Siddhartha Tripathy

Tragedy Crime

3  

Siddhartha Tripathy

Tragedy Crime

ପ୍ରେମ ଚିଠିରେ ଚିଠିରେ

ପ୍ରେମ ଚିଠିରେ ଚିଠିରେ

5 mins
213



  ଛୋଟିଆ ବ୍ରାହ୍ମଣ ଶାସନ ମଙ୍ଗରାଜପୁର । ବସବାସ କରନ୍ତି ସତୁରୀଟି ବ୍ରାହ୍ମଣ ପରିବାର । ଅଧିକାଂଶ ଶିକ୍ଷିତ ଚାକିରିବାକିରି କରି ସହରରେ ଅବସ୍ଥାପିତ । ଗାଆଁରେ ମୁଷ୍ଟିମେୟ ବୃଦ୍ଧ, ବୃଦ୍ଧା ସମେତ ଅଳ୍ପ କିଛି ଗରୀବ ବ୍ରାହ୍ମଣଙ୍କୁ ନିଜ କୋଳରେ ଜାବୁଡି ଧରିଛି ମଙ୍ଗରାଜପୁର।


  ଯେତେବେଳେ କରୋନା ମହାମାରୀ କବଳିତ କରେ ବିଶ୍ୱ, ସହରୀବାବୁଙ୍କୁ ମନେପଡେ ଭିଟାମାଟିର ଛୁଆ ସମୟର ଦୃଶ୍ୟ ଓ ସ୍ଵାଭାବିକ ସ୍ଥିତି ଫେରିବାଯାଏଁ ଆଶ୍ରା ନିଅନ୍ତି ମଙ୍ଗରାଜପୁର ମାଟିରେ । ଗାଆଁର ପବିତ୍ର ମାଟି ବି ଆପଣେଇ ନିଏ ଆଧୁନିକ, ସହରୀ, ସ୍ୱାର୍ଥୀ ମନୁଷ୍ୟମାନଙ୍କୁ ।


 ସେଇ ଗାଆଁର ଝିଅ ସୀମା । ପାଖ କଲେଜରେ ପାଠ ପଢେ, ଗୋଟିଏ ଚାଉଳରେ ଗଢା । ଆଜିକାଲିର ପ୍ରେମ ସର୍ବତ୍ର ବିଦ୍ୟମାନ । ସହରୀଝିଅଙ୍କ ଫେସବୁକରୁ ପ୍ରେମ, ଗାଉଁଲି ଝିଅଙ୍କ ଗାଆଁ ଆମ୍ୱତୋଟା, ପୋଖରୀ ହିଡ ନଚେତ କଲେଜର ପଛ ବେଞ୍ଚରୁ ଚିଠିର ଆଦାନ ପ୍ରଦାନରେ । ଠିକ ଯେମିତି ସୀମା ଓ ସମୀରର । 


   ସୀମା ଲାଜକୁଳି, ସମୀର ଲାଜକୁଳା । ସହରପରି ଗାଆଁରେ ପାର୍କ, ପିଜା ବର୍ଗର, ବହୁତଳ ଅଟ୍ଟାଳିକା ବିଶିଷ୍ଟ ହୋଟେଲ ବି ନାହିଁ ଯେଉଁଠି ପ୍ରେମିକ, ପ୍ରେମିକା ଅନ୍ତରଙ୍ଗ ମୁହୂର୍ତ୍ତ ବିତାଇଲା ପରେ ପ୍ରେମର ପରିସମାପ୍ତି । ଆଧୁନିକ ସଭ୍ୟତାର ଆଧୁନିକତା । ପାଶ୍ଚାତ୍ୟ ସଂସ୍କୃତିର ଅନୁକରଣ ।


   

   ଗାଆଁ ସାହିଭାଇ ଓ ବଦନାମ ଦୃଷ୍ଟିରୁ ସେମାନଙ୍କ ପ୍ରେମର ପରିଭାଷା ମିଳନ, ପ୍ରଣୟ ଆଡକୁ ନଯାଇ ଚିଠି ଆଦାନ ପ୍ରଦାନରେ ସୀମିତ ଥିଲା । ମହାଦେବଙ୍କ ବେଲପତ୍ର କୌଣସି ଦିନ ଖଣ୍ଡିଆ ହୋଇଯାଇପାରେ କିନ୍ତୁ ଚିଠି ବନ୍ଦ ହେଉନଥିଲା । ସେହି ଚିଠି ପଢି ଦୁହିଁଙ୍କ ଭିତରେ ଥିଲା ଅସୀମ ଉତ୍ସାହ, ଅଫୁରନ୍ତ ଆନନ୍ଦ । 


