Pramod Kumar Jena

Tragedy

2.1  

Pramod Kumar Jena

Tragedy

ପ୍ରେତାତ୍ମାର ଅବଶୋଶ

ପ୍ରେତାତ୍ମାର ଅବଶୋଶ

11 mins
631



   ବାରମ୍ବାର ସେମାନେ ମୋ ବେକକୁ ପାଣି ଛିଞ୍ଚି ରଗଡିବାକୁ ଲାଗିଥାନ୍ତି l ବେକଟା ମୋର ଲମ୍ବା ହୋଇ ଯାଇଥିଲା l ବେକରେ ଥିବା ଚିହ୍ନ କିନ୍ତୁ ଦୁଇ ଭାଇଙ୍କ ଚେଷ୍ଟା ସତ୍ତ୍ୱେ ଲିଭିବାର ନାଆଁ ନେଉ ନ ଥାଏ l ପୁରା ଦଉଡିରେ ଭିଡି ହୋଇଥିବା ଦାଗଟି ବେକର ଚାରିପଟେ ଗୋଲ୍ ଆକାରରେ ସ୍ପଷ୍ଟ ଜଣା ପଡୁଥାଏ l ଯେମିତି ବେକଟି ଦୁଇ ଭାଗ ହୋଇ ଯାଇଛି l ଦି ଭାଇଙ୍କର ମୁଁ ବଞ୍ଚିଛି ନା ମରିଛି ଜାଣିବାର ଇଚ୍ଛା ବିଲକୁଲ୍ ନ ଥିଲା l ସେମାନଙ୍କର ପ୍ରଚେଷ୍ଟା ଆଉ ଅପଚେଷ୍ଟା ଥିଲା, ବେକର ସେ ଦାଗକୁ ଘଷି ଘଷି ପୂର୍ବବତ୍ କରିଦେବାକୁ l କିନ୍ତୁ ତା’ କ’ଣ ସମ୍ଭବ ? ମୋ ଶରୀରରେ କେମିତି ହେବ ? ରକ୍ତ ସଞ୍ଚାଳନ ତ ବନ୍ଦ ହୋଇ ଆସୁଥିଲା l ଏ ଦୁଇ ଭାଇ, ଯେଉଁମାନେ ଏ କାମରେ ବ୍ୟସ୍ତ ଥିଲେ, ସେଥିରୁ ଜଣେ ମୋ ସ୍ୱାମୀ l ଆଉ ଅନ୍ୟଜଣଙ୍କ ମୋ ଦିଅର l ସେ ପଟେ ରାହା ଛାଡି କାନ୍ଦୁଥିବା ଦୁଇ ବର୍ଷର ବାଳୁତ ଛୁଆଟି ମୋ ପୁଅ l ମୋ ଧନକୁ ଛାଡି ପଳେଇ ଆସିଲି l ମୋ ଧନ କାନ୍ଦୁଛି l କିନ୍ତୁ କେହି ତା’କୁ ତୁନି କରୁନାହାନ୍ତି l ମୋ ଶରୀରଟାକୁ ହଲେଇ ହଲେଇ ଉଠେଇବାକୁ ଚେଷ୍ଟା କରୁଛି l

-        ମାଆ... ମାଆ... ଉଠ... ମାଆ ଉଠ... ମାଆ ଉଠ...

ଆଉ ତ ବେଶି କଥା ସେ କହି ଜାଣିନି l କହିବ ବା କ’ଣ ? କିନ୍ତୁ ତା’ ଆଖି ବହୁତ କଥା କହୁଥିଲା l

-        ମାଆ... ତୋ’ର କ’ଣ ହେଲା ? ତୁ କାହିଁକି ଶୋଇ ପଡିଛୁ ? ବାବା ଓ ଦାଦା କାହିଁକି ତୋ’ ବେକକୁ ରଗଡୁଛନ୍ତି ? ତୁ କାହିଁକି କଥା କହୁନୁ ? ଉଠ... ମାଆ ଉଠ...

-        ନାଁ ରେ ଧନ l ମୁଁ ଆଉ ଉଠି ପାରିବିନି l ପାଖ ପଡିଶା ଘର ପରିଡା ବାବୁ ହଠାତ୍ ପଶି ଆସିଲେ l ମୋତେ ଏମିତି ଶୋଇ ରହିଥିବା ଅବସ୍ଥାରେ ଦେଖି କିଛି ଅଘଟଣ ଆଶଙ୍କା କରି ଚିତ୍କାର କରି ପାଖ ଘର ଜେନା ବାବୁଙ୍କୁ ଡାକିବାକୁ ଲାଗିଲେ l

-        ଜେନା ବାବୁ... ଜେନା ବାବୁ... ଧାଇଁ ଆସନ୍ତୁ l

ପରିଡା ବାବୁଙ୍କ ଡାକ ଶୁଣି ପବନ ବେଗରେ ଘରୁ ବାହାରି ଆସିଲେ ଜେନା ବାବୁ l ଆଗେ ଆଗେ ପରିଡା ବାବୁ, ପଛେ ପଛେ ଜେନା ବାବୁ l ପଶି ଆସିଲେ ଦୁହେଁ ଆମ ଘର ଭିତରକୁ l କ’ଣ ହେଲା ବୋଲି କମ୍ପିବାକୁ ଲାଗିଲେ ଜେନା ବାବୁ l ବିକଳ ହୋଇ ମୋ ନାଡିକୁ ଦେଖିଲେ l ସେତେବେଳକୁ ମୋ ଦେହ ବି ଗରମ ଥିଲା l ଜେନା ବାବୁ କହିଲେ,

