Sunanda Mohanty

Abstract Classics Thriller

4  

Sunanda Mohanty

Abstract Classics Thriller

ପରୀକ୍ଷା ପରେ ପରୀକ୍ଷା

ପରୀକ୍ଷା ପରେ ପରୀକ୍ଷା

3 mins
6


ନିମାଇଁ ମଠ ଆଶ୍ରମର ମହନ୍ତ ହେଲା ପରେ ସତକୁ ସତ ଦେହତ୍ୟାଗ କଲେ ପୂର୍ବ ମହନ୍ତ ଓ ତାଙ୍କ ଚେଲା. ମଠ ବାଡ଼ି ଆଶ୍ରମର ସବୁ ଦାଇତ୍ୱ ଏକା ଏକା ତୁଲେଇବା ଭିତରେ ସେ ସବୁ ଠାକୁର ଠାକୁରାଣୀଙ୍କର ନୀତି ନିୟମ ଅନୁଯାୟୀ ପୂଜା ପାଠ ଵିଧି ବିଧାନ ପାଳନ କରୁଥାନ୍ତି. ସେଦିନ କାହିଁକି ଦୁର୍ଗାଙ୍କ ମୁଣ୍ଡର ଫୁଲ ଥରକୁ ଥର ଖସିପଡୁଥିଲା. ସମସ୍ତ ଅନ୍ତେବାସୀ ଏହାକୁ ଶୁଭ ସୂଚନା କହିବା ବେଳେ ମହନ୍ତ ମହାରାଜା ନିମାଇଁ ଗୋସେଇଁ କାହିଁକି ବିଚଳିତ ହୋଇ ପଡିଲେ. ସେଦିଦିନ ସନ୍ଧ୍ୟାରେ ଆଶ୍ରମ ପାଖକୁ ଲାଗିଥିବା ଲମ୍ବାରାସ୍ତାରେ ଚାଲୁ ଚାଲୁ ଏକ ଯୁବତୀର ବା ନାରୀ କଣ୍ଠର କାନ୍ଦଣା ଶୁଣି ବିଚଳିତ ହୋଇ ପଡିଲେ. କିଏ କାନ୍ଦୁଛି ଓ କାରଣ କଣ ଜାଣିବା ପାଇଁ ଆଗେଇ ଚାଲିଥାନ୍ତି ନିମାଇଁ ଗୋସେଇଁ. ଦେଖିଲେ ଏକ ସୁନ୍ଦରୀ ତରୁଣୀ ନିର୍ଜ୍ଜନ ସ୍ଥାନରେ ବସି କ୍ରନ୍ଦନ କରୁଛି. କାରଣ ପଚାରିବାରୁ ଝିଅଟି ତା କରୁଣ କାହାଣୀ ବର୍ଣ୍ଣନା କରିବାକୁ ଲାଗିଲା.

