ପୋଡାମୁହିଁ ସ୍ତ୍ରୀ
ପୋଡାମୁହିଁ ସ୍ତ୍ରୀ
--ଆଜିବି ମନେଥିଲା ସିନୁର ସେ ଦିନ । ଠିକ୍ ବର୍ଷେ ତଳେ ଫେସବୁକରେ କେମିତି ଆଶିଷ ପ୍ରପୋଜ୍ କରିଥିଲା ତାକୁ । ତାର ସମସ୍ତ ଦାୟିତ୍ୱ ନେବା ସହ ତା ଝିଅର ଭବିଷ୍ୟତ ତିଆରି କରିବ । ଏତେ ସବୁ ସ୍ବପ୍ନରେ ବିଭୋର ସିନୁ ଆଶୀଷ କଥାରେ ରାଜି ହୋଇଯାଇଥିଲା । ଆଉ ସେ ଦିନ ସେ କେମିତି ଭୁଲିବ, ଯେଉଁ ଦିନ ତାକୁ ବାହା ହେବ ବୋଲି ଆଶିଷ ନିଜ ଘର ଲୋକଙ୍କ ସହ ଝଗଡ଼ା ବି କରି ପକେଇ ଥିଲା । ଆଶୀଷ ସିନୁକୁ ପାଇବା ପାଇଁ କେତେ ମାଡ ଗାଳି ନ ସହିଛି ।
--ଆଶିଷ ଖଣ୍ଡାୟତ ଘର ପୁଅ ଓ ସିନୁ ତେଲି ଘର ଝିଅ । ଗୋଟେ ପଟେ ଜାତିଆଣ କଥା ଆଉ ଆର ପଟରେ ଆଶୀଷର ଅନାଥପଣ । ସେଥିପାଇଁ ସିନୁ ପରିବାରରେ ବି ଗ୍ରହଣୀୟତା ନଥାଏ । ସିନୁ ସେ ପାଇଁ ତା’ ମାଆ ବାପାଙ୍କ ସହ କିଛି କମ୍ ଲଢେଇ କରି ନ ଥିଲା ଲଭ୍ ମ୍ୟାରେଜ୍ ପାଇଁ । ସେ ଯାହାହେଉ, ବାହାଘର ହୋଇଗଲା ଓ ନୂତନ ଦମ୍ପତ୍ତି ଭାବେ ଆଶିଷ-ସିନୁ ସଂସାର ଆରମ୍ଭ କଲେ, ହେଲେ ଗୁରୁଜନଙ୍କ ଆଶୀର୍ବାଦ ବିନା ।
--ବାହାଘର ଆଗରୁ ଅନେକ ଥର ଆଶିଷ ସିନୁକୁ କହିଛି-
“ତୋ ହାତ ଧରି ଚାଲିବି
ମୁଁ ଜୀବନ ସାରା,
ଚଲା ବାଟେ ଆସୁ ଛାଇ ,
ଆସୁ ବା ଖରା । "
--ହେଲେ କହିବା ସହଜ ହେଲେ କରିବା କଷ୍ଟ । ବିବାହର କେଇଟା ମାସ ଅନାବିଳ ସ୍ନେହ ଓ ଭଲ ପାଇବା ସହ ସିନୁ ଓ ଝିଅ ପାପାନି ସହ ଆଶୀଷ ଖୁବ୍ ଖୁସିରେ ସମୟ ଅତିବାହିତ କରିଥିଲେ । ୟୁ ଟ୍ୟୁବ୍ ରୁ ଦୈନିକ ନୂଆ ନୂଆ ରାନ୍ଧିବା ପ୍ରଣାଳୀ ଦେଖି ନୂଆ ନୂଆ ଖାଦ୍ୟ ବନେଇ ଆଶିଷକୁ ଖୋଇବାକୁ ଭାରି ଭଲ ପାଏ ସିନୁ ।
--ଦିନେ ଏମିତି ମୋବାଇଲ ଦେଖି ରାନ୍ଧୁ ରାନ୍ଧୁ ଅନ୍ୟମନସ୍କରେ ଫୋନ୍ଟିକୁ ଗ୍ୟାସ ଚୁଲା ଉପରେ ରଖିଦେଇଥିଲା ସିନୁ । କୋଡିଏ ହଜାରର ଫୋନ୍ ହେଲେ ବି ଇଲେକ୍ଟ୍ରୋନିକ୍ସ ଜିନିଷ । ଅଧିକ ହିଟ୍ ହେବାରୁ ଫୋନ୍ଟି ଏମିତି ଫାଟିଲା ଯେ ସିନୁର ହାତ, ପେଟ, ବେକ, ମୁହଁ ଅଧା ଜଳା ହୋଇଗଲା ।