-        ଆରେ ଦେହ ତ ଗରମ ଅଛି l ପଲ୍ସ୍ ବି ଚାଲୁଛି l କ’ଣ ଗୋଟେ ଜଲଦି କର l ଜଲଦି କର l ଆରେ ବଞ୍ଚିଯିବ l ଜଲଦି କିଛି ଗୋଟେ କର l

କ’ଣ ସେମାନେ କରିବେ ? ଜେନା ବାବୁ ବୋଧହୁଏ ଜାଣିନାହାନ୍ତି l ଏଇ କେଇ ମିନିଟ୍ ଆଗରୁ ମୁଁ ମରି ସାରିଛି l ଦେହ ତ ଗରମ ରହିବ l ଜେନା ବାବୁ ଆଉ ପରିଡା ବାବୁଙ୍କ ପାଟି ଶୁଣି ଅନ୍ୟ ପଡିଶା ଘର ଲୋକମାନେ ବି ରୁଣ୍ଡ ହୋଇଗଲେ l କ’ଣ ଏ ସବୁ ଘଟିଗଲା ? କେମିତି ହେଲା ? ସମସ୍ତେ ସମସ୍ତଙ୍କୁ ପଚାରିବାକୁ ଲାଗିଲେ l

କିଏ କହିବ ? ହଠାତ୍ ସେଠୀ ବାବୁ: ମୋ ସ୍ୱାମୀ ମୋତେ କାନ୍ଧରେ ପକାଇଲେ l ମଲା ପୂର୍ବରୁ ଏତେ ହତାଦର କରୁଥିବା ସ୍ୱାମୀଙ୍କ କାନ୍ଧ ଉପରେ ମୋ ଶରୀରଟାକୁ ଦେଖି ଟିକିଏ ଖୁସି ଲାଗିଲା l ତେବେ ଏତେ ଦରଦ କ’ଣ ପାଇଁ ? ବୋଧହୁଏ ରୁଣ୍ଡ ହୋଇଥିବା ଲୋକମାନଙ୍କୁ ଦେଖେଇଦେବାକୁ ଚାହୁଁଥିଲେ ସେ କେତେ ମର୍ମାହତ ହୋଇ ପଡିଛନ୍ତି l କିନ୍ତୁ ଅଧଘଣ୍ଟା ଧରି ଯେ ସେମାନେ ମୋ ଶରୀରର ବେକରେ ପାଣି ଢାଳି ହାତର ରଗଡି ଚାଲିଥିଲେ ବେକର ଦାଗ ଲିଭେଇବାକୁ l ଜୀଅନ୍ତା ମଣିଷର ଦାଗ ଲିଭେଇବା ଦରକାର ଥିଲା ନା ଆଶୁ ଚିକିତ୍ସା ଦରକାର ଥିଲା ? ଭଲ ଭାବେ ତ ଜାଣି ସାରିଥିଲେ ମୋ ଶରୀରରୁ ପ୍ରାଣ ବାୟୁ ଉଡି ଯାଇଛି l ତେବେ ପୁଣି କାନ୍ଧରେ ପକାଇ ହସ୍ପିଟାଲ୍ ନେବାର ତତ୍ପରତା କାହିଁକି, ନିଶ୍ଚୟ ମୋ ଛଡା ଆଉ କେହି ଜାଣି ନ ଥିବେ l ଇଏ ପରା ସ୍ୱାମୀ l ତାଙ୍କରି ହାତ ଧରି ବାପା, ମାଆ, ବନ୍ଧୁବାନ୍ଧବ ସମସ୍ତଙ୍କୁ ପର କଲି l ପ୍ରେମର ନିଶାଟା ଏତେ ପ୍ରବଳ ହୋଇଥିଲା ଯେ ଜାତି, ବର୍ଣ୍ଣ, ବନ୍ଧୁବାନ୍ଧବ, ସମ୍ପର୍କ ସୋଦର କିଛି ଦେଖା ଗଲାନି l ପଳେଇ ଆସିଥିଲି l ହାତ ଗଣ୍ଠି ପଡିଲାନି l ନିଆଁକୁ ସାକ୍ଷୀ ରଖି ସାତ ଘେରା ବୁଲି ପାରିଲିନି l ଭାବିଥିଲି ସେତେବେଳେ ଯେ, ଯେଉଁଠି ମନ ସାଥିରେ ମନର ମିଳନ ହୋଇଗଲା, ୟେ ଲୋକ ଦେଖାଣିଆ ରୀତି ନିୟମରୁ କ’ଣ ମିଳିବ ମୋତେ ? ବେଶ୍ ଖୁସି ଥିଲୁ ମୁଁ ଆଉ ମୋତେ ଆଦର କରୁଥିବା ସ୍ୱାମୀ l ପ୍ରଥମ ଗର୍ଭରେ ପୁତ୍ର ସନ୍ତାନ l ଏଇ ମୋ ଶରୀର ପାଖେ ଠିଆ ହୋଇ କାନ୍ଦୁଛି l ଖୁସି ସଂସାରରେ ଆମ ଚନ୍ଦ୍ର ଉଦୟ ହେଲା l କିନ୍ତୁ ଏ ଖୁସି କ୍ଷଣ ମାତ୍ର ଥିଲା l ଦାଉ ସାଧିଲା ନିୟତି l ଏମିତି ଏକ ଅକୁହା ରୋଗ ହେଲା, ଯେଉଁଟା ମୋ ସଂସାରକୁ ପୋଡି ଛାରଖାର କରିଦେଲା l ଇଂରାଜୀରେ ଡକ୍ଟର୍ କହିଲେ ପ୍ରୋଲାପ୍ସ୍ l ଅର୍ଥାତ୍ ସ୍ତ୍ରୀ ସୁଖ ଦେବା ଭଳି ମୋ ଶରୀରରେ ସେ କ୍ଷମତା ରହିଲାନି l ଯୌନ ସମ୍ପର୍କଟା ପୁରୁଷମାନଙ୍କ ପାଖରେ ଏତେ ମହତ୍ତ୍ୱ ରଖେ ମୁଁ ପରେ ଜାଣିଲି l ଏଇଟା ମଧ୍ୟ ହୃଦୟଙ୍ଗମ କଲି ଯେ ଆମର ମନ ସାଥିରେ ମନର ମିଳନ ହୋଇ ନ ଥିଲା l ଏ ଆକର୍ଷଣ କେବଳ ଶରୀରର ହିଁ ଥିଲା l ଯେତେବେଳେ ସେ ଶରୀର ଅସମର୍ଥ ହୋଇଗଲା, ସବୁ ସମ୍ପର୍କରେ ଯେମିତି ଗ୍ରହଣ ଲାଗିଗଲା l ଲୋକଲଜ୍ଜ୍ୟା, ମାନସମ୍ମାନ, ବନ୍ଧୁବାନ୍ଧବ, ବାପାମାଆ, ଭାଇଭଉଣୀ ସମସ୍ତଙ୍କୁ ତ୍ୟାଗ କରି ଯେଉଁ ସମ୍ପର୍କ ଯୋଡିଥିଲି ସେଇଟା ଯେ ମରିଚୀକା ଥିଲା, ପରେ ଜାଣିଲି l କିନ୍ତୁ ବହୁତ ଡେରି ହୋଇଗଲା l ଫଳ ତ ଭୋଗିବାକୁ ହିଁ ପଡିବ l ଧର୍ମକୁ ଆଖି ଠାରି ଯେଉଁ ପଦକ୍ଷେପ ନେଇଥିଲି, ତା’ର ବିଷମ ଫଳ ଏତେ ଭୟଙ୍କର ହେବ ଜାଣି ନଥିଲି l


