ପିଲାଚୋରି
ପିଲାଚୋରି
ଦୁଷ୍ମନ୍ତର ମନ ଆଜି ବହୁତ ଖୁସି । ଏମ୍.ଏ. ପଲିଟିକାଲ ସାଇନ୍ସରେ ପ୍ରଥମ ଶ୍ରେଣୀରେ ପ୍ରଥମ ହୋଇ ପାଶ୍ କରିଛି । ଅଧ୍ୟାପକ ଚାକିରିଟା ତ ଥୁଆ, କିନ୍ତୁ ସର୍ବଭାରତୀୟ ପ୍ରଶାସନିକ ସେବା ପାଇଁ ତାର ବହୁତ ଇଚ୍ଛା । ଗାଆଁରେ ତାର ବହୁତ ପ୍ରଶଂସା । ବାପା ଜୟନ୍ତଙ୍କର ମନ କୁଣ୍ଢେମୋଟ । ଆର୍ଥିକ ଅସ୍ୱଚ୍ଛଳତା ସତ୍ତ୍ୱେ ପୁଅକୁ ପାଠ ପଢେଇ ମଣିଷ କରିପାରିଛନ୍ତି, କିଛି କମ୍ କଥା ନୁହେଁ ।
ଜୟନ୍ତ ମୋର ପଡୋଶୀ । ଜୟନ୍ତ ବାବୁଙ୍କ ଘର ସାମନାରେ ମହେନ୍ଦ୍ର ବାବୁଙ୍କ ଘର । ମହେନ୍ଦ୍ର ବାବୁ ଓ ଜୟନ୍ତ ବାବୁ ପିଲାଦିନରୁ ବଡ଼ ସାଙ୍ଗ ଥିଲେ । କହିବାକୁ ଗଲେ ଲଙ୍ଗୁଟିଆ ଦୋସ୍ତ୍ । ଏବେ କିନ୍ତୁ ମୁହଁ ଚୁହାଁ ଚୁହିଁ ନାହିଁ । ମୁହଁ ଚୁହାଁ ଚୁହିଁ ନ'ହେବାର କାରଣ ହେଉଛି ଦୁଷ୍ମନ୍ତ । ମହେନ୍ଦ୍ର ବାବୁଙ୍କର ଅଭିଯୋଗ ଯେ ଜୟନ୍ତ କୁଆଡେ ତାଙ୍କ ନିଜ ପୁଅକୁ ଚଞ୍ଚକତା କରି ତାଙ୍କ କୋଳରୁ ଚୋରେଇ ନେଇଛି । ସେ ଏକ ରୋଚକ କାହାଣୀ...
ତେଇଶି ବର୍ଷ ତଳର କଥା । ମହେନ୍ଦ୍ର ବାବୁଙ୍କ ପତ୍ନୀ ସନ୍ତାନସମ୍ଭବା ଥିଲେ । କିନ୍ତୁ କିଛି ଅନିବାର୍ଯ୍ୟ କାରଣ ଯୋଗୁଁ ମହେନ୍ଦ୍ର ବାବୁଙ୍କୁ କିଛି ଦିନ ପାଇଁ କଲିକତା ଯିବା ଦର୍କାର ପଡ଼ିଲା । କାହା ଦାୟିତ୍ୱରେ ଘର ଛାଡ଼ି ଯିବେ? ଘରେ ପାଞ୍ଚବର୍ଷର ଏବଂ ତିନି ବର୍ଷର ଦୁଇଟି ଛୋଟ ପୁଅ, ସେମାନେ ବା ଜରୁରୀ ପରିସ୍ଥିତିରେ କ'ଣ କରିପାରିବେ?ଜୟନ୍ତ କହିଲେ... କିଛି ପରୱା ନାହିଁ ଭାଇ, ମୁଁ ଅଛି ,ତମେ ନିଶ୍ଚିନ୍ତରେ ଯାଅ ।
