STORYMIRROR

ଅନିଲ କୁମାର ଲେଙ୍କା

Tragedy Inspirational

3  

ଅନିଲ କୁମାର ଲେଙ୍କା

Tragedy Inspirational

ପ୍ରେମର ଆହତ ଠିକଣା

ପ୍ରେମର ଆହତ ଠିକଣା

5 mins
168


--ରାତି ସାତଟା ପାଖାପାଖି। ଝିଅ ପାପୁନର ସ୍କୁଲ୍‌ରୁ ଆସିବାକୁ ଆଉ କିଛି ସମୟ ବାକି। ଗଲାବେଳେ ବହୁତ କାନ୍ଦିକି କହିଥିଲା ଆଜି ବାବାଙ୍କୁ ଯେମିତି ହେଲେ କହିବ ସ୍କୁଲ୍‌ର ବାର୍ଷିକ ଉତ୍ସବକୁ ଯିବେ। ତୁମ ଦୁଇ ଜଣଙ୍କୁ ଯେମିତି ମୁଁ ମଞ୍ଚ ସମ୍ମୁଖରେ ଦେଖିବି।


-- ତାପସ କିନ୍ତୁ ଚିରାଚରିତ ଢଙ୍ଗରେ ଅଫିସରେ କାମ ଅଛି, ଆଜି ସେ ଯାଇ ପାରିବନି ବୋଲି ରୋକଠୋକ ଶୁଣେଇଲା ପରେ ପ୍ରେମଲତା ବହୁତ ଭାଙ୍ଗି ପଡିଥିଲା। ଗୋଟେ ବୋଲି ଛୁଆର ଅନୁରୋଧକୁ ବାପା ହିସାବରେ ଏମିତି ଏଡେଇ ଯିବାଟା କଦାପି ଠିକ୍ ନୁହେଁ। ଏ କଥା ଅନୁଭବ କରିବା ସତ୍ତ୍ୱେ ତାପସ ପାଖରେ ପ୍ରତିବାଦ କରି ନଥିଲେ। କାରଣ ପ୍ରତିବାଦ କରି ଘରେ ଆଉ ଏକ ମହାଭାରତର ଆଶଙ୍କାକୁ ଏଡେଇ ଚୁପ୍ ରହିବାକୁ ଠିକ୍ ମନେ କରିଥିଲେ ସେ।

--ଏଣେ ଦୁଃଖରେ ଜର୍ଜରିତ ହୋଇ ଖଟ ବାଡ଼ରେ ତକିଆଟା ରଖି ପିଠିକୁ ଆଉଜାଇ ଦେଇ ପ୍ରେମଲତା ବହି ପଢ଼ାରେ ମନୋନିବେଶ କରିଦେଲେ। ପ୍ରତିଭା ରାୟଙ୍କ “ଯାଜ୍ଞସେନୀ” ଉପନ୍ୟାସଟା ଆଉଥରେ ପଢିବା ଆରମ୍ଭ କରିଥିଲେ ସେ। ଲେଖିକାଙ୍କ ଭାବନା ସହ ତାଙ୍କ ଭାବନା ଖୁବ୍‌ ମେଳ ଖାଏ। ସେ ପାଇଁ ତାଙ୍କର ସବୁ ଉପନ୍ୟାସ ପାଇଁ ଯଥେଷ୍ଟ ଆଦର। 

--ପ୍ରେମର ଭାବନାରେ "ଜୀବନରେ କିଛି ନ ପାଇବା ପରେ ମଣିଷ ହାରିଯାଇ ସେଥିରୁ ସନ୍ନ୍ୟାସ ନେବା ପରିବର୍ତ୍ତେ, ସବୁ ପାଇ ସାରିବା ପରେ ସେ ସବୁରୁ ଅନାସକ୍ତ ରହିବାଟା ହିଁ ପ୍ରକୃତ ତ୍ୟାଗ। ସେ ହିଁ ଯୋଗୀ ଯିଏ ଏତେ ପ୍ରାଚୁର୍ଯ୍ୟକୁ ଆଡେଇ ଦେଇ, ନିଜ ସହ, ସମାଜ ତଥା ସବୁ ପରିସ୍ଥିତି ସହ ସହଜରେ ଖାପ ଖୁଆଇ ପାରେ।" 


