ପ୍ରକୃତ ବନ୍ଧୁ
ପ୍ରକୃତ ବନ୍ଧୁ


ଭକ୍ତି ନିବାସର କୋଣ ଅନୁକୋଣ ଆଜି ଖୁବ୍ ଶୁନଶାନ୍ ଲାଗୁଛି।ଏକ ଥଣ୍ଡାପଣ ତାର ଚାଦର ବିଛାଇ ଦେଇଛି ସତେଯେପରି।କୋଳାହଳ ମୁଖରିତ ପ୍ରାସାଦଟି ଶୂନ୍ୟତାର କୁହୁଡିରେ ଆଛାଦିତ ହେବା ପଛରେ କିଛି କାରଣ ଥିବବୋଲି ଲାଗୁଛି।
ବଡ ଘରର ଗୁମର ଖୋଲନ୍ତି ପରିଚାରକ ମାନେ।କଥାଟି ଥରେ ଖାଲି ବାହାରେ କହିଦେଲେ ସରିଲା।କ୍ଷଣିକ ମଧ୍ୟରେ ସହସ୍ର କୋଶ ଚାଲିଯାଏ ।ପ୍ରଘଟ ହୋଇଗଲା ଭକ୍ତି ନିବାସରେ ଉଦାସୀର କାରଣଟି।
ଘରର ଜ୍ୟେଷ୍ଠ ସନ୍ତାନର ଲିଭର(ଯକୃତ)ରେ କିଛି ବିକାର ଦେଖା ଦେଇଛି ଯାହା ଖୁବ ବିରଳ ରକମର।ଟଙ୍କା ପଇସାର ଅଭାବ ନଥିବା ଘରେ ମୁଠାମୁଠା ଟଙ୍କା ବିଞ୍ଚିଦେଇ ମଧ୍ୟ କିଛି କରାଯାଇ ପାରୁନଥିଲା।ବହୁ ଆଶାକରି ଡକ୍ଟର ସାଇମନ ଙ୍କୁ ଦେଖାଇଥିଲେ ଯେ କି ଗୋଟିଏ କନ୍ଫରେନ୍ସ ପାଇଁ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜକୁ ଗୋଟିଏ ଦିନ ପାଇଁ ଆମେରିକାରୁ ଆସିଥିଲେ।ଟଙ୍କାର ଶକ୍ତି ଅନେକ।ଏଇ ଅର୍ଥ ବଳରେ ଭକ୍ତି ନିବାସର ମାଲିକ ସମୀରଣ ମିଶ୍ର ବିଡା ବିଡା ନୋଟ ଫୋପାଡ଼ି ନିଜ ଦାୟାଦର ଜୀବନ ବଞ୍ଚାଇବାକୁ ଚାହୁଁଥିଲେ।
କଥାରେ ଅଛି,ପଇସା କ'ଣ ସବୁ ସମସ୍ୟାର ସମାଧାନ କରିଦିଏ?ନା।
ଏଇ କଥାଟି ପ୍ରମାଣିତ ହୋଇଗଲା ଯେତେବେଳେ ଡକ୍ଟର ସାଇମନ ପରୀକ୍ଷା ନିରୀକ୍ଷା ପରେ ଏଇ ରୋଗଟି ଦୂରାରୋଗ୍ୟ ବୋଲି ଘୋଷଣା କରିଦେଲେ।
ଆଶା କିନ୍ତୁ ଛାଡି ନଥିଲେ ସମୀରଣ ବାବୁ। ଏମସ୍(ଦିଲ୍ଲୀ)ରେ ପହଞ୍ଚି ଗଲେ ସେ ସପରିବାର। ହାରିବାର ଲୋକ ନୁହଁନ୍ତି ସେ। ଡକ୍ଟର ସବ୍ୟସାଚୀଙ୍କ ଚ୍ୟାମ୍ବର ସାମନାରେ ଅପେକ୍ଷା କରୁଥିଲେ ନିଜର ପୁଅ ସଚିନ ର ପାଳି ଆସିବା ପର୍ଯ୍ୟନ୍ତ।
ଏମସ୍ କଥା। ସାରା ଦେଶର ଶ୍ରେଷ୍ଠ ଡାକ୍ତର ମାନଙ୍କର ସମାହାର ସେଠାରେ।ତେଣୁ ସାରା ଦେଶର ବିଭିନ୍ନ କୋଣ ରୁ ଆସୁଥିବା ରୋଗୀ ମାନଙ୍କର ଭିଡ ବି ସେଠି।
ଆରେ ସମୀରଣ,ତୁ ସମୀରଣ ତ?