ଜୟନ୍ତ ଉପରେ ମହେନ୍ଦ୍ର ବାବୁଙ୍କର ଅଖଣ୍ଡ ବିଶ୍ୱାସ ଥିଲା । ନିଶ୍ଚିନ୍ତ ହୋଇ ସେ ନିଜ କାମରେ ଚାଲିଗଲେ । ମହେନ୍ଦ୍ର ବାବୁ କଲିକତା ଯିବାର ଦୁଇ ଦିନ ପରେ ଦିନେ ରାତି ଅଧରେ ତାଙ୍କ ସନ୍ତାନସମ୍ଭବା ସ୍ତ୍ରୀଙ୍କର ଭୀଷଣ ପ୍ରସୂତି ବେଦନା ଆରମ୍ଭ ହୋଇଗଲା । ଜୟନ୍ତ ବାବୁ ସସ୍ତ୍ରୀକ ଆସି ବନ୍ଧୁ ପତ୍ନୀଙ୍କର ସାହାଯ୍ୟ କାମରେ ଲାଗିଗଲେ । ଡ଼ାକ୍ତର ଖାନାକୁ ନେବା ପୂର୍ବରୁ ଦୁର୍ଯ୍ୟୋଗକୁ ଗୋଟିଏ ମୃତ ପୁତ୍ର ସନ୍ତାନ ଜନ୍ମ ହେଲା । ନିଶ୍ଚଳ ଶିଶୁଟିକୁ ଦେଖି ମହେନ୍ଦ୍ର ବାବୁଙ୍କ ପତ୍ନୀ ଚେତାଶୂନ୍ୟ ହୋଇଗଲେ । ଚେତନା ଆସିଲା ବେଳକୁ ଜୟନ୍ତ ପିଲାଟିକୁ ଶ୍ମଶାନରେ ପୋତିଦେଇ ଫେରି ଆସିଥିଲେ ।
ମହେନ୍ଦ୍ର ବାବୁ କଲିକତାରୁ ଫେରି ପତ୍ନୀ ଏବଂ ବନ୍ଧୁଙ୍କଠାରୁ ସବୁ ଶୁଣି ଗଭୀର ମନସ୍ତାପରେ ରହିଲେ । ଦୁଃଖରେ ଜର୍ଜରିତ ପତ୍ନୀଙ୍କୁ ଶାନ୍ତ୍ୱନା ଦେଇ କହିଲେ... ମନଦୁଃଖ କରନାହିଁ ଶାନ୍ତି, ଭଗବାନ ବୋଧହୁଏ ତାକୁ ତୁମ ବାତ୍ସଲ୍ୟ ପାଇବାର ସୌଭାଗ୍ୟ ଦେଇନଥିଲେ । ଭଗବାନ ତ ଆମକୁ ଆଉ ଦୁଇଟି ପୁଅ ଦେଇଛନ୍ତି, ସେମାନଙ୍କ ମୁହଁକୁ ଚାହିଁ ଏହି ଘଟଣାକୁ ଏକ ଦୁସ୍ୱପ୍ନ ଭାବି ଭୁଲିଯାଅ ।
କହିବା ସିନା ସହଜ କିନ୍ତୁ ଯେ ଦଶମାସ ଦଶଦିନ ଗର୍ଭରେ ଧରିଛି,ତା ମନର ଯନ୍ତ୍ରଣା କିଏ ବୁଝିବ ? ଲୁହ ଆକାରରେ ବହି ଯାଉଥିବା ଯନ୍ତ୍ରଣାକୁ କାନିରେ ପୋଛି ଦୁଃଖରେ ସମୟ ବିତାଇଲେ ଶାନ୍ତି ଦେବୀ ।
ଜୟନ୍ତ ବାବୁ ଅପୁତ୍ରିକ ଥିଲେ । କନ୍ୟା ସନ୍ତାନଟିଏ କୋଳକୁ ଆସିବାପରେ କିଛି ଗୁରୁତର ରୋଗ ଯୋଗୁଁ ତାଙ୍କ ସ୍ତ୍ରୀଙ୍କର ଗର୍ଭାଶୟଟି ଅସ୍ତ୍ରୋପଚାର କରି ବାହାର କରିବାକୁ ପଡିଲା । ତେଣୁ ଆଉ କୌଣସି ସନ୍ତାନ ସନ୍ତତିର ଆଶା ତାଙ୍କର ନଥିଲା ।