   ଖୁବ ଛୋଟ ଓ ସୁଖୀ ପରିବାର ଥିଲା ସେମାନଙ୍କର. ତା ଉପର ଭାଇ ରାଜୁ ଖୁବ ଭଲ ପଢୁଥାଏ ସ୍କୁଲରେ. ମାଟ୍ରିକ ପରୀକ୍ଷାରେ ଟପ୍ପର ହେବା ସହ କଲେଜର ପ୍ଲସ ଟୁ ଓ ପ୍ଲସ ଥ୍ରୀରେ ମଧ୍ୟ ବିଜ୍ଞାନରେ ଜୁଲୋଜି ରଖି ଖୁବ ଭଲ ପଦର୍ଶନ କରିବାରୁ ବାପାଙ୍କୁ ସମସ୍ତେ ପୁଅକୁ ଡାକ୍ତର ବା ଇଞ୍ଜିନିଅର ହେବାକୁ ପଢେଇବାକୁ କହିବା ପରେ ଭାଇର କୋଚିଂ ଆରମ୍ଭ ହୋଇଥିଲା. ଭାଇ ପାଖକୁ ଯେତେ ପଇସା ପଠେଇଲେ ମଧ୍ୟ ତାର ନିଅଣ୍ଟ ହେବା ଭିତରେ ମୋର ମାଟ୍ରିକ ପରୀକ୍ଷା ସରି ବାହାଘର ଠିକ ହୋଇଯାଇଥିଲା. ଭାଇ ଅବାଟରେ ଯାଇ କୁସଙ୍ଗରେ ପଡି ମଦ, ବିଡି, ସିଗାରେଟ ଖାଇବା ସହ ବାପାଙ୍କ ମେହେନତ ସଞ୍ଚିତ ପଇସା ଉଡେଇ ଚାଲିଥିଲା ବେଳକୁ ବିନା ଯୌତୁକରେ ମୋର ବାହାଘର ଠିକ ହୋଇଯିବାରୁ ବାପା ମୋ ପାଠପଢା ଅଧାରୁ ମତେ ବାହାକରିବା ପାଇଁ ପ୍ରସ୍ତୁତ ହେଉଥିଲେ.ମୁଁ ମଧ୍ୟ ପରିବାରର ସୁଖ ଦୁଃଖରେ ସାମିଲ ହୋଇ ବିବାହ କରିବାକୁ ରାଜି ହୋଇଯାଇଥିଲି. ବାହାଘର ଅଳ୍ପ ଦିନ ପୂର୍ବରୁ ଭାଇର ଅପମୃତ୍ୟୁ ଖବରରେ ବୋଉ ମଧ୍ୟ ଆରପାରିକୁ ଚାଲିଯାଇଥିଲା ତଥାପି ବାପାଙ୍କୁ ସାହାରା ହୋଇ ବାହାଘର ପାଇଁ ବାପା କରିଥିବା ଆୟୋଜନର ସମ୍ମାନ ଓ ମର୍ଯ୍ୟଦା ରଖି ବେଦୀରେ ହାତଗଣ୍ଠି ପଡିବା ପୂର୍ବରୁ ପୁଅର ପିତା ଯୌତୁକ ଦାବୀ କରିବସିଲେ. ଏତେ ବାଟ ଆଗେଇ ସାରି ଝିଅ ମଙ୍ଗୁଳା ରହିଯିବା ଭୟରେ ବାପା ଘର ଦ୍ୱାର ସବୁର ପଟ୍ଟା ପାଉତି ଖଞ୍ଜଣା ସହ ଭାବୀ ଶଶୁରଙ୍କ ହାତକୁ ବଢ଼ାଇ ଦେଲେ ମଧ୍ୟ ନଗଦ କୋଡିଏ ଲକ୍ଷ ନଦେଲେ ତୁମ ଝିଅକୁ ରଖ କହି ତାଙ୍କ ପୁଅକୁ ବେଦୀରୁ ଉଠାଇ ନେଲେ ତ ବାପାଙ୍କର ହାର୍ଟ ଆର୍ଟାକ ହେଲା. ତାଙ୍କ କ୍ରିୟା କର୍ମ କରିବାକୁ ସେହି ଘରର କବଲା ଇତ୍ୟାଦି ବନ୍ଧକ ରଖି ଯେଉଁ ବ୍ୟକ୍ତିଙ୍କ ଠାରୁ ଟଙ୍କା କରଜ କରିଥିଲି ସେ ମତେ ଜବରଦସ୍ତ ବିବାହ କରିବାକୁ ଚାହେଁ କହି ବିବାହ ନକଲେ ଘରବାଡ଼ି କି ଜମି ଫେରାଇବେ ନାହିଁ କହୁଛନ୍ତି. ଯିଏ ମୋ ବାପାଙ୍କ ବୟସର ଓ ବିପତ୍ନୀକ ତାଙ୍କୁ ମୁଁ କିପରି ବିବାହ କରିପାରିବି?ତେଣୁ ବାଘ ଭାଲୁଙ୍କ ମୁଖରେ ମରିବାକୁ ଚାହିଁ ଏଠାରେ ରୋଦନ କରୁଥିଲି. ଆପଣ ଦେବପୁରୁଷ ପରି ଲାଗୁଛନ୍ତି. ଦୟା କରି ମତେ ବିବାହ କରି ସେହି ଦୁଷ୍ଟଲୋକ ଠାରୁ ମୋ ଘରବାଡ଼ି ଓ ଜମି ମୁକୁଳେଇବାରେ ମତେ ସାହାଯ୍ୟ କରି ମୋ ମଙ୍ଗୁଳା ଦୋଷରୁ ମଧ୍ୟ ମତେ ମୁକ୍ତି ଦିଅନ୍ତୁ ।