ମୁହଁରେ ଏକ ବଡ ପ୍ରଶ୍ନବାଚୀ ନେଇ ଆଖି ଫାଡି ଫାଡି ଆଗନ୍ତୁକ କୁ ଦେଖୁଥିଲେ ସମୀରଣ।କିଏ ତୁମେ?
ଚିହ୍ନି ପାରିଲୁନି,ହଁ ନ ଚିହ୍ନି ପାରିବାର କାରଣଟା ବି ବଡ ଯଥାର୍ଥ।ତିରିଶ ବର୍ଷ ବିତିଗଲାଣି ରେ।ତୋର ମୁହଁଟା ସେମିତି କିଛି ବଦଳିବାର ମତେ ଲାଗୁନି।ସେଥିପାଇଁ ଚିନ୍ହିବାରେ ଅସୁବିଧା ହେଲାନି।
ଏବେତ ନିଜର ପରିଚୟ ଦିଅ।କହିଲେ ସମୀରଣ।
ଆରେ ମୁଁ ପରା ସେଇ ଜମ୍ବୁ,ଜମ୍ବେଶ୍ବର।ପିଲାଦିନର ସାଙ୍ଗ ତୋର।ଡାଳମାଙ୍କୁଡି,କିତ୍ କିତ୍,ନଦୀ ପହଁରା ଠାରୁ ଆରମ୍ଭ କରି ଗଛଚଢା,ଆମ୍ବ ଚୋରି ସବୁଥିରେ ତୋର ପାର୍ଟନର।ସବୁ ପାଶୋରି ଦେଲୁକିରେ?
ଆରେ ଜମ୍ବୁ।ତତେ କିଏ ଭୂଲିପାରେ ରେ।କହି ନିଜର ବାହୁଯୁଗଳ ପ୍ରସାରଣ କରି ଜାବୁଡ଼ି ଧରିଲେ ବାଲ୍ୟ ବନ୍ଧୁ ଜମ୍ବୁକୁ।
ଏଇଠି କଣ କରୁଛୁ ରେ ଜମ୍ବୁ?
ଆରେ ଏଇ ଏମସ୍ ରେ ମୋ ପୁଅ ଡାକ୍ତର।ଏବେ ଆମେ ପତିପତ୍ନୀ ଗାଁରେ ନରହି ପୁଅପାଖରେ ରହୁଛୁ।ଆଜି ମୋର ଫୁଲ ବଡି ଚେକ ଅପ କରାଇବାର ଡେଟ ଥିଲା ତ।ସେଇଥିପାଇଁ ଏଠାକୁ ଆସିଥିଲି।ଆଛା ତୁ କହ ତୁ ଏଠି କଣ ପାଇଁ?