--ଆଶିଷ ଘରେ ନଥିଲା । ବାହାଘର ପରେ ଏକା ରହୁଥିଲେ ଆଶିଷ ଓ ସିନୁ । ଶାଶୁଘର ଲୋକ ମଧ୍ୟ ପାଖରେ ନଥିଲେ । ରାତି ଦଶଟାରେ ଅଫିସରୁ ଫେରି, ସ୍ତ୍ରୀ ମୁହଁ ହାତରେ ବରଫ ମାରି ହସ୍ପିଟାଲ ନେଲା ବେଳକୁ, ଆଶିଷ ପାଇଁ ତା ସ୍ତ୍ରୀ ତ ଥିଲା ହେଲେ ନ ଥିଲା ସ୍ତ୍ରୀ’ର ସୌନ୍ଦର୍ଯ୍ୟ । ହାତ ମୁହଁ ଜଳି ଲାଲ୍ କଳା ପଡ଼ିଯାଇଥିଲା ।
--କିଛି ଦିନ ପରେ ଧୀରେ ଧୀରେ ସିନୁର ହାଲତ ସୁଧୁରିବାରେ ଲାଗିଲା ହେଲେ ସେ ଆଉ ତା ପୁରୁଣା ସୌନ୍ଦର୍ଯ୍ୟ ପାଇଲା ନାହିଁ । ଆଉ, ପୁରୁଷ ଜାତି ହେଲା ସୌନ୍ଦର୍ଯ୍ୟର ପୂଜାରୀ । ଧୀରେ ଧୀରେ ପ୍ରେମର ସେ ପ୍ରତିଜ୍ଞା ଯାହା ବାହାଘର ଆଗରୁ ଆଶିଷ କହିଥିଲା କୁଆଡେ ହଜିବାକୁ ଲାଗିଲା ।
--ସିନୁ ବୁଝିପାରୁଥିଲା ହେଲେ ସେ ଥିଲା ଅସହାୟ, ନିରୂପାୟ । ଆଉ ମନେ ମନେ ଗାଉଥିଲା-“ତୋ ଭରସାରେ ଦୁନିଆକୁ ଭୁଲି ମୁଁ ଗଲି, ତୁ ଏତେ ବେଇମାନି ଥିଲୁ ଜାଣି ନଥିଲି ” ।
-- ଏବେ ଆଉ ଅଫିସରୁ ଫେରି ଆଶିଷ ସିନୁକୁ କିସ୍ ଦିଏନି, ଥଟା ମଜା କରେନି, କି ଟିଜ୍ କରେନି । ଗୁଡ଼ମର୍ଣ୍ଣିଙ୍ଗ ତ ଦୂରର କଥା ପରିବା କାଟୁ କାଟୁ ହାତ କଟିଗଲେ “ଆଃ” ବି କରେନି ।
--ଆଶିଷ ଭାବୁଥିଲା ସିନୁ ତା ପୁରୁଣା ପ୍ରେମ ବିଷୟରେ କିଛି ଜାଣିନି । ହେଲେ ସିନୁକୁ ସବୁ ଜଣା ଥିଲା । ସୋସିଆଲ୍ ମିଡ଼ିଆରେ ଆଶୀଷର ସେ ପୁରୁଣା ପ୍ରେମିକା ସହ ସିନୁ ଏବେ ଅନ୍ତରଙ୍ଗ ବନ୍ଧୁତ୍ୱରେ ଆବଦ୍ଧ । ତା ଠାରୁ ଆଶୀଷର ସମସ୍ତ ଯୋଜନା ବାବଦରେ ଦୈନିକ ଦୁହେଁ କଥାବାର୍ତ୍ତା ହୁଅନ୍ତି ।
--ତେଣୁ ସିନୁ ଏଇଟା ମଧ୍ୟ ଜାଣିପାରିଥିଲା ଯେ ଶିରିଡି ମେଳା ବୁଲେଇ ନେବା ବାହାନାରେ ଆଶିଷ ତା’କୁ ଭିଡରେ ହଜେଇ ଦେବ ଓ ପରେ ମର୍ଡର ପ୍ଲାନ କରିଛି ହେଲେ ତଥାପି ସେ ରାଜି ହୋଇଯାଇଥିଲା ନିଜ ସ୍ୱାମୀ ସହ ଶିରିଡି ବୁଲିଯିବା ପାଇଁ ।
--ପୋଡ଼ାମୁହଁ ୱାଲି ସ୍ତ୍ରୀ ସହିତ ଶିରିଡି ବୁଲିବାକୁ ବହୁତ ଲାଜ ଲାଗୁଥିଲା ଆଶିଷକୁ । ହେଲେ ସେ ଶିରିଡି ବୁଲିବାକୁ ନୁହେଁ, ଏଇ ଭିଡ଼ରେ ତା ସ୍ତ୍ରୀ’କୁ ହଜେଇ ଦେବା ପାଇଁ ଆସିଥିଲା ।
--ଶିରିଡିରେ ପ୍ରସାଦ ଖାଇସାରି ଆଗକୁ ବଢ଼ୁଥିଲେ ସିନୁ ଓ ଆଶିଷ । ଏଇ ଭିଡରେ ସିନୁର ହାତ ଛାଡି ଦେଇଥାନ୍ତା ଆଶିଷ ।
-- ହେଲେ “ସିନୁ କୁଆଡେ ଗଲା ?”