ଦିନକୁ ଦିନ ପୂର୍ବର ଆକର୍ଷଣ ହତାଦର ଆଉ ଘୃଣାରେ ପରିବର୍ତ୍ତିତ ହେବାକୁ ଲାଗିଲା l ଦିନକୁ ଦିନ ଅସହ୍ୟ ହେବାକୁ ଲାଗିଥିଲା ଦୈନନ୍ଦିନ ତିରସ୍କାର, ଅବହେଳା ଆଉ ଅତ୍ୟାଚାର l ଯେମିତି ସେ ଗଳାରେ ଅଟକି ଥିବା ହାଡଟିଏ l ଯେତେଶୀଘ୍ର ତାଙ୍କ ଜୀବନରୁ ହଟି ଯାଇପାରନ୍ତା ଭଲ l ହେଲେ ହଟିବ ବା କେମିତି ? ପଛକୁ ଫେରିବାର ରାସ୍ତା ତ ନାହିଁ l ବ୍ରାହ୍ମଣ ଘର ଝିଅ ଏ ଅବସ୍ଥାରେ ଘରକୁ ଫେରିବା ଅସମ୍ଭବ l ରୋଜଗାର କରିବାର କ୍ଷମତା ତ ନାହିଁ l ଏଠୁ ଯିବାର ରାସ୍ତା ହିଁ ନାହିଁ l ଜୀବନ ଦୁର୍ବିସହ l ଏମିତି ଚାରିଛକିରେ ଠିଆ ହୋଇ ବି ପଡିଶା ଘର ଲୋକଙ୍କୁ ନିମିତ୍ତ ମାତ୍ର ଇସାରା ଦେଇ ନ ଥିଲି ମୁଁ l ଜଣାଇବାକୁ ଚାହିଁଥିଲି ଆମ ଘରେ ସବୁ ଠିକ୍ ଅଛି l ତେଣୁ ଜଣେ ସାଧାରଣ ସ୍ତ୍ରୀ ଭଳି ବ୍ୟବହାର ଦେଖାଉଥିଲି l ପରିବାରରେ ସମସ୍ତଙ୍କର ଯେମିତି ନୋକ୍ ଝୋକ୍ ହୁଏ, ସେହିଭଳି ଅଭିନୟ କରିବାକୁ ପଡୁଥିଲା l

ସେ ଦିନ ଭୂୟାଁ ବାବୁଙ୍କ ସହଧର୍ମିଣୀ କହିଲେ, ଟୁକୁନା ବୋଉ ! ଆମ ବାବୁ ଭୁବନେଶ୍ୱର ଯାଉଛନ୍ତି l ତୁମ କାନଫୁଲଟା ତ ଛିଣ୍ଡିଯାଇଛି l ତାଙ୍କ ହାତରେ ପଠେଇ ଦେଉନ l ବଦଳେଇ ନେଇ ଆସିବେ l

