ପଣସ
ପଣସ
କହି ଜାଣିଲେ କଥା ସୁନ୍ଦର, ବାନ୍ଧି ଜାଣିଲେ ମଥା ସୁନ୍ଦର, ଭଳି ଅନେଗୁଡ଼ିଏ ଉକ୍ତି ଅଛି, ଯାହାର ଭାବ ଆଉ ଭାବାର୍ଥ ବୋଧହୁଏ ଏକା। ଯିଏ ଯେଉଁଥିରେ ଅଭ୍ୟସ୍ତ , ତାକୁ ମଧ୍ୟ ସେହିଟା ଭଲ।
ସାବିତ୍ରୀ ଅମାବାସ୍ୟାକୁ ଏବର୍ଷ ଝିଅ ଘରେ ଥାଏ। ତ ବାଛି ବାଛି, ମୁଗ, ନଡ଼ିଆ, କଦଳୀ, ତାଳ, ଲିଚୁ, ସେଓ, ଅଙ୍ଗୁର, ଖଜୁରୀ କୋଳି ସାଙ୍ଗକୁ ବଡ ପଣସଟିଏ ଆଣିଥାନ୍ତି ଜୋଇଁ।
ସକାଳୁ ସକାଳୁ ଝିଅ ଗାଧୁଆ ପାଧୁଆ ସାରି ମୁଗ ବତୁରାଇ ପଣସ ଫାଡେ ତ ଚିହିଁକି ଉଠିଲା। ତୁମକୁ ମୁଁ ଏତେ କରି କହିଥିଲି, ଏମିତି ପଣସ ଆମ ପଟେ ଖାଆନ୍ତି ନାହିଁ ଭଲ ରସୁଆଳ ପଣସ ଦେଖି ଆଣିବ, ମମି ଖାଇବ, ତୁମେ ସେହି ଖଜା ପଣସରୁ ଗୋଟେ ଧରି ଆସିଛ। ମୁଁ କହିଲି ଆରେ ମାଆ ପଣସ ଭିତରେ କିଏ ପଶିଛି ଯେ ଭଲ ମନ୍ଦ ଜାଣିବ। ଭୋଗ ହେବା କଥା। ଆମ୍ବ ନଡ଼ିଆ କଦଳୀ ଚକଟି ଖାଇଲେ ହେବନି ?
ଝିଅ କହୁଥିଲା ନା ତୁ ଜାଣିନୁ ମମି, ଏମାନଙ୍କୁ ରସୁଆଳ ପଣସ ଭଳନୁଂହେ, କହିବେ ଛି ଖାଲି କାଦ, ଆମର କେମିତି ପଣସ ରସରେ ମୁଗ ଚକଟି ତା ସହ ଅନ୍ୟାନ୍ୟ ଫଳ ମୂଳ ମିଶାଇ ଖାଆନ୍ତି, ପୁଣି ରସରେ ଯନ୍ତଣି କରି ପୋଡପିଠା, ମଣ୍ଡା ଇତ୍ୟାଦି ହୁଏ। ଛାଡ ମାଆ , ନଇକେ ଫାଙ୍କ, ଦେଶକେ ବାଙ୍କ, ପରା କଥାରେ ଅଛି। ଚଳେଇ ନେଲେ ସବୁ ଭଲ। ଖଜା ପଣସର ବି ନିଆରା ସ୍ବାଦ ଅଛି ନା ମାଆ।
ଫେରିବା ବେଳେ ଜୋଇଁ ଝିଅ ସମୁଦୀ ସମୁଦୁଣୀ, ସାଙ୍ଗ ହୋଇ ଫେରିଥିଲୁ। ରଜ ତିନିଦିନ ତାଳ ପୋଡ ପିଠା ଭଳି ପଣସ ରସରେ ପୋଡ଼ପିଠା, ମଣ୍ଡା, ରସ ସହ ମୁଢ଼ି କଦଳୀ ନଡ଼ିଆ ଆମ୍ବ ଚକଟା ଖାଇ ସମସ୍ତେ ଢେର୍ ପ୍ରଶଂସା କରୁଥିଲେ, ତ ଝିଅ ଭାରି ଖୁସିରେ ପାଚିଲା ପଣସ ଫାଡ଼ି ଖାଉଥିଲା ମଞ୍ଜି ଓ ବୋତି କାଢ଼ି ତ ସେମାନେ ବି ଖାଇଥିଲେ ଖୁସିରେ। ମୁଁ ହସୁଥିଲି ଆପଣା ପଣରେ।