କଲିକତାରୁ ପୁଅ ଘରୁ ଆସି ଝିଅ ଘର କୋରାପୁଟରେ ମଧ୍ୟ ପକ୍ଷୀଟିଏ ଦେଖିବାକୁ ପାଉନଥିଲେ ମାଆ. ତାର କାରଣ କ୍ୱାଟର ଠାରୁ ଗଛଗୁଡିକ ଖୁବ ଦୂରରେ ରହିଥିଲା ତ ପୁଅ ଯେବେ ଫୋନ କରି ମାଆଙ୍କୁ ପଚାରୁଥିଲା କି ସେଠି ପକ୍ଷୀ ଦେଖୁଛୁ ତ ମାଆ!ମାଆ ଉତ୍ତର ଦେବା ପୂର୍ବରୁ ବାପା କହିଥିଲେ ମାଆ ପକ୍ଷୀ ଦେଖିପାରୁନି ବୋଲି ମୁଁ ସବୁ ଆମ୍ବ ର ଟାକୁଆ ଗୁଡିକୁ ଏଠି ଥିବା ଖାଲି ସ୍ଥାନରେ ପୋତିଚାଲିଛି. ମାଆ ହୁଏତ ଏହି ଗଛ ବଡହେଲେ ଏହା ଉପରେ ବସୁଥିବା ପକ୍ଷୀଙ୍କୁ ଦେଖିପାରେ ଅବା ଦେଖିନପାରେ କିନ୍ତୁ କେହିତ ଦେଖିବ. ପୁଅ କହୁଥିଲା ସେକଥା ଠିକ ଯେ ହେଲେ ଗଛ ଲଗେଇବା ସ୍ଥାନ ଠିକ ରହିବା ଦରକାର.ସବୁ ଶୁଣୁଥିଲେ ମାଆ ଅନସୂୟା ଆଉ ଚାହୁଁଥିଲେ ଦୂରରେ ଥିବା ଗଛ ଗୁଡିକୁ. କେବେ କେବେ ଉଡିଯାଉଥିବା ତଥା କିଚିରି ମିଚିରି ଶବ୍ଦ କରୁଥିବା ଚଢେଇଙ୍କୁ ଦେଖିହୁଏତ କେବେ ଦେଖିହୁଏନା.ମନ କିନ୍ତୁ ଖୋଜୁଥାଏ ପକ୍ଷୀ ଙ୍କ ଉଡାଣ.
ଅନସୂୟାଙ୍କର ନିଜ ଘର କଥା ମନେପଡେ. ନିଜ ଘର ଛାତ ଉପରେ ଖୁବ ପକ୍ଷୀ ଓ ତାଙ୍କ ଗତିବିଧି ଦେଖି ହୁଏ. ତାର କାରଣ ଘର ଆଗରେ ଥିବା ଝଙ୍କାଳିଆ ବରଗଛଟା, ଛାତ ଉପରକୁ ଖୁବ ପାଖରେ ଥିବା ପରି ମନେହୁଏତ ଦେଖିହୁଏ ଖୁବ ସହଜରେ ତଥା ଦେଖିହୁଏ ପକ୍ଷୀ ସମୂହ ସହିତ ତାଙ୍କର ବସା ତିଆରି କରିବା କୌଶଳ ଓ ସ୍ୱର ସହ ଗତିବିଧି ମାନେ ଉଡାଣ. ବାରିପଟେ ମଧ୍ୟ ଅନସୂୟାଙ୍କ ବାପା ନିଜ ହାତରେ ଲଗାଇଥିବା ଆମ୍ବଗଛରେ କେତେ ଜାତି ଜାତି ପକ୍ଷୀ ସହିତ ଭଦଭଦଳିଆ ପକ୍ଷୀବସା ତିଆରି କରେ ପ୍ରତିବର୍ଷ . ସେଇଥିପାଇଁ ତ ଆମ୍ବଗଛ କଟାଯାଇନି ଏଯାଏଁ ନହେଲେ ଘରର କାନ୍ଥ ଫାଟିବା, ସାପ ଚଢିବା ଓ ପତ୍ର ଝଡି ଅଳିଆ ହେବା କାରଣଗୁଡିକ ଗଛଟିକୁ ହଣା ହେବାପାଇଁ ମନ କହୁଥିଲା ବେଳେ ହୃଦୟ ନାହିଁ ନାହିଁ କରେ. ଆମ୍ବ ବଉଳ ହେବାଠାରୁ କଷି ହେବା ଯାଏଁ ମାଙ୍କଡ଼ ପଲ ଖାଉଥାଆନ୍ତି ତ ସ୍ୱାମୀ ବୃନ୍ଦାବନବାବୁ ଓ ପୁଅ ଆକାଶ କହନ୍ତି ଖାଆନ୍ତୁ ସେମାନେ ନହେଲେ ବଞ୍ଚିବେ କେମିତି!
