ପ୍ରାର୍ଥନା
ପ୍ରାର୍ଥନା
ପବନଟା ବି ବିଜ୍ଞାନ ପଢିଛି ବୋଧହୁଏ, ତା' ହାତ ଦିଶେନି କିନ୍ତୁ ସିଏ' ନା ଧରିପାରେ ଯେ । ଏଇ ଦେଖୁନୁ .......
ବୋଉ ଚୁଲିରେ ସୁଜି ଯନ୍ତୁ ଥାଏ, ଗୁଜୁରାତିର ମିଠାଳିଆ ବାସ୍ନା ଏମିତି ଲହରି ଲହରି ପବନରେ ଚିତ୍ରର ବକ୍ର ରେଖା ପରି କେମିତି ମୋ ନାକ ଯାଏ ଆସେ । ଉମ୍ ମ୍ ମ୍ । ପାଟି ଆପେ ପାଣେଇଯିଏ । ନାଳେଇବିନି ବା ବୋଉ ମନା କରିଛି, ତା ଠାକୁର ଠି ଭୋଗ ନ ଲାଗିଲା ଯାଏ କୋଉ ଜିନିଷକୁ ତମେ ଲୋଭେଇ ଇଚ୍ଛେଇ ପାରିବନି । କଡା ନିୟମ । ହେଲେ ମନ ଭିତରକୁ ଏ କଥା କିଏ କହିବ । ପବନର ଦୋଷ ନା, ମୋର କି ! ସିଏ କାଇଁ ବାସ୍ନା ଟାଣିଆଣିଲା କି !
ଗୋଟେ ଆଖି ମିଟିକା ମାରି କହିହବ ଯେ ଏଇଟା ଗାଲୁଆମି, ନହେଲେ ବଡ ମନ ନେଇ କହିବ ଏଇଟା ପିଲାମନ । ହେ ହେ ।
ଆଜି ମୋ ଜନ୍ମଦିନ ତ, ଷଠି ଓଷା ..... ବୋଉ ମୋର ଜମା ସରୁନଥିବା, କ୍ୟାଲେଣ୍ଡରରେ ସେ ତାରିଖ ନ ଆସିବା ଯାଏ ଆୟୁଷରୁ ଡାଲାଏ ମାଗେ ...... ସାଦାପିନ୍ଧା ଲୁଗା ମୁଣ୍ଡରେ ହାତେ ଓଢଣୀ ଆଉ ବେକ ଚାରିପଟେ କାନିକୁ ଗୁଡେଇ ଆଣି ।ଥାଳିଏ ପିଠା,ଦିଅଁଙ୍କଠି ଥୋଇ ।ମୁଁ ତା' ବଡ ପୁଅଟି । କଣ କମି କଥା, ବଡ ହେଇ କାଳେ ତା' ଦୁଃଖ ଲାଘିବି । ସିଏ ହିଁ କୁହେ । ମୁଁ ବି ଭାବିଛି ଯେ ଜାଣିନି ଏ ଯାଏଁ.... କେମିତି ।
ଦିଅଁ ଖାଆନ୍ତିନି ବା, ଖାଲି ଶୁଙ୍ଘନ୍ତି କୁଆଡେ ... ଫୁଲ, ପାଣି ବୁଲେଇ ଶଙ୍ଖ ଫୁଙ୍କିଦେଲେ । ଏ ଶଙ୍ଖଟା ଭିତରେ ପଁଅ ପଅଅଁ କିଏ ଗୋଟେ କରେ, ମୁଁ କେତେ ଥର ବୋଉଠୁ ଲୁଚେଇ ଖୋଜିଛି .....ଜମ୍ମାରୁ ଦିଶେନି ତା ସୁଢଙ୍ଗ ପେଟ ଭିତରୁ ।
ଆଉ ଦିଅଁଟି .....ତାଙ୍କର ତ ଖାଲି ଆଖି ଦିଶେ । ଖାଇବେ କେମିତି ।
ସେ ଯା ହଉ ଆଜି ମୁଁ ଢେର୍ ଖୁସି । ଶିବୁନା ପରି ନୂଆ ଜାମା, ଆଉ କଣ ସବୁ ବଡ