କି ଉତ୍ତର ଦେବି ବୁଝିପାରିଲିନି l ହଁ କଲେ ଅସୁବିଧା, ନାଁ କଲେ ବି ଅସୁବିଧା l କାରଣ ହଁ କରିବାର ସାହସ ନାହିଁ l ଏଣେ ନାଁ କଲେ ଘରର ଅବସ୍ଥା ବିଷୟରେ ଅନ୍ୟମାନଙ୍କୁ ଆଭାସ ମିଳିଯିବ l କହିଲି – ନାଇଁ ମ ଏବେ ଥାଉ l


-        କାହିଁକି ? ତୁମ କାନ ତ ଫୁଙ୍ଗୁଳା ପଡିଛି l ମୁଁ ତ ଆଉ ଆଣିବାକୁ କହୁଥିଲି l ଆମ ବାବୁ କହିଲେ, ଏକାଥରକେ ଦୁଇ ହଳ ନେଇ ଆସିବେ l

-        ତୁମ କଥା ଅଲଗା... ମୋ କଥା ଅଲଗା

-        କାହିଁକି, ତମର କ’ଣ ହେଇଛି ?

-        ମୋ ପାଖରେ ଏତେ ପଇସା ନାହିଁ l

-        ମଲା... ଆଜି ପରା ଶେଷ ତାରିଖ l ଆମ ବାବୁ ତ ଦରମା ପାଇ କି ମତେ ଦେଇକି ଗଲେ l ମୋ ସ୍ୱାମୀ ଆଉ ଭୂୟାଁ ବାବୁ ଏକା ଅଫିସରେ କାମ କରନ୍ତି l ଲଞ୍ଚ୍ ସମୟରେ ଘରକୁ ଆସି ଖାଇସାରି ପୁଣି ସେକେଣ୍ଡ୍ ହାଫରେ ଅଫିସକୁ ଫେରି ଯାଆନ୍ତି l

ଦରମା ଯେ ଆଲମାରୀରେ ସେଠୀ ବାବୁ ରଖିଛନ୍ତି, ସେ କଥା ଯଦିଚ ଜାଣେ, ତେବେ ସାହସ ନାହିଁ l

-        ଟୁକୁନା ବୋଉ ! ଆଲମୀରା ଦେଖୁନ l ଦୁହେଁ ତ ଦରମା ପାଇକି ଘରକୁ ଆସିଲେ l

-        ହଉ l ମୁଁ ଦେଖିକି କହିବି l

ମହାସମସ୍ୟାରେ ପଡିଗଲି l

-        ସନ୍ଧ୍ୟାବେଳକୁ ଆସିବି l ତମେ ସେ କାନଫୁଲ ଆଉ ଟଙ୍କା ରଖିଥିବ l

-        ହଉ... ହଉ...

ଚାଲି ଯାଇଥିଲେ ଭୂୟାଁ ବାବୁଙ୍କ ମିସେସ୍ l ଥର ଥର ହାତରେ ଆଲମୀରା ଖୋଲିଲି l ସତକୁ ସତ ବିଡାଏ ହେବ ଟଙ୍କା ଥୁଆ ହୋଇଛି l ଏତେ ଟଙ୍କା... ବୋଧହୁଏ ଏରିଅର୍ ପାଇଥିବେ l କଅଣ ଗୋଟେ ହୋଇଥିବ l ଆଗରୁ ନୂଆ ନୂଆ ଆସିବା ବେଳେ କେତେ ଥର କହିଥିଲେ, ପେଣ୍ଡି ଫୁଲ କିଣି ଦେବେ l ମୁଁ କିନ୍ତୁ ସବୁ ଥର ମନା କରିଥିଲି l ଏବେ ତ ଅନେକ ଟଙ୍କା ଅଛି l ଦେଲେ କିଛି ଅସୁବିଧା ହେବନି ବୋଲି କାହିଁକି ମୁଣ୍ଡକୁ ଏ ଦୁର୍ବୁଦ୍ଧି ପଶିଲା l ପାଞ୍ଚ ହଜାର ଟଙ୍କା କାଢି ନେଲି l ସନ୍ଧ୍ୟା ନ ହେଉଣୁ ଭୂୟାଁ ବାବୁଙ୍କ ମିସେସ୍ ଆସି ହାଜର ହୋଇଗଲେ l      ତାଙ୍କ ବାବୁ ଭୁବନେଶ୍ୱର ଯିବେ ବୋଲି ଅଫିସରୁ ଜଲଦି ପଳେଇ ଆସିଛନ୍ତି l

-        ଜଲ୍ଦି ଦିଅ l ସେ ସନ୍ଧ୍ୟା 6:30ରେ ଭୁବନେଶ୍ୱର ବସ୍ ଧରିବେ l

ଭଙ୍ଗା କାନଫୁଲ ଆଉ ପାଞ୍ଚ ହଜାର ଟଙ୍କା ଦେଇ କହିଥିଲି,

-        ତୁମ ବାବୁଙ୍କୁ କହିବ, ସେତିକିରେ ଯେମିତିଆ ହେଲା ନେଇ ଆସିବେ l ଯଦି ଅଳ୍ପ ନିଅଣ୍ଟ ପଡେ, ଦେଇ ଦେଇଥିବେ l ଆସିଲେ ସେଠୀ ବାବୁଙ୍କୁ କହି ଦେଇ ଦେବି l

