Abhiram Mandal

Inspirational

5.0  

Abhiram Mandal

Inspirational

ପ୍ରେମ ପ୍ରତିଧ୍ୱନି

ପ୍ରେମ ପ୍ରତିଧ୍ୱନି

13 mins
378


ମିତା...ନାଁ' ଟି ସିନା ଛୋଟ, ହେଲେ ସେ ଦଖଲ କରିନେଇଛି ମୋ ହୃଦୟର ଏକ ବିରାଟ ଅଞ୍ଚଳକୁ । ତାକୁ ନେଇ ମୁଁ କେତେ ସ୍ୱପ୍ନ ନ ଦେଖିଛି । ତାର ଖିଲିଖିଲି ହସ, ମଖମଲି ବେଶ, ଥିରିଥିରି ଚାଲି, ମଧୁ ବୋଳା ବୋଲି ସବୁ ମତେ ପାଗଳ କରିଛି । ଦିନେ ତାକୁ ନେଇ ମୋ ମନ ଆକାଶରେ ଅସୁମାରି ଇନ୍ଦ୍ରଧନୁ ଗଢି ତୋଳିଥିଲି, ଆଉ ଆଜିବି ତୋଳି ଚାଲିଛି । ତାର କ୍ଷଣିକ ଦର୍ଶନ ମୋ ମରୁଭୂମି ସମ ଉତ୍ତପ୍ତ ହୃଦୟରେ ସୃଷ୍ଟି କରିଛି ସାତ ମେଘର ସମ୍ଭାର । ମୋ ମନ ବଗିଚାର ସେ ଏକ ପାରିଜାତ ପୁଷ୍ପ । ଦିନ ଥିଲା ମୋ ଦିନଟା ତା' ଠାରେ ଆରମ୍ଭ ହେଇ ତା' ଠାରେ ହିଁ ଶେଷ ହେଉଥିଲା । କେତେ କେତେ ରାତି ମୋର ଅନିଦ୍ରାରେ ନ କଟିଛି..? ଖାସ ତାରି ପାଇଁ... ଖାସ ତାରି ପାଇଁ ।


ଆଜି ସେଇ ମିତା ମୋର ନିଜର, ଏକାନ୍ତ ନିଜର । ଦୁଇ ମାସ ହେଲା ବାହାଘର ସରିଛି । ତାକୁ ପାଇ ମୋ ଜୀବନରେ ପରିପୂର୍ଣ୍ଣତା ଆସି ଯାଇଛି । ଏଇ ଦୁଇ ମାସରେ ମୁଁ ପାଇଛି ଭରପୁର ପ୍ରେମ । ଯାହାକୁ ଆଜି ଯାଏ ଖାଲି ମନରେ ଭାବୁଥିଲି, ସେଇଟା ବାସ୍ତବର ରୂପ ନେଇଛି । ମୁଁ କେବେ ଆଶା କରି ନଥିଲି ସେ କେବେ ମୋ ଜୀବନରେ ଆସିବ ବୋଲି । କିନ୍ତୁ ହୃଦୟର ପ୍ରକୃତ ପ୍ରେମକୁ ଯେ ଭଗବାନ ସାହା ହୁଅନ୍ତି ଏଇଟା ଆଜି ମୁଁ ମର୍ମେ ମର୍ମେ ଉପଲବ୍ଧି କରୁଛି । ତା ହାତର ପରଶରେ ମୋ କୁଡ଼ିଆ ଆଜି ମହଲ ହେଇ ଯାଇଛି । ଦିନେ ଭାବୁଥିଲି ମୋ ପ୍ରେମର ପ୍ରତିଧ୍ଵନି ମୁଁ କେବେ ବି ଶୁଣି ପାରିବିନି । ହେଲେ ମୋର ସବୁ ଭାବନା ଭୁଲ ପ୍ରମାଣିତ ହେଇଛି ।


-"କଣ ଏତେ ଭାବୁଛ ? ମୁଁ ସେତେବେଳୁ ଆସି ତମ ପାଖରେ ଠିଆ ହେଇଛି, ହେଲେ ତମର ଧ୍ୟାନ ନାହିଁ, ପୁରା ଭାବନାରେ ମଗ୍ନ ।"

ମୁଁ ମିତାକୁ ଚାହିଁଲି । କମନୀୟ ମୁଖ ମଣ୍ଡଳ, ଆଖିରେ ଦୁଷ୍ଟାମୀ, ଓଠରେ ସରୁ ହସ । କହିଲି-" ମୁଁ ଜାଣେ ତମେ ଆସିଛ ବୋଲି, ହେଲେ ମୁଁ ଜାଣି ଶୁଣି ତମ ଆଡେ ଚାହିଁନି ।"

-"କାହିଁକି...? ମୁଁ କଣ ଏତେ ଖରାପ...।"

-"ଉଁ..ହୁଁ..ତମେ ଖରାପ ହେଇଥିଲେ ତମକୁ କଣ ମୋ ହୃଦୟର ଅଧିଶ୍ୱରୀ କରି ଥାନ୍ତି ? ତମେ ତ ଜାଣ ମୋ ପ୍ରତିଟି ସ୍ପନ୍ଦନରେ ତମେ...ଖାଲି ତମେ...।"

-"ଯା...ତମର ଯେଉଁ କଥା...? "

-"ସତ କହୁଛି, ତମକୁ ପାଇ ମୁଁ ଆଜି ଧନ୍ୟ ହେଇ ଯାଇଛି । ଲାଗୁଛି ମୁଁ ସବୁ କିଛି ପାଇ ଯାଇଛି । ତମେ ଆଣି ଦେଇଛ ମୋ ଜୀବନରେ ପରିପୂର୍ଣ୍ଣତା । ତମ ବିନା ମୁଁ ଅଧା...ଖାଲି ଅଧା...।"

-"ସତରେ ତମେ ମତେ ଏତେ ଭଲ ପାଅ ?"

-"କଣ କରିଲେ ତମର ବିଶ୍ୱାସ ହେବ ? ପରୀକ୍ଷା ନେବାକୁ ଚାହଁ ?"

-"ଆଉ ପରୀକ୍ଷା...? ନା ବାବା ନା...ତମେ ତ ଆଜି ଯାଏ ଖାଲି ପରୀକ୍ଷା ହିଁ ଦେଇ ଆସିଛ । ଆଉ ଏବେ ଏବେ ରେଜଲ୍ଟ ଆସିଛି, ଯେଉଁଥିରେ ତମେ ଫାଷ୍ଟ କ୍ଲାସ ଫାଷ୍ଟ .... ।"

-"ତା ହେଲେ ମୋ ଭଲ ପାଇବା ପ୍ରତି ତମର ସନ୍ଦେହ ନାହିଁ ନା...?"

