Sunanda Mohanty

Tragedy Others

4  

Sunanda Mohanty

Tragedy Others

ପରମାର୍ଥ

ପରମାର୍ଥ

3 mins
345



ବୟସର ମାଧ୍ୟାର୍ହ୍ନରେ ପହଂଚିବା ପରେ ରୋଗ ତ ନିଶ୍ଚୟ ଲାଗିବ କିନ୍ତୁ ରୋଗ ଯଦି ମାନସିକ ହୁଏ? ମଣିଷ, ସ୍ତ୍ରୀ ପୁରୁଷ ନିର୍ବିଶେଷରେ ଯିଏ ଵି ହେଉ କଷ୍ଟ ପାଏ ପୁଣି କଷ୍ଟ ଦିଏ କେବଳ ଶାରୀରିକ ନୁହେଁ ମାନସିକ ସ୍ତରରେ, ଫେରିପଡ଼ୁଥିଲି ମୁଁ କିଛି ପଛକୁ ।


  ବୋଉର ଆଜିକାଲି କିଛି ମନେରହୁନି,କୋଉ ଡାକ୍ତର କହୁଛନ୍ତି ଆର୍ଲଜାଇମର ତ କୋଉ ଡାକ୍ତର କହୁଛନ୍ତି ସ୍ଥାନ ପରିବର୍ତ୍ତନ ଦରକାର ତ ଶେଷକୁ ନିଷ୍ପତ୍ତି ନିଆଗଲା ବୋଉକୁ ପୁରୀ ନେଇ ଜଗନ୍ନାଥ ଦର୍ଶନ କରେଇ ଆଣିଲେ ହୁଏତ କିଛି ସୁଫଳ ମିଳିପାରେ ।


   ହୋଟେଲରେ ରହଣୀ ଭିତରେ ଏଵେ କରୋନା କାଳରେ ଜଗନ୍ନାଥ ଦର୍ଶନ ଯେ କେତେ କଷ୍ଟକର ତାହା ଅନୁଭବୀ ବା ଭୁକ୍ତଭୋଗୀ ନହେଲେ ଜାଣିବା ଅସମ୍ଭବ, କୋଉଦିନ ମନ୍ଦିର ବନ୍ଦ ତ କୋଉଦିନ ଧାଡିରେ ଠିଆ, ପୁଣି କୋଉଦିନ ପତିତପାବନ ଦର୍ଶନ ଛଡ଼ା ଆଉ ଆଗକୁ ବଢିବାର ସୁଯୋଗ ସୁବିଧା ନାହିଁ ତ କୋଉଦିନ ଗହଳିରେ ସୋରିଷ ଵି ତଳେ ପଡ଼ିବାର ନାହିଁ ।


 ମୋର ମନେ ପଡୁଥିଲା ପୁରୀରେ ରହି ପାଠ ପଢିବା ବେଳ କଥା, ବେଳେ ବେଳେ ବୋଉ ଗାଁରୁ ଆସିଥାଏ ଯେ, ମତେ ନେଇ ମନ୍ଦିର ଯାଏ ଦର୍ଶନକୁ ଆଉ ଜଗନ୍ନାଥଙ୍କୁ ଦର୍ଶନ କରି ଯୋଉ ଖୁସି ପାଏ ତାହା ଅବର୍ଣ୍ଣନୀୟ, ପୁଣି କୁହେ ପୁଅରେ, ସମୁଦ୍ର କୂଳ ଆଡ଼େ ଟିକେ ବୁଲି ଆସନ୍ତେ, ତ ମାଆ ପୁଅ ଅନେକ ଥର ଯାଉ ସମୁଦ୍ର କୂଳ, କେତେ ମୁଣ୍ଡିଆ ମାରୁଥାଏ ବୋଉ ମୋର ସମୁଦ୍ରକୁ, ଆଉ କହେ ମାଆ ଲଷ୍ମୀଙ୍କ ବାପଘର ଏଇଟା, ଜଗନ୍ନାଥଙ୍କ ଶଶୁର, ତା କଥା ଶୁଣି ମୁଁ ସିନା ହସିଦିଏ କିନ୍ତୁ ବୋଉ ମୋର ବାଲିରେ ମୁଣ୍ଡିଆ ମାରିବା ଭଙ୍ଗୀରେ ସେମିତି ମୁଣ୍ଡିଆ ମାରିଚାଲୁଥାଏ, ହେ ସମୁଦ୍ର ଦେବତା ତୁମେ ହିଁ ଜଗନ୍ନାଥଙ୍କ ସାହା ଭରସା କହି ତ ମୁଁ ହସିଦିଏ ସେତେବେଳେ, ହେଲେ ଆଜି ସେକଥା ମନେ ପଡି ମତେ ଲାଗିଲା ବୋଉକୁ ସମୁଦ୍ରକୂଳ ଆଡ଼େ ନେଲେ କେମିତି ହୁଅନ୍ତା?


