Siddhartha Tripathy

Drama Tragedy Inspirational

4  

Siddhartha Tripathy

Drama Tragedy Inspirational

ପ୍ରେମିକର ଚିଠି

ପ୍ରେମିକର ଚିଠି

2 mins
257


 ହେ ମୋର ପ୍ରାଣପ୍ରିୟା, ପ୍ରେୟସୀ !


ମୋର ଅତ୍ୟନ୍ତ ଦୁଃଖଦ ସମୟରେ ତମେ ମୋର ହାତ ଧରି ଆଗକୁ ବଢେଇନେଲ । ସେହି ଦୁର୍ବିସହ ମୁହୂର୍ତ୍ତରେ ହୁଏତ ତମେ ମୋ ଜୀବନ ପରିଧିରେ ପ୍ରବେଶ କରିନଥିଲେ ମୁଁ ଏଇ ଦୁନିଆର ଆଲୋକ ଦେଖିବାକୁ ଆଜି ନଥାନ୍ତି । ମୋର ମନେଅଛି ପ୍ରିୟେ ସେହି କାଳରାତ୍ରି। ଝିପିଝିପି ବର୍ଷା ସାଙ୍ଗକୁ ବିଜୁଳିର ଚମକ। 


ହେ ଜୀବନଦାୟିନୀ !


ସେଇ ମଧ୍ଯ ରାତ୍ରିରେ ନିଜର ଜୀବନ ଈତିହାସର ପୃଷ୍ଠା ଚିରିଚିରି ବାଇକ ସହ ମୁଁ ଗଡିଚାଲିଥିଲି ରାୟଗଡାଜିଲ୍ଲା କୈଳାଶକୋଟା ଘାଟିରେ ତଳକୁ ତଳକୁ । ମୁଦି ହୋଇଆସୁଥିଲା ଆଖି । ଯମରାଜ୍ ବଢାଇ ସାରିଥିଲେ ହାତ। ମୋ ହାତକୁ ଧରିନେଇଥିଲେ । ସେଇ ଶକ୍ତ ହସ୍ତର ବନ୍ଧନ ବହୁତ କଠୋର ଥିଲା । ମୁଁ ନିଜକୁ ସମର୍ପଣ କରିସାରିଥିଲି ଯମରାଜଙ୍କ ପାଖରେ। 


ହେ ପ୍ରାଣପ୍ରିୟା !

 

ହଠାତ୍ ମୋ ମୁଣ୍ଡରୁ ବାହାରକରିନେଲ ହେଲମେଟଟି। 

ଝିପଝିପ ବର୍ଷା ସାଙ୍ଗକୁ ତମର ସୁନ୍ଦର ଆଲିଙ୍ଗନରେ କି ଯାଦୁ ଥିଲା କେଜାଣି, ମହକି ଉଠିଲା ମୋ ଶରୀର । ଅର୍ଦ୍ଧଚେତନ ଶରୀରରେ ଜାଗ୍ରତ ହେଲା ଆଶାର କିରଣ ।


ଚେଇଁ ଉଠିଲି ମୁଁ । ଫେରି ଆସିଲି ମ୍ରୁତ୍ୟୁ ମୁଖରୁ। ସେଇରାତିଠାରୁ ଶୟନେ, ସପନେ ତମେ ହିଁ ଥିଲ ମୋ ଅଭିସାରିକା, ସଂସାରହୀନ ଅଲୋଡା ଲୋକଟାର ସଂସାର। ରାତିସାରା ପ୍ରେମ ପ୍ରଣୟର ବାସ୍ନାରେ ମହମହ ହେବାରେ ଲାଗିଲା ଜୀବନ।


ଶୁଣିଥିଲି ପ୍ରେମ କେତେବେଳେ କେମିତି ହୋଇଯାଏ ଜାଣିହୁଏନା । ଏମିତି ବି ଶୁଣିଛି ପ୍ରେମ ଚିରସ୍ଥାୟୀ କେବଳ ପୁସ୍ତକରେ । ପ୍ରଣୟର ପ୍ରବେଶରେ ପ୍ରେମର ଅନ୍ତ। କିନ୍ତୁ....

ତମେ କହିଲ, ଆମେ ତ ସବୁକିଛିର ଅନୁଭୂତି ସାଉଁଟିଛେ, କିନ୍ତୁ ଆମର ତ ବିଚ୍ଛେଦ ହୋଇନାହିଁ କି ହେବାର ବି ନାହିଁ।


ହେ ଚାନ୍ଦର ଚାନ୍ଦିନୀ !