--ପ୍ଳାନ୍ର ଶେଷ ପାହାଚରେ ଆଶିଷ ସ୍ତ୍ରୀକୁ ହଜେଇ ଦେଇଥିଲା ।
--ଆଜି ବି ପ୍ରସାଦ ଖାଇସାରି ଆଶିଷର ହାତକୁ ସିନୁ ସେମିତି ଧରିଥିଲା ଯେମିତି ବାହାଘର ପରେ ପରେ ଗୁପଚୁପ ଖାଇସାରି ଏକ ନମ୍ବର ମାର୍କେଟରେ ଧରୁଥିଲା, ପୁରା ଟାଇଟ୍ ।
--“ହେଲେ ଗଲା କୁଆଡେ ?”
--ସ୍ତ୍ରୀ ହଜି ସାରିଥିଲା ଶିରିଡି ମେଳାରେ । ଆଶିଷ ଭାବୁଥିଲା ଖୋଜିବ ନା ଫେରିବ ? ଯାହାକୁ ହଜାଇବା ପାଇଁ ଆସିଥିଲା ସେ ତ ହଜି ସାରିଥିଲା । ନା ଖୁସି ନା ଦୁଃଖ ମନରେ ହୋଟେଲକୁ ଫେରିଗଲା ଆଶିଷ । ତାଲା ଖୋଲି ପାଣି ବୋତଲ ଖୋଲୁ ଖୋଲୁ ନଜର ପଡିଲା ଏକ ହାତ ଲେଖା ଚିଠି ଉପରେ । ପଢିବା ଆରମ୍ଭ କଲା ଆଶିଷ ।
--“ହଁ, ମୁଁ ବୁଝିପାରୁଛି ପୋଡ଼ାମୁହିଁ ସ୍ତ୍ରୀ ସହିତ ଶିରିଡିରେ ମେଳା ବୁଲିବା କେତେ ଲଜ୍ଜ୍ୟାଜନକ । ହେଲେ ସତରେ ତମ ଚଏସ ବହୁତ ବଢିଆ । ଅନସୂୟା ଭଲ ଝିଅଟି । ସେ କେବଳ ତମ ପୁରୁଣା ପ୍ରେମିକ ନୁହେଁ ମୋ ସୋସିଆଲ ଫ୍ରେଣ୍ଡ ମଧ୍ୟ । ଆଶା କରୁଛି ତା ସହିତ ତମେ ଖୁସିରେ ରହିବ । ଆଉ ହଁ, ମତେ ଖୋଜିବନି । ବାୟ ବାୟ … ।
ଇତି
ତମ ପୋଡାମୁହିଁ ସ୍ତ୍ରୀ –ସିନୁ
--ଆଉ ଫେରିଲାନି ସିନୁ ଆଶିଷ ପାଖକୁ । ଅନସୂୟା ମଧ୍ୟ ତିନି ଚାରି ମାସ ପରେ ବିଭିନ୍ନ ବାହାନା ଦେଇ ଆଶିଷକୁ ଛାଡିଦେଲା ।
--ଆଶିଷ ଯାହା ଶୁଣିବାକୁ ପାଇଚି ସିନୁ ଏବେ ଭୁବନେଶ୍ୱରରେ ଅଛି । ଗୋଟେ କମ୍ପାନୀରେ କାମ କରୁଚି ଓ ଝିଅକୁ ମଣିଷ କରିବାକୁ ସିଲେଇ କମ୍ପାନୀକୁ କାମ କରିବାକୁ ଯାଉଚି । ସେ ତା ଛୁଆକୁ ନିଜେ ପାଳନ କରିବ, ସିଙ୍ଗଲ୍ ମମ୍ ଭାବେ । ସ୍ୱାମୀ ପାଇଁ ସ୍ତ୍ରୀ ପୋଡାମୁହିଁ ହୋଇପାରେ ହେଲେ ମାଆ ସଦା ସ୍ନେହମୟୀ, ମମତାମୟୀ ।