ଅଶ୍ରୁ ସମ୍ବରଣ କରିପାରିନଥିଲେ ସମୀରଣ।ଆମୂଳଚୂଳ ବିବରଣୀ ଦେଇଦେଲେ ସମୀରଣ।
ଚିନ୍ତା କରନା ସାଙ୍ଗ।ଧୈର୍ଯ୍ୟ ଧର।
ଡକ୍ଟର ସବ୍ୟସାଚୀଙ୍କ ସଙ୍ଗେ ଦେଖାକରିବାର ସମୟ ଆସିଯାଇଥିଲା।
ପିତାପୁତ୍ର ଭିତରକୁ ଗଲେ।ପୂର୍ବ ରିପୋର୍ଟ ଗୁଡିକ ତନ୍ନ ତନ୍ନ କରି ଦେଖିଲେ ସେ।ପରଦିନ ବିଭିନ୍ନ ପ୍ରକାରର ରକ୍ତ ପରୀକ୍ଷା କରିବାର ପରାମର୍ଶ ଦେଲେ।
ରକ୍ତ ପରୀକ୍ଷାର ରିପୋର୍ଟ ଦୁଇଦିନ ପରେ ଧରି ସମୀରଣ ପହଞ୍ଚିଗଲେ ଡକ୍ଟର ସବ୍ୟସାଚୀଙ୍କ ଚ୍ୟାମ୍ବର ସାମନାରେ।
ସାକ୍ଷାତକାରର ସମୟ ହୋଇଯାଇଥାଏ।ସମସ୍ତେ ଭିତରକୁ ପ୍ରବେଶ କଲେ।ସାଥିରେ ଥିଲେ ଜମ୍ବୁ ଏବଂ ତାଙ୍କର ପୁଅ ଡକ୍ଟର ଜୀବନ।
ଡକ୍ଟର ଜୀବନ ଆପଣ ଏମାନଙ୍କ ସାଙ୍ଗରେ କେମିତି?ପଚାରିଲେ ଡକ୍ଟର ସବ୍ୟସାଚୀ?
ଏ ହେଉଛନ୍ତି ସମୀରଣ ଅଙ୍କଲ,ମୋ ବାପାଙ୍କର ବାଲ୍ୟବନ୍ଧୁ।ତାଙ୍କର ପୁଅର ଟ୍ରିଟମେଣ୍ଟ ପାଇଁ ଆସିଛନ୍ତି ସେ।
ରିପୋର୍ଟ ଗୁଡିକ ଦେଖିବାକୁ ଚାହିଁଲେ ଡକ୍ଟର ସବ୍ୟସାଚୀ।ଦେଖିଲା ପରେ କିଛି ସମୟ ଚିନ୍ତା କରିବା ପରେ କହିଲେ ଏଇ ରେୟାର ଡିଜିଜ ପାଇଁ ଲିଭର ଟ୍ରାନ୍ସପ୍ଲାଣ୍ଟ ହେବାର ଦରକାର ଅଛି।କିନ୍ତୁ ୟାଙ୍କର ବ୍ଲଡ ଗୃପ ବି ରେୟାର। ଏବି ନେଗେଟିଭ୍। ଏକା ବ୍ଲଡ ଗୃପ ନହେଲେ ଲିଭର ଟ୍ରାନ୍ସପ୍ଲାଣ୍ଟ ମଧ୍ୟ ଖୁବ କଠିନ ହୋଇପଡେ।
ଆରେ ଚିନ୍ତା କରିବାର ସମୟ ଏ ନୁହଁ ବରଂ ସମସ୍ତଙ୍କର ଆଶ୍ବସ୍ତ ହେବାର ସମୟ। ମୋର ପରା ଏବି ନେଗେଟିଭ୍ ବ୍ଲଡଗୃପ।
ଡକ୍ଟର ସବ୍ୟସାଚୀ ଆପଣ ମୋତେ ହିଁ ଡୋନର ଭାବରେ ଗ୍ରହଣ କରନ୍ତୁ। ହସିହସି କହୁଥିଲେ ଜମ୍ବୁ ।
ଗଭୀର ଦୁଃଖର ସମୁଦ୍ରରେ ଉବୁଟୁବୁ ହେଉଥିବା ସମୟରେ ସତେଯେମିତି କିଏ କୂଳରେ ଲଗାଇବାର ରାସ୍ତାଟିଏ ଦେଖାଇଦେଲା ସମୀରଣଙ୍କୁ। ତିରିଶ ବର୍ଷ ତଳେ ହଜିଯାଇଥିବା ସାଥି ଟିଏ ଆଜି ତାଙ୍କର ବିପଦ ବେଳରେ ସାହାରା ହୋଇ ଠିଆ ହୋଇଛି ଭାବି ଭାବପ୍ରବଣ ହୋଇଯାଉଥିଲେ ସେ। ଆଶାର କ୍ଷୀଣ ଆଲୋକ ତାଙ୍କୁ ଛୁଇଁ ଯାଉଥିଲା।