-"ନା..ମୋ ଧନ...ତମର ଭଲ ପାଇବା ଏକ କୋହିନୂର ହୀରା, ଯାହା ସବୁ ବେଳେ ଚକ ଚକ କରୁଥିବ ଆଉ ତାକୁ ମୁଁ ମୋ ହୃଦୟ ସିନ୍ଦୁକରେ ସାଇତି ରଖିଥିବି ।"

-"ସତ୍ୟ...?"

-"ସତ୍ୟ...ସତ୍ୟ...ତ୍ରିବାର ସତ୍ୟ...।"


ମୁଁ ଚାହିଁରହିଥିଲି ମିତାର ସେ ଢଳ ଢଳ ଦିପ୍ତିମନ୍ତ ଆଖିକୁ । ତା ଆଖିରେ ମତେ ଦିଶୁଥିଲା ମୋ ପ୍ରତି ବିଶ୍ୱାସ ଆଉ ଭଲ ପାଇବାର ପ୍ରତିଶୃତି, ଯାହାକୁ ହାସଲ କରିବା ପାଇଁ ମତେ ଅନେକ ଦିନ ଅପେକ୍ଷା କରିବାକୁ ପଡିଲା । ହେଲେ ଆଜି ମୁଁ ବହୁତ ଖୁସି ।

-"କଣ ଦେଖୁଛ..?" ପଚାରିଲା ମିତା ।

-"ତମର ଏଇ ନୀଳ ସାଗର ପରି ଗଭୀର ଆଖି ଯୋଡିକୁ ।"

-"ମୋ ଆଖିରେ ଏମିତି କଣ ଅଛି ଯେ...?"

-"ବହୁତ କିଛି..ତମର ଏଇ ଆଖିରେ ମୁଁ ଦେଖି ପାରୁଛି ମୋ ପ୍ରେମର ପ୍ରତିଛବିକୁ..."

-"ସତେ ନା କଣ.." ଆଖି ମିଟିକା ମାରି ମିତା କହିଲା ଆଉ ଏକ ପ୍ରେମ ଭରା ଚାହାଁଣୀରେ ମୋ ଆଡେ ଚାହିଁ ରହିଲା । ତା ଚାହାଁଣୀରେ ମୁଁ ମୋହିତ ହେଇଗଲି । ଅତି ଆବେଗରେ ତାକୁ ଧରିନେଲି । ଶିହରି ଉଠିଲା ସେ । ପ୍ରେମର ଦିଗବଳୟରେ ହଜି ଯିବାକୁ ଇଛା ହେଉଥିଲା । ମିତା କିନ୍ତୁ ଅଟକାଇ ଦେଇ କହିଲା-"ନା..ଧନ...ଏବେ ନୁହେଁ...ପ୍ଲିଜ..ଛାଡିଦିଅ...ମୁଁ ଚା'ଟା ବସେଇ ଆସିଛି...ପ୍ଲିଜ..."


ଛାଡିଦେଲି ତାକୁ, ସେ ଚାଲିଗଲା ରୋଷେଇ ଘରକୁ ଆଉ ମୁଁ ଘାଣ୍ଟି ଚାଲିଲି ମୋ ଜୀବନର ଅଭୁଲା ଅତୀତ କୁ....


ମିତା ଆଉ ମୁଁ ଦୁହେଁ ଥିଲୁ ଖେଳ ସାଥି । ସେ ମୋଠୁ ଦୁଇ ବର୍ଷ ସାନ । ଘର ପାଖରେ ଘର । ପିଲା ଦିନେ ଆମେ ଏତେ ସାଙ୍ଗ ହେଉଥିଲୁ ଯେ ଗାଁରେ ଲୋକେ ଆମକୁ ଚିଡ଼େଇବା ପାଇଁ କୁହନ୍ତି, ତମ ଦୁହିଁଙ୍କର ବାହାଘର ହବ କି ? ମୁଁ ଚୁପ ରହିବା ବେଳେ ମିତା ଫିକ କରି ହସି ଦେଇ କହୁଥିଲା-"ହଁ ଆମେ ବଡ ହେଲେ ବାହା ହବୁ ।" ତାର ସେ କଥା ମତେ ବହୁତ ଭଲ ଲାଗୁଥିଲା । ସେତେବେଳେ ଆମେ ବୋହୁବହୁକା ଖେଳ ବି ଖେଳୁଥିଲୁ । ସେ ମିଛି ମିଛିକା ମୋ ସ୍ତ୍ରୀ ହଉଥିଲା ଆଉ ମୁଁ ତା ସ୍ୱାମୀ । ଆମେ ଷଡ଼େଇ ଆଉ ଧୂଳିରେ ଭାତ ଡାଲି ରାନ୍ଧି ଖେଳୁଥିଲୁ ।


