ପ୍ରାତଃଭ୍ରମଣ
ପ୍ରାତଃଭ୍ରମଣ


ପ୍ରାତଃଭ୍ରମଣ
ଶୀତଦିନ! ନିଦରୁ ଉଠିବା ପାଇଁ ଇଛା ହେଉନଥାଏ।ତଥାପି ମୋ ସାଙ୍ଗ ଯୋର ଜବରଦସ୍ତ କରିବା ଲାଗି ବାହାରିପଡିଲି ମର୍ନିଙ୍ଗ୍ ଓ୍ବାକରେ। ଶୀତଦିନେ ଶୋଇବାକୁ ଭାରି ଭଲଲାଗେ ସମସ୍ତଙ୍କୁ।ପ୍ରବଳ ଶୀତ।ଶୀତରେ କୁହୁଡିର ଚାଦର ତଳେ ଘୋଡାଇ ପଡିଛି ସାରା ସହର।କାକରର ବୁନ୍ଦାମାନ ପଡିଥାଏ ଦୁବଗୁଡିକ ଉପରେ।
ଦାନ୍ତକୁ ଦାନ୍ତ ବାଡେଇ ହେଉଥାଏ।ଆପେ ଆପେ ହାତଗୋଡ ଥଣ୍ଡା ପଡିଯାଉଥାଏ।ମୁଣ୍ଡରେ ମଫଲର ନିହାତି ଆବଶ୍ୟକ ତାହା ସହ ଶୀତବସ୍ତ୍ର ନିହାତି ଦରକାର ।ପାଦ ଏବଂ ହାତରେ ମୌଜା ନ ରହିଲେ ପରିସ୍ଥିତି ସାଙ୍ଗାତିକ ହୋଇଯିବ।ଓଃ ସତରେ କି ହାଡଭଙ୍ଗା ଶୀତ ।ପ୍ରବଳ ରାଗ ମାଡୁଥାଏ ସାଙ୍ଗ ଉପରେ।ସିଏ ପୁଣି ମଣ୍ଣିଙ୍ଗ୍ ଓ୍ବାକ କରିବ ବୋଲି ଅନ୍ୟମାନେ ଯିବେ ତା ସହ।ଟିକେ ଶାନ୍ତିରେ ଶୋଇବାକୁ ଦେବନି।ବହୁ କଷ୍ଟରେ ବାହାରିଲି ତା ସହ ଚାଲିବାକୁ।ନିଜ ଦେହରେ ମୁଁ ଶୀତ ବସ୍ତ୍ରପରିଧାନ କରି ସକାଳୁ ସକାଳୁ ବାହାରିପଡିଥିଲି ଚାଲିବାକୁ।ପାଦଠୁ ମୁଣ୍ଡ ଯାଏଁ ଆବୃତ ଥିଲା ମୋ ଶରୀର।ଖାଲି ଆଖିଦୁଇଟି ଖୋଲାଥାଏ।
ସତରେ ସେହି ଶୀତୁଆ ସକାଳର ଅନୁଭୂତି ଆଣି ଥିଲା ମୋ ପାଇଁ ଜୀବନରେ ବଡ ପରିବର୍ତ୍ତନ। ଚାଲିବା ବାଟରେ ବହୁକିଛି ଦୃଶ୍ୟ ଆଖିସାମାନାକୁ ଆସିଥିଲା ସେଥିରୁ ବହୁତ କିଛି ଶିଖିବାକୁ ମଧ୍ୟ ମିଳିଥିଲା।
**************
ଘରୁ ବାହାରି କିଛି ବାଟ ଯିବାପରେ ମୋର ନଜର ପଡିଗଲା ସେହି ନିଃସହାୟ ପ୍ରତି ଯିଏ ରାସ୍ତାକଡରେ ପଡିରହିଥିଲା।ବିଚାରା ପ୍ରବଳ ଶୀତରେ ଥରୁଥିଲା।ଶୁଣିବାକୁ ପାଇଲି ସେ ନିଜ ଘରୁ ତଡା ଖାଇ ପଡିରହିଛି।ତା ପାଖରେ କୁକୁର ପୁଞାଏ ଘେରି ରହିଛନ୍ତି।ସେ ତା ପାଖରେ ସାଇତି ରଖିଥିବା ଚାଦର ଖଣ୍ଡେକୁ ପାଖରେ ଶୋଇଥିବା କୁକୁରମାନଙ୍କୁ ଘୋଡାଇ ନିଜେ ପୁଙ୍ଗୁଳା ଶରୀରରେ ପଡିରହିଛି।ଏହାକୁ କହନ୍ତି ପ୍ରକୃତରେ ମାନବିକତା।ସେ ଦିନ ସେହି ବୃଦ୍ଧଠାରୁ ବହୁତ କିଛି ଶିଖିବାକୁ ମିଳିଲା।ପରୋପକାରୀ ହେଉଛନ୍ତି ପ୍ରକୃତରେ ଏମାନେ।ତାର ଖାଇବା ଥାଳିର କିଛି ଖାଦ୍ୟକୁ ସେ ଗାଇ ଏବଂ କୁକୁରକୁ ଦେଉଛି।ସେ ନିଜେ ବି କିଛି ଖାଇ ଭୋକ ମେଣ୍ଟାଉଛି।
