Ranjit Sahu

Drama Others

3  

Ranjit Sahu

Drama Others

ପ୍ରେମ ବିବାହ

ପ୍ରେମ ବିବାହ

4 mins
518


ବାଙ୍କ ବାବୁ ଆଉ ରଙ୍କ ବାବୁଙ୍କର ବନ୍ଧୁତ୍ଵ  ନିଆରା I ଆଖ ପାଖ ସହର ବଜାର ସବୁ ଆଡ଼େ ଲୋକଙ୍କର ମତରେ ସେମାନଙ୍କର 'ଦୋସ୍ତି ' ହେଲା ଶୋଲେ ସିନେମାର ଜୟ ଆଉ ଭୀରୁର ଦୋସ୍ତି ଠାରୁ ମଧ୍ୟ ଘନିଷ୍ଠ ! କାରଣ ବହୁତ ସହଜ ଜାଣିବାକୁ, ବାଙ୍କ ବାବୁ ଆଉ ରଙ୍କ ବାବୁ ବନ୍ଧୁତ୍ଵଟା କେତେକାଂଶରେ ଉତ୍ତରାଧିକାରଣ ଭାବରେ ମଧ୍ୟ ପାଇଛନ୍ତି I ଦୁହିଁଙ୍କର ଘରର କାନ୍ଥ କେବଳ ଲାଗି ନାହିଁ, ସମ୍ପର୍କ ମଧ୍ୟ ସାତ ପୁରୁଷ ପୁରୁଣା ! ଦୁହିଁଙ୍କର ବାପା ମାନେ ମଧ୍ୟ ସାଙ୍ଗ ଥିଲେ, ତାଙ୍କ ଜେଜେବାପା ମାନେ ମଧ୍ୟ. ଆଉ ତାଙ୍କ ବାପା ମାନେ ମଧ୍ୟ ! ଇଂରାଜୀରେ ଥିବା "ଲଭ ଥାଇ ନୈହ୍ଵର" ଉକ୍ତିର ବୋଧହୁଏ ଆଉ କୌଣସି ଅଧିକ ଉତ୍କୃଷ୍ଠ ଉଦାହରଣ ମିଳବନି I 'ଲକଡାଊନ' ରେ ମଧ୍ୟ ସବୁ ଦିନେ ସନ୍ଧ୍ୟାରେ ମିଶିକି ଚାହା  ନ ପିଇଲେ ଦୁହିଁଙ୍କ ମନରେ ଶାନ୍ତି ନ ଥାଏ I "ସାମାଜିକ ଦୂରତା ମାନିବାକୁ ଦୁହେଁ  ସ୍ଥିର କରିଛନ୍ତି, ଦୁହିଁଙ୍କ ଘର ମଧ୍ୟରେ ଥିବା ତାର ଜାଲିର ଦୁଇ ପାଖରେ ବସି କଥା ସାଥିରେ ଚାହା ପର୍ବଟି  ପାଳନ ହେଉଛି  I ସେହି ନିର୍ଣ୍ଣୟ ଅନୁସାରେ ପ୍ରତିଦିନ ସନ୍ଧ୍ୟା ଛଅଟାରେ ଦୁହେଁ ବସୁଛନ୍ତି ପଚାଶଦିନ ହେଲା  I ପ୍ରତିଦିନ ନିଜର ଚର୍ଚ୍ଚାରେ ସମଗ୍ର ବିଶ୍ଵକୁ ଉଦ୍ଧାର କରୁଛନ୍ତି ନିଜର ମନ୍ତବ୍ୟ ଦ୍ଵାରା ଯେପର୍ଯ୍ୟନ୍ତ ଘର ଭିତରୁ ଘରଣୀଙ୍କ ମଧୁର ବାକ୍ୟଟି କାନରେ ନ ବାଜୁଛି, " ହଉ ହେଲା, ଚାହା ପିଆ ସରିଲାଣି ତ ଆସ ଆଉ ଝାଡୁ ଲଗାଅ I ସଞ୍ଜ ଦୀପ ଜାଳିବା ସମୟ ହେଲାଣି ତା ପରେ ରୋଷେଇ ଘରେ ମଧ୍ୟ କାମ ଅଛି I"


