ପଣ୍ୟ
ପଣ୍ୟ
ମିନା ମାଟ୍ରିକ ରେ ଫାଷ୍ଟ ଡିଭିଜନ ପାଇ କଲେଜ ରେ ନୂଆ ପାଠ ନୂଆ ଯାଗା ନୂଆ ଲୋକ ଙ୍କ ସହ ନୂଆ ଜୀବନ ଟିଏ ଆରମ୍ଭ କରିଥିଲା l ଏଥର ସେ ନିଜ ଇଚ୍ଛା ରେ ଜିଇଁବ l କୌଣସି ରୋକ ଠୋକ ନାହିଁ l ତେଣୁ ବାଛି ବାଛି କେତେ ଜଣ ଆଧୁନିକ ଝିଅ ଙ୍କୁ ପସନ୍ଦ କଲା ଯେଉଁ ମାନଙ୍କ ସହ ମିଶିଲେ ତାର ଗାଉଁଲି ଛାପ ଲୁଚି ଯିବ l ଅବଶ୍ୟ ଆଜି କାଲି ଗାଁ ଓ ସହର ମଧ୍ୟରେ ବେଶି କିଛି ତଫାତ ନାହିଁ l ଖାଲି ଏତିକି ଯେ ଗାଁ ରେ ତା ବାପା ମା ଓ ସାନ ଭାଇ ଟି ସହିତ ରହୁଥିଲା ଓ ପ୍ରତ୍ୟେକ କଥା ଘରେ ପଚାରି କରିବାକୁ ହେଉଥିଲା l ଏଠାରେ ବିନ୍ଦାସ ବଞ୍ଚି ହେବ l
ମିନା ର ରୁମ ମେଟ ସୁମି ବାସ୍ତବବାଦୀ l ଆକାଶ ରେ ଉଡିବା ପାଇଁ କୌଣସି ସଉକ ନାହିଁ l ଖାଲି ରୁମ ମେଟ ବୋଲି ସିନା ନହେଲେ ମିନା କେବେବି ସୁମି ପାଖରେ ରହି ନଥାନ୍ତା l
ମିନା ର ସବୁ ସାଙ୍ଗ ଫେସବୁକ ରେ ଆକାଉଣ୍ଟ ଖୋଲିଛନ୍ତି l ଜଣା ଅଜଣା ସମସ୍ତଙ୍କ ପାଇଁ ଆକାଉଣ୍ଟ ଖୋଲା l ଯେ ଚାହିଁବ ଫ୍ରେଣ୍ଡ ହୋଇପାରିବ l
ମିନା ତା ନିଜର ଗୋଟିଏ ଫୋଟୋ ରଖିଛି ଯାହା ସେ ଗାଁ ରେ ରଜ ଦିନ ଉଠାଇଥିଲା l ପ୍ରଥମ ସପ୍ତାହ ରେ କେହି ବି ସାଙ୍ଗ ଆସିଲେ ନାହିଁ l ଦ୍ଵିତୀୟ ସପ୍ତାହ ରେ ତିନି ଜଣ ମାତ୍ର l ଏମିତି ଗଡି ଗଡି ମାସେ ହେଲାଣି ମୋତେ ତିରିଶ ଜଣ ଅଛନ୍ତି ଫ୍ରେଣ୍ଡ ଲିଷ୍ଟ ରେ ତାହା ପୁଣି ସେମାନେ ସେଇ ହଷ୍ଟେଲ ର ଝିଅ ! କେଉଁ ଲୋକ ଅବା ଧର୍ଯ୍ୟ ଧରି ରହି ପାରିବ l ଯେଉଁ ସାଙ୍ଗ ମାନେ ତା ସହ ଆକାଉଣ୍ଟ ଖୋଲି ଥିଲେ ତାଙ୍କର ଫ୍ରେଣ୍ଡ ସଂଖ୍ୟା ଶହେ ଟପିଲାଣି l
ମିନା ପଢା ପଢି କରି ପାରୁନି ଆଉ l ସବୁ ବେଳେ ସେଇ ଚିନ୍ତା l ରାତି ଅଧରେ ଉଠି ମୋବାଇଲ ଦେଖୁଛି କାଳେ ନୂଆ ସାଙ୍ଗ କିଏ ପଠାଇଥିବେ l କିନ୍ତୁ ତିରିଶ ଟପୁ ନାହିଁ l
ମିନା କୁ ବିବ୍ରତ ଦେଖି ସୁମି ବୁଝାଇବାକୁ ଚେଷ୍ଟା କରିଛି l
-ଦେଖ ମିନା ଆମେ ଏଠି ଭବିଷ୍ୟତ ଗଢିବାକୁ ଆସିଛୁ l ଟାଇମ ପାସ ପାଇଁ ନୁହେଁ l ଆମର ଅନ୍ୟ ଉଦେଶ୍ୟ ଅଛି l ସେମାନେ ସମୟ କାଟିବାକୁ କଲେଜ ଆସୁଛନ୍ତି ତେଣୁ ତାଙ୍କ କଥା ଅଲଗା l ପ୍ରଥମରୁ ଯଦି ଢିଲା ହେବା ପରେ ଅବସ୍ଥା କଣ ହେବ ଭାବି ପାରୁଛୁ ତ?