ଖା-ପିଅ ନହେଲେ କଣ ହେଲା ..... ଆମର ଆଜି ନଡିଆ, ଗୋଲମରିଚ, ଅଦା ଛେଚା, ଗୁଡ, ପୁର ଦିଆ ବାସ୍ନା ପିଠା ହଉଛି ଯେ । ମୁଁ ବା ଷଷ୍ଠରେ ପଢିଲିଣି, କଣ ଏତିକି ଜାଣିବିନି କି କଣ କଣ ପଡେ ପିଠାରେ । ଏଁ ......ଆଁ ହସୁଛ କଣ ଯେ । ମୋର ବା ପ୍ରିୟ .....ପିଠା ।
ସ୍କୁଲ ଭୋଜିରେ ଯୋଉ କାଜୁ ଆଉ ପାଟିରେ ପକଉ ପକଉ ମିଳେଇଯିବା ପରି କିସମିସ୍ ତାକୁ ଆମ ଘରେ କୁଆଡୁ ଆସିବ .... ସେ ସବୁ ଭାରୀ ଦାମୀ କୁଆଡେ ।
ମଣ୍ଡା ପିଠା ଗୋଲ ଗୋଲ, ଚାଲ୍ ଯିବା ଚଣ୍ଡିଖୋଲ ।।
ବୋଉ ହାତ ପାପୁଲି ଯେଡିକି, ପିଠା ସେଡିକି ଗୋଲ । ଭାବିଦେଲେ ଆପେ ଆଁ ହେଇଯାଏ । ଜାଗା ଧରେନି ଆଁରେ ....ଯେତେ ମେଲେଇଲେ ବି ।
*******************************
ହେ ହେ ହେ କିଏ କୁଆଡେ ଅଛରେ ! ଚଞ୍ଚଳ ବନ୍ଧାବନ୍ଧି କର,ପିଲା କବିଲା ଧର,ଯାହା ବାନ୍ଧିଆର ବାନ୍ଧ । ସ୍କୁଲ ଘରଠିକି ଉଠି ଚାଲରେ । ଘାଇ ଭାଙ୍ଗିଗଲାଣି ତେଣେ । ହେ ମକୁ, ବନା, ସୁରିଆ, ନବି, କିଏ କୁଆଡେ ଅଛ କିରେ !
ଇଏ କିଏ ?? ଘାଇ ଭାଙ୍ଗି ଗଲା ?
ମେଘ ଢାଳିଲେ ବାପା ଆମକୁ ଦୂରୁରୁ ଦେଖାନ୍ତି ପାଣି ଫୁଲିବା, ସାପ, ଗାଇ, କାଠ ଗଡ,ମେଞ୍ଚା ମେଞ୍ଚା ଧଳା ଫେଣ, ଚେକା ଚେକା ମାଇଲିଏର ଭଉଁରୀ..... ଘୁରୁଥାଏ ଯେ ଘୁରୁଥାଏ ଚକ୍ରୀ ପରି କାଠଯୋଡିର ଛାତିରେ । ଫି ସନ ଶାରବଣ, ଭୋଦୁଅକୁ ଏଇ କଥା । ହେଇ ଏ ସନ ଫୁଣି । ନଈର ପେଟେ ପାଣି, ଫଁ ଫଁ ଶବ୍ଦ ଡରାଏ । ରାଗରେ କୁଆଡିକି ଗୋଟେ ଧାଇଁ ଥାଏ, ଯାହା ପାଏ ବାହିନିଏ ।
ହେଲେ ଆଜି କାହିଁକି ଯେ ? ଆଜି ପା ମୋ ଜନ୍ମ .....ଦିନ ।
ମୁଁ ଚଢିଗଲି ଉଚ୍ଚକୁ, ଦେଖିବି ବୋଲି କଣ ହେଲା ।
********************
ବାପା ଦାଣ୍ଡ ଆଡୁ ଘରକୁ ପଶି ଆସି ଆଗେ ଗାଇ ବାଛୁରୀ ହଳକ ପାଗ ଫିଟେଇ ହ ହ କରି ନେଇ ଚାଲିଗଲେ। ଚଞ୍ଚଳ ଚଞ୍ଚଳ ବାହାର .....ଏତିକି ଶୁଭିଲା ତାଙ୍କ ଫାଟ ଆଁ କରା ଗୋଇଠି ପାଦରୁ ।