ବିବର୍ଣ୍ଣ ହୋଇ ଯାଏ ଦୁହିଁଙ୍କ ମୁଖ ମଣ୍ଡଳ ଆଉ ଲାଗେ ଯେମିତି ସେମାନଙ୍କ ମଧୁର ଆଳାପ ଭିତରେ ବ୍ୟାଘାତ ଘଟିଗଲା I କିନ୍ତୁ ଧର୍ମପତ୍ନୀଙ୍କର ଝାଡୁ ଆଗରେ କୌଣସି ଯୁଗରେ ଆଉ କୌଣସି  ସ୍ଥାନରେ ପୁରୁଷ ମାନଙ୍କର  ଦୋସ୍ତି ତିଷ୍ଠି ଥିଲା କି?ତେଣୁ ଦୁହେଁ ଚାଲି ଯାଆନ୍ତି ନିଜ ନିଜର  ସଂସାରରେ ପୁଣି ନିମଗ୍ନ ହେବାକୁ I ସବୁଠାରୁ ଦୁଃଖର କଥା ହେଲା ଦୁହିଁଙ୍କର ପତ୍ନୀମାନଙ୍କ  ମଧ୍ୟରେ ମଧ୍ୟ ଜିଗରୀ  ଦୋସ୍ତି ଅଛି  I ପଡୋଶୀ ହୋଇ ମଧ୍ୟ ଦୁଇ ଘରଣୀଙ୍କ ମଧ୍ୟରେ ଫେସବୁକ ଆଉ ହ୍ୱାଟ୍ସ ଅପରେ ଚାଟ ହୁଏ ଫୋଟୋ ସହିତ ଆଉ ଭିଡ଼ିଓରେ I "ତୁମେ ନିଜ ହସବ୍ୟାଣ୍ଡକୁ ସମ୍ଭାଳିବା ଶିଖି ନାହଁ ଦେଖା ଆମ ବାବୁ ଆଜି ଝାଡୁ ମାରିକି କେମିତି ସଫା କରଛନ୍ତି ପୁରା ଡ୍ରଇଂ ରୁମକୁ I ଆଉ ଆର ପାଖରୁ ଉତ୍ତର ଆସେ, "ଆଜି ଆମ ବାବୁ ସବୁତକ ଲୁଗା ନିଜେ ହାତରେ ସଫା କରିଛନ୍ତି I ବିଜୁଳି ବିଲ କମେଇବାକୁ ମୁଁ ୱାସିଂ ମେସିନ ଚଳାଉନାହିଁ I " 