***********
ତାପରେ କିଛି ବାଟ ଆଗେଇ ଗଲି ଦେଖିବାକୁ ପାଇଲି ଆମଠୁ ଅଧିକ ପ୍ରବଳ ବେଗରେ ଦୌଡି ଆସୁଛନ୍ତି ଜଣେ ବୃଦ୍ଧା।ବୟସ ପାଖାପାଖି ସତୁରି ହେବ।କି ମନୋବଳ ସାହାସ।ବିନା ଥକାରେ ସେ ଦୌଡୁଥାନ୍ତି।ତାଙ୍କ ଦେହରେ ଧଳା କୁର୍ତ୍ତୀଟିକୁ ପାଇଜାମାଟିଏ।ଦେହରେ ମଧ୍ୟ କିଛି ଶୀତ ବସ୍ତ୍ର ନାହିଁ।ପସିଗଲେ ପାର୍କ ଭିତରେ।ସେଠି ଆରମ୍ଭ ହୋଇଗଲା କୁସ୍ତି କସରତ।ମୁଁ ତାଙ୍କୁ ଦେଖି ଅବାକ୍ ହୋଇଯାଇଥିଲି। ବୟସ ବି ହାର ମାନିଯାଏ ନିଜ ମନୋବଳ ଆଗରେ।
***************
ପୁଣି ଅଳ୍ପ ବାଟରେ ପଡିଲା ଲଫିଙ୍ଗ କ୍ଳବ ! ସେହି ସଦସ୍ୟବୃନ୍ଦକୁ ଦେଖି ଅଟକିଥିଲି କିଛିସମୟ। ମନଟି ସଦା ପ୍ରଫୁଲିତ ସେହି ସଦସ୍ୟବୃନ୍ଦଙ୍କର ।ମନ ଭିତରେ ଯାହା ଦୁଃଖ ଥିଲେ ବି ସର୍ବଦା ଵାହାରେ ହସ ହସ ଵଦନ।ସତରେ ହସିବା କଣ ସେମାନଙ୍କଠୁ ଶିଖିବା କଥା।ବାର୍ଦ୍ଧକ୍ୟ ବୟସରେ ମଧ୍ୟ ଘରେ ନ ବସି ଶୀତକୁ ନ ଡରି ଏହି କ୍ଳବକୁ ଆସନ୍ତି ସେମାନଙ୍କର ଯୋଗାସନ ଅଭ୍ୟାସକୁ ।ଦିନେହେଲେ ବି ହାତଛଡା କରନ୍ତି ନାହିଁ ।
*************
ଆଉ କିଛି ବାଟ ଆଗେଇ ଯାଇ ଅଟକି ଗଲି କିଛି ଭଦ୍ରବ୍ୟକ୍ତି ଏବଂ ମହିଳାମାନେ ସ୍ବଛ ଭାରତ କାର୍ଯ୍ୟକ୍ରମରେ ଲାଗିପଡିଛନ୍ତି।ଏଥିରେ ମଧ୍ୟ ପିଲାଠୁ ଯୁବା ପର୍ଯ୍ୟନ୍ତ ଆଗେଇ ଚାଲିଛନ୍ତି।କେତେ ଆଗ୍ରହ ସେମାନଙ୍କ ମନରେ ! ନା ଶୀତକୁ ଭୟ ନା ଘୃଣାଭାବ!
ଯିଏ ଯାହା କର୍ମରେ ବ୍ୟସ୍ତ।କିଏ ବାହାରିଛି ସକାଳୁ ସକାଳୁ ମନ୍ଦିର ଆଉ କିଏ ନିଜ ବିଲ ବାଡିକୁ।
ସେମାନଙ୍କ ମନରେ ରହିଛି ଗଭୀର ଆତ୍ମବିଶ୍ବାସ।ନିଷ୍ଠାପର ମନୋଭାବ ଏବଂ ସହନଶୀଳତା ।ସତରେ ଶୀତକୁ ଡରିଲେ ସେ ଆହୁରି ମାଡିବସିବ।