଶ କୁ ଜବରଦସ୍ତି ଏସବୁ କରିବା ପାଇଁ ତା ମା ବାଧ୍ୟ କରାଇଲେ ଶୈଳେଶ କୁ ରୁନ୍ଧି ରୁନ୍ଧି ଲାଗେ l

କେମିତି ହଷ୍ଟେଲ ଚାଲିଗଲେ ମୁକ୍ତି l ପ୍ଲସ ଟୁ ପରେ ସେ ଠିକ କରିଛି ହୋଟେଲ ମ୍ୟାନେଜମେଣ୍ଟ ପଢିବ ତେଣୁ ହଷ୍ଟେଲ ରେ ରହିବାକୁ ବାଧ୍ୟ l ବାପାଙ୍କ ର ସେଥର ସପ୍ତାହେ ଟୁର ପଡ଼ିଥିଲେ ଗୌହାଟି ରେ l ଘରେ ମା ଓ ପୁଅ l ଶୈଳେଶ ର କଲେଜ ବି ଛୁଟି l ତେଣୁ ମା ର ଖାପଚା ରୁ ମୁକ୍ତି ନାହିଁ l ସବୁଠାରୁ କଷ୍ଟସାଧ୍ୟ ହେଲା ସକାଳେ ଓ ସନ୍ଧ୍ୟା ରେ ଘଣ୍ଟାଏ ଲେଖାଏଁ ଠାକୁରଙ୍କ ଘରେ ଆଳତି ସମୟ ରେ ଯାଇ ବସି ରହିବା l ମା କେତେ ନା କେତେ ମନ୍ତ୍ର ଜପୁଥିବ ଓ ଶୈଳେଶ ଆଖିବନ୍ଦ କରି ବସି ରହିଥିବ l

ଏ ବିଷୟ ରେ ମା ସାଙ୍ଗେ ଯୁକ୍ତି କଲେ କେତେ ବଡ଼ ଜ୍ଞାନୀ ହେଲେ ବି ହାରିଯିବ l ମାଟ୍ରିକ ପାସ କରିଥିବା ମା ପୁଣି କୋଉଠି କଣ ଧାଡ଼ିଏ ପଢିଥିଲା ସେଇଟି ହିଁ ସବୁବେଳେ କହିବ l ତା ପରେ ସମସ୍ତେ ଚୁପ l ଶୈଳେଶ ର ଘୋଷା ହୋଇଗଲାଣି l ନିତି ଦଶ ଥର ଶୁଣିଲେ କଣ ହେବ ଆଉ l ମା କହେ "Other name of God is provision". ଅର୍ଥାତ ଭଗବାନଙ୍କ ଅନ୍ୟ ନାମ ହେଉଛି ବ୍ୟବସ୍ଥା ବା ଆୟୋଜନ l ନିଜକୁ ସମର୍ପଣ କରିଦେଲା ପରେ ସେ କେତେବେଳେ କେଉଁ ରୂପରେ ଆସି ସେ ଶରଣାଗତ କୁ ସାହାଯ୍ୟ କରନ୍ତି ଏବଂ ତାର ଦୁର୍ଗମ ପଥଟିକୁ ଅତିକ୍ରମ କରିବାରେ ବ୍ୟବସ୍ଥା କରି ଦିଅନ୍ତି ତାହା ତାଙ୍କୁ ହିଁ ଜଣା l

ଆଗଦିନ ରାତିରେ ମା ସାଙ୍ଗରେ ପ୍ରବଳ ଯୁକ୍ତି ତର୍କ ହୋଇଥିଲା ଶୈଳେଶ ର l

-- ମୋ ସାଙ୍ଗ ରକି ଶହେଟା ଗାର୍ଲ ଫ୍ରେଣ୍ଡ କରି ଶହେ ଏକ ନମ୍ବର କୁ ପଟାଇବାକୁ ଗଲା ବେଳେ ମୁଁ ଏଠି ବସି ଖାଲି ଦୀପ ପାଇଁ ବଳିତା ବଳୁଥିବି l ମା ତୁ ବୋଧେ ଚାହୁଁନାହୁଁ ଯେ ତୋର ବି ବୋହୂଟିଏ ଆସୁ ନାତି ନାତୁଣୀ ହୁଅନ୍ତୁ ବୋଲି l ବାପା ଙ୍କୁ ଦେଖ ଖାଲି ପଢ଼ ପଢ଼ ବୋଲି ଶୁଆ ପରି ରଟୁଥିବେ ତୋର ଖାଲି ଠାକୁରଙ୍କ କାମ ଗୋଟିଏ ପରେ ଗୋଟିଏ ବରାଦ l ଏ ଦୁଇଟି କୁ ଛାଡି ଆଉ କିଛି ସଂସାର ରେ ଅଛି କି ନାହିଁ ?

