Neelima Nivedita Behera

Inspirational

3  

Neelima Nivedita Behera

Inspirational

ପ୍ରେମ ୫

ପ୍ରେମ ୫

2 mins
14.5K


 ଅଫିସରୁ ବାହାରି ରାସ୍ତା କଡ଼ରେ ଠିଆ ହେଇଥାଏ ମୁଁ । ଅପେକ୍ଷା କରିଥାଏ ଅଟୋ ପାଇଁ । ଅନତି ଦୂରରେ ଠିଆ ହୋଇଥାଏ ଧୂରୀଣ ଜଣେ କଳାକାର, ଗୋଟିଏ ବଡ ଓ ରଙ୍ଗିନ୍ ଛତା ତଳେ । ସାମ୍ନାରେ ତା'ର ରଖିଥାଏ କେତେ ଧାଡ଼ି ଚୋପାଲଗା ମକା । ଦି' ଖଣ୍ଡ ବାଡ଼ି ପୋତି, ମଝିରେ ଗୋଟିଏ ସୂତୁଲି ସାହାଯ୍ୟରେ ଟାଙ୍ଗିଥାଏ କେତେଟା ଚୋପାଛଡ଼ା ମକା । ମଝିରେ ମଝିରେ ମୁହଁକୁ ପାଖକୁ ନେଇ ଫୁଙ୍କି ଦେଉଥାଏ କୋଇଲାର ମିନି ଚୁଲାକୁ, ଯଉଟା ସେ ଥୋଇଥାଏ ତା' ଟେବୁଲ୍ ଉପରେ ।

୮/ ୧୦ ଜଣିଆ ଭିଡ଼ ଭିତରେ କିନ୍ତୁ ବେଶ୍ ବାରି ହେଇ ପଡୁଥିଲା ସେ ଖଇରି ରଙ୍ଗର କୁର୍ତ୍ତୀ ପିନ୍ଧା ଝିଅଟି । ସଞ୍ଜବେଳିଆ ମେଘୁଆ ପାଗ ବୋଲି କି ସତରେ ସେ ଶ୍ୟାମଳୀ ରଙ୍ଗର ଥିଲା, କେଜାଣି ? ବୋଧେ ତା' ପ୍ରେମିକ ସାଙ୍ଗରେ ଥିଲା । ବୋଧେ କହିବାର ଅର୍ଥ, ତା' ସାଙ୍ଗରେ ଥିବା ସେ ଯୁବସୁଲଭ ବ୍ୟକ୍ତିଟି କେହି ବି ହେଇପାରେ । ତା' ପ୍ରେମିକ ବ୍ୟତିରେକ ତା’ ଭାଇ, ସାଙ୍ଗ, ପାଖାପାଖି ବୟସର ଦାଦା କି ମାମୁଁ । ହେଲେ ପ୍ରେମିକ କହିବାର ବି ଗୋଟେ ଠୋସ୍ କାରଣ ଅଛି । ଜିନ୍ସ ଓ କୁର୍ତ୍ତୀ ପିନ୍ଧା ସେ ଝିଅଟିର ହସ ଓଠରେ କମ୍ ଆଉ ଆଖିରେ ବେଶି ଚମକୁଥିଲା । ଚଷମା ତଳୁ ତା' ଆଖିର ଲାଜ ମକା ପୋଡ଼ା ମହକ ଉପରେ ପ୍ରଭୁତ୍ଵ ବିସ୍ତାର କରୁଥିଲା । ଭାବିଲି, ପକେଟରୁ ଫୋନଟା କାଢିବି ଆଉ ସେଇ ନିର୍ଲିପ୍ତ ଲାଜମିଶା କେଇ ପାଖୁଡ଼ା ହସକୁ ମୋ କ୍ୟାମେରା ଲେନ୍ସରେ କଏଦ୍ କରିଦେବି ।

ହାତ ପୁରାଇ ପକେଟରୁ କାଢିଲି ମୋ ମୋବାଇଲ୍ । ଏନଲାର୍ଜ କରି ହସକୁ କ୍ୟାପଚର୍ କରୁକରୁ ଅଟୋ ଗୋଟେ, ପେଁପେଁ କରି ଆସି ମୋ ପାଖରେ ପହଞ୍ଚିଲା ଆଉ ପଚାରିଲା,

- "କୁଆଡେ ଯିବ ? ପଟିଆ ???"