ଆଜି ଯୌବନ, ବାର୍ଦ୍ଧକ୍ଯର ମଧ୍ଯଭାଗରେ ତମର ଦୃଢ଼ ଆଲିଙ୍ଗନ ଭିତରେ ଥାଇ ବି ନିଜକୁ ଅସହାୟ ମଣି ତମକୁ ଦୁଃଖ କଲାବେଳେ ଲକ୍ଷ୍ୟ କରୁଛି, ତମ ଆଖିରେ ଲୋତକର ବନ୍ୟା । 


ହେ ମୋର ପ୍ରେରଣାଦାୟୀ !


କଣ ଆଜି ତମେ ବି ଅସହାୟ ? ମୋର ଶାନ୍ତିର କପୋତ ସାଜି ମୋତେ ଗାଇବାକୁ ବାଧ୍ଯ କଲ ଏଇ ରାଗ ::...

ମୋ ମନେ ପ୍ରେମ ସଜେଇ, 

ତୁ ନେଲୁ ମୋତେ ଉଡେଇ,

ଜୀବନଟା ଲାଗେ ସ୍ୱପ୍ନଭରା । 

ହାଏରେ ହାଏ ତୋର ସାହାରା, 

ଶୁଆଇ ଦେଉନି ରାତିସାରା । 


କିନ୍ତୁ ହଠାତ୍ .....


ହେ ମୋର ସ୍ୱପ୍ନର ନାୟିକା !


ଛାଡିଦେଲ ହାତ, ଛିଣ୍ଡିଗଲା ଗୁଡି, ହାତରେ ରହିଗଲା ଗୁଡିର ଅଡୁଆ ସୁତା । ମୋର ପ୍ରଶ୍ନ ଥିଲା ଅସମୟରେ ହାତଧରି ବଞ୍ଚିବାର ରାସ୍ତା ଦେଖାଇଲ, ଅଥଚ ଆଜି.....!

ଖୋଜିନେଲ ଆଧୁନିକ ପ୍ରେମିକ । ମୋର ପ୍ରଶ୍ନ ଥିଲା ଏମିତି କେମିତି ହେଲା ? ତମର ପ୍ରେମ ବଢିଗଲା ଉଦ୍ଧ୍ରୁତ (Quotes ), ପାଶ୍ଚାତ୍ଯ ସଂସ୍କୃତିର ଛୁଙ୍କ ଦେଉଥିବା ଲେଖକ ପାଖରେ । ଛତୁ ଫୁଟିଲା ପରି ଇଂରାଜୀ ଛୁଙ୍କଦିଆ ଓଡିଆ ପୁସ୍ତକରେ। 


ହେ ପ୍ରେମ ପ୍ରଣୟିନୀ ! 


ମୁଁ ଜାଣେ ଏକବିଂଶ ଶତାବ୍ଦୀର ଦ୍ୱାହିଦେଇ ତମେ ଆଜି ମୋଠାରୁ ବହୁତ ଦୁରରେ । କିନ୍ତୁ ହେ ମୋର ବାଟଭୁଲା ପ୍ରେମିକା ! ମୋର ବିଶ୍ବାସ ତମେ ପୁଣି ଫେରିବ ତମର ପୁରୁଣା ପ୍ରେମିକ ପାଖକୁ । ତମେ ମୋତେ ବଞ୍ଚିବାର ରାହା ଦେଖାଇ ଯେଉଁ ସ୍ତରରେ ପହଞ୍ଚାଇ ସାରିଛ, ସେଠାରୁ ମୋର ଆଉ ଫେରିବାର ନାହିଁ କି ବଦଳିବାର ନାହିଁ । ମନେରଖ ତମେ ହିଁ ଫେରିବ ମୋ ପାଖକୁ । ହଁ ଆଶାକୁ ନେଇ ମନୁଷ୍ଯ ବଞ୍ଚେ । ମୁଁ ଆଶାବାଦୀ, ତମେ ଖୁବଶୀଘ୍ର ଫେରିବ ମୋ ପାଖକୁ ସେହି ପାଶ୍ଚାତ୍ଯ ସଂସ୍କୃତିର ଛୁଙ୍କକୁ ବିଦାୟ ଦେଇ। କାରଣ ତମେ ପରା ମୋ ପ୍ରେମିକା ସାହିତ୍ୟ । ତମେ ନିଜେ ସମ୍ୱିଧାନ । 


ହେ ମୋର ଚିର ନଶ୍ୱର ପ୍ରେମିକା "ସାହିତ୍ୟ", ଏ ଅକିଞ୍ଚନ ପ୍ରେମିକର ଅପେକ୍ଷା ତମ ଫେରିବା ବାଟକୁ !


 ଇତି,

 ତୁମର ପ୍ରେମିକ, 

 'ସିଦ୍ଧାର୍ଥ ଶଙ୍କର'


Rate this content
Log in

Similar oriya story from Drama