ଏ ବର୍ଷ କିନ୍ତୁ ଚାରିଆଡେ ଏତେ ଆମ୍ବ ଯେ ମାଙ୍କଡ଼ ମଧ୍ୟ ଖାଉନାଁହାନ୍ତି ଝଡ଼େଇ କି ଛିଡେଇ. ତଳ ଘରେ ଭଡା ଥିବା ପୁଅ ଯେବେ ଜଣେଇଲେ ଆମ୍ବଗଛ ଭାଙ୍ଗିଯାଇଛି ଓ ପାଚେରୀ ଉପରେ ପଡ଼ିରହିଛି. ସେଦିନ ରାତିରେ ଝିଅ ଘରେ ବୃନ୍ଦାବନବାବୁ ଖାଇପାରିଲେ ନାହିଁ. ସ୍ତ୍ରୀ ଅନସୂୟା ଯେବେ କହିଲେ ତୁମେ ଯାହା ଚାଁହୁଥିଲ ତାହା ମନକୁ ମନ ହୋଇଗଲା ତ ଖୁସି ହେବା କଥା, ଦୁଃଖ କଣ ପାଇଁ. ବୃନ୍ଦାବନବାବୁ ଯେବେ କହିଲେ ନାହିଁ ସେକଥା ନୁହେଁ ଯେ ଭଦଭଦଳିଆ ପକ୍ଷୀ ଶାବକ ଗୁଡିକ ବେଘର ହୋଇ କଲବଲ ହେଉଥିବେ ଏ ମୌସୁମୀ ବର୍ଷାରେ. ତୁମେ କେବେଠୁ ପକ୍ଷୀପ୍ରେମୀ ହେଲ ବୋଲି କହି ସ୍ତ୍ରୀ ଅନସୂୟା ସ୍ତବ୍ଧ ଓ ଚକିତ ହେଲାବେଳେ ଝିଅ କହୁଥିଲା ସେ ଅଜା ହେଲେଣି ତ ସେଇଥିପାଇଁ. ଅନସୂୟା ଥରେ ଝିଅ ମୁଁହଁକୁ ଓ ଥରେ ସ୍ୱାମୀଙ୍କ ମୁଁହଁକୁ ଚାହିଁ କହୁଥିଲେ ଏଥର ଆମକୁ ଯିବାକୁ ଦେ ଝିଅ ତ ସେପଟୁ କଲିକତାରୁ ପୁଅ ଫୋନ କରି କହୁଥିଲା ମାଆକୁ ଏବେ ଛାଡେନା, ଆମ୍ବଗଛ ଭାଙ୍ଗି ଯାଇଛି ଦେଖି ସେ କଷ୍ଟ ପାଇବ. ଝିଅ ଭାଇକୁ କହୁଥିଲା ମାଆ ଠାରୁ ବାପା ଅଧିକା ଚିନ୍ତିତ ଅଛନ୍ତି. ଭାଇ କହୁଥିଲା ମାଆ ପାଖେ ରହି ସେ ଏ ଭିତରେ ପକ୍ଷୀପ୍ରେମୀ ହୋଇଯାଇଛନ୍ତି ନିଶ୍ଚୟ ତେଣୁ ଭଦଭଦଳିଆ ପକ୍ଷୀଘର କଥା ଭାବି ଦୁଃଖ କରୁଥିବେ. ସ୍ୱାମୀ ସ୍ତ୍ରୀ ଦୁହେଁ ଶୀଘ୍ର ଯିବା ପାଇଁ ବେଗ୍ର ହେଉଥିଲା ବେଳେ ଝିଅ ତା ପୁଅକୁ ଧରେଇ ଦେଇ କହୁଥିଲା ଏ ପକ୍ଷୀକୁ ଛାଡି କେମିତି ଯିବାକୁ ଇଛା କରୁଛ କେଜାଣି, ଅଜା ଆଈ ଦୁହେଁ! ବୃନ୍ଦାବନ ବାବୁ ଏଥର କହୁଥିଲେ ମୋ ନାତିର ଜେଜେ, ଜେଜେମାଆ ଇତ୍ୟାଦି କେତେ କିଏ ଅଛନ୍ତି ହେଲେ ଆମ୍ବ ଗଛରେ ପ୍ରତିବର୍ଷ ବସା ବାନ୍ଧୁଥିବା ଭଦଭଦଳିଆ ପକ୍ଷୀର କିଏ ଅଛନ୍ତି କହିଲୁ ଝିଅ!