ସେ ଯିବା ପରେ ମନଟା ଯେତିକି ଖୁସି ନ ଥିଲା, ତା’ଠୁ ବେଶି ଡର ଥିଲା l ଭାବିଲି ଆଜି ପର୍ଯ୍ୟନ୍ତ ତ ଟଙ୍କାଟେ ମୋ ପାଇଁ ଖର୍ଚ୍ଚ କରି ନାହାନ୍ତି ପଇସା ଖର୍ଚ୍ଚ ହୋଇଯିବା ଭୟରେ l ହୁଏତ ବଡ ଡାକ୍ତରଖାନା ନେଇଥିଲେ ମୋର ଏ ଶାରୀରିକ ତୃଟି ସୁଧୁରି ଯାଇ ପାରିଥାନ୍ତା l ମୁଁ ବା କ’ଣ ଜାଣେ ? କର୍ମକୁ ଆଦରି ରହିଯିବା କଥା l ଏମିତି ମୋ ଭଳି ଗାଆଁରେ କିଛି ସ୍ତ୍ରୀ ଲୋକଙ୍କର ଅସୁବିଧା ହୋଇଥିବା ମୁଁ ବି ଜାଣିଥିଲି l ସେମାନେ ତ ଗାଆଁ ଲୋକ l କର୍ମକୁ ଆଦରି ରହିଥିଲେ l କିନ୍ତୁ ସେଠୀ ବାବୁ ତ ସହରରେ ଚାକିରୀ କରିଛନ୍ତି l ଅଫିସ୍ କାମରେ ଦିଲ୍ଲୀ, ବମ୍ବେ ଯାଉଛନ୍ତି l ମୋତେ କ’ଣ ଦେଖାଇ ପାରି ନ ଥାନ୍ତେ ? କାହାକୁ ବା କହିଥାନ୍ତି ? ଅତି ବେଶିରେ କୌଣସି ଝିଅ, ବାପା ଘରେ ମାଆକୁ କହି ପାରିଥାନ୍ତା l କିନ୍ତୁ ସେ ଏମିତି କରିଲା ଯେ ସବୁ ଦିନ ପାଇଁ ସେ ରାସ୍ତା ହିଁ ବନ୍ଦ ହୋଇ ଯାଇଥିଲା l ଷଡଙ୍ଗୀ ଘର ଝିଅ, ସେଠୀ ଘର ପୁଅ ସାଙ୍ଗରେ ପଳେଇଲା l ଗାଆଁ ଗାଆଁ ଡିବି ଡିବି ବାଜିଲା l ପ୍ରେମର ନିଶାଟା ଏତେ ପ୍ରବଳ ଥିଲା ଯେ ଅପବାଦ ବି ପ୍ରଶଂସା ଭଳି ମନେ ହେଉଥିଲା ସେତେବେଳେ l ଭାବିବାର ଶକ୍ତି ବୋଧହୁଏ ଲୋପ ପାଇ ଯାଇଥିଲା l ନ ହେଲେ ବିନା ମନ୍ତ୍ର, ବିନା ବେଦୀ, ବିନା ଅଗ୍ନି, ବିନା ହୋମରେ କାହାର ମିଥ୍ୟା ଆଶ୍ୱାସନାକୁ ଭଗବାନଙ୍କ ଆଶୀର୍ବାଦ ଭାବି ସ୍ୱାମୀ ବୋଲି ବରଣ କରିପାରି ନଥାନ୍ତି l ଏ ସବୁ କିନ୍ତୁ ଯେ ଶାରୀରିକ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲା, ସେତିକି ବେଳେ ବୁଝିଲି, ଯେତେବେଳେ ଏ ସବୁ ଘଟଣା ଘଟିଗଲା l


       ଭୂୟାଁ ବାବୁ ଯିବା ପରେ ପରେ ସେଠୀ ବାବୁ ଆସି ପହଞ୍ଚିଗଲେ l କାହାକୁ କିଛି ନ କହି ଗାଧୋଇ ପଡିଲେ l ତାଙ୍କ ସାନଭାଇ, ମାନେ ମୋ ଦିଅର ବି ଘରେ ଥିଲେ l ଗାଧୋଇ ସାରି ସେଠୀ ବାବୁ ଖାଇବାକୁ ମାଗିଲେ l ପଚାରିଲି – କୁଆଡେ ଯିବ ନା

କ’ଣ ?

-        ମୁଁ ବାହାରକୁ ଯିବି l ଅଫିସିଆଲ୍ ଡ୍ୟୁଟିରେ l

କ’ଣ ଭାବିଲେ କେଜାଣି, ଆଲମୀରା ଖୋଲିଲେ l ବୋଧହୁଏ ସିଧା ଯାଇ ଟଙ୍କା ଗଣିବା ଆରମ୍ଭ କରିଦେଲେ l ଏପଟେ ମୋର ହୃତ୍ ସ୍ପନ୍ଦନ ବଢିବାରେ ଲାଗିଥାଏ l ଆଗରୁ ଭାବିଥିଲି ଶୋଇଲା ବେଳେ ସୁଯୋଗ ଦେଖି ଟଙ୍କା କଥାଟା ଜଣାଇଦେବି ବୋଲି l କିନ୍ତୁ ତା’ ପୂର୍ବରୁ ଏମିତି ଗଣିବା ଆରମ୍ଭ କରିବା ଦେଖି କାହିଁକି କେଜାଣି ମୋ ଦେହରୁ ଯମ ଝାଳ ବାହାରିବାକୁ ଲାଗିଲା l ହଠାତ୍ ଗର୍ଜନ କରି ଡାକିଲେ,

-        ଝୁନି... ଝୁନି...

-        କ’ଣ ହେଲା ?