  

  ସୁନ୍ଦର, ସାବଲୀଳ ଥିଲା ପ୍ରେମ । ହଠାତ୍ ଦିନେ ବାପା ବୋଉକୁ କହୁଥିଲେ ସୀମାକୁ ହାତକୁ ଦି ହାତ କରିଦେବା । ସହମତି ଜଣାଇ ମାଆ ପଚାରିଲା ହେଲେ ବରପାତ୍ର ? କବାଟ କଣେ ଲୁଚି ଶୁଣୁଥିଲା ସୀମା । ମୁଣ୍ଡ ଘୁରିଯାଉଥିଲା ସୀମାର । ଘରେ କହିବାର ଯୁ ନଥିଲା । ବାପା କହୁଥିଲେ, ଆମ ସମୀର, ବାପ ଛେଉଣ୍ଡ ଛୁଆଟା । କାଲି କଥା ହେବି ତା ମାଆ ସହିତ । ଖୁସିରେ କୁରୁଳି ଉଠିଲା ସୀମା ଓ ସମୀରକୁ ଚିଠିରେ ସବୁ ବିଷୟ ଅବଗତ କରାଇଦେଲା।


 ସେ ଦିନ ଖୁସିର ସୀମା ନଥିଲା ସୀମାର । ମନ୍ଦ ମନ୍ଦ ସମୀରରେ ଝୁମି ଉଠୁଥିଲା ସମୀରର ମନ । ନିର୍ଦ୍ଧାରିତ ସମୟରେ ସୀମା ଓ ସମୀରର ବାହାଘର ସମ୍ପନ୍ନ ହେଲା । ହସିଉଠିଲା ସୁନାର ସଂସାର । ଚିଠିରେ ଚିଠିରେ ପ୍ରେମ ଓ ସଫଳତା ବିଷୟ କଥାହୋଇ ହସିଉଠୁଥିଲେ ଦୁହେଁ । ସମୀର କହୁଥିଲା ସବୁହେଲା ଯେ ପାର୍କର ମିଳନ, ବଡହୋଟେଲରେ ମଉଜମଜଲିସ ନହୋଇ ଚିଠିପତ୍ର ପ୍ରେମ, ତାପରେ ସଂସାର ଜଂଜାଳ ତାପରେ ଯବନିକା ପତନ । ଚମକିଉଠି ସୀମା କହିଲା, ଏ ସମୀର ଏମିତି କଣ କହୁଛ? ଆମ ପ୍ରେମ ତଥା ବାହାଘରରେ ତମେ ଖୁସି ନୁହଁ? ସମୀର କହିଉଠିଲା, ନା ସୀମା ସେକଥା ନୁହଁ, ମୁଁ ତ ଥିଲି ଏକୁଟିଆ ବାଆରା ପକ୍ଷୀ । ହେଲେ ଜୀବନ ପରିଧିରେ ତମ ପ୍ରବେଶ ପରେ ଆମର ଅନାବିଳ ପ୍ରେମକୁ ସମ୍ମାନ ଦେଇ ଆମେ ଖୁସିରେ ରହିପାରିଲେ ସିନା ଦୁନିଆଁ ପାଇଁ ଆମ ପ୍ରେମ ଉଦାହରଣ ହୋଇ ରହିବ । ଭବିଷ୍ୟତରେ ତମ ଉଗ୍ରାଧୁନିକ ନାତି,ନାତୁଣୀଙ୍କୁ ତମେ ପଥଭ୍ରଷ୍ଟ ହେବାରୁ ଅଟକାଇ ଆମ ପ୍ରେମ ଓ ବିବାହର ଉଦାହରଣ ଦେଇ କହିପାରିବ, ପ୍ରେମ ମନର ମିଳନ ଶରୀରର ନୁହେଁ । ହେଲେ ଆମ ଜୀବନଡଙ୍ଗା ଆଗକୁ ବଢାଇ ବାଆ ବତାଶରୁ ରକ୍ଷା କରିବାର ଉପାୟ ଅର୍ଥ ଉପାର୍ଜନ । ମୁଁ ତ ଏମିତି କିଛି ପାଠ ପଢିନି ଯେ ଧଡକରି ଚାକିରୀଟିଏ ପାଇଯିବି । ତାଛଡା ଆଜିକାଲି ଭଲବର ଓ ଭଲ ଚାକିରୀଟିଏ ଦୁର୍ଲ୍ଲଭ।