-ପ୍ଲିଜ ସୁମି ! ମୋତେ ଦୟା କର ଓ ଉପଦେଶ ଦେବା ବନ୍ଦ କର l ତୋ ଉପଦେଶ ଶୁଣି ମୋ ନିଶ୍ୱାସ ଅଟକି ଯାଉଛି l ତୁ ଗୋଟିଏ କାଠ କି ପଥର ମୁଁ ଜାଣେନି l ଏକ୍ସାଇଟମେଣ୍ଟ ତୁ କଣ ବୁଝିବୁ l ଜୀବନରେ ଚାଲେଞ୍ଜ କାହାକୁ କୁହା ଯାଏ ଯେବେ ଜାଣିବୁ ସେବେ ଯାଇ ମଣିଷ ହେବୁ l
ମିନା ସୁମି କୁ ଅନର୍ଗଳ କହି ତା ମୁହଁ ବନ୍ଦ କଲା ପରେ ପୁଣି ମୋବାଇଲ ଭିତରେ ବୁଡି ଯାଇଥିଲା l କ୍ଲାସ ରେ ମଧ୍ୟ ମନ ଲାଗୁ ନଥିଲା l ତିନି ମାସ ପରେ ଦେଖିଲା ବେଳକୁ ସୋନିଆ ର ଛ ହଜାର ଫୋଲୋଅର ଅଥଚ ତାର ସେଇ ତିରିଶ ଜଣ l
ମିନା ଧୀରେ ଧୀରେ ସୋନିଆ କୁ ଫୋଲୋ କଲା l ବହୁତ ସମୟ ତାର ଫେସବୁକ ପେଜ କୁ ନିରୀକ୍ଷଣ କଲା ପରେ ତାର ଷଷ୍ଠ ଇନ୍ଦ୍ରିୟ ଜାଗ୍ରତ ହେଲା l ସୋନିଆ ଏତେ ସୁନ୍ଦର ନୁହେଁ l ତା ଫୋଟ ମଧ୍ୟ ଏତେ ସୁନ୍ଦର ଆସୁନି l କିନ୍ତୁ ତାର ଫେସବୁକ ଫ୍ରେଣ୍ଡ ସଂଖ୍ୟା କଲେଜ ରେ ସବୁଠୁ ବେଶି କାରଣ ତାର ସବୁ ଫୋଟ ରେ କିଛି ନାଁ କିଛି ଅଙ୍ଗ ପ୍ରଦର୍ଶନ ହୋଇଛି l
ମିନା କୁ ଗଡ଼ ଜିଣିଲା ଭଳି ଲାଗି ଥିଲା l ଯା ହେଉ ଏତେ ଦିନ ପରେ ଭିତିରି ରହସ୍ୟ ଟି ଜଣା ପଡିଲା l
ହଁ ଆଜି କାଲି ତ ଏସବୁ ଅତି ସାଧାରଣ କଥା l ଗୋଟିଏ ଝିଅ ପାଖରେ ଏସବୁ ନଥିଲେ ପୁଅ ମାନେ ବାହା ହେବାକୁ ମଧ୍ୟ ମନା କରି ଦେଉଛନ୍ତି l ଇୟେ ତ ଫେସବୁକ l ପୃଥିବୀ ର କୋଣେ ଅନୁକୋଣେ କେତେ ଲୋକଙ୍କ କେତେ ପ୍ରକାର ପସନ୍ଦ ଥିବ ନା !!