-- ସ୍ୱାମୀ ତଥା ପରିବାର ପାଇଁ କମ୍ ତ୍ୟାଗ କରି ନଥିଲା ପ୍ରେମ। ବଦଳରେ ସ୍ୱାମୀଙ୍କ ପାଖରୁ ଅନେକ ସମୟରେ ପାଇଥିଲା କେବଳ ଅବହେଳା ଓ ଯାତନା। 


--ପ୍ରେମ ଓ ତାଙ୍କର ସ୍ୱାମୀ ଉଭୟ ସାହିତ୍ୟାନୁରାଗୀ । ପ୍ରେମ ଜଣେ ଉଚ୍ଚକୋଟୀର ସ୍ରଷ୍ଟା ହେଲେ ବି କେବେ ତାଙ୍କର କୌଶସି ଲେଖାକୁ ପତ୍ର ପତ୍ରିକାରେ ପ୍ରକାଶିତ କରିବାକୁ ଚାହାଁନ୍ତିନି କାରଣ ସବୁ ବେଳେ ସ୍ୱାମୀଙ୍କ ବାରଣର ଖଣ୍ଡା ତାଙ୍କ ମୁଣ୍ଡ ଉପରେ ଝୁଲୁଥାଏ। 


--କିନ୍ତୁ ଅପର ପକ୍ଷରେ ସେ ସର୍ବଦା ଚାହେଁ ତାଙ୍କ ସ୍ୱାମୀଙ୍କ ଲେଖା ଯାହା ଏତେ ଭଲ ନ ହେଲେ ବି ତାହା ଅଧିକ ପାଠକୀୟ ସ୍ୱୀକୃତି ଲାଭ କରୁ। ସେ ଅଧିକ ନା କରନ୍ତୁ । ତେଣୁ ନିଜର ପରିଚିତ ସାହିତ୍ୟିକ ବନ୍ଧୁ ମାନଙ୍କ ସାହାଯ୍ୟରେ ସ୍ୱାମୀଙ୍କ ସ୍ୱରଚିତ କବିତା/ଗପ ସବୁକୁ ପ୍ରକାଶିତ କରାଇ ନିଜେ ଖୁସି ହୁଅନ୍ତି ତଥା ତା ମାଧ୍ୟମରେ ସ୍ୱାମୀ ସହ କିଛି କଥା ହେବାର ସୁଯୋଗ ବି ଲାଭ କରନ୍ତି।ଆଉ ପ୍ରକାଶିତ ସବୁ ଲେଖାକୁ ନିଜ ଫେସବୁକରେ ପୋଷ୍ଟ କରିବାକୁ ଢୁଲନ୍ତିନି।

-- ଏ ଭିତରେ ଫେସବୁକ୍ ମେସେଞ୍ଜରରେ ଫୋନ୍‌ କଲଟିଏ ଆସିବା ଶବ୍ଦରେ ପ୍ରକୃତିସ୍ଥ ହେଲେ ପ୍ରେମ।

--ଆର ପଟରୁ ଶୁଭିଲା ନମସ୍କାର ମାଡାମ୍‌, ଖବର କାଗଜରେ ବାହାରିଥିବା ଆପଣଙ୍କ ପତିଦେବଙ୍କର 'ନାରୀ ଶକ୍ତି' ଲେଖାଟି ଖୁବ ଉଚ୍ଚକୋଟୀର ହୋଇଛି। ତାଙ୍କର ସମସ୍ତ ଲେଖା ମତେ ଆନନ୍ଦ ଦିଏ। ଆପଣ ଏମିତି ତାଙ୍କୁ ଉତ୍ସାହିତ କରନ୍ତୁ। ଆଉ ତାଙ୍କ ଲେଖନୀ ମାଧ୍ୟମରେ ସେ ଏମିତି ସମାଜକୁ ତଥା ନାରୀ ଜାତିର ସମ୍ମାନ ଓ ଉତ୍‌ଥାନ ପାଇଁ ପ୍ରେରଣାଯୁକ୍ତ ସୃଷ୍ଟି ଭେଟି ଦିଅନ୍ତୁ।

--କିଛି ସମୟ କଥାବାର୍ତ୍ତା ପରେ ଅପର ପଟରୁ ପ୍ରଶ୍ନ, ହଁ , ଆପଣଙ୍କ ଘରଟା କେଉଁଠି ମାଡାମ୍‌ ? ସେ ପଟୁ ସେ ପୁରୁଷ ପାଠକ ଫୋନ୍‌ରେ ପଚାରିଲେ ।