ଏମିତି ଖେଳରେ ଖେଳରେ ମୋର ତା ପ୍ରତି କେମିତି ଏକ ଦୁର୍ବଳତା ସୃଷ୍ଟି ହେଇ ସାରିଥିଲା । ସେଇ ଦୁର୍ବଳତା ଯେ ପ୍ରେମ ଏକଥା ସେତେବେଳେ ସେ ଜାଣିଥିଲା ନା ମୁଁ । ମୁଁ ତାକୁ ସବୁବେଳେ ମୋ ପାଖରେ ଦେଖିବାକୁ ଚାହୁଁଥିଲି । ଯଦି କୌଣସି କାରଣରୁ ସେ ମୋ ପାଖକୁ ଆସୁନଥିଲା ତେବେ ମତେ କିଛି ବି ଭଲ ଲାଗୁନଥିଲା । ଏମିତି ଏମିତି ଦିନ ପରେ ଦିନ ବିତି ଚାଲିଲା । ଆମେ ସ୍କୁଲ ଗଲୁ । ସାଥି ହେଇ ପାଠ ପଢ଼ିଲୁ । ସେତେବେଳ ଯାଏ ସବୁ କିଛି ଠିକ ଥିଲା । ଆମ ବନ୍ଧୁତାରେ କିଛି ବି କମି ହେଇ ନଥିଲା । ଧୀରେ ଧୀରେ ଆମେ ଯୌବନର ପ୍ରଥମ ପାହାଚରେ ପାଦ ରଖିଲୁ । ସେତେ ବେଳେ ମିତାକୁ ନେଇ ମୋ ଆଖିରେ ଅନେକ ସ୍ୱପ୍ନ ଆସିଲା । ମୁଁ ସେତେବେଳେ ବୁଝି ପାରିଲି ଗୋଟେ ପୁଅ ଆଉ ଝିଅ ମଧ୍ୟରେ ସମ୍ପର୍କଟା କଣ ? ମିତା ପ୍ରତି ମୋର ଆକର୍ଷଣ ବଢି ଚାଲିଲା । ମୁଁ ତାକୁ ମନେ ମନେ ଭଲ ପାଇ ବସିଲି । କିନ୍ତୁ ଏ କଥା ମୁଁ ତାକୁ କେବେ କହି ନଥିଲି । ଡରୁଥିଲି... ସେ ଯଦି ମନା କରିଦିଏ ତେବେ ମୋ ସ୍ୱପ୍ନର ସୌଧଟା ଭାଙ୍ଗି ଚୁରମାର ହେଇ ଯିବ । ଜାଣି ନଥିଲି ତା ମନରେ କଣ ଅଛି । ସେ ମତେ ଭଲ ପାଏ କି ନ ପାଏ ଏକଥା ବି ଜାଣି ନଥିଲି । ହେଲେ ମୁଁ ତାର ପ୍ରତିଟି କଥାର ଧ୍ୟାନ ରଖୁଥିଲି ଆଉ ତା ପ୍ରତି ଖୁବ ଯତ୍ନଶୀଳ ବି ହେଉଥିଲି ।


ସ୍କୁଲ ପଢା ସରିବା ପରେ ଆମେ କଲେଜ ଗଲୁ । ସବୁଦିନ ସାଥି ହେଇ କଲେଜ ଯାଉ ଆଉ ସାଥି ହେଇ ଫେରୁ । ସବୁ କିଛି ଠିକ ଠାକ ଚାଲିଥିଲା । ହେଲେ ଦିନ କେଇଟା ପରେ ମିତାର ରଙ୍ଗଢଙ୍ଗ ବଦଳିଲା ଭଳି ଲାଗିଲା । ତା କଥାବାର୍ତ୍ତା ଆଉ ବ୍ୟବହାର କେମିତି ଗୋଟେ ଖାପଛଡ଼ା ଲାଗିଲା । ମୁଁ କାରଣ ଜାଣିବାକୁ ଚେଷ୍ଟା କଲି । ହେଲେ କିଛି ଜାଣି ପାରିଲି ନାହିଁ । ମିତାକୁ ପଚାରିବାରୁ ସେ ମତେ ଏଣୁ ତେଣୁ କଥା କହି ବାଆଁରେଇ ଦେଲା । ମୋ ମନ ବୁଝି ନଥିଲା । ମୁଁ ଚେଷ୍ଟା ଜାରି ରଖିଲି ସେ କାରଣଟା ଜାଣିବା ପାଇଁ ।


ଦିନେ କଲେଜରେ ମିତାକୁ ଅନ୍ୟ ଜଣେ ଯୁବକ ସହ ଗପୁଥିବାର ଦେଖିଲି । ପ୍ରଥମେ ପ୍ରଥମେ ମୁଁ କଥାଟାକୁ ନଜର ଅନ୍ଦାଜ କରୁଥିଲି । ହେଲେ ଯେତେବେଳେ ସେଇ ପିଲାକୁ ମୁଁ ବାରମ୍ବାର ମିତା ସହ ଦେଖିଲି, ମୋର ସନ୍ଦେହ ହେଲା । ଘଟଣା ସମ୍ପର୍କରେ ଅନୁସନ୍ଧାନ କରି ଜାଣିବାକୁ ପାଇଲି ତା' ନାଁ ଶୋଭନ ଦାସ । ଆମ ଉପର କ୍ଲାସରେ ପଢେ । ଶାନ୍ତ, ଭଦ୍ର ପିଲାଟିଏ । ସୁନ୍ଦର ଆକର୍ଷକ ଚେହେରାର ଅଧିକାରୀ । ହେଲେ ମିତାର ତା' ସହ କାମ କଣ ? ଦିନେ କଲେଜରୁ ଫେରିଲା ବେଳେ ମୁଁ ତାକୁ ଶୋଭନ ବିଷୟରେ ପଚାରିଲି । ଶୋଭନ ନାଁ ଶୁଣି ସେ କିଛି ସମୟ ଗୁମ ଖାଇଗଲା । ମୁଁ ପୁଣି କଥାଟାକୁ ରିପିଟ କରିବାରୁ ସେ ଶୋଭନକୁ ଭଲ ପାଏ ଵୋଲି କହିଲା। କାନକୁ ବିଶ୍ୱାସ କରି ପାରିଲି ନାହିଁ । ମୋ ପାଦ ତଳର ମାଟି ଖସିଲା ଭଳି ଲାଗିଲା । ମୋ ହୃଦୟରେ ମିତା ପାଇଁ ଗଢ଼ିଥିବା ପ୍ରେମର ତାଜମହଲ ଖଣ୍ଡଖଣ୍ଡ ହେଇ ଭାଙ୍ଗିବାକୁ ଆରମ୍ଭ କଲା । ପ୍ରତିବାଦ କଲି ।


-"ତମେ ଏ କଣ କହୁଛ ମିତା ? ଏ ସବୁ ତମେ କେମିତି କରି ପାରିଲ ?"

-"ମାନେ..?"

-"ପିଲାଟି ଦିନରୁ ଆଜି ଯାଏ ମୁଁ ତମକୁ ନେଇ ସ୍ୱପ୍ନ ଦେଖି ଆସିଛି । ତମକୁ ମୋ ଜୀବନର ଏକ ଅଂଶ ବୋଲି ଭାବି ନେଇଛି । କିନ୍ତୁ ତମେ...?"

-"ତମେ କଣ କହିବାକୁ ଚାହଁ ...?"

-"ଆଜି ଯାଏ ଯାହା କହି ନଥିଲି, ଆଜି କହୁଛି.... ମୁଁ ତୁମକୁ ଭଲ ପାଏ....ବହୁତ ଭଲ ପାଏ ମିତା.."


