ପ୍ରିୟଦର୍ଶିନୀ ମହାନ୍ତି

Tragedy

3  

ପ୍ରିୟଦର୍ଶିନୀ ମହାନ୍ତି

Tragedy

ପ୍ରାୟଶ୍ଚିତ

ପ୍ରାୟଶ୍ଚିତ

5 mins
351


  ପ୍ରାୟଶ୍ଚିତ


    ମଫସଲ ନ ହେଲେ ମଧ୍ୟ ସହର ବି ନୁହେଁ।ସେଠାରେ ନିତ୍ୟାନନ୍ଦ ତା ମାଆ ଶକୁନ୍ତଳା ସହ ରୁହେ। ବାପ ଛେଉଣ୍ଡ ପିଲାଟିକୁ ମାଆ ଅତି କଷ୍ଟରେ ପଢ଼ାଇ, ବଢ଼ାଇ ମଣିଷ କଲେ। ଉଚ୍ଚଶିକ୍ଷା ଦେଲେ।ପିଲାଟି ମଧ୍ୟ ଖୁବ ପରିଶ୍ରମି। କୁହନ୍ତି ଅରକ୍ଷିତକୁ ଦଇବ ସାହା। କଠିନ ଅଧ୍ୟବସାୟ, ନିଷ୍ଠା ବଳରେ ନିତ୍ୟାନନ୍ଦକୁ ଭଲ ଚାକିରୀଟିଏ ମିଳିଗଲା। ମାଆ ମନ ଖୁସି କହିଲେ ନ ସରେ। ଯାହା ବି ହଉ କଷ୍ଟ ପରିଶ୍ରମର ମୂଲ୍ୟ ରହିଲା। ପୁଅ ତାଙ୍କର ବିଦେଶ ଯିବ। ତାଙ୍କ ଛାତି ଖୁସିରେ କୁଣ୍ଢେମୋଟ। ଏ ଯାଏଁ ସେହି ଗାଁରେ କିଏ ମଧ୍ୟ ବିଦେଶରେ ଚାକିରୀ କରିନଥିଲେ। ତାଙ୍କ ପୁଅ ଗାଁର ପ୍ରଥମ ପିଲା ଯିଏକି ବିଦେଶ ଯିବ। ଏହି କଥା ଭାବି ମା ମନ ଗର୍ବରେ ଫୁଲି ଉଠୁଥିଲ। ମାଆ ଗାଁ, ସାହି ବୁଲି ମିଠା ବାଣ୍ଟି ଏଇ ଶୁଭ ଖବର ସମସ୍ତଙ୍କୁ ଜଣେଇଲେ। ଅଭିନନ୍ଦନ ର ସୁଅ ଛୁଟିଲା। ମାଆଙ୍କ ସ୍ବପ୍ନ ସାକାର ହୋଇଛି।ପୁଅ ତାଙ୍କର ମଣିଷ ହୋଇପାରିଛି।


    କମ୍ପାନିରୁ ଚିଠି ଆସିଲା ତିନି ଦିନ ପରେ ଚାକିରିରେ ଯୋଗ ଦେବାକୁ ପଡିବ।ମା ଅତି ଖୁସିରେ ପୁଅ ପାଇଁ ହାତ ତିଆରି ବଡି, ଆଚାର, ପାମ୍ପଡ଼ ସାଇତି ବ୍ୟାଗରେ ରଖିଲେ। ପୁଅକୁ ଛାଡିବାର ଦୁଃଖ ସହ ଚାକିରିର ଖୁସି ମିଶା ଫେଣ୍ଟା ଫେଣ୍ଟି ହସ କାନ୍ଦରେ ମା ପୁଅକୁ ବିଦାୟ ଦେଲେ। ମଝିରେ ମଝିରେ ନିତ୍ୟାନନ୍ଦ ଗାଁକୁ ଆସି ମା'ର ଭଲମନ୍ଦ ବୁଝିନିଏ।