ତେଣୁ ଯେଉଁଦିନ ରଙ୍କ ବାବୁ ବାସନ ମାଜି ଥାଆନ୍ତି, ବାଙ୍କ ବାବୁ ମାଜିବାକୁ ବାଧ୍ୟ ହୁଅନ୍ତି ଆଉ ଯେଉଁ ଦିନ ବାଙ୍କ ବାବୁ ଲୁଗା ସଫା କରିଥାଆନ୍ତି ସେଦିନ ରଙ୍କ ବାବୁ  କରିବାକୁ ବାଧ୍ୟ I ନଚେତ ସାଙ୍ଗେ ସାଙ୍ଗେ ଶୁଣିବାକୁ ମିଳେ, "ଟିକିଏ ଶିଖ ତୁମ ଜିଗରି ସାଙ୍ଗ ଠାରୁ, ଘରଣୀଙ୍କ ସହ କେମିତି ବ୍ୟବହାର କରିବାକୁ ପଡ଼େ !"ନିଜର ମନକୁ ଯେତେ ବାଧିଲେ ମଧ୍ୟ, ନିଜର ଦୋସ୍ତିର ଇଜ୍ଜତ ତଳେ ନ ପକେଇବାକୁ, କାମରେ ଲାଗି ଯାଆନ୍ତି ଦୁହେଁ ! ବେଳେ ବେଳେ ହୀନିମାନ ଲାଗେ ମଧ୍ୟ, "ନିଜେ ତ ଝାଡୁ ମାରୁଛି ଅଥବା ନିଜେ ତ ବାସନ ଧୋଉଛି, ଏବେ ତାହା ଯୋଗୁଁ ମୋତେ ମଧ୍ୟ କରିବାକୁ ପଡୁଛି !" କିନ୍ତୁ ବନ୍ଧୁତ୍ଵର କଥା ଭାବି ଦୁହେଁ ତୁନି ରହି ଯାଆନ୍ତି I କିନ୍ତୁ ଲକଡାଉନ ଯୋଗୁଁ ଦିନ ସାରା ଘରେ ବସି  ଧୀରେ ଧୀରେ ଲାଗିଲାଣି  ଯେମିତି ଭାର୍ଯ୍ୟା ପ୍ରଭାବଟି ଭାରାକ୍ରାନ୍ତ କରିବାକୁ ଲାଗିଲାଣି ବନ୍ଧୁତ୍ଵକୁ ! ଏହା ବ୍ୟତୀତ ଦୁହିଁଙ୍କର ପୁଅ ମାନେ ବାହାର ସହରରେ ରହି ପାଠ ପଢି ଚାକିରୀ କଲେଣି I ଦୁହିଁଙ୍କର ଗୋଟିଏ ଗୋଟିଏ ପୁଅ ତେଣୁ କୌଣସି ପ୍ରକାର ପାରିବାରିକ ସମ୍ପର୍କ ମଧ୍ୟ ଗଢ଼ି ହେବନି I ନଚେତ ସେମାନେ ସମୁଧି ହୋଇ ପାରିଥାଆନ୍ତେ I ଆଜିର ଆଲୋଚନାରେ ଦୁହେଁ ସ୍ଥିର କରିଛନ୍ତି ଦୁନିଆଁର ସମସ୍ୟା ସବୁ ପରେ ସମାଧାନ ହେବ ପ୍ରଥମେ ଏହି ପାରମ୍ପାରିକ ସମ୍ପର୍କଟିକୁ ଲୁପ୍ତ ହେବାରୁ ରକ୍ଷା କରିବାକୁ ହେବ I ଆଜି ଶେଷରେ ନିଷ୍ପତି ହୋଇଛି, ଜେଣ ତେଣ ପ୍ରକାରେଣ ଏହି ସମସ୍ୟାରୁ ମୁକ୍ତି ପାଇବାର ଅଛି ଆଉ ବନ୍ଧୁତ୍ଵକୁ ଆହୁରି ସୁଦୃଢ଼ କରିବାକୁ ଉଚିତ ପଦକ୍ଷେପ ନିଆ ଯିବ  I କିନ୍ତୁ ଉପାୟ କଣ ଆଉ ହୋଇ ପାରେ ? ଶେଷରେ ନିଷ୍ପତି ନିଆ ଗଲା ବାଙ୍କ ବାବୁଙ୍କ ଅଣ୍ଡିରା କୁକୁର ଟିପୁର ବାହାଘର କରିବେ ରଙ୍କ ବାବୁଙ୍କ ମାଈ  କୁକୁର ପିଙ୍କି ସହ ଆଉ ଦୁହେଁ ହୋଇଯିବେ ସମ୍ପର୍କୀୟ I ତାହା ପରେ ଯେତେ ମନ ମାଳିନ୍ୟ ହେଲେ ମଧ୍ୟ ସମ୍ପର୍କଟା  ଆଉ ତୁଟିବନି ! ଏହା ବ୍ୟତୀତ ସବୁ ଆଡେ ବାହାଘର ସବୁ ବାତିଲ I ସରକାର  ସିନା ମଣିଷଙ୍କର ବାହାଘର ଉପରେ କଟକଣା ଲଗେଇଛନ୍ତି, କୁକୁରଙ୍କ ପାଇଁ ତ ନିୟମ ଲାଗୁ ହେବନି ! ଏହି ବାହାନାରେ ଟିକେ ଭୋଜି ଭାତ ହୋଇଯିବ I ତାର ଜାଳି ଦୁଇ ପାଖରେ ବସି କିଛି ନ ହେଲେ ଚାରି ପ୍ରକାର ରନ୍ଧା ତ ଖାଇହେବ?

