ପିଲାଟି ବଦଳିଗଲା
ପିଲାଟି ବଦଳିଗଲା
ଥରେ ଦୁଇ ଜଣ ସାଙ୍ଗ ବିଦ୍ୟାଳୟକୁ ଯାଉଥିଲେ।ସେମାନଙ୍କ ମଧ୍ୟରୁ ଜଣେ
ଥିଲା ଶ୍ୟାମ ଆଉ ଜଣେ ବିଧୁ।ବିଧୁର ବାପା ଜଣେ ନାମିଦାମୀ ବ୍ୟବସାୟୀ ବେଶ ଖାତିର ତାଙ୍କର ଅଛି, ଜନ ମହଲରେ ଗାଡ଼ି ଘୋଡ଼ା ଚାକର,ବାକର କିଛିରେ ବି ତାଙ୍କର ଅଭାବ ନାହିଁ।ଶ୍ୟାମର ବାପା ଜଣେ କୃଷକ।ନିଜ ଜମି ଖଣ୍ଡକ ଛଡା ତାଙ୍କର କିଛି ହେଲେ ବି ନାହିଁ।ଦିନ ରାତି ପରିଶ୍ରମ କରି କ୍ଷେତରେ ଯେଉଁ ଅମଳ ହୁଏ କଷ୍ଟେ ମଷ୍ଟେ ତାଙ୍କ ପରିବାର ଚଳେ।ଭଲମନ୍ଦ ଖାଇବା ,ନୂଆ ନୂଆ ପୋଷାକ ପରିପାଟିରେ ସଜେଇ ହେବା, ଯାନିଯାତ୍ରାରେ ମଉଜ କରିବା ତାଙ୍କ ପାଇଁ ସାତ ସପନ।ପିଲାର ସ୍ୱଭାବ ବାପା ମାଆଙ୍କ ଆଚରଣରୁ ଭଲ କି ମନ୍ଦ ହୋଇ ଥାଏ।ବିଧୁର ଘରେ କିଛି ରେ ଅଭାବ ନ ଥିବାରୁ ସେ କାହାକୁ ଖାତିର କରେ ନାହିଁ।ମନ ମୁତାବକ ଜିନିଷ ମାଗିଲେ ତାକୁ ମିଳିଯାଏ।ତେଣୁ ମନରେ ବହୁତ ଗର୍ବ।ଭାରି ଅଳସୁଆ କର୍ମ କୋଢି ବି।କଥା କଥାରେ ଚିଡିବା,ମିଛ କହିବା ଆଉ ବଡ଼ ସାନଙ୍କୁ ଖାତିର ନ କରିବା ତାର ଗୋଟେ ବଦ ଅଭ୍ୟାସ।ଦିନକର କଥା ଗୁରୁଜୀ ବିଦ୍ୟାଳୟରେ ପିଲାମାନଙ୍କୁ କହିଲେ ଆସନ୍ତା ମାସରେ ବାର୍ଷିକ ପରୀକ୍ଷା ହେବ ତେଣୁ ତୁମେମାନେ ନିଜ ନିଜ ପଢ଼ାରେ ଧ୍ୟାନ ଦିଅ।ବିଶେଷ ଖେଳା ବୁଲା ନ କରି ସେହି ସମୟ ପାଠ ପଢ଼ାରେ ଲଗାଅ।ଗୁରୁଜୀଙ୍କ ଏହି କଥାକୁ କିଛି କିଛି ପିଲା ମାନିଲେ ଆଉ ସେହି ଅନୁସାରେ ପଢ଼ା ପଢି କଲେ।ପାଠରେ ଲାଗିରହିଲେ କିନ୍ତୁ ବିଧୁ ଥିଲା ବ୍ୟତିକ୍ରମ ଗାଁ ବରଗଛ ତଳେ ଦୁଷ୍ଟ ପିଲାଙ୍କ ସହ ଆଲି, ଚକି ଆଦି ଖେଳରେ ଦିନ ତମାମ ଲାଗି ରହି ଥାଏ।କାଆଁ ଭାଆଁ ବିଦ୍ୟାଳୟକୁ ଯାଏ ଆଉ ଇଚ୍ଛା ହେଲେ ପାଠ ପଢେ ନ ହେଲେ ବି ନାହିଁ।ଶ୍ୟାମ ବିଲ କାମରେ ବାପାଙ୍କୁ ସାହାଯ୍ୟ କରେ।