  ତେଣୁ ମୁଁ ନିଷ୍ପତ୍ତି ନେଇଛି ଗାଆଁର ଯାହାକିଛି ଅଛି ବିକ୍ରିବଟା କରି ମୁଁ ସହରରେ ବ୍ୟବସାୟ କରିବି । ମଝିରେ ମଝିରେ ଘରକୁ ଆସିବି । ସୀମା କହିଲା ତମ ଉପରେ ମୋର ଅଗାଧ ବିଶ୍ୱାସ । ଯେମିତି ଠିକ ଭାବିବ ମାଆଙ୍କ ସାଙ୍ଗରେ କଥାହୋଇ ସ୍ଥିର କର । ହଁ ଭରିଲା ସମୀର । ସମୀରର ନିଷ୍ପତ୍ତିରେ କିଛି ଆପତ୍ତି ନଥିଲା ମାଆର । ପାଖରେ ଥିବା ଅଳ୍ପକିଛି ଜମି ବିକ୍ରିକରି ସହର ଚାଲିଲା ସମୀର । ଭଡାରେ ଛୋଟହୋଟେଲଟିଏ ଖୋଲି ବ୍ୟବସାୟ ଆରମ୍ଭ କଲା ସମୀର । ସୁନ୍ଦର ଭାବରେ ସଂସାର ଆଗକୁ ବଢିବାସହ ଦୁଇଟି ସନ୍ତାନର ଜନକ ହେବାର ସୌଭାଗ୍ୟ ଲାଭ କଲା ସମୀର । ସଫଳ ପ୍ରେମ, ସଫଳ ସଂସାର, ସଫଳ ପରିବାର । ସୀମା କହୁଥିଲା ଜାଣିଛ ସମୀର, କଥାରେ ଅଛି ଗୋଲାପ ତୋଳିବାକୁ ଗଲେ କଣ୍ଟା ଫୋଡିହେବା ନିଶ୍ଚିତ । ପ୍ରେମ କଲେ ବିରହ ନିଶ୍ଚିତ । ଏସବୁ ପୋଥିବାଇଗଣ । ତମେ କହିଲ ସମୀର, ଆମେ ପ୍ରେମ କଲେ ବିବାହ ବି କଲେ, ସନ୍ତାନ ସୁଖ ବି ପାଇଲେ । ମୁଁ ଭାବୁଛି ଅନାସକ୍ତ, ବାସନାରହିତ ପ୍ରେମ ହିଁ ସଫଳ । 


   


   ହସିହସି ସମୀର କହିଲା, ଆରେ ସୀମା କେତେ ଜୀବନ ଦେଖିଛ ତମେ? ଏଇତ ପ୍ରାରମ୍ଭ । ସହର ଚାଲିଗଲା ସମୀର ତା ପରଦିନ । ସହରରେ ପହଞ୍ଚୁ ପହଞ୍ଚୁ ଖବର ପାଇଲା କରୋନା ମହାମାରୀର ପ୍ରକୋପ ଯୋଗୁଁ ସରକାର ଘୋଷଣା କରିଛନ୍ତି ହୋଟେଲ ବନ୍ଦ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ । ଆକାଶ ଛିଣ୍ଡିପଡିଲା ସମୀର ମୁଣ୍ଡରେ । ଦଇବ ଲାତ ମାରିଲା ଭାତହାଣ୍ଡିରେ । ଭଡା ଦେଇନପାରି ହୋଟେଲ ଛାଡି ଗାଆଁକୁ ଫେରିଆସିଲା । 


  ଆରମ୍ଭ ହେଲା ଅଭାବ, ଅନଟନ । ହଜିଗଲା ପ୍ରେମ ଓ ସାଇତା ପ୍ରେମଭରା ଚିଠି ଆଖିର ତତଲା ଲୁହରେ । ହଜିଗଲା ରୋଗିଣା ମାଆ ଓ ଛୋଟପୁଅ ଔଷଧ ଅଭାବରୁ । ଜୀବନ ଠାରୁ ଅଧିକ ଭଲପାଉଥିବା ସ୍ତ୍ରୀଙ୍କ ଆଗରେ ସେ ବନିଗଲା ଅଯୋଗ୍ୟ, ଅପାରଗ । ବିଳପି ଉଠୁଥିଲା ଅନ୍ତରାତ୍ମା, ହଜିଯାଇଥିଲା ପ୍ରେମ କ୍ଷୁଧା ରୂପି ରାକ୍ଷସର କରାଳ ଗର୍ଭରେ । ଆରମ୍ଭ ହେଲା ସ୍ୱାମୀ ସ୍ତ୍ରୀ ଭିତରେ ଭୁଲବୁଝାମଣା । ହଠାତ ଦିନେ.....