ଦୁହେଁ ପଣ୍ଡିତଙ୍କୁ ଫୋନ  କଲେ ବାହାଘରର ମୁହୂର୍ତ୍ତ ପାଇଁ I ପଣ୍ଡିତ ଶୁଣି ରାଗରେ ତମତମ ହୋଇ ଫୋନରେ ଗରଜି ଉଠିଲେ, " ମୋର କଣ ଟିକେ ମାନ ସମ୍ମାନ ନାହିଁ ଶେଷରେ ପେଟ ପୋଷିବା ଲାଗି କୁକୁର ବାହାଘର କରେଇବି?" କିଛି ଭାବି ଦୁହେଁ କହିଲେ, ଅନ୍ୟ ଧର୍ମରେ ବୋଧହୁଏ ହେଇ ପାରିବ କିନ୍ତୁ ଅନ୍ୟ ଧର୍ମରେ ମଧ୍ୟ କେହି ରାଜି ହେଲେନି I ଶେଷରେ ବିବାହ ରେଜିଷ୍ଟ୍ରସନ ଅଫିସରେ ପଚାରି ବୁଝିବାରୁ ଜଣା ପଡିଲା ମଣିଷର ସବୁଠାରୁ ବିଶ୍ଵସ୍ତ ବନ୍ଧୁ କୁକୁର ଲାଗି କୌଣସି ପନ୍ଥା ନାହିଁ, ନିଜର  ବିବାହକୁ ସରକାରୀ ମୋହର ଲଗେଇବାକୁ I ବହୁତ  ଚିନ୍ତା କଲା ପରେ ଦୁହେଁ ସ୍ଥିର କଲେ  ବାହାଘର ହେବ ନିଶ୍ଚୟ ଆଉ ହେବ ଗନ୍ଧର୍ବ ରୀତିରେ, ପ୍ରେମ ବିବାହଟିଏ, ଫୁଲ ମାଳ  ଅଦଳ ବଦଳ କରି !କିନ୍ତୁ ଏହି ସମୟରେ ମଲ୍ଲି କିମ୍ବା ଗେଣ୍ଡୁ କିମ୍ବା ଗୋଲାପ ଫୁଲ ମାଳ ଆସିବ କେଉଁଠାରୁ? ତେଣୁ ସ୍ଥିର ହେଲା କେବଳ ‘କୋଲର’ ଅଦଳ ବଦଳ ହେବ ଆଉ ବାଡ଼ିର ମନ୍ଦାର ଆଉ କନିୟର ଫୁଲରେ ଯାହା ମାଳ  ହେବ ତାକୁ ବ୍ୟବହାର ହେବ !