ଗୋରୁ ଚରାଇବା ବେଳେ ବି ସେ ନିଜ ବହି ସାଥିରେ ନେଇ ଯାଇ ଥାଏ ଆଉ ନିଜ ପାଠ ପଢେବି ଗୋରୁ ଚରାଏ ବି।ଦୁଇଟି କାମ ଏକା ସାଥିରେ ସେ କରେ।ଦୀର୍ଘ ରାତି ଯାଏଁ ପାଠ ପଢେ,ଅବୁଝା କିଛି ଥିଲେ ଗୁରୁଜୀ ଗୁରୁମାଆଙ୍କୁ ବାରମ୍ବାର ପାଠ ବୁଝେ।ସମସ୍ତେ ତାକୁ ଭଲ ପାଆନ୍ତି।ଦେଖୁ ଦେଖୁ ମାସ ଗଡ଼ିଗଲା ପରୀକ୍ଷା ସମୟ ଉପନୀତ ହେଲା ସବୁ ପିଲା ପରୀକ୍ଷା ହଲ୍ ରେ ବସିଲେ।ପରୀକ୍ଷାର ନିୟମ ଗୁରୁଜୀ ବୁଝାଇ ଦେଲେ ଆଉ ଶାନ୍ତି ଶୃଙ୍ଖଳା ସହ ପରୀକ୍ଷାରେ ସାଧୁତା ଅବଲମ୍ବନ କରି ପରୀକ୍ଷା ଦେବାକୁ ପ୍ରଶ୍ନ ପତ୍ର ଯୋଗାଇ ଦେଲେ।ସବୁ ପିଲା ନିଜ ପାରିବା ମୁତାବକ ପରୀକ୍ଷା ଖାତାରେ ଲେଖିଲେ କିନ୍ତୁ ବିଧୁକୁ କିଛି ବି ଆସୁ ନ ଥାଏ।ସେ ପରୀକ୍ଷା ଖାତାରେ କିଛି ଲେଖି ପାରିଲା ନାହିଁ।ମନ ଇଚ୍ଛା ଯାହା ପାରି ତାହା ଲେଖି ପଳେଇ ଆସିଲା ଇଆଡ଼େ ଶ୍ୟାମ ପ୍ରତ୍ୟେକ ପ୍ରଶ୍ନକୁ ଶାନ୍ତ ମନରେ ପଢି ନିର୍ଭୁଲ ଉତ୍ତର ଲେଖି ପରୀକ୍ଷା ଶେଷରେ ଘରକୁ ଫେରିଲା।ଯଦିଓ ଶ୍ୟାମ ର ବାପା କିଛି ବି ପାଠ ପଢି ନ ଥିଲେ ତଥାପି ପାଠର ମହତ୍ତ୍ୱ ତାଙ୍କୁ ବେଶ ଜଣା ଥିଲା ତେଣୁ ଟିକି ନିକି ବାପା ପରୀକ୍ଷା ବିଷୟରେ ପଚାରିଲେ ଶ୍ୟାମ କୁ ଆଉ ସିଏ ବା କାହିଁକି ଲୁଚାଇବ ସବୁ ଠିକ ଠିକ କହିଲା ପରୀକ୍ଷା ବାବଦରେ।ବିଧୁ କିନ୍ତୁ ଘରେ ସବୁ ମିଛ କହି ସେମାନଙ୍କୁ ଭୁଆଁ ବୁଲାଇଲା।ଇଆଡୁ ସିଆଡୁ କହି ନିଜର ଖୁବ ପ୍ରଶଂସା କଲା ଆଉ ପରୀକ୍ଷାରେ ବହୁତ ଭଲ କରିଛି କହିଲା।
ହେଲା ପ୍ରକୃଷ୍ଠ ସମୟ, ବିଦ୍ୟାଳୟରେ ପରୀକ୍ଷା ଖାତା ଦେଖା ସରି ପରୀକ୍ଷା ଫଳ ବାହାରିଲା।ପ୍ରତ୍ୟେକ ପିଲା ନିଜ ନିଜ ପରୀକ୍ଷା ଫଳ ପାଇ ଖୁସିରେ ଘରକୁ ଫେରିଲେ।ଶ୍ରେଣୀ ରେ ନିଜ କଠିନ ଅଧ୍ୟବସାୟ ବଳରେ ଶ୍ୟାମ ସର୍ବାଧିକ ନମ୍ବର ରଖି ପ୍ରଥମ ହୋଇ ବିଦ୍ୟାଳୟର ଗୌରବ ରକ୍ଷା କଲା କିନ୍ତୁ ଗୋଟେ କୋଣରେ ଛିଡା ହୋଇ