--ତୋର ବି ଜୀବନରେ ସବୁ କିଛି ହେବ ରେ ଚଗଲା l ହୋଟେଲ ମ୍ୟାନେଜମେଣ୍ଟ ରେ ବି ସିଟ ମିଳିବ ବଡ଼ ଚାକିରୀ କରିବୁ ଭଲ ଝିଅଟିଏ ଘରକୁ ଆଣିବୁ l ହେଇ ଦେଖ ସେ ଲକ୍ଷ୍ମୀ ନାରାୟଣ ଙ୍କ ବିଗ୍ରହ କୁ ଥରେ ଦେଖ l ତାଙ୍କ ବିନା ନା ତୋ ହାତରେ କିଛି ଅଛି ନା ମୋ ହାତରେ କିଛି ଅଛି l ଏହା ପରେ ମା ସେମିତି ଠିଆ ଠିଆ ଖଟ ବାଡା ରେ କେଉଁ ଅଦୃଶ୍ୟ ଶକ୍ତିଙ୍କୁ ମୁଣ୍ଡିଆଟିଏ ମାରି ଶୈଳେଶ ର ମଙ୍ଗଳ କାମନା କରି ଚାଲିଥିଲା l ମା ର ସବୁ କାମ ଏମିତି l କବାଟ ରେ ମୁଣ୍ଡିଆ ଖଟ ବାଡା ରେ ମୁଣ୍ଡିଆ ଯୋଉଠି ଠିଆ ହୋଇଥିବ ପାଖରେ ଯାହା ଥିବ ସେଇଠି ମୁଣ୍ଡିଆ ମାରି ହାତ ଯୋଡିବ l ଭଗବାନ ତ ସବୁଠି ଅଛନ୍ତି l ସେଦିନ କିନ୍ତୁ ମା ବେଶୀ କଥା କହି ପାରୁ ନଥିଲା l ଛାତିରେ ଯନ୍ତ୍ରଣା ହେଉଛି ବୋଲି ଦିନ ଆଠଟା ଯାଏଁ ଶୋଇ ରହିଥିଲା l ଶୈଳେଶ ବାପାଙ୍କୁ ଫୋନ ଲଗାଇବାରୁ ବାପା ଗ୍ୟାଷ୍ଟ୍ରିକ ବଟିକାଟିଏ ଦେଇ ଦେବା ପାଇଁ କହିଥିଲେ l ହେଲେ ବି ଅବସ୍ଥା ସୁଧୁରି ନଥିଲା l

ସହର ର ଶେଷ ଭାଗରେ ନୂଆ କରି ଗଢ଼ି ଉଠିଥିବା ଆପାର୍ଟମେଣ୍ଟଟିକୁ ଶୈଳେଶ ର ବାପା କିଣିଥିଲେ l ସହର ର ପ୍ରଦୂଷଣ ଠାରୁ ଦୁରେଇ ରହିବା ମୁଖ୍ୟ ଉଦ୍ଦେଶ୍ୟ ଥିଲା l ସେଠାରୁ ହସ୍ପିଟାଲ ଛ କିଲୋମିଟର ରାସ୍ତା l ଆମ୍ବୁଲାନ୍ସ ର ନମ୍ବର ବିଜି ଦେଖାଉଛି l

ପ୍ରଥମ ଥର ପାଇଁ ମା ବିନା ଶୈଳେଶ ଆଜି ଏକୁଟିଆ ନିଷ୍ପତ୍ତି ନେଉଛି ପୁଣି ଖୋଦ ମା ବିଷୟରେ l କିଛି ବୁଦ୍ଧି ଦିଶୁନାହିଁ l ଘର ଭିତରେ ତିନ ଚାରିଥର ବୁଲି ଆସିଲାଣି ଶୈଳେଶ l ରାସ୍ତା ଦିଶୁନାହିଁ l ଆଠଟା ଭିତରେ ମା ଶୈଳେଶ କୁ ଆଠ ପ୍ରକାର କାମ ବତାଇ ସାରନ୍ତାଣି ଏବଂ ଶୈଳେଶ ବି ମା ସହିତ ଅଶି ଥର ଝଗଡା କରି ସାରନ୍ତାଣି l ଆଜି ଠାକୁରଙ୍କ ଘର ଶୂନଶାନ l ଠାକୁର ମାନଙ୍କୁ ଉଠାଇବା ପାଇଁ କେହି ନାହିଁ ଆଜି l ପୁଣି ଆସି ମା କୁ ଦେଖି ଗଲା ଶୈଳେଶ ସେ ଧୀରେ ଧୀରେ ନିସ୍ତେଜ ହେବାରେ ଲାଗିଛି l କାହାକୁ ଡ଼ାକିବ ? ଆପାର୍ଟମେଣ୍ଟ ରେ ନୂଆ ଆସିଛନ୍ତି ସେମାନେ l କାହା ସାଙ୍ଗେ ବେଶୀ କିଛି ଚିନ୍ହା ପରିଚୟ ବି ନାହିଁ l