ବଂଶ ରକ୍ଷା ପାଇଁ ଜୟନ୍ତ ବାବୁ ଶାଳୀର ପୁଅକୁ ପୋଷ୍ୟ ପୁତ୍ର କରି ଆଣିଲେ । ଦୁଷ୍ମନ୍ତ ହିଁ ସେହି ପୋଷ୍ୟପୁତ୍ର ।
ଦୁଷ୍ମନ୍ତ ଯେତେବେଳେ ପୋଷ୍ୟପୁତ୍ର ହୋଇ ଆସିଲା ତାକୁ ଦେଖି ମହେନ୍ଦ୍ର ବାବୁଙ୍କ ସ୍ତ୍ରୀ ଶାନ
୍ତି ଦେବୀଙ୍କ ମନରେ ସନ୍ଦେହ ଆସିଲା । ସେତେବେଳକୁ ତାଙ୍କ ପୁଅର ମୃତ୍ୟୁକୁ ପାଞ୍ଚବର୍ଷ ପୂରିଗଲାଣି । ପୋଷ୍ୟପୁତ୍ର ହୋଇ ଆସିଥିବା ଜୟନ୍ତର ବୟସ ମଧ୍ୟ ପାଞ୍ଚବର୍ଷ ।
ଶାନ୍ତି ଦେବୀଙ୍କର ଆଖିରୁ ଝରଝର ଲୁହ ଝରିବାକୁ ଲାଗିଲା । ସ୍ୱାମୀ ମହେନ୍ଦ୍ର ବାବୁଙ୍କୁ ସେ କହିଲେ..ମୋ ମା' ମନ କହୁଛି...ଏଇ ହିଁ ମୋର ପୁଅ । ଜୟନ୍ତ ଚଞ୍ଚକତା କରି ମୋ ପୁଅକୁ ମୋ କୋଳରୁ ଛଡେଇ ନେଇଛି । ନିଶ୍ଚୟ ମୋ ପୁଅକୁ 'ମଲାପିଲା' ବୋଲି କହି ମଶାଣିରେ ପୋତିବାକୁ ନେଇ ତା ଶାଳୀକୁ ହସ୍ତାନ୍ତର କରିଦେଇଛି । ଦେଖୁନ, ଏହି ପିଲାଟିର ମୁହଁ ମୋର ଅନ୍ୟ ଦୁଇପୁଅଙ୍କର ମୁହଁ ସହିତ ମେଳ ଖାଇଯାଉଛି ।
ମହେନ୍ଦ୍ର ବାବୁ ଭାବିଲେ...ଅସମ୍ଭବ ନୁହେଁ,ତାଙ୍କ ପୁଅ ଜନ୍ମ ହେବା ସମୟରେ ଜୟନ୍ତ ଏବଂ ତା ସ୍ତ୍ରୀ ବ୍ୟତୀତ ଅନ୍ୟ କେହି ନଥିଲେ ।
ମହେନ୍ଦ୍ର ବାବୁ ଜୟନ୍ତ ବାବୁଙ୍କୁ ଡାକି ପଚାରିଲେ । ଜୟନ୍ତ ବାବୁ ରାଗି ପାଚି ନିଆଁ ବାଣ । କହିଲେ...ତମେ ମତେ କଣ ବୋଲି ଭାବୁଛ କି, ପିଲାଚୋର?ଏ ପିଲାଟି ମୋ ନିଜ ଶାଳୀର, ବିଶ୍ୱାସ ଯଦି ନ ହେଉଛି ଯାଇ ପଚାରି ଆସ ।
ଗାଆଁ ଲୋକମାନେ ମଧ୍ୟ ଜୟନ୍ତଙ୍କୁ ସମର୍ଥନ କରି ମହେନ୍ଦ୍ର ବାବୁଙ୍କୁ ଭଲ-ମନ୍ଦ ଶୁଣେଇଲେ । ସରପଞ୍ଚ କହିଲେ...ବିନା ପ୍ରମାଣରେ ତମେ ଏମିତି କହିପାରିବନି । ଆମେ ସମସ୍ତେ ଜାଣିଚୁ ତମ ସ୍ତ୍ରୀ ମଲା ପିଲା ଜନ୍ମ କରିଥିଲେ । ଆଜି ଏମିତି କହିଲେ ହବ?