  ସମୁଦ୍ର କୂଳରେ ବସିଗଲୁ ବୋଉକୁ ଘେରି, କଣ ସବୁ ପଚାରୁଥାଏ ବୋଉ ଏଣୁ ତେଣୁ, ପୁଣି କହୁଥାଏ ମନକୁ ମନ ଏଣୁ ତେଣୁ ତ ମୁଁ କହିଲି ଦେଖେ ବୋଉ, ସମୁଦ୍ର, ଜଗନ୍ନାଥ ଙ୍କ ଶଶୁର, ମାଆ ଲଷ୍ମୀଙ୍କ ବାପା, ବୋଉ ମୋ ମୁଁହ କୁ ଚାହିଁଲା କିଛି ସମୟ, ଆଉ ଉଠି ଗଲା ଢେଉ ଭାଙ୍ଗି ମଥା ପିଟୁଥିବା କୂଳକୁ ଆଉ ମୁଣ୍ଡିଆ ମାରି ଲାଗିଲା ବାଲୁକା ଶଯ୍ୟାରେ ଢେର ସମୟ, ତ ଖୁସି ଲାଗିଲା ତାର ଏପରି ପରିବର୍ତ୍ତନରେ, ତ କିଛି ସମୟ ବାଲୁକାଶିଳ୍ପ କଳା ଆଡକୁ ଆଖି ଫେରିଗଲା ତ ପ୍ରକୃସ୍ଥିତ ହୋଇ ବୋଉ ଆଡକୁ କିଏ ଦୃଷ୍ଟି ରଖିଛନ୍ତି କି ନାହିଁ ଦେଖିଲା ବେଳକୁ ଢେଉ ଆସି ଫେରିଯିବା ପରେ ବୋଉ ନଇଁପଡି କଣ ଗୋଟେଇ ଲାଗିଛି,କଣ ଗୋଟଉଛୁ ପଚାରି ତା ହାତକୁ ଟେକି ଧରେ ତ ସୁନ୍ଦର ଜଗନ୍ନାଥଙ୍କ କାଷ୍ଠ ମୂର୍ତ୍ତୀ ଟିଏ, ରୁମ ଟାଙ୍କୁରୀ ଉଠୁଥିଲା ଆଉ ବୋଉ ହସୁଥିଲା ନିର୍ଲିପ୍ତ ହସ ଧାରେ ।