ସେ ଦିନ ବହୁତ ଖୁସି ଖୁସି ଲାଗୁଥିଲା ତାକୁ l ହେଲେ ସେ ଭଳି ଫୋଟ ପାଇଁ ସେମିତି ଡ୍ରେସ ବି ଦରକାର l ଆଣିବ କେମିତି l ରୁମ ରେ ସୁମି ଅଛି l ଆଣିଲେ ବି ପିନ୍ଧିବ ବା କେମିତି l
ତା ପର ଦିନ କ୍ଲାସ କୁ ନଯାଇ ଡ୍ରେସ ଦୋକାନ ରେ ପହଂଚି ଥିଲା l ଦୋକାନୀ ର ପରାମର୍ଶ ରେ ଦୋକାନ ର ସବୁ ଠାରୁ ଦାମିକା ଓ ଆଧୁନିକ ଡ୍ରେସ ଟି ଏ କିଣି ଯେତେବେଳେ ବେଳେ ଫେରିଲା ରୁମ ରେ ସୁମି ନଥିଲା l ତେଣୁ ଏବେ ଏହାକୁ ପିନ୍ଧି ବିଭିନ୍ନ ପୋଜ ରେ ଫୋଟ ଉଠା ଯାଇ ପାରିବ l
ମିନା ର ଫୋଟ ସେସନ ଆରମ୍ଭ ହେଲା l ଗୋଟିଏ ଅତି ଚିପା ହାଫ ପ୍ୟାଂଟ ଯାହା ଅନେକ ଯାଗାରେ ଫାଟି ଯାଇଛି ଏବଂ ତା ସାଙ୍ଗରେ ଗୋଟିଏ ଟି ସାର୍ଟ l ବିଭିନ୍ନ ବାଗ ରେ ଉଠାଇ ସାରି ସେ ସୁମି ଆସିବା ଆଗରୁ ଡ୍ରେସ ବଦଳାଇ ଭିତରେ ଥୋଇ ଦେଲା l
ଏବେ ଅସଲ କାମ ଆରମ୍ଭ l ପ୍ରଥମେ ହଷ୍ଟେଲ ର ଯେଉଁ ଝିଅ ମାନେ ଫେସବୁକ ରେ ଥିଲେ ସମସ୍ତଙ୍କ ନାଁ କଟା ହେଲା l ଏମାନେ ହିଁ ତାର ଉର୍ନତି ପଥରେ ଅନ୍ତରାୟ ! ପଚାରିଲେ ଆକାଉଣ୍ଟ କାଟି ଦେଇଛି ବୋଲି କହି ଦେବ l
ନୂଆ ନାଁ ଏବଂ ନୂଆ ଫୋଟ ରେ ନୂଆ ଆକାଉଣ୍ଟ ଖୋଲା ହେଲା l ଦୁଇ ଦିନ ପର୍ଯ୍ୟନ୍ତ ସେ ମୋବାଇଲ ଜାଣି ଜାଣି ବନ୍ଦ ରଖିଲା l ଏକା ବେଳେ ଦୁଇ ଦିନ ପରେ ଖୋଲିବ l ତା ପରେ ମଜା ହିଁ ମଜା l ତୃତୀୟ ଦିନ ରବିବାର l କଲେଜ ନଥିବାରୁ ସମସ୍ତେ ଟିକେ ଅଳସୁଆ ହୋଇ ଡେରି ଯାଏଁ ଶୁଅନ୍ତି l ମିନା ବାଥରୁମ ଯାଇ ଦେଖିଲା l କଣ ଦେଖୁଛି ଏ ଆଖି? ଦୁଇ ଦିନରେ ପୁରା ସାତ ଶହ ତେପନ ଫ୍ରେଣ୍ଡ? ସମସ୍ତଙ୍କୁ ସେ ଫେସବୁକ ରେ ମିଶାଇ ଦେଲା l ଏବେ ଟିକେ ମଣିଷ ଭଳି ଲାଗୁଛି !
