ପିଲାଚୋର
ପିଲାଚୋର
ଶୁଭ ସକାଳ,
ଆପଣ ଦେଖୁଛନ୍ତି ଓଟିଭି।
ଓଡ଼ିଶାରେ ଏବେ ପିଲା ଚୋର ମାତିବାରେ ଲାଗିଛନ୍ତି।ସେମାନେ ପିଲାଙ୍କୁ ଚକୋଲେଟ ଦେଖାଇ ଉଠାଇ ନେଉଛନ୍ତି।ସୂଚନା ଅନୁଯାୟୀ ସେଦିନ ଜଣେ ହଳଦିଆ ରଙ୍ଗର ଶାଢ଼ୀ ପିନ୍ଧି ଆସିଥିଲା ପିଲା ଚୋରି କରିବାକୁ।ଆଉ ତାଙ୍କୁ କୁଆଡେ ନେଇ ବିକ୍ରି କରୁଛନ୍ତି। ବେଶୀ ଭୁବନେଶ୍ୱରରେ ଦେଖିବାକୁ ମିଳୁଛି।"
ସକାଳରୁ ଏମିତି ଏକ ଖବର ବାଜିଲା ଟିଭିରେ ।ଘଟଣା ଯେତେ ଭୟଙ୍କର ନହେଲେ ମଧ୍ୟ ଆମ ରେପୋର୍ଟର ମାନେ ତାକୁ ଭାରି ଭୟଙ୍କର କରିଦିଅନ୍ତି।
ଗାଆଁରେ ଅନେକ ଲୋକଙ୍କ ଘରେ ଟିଭି ନଥିଲା ।କିନ୍ତୁ ଖରାପ ଖବର ଶୀଘ୍ର ବ୍ୟାପେ।ଏହି ବାକ୍ୟଟି ବୋଧେ ଗାଁକୁ ଲକ୍ଷ୍ୟ କରି କୁହାଯାଇଥିଲା।ଗାଆଁରେ ଯଦି କୁଆ(କାଉ) ଉଡ଼ିଗଲା କିଛି ସମୟ ପରେ ଶୁଣିବେ ଛୁଆ ଉଡ଼ିଗଲା ଏମିତି ପରିସ୍ଥିତି ଗାଆଁର।
ଚାରିଆଡ଼େ ଆଲୋଚନା ଚାଲେ ମନ୍ଦିର, ଛକ, ବିଲବାଡ଼ି, ରାସ୍ତା, ସ୍କୁଲ, ପଡିଆ। ଯେଉଁଠି ଦେଖିବେ ଗୋଟେ ମୁଣ୍ଡରୁ ଅଧିକ ମୁଣ୍ଡ ହୋଇଛି ସେଠି ଜାଣ ଆଲୋଚନା ଚାଲିଛି, ଦୁନିଆ ଖବର ବିଷୟରେ।
ପ୍ରତ୍ୟେକ ଗାଆଁରେ କିଛି ମାଇପି ମରଦ ଅଛନ୍ତି।କଥାଟାକୁ ଏ କାନରୁ କେମିତି ସେ କାନକୁ କରିବେ। ତା ମଧ୍ୟରୁ ମୋ ଜେଜେମାଆ ଜଣେ ।ଆହୁରି ଆମ ସାହିରେ ଅଛନ୍ତି, ବାବୁ ଭାଇଙ୍କ ମାଆ, ନଟିଆ ମାଆ, ଶୁଭ ମାଆ, ସପନ ଭାଇଙ୍କ ମାଆ ଏମିତି କେତେ ଅଛନ୍ତି।
ତେଣୁ ଏମାନଙ୍କୁ ମୁଁ ଗୋଟେ ଅଲଗା ନାଆରେ ଡାକେ ମୋ ଜେଜେମାଆଙ୍କୁ ଆଜ୍ ତକ୍ (ହିନ୍ଦୀ ନ୍ୟୁଜ୍ ନାଆଁ) ।
ନାଟିଆ ମାଆ ଜୀ ନ୍ୟୁଜ,
ବାବୁ ଭାଇ ମାଆ ଇଣ୍ଡିଆ ଟିଭି
ଏମିତି ସବୁ ନାଆଁରେ ଡାକେ।
ମୋ ଜେଜେ ମାଆ ପୁରା ମୁଖ୍ୟ ତାଙ୍କ ଭିତରେ। ଗାଆଁ ଏତେ ଆଗେଇଲେ ମଧ୍ୟ ସେମାନେ ପୋଖରୀ ଯିବେ ଗାଧେଇବା ପାଇଁ ଆଉ ସେଠି ସବୁ କଥା ଚାଲେ। ମୋ ଜେଜେମାଆ ମୁଖ୍ୟ ତେଣୁ ସେ ଆଜ୍ ତକ୍ ନ୍ୟୁଜ । ଜେଜେମା ନାଆ ଶାନ୍ତମଣି କିନ୍ତୁ ସବୁ ଜାଗାରେ ଖାଲି ଅଶାନ୍ତି କରେ।ତାର କାମ ଖାଲି କାହା ଘର କଥା କୋଉଠି ଶୁଣିବ ଆଉ କହିବ।