ମୋ କଥା ଶୁଣି ସେ ତା' ସାଇକେଲରେ ବ୍ରେକ ମାରି ଅଟକି ଗଲା । ତା' ସହ ମୁଁ ବି । ତା' ଆଖି ବିସ୍ଫାରିତ ହେଇ ଉଠିଲା । ବୋଧହୁଏ ସେ ମୋଠୁ ଏ କଥା ଶୁଣିବ ବୋଲି କେବେ ଆଶା କରି ନଥିଲା ।

-" ମୋ କଥାର ଉତ୍ତର ଦେଲନି ଯେ...?" ମୁଁ ମିତାକୁ ପଚାରିଲି ।

-"ତମ ମୁଣ୍ଡଫୁଣ୍ଡ ଠିକ ଅଛି ତ ...?"

-"କାହିଁକି ? ମୁଁ କିଛି ଭୁଲ କହିଲି...?"

-"ଏକଦମ ଭୁଲ...ତମର ମୋ ପ୍ରତି ଯେଉଁ ଭ୍ରାନ୍ତ ଧାରଣା ଅଛି ସେଇଟାକୁ ଆଜି ମୁଁ ଦୂର କରିଦେବାକୁ ଚାହେଁ । ମୁଁ ତୁମକୁ କେବେ ସେ ଦୃଷ୍ଟିରେ ଦେଖିନି । ତମେ ଖାଲି ମୋର ଜଣେ ଭଲ ସାଙ୍ଗ.... ତା ଛଡା ଆଉ କିଛି ନୁହେଁ ।"

-"ହେଲେ...ପିଲାଦିନର ସେ ପ୍ରତିଶୃତି...ସେ କଣ ମିଛ ?"

-"କେଉଁ ପ୍ରତିଶୃତି ...?"

-"ତମେ ଦିନେ କହି ନଥିଲ ?...ବଡ଼ ହେଲେ ଆମେ ବାହା ହେବା..."


ମୋ କଥା ଶୁଣି ଖୁବ ଜୋରରେ ହସି ଉଠିଲା ସେ । ହସି ହସି କହିବାକୁ ଲାଗିଲା-" ପିଲାଦିନେ କଣ କହିଥିଲି ସେଇଟାକୁ ତମେ ସତ ବୋଲି ଭାବି ନେଇଛ ? ସେତେବେଳେ ମୁଁ ବାହାଘରର ମାନେ କଣ ଜାଣିଥିଲି ?"

-"ସେତେବେଳେ ସିନା ଜାଣି ନଥିଲ, ଏବେ ତ ଜାଣିଛ ନା..."

-"ଦେଖ ତମକୁ ମୁଁ କେବେ ଭଲ ପାଇନଥିଲି କି ଆଜି ଭଲ ପାଏନି ...ମୁଁ କେବଳ ଶୋଭନକୁ ଭଲ ପାଏ ।"


ମିତା ତା' ସାଇକେଲ ଧରି ଚାଲିଗଲା । ମୁଁ ଠିଆ ହେଇଥିଲି ସେଇଠାରେ ଅନେକ ବେଳ ଯାଏ । ଆଉ ଭାବୁଥିଲି ସତରେ କଣ ମୋ ପ୍ରେମର ପ୍ରତିଧ୍ୱନି ମୁଁ କେବେ ଶୁଣି ପାରିବିନି ? ମୋ ପିଲାବେଳର ପ୍ରଥମ ପ୍ରେମ କଣ ଏଇଠାରୁ ଶେଷ ହେଇଯିବ ? ଆଖିରେ ଲୁହ ଆଉ ହୃଦୟରେ କୋହ ଧରି ମୁଁ ସାଇକେଲରେ ପାଦ ଥାପି ଘର ମୁହାଁ ହେଲି ।


ଏଇ ଘଟଣା ପରଠୁ ମିତା ଧୀରେ ଧୀରେ ମୋ ସହ ମିଳାମିଶା କମ କରିବାକୁ ଲାଗିଲା । ଆଉ ଆଗ ଭଳି ସେ ମୋ ସହ କଲେଜ ଯିବା ଆସିବା କଲା ନାହିଁ । ପ୍ରାୟ ସମୟ ମୁଁ ଏକା ଯାଏ ଆଉ ଫେରେ ବି । ହେଲେ ମୋ ମନ ଚାହୁଁଥାଏ ମିତାକୁ । ଆଖି ଖୋଜୁଥାଏ ତାର ସେ ସୁନ୍ଦର ଅବୟବକୁ । ମିତା ମନା କରିବା ସତ୍ତ୍ୱେ ବି ମୋ ହୃଦୟରେ ପ୍ରେମର ଦୀପଟି ଦିକି ଦିକି ହେଇ ଜଳୁଥିଲା । ଆଉ ମୁଁ ଭାବୁଥିଲି ସାରା ଜୀବନ ଏଇମିତି ଜଳି ଚାଲିଥିବ ।


ତେଣେ ମିତା ଆଉ ଶୋଭନର ପ୍ରେମ ଆମ କଲେଜରେ ହୁଲସ୍ତୁଲ ମଚେଇ ଥିଲା । କଲେଜରେ ସେମାନେ ପାଲଟି ଯାଇଥିଲେ ରୋମିଓ ଆଉ ଜୁଲିଏଟ । ଚାରିଆଡେ ଖାଲି ସେମାନଙ୍କର ଚର୍ଚ୍ଚା । କାନ୍ଥ ବାଡ଼ରେ ସେମାନଙ୍କର ନାଁ । ଏସବୁ କିଛି ମତେ ଭଲ ଲାଗୁ ନଥିଲା । ହେଲେ ମୁଁ କରିବି କଣ ? ସେମାନଙ୍କର ମିଳାମିଶା ଅନ୍ୟ ମାନଙ୍କୁ ଆଲୋଚନାର ଖୋରାକ ଯୋଗାଇ ଥିଲା । ଚକ୍ଷୁଶୀଳ ପାଲଟି ଯାଇଥିଲେ ସେମାନେ । ବାତେରା ଟୋକାଙ୍କୁ କମେଣ୍ଟ କରିବାକୁ ମୌକା ମିଳିଯାଇଥିଲା । ଏଇ ମାନଙ୍କ ଭିତରୁ ଜଣେ ଥିଲା ରକି । ଦିନେ ମିତାକୁ ଏକୁଟିଆ ଦେଖି ତାକୁ ଅଟକାଇ ଅଶୋଭନୀୟ ଆଚରଣ କରିବାକୁ ଲାଗିଲା । ମିତା କିନ୍ତୁ ଡରିଯିବା ଝିଅ ନଥିଲା, ସେ ବି ତାର ପ୍ରତିରୋଧ କରିଥିଲା । ଏପରିକି ଗୋଡ଼ରୁ ଚପଲ କାଢି ମାରିବାକୁ ବସିଲା । ମୁଁ ଏ ସବୁ ଦୁରକୁ ଲକ୍ଷ୍ୟ କରି ଘଟଣା କଣ ଜାଣିବା ପାଇଁ ପାଖକୁ ଆସିବାରୁ ମତେ ଦେଖି ରକି ସେଠାରୁ ଚାଲିଗଲା । ମୁଁ ମିତାକୁ ପଚାରିଲି -"ଏ ସବୁ କଣ ଚାଲିଛି ? ତମ ଘରେ ଏସବୁ ଜାଣିଲେ କଣ ହବ ଜାଣିଛ?" ମିତା ମତେ ରୁକ୍ଷ ସ୍ୱରରେ ଜବାବ ଦେଲା-"mind your own business । ମୋ କଥା ମୁଁ ବୁଝିବି, ତମର ମୁଣ୍ଡ ଖେଳାଇବା କିଛି ଆବଶ୍ୟକ ନାହିଁ ।" ରାଗ ତମ ତମ ହେଇ ଚାଲି ଯାଇଥିଲା ସେ । କିନ୍ତୁ ତା କଥା ମୋ ହୃଦୟକୁ ପୁଣି ଥରେ ଆଘାତ ଦେଇଥିଲା ।