   ତା ପରଦିନ ମଧ୍ୟ ବଡ଼ ମନ୍ଦିର ଯିବାର ସୁଯୋଗ ମିଳିଗଲା, ଆଉ ବୋଉକୁ ନେଇ ଆମେ ସମସ୍ତେ ପହଂଚିଲୁ ମନ୍ଦିରରେ, ବୋଉ ହାତରେ ଥାଏ, ସମୁଦ୍ର ଢେଉ ରୁ ପାଇଥିବା ସେହି କାଷ୍ଠ ଜଗନ୍ନାଥ ମୂର୍ତ୍ତୀଟି, ଆଉ ଜଗନ୍ନାଥଙ୍କୁ ଚାହିଁ ବୋଉ କହିଯାଉଥାଏ କେତେକଣ, ଆଉ ସେଠୁ ଫେରିବା ପରେ ଆମେ ସବୁ ବସିଗଲୁ ବାଇଶି ପାହାଚ ଉପରେ ଆଉ ଯୋଗକୁ ସେଠାରେ ଆଉ ଜଣେ ବୋଉ ଭଳି ତାରି ସମସାମୟିକ ସ୍ତ୍ରୀ ଲୋକ ବସିଥିଲେ ତ ବୋଉ ଆରମ୍ଭ କରିଦେଲା ତାଙ୍କ ସହ ଗଳ୍ପ, ଯାହାର ମୁଖ୍ୟ ବିଷୟବସ୍ତୁ ଥିଲା, ଜଗନ୍ନାଥ ଙ୍କ ଦାରୁ କେମିତି ସମୁଦ୍ର ରେ ଭାସି ଭାସି ଆସି ଲାଗିଥିଲା, ରାଜା ଇନ୍ଦ୍ରଦ୍ୟୁମ୍ନ ଓ ରାଣୀ ଗୁଣ୍ଡିଚା କିପରି ପ୍ରଭୁଙ୍କ ପ୍ରତିମୂର୍ତ୍ତି ଗଢିବାକୁ ବ୍ୟବସ୍ଥା କଲେ, ପୁଣି କାରିଗର ଙ୍କ ସର୍ତ୍ତ ଅମାନ୍ୟ କରି ଗୁଣ୍ଡିଚା ରାଣୀ କିପରି କବାଟ ଖୋଲି ଦେବା ଫଳରେ ସ୍ୱୟଂ ଜଗନ୍ନାଥ କାରିଗର ରୂପରେ ଆସି ଅଧାଗଢା ଚତୁର୍ଦ୍ଧା ମୂର୍ତ୍ତୀ ଗଢି, ସର୍ତ୍ତ ଖିଲାପ ଯୋଗୁଁ ଅନ୍ତର୍ଧ୍ୟାନ ହୋଇଯାଇଥିଲେ କହିବା ସହ, ଏ କଳି ଯୁଗରେ କରୋନା କାଳରେ ଦର୍ଶନ କଟକଣା ହେତୁ ଠାକୁର ପୁଣି ଥରେ ସମୁଦ୍ରରେ ଭାସି ଆସି ତା ହାତରେ ଧରା ଦେଇଛନ୍ତି କହି ପାଇଥିବା ମୂର୍ତ୍ତୀ ଟିକୁ ଦେଖାଉଥିଲା ତ ଆମେ ସମସ୍ତେ ସତୃଷ୍ଣ ନୟନ ରେ ଚାଂହିଥିଲୁ ବୋଉକୁ ।


   ପୁରୀରୁ ଫେରି ଡାକ୍ତର ଦେଖା କରି ସବୁ ବିଷୟ ଜଣାଇଲା ପରେ ସେ ହତବମ୍ବ ହୋଇ ପଡ଼ୁ ପଡ଼ୁ ମିରାକଲ କହି ବୋଉ ଧରିଥିବା ଠାକୁର ମୂର୍ତ୍ତୀ ଟି ଦେଖିବାକୁ ଚାହିଁଥିଲେ ତ ବୋଉ କହୁଥିଲା ସବୁ ଜାଣନ୍ତି ସେଇ ଚକାଡୋଳା ପରମ ପିତା, ପରମାତ୍ମା, ତ ଡାକ୍ତର ବାବୁ ଆଶ୍ଚର୍ଯ୍ୟ ଆଖିରେ ଚାହିଁ ରହିଥିଲେ ବୋଉକୁ ।


  ଆଜି ବୋଉ ନାହିଁ ସତ ହେଲେ ତା ଅନୁପସ୍ଥିତି ରେ ମୁଁ ଠାକୁରଙ୍କ ଘରେ ସେହି ଜଗନ୍ନାଥ ମୂର୍ତ୍ତୀ ଙ୍କ ଆଗରେ କିଛି ସମୟ ଠିଆ ହୋଇ ସବୁ କଥାର ସ୍ମୃତି ଚାରଣ କରେ, ମୋ ହଷ୍ଟେଲ ଜୀବନ ଠୁ ଆରମ୍ଭ କରି ଏପର୍ଯ୍ୟନ୍ତ ମୋ ଜୀବନ ରେ ଘଟିଥିବା ଅଲୌକିକତା କୁ ବିସ୍ଲେସଣ କରି ପ୍ରଣିପାତ କରେ, ସେହି ମୂର୍ତ୍ତୀ ଭିତରେ ଅନୁଭବ କରେ ବୋଉର ସମସ୍ତ ହଜିଲା ସ୍ମୃତି, ଆଉ ନିଜେ ଆଜି ସେହି ବୟସ ରେ ଉପନୀତ ହୋଇ ଭାବୁଥାଏ, କେଜାଣି କାହାର କେତେବେଳେ କଣ ହେବ, କିଏ ବା କହିପାରିବ, ଆଉ ଠିକ ସେତିକି ବେଳେ ବୋହୁ ନାତି କୁ ପଠାଏ ଯା ଜେଜେ ଙ୍କୁ ଡାକିବୁ, ଭାତ ବଢ଼ା ହେଲାଣି ।


Rate this content
Log in

Similar oriya story from Tragedy