--ତାଙ୍କ ପ୍ରଶ୍ନରେ ହଠାତ୍ ଆବାକ୍ ହୋଇଗଲେ ପ୍ରେମ ! କି ଉତ୍ତର ବା ଦେବେ ! ତାଙ୍କ ପ୍ରଶ୍ନକୁ ଏଡେଇ ଯାଇ ଧନ୍ୟବାଦ ସହ ଅନ୍ୟ ସମ୍ଭାଷଣ ଜଣାଇବା ପରେ ସେ ଟିକେ ବ୍ୟସ୍ତ ଅଛନ୍ତି କହି ଫୋନ ରଖିଦେଲେ । 

--ସ୍ୱାମୀଙ୍କ ଲେଖାର ପ୍ରଶଂସା ଶୁଣି ପୁଲକିତ ହୋଇଥିବା ପ୍ରାଣରେ ନିମିଷକେ ଭରିଗଲା ଦୁଃଖର କଳାବାଦଲ ! ନାରୀ ଜାତିର ସମ୍ମାନ ପାଇଁ ଏତେ ଲେଖୁଥିବା ତାଙ୍କ ସ୍ୱାମୀ କେମିତି ନିଜ ସ୍ତ୍ରୀ କୁ ଏତେ ଅବହେଳା କରି ପାରନ୍ତି !ବିବାହର ଏତେ ବର୍ଷ ପରେ ବି "ଘର କେଉଁଠି ?" ପ୍ରଶ୍ନର ଉତ୍ତର ଦେବାରେ ସେ କାହିଁକି ଅକ୍ଷମ !

-- ମନକୁ ବାରମ୍ବାର ସେ ପଚାରିଲା, ଘର ? କେଉଁଠି ତା ଘର ? ଗୋଟେ ନାରୀର କଣ ଘର ଥାଏ ? ଝିଅ ବେଳେ ବାପାର ଘର, ବାହାଘର ପରେ ଶାଶୁ ଘର, ସ୍ୱାମୀଙ୍କ ସଙ୍ଗେ ରହିଲେ ସ୍ୱାମୀଙ୍କ ଘର, ଆଉ ବୁଢ଼ୀ ହୋଇଗଲେ ପୁଅ, ବୋହୁଙ୍କ ପାଖରେ ପୁଅ ଘର ବା ଝିଅ ଘରେ ରହିଲେ ଝିଅର ଘର ବୋଲି କୁହାଯାଏ । 

--ପିତାଙ୍କ ଘରର ସ୍ୱାଧୀନତା ତାକୁ ଶାଶୁଘରେ ବା ପତି ଘରେ କେବେ ବି ମିଳେନା । ନିଜକୁ ଯେତେ ତିଳ ତିଳ କରି ଦଗ୍ଧ କରି ପରିବାରକୁ ସବୁ ସୁଖ ଯୋଗାଇଲେ ବି, ତୁହାକୁ ତୁହା ପବନର ମାଡ଼ରେ କେବଳ ପରିବାର ତାକୁ ଅସହାୟ କରିଦିଏ। ସେଠି କେହି ତାକୁ ନିଜର ଭାବେନା, ନିଜ ଇଚ୍ଛା ସାବ୍ୟସ୍ତ କରିବାକୁ ଅନୁମତି ଦିଏନା। ଯେତେ କଠିନ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ବି ସେ ସବୁବେଳେ ଅଲୋଡା/ଅଦରକାରୀ ହୋଇ ରହିଯାଏ । 

--ଆଉ ଯଦି ତାକୁ ପୁଅ ଝିଅଙ୍କ ଘରେ ରହିବାକୁ ପଡେ ତେବେ ଜିବନଟା ବନ୍ଦୀ ପରି ଲାଗେ। ପୁଅ/ଝିଅଙ୍କ ଘରେ ତ ଖାଲି ମୁହଁ ଜାକି, ତିନିବେଳା ଗଣ୍ଡେ ଖାଇ, ସେମାନଙ୍କ ପିଲାମାନଙ୍କର ହେପାଜତ କରି କେବଳ ମୃତ୍ୟୁକୁ ଅପେକ୍ଷା କରିବା କଥା !