ଠାକୁରଙ୍କ ଘରେ ଯାଇ ଦେଖୁଛି ସଫା ସୁତରା ହୋଇନାହିଁ l ମଉଳା ବାସି ଫୁଲ ଗୁଡିକ ଶୁଖିଯାଇ ଏଠି ସେଠି ପଡିଛି l ଦୀପ ରୂଖା ସେମିତି ଥୁଆ ହୋଇଛି l ଦୀପ ବି ଠାଏ ଠାଏ କଳା ପଡି ଯାଇଛି l ସଫା ହୋଇନି ଆଜି l ମା ତ ପଡି ରହିଛି କିଏ ଆଜି ଦୀପ ଜଳାଇବ ଆସି ? ଦୀପାଳି ଦୀପା କୋଉଠି ଗୋଟେ ଏ ନାଁ ଟା ଦେଖିଥିଲା ମନେ ପଡୁନି l ଦୀପ. ଦୀପା ଦୀପଶିଖା ଆଣ୍ଟି ସେକେଣ୍ଡ ଫ୍ଲୋର l ହଁ ଦୀପଶିଖା ଆଣ୍ଟି ମେଡ଼ିକୋ ହସ୍ପିଟାଲ ରେ କାର୍ଡ଼ିଓଲୋଜିଷ୍ଟ l ଥରେ ଅଧେ ଲିଫ୍ଟ ଖରାପ ଥିଲେ ସିଡିରେ ଆସିଲା ବେଳେ ଦେଖିଛି ସେକେଣ୍ଡ ଫ୍ଲୋରରେ ସେଇ ସାମ୍ନା ଫ୍ଲାଟ ଟା l 

--ଆଣ୍ଟି ଆଣ୍ଟି ପ୍ଲିଜ ଦେଖନ୍ତୁ ମୋ ମା ର କଣ ହେଉଛି l ବହୁତ ଜୋର ରେ ଛାତି କାଟୁଛି ଓ ଆମ୍ବୁଲାନ୍ସ ର ନମ୍ବର ବି ଲାଗୁନାହିଁ l ଆମେ ଏଠିକି ନୂଆ ଆସିଛୁ l ପ୍ଲିଜ ମୋ ମା କୁ ଦେଖନ୍ତୁ ଟିକେ l ଯୋଗକୁ ସେଦିନ ଡକ୍ଟର ଦୀପଶିଖା ହସ୍ପିଟାଲ ବାହାରି ନଥିଲେ l ସାଙ୍ଗେ ସାଙ୍ଗେ ଗୋଟେ ଟାବଲେଟ ନେଇ ଜିଭ ତଳେ ଦେବା ପାଇଁ କହି ହସ୍ପିଟାଲ ର ଆମ୍ବୁଲାନ୍ସ କୁ ଫୋନ ଲଗାଇଥିଲେ l ହସ୍ପିଟାଲ ଗଲାପରେ ଜଣା ପଡିଲା ଶୈଳେଶ ର ମା ଙ୍କୁ ଗୋଟିଏ ଛୋଟିଆ ହାର୍ଟ ଅଟାକ ଆସିଥିଲା l ଦୁଇ ତିନି ଦିନ ହସ୍ପିଟାଲ ରେ ରହିବା ପରେ ଶୈଳେଶ ର ମା ଘର କୁ ଫେରି ଆସିଥିଲେ l

ତହିଁ ପର ବର୍ଷ ହୋଟେଲ ମ୍ୟାନେଜମେଣ୍ଟ ରେ ସିଲେକ୍ଟ ହୋଇ ଶୈଳେଶ ହଷ୍ଟେଲ ନେବା ପାଇଁ ଜିନିଷ ପତ୍ରର ଯେଉଁ ଲିଷ୍ଟ ତିଆରି କରୁଥିଲା ସେଥିରେ ଲକ୍ଷ୍ମୀ ନାରାୟଙ୍କର ମୂର୍ତ୍ତି କୁ ପ୍ରଥମେ

ଲେଖିଥିଲା l


Rate this content
Log in

Similar oriya story from Inspirational