   ଏହିପରି କିଛି ବର୍ଷ ବିତିଗଲା। ପୁଅକୁ ଯଥେଷ୍ଟ ବୟସ ହୋଇଗଲାଣି। ଭଲ ଚାକିରୀ ଖଣ୍ଡେ ପାଇନଥିଲା ବୋଲି ପୁଅ ବିବାହ ପାଇଁ ଅରାଜି ହେଉଥିଲା। ମା'ଙ୍କ ଶେଷ ଇଛା ରୂପବତୀ, ଗୁଣବତୀ ସହ ଭଲ ଘରର ଝିଅ ଦେଖି ପୁଅ ସହ ବିବାହ ଦେଇ ତାଙ୍କରି ମଧ୍ୟରେ ଶେଷ ଦିନଗୁଡିକ କାଟିଦେବାକୁ। ପୁଅ ଆଗରେ ମାଆ ନିଜର ଅଭିଳାଷ ଉପସ୍ଥାପନା କରିଲେ। ପୁଅ ନିଜର ମନକଥା ମାକୁ କହିବାକୁ ସଂକୋଚ ମନେକଲା।ଶେଷରେ ମା'ଙ୍କୁ କହିବାକୁ ବାଧ୍ୟ ହେଲା, ଯେ ସେ ବିଦେଶରେ ଗୋଟିଏ ଝିଅକୁ ପସନ୍ଦ କରେ ବୋଲି।ଉଭୟ ଉଭୟଙ୍କୁ ବିବାହ କରିବେ ବୋଲି ନିଷ୍ପତି ନେଇଛନ୍ତି। ହଠାତ ପୁଅର ଏହି କଥା ଶୁଣି ମା ସ୍ତବ୍ଧ ହୋଇଗଲେ। ପୁଅର ଇଛାରେ ସେ ଯେ ସହମତି ନୁହେଁ ସେ କଥା ନୁହଁ, କିନ୍ତୁ ବିଦେଶର ଝିଅ ସେଥିପାଇଁ କଥାଟା ଟିକେ ଅଡୁଆ ଲାଗିଲା। ତାଙ୍କ ରୀତିନୀତି , ପ୍ରଥା, ପରମ୍ପରାକୁ ସେ ଝିଅ ଆପଣେଇ ପାରିବ ନାହିଁ। ତା ପରେ ବିଦେଶୀ ଝିଅ ଯେ ଗାଁରେ ରହିବ ସେ କଥା ଭାବିବା ବି ମୂର୍ଖାମୀ। ତଥାପି ଗୋଟିଏ ବୋଲି ପୁଅ। ପୁଅର ଇଛା ଆଗରେ ମା ନିରୁତ୍ତର।