ବୋଉ ତାର ପିଠା ଗଢା ସାରିଲାକି ନାଇଁ କେଜାଣି! କଣ ସବୁ ବୁଜୁଳି କରି ଆଟୁ ଉପରକୁ ଟେକୁଛି । ଭାଡି ଉପରକୁ ଫିଙ୍ଗୁଛି, ତା ହାତ ପାଇବନି ବା .......ଠୁରୀ ମଣିଷ । ବାପା କୁହନ୍ତି ।
ଏ ମା ଲୋ ! ଫଟା ଠା'ଠୁ ସବୁ କାନ୍ଥ ସନ୍ଧିରୁ ଝର ପଡିଲାଣି । ଚୁଲି ବୁଡିଗଲାଣି ।
ବାପା ପୁଣି ଆସି ଆମ କୁନି ଝୁଅକୁ କାନ୍ଧେରେ ବସେଇ ଗୋଟେ ହାତରେ ଯୋଡେ ବେଏଗ ଧରି ମତେ କହିଲେ ଆ ଚଞ୍ଚଳ ଓହ୍ଲେଇ ଆ । ଧରି ପକା ମୋ ହାତ ।
ମୁଁ ସେମିତି ଆମ ଆମ୍ବ ଗଛ ଉପର ଡାଳିରେ ବଇଛି, ମତେ ପହଁରା ଆସେନି, ମୁଁ କେମିତି ପାଣିକି ଓହ୍ଲେଇବି ଯେ । ବୋଉ ବେଗି ଦଉଡିବ ବୋଲି ଦି କଚଡା ଖାଇଲାଣି । ଆଣ୍ଠୁଏ ପାଣି ଘରେ ବୁଲିଲାଣି । ଯୋଡେ ପାଣି ସାପ, ଧଣ୍ଡ ଆଉ ମୂଷା ପଲେ ବି ଭାସିଯାଉଛନ୍ତି । ତାଙ୍କ ଫଁ ନାହିଁ ଆଜି, ଅସକତିଆ ହେଇ ମାଟିଆ ଗୋଳି ହେଲେଣି । ବୋଉ ବୋଧହୁଏ କାନ୍ଦୁଛି । ବୁଢୀମାଆର ହାତ ଧରି ଧରି ନଉଛି, ସିଏ ତା ଅଣ୍ଟାକୁ ଧରିଛି । ବୁଢୀ ହେଲାଣି ସିନା ମୁଁ ବା ତାକୁ ହରେଇ ଦେବି ଚାଲିଆ ରେସରେ । ମୁଁ ଚିଲ ଭଳିଆ ଦଉଡେ । ବୋଉ ମତେ ବିକଳେଇ କି ଡାକୁଛି, ଆ ଲୋ ଧନ ଓହ୍ଲେଇ ଆ ତଳକୁ, ଚାଲ୍ ଚଞ୍ଚଳ । ବାପା ହାତ ଧ । ଆ ଆ ଚଞ୍ଚଳ । ବୁଢୀ ମା ଥରିଲାଣି କାଇଁ ଜୋର୍ ......ଧକେଇକି ଡାକୁଛି । ଆସେ ସେରେ ବାବୁନି, ଆ ହେ ରି । କୁଳମଣିରେ ଆ ହେ ରି ...ଝଅଟି ।
ବୋଉର ପାଦ ଖସିଆକୁ ତା'ହାତରୁ ଖସିଗଲା ତା'ଠାକୁର । ହାଁ ହାଁ । ଭାସିଗଲେ କି ।