--କିନ୍ତୁ ଜଣେ ବିବାହିତ ନାରୀର ପ୍ରକୃତ ଘର ତ କେବଳ ତା ସ୍ୱାମୀର ହୃଦୟରେ, ସ୍ୱାମୀର କୋମଳ ବାହୁ ବନ୍ଧନରେ ଓ ମଧୁର ବଚନର ପରଶରେ ! 

--ସତରେ ଏତେ ପରେ ବି ପାଇପାରିଛି କି ପ୍ରେମ ସେଠି ଜାଗା ? କଣ ତାର ଭୁଲ ?କାହିଁକି ସେ ଆଜି ତାର ଘର ଠିକଣା କହିବାରେ ଅସମର୍ଥ !ସତରେ ତା ସ୍ୱାମୀର ହୃଦୟ ସ୍ପନ୍ଦନରେ ସେ ଠିକଣାଟେ ହୋଇ ପାରିଛି କି ?

--ନାଁ ! ଯେତେ ସ୍ନେହ, ଯତ୍ନ ତଥା ଆଦର ଓ ସମ୍ମାନ କଲେ ମଧ୍ୟ ସ୍ୱାମୀ ତାପସ ତା ପ୍ରତି ଖୁସି ନୁହନ୍ତି। କଥା କଥାକେ ଚିଡ ଚିଡ ପ୍ରଦର୍ଶନ କରିବା ସହ କେବେ କେବେ ଅନର୍ଗଳ ଗାଳି କରିବାରେ ବି ପଛାନ୍ତିନି। ପୁରୁଷପଣିଆର ଅହଂକାରରେ ପତ୍ନୀକୁ ଧୀକାର କରିବା ତାଙ୍କର ନିତି ଦିନିଆ କଥା। ଏ ସବୁକୁ ନିରବରେ ସହିଲା ପରେ ବି ପତିର ହୃଦୟରେ ସ୍ଥାନ ନ ପାଇବା ପ୍ରେମର ଭାଗ୍ୟର ବିଡମ୍ବନା ।

--ଆଉ ଏ କଥା ବି ପ୍ରେମ ଅନୁମାନ କରିପାରୁଥିଲା ଯେ ତାପସ ତା ପ୍ରତି ଅସୁଖୀ ହେବାର କାରଣ ସେ ଅନ୍ୟ ଆଡେ ଆଗ୍ରହୀ । ପ୍ରେମକୁ ଅଛପା ନଥିଲା ଯେ ତାପସ ତାଙ୍କର ନୂଆ ପ୍ରେମିକା ନିବେଦିତାର ପ୍ରେମରେ ସମ୍ପୂର୍ଣ୍ଣ ମତୁଆଲା। ନିବେଦିତା ଜଣେ ନାରୀ ହୋଇ ପ୍ରେମର ଘରେ ଭାଗ ବସାଇଛି । ପ୍ରେମ କେବେ କେବେ କାହା କାହା ଠାରୁ ଶୁଣେ, ତାପସ ନିବେଦିତାକୁ ଗୁପ୍ତରେ ବିବାହ କରିଛନ୍ତି । ବିରାଟ କୋଠା ତା ନା’ରେ ଲେଖି ଦେଇଛନ୍ତି ତାପସ। ନିବେଦିତାଙ୍କ ସହ ମିଳନର କଥାକୁ ଜାଣିବା ପରେ ବି ନିଜ ଶଙ୍ଖା ସିନ୍ଦୂରକୁ ବଞ୍ଚାଇବାକୁ ଯାଇ କେବେ ପ୍ରତିବାଦ କରି ନଥିଲେ ପ୍ରେମ ।

-- ପରୋକ୍ଷରେ ବହୁ ପ୍ରଚେଷ୍ଟା କରି ବିଫଳ ହେବା ପରେ ଖୁବ ନିରବ, ଶାନ୍ତ ହୋଇ ଯାଇଛି ପ୍ରେମ । ବୋଧହୁଏ ଭିତରେ ଯଥେଷ୍ଟ ସାହସ ନଥିଲେ ମଣିଷର ଅନ୍ତରାତ୍ମା ସ୍ଥିର ହୁଏନି । ଏହି ସ୍ଥିରତା ହିଁ ସବୁ ପରିସ୍ଥିତିକୁ ସମ୍ମୁଖୀନ କରିବାକୁ ସାହସ ଦିଏ । ବିପଦ ବିପଦ ବୋଲି କହି ହୁରି ପକାଇଲେ ବିପଦ ଟଳି ଯାଏନି, ବରଂ ମଣିଷକୁ ହଲାଇ ଦିଏ । ବୋଧହୁଏ ଗୋଟିଏ ନାରୀ ସବୁ କିଛି ସହିବାକୁ ଶକ୍ତି ପାଇଥାଏ ତେଣୁ ଘରର ଏତେ ଅସ୍ଥିରତା ତାକୁ ବିଚଳିତ କରେନି । 