   ଶେଷରେ ବିବାହ ପାଇଁ ଦିନ ଓ ସମୟ ଧାର୍ଯ୍ୟ କରାଗଲା। ବିବାହ କାର୍ଯ୍ୟ ସମ୍ପୂର୍ଣ୍ଣ ରୀତିନୀତିରେ ସୂଚାରୁ ରୁପେ ସମ୍ପାଦନା କରାଗଲା। କିଛିଦିନ ଗାଁରେ ପୁଅବୋହୁ ରହିଲେ। କିନ୍ତୁ ବୋହୁ ପକ୍ଷେ ଗାଁ ପରିବେଶ ସହ ଖାପ ଖୁଆଇ ଚଳିବା ଅସହଜ ଥିଲା। ପୁଅକୁ ମଧ୍ୟ ଚାକିରୀ କ୍ଷେତ୍ରକୁ ଯିବାକୁ ପଡ଼ିବ। ତେଣୁ ନିତ୍ୟାନନ୍ଦ ମା'କୁ ମଧ୍ୟ ସାଙ୍ଗରେ ବିଦେଶ ନେଇଯିବାକୁ ସ୍ତ୍ରୀକୁ ପ୍ରସ୍ତାବ ଦେଲା। ଏହି କଥା ଶୁଣି ନିତ୍ୟାନନ୍ଦର ସ୍ତ୍ରୀ ରାଗିଉଠି କହିଲା ଯେ, ଗାଁ ଗହଳି ମଳିମୁଣ୍ଡିଆ ଲୋକ ବିଦେଶରେ ଚଳିପାରିବେନି। ଆଉ ତାଙ୍କର ଗାଉଁଲି ବେଶ ଦେଖି ମୋ ସାଙ୍ଗସାଥୀମାନେ ମତେ ତତ୍ସଲ୍ୟ କରିବେ। ପୁଣି ମାଆଙ୍କର ସେ ଟି.ବି ରୋଗ ଯୋଗୁ ଅନବରତ ଖୁଁ ଖୁଁ ବଡ଼ ଅତିଷ୍ଠ କରୁଛି। ମୋ ଷ୍ଟାଟସ୍, ରେପୁଟେସନ୍ କଥା। ତେଣୁ ମା'ଙ୍କୁ ନେବା କଥା ମନରୁ ପାସୋରି ଯା। ସେଠାର ଖାଦ୍ୟ, ଜଳବାୟୁ ମଧ୍ୟ ତାଙ୍କ ପାଇଁ ଅନୁପଯୁକ୍ତ। ସେ ଗାଁ'ରେ ରହିବା ହିଁ ଭଲ।


   ବିଚରା ନିତ୍ୟାନନ୍ଦ କଣ ବା ଆଉ କରିବ! ମନରାଜିରେ ବିବାହ କରିଛି ଯେତେବେଳେ ସ୍ତ୍ରୀ କଥା ତ ଶୁଣିବାକୁ ପଡିବ। ବ୍ୟାଗ ଧରି ଗଲାବେଳେ ନିତ୍ୟାନନ୍ଦ ମାଙ୍କ କୋଠରୀକୁ ଯାଇ ପାଦଧୂଳି ନେଲା। ଖୁବ ଶୀଘ୍ର ତାଙ୍କୁ ମଧ୍ୟ ବିଦେଶକୁ ନେଇ ପାଖରେ ରଖିବ ବୋଲି ଆଶ୍ୱାସନା ଦେଇ ଚାଲିଗଲା। ମା' ମନର କୋହକୁ କିଏ ବା କାହିଁ ବୁଝିବ। ମା' ତ ଆଉ ସନ୍ତାପି ଦୁନିଆକୁ ଲୁହ ଦେଖେଇପାରିବନି। ସେଥିପାଇଁ ପରା ସେ ମା, ସର୍ବସଂହା, ସବୁ ସହିବ। ବୃଦ୍ଧ ବୟସରେ ଏକାକୀ ପୁତ୍ର ପତି ବିନା ଅସହାୟ, ନିଃସହାୟ ହୋଇ ରହିବା କେତେ ଯେ କଷ୍ଟ ସେକଥା ସେଇ ସର୍ବହରା ମା' ହିଁ ଜାଣେ। ମଝିରେ ମଝିରେ ପୁଅ ପଡିଶା ଘର ଭାଉଜକୁ ଫୋନ କରି ମା' ସହ କଥା ହୁଏ।