ମହେନ୍ଦ୍ର ବାବୁ ସିନା ତୁନି ହୋଇ ରହିଲେ କିନ୍ତୁ ସ୍ତ୍ରୀ ଶାନ୍ତି ଦେବୀ ଛାଡ଼ିବା ଲୋକ ନୁହନ୍ତି । ଜୟନ୍ତ ବାବୁଙ୍କ ଶାଳୀଙ୍କ ଘରେ ଯାଇ ପହଞ୍ଚିଲେ ଛାନଭିନ୍ କରିବାପାଇଁ । ଜୟନ୍ତ ବାବୁଙ୍କ ଶାଳୀ ରାଣ-ନିୟମ ଖାଇ କହିଲେ ଯେ ଦୁଷ୍ମନ୍ତ ତାଙ୍କ ନିଜର ହିଁ ଜନ୍ମିତ ପୁଅ । ତଥାପି ଶାନ୍ତି ଦେବୀ ବିଶ୍ୱାସ କଲେ ନାହିଁ । ଥାନାକୁ ଯିବାକୁ ବାହାରି ଥିଲେ; ମହେନ୍ଦ୍ର ବାବୁ କହିଲେ...ଆଉ କାହିଁକି ଲୋକହସା ହେବା ଶାନ୍ତି ? ଛାଡ, ଭୁଲିଯାଅ ସେ ସବୁ ।
ଶାନ୍ତି ଦେବୀ କିନ୍ତୁ ଭୁଲିପାରିଲେ ନାହିଁ । ଦୁଇ ପରିବାର ଭିତରେ ଯିବା ଆସିବା ବନ୍ଦ ହୋଇଗଲା, ତଥାପି ଦୁଷ୍ମନ୍ତକୁ ଦେଖିଲେ ଶାନ୍ତି ଦେବୀଙ୍କ ଆଖିରୁ ଝରିଯାଏ ଅବିଶ୍ରାନ୍ତ ଅଶ୍ରୁ । ସେ ଦୃଢ଼ନିଶ୍ଚିତ ଥିଲେ ଯେ ଦୁଷ୍ମନ୍ତ ତାଙ୍କର ହିଁ ପୁଅ ।
ଆଜି ଦୁଷ୍ମନ୍ତ ପାଇଁ ଯେତେବେଳେ ସାରା ଗାଆଁ ଗର୍ବିତ, ଶାନ୍ତି ଦେବୀ ବାଦ୍ ଯିବେ କେମିତି ? ଝରକା ବାଟେ ଚାହିଁଛନ୍ତି ଦୁଷ୍ମନ୍ତକୁ । ଆଜି ଆଖିରେ ତାଙ୍କର ଯେଉଁ ଲୁହ, ତାହା ଆନନ୍ଦର ଲୁହ, ମୁହଁରେ ଯେଉଁ ହସ, ତାହା ଆଶୀର୍ବାଦର ପ୍ରତିଫଳନ
ଦୁଷ୍ମନ୍ତକୁ ଦେଖି ମୁଁ କହିଲି... ଅଭିନନ୍ଦନ ଦୁଷ୍ମନ୍ତ । ଗାଆଁର ନାଁ ରଖିଲୁ । ଭବିଷ୍ୟତ ତୋର ଉଜ୍ଜ୍ୱଳ ହେଉ ।
ଦୁଷ୍ମନ୍ତ କହିଲା... ଧନ୍ୟବାଦ କାକା । ଆଚ୍ଛା କାକା, ମୁଁ ଗୋଟାଏ କଥା ଆପଣଙ୍କୁ କହିବି କହିବି ବୋଲି ଭୁଲି ଯାଇଛି । ଆପଣ ନୀଳମାଧବଙ୍କ ଉପରେ ଯେଉଁ "ବ୍ରହ୍ମାଦ୍ରିଵିହାରୀ" ଆର୍ଟିକିଲ୍ ଫେସବୁକରେ ଛାଡିଥିଲେ ତାକୁ ପ୍ରମୋଦ ନାମକ ମୋର ଜଣେ ଫେସବୁକ୍ ସାଙ୍ଗ ତା' ନିଜ ନାଁରେ ପୋଷ୍ଟ କରିଛି । ଲେଖାଟି ଏତେ ଭଲ ଯେ ପ୍ରମୋଦ ଉପରେ ପ୍ରଶଂସା ଅଜାଡ଼ି ପଡ଼ୁଚି । ଅନ୍ତତଃ ସେ ଲେଖିପାରିଥାନ୍ତା ନା ସେଇଟା ଆପଣଙ୍କ ଲେଖା ବୋଲି । ଏ ଲେଖା ଚୋର ମାନଙ୍କୁ କଣ କରାଯିବ ?"
ମୁଁ ଦୁଷ୍ମନ୍ତ ଠାରୁ ଏହା ଶୁଣିବା ପରେ ପୁତ୍ରହରା ଶାନ୍ତି ଦେବୀଙ୍କ ବାତ୍ସଲ୍ୟ ଯନ୍ତ୍ରଣା ହୃଦୟ ଭିତରେ ଭଲଭାବେ ଅନୁଭବ କରି ପାରୁଥିଲି ।