ଡର ମାଡୁ ଥିଲା ନାହି ଠୁ'ଯେ ବେକ ଯାଏ । ପାଦ କିନ୍ତୁ କୁଆଡୁ ଯୋଗାଡିଲା ବଳ କେଜାଣି ଢପ୍ କି ଡେଇଁ କାବୁ କାବୁ କି ଚାଲିଲି । ଜୋର୍ ସୁଅ । କାଟି କାଟି ଯାଉଥାଏ, ପଛକୁ ପାଣି ଆଉ ମାଟି ତଳକୁ ଦାବୁଥାନ୍ତି । କୋଉପଟେ ଯିବୁ ଯେ । ସବୁଆଡ ସମାନ ଦୁଶୁଥାଏ । ଜମି, ବିଲ,ବାରି,ଗୁହାଳ,ଦାଣ୍ଡ, ଘର, ମଧୁର ଘର,ବିଜୁର ଘର କିଛି କେବେ ନ ଥିଲା, ସବୁଆଡେ ଏଇ ଜିଭ ପରି ବଡ ନଈଟା ହି ଥିଲା । ଜଳାର୍ଣ୍ଣବ । ଗାଁ ଯାକ ଦୂରରୁ ମିଞି ମିଞି ଛବି ଟୋପା ପରି ଦିଶିଲେଣି । ଚାଲ୍ ଚାଲ୍ । ମା, ବୋଉ, କୁନାକକା, ମଧୁପିଉସା, ମାଳଖୁଡି, ଏମିତି କି ଶିବୁନା ବି ତା'ଦଦା କାନ୍ଧେରେ ଥିବାର ଦେଖିଲି ।
ବାପା ଫୁଣି ଲେଉଟିଲେ । ମତେ ବେକେ ପାଣିରୁ ଟେକି କାନ୍ଧେରେ ବସେଇଦେଇ ମା ଆଉ ବୋଉକୁ ହାତ ଦେଲେ ।
ବାପା ମାନେ କ'ଣ ହନୁମାନ ନା କ'ଣ! ସବୁ ତାଙ୍କ କାନ୍ଧରେ ବୁହାହେଇ ପାରେ । କାଟେନି?? ମୁଁ ବାପା ହେବିନି ଲୋ ମା, ମତେ ତ କାଟିବ । କିନ୍ତୁ ବୋଉର ଦୁଃଖ ଲାଘିବି ପା । ହଉ ହେଲା ଦେଖିବା । ଜେଜୀ କହିଛି ମୋ ପୁଅ ମାନେ ତା' ଅଣନାତୀ ଦେଖିକି ଯିବ । ତା'ର ଯେତେକ ଖିଆଲି କଥା । ଛାଡ ।
ହେଇ ହେଇ ସେଇଠି ସେଇଠି, ବାପା ବାପା ଟିକେ ରୁହ ରୁହ । ଚିଲେଇଲି ଏକ ରକମ ହାତରେ ପେଲିକି । ଠିଆ ହବାର ପ୍ରଶ୍ନ ନାହିଁ, ନହେଲେ ଧୁମ୍ କି ସମସ୍ତେ ପଡିବା ଆଉ କିଏ କୁଆଡେ ଭାସିଯିବାରେ .....ବାପା କହିଲେ । ହେଲେ ବାପା ହେ ସେଇଠି ଝାଡ ମୂଳେ ମୋ ବୋଉର ଠାକୁର ଲାଖିଛନ୍ତି, ଝିଙ୍କି ହେଇ ଦେଖେଇଲି । ବାପା ରୁହ । କାନ୍ଧକୁ ଟାଣିଲି ।
ବୋଉ ଭୋ ଭୋ କି କାନ୍ଦି ଉଠିଲା, ସେମିତି ଚାଲୁ ଚାଲୁ । ଏ ବୋଉ ଟାର ବୁଦ୍ଧି ନାହିଁ ମ । ମତେ କହିବ, ଛି ଦାଣ୍ଡରେ କାନ୍ଦତିନି....ସେ ଦିନ କହୁ ନଥିଲା ଯୋଉ ମୁଁ ସେ ଚାବିଦିଆ ଗାଡି ଖେଳନାଟା ପାଇଁ କାନ୍ଦିଲି । ନିଜେ କାନ୍ଦୁଛି ଦେଖୁନ ।
ବାପା କଣେଇ କି ଚାହିଁ କହିଲେ, ହଉ ମୁଁ ନେଇଯିବି ତୋ ବୋଉ ଠାକୁରକୁ ତୁ ଆଗେ ଚାଲ୍ ।