କାନ୍ଦୁ ଥିଲା ବିଧୁ।ସାଙ୍ଗମାନେ ତାକୁ ଦେଖି ଚିଡାଉ ଥିଲେ ହେଇ ଦେଖ ବିଧୁ କାନ୍ଦୁଛି ସେ ପରୀକ୍ଷାରେ ଫେଲ ହେଇ ଯାଇଛି ।ବଡ଼ ଘର ର ପିଲା ମୁଣ୍ଡରେ ଟିକେ ବୁଦ୍ଧି ନାହିଁ।ଗର୍ବରେ ଫାଟି ପଡୁ ଥାଏ ଏମିତି କିଏ କେତେ କଥା ସାଙ୍ଗ ମାନେ କହିଲେ।ସେ ବହୁତ ମନ ଦୁଃଖ କଲା ଆଉ କାନ୍ଦିଲା।ତା ସାଙ୍ଗମାନେ ଉପର ଶ୍ରେଣୀ କୁ ଉଠି ଯିବେ ଆଉ ସେ ସେଇ ତାଙ୍କ ତଳ ଶ୍ରେଣୀରେ ପଢିବ ।
ସେମାନେ ତାକୁ ଆଉ ଖାତିର କରିବେ ନାହିଁ।ଏମିତି ଅନେକ କିଛି ଭାବିଲା ଆଉ ଶେଷରେ ନିଷ୍ପତ୍ତି ନେଲା ସେ ଜୀବନ ହାରି ଦେବ।ରାସ୍ତାରେ ଯାଉ ଯାଉ ଗାଆଁ ନଈକୂଳ ବରଗଛ ର ଗୋଟେ ଓହଳ ଛିଡାଇ ନିଜ ବେକରେ ଫାଶୀ ଦଉଡ଼ି ତିଆରି କରି ଗଛରେ ଟାଙ୍ଗି ଦେଲା ଆଉ ଠିକ ଫାଶୀ ଦଉଡ଼ି ରେ ବେକ ଲଗେଇଛି ସେତିକି ବେଳେ ଶ୍ୟାମ ଦଉଡ଼ି ଆସି ତାକୁ ଅଟକାଇଛି।ଆଉ ଚାପୁଡ଼ାଟେ ମାରି କହିଲା ଜୀବନ ର ମାନେ ନୁହେଁ ବିଫଳ ହୋଇ ଜୀବନ ହାରିବା ଅମୂଲ୍ୟ ଜୀବନ ପାଇଛୁ ତାକୁ କର୍ମରେ ଲଗା।ଦେଖିବୁ ଦିନେ ତୁ ଜ୍ଞାନ ବି ପାଇବୁ ମାନ ବି ଆଉ ସମ୍ମାନ ବି।ସବୁ ଖୁସି ତୋ ପାଦ ତଳେ ଅଜାଡି ହୋଇ ପଡିବ।ସମସ୍ତଙ୍କ ପ୍ରିୟ ପାତ୍ର ଦିନେ ତୁ ହୋଇବୁ।ଶ୍ୟାମ ର ଏହି କଥାକୁ ମନରେ ରଖି ବିଧୁ ଘରକୁ ଗଲା ଆଉ ନିଜ ଭୁଲର ଅନୁତାପ କଲା ଜୀବନରେ କେବେ ଭୁଲ କାମ କରିବ ନାହିଁ ବୋଲି ବାପା ମାଆ ଙ୍କ ଚରଣ ରେ ମୁଣ୍ଡ ରଖି କହିଲା।ସତ କୁ ସତ ଆସନ୍ତା ବର୍ଷ ବିଧୁ ନିଜ କଠିନ ଅଧ୍ୟବସାୟ ବଳରେ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରି ବିଦ୍ୟାଳୟର ନାମ ରଖିଲା।ତା କଥା ବାର୍ତ୍ତା ଆଚରଣ,ବ୍ୟବହାର ଦେଖି ଗୁରୁଜୀ କହିଲେ ପିଲାଟି ବଦଳି ଗଲା।