ଏମିତି କିଛିଦିନ ଅନ୍ତେ ନିତ୍ୟାନନ୍ଦ ପାଖକୁ ଖବର ଆସିଲା ଯେ, ମା'ର ଦେହ ସାଙ୍ଘାତିକ ଅସୁସ୍ଥ। ପୁଅବୋହୁଙ୍କୁ ଦେଖିବାକୁ ଇଛା ହେଉଛି। ନିତ୍ୟାନନ୍ଦ ଜାଣେ ତା ସ୍ତ୍ରୀ ଗାଁ ପ୍ରତି ଅନାସକ୍ତ। ତେଣୁ ସ୍ତ୍ରୀକୁ ଗାଁକୁ ଯିବା କଥା କହି ଘରେ ଅଶାନ୍ତି ସୃଷ୍ଟି କରିବା ଅପେକ୍ଷା ନିଜେ ଏକାକୀ ଚାଲିଯିବା ଭଲ। ସେଥିପାଇଁ ସେ ନିଜେ ଗାଁକୁ ଯିବାପାଇଁ ବାହାରିଲା।ଗାଁରେ ଯାଇ ପଂହଁଚି ଦେଖେ ତ ମା ଦେହ ଅସୁସ୍ଥ।କାଶ ଥମିବାର ନାଁ ଧରୁନି। ଦେହ ଦିନକୁ ଦିନ କ୍ଷୀଣ ହୋଇଗଲାଣି। ନିତ୍ୟାନନ୍ଦ ମା'କୁ ନେଇ ଡାକ୍ତରଖାନା ଗଲା। ଡାକ୍ତରଙ୍କ ପରାମର୍ଶରେ ଔଷଧ ଆଣି ମା'କୁ ନିୟମିତ ଖାଇବାକୁ କହିଲା। ଏହି ଭିତରେ ତିନି ଦିନ ବିତିଗଲାଣି। ସ୍ତ୍ରୀ ବରାବର ଫୋନ କରୁଛି ଫେରି ଆସିବାକୁ। ମା'ର ଏମିତି ଅବସ୍ଥାରେ ସେ କେମିତି ବା ଛାଡିକି ଯିବ ଏକୁଟିଆ ଗାଁରେ। ଆଉ ବିଦେଶ ନେଇ ବି ପାରିବନି। ବଡ଼ ହରଡ଼ଘଣାରେ ପଡିଲା ନିତ୍ୟାନନ୍ଦ। ଦୋଛକିରେ ଜୀବନ ବିତାଉଥିବା ନିତ୍ୟାନନ୍ଦ ଏବେ କରିବ କଣ। ଏଣୁ ମାରିଲେ ଗୋହତ୍ୟା, ତେଣୁ ମାରିଲେ ବ୍ରହ୍ମହତ୍ୟା। ବିଚରା ନିତ୍ୟାନନ୍ଦ କିଛି ସିଦ୍ଧାନ୍ତ ନ ନେଇପାରି ଦ୍ଵନ୍ଦରେ ଥାଏ।


ପରିଶେଷରେ ନିତ୍ୟାନନ୍ଦ ନିଷ୍ପତ୍ତି ନେଲା ଯେ ମା'କୁ ଛାଡ଼ିଦେଇଆସିବ ବୃଦ୍ଧାଶ୍ରମରେ। ମା'ର ଆବଶ୍ୟକୀୟ ଜିନିଷ ଧରି ମା'କୁ ସାଙ୍ଗରେ ନେଇ ନିତ୍ୟାନନ୍ଦ ବସ ଯୋଗେ ବୃଦ୍ଧାଶ୍ରମ ଅଭିମୁଖେ ଯାତ୍ରା କଲା। ରାସ୍ତାରେ ଯିଏ ବି ପଚାରେ ମା' ପୁଅ ଦୁହେଁ କୁଆଡେ ଯାଉଛ ବୋଲି, ମା'କୁ ସାଙ୍ଗରେ ଧରି ବିଦେଶ ଯାଉଛି ବୋଲି ନିତ୍ୟାନନ୍ଦ ଉତ୍ତର ଦିଏ। ଗାଁ ଲୋକ ବୃଦ୍ଧାଶ୍ରମ କଥା ଜାଣିଲେ ଛି ଛି କରିବେ। ଏ କଥା ସେ ବେଶ ଭଲ ଭାବେ ଜାଣେ। ମା'କୁ ବୃଦ୍ଧାଶ୍ରମରେ ଛାଡି ସେ ଚାଲିଗଲା ବିଦେଶକୁ।ମା' ବୃଦ୍ଧାଶ୍ରମରେ ଥାଇ ଅତୀତର ସବୁ ଘଟଣା ମନେପକାଇ କାନ୍ଦିଲା। ପୁଅ ପ୍ରତି ତାର ସ୍ନେହ, ତ୍ୟାଗ ଓ ବଳିଦାନ ସବୁ କଣ ବୃଥା! ପୁଅ ଶେଷରେ ମା' ମମତାର କଣ ଏଇଆ ପାଉଣା ଦେଲା! ସେ ଜାଣିପାରିଲା ଯେ ଜୀବନର ଅବଶିଷ୍ଟ ଦିନ ଏହି ବୃଦ୍ଧାଶ୍ରମରେ ହିଁ କାନ୍ଦି କାନ୍ଦି କଟେଇବାକୁ ପଡିବ।ଏଣେ ନିତ୍ୟାନନ୍ଦ ତା ସ୍ତ୍ରୀ ସହିତ ଖୁସିରେ ଥାଏ।ମା ପାଇଁ ଆଉ ଚିନ୍ତା ନାହିଁ।ବାରମ୍ବାର ଫୋନ କରି ଦେହ ପା କଥା ବି ପଚାରିବାକୁ ପଡିବନି।ବୃଦ୍ଧାଶ୍ରମ କର୍ମକର୍ତ୍ତାଙ୍କ ଦାୟିତ୍ୱରେ ମା'।