ଆମକୁ ସ୍କୁଲ ପିଣ୍ଢା ଠି ଠାବ କରେଇ ଦେଇ ପୁଣି ପାଣି ଅଡେଇ ବାପା ସେ ବଢି ପାଣିରେ ପାଦ ଦିଅନ୍ତେ ବୁଢୀ ମା ଚିହିରି ଉଠିଲା । କହିଲା ହେ ଯାଆରେ, କାଇଁ ଆଉ ବିପଦକୁ ପାଦଉଛୁରେ ବାପ । ସେ କଳା ମୁହାଁ, ଗୋଲା ଆଖିଆ ଯାଉ ଭାସି, କୋଉ ଦୁଃଖ ବୁଝୁଛି । ସବୁବେଳେ ତ ହସ୍ତସନ୍ତ କଲା । ମୋ ବାଇନରେ ମୋ ରାଣ ଯାନି ଲୋ । କାନ୍ଦିଲା ଯେ
କାନ୍ଦିଲା । କାନ୍ଦୁରୀଟା ।
ବାପା ମୁଁ ବି ଯିବି ତମ ସାଙ୍ଗରେ ଭାବୁ ଭାବୁ ବାପା ଅନ୍ତର୍ଦ୍ଧାନ । ବାପା ମାନେ ହି ଠାକୁର ନା କଣ ! ଆଖି ପାଉନି । ମା କହୁଛି ଥଳକୂଳ ପାଉନି । ବୁଢୀମାର କାନ୍ଦ ହାଉଳିଖାଇଲାଣି .... ଏଇ ଅଦିନିଆ ପାଣିଘେର ପରି ବଢି ବଢି ଯାଉଛି । ବୋଉ ବି କାନ୍ଦୁଛି, ଆଉ ଝୁଅ ତ ସେତେବେଳୁ ରି ରି ରି ବାହୁନୁଛି ଗଲା । ତାକୁ ବୋଧହୁଏ ଭୋକ । ଏଇନା ବୋଉ କେମିତି ଖୋଇବ ତାକୁ କଣ କୋଉଠୁ ଯେ । ସିଏ ବୁଝୁନି ।
ବାପା ଦିଶିଲେ, ହେ ଏ ଏଇ ମାଆ ମାଆ ଦେଖେ ବାପା ଆସିଲେ । ମାଆ କହି ଉଠିଲା ବଡ ପାଟିରେ ମୁଣ୍ଡରେ ହାତ ଯୋଡି, ହେ ଠାକୁରେ ! ବଢି ଛାଡିଲେ ବାରି ନଡିଆ ଯୋଡେ ଚକ୍ରମଣୋହୀ କରିବି । ନୀଳନେତ ତଳେ ଶଙ୍ଖରେ ପୁରେଇ ଚକ୍ର ଅଢୁଆଳେ ରଖିଥାଅ ହେ ମଣିମା ।
ବାପାଙ୍କ ହାତରେ ବୋଉର ଦିଅଁ ସବୁଦିନ ପରି ଲାଲି ବଡ ହସଟେ ହସୁଥିଲେ । ଦିଅଁ ମାନେ ସବୁବେଳେ ହସି ପାରନ୍ତି ନା । ବଢିଆ । ନହେଲେ ମୁଁ ବଡ ହେଇ ଦିଅଁ ହେଇଯିବି ପଛେ । ବୋଉ କହେ ନା ଦିଅଁ ଜଗତର ହରତା, କରତା, ଦଇବ ବିଧାତା । ବାପା କୁହନ୍ତି
ଦଇବ ଦଉଡି, ମଣିଷ ଗାଇ ଜେଣିକି ଟାଣଇ ତେଣିକି ଯାଇ । ମୁଁ କେମିତି ଗାଇ ହେଲି, ମୋର ତ ଶିଙ୍ଘ ନାହିଁ । ବଡ ମାନଙ୍କ କଥା ଅଧାରୁ ବେଶୀ ଅବୁଝା । ସେମାନେ ଜାଣିଥିବେ ସେମାନେ କ'ଣ କୁହନ୍ତି । ହେ ହେ ।