   ନିମାଇଁ ଗୋସେଇଁ କହିଲେ ମାଆ ମୁଁ ବ୍ରହ୍ମଚାରୀ. ମୁଁ କୌଣସି କନ୍ୟାର ପାଣିଗ୍ରହଣ କରିପାରେନା. ଆଶ୍ରମ ପରିଚାଳନା କରିବା ଦାଇତ୍ୱ ମୋ ଉପରେ ନ୍ୟସ୍ତ. ଯଦି କହିବ ତୁମେ ଆଶ୍ରମରେ ଏବେ ରହିପାରିବ କିନ୍ତୁ ଗୋଟିଏ ସର୍ତ୍ତରେ. ତୁମେ କେବଳ ଫୁଲ ତୋଳିବା, ଗୁନ୍ଥିବା ଓ ଦେବ ଦେବୀଙ୍କ ପାଇଁ ଠାକୁର ବାସନ ମଜ୍ଜାମଜ୍ଜି କରି ତାଙ୍କ ଆସ୍ଥାନକୁ ପରିସ୍କାର ରଖିବା ବ୍ୟତିରେକେ ଅନ୍ୟ କୌଣସି କଥାରେ ମୁଣ୍ଡ ଭରି କରିବ ନାହିଁ. କାଳକ୍ରମେ କିଛି ଉପାୟ ବାହାର କରି ତୁମ ଘରଦ୍ୱାର ଓ ଜମିବାଡି ମୁକ୍ତ କରିବାକୁ ମୁଁ ଚେଷ୍ଟା କରିବି. ରାଜି ହୋଇ ଝିଅଟି ନିମାଇଁ ଗୋସେଇଁଙ୍କ ପଛେ ପଛେ ଚାଲିଲେ. ଯଥେଷ୍ଟ ଦୂରତା ରକ୍ଷା କରି କନ୍ୟାକୁ ଆଶ୍ରମ ଅଭିମୁଖେ ନେବାକୁ ଲମ୍ବାରାସ୍ତା ପାର ହୋଇ ପହଁଚିଲା ପରେ ପଛକୁ ଚାହିଁ ନିମାଇଁ ଗୋସେଇଁ ଆଶ୍ଚର୍ଯ୍ୟ ହେଲେ କାରଣ ତାଙ୍କ ପଛରେ କେହି ନଥିଲେ ବରଂ ସେହି ଫୁଲଟି ପଡିଥିଲା ଯେଉଁ ଫୁଲଟି ଆଜି ମାଆ ଦୁର୍ଗାଙ୍କ ମଥାରୁ ଖସି ପଡିଥିଲା ଥରକୁ ଥର . ସବୁ କଥା ଶୁଣି ଅନ୍ତେବାସୀମାନେ କହୁଥିଲେ ଦିନେ ଆପଣ ଗୁରୁଙ୍କ ପରୀକ୍ଷାରେ ଉତୀର୍ଣ୍ଣ ହୋଇଥିଲେ ସତ ହେଲେ ମାତା ଦୁର୍ଗାଙ୍କର ପରୀକ୍ଷା ବାକି ଥିଲା ନିଶ୍ଚୟ. ସମସ୍ତେ ହରିବୋଲ ହୁଳହୁଳି ପକାଇଲା ବେଳେ ନିମାଇଁ ଗୋସେଇଁ ନିଜ ଗୁରୁଙ୍କୁ ସ୍ମରଣ କରି ଫୁଲଟିକୁ ଉଠାଇ ନେଇ ପ୍ରଣାମ କରୁଥିଲେ।



Rate this content
Log in

Similar oriya story from Abstract