  ସମୀର କହିଲା ସୀମା ସବୁ ସରିଗଲା, ମାଆକୁ ହରେଇଲେ, ଗୋଟିଏ ପୁଅକୁ ହରେଇଲେ । ପୁରା ସଂସାର ନିଶ୍ଚିହ୍ନ ହୋଇ ଅନାବିଳ ପ୍ରେମ ଓ ବିବାହର ଅପମାନ ହେବାକୁ ଦେବିନାହିଁ ମୁଁ । ସୀମା ପୁଣି କଟୁକଥା ଶୁଣାଇ କହିଲା ତମ ଦ୍ୱାରା କିଛି ହେବନାହଁ, ତାଛଡା ମୁଁ ସୁନ୍ଦରୀ, ଭଲ ପାଠ ପଢୁଥିଲି ତେଣୁ ତମେ ମୋତେ ଭଲପାଇ ବାହାହୋଇଗଲ । ତମକୁ ମୋଠାରୁ ଭଲ ପ୍ରସ୍ତାବ କେଉଁଠୁ ମିଳିଥାଆନ୍ତା ତୁମକୁ । ତମେ ପୁରୁଷ ଜାତିଟା ଠକ ଓ ସ୍ୱାର୍ଥପର।


 ସମୀର କହିଲା ସୀମା କ୍ଷଣିକ ଉତ୍ତେଜନାରେ ଆମ ଭଲ ପାଇବାକୁ ଗାଳି ଦିଅନାହିଁ । ଆମେ ପରା ଆମ ନାତି, ନାତୁଣୀଙ୍କୁ ଆମ ପ୍ରେମର ଉଦାହରଣ ଦେବା । ଶୁଣ ମୁଁ ଅର୍ଥଉପାର୍ଜନର ରାସ୍ତା ପାଇସାରିଛି । ବ୍ୟସ୍ତ ହୁଅନାହିଁ । ସବୁ ଠିକ ହୋଇଯିବ । ମୁଁ ଅର୍ଥ ଉପାର୍ଜନ କରି ଖୁବଶୀଘ୍ର ତମ ପାଖକୁ ଫେରିବି । କିଛି ପଚାରିବା ପୂର୍ବରୁ ସମୀର ବାହାରିଗଲା । ସୀମାକୁ ଅନୁଭୂତ ହେଉଥିଲା ସମୀର କାନ୍ଦୁଥିଲା । 



   ସମୀରର ଖଣ୍ଡେ ଚିଠି ପାଇଥିଲା ସୀମା । ଲେଖାଥିଲା, ସୀମା ବହୁତ ଜଲ୍ଦି ଅର୍ଥସହ ମୁଁ ଫେରିବି । ଜୀବନ ସାରା ଅର୍ଥାଭାବ ରହିବ ନାହିଁ । ବ୍ୟସ୍ତ ହେବନାହିଁ ମୁଁ ଅସତ ଉପାୟରେ ଅର୍ଥ ଉପାର୍ଜନ କରିବି ନାହିଁ । ସେଦିନ ତମେ କଟୁକଥା କହିବା ସମୟରେ ତମ ଆଖିର ଅଶ୍ରୁ ମୁଁ ପଢିପାରୁଥିଲି । ସତରେ ଆମ ପ୍ରେମ, ଏତେ ଅନାଟନରେ ବି ଏହି ପଥଭ୍ରଷ୍ଟ ଯୁବପିଢୀଙ୍କ ପାଇଁ ଉଦାହରଣ । ହୋଇପାରେ ଆମ ପରି ଗରୀବ ମାନଙ୍କ ଅନାସକ୍ତ ପ୍ରେମ ଇତିହାସ ପୃଷ୍ଠାର ମୁଖ ମଣ୍ଡନ କରିବ ନାହିଁ, କିନ୍ତୁ ଆମ ବଂଶଜ ତ ଗର୍ବ କରିବେ । ଚିଠିଟି ସୀମା ଲୁହରେ ଧୋଇ ହୋଇଯାଇଥିଲା।


 କିଛିଦିନ ପରେ......