ସେଦିନ ଯେମିତି ଶୁଣିଲା ଯେ କୋଉଠି ପିଲାଚୋରି ହେଉଛି।ସଙ୍ଗେ ସଙ୍ଗେ ତାର ମନକୁ ଗୋଟେ ବାନ୍ଧି କହିଦେଲା- ଏଇ ପରା ମୁଁ ଗାଧେଇତେ(ଗାଧୋଇବା ପାଇଁ) ଯାଇଥିଲି ଶୁଣିଲି ଆର ଗାଆଁ ବଳିଆ ପୁଅ ଚୋରି ହେଇଛି।
ବାସ୍ କଥା ବ୍ୟାପିଗଲା । ପରେ ଜଣା ପଡିଲା ଯେ ବଳିଆ ତା ସ୍ତ୍ରୀକୁ ମଦ ପିଇ ବାଡେଇଥିଲା ବୋଲି ସେ ପିଲା ନେଇ ବାପା ଘରକୁ ଯାଇଛି। ହେଲେ ଚାରିଆଡ଼େ ଗୁଜବ ହେଲା ପିଲା ଚୋରି ହେଉଛି।
ଭୁବନେଶ୍ୱର ସାବଧାନ କହିଥିଲା ନ୍ୟୁଜ୍ରେ ହେଲେ ବାଲେଶ୍ଵରର ମୋର ଏଇ ଛୋଟିଆ ଗାଆଁ ପୁରା ଶାନ୍ତ ଆଉ ସାବଧାନ ହେଇ ଯାଇଥିଲା।
ଆଉ ଗାଆଁର କିଛି ଲୋକ ତ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଉପରେ ସେମାନେ ଗାଆଁରେ ଆଇନ ତିଆରି କରନ୍ତି। ଅଜାତିକୁ ଝିଅ ପଳେଇଲେ ସେ ଝିଅ ଘରକୁ ନିଆଁପାଣି ବନ୍ଦ।
କିନ୍ତୁ ଯେବେ ମୁଖିଆ ଝିଅ ଏଇ କାରନାମା କଲା ତେବେ ନିୟମ ବଦଳି ଗଲା। ମୁଖିଆ କହିଲେ ଆରେ ଏବେ ଏମିତି ହଉଛି।ପିଲାଲୋକ ଭୁଲ କରିଦେଉଛନ୍ତି ଆଉ କଣ କରିବ ରାଗ ରୋଷ କରି।
4-5 ଟାରୁ ରାତି 9 ପର୍ଯ୍ୟନ୍ତ ଯାହାକୁ ଛକରେ ଦେଖିବ ଜାଣିବ ମନ୍ତ୍ରୀ ସିଏ। ସେମାନେ ହେଲେ ଆଇନ ବହି ଗୋଟେ ଗୋଟେ।
ଦସ୍ତଖତ ମାଗିଲେ ବାମ ହାତର ବୃଦ୍ଧାଙ୍ଗୁଳି ଦେଖାଉଥିବା ଲୋକ ବି ଆଇନ ପାଠ ପଢ଼େଇ ଦେବେ। ସେଦିନ ତ ଆଫଗାନିସ୍ଥାନ କଥା ଚାଲିଥିଲା। ବସନ୍ତ ମିଶ୍ର କହିଲା ସେ ଆଫଗାନିସ୍ଥାନର ରାଷ୍ଟ୍ରପତି ହେଇଥିଲେ ସ୍ଵାଧୀନ କରିଦିଅନ୍ତା।ଏମିତି ସବୁ ବାହାପିଆ କଥା।ଆଉ କାହା ପେଟରେ ଯଦି ଟିକେ ନାଲି ପାଣି ପଡ଼ିଛି ତାହାଲେ ତ ଛକ ମାମଲା ପୁରା ଗରମ।ସେଠି ଲୋକସଭା, ରାଜ୍ୟସଭା ସବୁ ହେଇଯିବ।ସେ ମହାନୁଭବମାନଙ୍କର ଗୋଟେ ପୋଷାକ ଚର୍ଯ୍ୟା ବି ଅଛି। ଗାମୁଛା ପିନ୍ଧି ସବୁବେଳେ ବୁଲୁଥିବା ଲୋକ ଛକରେ ପଞ୍ଜାବୀ ଆଉ ଧୋତି ପିନ୍ଧି ବୁଲନ୍ତି ।