--ପ୍ରେମ ତଥାପି ଆଶାବାଦୀ, ଦିନେ ସତ୍ୟର ଅନୁଭବ କରାଇ ତାପସକୁ ବାଟକୁ ଆଣିବ ନିଶ୍ଚୟ ।

--କିଏ କୁହେ ମିଛକୁ ପୋଷାକ ପିନ୍ଧିବାକୁ ପଡେ, ମାତ୍ର ସତ କହିବାକୁ, ମୁହଁରେ ଆବରଣ ଢାଙ୍କିବାକୁ ପଡୁଛି । ସମାଜର ଏମିତି ଅକୁହା ସମସ୍ୟାକୁ ଉନ୍ମୋଚନ କରିବା ପାଇଁ ସେ ଛଦ୍ମ ନାମରେ ତା ଲେଖା ପ୍ରକାଶ କରେ ଫେସବୁକରେ। ତା ସ୍ୱାମୀଙ୍କ ପ୍ରତିପତ୍ତି, ପ୍ରତିଷ୍ଠା ଓ ସମ୍ମାନରେ ଆଞ୍ଚ ନ ଆଣୁ ବୋଲି ସବୁବେଳେ ଚେଷ୍ଟା କରି ଆସିଛି। ସ୍ୱାମୀଙ୍କ ସମ୍ମାନ ରେ କାଣିଚାଏ ଆଞ୍ଚ ଆଣିନି।

-- ଏମିତି ପ୍ରେମ ଭଳି ଚରିତ୍ର ସମାଜରେ ଅଭାବ ନାହାନ୍ତି । ସ୍ୱାମୀଙ୍କ ପ୍ରତି ଏତେ ତ୍ୟାଗ, ଅନୁରକ୍ତି ରଖିବା ସହ ଆନୁଗତ୍ୟ ପ୍ରକାଶ କରିବା ପରେବି କାହିଁକି ଏତେ ଅବହେଳିତ ହୁଅନ୍ତି ବୁଝି ହୁଏନା ! ଶଙ୍ଖା ସିନ୍ଦୂର ନାଇ ବି ନିଜର ଠିକଣା କହିବାରେ ଅକ୍ଷମ ହୁଅନ୍ତି ଭାବିଲେ ଦୁଃଖ ଲାଗେ। 

--ଆଉ ତାପସ ଭଳି କାପୁରୁଷ ମାନଙ୍କ ପ୍ରାବଲ୍ୟତା ସମାଜକୁ ଅବ୍ୟାବସ୍ଥିତ କରିଦିଏ ଓ ସାମାଜିକ ବିଶୃଙ୍ଖଳାକୁ ବାଟ କଢାଏ। ବହୁ ନାରୀଙ୍କ ଠିକଣା ହେବାରେ କି ଆନନ୍ଦ ପାଆନ୍ତି କେଜାଣି ?

--ଦିନେ ଏ ସମୟ ଅପସରି ଯିବ । ବୁଝିଲା ବେଳକୁ ନେଡିଗୁଡ କହୁଣୀକୁ ବୋହି ଯାଇଥିବ। ତେଣୁ ବେଳ ହୁଁ ସାବଧାନ ହେବା ଉଚିତ। ନାରୀ ସବୁ ସହି ଯାଏ ବୋଲି ତାକୁ ଦୁର୍ବଳ ମନେ କରିବା ଆମ ବୋକାମୀ ନୁହେଁ କି ? ପାରିବାରିକ ବାତାବରଣକୁ ସୌହାର୍ଦ୍ଦ୍ୟପୂର୍ଣ୍ଣ କରିବା ସହ ପତି ପତ୍ନୀଙ୍କ ମଧ୍ୟରେ ମଧୁର ସମ୍ପର୍କ ରହିଲେ ମାନବୀୟ ମୂଲ୍ୟବୋଧ ଅବକ୍ଷୟକୁ ରୋକାଯାଇ ପାରିବ।



Rate this content
Log in

Similar oriya story from Tragedy