ଡରି ଡରି ଉତ୍ତର ଦେଲି ମୁଁ l

-        ଏଥିରୁ ପାଞ୍ଚ ହଜାର ଟଙ୍କା କୁଆଡେ ଗଲା ?

-        ମୁଁ ନେଇଛି l

-        ତମକୁ ହାତ ମାରିବାକୁ କିଏ କହିଲା ?

-        ମୁଁ ଭୂୟାଁବାବୁଙ୍କୁ ଦେଇ ଦେଇଛି l ଭୁବନେଶ୍ୱରରୁ କାନଫୁଲଟା ବଦଳ କରିଦେବାକୁ l

ଥରି ଥରି କହିଲି ମୁଁ l

-        କ’ଣ ? ? ?

ବାଘ ଭଳିଆ ଗର୍ଜନ କଲେ ସେ l ଚୁଟିଟାକୁ ଧରି ଟାଣି ଆଣିଲେ ସେ l ଗାଈ ଗୋରୁକୁ ପିଟିଲା ଭଳି ବିଧା ଗୋଇଠା ମାରି ଚାଲିଲେ l ବିକଳ ହୋଇ ଚିତ୍କାର କଲି ମୁଁ l ଦିଅର ମୋର ଟିକିଏ ହେଲେ ବାଧା ଦେଲେନି l

ତଳେ ପଡି ଭୋ ଭୋ ହୋଇ କାନ୍ଦିଲି l କେହି ନାହାନ୍ତି, ଯିଏ ଆହା କରି ମୋ ଲୁହ ପୋଛି ଦେବ l ସମସ୍ତ ମାନ ଅପମାନ, ଲଜ୍ଜ୍ୟା ସରମ ପଛରେ ପକାଇ ଯାହାର ହାତ ଧରି ଧାଇଁ ଆସିଥିଲି କ’ଣ ସେଇ ହାତରୁ ନିର୍ମମ ପ୍ରହାର ପାଇବାକୁ ? ମାନି ବୋଉ, ମିକି ମମ୍ମିଙ୍କ ଗଳାରେ ଲମ୍ବା ଲମ୍ବା ସୁନାର ଅଳଙ୍କାର ଆଗରେ କଳା ଫିତା ପକା ତା’ ବେକକୁ ଦେଖି କେବେ ବି ତ ନିଜକୁ ହୀନ ମନେ କରି ନ ଥିଲା l କେବେ ବି ତ ଅଳି କରି ନ ଥିଲା ମୋତେ ସୁନାରେ ଛାଉଣୀ କରିଦିଅ ବୋଲି l ଘଟଣା ଚକ୍ରରେ ପଡି ଅନନ୍ୟୋପାୟ ହୋଇ ଯଦିବା ଆଜି ସେ ଟିକେ ଭୁଲ କରିଦେଲା, ସେଇଟା କ’ଣ ଏତେ ଗର୍ହିତ ଅପରାଧ ? ଶେଷରେ ଭଦ୍ର ସମାଜରେ ଚୁଟି ଧରି... ରାକ୍ଷସ ଭଳି ପିଟି ଚାଲିଲେ l ଛିଃ... ଛିଃ... ଧିକ୍କାର ଲାଗିଲା l ଧିକ୍କାର ଲାଗିଲା ମୋର ସେଇ ନିଷ୍ପତ୍ତିକୁ l ଘୃଣା ଲାଗିଲା, ଏମିତି ଗୋଟେ ରାକ୍ଷସକୁ ସ୍ୱାମୀ ବୋଲି ଗ୍ରହଣ କରିବାରୁ l ଧିକ୍କାର ଲାଗିଲା ନିଜକୁ l ନାଃ... ଦରକାର ନାହିଁ ମୋର କିଛି l ପଶିଗଲି ଶୋଇବା ଘରକୁ l ପଛେ ପଛେ ମୋ କୁନି ଛୁଆ l ଭୋ... ଭୋ... ହୋଇ ମାଆ ସାଥିରେ କାନ୍ଦ ମିଶାଉଥିଲା ବୋଧହୁଏ l ଏତେ ନିରାଶା ଆଉ ଅଭିଯୋଗ ପାଖରେ ମାଆର ମମତା ମଧ୍ୟ କ୍ଷଣିକ ପାଇଁ ହାଲ୍କା ପଡିଗଲା l ଶୁଣିପାରିଲିନି ତା’ର ବୁକୁଫଟା କାନ୍ଦ l ଦେଖିପାରିଲିନି ତା’ କାନ୍ଦୁରା ମୁହଁ l ଖଟ ଉପରେ ଥିବା ରଶିଟା ଉପରେ ନଜର ପଡିଗଲା l ବାସ୍...

କେହି କିନ୍ତୁ କବାଟ ବାଡେଇବାକୁ ଚେଷ୍ଟା କଲେନି l କେହି ଜାଣିବାକୁ ଚାହିଁଲେନି ଟୁକୁନା ଏତେ ଜୋରରେ କାହିଁକି କାନ୍ଦୁଛି l ତା’ ମାଆ କ’ଣ କରୁଛି ? ଭିତର କବାଟ ବନ୍ଦ କରି ଏପରି ପରିସ୍ଥିତିରେ ଜଣେ ସ୍ତ୍ରୀ ଲୋକ କ’ଣ କରୁଥାଇପାରେ ? ସମସ୍ତେ ଜାଣିଥିଲେ ମଧ୍ୟ ବାଧା ଦେବାକୁ କାହାର କାଣିଚାଏ ସୁଧା ଚେଷ୍ଟା ନ ଥିଲା l ମନ ମଧ୍ୟରେ ନିଶ୍ଚିତ ଏଇ ଧାରଣା ମୋ ମନ ଭିତରେ ଥିଲା ଯେ, କେହି ବୋଧହୁଏ କବାଟ ଭାଙ୍ଗି ଦଉଡି ଆସିବ... ମୋତେ ଅଟକାଇବ... ନାଃ... ସବୁ ସରିଗଲା l ମୁଁ ଛଟପଟ ହେଉଥିଲି l ବିକଳରେ ଶେଷ ଆଶା ବାନ୍ଧି ଝୁଲୁଥିଲି l କିଏ ଦଉଡି ଆସିବ ?