ସେ ଆଘାତକୁ ତ ମୁଁ ବରଦାସ୍ତ କରି ନେଇଥିଲି । ହେଲେ ଏଇ ଘଟଣାଟି ମିତା ଜୀବନରେ ଆସିବାକୁ ଥିବା ବିରାଟ ଏକ ଝଡ଼ର ପୂର୍ବ ସୂଚନା ଥିଲା , ଯାହାକୁ ନା ମୁଁ ଅନୁମାନ କରି ପାରିଥିଲି ନା ମିତା । ଦିନେ ସନ୍ଧ୍ୟାରେ ମୁଁ ଘରେ ବସି ଟିଭି ଦେଖୁଥାଏ । ମିତାର ବୋଉ ମତେ ଖୋଜି ଖୋଜିକା ମୋ ପାଖରେ ପହଞ୍ଚିଲେ । କଣ ପାଇଁ ଖୋଜୁଛନ୍ତି ବୋଲି ପଚାରିବାରୁ ସେ କହିଲେ ମିତା ଏ ଯାଏ ଘରକୁ ଫେରିନି, ସେ କୁଆଡେ ଯାଇଛି ମୋ ପାଖରୁ ବୁଝିବାକୁ ଆସିଛନ୍ତି । ଆଶ୍ଚର୍ଯ୍ୟ ହେଲି ମୁଁ । ରାତି ଆସି ୮ ଟା ହେଲାଣି ମିତା ଫେରିନି ? ସଙ୍ଗେ ସଙ୍ଗେ ବାହାରି ପଡିଲି ତାକୁ ଖୋଜିବାକୁ ।


ପ୍ରଥମେ ଶୋଭନ ଦାସ ପାଖକୁ ଯାଇ ପଚାରିଲି । ମିତା ଘରକୁ ଫେରିନି ଜାଣି ସେ ବଡ଼ ବ୍ୟସ୍ତ ହେଲା । ସେ କହିଲା ସନ୍ଧ୍ୟା ୪ ଟା ବେଳେ ତା' ସହ କଲେଜ ପାଖ ନଦୀ କୂଳରେ ଭେଟିବାର ପ୍ରୋଗ୍ରାମ ଥିଲା । ହେଲେ ତାର କୌଣସି ଜରୁରୀ କାମ ପଡିବାରୁ ସେ ଘଣ୍ଟାଏ ଡେରିରେ ପହଞ୍ଚିବ ବୋଲି ତାକୁ ଫୋନ କରି ଅପେକ୍ଷା କରିବାକୁ କହିଥିଲା । ଆଉ ୫ ଟା ବେଳକୁ ସେଠାରେ ପହଞ୍ଚିବା ପରେ, ସେ ତାକୁ ପାଇ ନଥିଲା । ତା ମୋବାଇଲକୁ କଲ କରିବାରୁ ସେଇଟା ବି ସୁଇଚ ଅପ ଥିଲା । ତେଣୁ ସେ ଭାବିଲା ବୋଧହୁଏ ସେ ତା' ଉପରେ ରାଗ କରି ଘରକୁ ଫେରି ଯାଇଛି । ହେଲେ ଏତେ ରାତି ଯାଏ ସେ ନ ଫେରିବାର କାରଣ କଣ ହେଇପାରେ ? ତା ସହ କିଛି ଅଘଟଣ ଘଟିନି ତ ? ମୋ ମନକୁ ପାପ ଛୁଇଁଲା..ମୁଁ ତୁରନ୍ତ ଶୋଭନ କହିଥିବା ଜାଗାକୁ ଯିବାକୁ ବାହାରିଲି । ମୋ ସହ ଶୋଭନ ବି ଆସିଥିଲା । ଉକ୍ତ ସ୍ଥାନରେ ଚାରି ଆଡେ ଖୋଜା ଖୋଜି କଲୁ, ହେଲେ ମିତାର କୌଣସି ପତ୍ତା ମିଳି ନଥିଲା । ସକାଳ ହେଲେ ଦେଖିବା କହି ଶୋଭନ ସେଠାରୁ ଚାଲି ଗଲା ।


ମୋ ମନ କିନ୍ତୁ ବୁଝି ନଥିଲା । ମିତାର ଖବର ନ ନେଇ ଫେରିଲେ, ତାଙ୍କ ଘରେ ମୁଁ କି ଜବାବ ଦେଵି ? ତା ଛଡା ସେ ମୋ ହୃଦୟର ରାଣୀ, ସେ ମତେ ଭଲ ପାଉ କି ନପାଉ....ମୁଁ ତାକୁ ଭଲ ପାଉଛି ନା.. ମନରେ ଠାଣି ନେଇଥିଲି ଯେମିତି ହେଉ ମିତାକୁ ଖୋଜି ଵାହାର କରିଵି । ସେଇ ନଦୀ କୁଳର ସବୁ ନିକାଞ୍ଚନ ଜାଗା ତଥା ନଦୀ ପଠା ଖୋଜି ଚାଲିଲି । ଶେଷରେ ନଦୀ ପଠାରେ ଥିବା ମଶାଣି ପାଖରେ କେହି ଜଣେ ପଡିଥିବାର ଦେଖିଲି । ମନରେ ଭୟ ସଞ୍ଚାର ହେଲା । କୌଣସି ଶବ ନୁହେଁ ତ ? ସାହସ ସଞ୍ଚୟ କରି ପାଖକୁ ଗଲି । ମୋବାଇଲ ଲାଇଟ ଜଳେଇ ଯାହା ଦେଖିଲି ସ୍ତବ୍ଧ ହେଇ ଗଲି ।