ବୋଉ ଏଇନେ କହୁଥିଲା କାଳେ ତା'ଦିଅଁ ହି ଆମକୁ ସବୁ ରକ୍ଷା କରି ଏ ସ୍କୁଲ ଘରେ ପହଞ୍ଚେଇଲେ । ସିଏ ପଛରେ ପଡିଯାଇ ଆମ ଗାଁଟା ଯାକ ସମସ୍ତଙ୍କୁ ଗୋଟି ଗୋଟି କି ଏଠିକି ଆଣିଲେ, ତା ପରେ ଯାଇ ସିଏ ଆସିବେ ନା । ମନୁକୁ କ'ଣ ସିଏ ଦିଅଁ ହେଇଛନ୍ତି କି ! ଦିଅଁ ହବା ତାହେଲେ କଷ୍ଟ କାମ ନା, ସମସ୍ତଙ୍କ କଥା ବୁଝିବାକୁ ପଡିବ । ବାପାଙ୍କ ପରି ।
ଥାଉ ମୁଁ ଖାଲି ବୋଉର ପୁଅ ହେବି, ଏତେ ଲୋକଙ୍କ କଥା ମୋର ବକଟେ ମୁଣ୍ଡ ସମ୍ଭାଳିଲେ ତ । ସେମିତିରେ ତ ମୁଁ ଜାଡଟେ । କଥା କହି ପାରେନା । ମା ସେଥିପାଇଁ ବି ବୋଉର ଦିଅଁ ଙ୍କୁ ରାଗେ । ବୋଉ କହେ ମୁଁ ଭଲ ହେଇଯିବି କାଳେ, ତା ଠାକୁର ଚାହିଁଲେ । ସିଏ କାଳେ ସବୁ ଯାଣନ୍ତି,ବୁଝନ୍ତି । କେବେ ଚାହିଁବେ କେଜାଣି । ଏବେ ତ ବଢି ହେଲାଣି ...ତାଙ୍କର ଚିନ୍ତା ବଢିଲାଣି । ମୋର କିନ୍ତୁ ବୋଉକୁ ଜୋରରେ ବୋଉ...... ବୋଉ ଡାକିବାକୁ ମନ ।
ବୋଉ ହାତକୁ ବାପା ତା'ଦିଅଁ ଙ୍କୁ ବଢେଇ ଦେଲାରୁ ବୋଉ ମୁହଁ ସେଇ କଳା ଦିଅଁଙ୍କ ପାଖେରେ କିନା ଯୋଉ ଧଳା ପେଚାବସା ଠାକୁରାଣୀ ନୁହଁ, ଯାହାକୁ ଆମ ବୁଢୀମା' ଲଖମୀ ସାଆନ୍ତାଣୀ କହେ ତାଙ୍କରି ପରି ଦିଶିଲା । ବୋଉ ମତେ ବଡ ଗୁଣ୍ଡା କରି ଡାଲିଭାତ ଗୋଳେଇକି ବଡ ଆଁ କରେଇ ଖୋଇଦେଲା ବେଳେ ବି ଏମିତି ଦିଶେ ।
ମୁଁ ବୋଉ ମୁହଁକୁ ଚାହିଁଛି । ମତେ ତାକୁ ଦେଖି ବାକୁ ଭାରି ଭଲ ଲାଗେ । ଖାଲି ନିରୁତା ଦେଖିବାକୁ, ଅନେଇ ରହିବାକୁ । ସବୁ ବେଳେ ।
ସିଏ ମତେ ଅନେଇ ହସିଦେଇ କହିଲା, ଗାଇଲୁ ଗାଇଲୁ......
ଆହେ ନୀଳ ଶଇଳ, ପ୍ରବଳମତ୍ତ ବାରଣ
ମୋ ଆରତ ନଳିନୀ ବନକୁ କଲ ଦଳନ । ।
ଗଜରାଜ ଚିନ୍ତା .......
.....
ବୋଉ ମାନେ ବି ସବୁବେଳେ ହସି ପାରନ୍ତି ନା ......ଏ ଲହଡିମରା ପାଣିରେ ବି । ଠିକ୍ ତାଙ୍କ ଦିଅଁଙ୍କ ପରି । ଚକା ଚକା ଆଖି ଲାଲିଆ ଲାଲିଆ ହସ । ସୁନ୍ଦରିଆ ମୁହଁଟି, ଆଉ ରଙ୍ଗଟି ମୋରି ପରି କାଳିଆ । ସେଇପାଇଁ ବା ବୋଉ ମତେ ଡାକେ ଜଗା ।