ଆଜି ସୀମା କେମିତି ଅଲଗା ଅନୁଭବ କରୁଥିଲା । ସକାଳୁ ସକାଳୁ ସବୁ ଅଶୁଭ ଲକ୍ଷଣ । ସିନ୍ଦୂର ନାଇବା ସମୟରେ ହାତରୁ ଆଇନା ଖସିପଡି ଭାଙ୍ଗିଯିବା, ବାହାରେ କୁକୁରଗୁଡାକର ଅନବରତ ଭୁକିବା । ହିନ୍ଦୁନାରୀ କୁସଂସ୍କାର ଭାବି ଏସବୁ ନା ଏଡାଇ ପାରୁଥିଲା, ନା ଗ୍ରହଣ କରିପାରୁଥିଲା । 

ହଠାତ ଘର ସାମ୍ନାରେ ଆମ୍ୱୁଲେନସଟିଏ ଅଟକିଲା । ଦୌଡିଯାଇ ଦେଖିଲା ସୀମା । ଆରେ ଏ ତ ସମୀରର.......!!

ସାଙ୍ଗରେ ଆସିଥିବା ପୁଲିସ ସୀମା ଉଦ୍ଦେଶ୍ୟରେ ଗୋଟିଏ ଚେକ୍ ଓ ଚିଠିଟିଏ ବଢାଇଦେଇଥିଲେ । ଚିଠିରେ ଲେଖାଥିଲା, ସୀମା ମୋ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରେ ଲାଗିଛି । ଜାଣିନି ବଞ୍ଚିବି କି ମରିବି । କିନ୍ତୁ ପୁଅକୁ ବଡ଼ମଣିଷ କରିବ ତାର ବାପା ଓ ମାଆ ହୋଇ । ଭଲ ସଂସ୍କାର ଦେବ । ତମକୁ ଆମ ପ୍ରେମର ରାଣ ହାରିଯିବନି କି ଡରିଯିବନି । ମୁଁ ତମ ପାଖେ ପାଖେ ସବୁବେଳେ ଅଛି । ଆଖି ବନ୍ଦକଲେ ଦେଖିପାରିବ । ଆମ ନାତି, ନାତୁଣୀକୁ ଆମପରି ପ୍ରେମ କରିବାର ଶିକ୍ଷା ଦେବ । 


 ଥରଥର ହାତରେ ଚେକଟି ଗ୍ରହଣ କଲାବେଳେ ପଚାରିଲା, ପୋଲିସ ବାବୁ! ଏମିତି କେମିତି ହେଲା ? ପୋଲିସବାବୁ କହିଲେ ଜଣେ ଧନାଢ୍ୟ ଭଦ୍ରବ୍ୟକ୍ତିଙ୍କୁ ନିଜର କିଡନୀ ଦାନ କଲାପରେ, ହଠାତ ଅସୁସ୍ଥ ହୋଇପଡିଲେ ସମୀରବାବୁ । ଧିରେଧିରେ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଘଟିଲା ଓ ସେ ଚାଲିଗଲେ । 


 ସୀମାଠାରୁ ସବୁ ଶୁଣୁଥିବା ନାତୁଣୀ ଭୋ ଭୋ କାନ୍ଦୁ କାନ୍ଦୁ କହୁଥିଲା ମାଆ, ସୀତା, ଦ୍ରୌପଦୀଙ୍କୁ ଦେଖିନାହିଁ । ସେମାନଙ୍କ ସତୀତ୍ୱ ଓ ତ୍ୟାଗର ବର୍ଣନାରେ ପୁରାଣର ପୃଷ୍ଠାର ଫର୍ଦ୍ଦ ଭରପୁର । କିନ୍ତୁ ତମ ପ୍ରେମ ଓ ତ୍ୟାଗ ତାଠାରୁ ଶତଗୁଣରେ ଅଧିକା । ଦେବଦେବୀଙ୍କୁ ପୁରାଣ ପୃଷ୍ଠାରେ ଦେଖିଛୁ, କିନ୍ତୁ ତମେ ତ ଆମର ଜୀବନ୍ତ ଦେବୀପ୍ରତିମା । ଆକାଶକୁ ଅନେଇ ତାରକାପୁଞ୍ଜକୁ କହୁଥିଲା ସୀମା, ଏଇଦେଖ ସମୀର, ତମ କଥାରଖି ଆମ ଗାଥା ଇତିହାସ ପୃଷ୍ଠାରେ ଲିପିବଦ୍ଧ କରିଦେଲି । ଦେଖୁଛ ତ ସମୀର....!!



Rate this content
Log in

Similar oriya story from Tragedy