ଯାହା  ହେଉ ବାହାଘର  ହେଇଗଲା ସୁରୁଖୁରୁରେ ଏବଂ କିଛିଟା ଭଲ ଖାଇବା ପିଇବା ମଧ୍ୟ I ଦୁଇ କୁକୁରଙ୍କୁ ନୂଆ କୋଲାର ମିଳିଲା ଯାହା ସେମାନେ ଅଦଳ ବଦଳ କଲେ ଫୁଲ ମାଳ  ସହିତ ଏବଂ ତାର ଜାଲିରେ ଗୋଟିଏ ସ୍ଥାନରେ ଫାଙ୍କ କରାଗଲା ଯାହା ଦ୍ଵାରା ପିଙ୍କି ପାଇଁ ଶାଶୁ ଘରକୁ ଯିବାକୁ ସୁବିଧା ହେବ ! କିନ୍ତୁ ବାହା ଘର ନ ସରୁଣୁ ପ୍ରଥମ  ଦିନରୁ ଅସୁବିଧା  ଦେଖା ଦେଲା ! ପିଙ୍କି ତାର ଜାଳି ପାର ହେବ ପୂର୍ବରୁ ଟିପୁ ଆସି ହାଜର ତା ପାଖରେ ଆଉ ବାଙ୍କ ବାବୁଙ୍କ ଧର୍ମପତ୍ନୀଙ୍କର ଦୁଃଖ ଆଉ ଅଭିମାନ ଆରମ୍ଭ ," ମୁଁ କଣ ଏହାକୁ ଏତେ ବଡ ଏଇଥିପାଇଁ କରିଥିଲି, ଇୟେ ଯାଇ ଶଶୁର ଘରେ କୁକୁର ହେବ? ଭଲ ହେଇଥଆନ୍ତା ମୋର ମାଈ କୁକୁରୀ ଟିଏ ହୋଇଥିଲେ I" ରଙ୍କ ବାବୁଙ୍କର ସ୍ତ୍ରୀ  କିନ୍ତୁ ଖୁସି- ଯାହା  ହେଉ ପିଙ୍କି ସେହି କାମଟି କରିଛି ଯାହା ଆଜି ଯାଏଁ ସିଏ ନିଜେ କରି ପାରି ନାହାନ୍ତି, ବାଙ୍କ ବାବୁଙ୍କ ସ୍ତ୍ରୀ କୁ ଟିକେ ତଳେ ପକେଇଛି I ନଚେତ ସିଏ ତ କେତେ ପ୍ରକାର ତାଙ୍କୁ କମ ସାବିତ କରିବାକୁ ଚେଷ୍ଠା କରିଛନ୍ତି, କେବେ ଅଧିକ ଦାମୀ ଶାଢ଼ୀ କିଣି, କେବେ ନୂଆ ଗହଣା  କିଣି, କିନ୍ତୁ ବାଙ୍କ  ବାବୁଙ୍କ ସ୍ତ୍ରୀ ସବୁ ବେଳେ ଆଗୁଆ ରହି ଯାଉଥିଲେ I ଏଥର ତ ହାରିଗଲେ, ପୁଅ ତ ଘର ଜ୍ବାଇଁ ହେଇଗଲା I ନିଜକୁ ଆହୁରି ଭଲ ପ୍ରମାଣ କରିବାକୁ ଯାଇ, ରଙ୍କ ବାବୁଙ୍କ ସ୍ତ୍ରୀ ତାହା ପରଦିନ ଠାରୁ ଘର କାମ  ଆରମ୍ଭ କରିଦେଇଛନ୍ତି ଆଉ ତାଙ୍କୁ ଜବାବ ଦେବା ଲାଗି ବାଙ୍କ ବାବୁଙ୍କ ସ୍ତ୍ରୀ  ମଧ୍ୟ!

ଧର୍ମପତ୍ନୀଙ୍କ ଭିତରେ ଅକସ୍ମାତ ହେଇଥିବା ପରିବର୍ତ୍ତନରେ ବାଙ୍କ ବାବୁ ଆଉ ରଙ୍କବାବୁ ବହୁତ ଖୁସି, କିନ୍ତୁ ଆଜି କାଲି ଆଉ ଘରେ କାମ ନଥିବାରୁ ଜୀବନ ବେକାର  ବେକାର ଲାଗୁଛି I ଦୁହେଁ ଭାବିଛନ୍ତି ବୋଧହୁଏ ଏଥର ଓଲଟା ବାହାଘରଟିଏ କରିବାକୁ ପଡିବ I ଏଥର ବାଙ୍କ ବାବୁ କୁକୁରିଟିଏ ପୋଷିବେ ଆଉ ରଙ୍କ  ବାବୁ କୁକୁରଟିଏ ! ଆଗାମୀ ବର୍ଷ ପୁଣି ଥରେ ଯଦି ଏମିତି ଲକଡାଉନ ଘୋଷଣା ହେବ ତାହା ହେଲେ କଣ କରିବେ ଦୁହେଁ ନଚେତ ? ଏହା ବ୍ୟତୀତ ଆଉ ଏକ ସମସ୍ୟା ଦେଖା ଦେଇଛି I  ଆଜି କାଲି ଟିକିଏ ଘଡଘଡି ମାରିଲେ କି ବର୍ଷା  ହେଲେ ଟିପୁ ଆଉ ପିଙ୍କିକୁ ଚାହୁଁନି ବରଂ ରାସ୍ତାରେ ଯାଉଥିବା ଅନ୍ୟ କୁକୁରିଙ୍କ ଆଡକୁ ଧ୍ୟାନ ଦଉଛି ଠିକ ଯେମିତି ପିଙ୍କି ବାହାରକୁ ଅନାଉଛି ଅନ୍ୟ କୁକୁର ମାନଙ୍କ ଆଡକୁ !


Rate this content
Log in

Similar oriya story from Drama