- ଉଁ... ! ହଁ... କେତେ ନବ ମଉସା ??

- ପଚିଶି ।

- କୋଡିଏ ତ ପଚିଶି କ’ଣ ଯେ ? ମୁଁ କ’ଣ ନୂଆ ଗ୍ରାହକ ? ଏଇବାଟେ ପରା ମୋର ନିଇତି ଯିବାଆସିବା !

- ଜୟଦେବ୍ ବିହାରକୁ ପନ୍ଦର ଆଜ୍ଞା । ପଟିଆ ଡେଇଁଲା ମାନେ ପଚିଶି ।

ହଉ ଚାଲ, କହି ଅଟୋରେ ପଶିଲି । ସେତେବେଳକୁ କ୍ୟାମେରା ବନ୍ଦ୍ କରିସାରିଥିଲା ତା’ ଆଖି ଆଉ ସେମାନଙ୍କୁ ଓଭର୍ ଟେକ୍ କରି ଗଡ଼ି ସାରିଥିଲା ବି ଅଟୋର ଚକ । କିଛି ବାଟ ପରେ ନିର୍ଧୂମ କାଚିଲା ବର୍ଷା । ମୁଁ ତରବର ହେଇ ଖୋଲି ପକେଇଲି ଅଟୋରେ ବନ୍ଧା ହୋଇଥିବା ଜରି ପାଲ । ଦେଖିଲାବେଳକୁ ହାଁ ହାଁ ଦି’ଟା କଣା । ମୁଁ କହିଲି,

- ମଉସା ! ମୁଁ ତ ତିରିଶି ଦେବି । ଲାଗୁଛି ଏ ପାଲ ମୋତେ ଓଦା ହେବାରୁ ନିଶ୍ଚେ ବଞ୍ଚେଇଦେବ ।

- ଥଟ୍ଟା କରୁଛ ? ବୟସ ହେଲେ ଜାଣିବ ? ତମେ କାହୁଁ ଜାଣିବ ପେଟର ଦାଉ ??? ତେଲ ଦାମ୍ ଆସି ୬୫ ଟପିଲାଣି ଆଉ ବେଉସା କହିଲେ ଏଇ ଅଟୋ’ ରେ ବାପ ।

- ହଁ ପା’ ମଉସା । ଚୁଟି ପାଚିନି ମୋର ଏଯାଏଁ ଅଭିଜ୍ଞତାରେ । ହାଃ ହାଃ ହାଃ ।

- ........................... ।

ନିରବି ଗଲେ ଅଟୋ ମଉସା । ଚାହୁଁଚାହୁଁ ପହଞ୍ଚିଗଲା ବି ମୋ ଗନ୍ତବ୍ୟ ସ୍ଥଳ । ଅଟୋରୁ ଓହ୍ଲାଇଲାବେଳେ ବଢେଇଦେଲି ତିରିଶି ଟଙ୍କା । ଖୋଳା ଖୋଳା ଆଖିରେ ସେ ଆଶ୍ଚର୍ଯ୍ୟ ହେଇ ମୋ ଆଡ଼େ ଚାହିଁଲାବେଳେ ପକେଟରୁ ମୋବାଇଲ କାଢି ମୁଁ କହିଲି,

- ସ୍ମାଇଲ୍ ପ୍ଳିଜ୍ ।

ନୀଳିମା ନିବେଦିତା


Rate this content
Log in

Similar oriya story from Inspirational