ଏହା ପରେ ମିନା ଆଉ ଗୋଟିଏ ସାହାସିକତା ର କାମ କଲା l ନିଜ ଫୋନ ନମ୍ବର ଟି ସେଥିରେ ଯୋଡି ଦେଲା l
ଏଥର ଫୋନ ମଧ୍ୟ ଆସିବାକୁ ଲାଗିଲା l ଅଜଣା ଲୋକ ଫେସବୁକ ରେ ଫୋଟ ଲାଇକ କଲା ପରେ ଫୋନ କରି କଥା ବାର୍ତା ଆରମ୍ଭ କଲେଣି l ଜଣେ କହିଲା
-ଡାର୍ଲିଂଗ ତୁମ ସହ ଏତେ ଅନ୍ତରଙ୍ଗ ହେଲା ପରେ ବି ତୁମେ କେତେ କଥା ଗୋପନୀୟ ରଖୁଛ l ଯାହା ଗୁପ୍ତ ରେ କରୁଛ ଆମକୁ ବି ଟିକେ ଦେଖାଇଥାଂତ ଭଲା l ଯଦି ତୁମେ ଭଲ ପାଉଥିବ ତେବେ ଫୋଟ କେତୋଟି ପଠାଇବ l ତୁମକୁ ମୋ ରାଣ ରହିଲା l
ପ୍ରଥମେ ମିନା ର ଛାତି ଧଡ଼ ଧଡ଼ ହେଲା l ପରେ ନିଜକୁ ବୁଝାଇ ଦେଲା l ଡରି ଥାନ୍ତେ ଯଦି ବଡ ବଡ ହିରୋଇନ ମାନେ ଆଜି ଏ ପାହାଚ ରେ ପହଂଚି ଥାନ୍ତେ କେମିତି l ଆଗକୁ ବଢିବାକୁ ହେଲେ ଡର ଛାଡିବାକୁ ହେବ l
ସନ୍ତର୍ପଣ ରେ ଗାଧୋଇବା ବେଳର ଗୋଟିଏ ଫୋଟ ଉଠାଇ ଛାଡି ଦେଲା l ଗୋଟିଏ ସପ୍ତାହ ଭିତରେ ତାର ଫ୍ରେଣ୍ଡ ସଂଖ୍ୟା ସୋନିଆ ର ଦୁଇଗୁଣ ହୋଇ ଗଲା l ଶହ ଶହ ପ୍ରଶଂସା l ଏତେ ଫୋନ ଯେ ଫୋନ କୁ ବନ୍ଦ ରଖିବାକୁ ପଡୁଛି l
ଜଣେ ଲେଖିଲା "ତୁମକୁ ଦେଖିଲେ ଗିଳି ଦେବାକୁ ଇଚ୍ଛା ହେଉଛି l" ଆଉ ଜଣେ ଲେଖିଲା "ମୋ ସାମ୍ନା ରେ ଥିଲେ ତୋତେ ଆଜି ଛାଡି ନଥାନ୍ତି l"
ବଡ ଲୋକ ହେବାର ଏହା ହେଉଛି ପ୍ରଥମ ସୋପାନ !