ନାଃ... ସବୁ ସରିଗଲା ପରେ ଜାଣିଲି ଏମାନେ ତ ଚାହିଁଥିଲେ ମୁକ୍ତି l


       ସବୁ ଜାଣି ନ ଜାଣିବା ଭଳି ଅଭିନୟ କରି ଚାଲିଥାନ୍ତି ମୋର ସ୍ୱାମୀ ଓ ଦିଅର l ମୋର ଶରୀରଟାକୁ କାନ୍ଧରେ ପକାଇ ନେଇ ଚାଲିଲେ ପାଖ ଡାକ୍ତରଖାନାକୁ l ଚାରିଆଡ ଅନ୍ଧକାର l ପବନ ସାଙ୍ଗକୁ ବର୍ଷା କେଉଁଠି ଥିଲା ମାଡି ଆସିଲା l ପାଖ ପଡିଶା ସାଙ୍ଗମାନଙ୍କ ଆଖିରେ ଲୁହ l ମନରେ କୋହ l କାହା ପାଟିରେ ଭାଷା ନାହିଁ l ସମସ୍ତେ ଭାବୁଥାନ୍ତି, ଏଇ ତ ଆମ ସାଙ୍ଗେ ହସଖୁସିରେ କଥା ହେଉଥିଲେ l ହଠାତ୍ ସବୁ କିଛି କେମିତି ଘଟିଗଲା ? କେହି ନିଜ ଆଖିକୁ ବୋଧହୁଏ ବିଶ୍ୱାସ କରି ପାରୁ ନ ଥିଲେ l ବିଚରା ପଡୋଶୀ ଭଦ୍ରଲୋକମାନେ ବିକଳ ହୋଇ ଇତସ୍ତତଃ ଧାଉଁଥାନ୍ତି l ବୋଧହୁଏ କ’ଣ ଗୋଟେ କରିଦେବାକୁ l

       ଜେନା ବାବୁ ପୂର୍ବ ଭଳି ବିକଳ ହୋଇ କହିଚାଲିଥାନ୍ତି, ଆରେ କିଛି ଗୋଟେ କର... ଜୀବନ ଅଛି... ଜୀବନ ଅଛି... ଆଉ ଫଲସ୍ ପଲସ୍ ବିଟ୍ ବି ଥାଏ l


       ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଅନ୍ଧାର ଆଉ ବର୍ଷାର ବାହାନା ଦେଖାଇ ନିର୍ଦ୍ଦେଶ ଦେଲେ ହସ୍ପିଟାଲକୁ ନେଇ ଯିବାକୁ l ସେତେବେଳକୁ ସମସ୍ତେ ଟେର ପାଇ ସାରିଲେଣି, ସବୁ ଶେଷ ହୋଇଯାଇଛି ବୋଲି l ସେଇ ପାଖ ସ୍ୱାସ୍ଥ୍ୟ କେନ୍ଦ୍ରରେ ଯେଉଁ ଆମ୍ବୁଲାନସ୍ ଥିଲା, ସେଇଥିରେ ପକାଇ ମୋର ଶରୀରଟିକୁ ନେଇ ଚାଲିଲେ ଆଠ କିଲୋମିଟର୍ ଦୂରରେ ଥିବା ଡାକ୍ତରଖାନାକୁ l ସେତେବେଳେ କିଛି ବନ୍ଧୁ କହୁଥିଲେ, ଆରେ ଚାଲ ଜଳେଇଦେବା l ବଡି ଜଳିଗଲେ ଆଉ କିଛି ଜଣା ପଡିବନି l ନହେଲେ ପୋଲିସ୍ କେସ୍ ହେବ l ଭଲ ହୋଇଛି, ସେମାନେ ମୋର ଶରୀରଟାକୁ ଜଳେଇ ଦେଲେନି l ନହେଲେ କିଛି ନିରୀହ ପଡୋଶୀ ଆଉ ବନ୍ଧୁ ପୋଲିସ୍ ଜାଲରେ ଛନ୍ଦି ହୋଇ ଯାଇଥାନ୍ତେ l ଡାକ୍ତରଖାନାରେ ପହଞ୍ଚିବା କ୍ଷଣି ଡାକ୍ତର ପ୍ରାଥମିକ ନିରୀକ୍ଷଣ ପରେ ଜଣାଇଦେଲେ – ମୃତ ବୋଲି l ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦେଲେ l କିଛି କ୍ଷଣ ପରେ ସେମାନେ ବି ଆସିଗଲେ l ଡାକ୍ତରବାବୁ ମଧ୍ୟ ଟିକେ ମୋ ଶରୀରଟାକୁ ଭଲ ଭାବେ ନିରୀକ୍ଷଣ କରିବାକୁ ଚାହିଁଲେନି l ହୁଏତ ସେ ହିଁ ଜାଣି ପାରିଥାନ୍ତେ ମୋ ଗାଲ ଆଉ ମୋ ପିଠିରେ ଥିବା କିଛିଟା ଚିହ୍ନକୁ l