ଗାଁରେ ପ୍ରତିବର୍ଷ ଠାକୁରାଣୀ ଯାତ୍ରା ହୁଏ। ନିତ୍ୟାନନ୍ଦ ଗାଁକୁ ଯାଇ ଠାକୁରାଣୀ ଯାତ୍ରାରେ ଯୋଗଦେବା ସହିତ ମା'କୁ ମଧ୍ୟ ଦେଖିଆସିବାକୁ ସ୍ଥିର କଲା।ଗାଁରେ ପଂହଁଚିଲାବେଳକୁ ରାତି ହୋଇଯାଇଥାଏ।ଖାଇପିଇ ବିଶ୍ରାମ ନେଇ ସକାଳ ହେଲେ ମା'କୁ ଦେଖା କରିବାକୁ ଯିବ ବୋଲି ସ୍ଥିର କଲା।ମଧ୍ୟରାତ୍ରିରେ ନିତ୍ୟାନନ୍ଦ ସ୍ବପ୍ନ ଦେଖିଲା କେହି ଜଣେ ବୃଦ୍ଧ ସ୍ତ୍ରୀ ଲୋକ, ମୁହଁ ସ୍ପଷ୍ଟ ଦିଶୁନାହିଁ।ଚୁଟିଗୁଡିକ ଧଳା, ବାଡିଟିଏ ଧରି ନଇଁନଇଁ ନିତ୍ୟାନନ୍ଦ ଆଗରେ ଠିଆ ହୋଇଛନ୍ତି।ନିତ୍ୟାନନ୍ଦ ଚିହ୍ନିନପାରି ପଚାରିଲା ,"ମା ତୁମେ କିଏ?କଣ ପାଇଁ ମୋ ପାଖକୁ ଆସିଛ?" ବୃଦ୍ଧାଟି ଉତ୍ତର ଦେଲା,"କଣ ପୁଅ ଚିହ୍ନିପାରୁନୁ ମାକୁ? ମୁଁ ପରା ତୋ ମା ଯିଏ, ତୋତେ ଜନ୍ମ ଦେଇ ବହୁତ ବଡ଼ ଭୁଲ କରିଛି।ପେଟରେ ଓଦା କନା ପକାଇ ତୋ ପେଟରେ ଦାନା, ଦେହକୁ କନା ଦେଇ ପାଠଶାଠ ପଢେଇ ମଣିଷ କରେଇଥିଲା।ଏତେ ଜଲଦି ବାପ ଭୁଲିଗଲୁ? ମା ପରା ମୁଁ କେମିତି ଅଭିଶାପ ଦେବି? ଏତିକି କହୁଛି ଭଲରେ, ଖୁସିରେ ରହ। ତୋ ପିଲା ତୋ ଭଳି ନ ହୁଅନ୍ତୁ। ଏତକ ଶୁଣି ନିତ୍ୟାନନ୍ଦର ନିଦ ଭାଙ୍ଗିଗଲା। ଝାଳରେ ଜୁଡୁବୁଡୁ ନିତ୍ୟାନନ୍ଦ। ଦୁଃଖ , ଲଜ୍ୟା ଏବଂ ଏକ ଅଜଣା ଡରରେ ସେ ଥରିଉଠିଲା। ଘରର ଆଲୁଅ ମାରି ଦେଖେ ତ କାନ୍ଥରେ ଟଙ୍ଗା ହୋଇଥିବା ମା'ର ଫୋଟୋ ତଳେ ପଡି ଚୁରମାର ହୋଇଯାଇଛି।ଲାଗୁଛି ଯେମିତି କାଚ ନୁହେଁ ତା ମା' ଆଖିର ଅଶ୍ରୁ ଘରସାରା ବିଂଚି ହୋଇ ପଡିଛି। ନିତ୍ୟାନନ୍ଦକୁ ଆଉ ନିଦ ହେଲା ନାହିଁ। କେମିତି ସକାଳ ହେଲେ ମା' ପାଖକୁ ଯାଇ ତାକୁ ଘରକୁ ବାହୁଡ଼ି ଆଣି ନିଜ ପାପର ପ୍ରାୟଶ୍ଚିତ କରିବ।