ମିତା ପଡିଥିଲା ନିଶ୍ଚଳ ଅବସ୍ଥାରେ....ସମ୍ପୂର୍ଣ ଵିଵସ୍ତ୍ର । ତା ପୋଷାକର ଖଣ୍ଡ ବିଖଣ୍ଡିତ ଅଂଶ ଏଣେ ତେଣେ ବିଛାଡ଼ି ହେଇ ପଡିଥିଲା । ଦେହ ସାରା କ୍ଷତ ଚିହ୍ନ । ଲାଗୁଥିଲା ଏକରୁ ଏକାଧିକ ବ୍ୟକ୍ତି ତା' ଉପରେ ପାଶବିକ ଅତ୍ୟାଚାର କରି ଚେତା ଶୂନ୍ୟ ଅବସ୍ଥାରେ ତାକୁ ଛାଡି ଚାଲି ଯାଇଛନ୍ତି । ମୁଁ ମିତାକୁ ଏପରି ଅବସ୍ଥାରେ ଦେଖିବି ବୋଲି କେବେ ବି କଳ୍ପନା କରିନଥିଲି । ଆଖି ମୋର ଆପଣ ଛାଏଁ ବନ୍ଦ ହେଇଗଲା । ହାତରୁ ମୋବାଇଲ ଖସି ପଡିଲା, ପାଦ ମୋର ଟଳମଳ । ମୁଣ୍ଡ ଘୁରିଲା ଭଳି ଲାଗିଲା । ଲଥ କରି ବସି ପଡିଲି ତା' ପାଖରେ । କିଛି ସମୟ ଗଲା ଉତ୍ତାରୁ ନିଜକୁ ସମ୍ଭାଳି ମୋ ସାର୍ଟ ଖୋଲି ମିତାକୁ ପିନ୍ଧାଇ ଦେଲି । ତା ପରେ ନଦୀକୁ ଯାଇ ଆଞ୍ଜୁଳା ଆଞ୍ଜୁଳା ପାଣି ଆଣି ତା' ମୁହଁରେ ଛାଟିଲି । କିଛି ସମୟ ପରେ ତାର ଚେତା ଫେରିଲା ।


 ଚେତା ଆସିବା ପରେ ତା' ସହ ଘଟିଥିବା ଘଟଣା ସବୁ ମନେ ପଡିଗଲା । ସେ ଭୟରେ ଚିତ୍କାର କରି କହିଲା-"ନା..ମୋ ପାଖକୁ ଆସନା...ମତେ ଛାଡିଦିଅ..." । ମୁଁ ମୋବାଇଲ ଲାଇଟ ବନ୍ଦ କରି ରଖିଥିଲି । ହେଲେ ତାର ଚିତ୍କାର ଶୁଣି ମୁଁ ଲାଇଟ ଜଳାଇବାରୁ ସେ ମତେ ଦେଖି ଆଶ୍ୱସ୍ତ ହେଲା ଆଉ ଭୟରେ ମତେ ଖୁବ ଜୋରରେ ଭିଡି ଧରିଲା । ପ୍ରଥମ ଥର ପାଇଁ ମିତା ମୋ ବାହୁରେ ଥିଲା ହେଲେ ମୁଁ ଖୁସି ହେଇ ପାରୁ ନଥିଲି । ତାର ଏ ଦୁର୍ଦ୍ଦଶା ଦେଖି ମୋ ହୃଦୟ ଫାଟି ପଡୁଥିଲା । ମୁଁ ତାକୁ ଆଶ୍ୱାସନା ଦେଇ ଘଟଣା ସମ୍ପର୍କରେ ପଚାରିଲି । ସେ କିଛି କହିବା ଅବସ୍ଥାରେ ନଥିଲା, ତା ମୁହଁରୁ ଦୁଇଟି ଶବ୍ଦ ବାହାରି ଥିଲା... ରକି ଆଉ ତାର ସାଙ୍ଗମାନେ.....। ଏଇ ଦୁଇଟି ଶବ୍ଦରୁ ମୁଁ ସମସ୍ତ ଘଟଣା ବୁଝିଗଲି । ମୋ ଦେହରେ ରକ୍ତ ଟକ ମକ ହେଇ ଫୁଟିବାକୁ ଲାଗିଲା । ମୁଁ ମନେ ମନେ ପ୍ରତିଜ୍ଞା କଲି ସେ ରକି ଆଉ ତା ସାଙ୍ଗ ମାନଙ୍କୁ ନିଶ୍ଚୟ ଦଣ୍ଡ ଦେବି । ମନର ଭାବନା ମନରେ ରଖି ମିତାକୁ କହିଲି ଚାଲ ଘରକୁ ଯିବା । ଘର କଥା ଶୁଣି ସେ ଭେଁ ଭେଁ ହେଇ କାନ୍ଦି ଉଠିଲା । କହିଲା ସେ ଏଇ କଳଙ୍କିତ ମୁହଁ ନେଇ କେମିତି ଘରକୁ ଫେରିବ । ତା ପାଇଁ ଖାଲି ଏଇ ନଦୀ ଗର୍ଭ ହିଁ ଏକ ମାତ୍ର ବାଟ .... । ମୁଁ ତାକୁ ବୁଝେଇଲି ଏ ଘଟଣାରେ ତାର କି ଦୋଷ ? କେତେଟା ପଶୁଙ୍କ ପାଇଁ ସେ କାହିଁକି ତା' ଅମୁଲ୍ୟ ଜୀବନକୁ ନଷ୍ଟ ହେବାକୁ ଦେବ ? ତାଙ୍କ ଘରେ ବୁଝେଇବା ଦାୟିତ୍ୱ ମୁଁ ନେଇଥିଲି ଆଉ କିଛି ଚିନ୍ତା ନ କରିବା ତାକୁ ଭରସା ଦେଇଥିଲି ।