       ପୋଷ୍ଟମର୍ଟମ୍ ହେଲା l ରିପୋର୍ଟରେ ମଧ୍ୟ ଗାଲରେ ଥିବା ଚିହ୍ନ ଆଉ ପିଠିରେ ଥିବା ଚିହ୍ନର ବର୍ଣ୍ଣନା ରହିଲାନି l ହୁଏତ ଡାକ୍ତରଙ୍କ ସନ୍ଦେହ ଚକ୍ଷୁ ସେ ଦିଗକୁ ଆକର୍ଷିତ ହେଲାନି l “ଆତ୍ମହତ୍ୟା... ଶ୍ୱାସରୁଦ୍ଧ ଅବସ୍ଥାରେ...” ପୋଲିସ୍ ମଧ୍ୟ ଘଟଣା ସ୍ଥଳରୁ ରଶିଟିକୁ ଉଦ୍ଧାର କଲା l ଆଉ କାହାର କିଛି ଜାଣିବାର ଅବକାଶ ରହିଲାନି l ତା’ପରେ ଶବସତ୍କାର l ଆଉ କାହାର ମୋ ପ୍ରତି ଦରଦ ରହିଲାନି l ସମସ୍ତଙ୍କର ଦରଦ ଢଳି ପଡିଲା ମୋ ସ୍ୱାମୀଙ୍କ ଉପରେ l ଆଉ ବେଶୀ ମୋ କୁନି ଛୁଆ ଉପରେ l ଦୁନିଆଯାକର ଗାଳି ପଡିଲା ମୋ ଉପରେ l ସ୍ୱାମୀ କ’ଣ ପଦେ କହିଦେଲେ ବୋଲି ସୁଇସାଇଡ୍ କରିଦେଲା l କି ନିର୍ଦ୍ଦୟ ସ୍ତ୍ରୀ ଲୋକଟେ l ପିଲାଟା ମୁହଁକୁ ବି ଚାହିଁଲାନି l ଇତ୍ୟାଦି... ଇତ୍ୟାଦି... ସେମାନଙ୍କ ଗାଳିର ତାଳେ ତାଳେ ମୋ ସ୍ୱାମୀଙ୍କର କୁମ୍ଭୀର କାନ୍ଦଣା l ଧନ୍ୟ ସେ ଆଖି l ଟୋପେ ତ ପାଣି ବାହାରୁ ନ ଥିଲା l ଖାଲି ଯାହା ପୋଛିବାର ଉପକ୍ରମ l ଅନ୍ୟମାନେ ସିନା ଦେଖି ପାରୁ ନ ଥିଲେ କି ଜାଣି ପାରୁ ନ ଥିଲେ, ମୁଁ କିନ୍ତୁ ଉପରେ ଥାଇ ଦେଖି ପାରୁଥିଲି ଆଉ ଜାଣି ପାରୁଥିଲି l ଏ ଅବସ୍ଥାରେ ମଧ୍ୟ ନୂଆ ସ୍ତ୍ରୀ ଆଭାସ ମଧ୍ୟ ତାଙ୍କ ମୁଣ୍ଡକୁ ଛୁଉଁଥିଲା l



କିଛି ଦିନ ପରେ ଘର ଖାଲି କରି ଘରର ଆସବାବ ପତ୍ର ଗୋଟିଏ ଟ୍ରକରେ ଲଦା ହେଉଥାଏ l ପାଖ ପଡିଶାର ସ୍ତ୍ରୀ ଲୋକମାନେ ବିକଳ ହୋଇ ନୀରବ ଦ୍ରଷ୍ଟା ସାଜି ନିଜ ନିଜର ଦ୍ୱାର ମୁହଁରେ ଛିଡା ହୋଇଥାଆନ୍ତି l କ’ଣ ବା ସେମାନେ ଜାଣନ୍ତି ? ଏବେ ସମସ୍ତଙ୍କର ଦରଦର ପାତ୍ର ଯେ ସେଠୀ ବାବୁ l ସମସ୍ତ ଆସବାବ ପତ୍ର ଲଦା ହେବା ପରେ ମୋ କୁନିକୁ ଧରି ଟ୍ରକରେ ବସିଲେ l କୁନି ମୋ ଆଡେ ଚାହିଁ କାନ୍ଦୁ ଥିଲା l ମୁଁ କାନ୍ଦୁଥିଲି l କେହି ଦେଖି ପାରୁ ନ ଥିଲେ l ହଁ... ଟ୍ରକ୍ ଯେମିତି ଷ୍ଟାର୍ଟ୍ ହେଲା ଚୁପଚାପ୍ ଦେଖୁଥିବା କୁକୁରମାନେ ହଠାତ୍ କାନ୍ଦିବା ଆରମ୍ଭ କରିଦେଲେ l ବୋଧହୁଏ ସେଇମାନେ ହିଁ ଦେଖିପାରୁଥିଲେ ମୋତେ l ଅବଶୋଶ ରହିଗଲା, କେହି ଜଣେ ହେଲେ ବି ମୋ କଥା ମନେ ପକାଇଲେନି l ଲୁହ ଗଡାଇବା ତ ଦୂରର କଥା l




Rate this content
Log in

Similar oriya story from Tragedy