ସକାଳ ହେବା ମାତ୍ରେ ନିତ୍ୟାନନ୍ଦ ବସ ଧରି ବୃଦ୍ଧାଶ୍ରମ ଗଲା। ସେଠାରେ କର୍ମଚାରୀଙ୍କଠାରୁ ଯାହା ଶୁଣିଲା ତା ପାଦତଳୁ ମାଟି ଖସିଗଲା ପରି ଲାଗିଲା।ତା ମୁଣ୍ଡ ଉପରୁ ଆକାଶ ଖସିଗଲା ପରି ଲାଗିଲା। ତା ମା' ଆଉ ଏ ଦୁନିଆରେ ନାହିଁ। ତା କାନ ଶୁଣିଥିବା କଥାକୁ ସେ ବିଶ୍ଵାସ କରିପାରିଲା ନାହିଁ। ଛୋଟ ପିଲା ଭଳି କାନ୍ଦିବାକୁ ଲାଗିଲା। ନିଜ ଭୁଲ ପାଇଁ ସେ ନିଜ ଆଗରେ ତଳକୁ ଖସିସାରିଥିଲା। ଏଡ଼େ ହତଭାଗା ପୁଅ ଯେ ମା'ର ଶେଷ ସମୟରେ ବି ଉପସ୍ଥିତ ରହିପାରିଲା ନାହିଁ। ଦୁଃଖ, ଅନୁଶୋଚନା କଲେ ଆଉ ବା କ'ଣ ଲାଭ? ଆଉ ସମୟ ନାହିଁ। ମା' ଆଉ ଦୁନିଆରେ ନାହିଁ। ଏତେ ନିଷ୍ଠୁର ସ୍ୱାର୍ଥପର ସେ କେମିତି ହୋଇପାରିଲା! ଜନ୍ମଦାତ୍ରୀର ଆଖି ଲୁହରେ ତା' ସଂସାର ନିଶ୍ଚୟ ଭାସିଯିବ। ନିଜ କଲାକର୍ମ ପ୍ରତି ସେ ପଶ୍ଚାତାପ କଲା। ହେଲେ ଏ ଭୁଲର କ୍ଷମା ତାକୁ ଦେବ କିଏ? କେମିତି ସେ ପାପର ପ୍ରାୟଶ୍ଚିତ କରିବ? ମା ଯେ ଆଉ ଏ ଦୁନିଆରେ ନାହିଁ।


Rate this content
Log in

Similar oriya story from Tragedy