ଏମିତି ବହୁ ସମୟ ବୁଝେଇବା ପରେ ସେ ଘରକୁ ଯିବାକୁ ରାଜି ହେଲା । ହେଲେ ସେ ଖାଲି ମୋ ସାର୍ଟଟା ପିନ୍ଧି କିପରି ଘରକୁ ଯାଇ ପାରିବ ? କଣ କରିବି କିଛି ବୁଦ୍ଧି ଦିଶିଲାନି । ହୁଏତ ବଜାର ଯାଏ ଯାଇ ପାରିଲେ ତା' ପାଇଁ ଡ୍ରେସଟା କିଣି ଦେଇ ପାରନ୍ତି । କିନ୍ତୁ ଏ ଅବସ୍ଥାରେ ସେ ମୋ ସହ ବଜାର ଯାଏ ଯାଇ ପାରିବନି କି ମୁଁ ତାକୁ ଏକୁଟିଆ ଛାଡି ଦେଇ ଯିବାକୁ ଉଚିତ ମନେ କରି ନଥିଲି । ମୋବାଇଲ ଲାଇଟ ପକେଇ ଆଖପାଖ ଏରିଆକୁ ନଜର କଲି । ଦେଖିଲି ମଶାଣିରେ ଏକ ଶାଢ଼ୀ ପଡିଛି । ବୋଧ ହୁଏ କୌଣସି ଶବ ସଂସ୍କାର ବେଳର ଶାଢ଼ୀ । ମୁଁ ଯାଇ ସେ ଶାଢ଼ିଟିକୁ ନେଇ ଆସିଲି । ମିତାକୁ ସେଇଟିକୁ ପିନ୍ଧିବାକୁ ଦେଲି । ମିତା ମୋ ମୁହଁକୁ ଚାହିଁଲା । ମୁଁ କହିଲି ଆମ ପାଖରେ ଆଉ କୌଣସି ଉପାୟ ନାହିଁ । ରାତି ବେଶି ହଉଛି ତମେ ଏ ଶାଢ଼ିଟି ପିନ୍ଧି ନିଅ, ଆମକୁ ଶୀଘ୍ର ଘରେ ପହଞ୍ଚିବାକୁ ହେବ ।


ମିତା ଶାଢ଼ୀଟି ପିନ୍ଧିବାକୁ ଉଠି ଠିଆ ହେଲା । ହେଲେ ସେ ଠିକରେ ଠିଆ ହେଇ ପାରୁ ନଥାଏ । ବହୁତ କଷ୍ଟରେ ସେ ଶାଢ଼ୀ ପିନ୍ଧିଲା । ତାର ଏ ଅବସ୍ଥା ଦେଖି ମୁଁ ତାକୁ ଘରକୁ ନେବା ପରିବର୍ତ୍ତେ ହସ୍ପିଟାଲ ନେବାକୁ ଉଚିତ ମଣିଲି । କଷ୍ଟେମଷ୍ଟେ ସେ ସାଇକେଲରେ ବସିଲା ଆଉ ମୁଁ ତାକୁ ନେଇ ହସ୍ପିଟାଲରେ ଆଡ଼ମିସନ କରେଇ ଦେଲି । ତାଙ୍କ ଘରକୁ ଏ ବିଷୟରେ ସୂଚିତ କରି ସାରା ରାତି ତା' ପାଖରେ ଜଗି ରହିଲି । ସକାଳୁ ସକାଳୁ ତା ବାପା ଆଉ ବୋଉ ଦୁହେଁ ଆସି ହସ୍ପିଟାଲରେ ପହଞ୍ଚିଥିଲେ । ଝିଅର ଏ ଅବସ୍ଥା ଦେଖି ସେମାନେ ବ୍ୟସ୍ତ ବିବ୍ରତ ହେଇ ପଡିଲେ । ମୁଁ ସେମାନଙ୍କୁ ବୁଝାଇ ଶାନ୍ତ କରାଇଲି ।


ଖବର ପାଇ ଶୋଭନ ଦାସ ବି ଆସି ପହଞ୍ଚିଲା । ତାକୁ ଦେଖି ମିତା ଖୁବ କାନ୍ଦିଥିଲା ଆଉ ତା' ସହ ଘଟିଥିବା ଘଟଣା ବିଷୟରେ ସବୁ କହିଥିଲା । ସେତିକି ବେଳେ ପୋଲିସ ବି ଆସି ପହଞ୍ଚିଥିଲା । କାହିଁକି ନା ହସ୍ପିଟାଲ କର୍ତୁପକ୍ଷ ପୋଲିସକୁ ଖବର କରିଥିଲେ । ପୋଲିସକୁ ଦେଖି ତା ବାପ ବୋଉ ଡରିଗଲେ ଆଉ ଶୋଭନ ବି । ସେମାନେ ଏ ଝାମେଲାରେ ପଡ଼ିବାକୁ ଚାହୁଁ ନଥିଲେ । ସେମାନେ ମିତାକୁ ତାଗିଦ କରି କହିଲେ ଯେ ସେ ଯେପରି ଏ ଘଟଣା ସମ୍ପର୍କରେ ପୋଲିସକୁ କିଛି ନ କୁହେ । କାରଣ ପୋଲିସକୁ କହିବା ଦ୍ୱାରା ସେ ନିଜେ ବଦନାମ ହେବା ସହ ଘରର ଇଜ୍ଜତ ପଦାରେ ପଡିବ । ଆଉ ଶୋଭନ ବି ତାଗିଦ କରି କହିଲା ସେ ବଦନାମ ହେଲେ ତା ସହ ଆଉ ସମ୍ପର୍କ ରଖିବ ନାହିଁ । ଏମାନଙ୍କ କଥା ଶୁଣି ମିତା ଆଶ୍ଚର୍ଯ୍ୟ ହେଲା । ଏମାନଙ୍କ ପାଖରେ ଗୋଟେ ଝିଅର ଇଜ୍ଜତର କୌଣସି ମୂଲ୍ୟ ନାହିଁ ? ପୁଣି ଥରେ ତା ଆଖିରେ ଲୁହ ଆସିଯାଇଥିଲା । ସେମାନଙ୍କ ଚାପ ଆଗରେ ସେ ମୁଣ୍ଡ ନୁଆଇଁ ପୋଲିସ ଆଗରେ କିଛି ବି ପ୍ରକାଶ କରି ନଥିଲା । ଫେରି ଯାଇଥିଲେ ପୋଲିସ । ଆଉ ତା ପରେ ମିତା ଯେମିତି ଜଡ଼ ପାଲଟି ଯାଇଥିଲା ।