ଆର ମାସରେ ପରୀକ୍ଷା l ସୁମି କୁ ମୁଣ୍ଡ ଉଠାଇବାକୁ ସମୟ ନାହିଁ l ସୁମି ମନେ ମନେ ଆଶ୍ଚର୍ଯ୍ୟ ହେଉଛି ମିନା କୁ ଦେଖି l ମିନା ସବୁ ବେଳେ ଅତି ବ୍ୟସ୍ତ ଲାଗୁଛି କିନ୍ତୁ କରୁଛି କଣ l ତାକୁ ତ ପଢ଼ିବାର ଦେଖୁ ନାହିଁ l
ତେବେ ସେ ଯାହା ହେଉ ସେ ତା ନିଜ ଦାୟିତ୍ୱ ନିଜେ ନେଉ l ତାକୁ କିଛି କହିବା ମାନେ ଅନର୍ଥ କୁ ଡାକି ଆଣିବା l
ମିନା ଭାବୁଛି ସେ ଆର ମାସରେ ପରୀକ୍ଷା ଦେବ ନାହିଁ l ଏକେତ କିଛି ପଢି ନାହିଁ ପୁଣି ତା ଜୀବନ ଏକ ନୂଆ ମୋଡ ନେବାକୁ ଯାଉଛି l ପାଠ ପରୀକ୍ଷା ଚାକିରୀ ଏସବୁ ହେଲା ମଧ୍ୟବିତ୍ତ ମାନସିକତା ! ସେ ଏହାଠୁ ନିଶ୍ଚୟ ଉପରକୁ ଉଠିବ l
ଦିନେ ସକାଳୁ ଗୋଟିଏ ଫୋନ ଆସିଲା l ସେପଟୁ ଗୋଟିଏ ପୁରୁଷ ର କଣ୍ଠ ସ୍ୱର l ଲୋକଟି ଓଡ଼ିଆ ହିନ୍ଦୀ ମିଶାଇ କହୁଛି l
-ହେଲୋ ମ୍ୟାମ ଆପ କିତନେ କି ବୋଲି ଲଗାଏଙ୍ଗେ? ମାନନା ପଡେଗା ପୁରେ ଯାହାନ ମେ ତୋ ଆଗ ଲଗା ଦିୟା l
-କୌନ ହୋ ତୁମ? ୟେ କ୍ୟା ବକଵାସ ହେ? ତୁମେ କିଏ କାହାକୁ ଖୋଜୁଛ? ମିନା ରାଗରେ ଥରିଲାଣି l
- ଗାଧୁଆ ଫୋଟୋ କୁ "ଚଢ଼ତି ଜଵାନୀ " ରେ ଛାଡିଲା ବେଳେ ଜାଣି ନଥିଲୁ କି? ଏବେ କଣ ଭାରି ସତୀ ସାବିତ୍ରୀ ଦେଖେଇ ହେଉଛୁ l ଆରେ ! ଲୁଚିଛି ନା ଗୋଡ ଦିଟା ଦିଶୁଚି l" ଲୋକଟି ଏଥର ଓଡ଼ିଆ ରେ କହିଲା l
ମିନା ଫୋନ କାଟି ଦେଇ ବସି ପଡି ଥିଲା l ଛାତି ଏତେ ଜୋରେ ଧଡ଼ ଧଡ଼ ହେଉଥିଲା ଲାଗୁଥିଲା ଯେମିତି ବନ୍ଦ ହୋଇ ଯିବ l ଫୋଟୋ ଟା "ଚଢ଼ତି ଜଵାନୀ " ସାଇଟ କୁ ଗଲା କେମିତି l ସେଠି ତ ଦେହ ବ୍ୟବସାୟ ହୋଇ ଥାଏ l ଫୋଟୋ ଦେଖି ଗ୍ରାହକ ପସନ୍ଦ କରି ଦର ଦାମ ନିଧାର୍ଯ୍ୟ କରନ୍ତି l ସେ ତାର ଜଣେ ପ୍ରଶଂସକ କୁ ଦେଇଥିଲା ଯେ କି ତାକୁ ବହୁତ ଭଲ ପାଏ ବୋଲି କହୁଥିଲା l ସାଙ୍ଗେ ସାଙ୍ଗେ ଫେସବୁକ ଆକାଉଣ୍ଟ କୁ ଡିଲିଟ କରି ଫୋନ ସିମ କୁ ବାହାର କରି ଫୋପାଡ଼ି ଦେଇଥିଲା l
ଭଗବାନ ଙ୍କୁ ଶହେ ଥର ମୁଣ୍ଡିଆ ମାରି ଥିଲା ଯେ ବାଥରୁମ ର ବଲବ ଟି ସେ ଦିନ ଫ୍ୟୁଜ ହୋଇ ଯାଇଥିବାରୁ ଫୋଟୋ ଭଲ ଉଠିଲା ନାହିଁ l ତେଣୁ ମୁହଁ ଦେଖି ଚିନ୍ହି ହେଉନି l ନହେଲେ ତାହାର ନିର୍ଜୀବ ଶରୀର ଟି କୋଉ କୂଅ କି ପୋଖରୀ ରେ ଭାସୁ ଥାନ୍ତା l
ପରୀକ୍ଷା ଆଉ ବାଇଶି ଦିନ ରହିଲା l ଏଥର ପଢା ପଢି ଆରମ୍ଭ କରିବାକୁ ହେବ l