 ଖୁସି ହେଇଥିଲେ ତାର ବାପା ବୋଉ । ଖୁସି ହେଇଥିଲା ଶୋଭନ । ସେମାନେ ପୋଲିସ ଝାମେଲାରୁ ବଞ୍ଚି ଯାଇଥିଲେ । ଖାଲି ଖୁସି ନଥିଲି ମୁଁ ଆଉ ମିତା । ଦୁଇଦିନ ପରେ ମିତା ହସ୍ପିଟାଲରୁ ଘରକୁ ଫେରିଥିଲା । କିନ୍ତୁ ତା ଅବସ୍ଥାରେ କିଛି ବି ପରିବର୍ତ୍ତନ ହେଇ ନଥିଲା । ସେ ଥିଲା ନିରବ ଆଉ ନିସ୍ପନ୍ଦ । ମୁହଁରୁ ତାର ହଜି ଯାଇଥିଲା ହସ । ଲାଗୁଥିଲା ସେ ମିତା ନୁହେଁ ତା' ଶରୀରରେ ଆଉ କେହି । ମୁଁ ତା ମନକୁ ବେଶ ପଢି ପାରିଥିଲି । ସେ ଚାହୁଁଥିଲା ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ । ହେଲେ ତାକୁ ଏମାନେ ଚୁପ କରାଇ ତା' ଉପରେ ଆଉ ଏକ ଅତ୍ୟାଚାର କରିଥିଲେ...ମାନସିକ ଅତ୍ୟାଚାର । ଯଦି ଏହି ଅବସ୍ଥାରେ ସେ କିଛି ଦିନ ରହେ ତେବେ ହୁଏତ ସେ ପାଗଳ ହେଇଯାଇ ପାରେ ।


ଆଉ ସହିପାରିଲିନି । ମିତାକୁ ନ୍ୟାୟ ଦେବାପାଇଁ ମୁଁ ଅଣ୍ଟା ଭିଡ଼ିଲି । ତା' ବାପା ବୋଉଙ୍କୁ ବହୁତ ବୁଝାଇବା ପରେ ସେମାନେ ମୋ କଥାରେ ରାଜି ହେଇଥିଲେ । ତା' ପରେ ଆରମ୍ଭ ହେଇଥିଲା ନ୍ୟାୟ ପାଇଁ ଯୁଦ୍ଧ । ସେ ସୈତାନମାନଙ୍କର ଶାସ୍ତି ବିଧାନ ପାଇଁ ଆମକୁ ବହୁତ ସଂଘର୍ଷ କରିବାକୁ ପଡିଥିଲା । ଥାନା, କୋର୍ଟ, ଓକିଲ ପାଖକୁ ବାରମ୍ବାର ଦୌଡ଼ି ଥିଲୁ । ଗଣ ମାଧ୍ୟମରେ ଚର୍ଚ୍ଚା ଜୋର ଧରିଥିଲା । ଗାଁରେ, କଲେଜରେ ଆଉ ଅନ୍ୟ ସ୍ଥାନ ମାନଙ୍କରେ ଲୋକେ ମିତାକୁ କିଏ କେତେ କଥା କହିଥିଲେ । ଏ ସବୁକୁ ମିତା ଭୃକ୍ଷେପ କରି ନଥିଲା । ତାର ଲକ୍ଷ୍ୟ ଥିଲା ଦୋଷୀ ମାନଙ୍କର ଶାସ୍ତି ବିଧାନ । ଆଉ ଏ ସବୁରେ ମୁଁ ତାକୁ ଭରପୁର ସହଯୋଗ ଦେଇଥିଲି । କିନ୍ତୁ ଶୋଭନ ମିତାର ଜୀବନରୁ ଦୁରେଇ ଯାଇଥିଲା । ସେ ମିତା ପରି ଗୋଟିଏ ବଦନାମ ଝିଅକୁ ନିଜ ସାଥି ଭାବେ ଗ୍ରହଣ କରିବାକୁ ଚାହିଁ ନଥିଲା । ସେଥିପାଇଁ ମିତା ମନରେ କୌଣସି ଅବଶୋଷ ନଥିଲା । ଶୋଭନ ଭଳି ଏକ ହିପୋକ୍ରାଟ ତା' ଜୀବନରୁ ଦୁରେଇ ଯାଇଥିବାରୁ ସେ ନିଜକୁ ସୁରକ୍ଷିତ ମନେ କରୁଥିଲା । ଆଉ ମୋ ପରି ଏକ ଭଲ ବନ୍ଧୁକୁ ଏତେ ଦିନ କଷ୍ଟ ଦେଇଥିବାରୁ ନିଜକୁ ଦୋଷୀ ଭାବୁଥିଲା । ସେ ଗ୍ରହଣ କରି ନେଇଥିଲା ମୋ ପ୍ରେମକୁ, ଦୁନିଆର ବଦନାମକୁ ତାର ଡର ନଥିଲା । କାହିଁକି ନା ସବୁ ବିପଦର ରକ୍ଷା କବଚ ହେଇ ମୁଁ ତା ପାଖରେ ଠିଆ ହେଇଥିଲି । ଶେଷରେ ଆମର ଜିତାପଟ ହେଇଥିଲା । ରକି ଆଉ ତାର ସାଥି, ସେମାନଙ୍କ କଲା କର୍ମ ପାଇଁ ଦଣ୍ଡିତ ହେଇଥିଲେ । ଆଉ ମତେ ମୋ ମିତା ମିଳି ଯାଇଥିଲା.....


-"ଚା' ନିଅ..."

ମୁଁ ଦେଖୁଥିଲି ମୋ ମିତାକୁ ..ଏକ ମନ ଭୂଲାଣିଆ ହସ ଝରୁଥିଲା ତା ଓଠରୁ । ମନେ ହେଉଥିଲା ସେ ଯେପରି ତାର କଳଙ୍କିତ ଇତିହାସକୁ ପାସୋରି ଦେଇଛି । ସେ ଆଉ କଳଙ୍କିନୀ ମିତା ନଥିଲା ମୋ ପ୍ରେମ ତାକୁ କରିଥିଲା ସତୀ ସ୍ୱାଧୀ ସୀତା....



Rate this content
Log in

Similar oriya story from Inspirational