ଆମ ଗାଆଁରେ ପିଲା ଗୁଡାକ ଦଶମ ବଡ଼ କଷ୍ଟରେ ପାସ କରନ୍ତି।
ମୁଁ ସେତେବେଳେ ଦଶମରେ ପଢ଼ୁଥିଲି ।ନିଜ ଗାଆଁ ସ୍କୁଲରେ ପଢ଼ିଲେ ବଦମାସ୍ ହେବି ବୋଲି ଅଲଗା ସ୍କୁଲରେ ଆଡମିଶନ କରିଥିଲେ। ହେଲେ କଣ ହବ ଅଙ୍ଗାରକୁ ଯେତେ ଧୋଇଲେ ବି ସେ କଳା।ମୁଁ ସେଠି ବି ବଦମାସୀ କରୁଥିଲି।
ପିଲାଚୋର କଥା ଶୁଣି ମାଆ ବାମ ଗୋଡ଼ରେ ଗୋଟେ କଳା ସୂତା ବାନ୍ଧି ଦେଲେ। କାହାର ନଜର ନ ଲାଗୁ। ଏମିତି ନାନାଦି କାମ । ମୁଁ କହୁଥିଲି ଆରେ କେହି ନଜର ଲଗେଇବେ ନାହିଁ।ଯାହା ତ ମୁଁ ହିରୋ ପୁଣି ନଜର ଲଗେଇବେ।
ମାଆ କହିଲେ ଦେଖିବୁ ଚାନ୍ଦ ଭଳିଆ ବୋହୂ ହବ।ମୁଁ ତ ବଦମାସ୍ ସେ ଦିନ ସାରା ତାଙ୍କୁ ଚାନ୍ଦର ଶାଶୁ ବୋଲି ଡାକିଲି।ଏବେ ବି ବେଳେ ବେଳେ ଡାକେ।
ସ୍କୁଲରେ ବଦମାସ୍ ମାନଙ୍କର ବିଭାଗୀ କରଣ ଥିଲା।ମୁଁ ସେଥିରେ କ୍ଲାସ B ବଦମାସ୍ ।ଆଉ ମୋ ସାଙ୍ଗ ସାଗର କ୍ଲାସ A ର।
ସ୍କୁଲରେ ସେଦିନ ଯାଇ ପହଞ୍ଚିଲୁ। ପ୍ରଧାନ ଶିକ୍ଷକ ଆସି ସେଦିନ କହିଗଲେ ଆଉ ଚେତାବନୀ ଦେଲେ।କେହି ସ୍କୁଲରୁ ବାହାରକୁ ଯିବ ନାହିଁ।ତୁମେ ଶୃଙ୍ଖଳିତ ରହିଲେ ସାନ ପିଲା ଶୃଙ୍ଖଳିତ ହେବେ। ନହେଲେ ସେମାନେ ବି ଦୁଷ୍ଟାମୀ କରିବେ।
ହେଲେ ଆମକୁ କଣ ଫରକ୍ ପଡ଼େ।ଆମେ ଥିଲୁ ଖୁରିଆ ବଦମାସ୍ ଯାହା ମନା କରା ହେବ ସେଇଟା ବେଶୀ କରିବା। ସ୍କୁଲ ଛୁଟି ସମୟ ଖେଳ ଛୁଟି ହେଲା ।ସବୁ ପିଲା ଖେଳିବାକୁ ଗଲେ।
ସେହି ସମୟରେ ବିକା ଅଜା ଆସିଲେ ଆଇସକ୍ରିମ ନେଇ।
ତାଙ୍କ ନାଆଁ କଣ କିଏ ଜାଣେ ଆଇସକ୍ରିମ ବିକନ୍ତି ବୋଲି ସମସ୍ତେ କହନ୍ତି ବିକା ଅଜା।
ବାସ୍ ସାଗର ଆଖି ମାରିଲା ଯିବା ଆଇସକ୍ରିମ ଖାଇବା ପାଇଁ।ପାଚେରୀ ଡେଇଁବା କଳାଟା ମୁଁ ତାଠୁ ଶିଖିଯାଇଥିଲି। ୱାଶ ରୁମ୍ ପଛ ପଟେ ପାଚେରୀ ଡେଇଁ ବାହାରକୁ ଗଲୁ। ଆଇସକ୍ରିମ ଖାଉଥିବା ସମୟରେ ଦେଖିଲି ଗୋଟେ ମଧ୍ୟ ବୟସ୍କ ସ୍ତ୍ରୀ ଲୋକ ହଳଦିଆ ଶାଢ଼ୀଟେ ପିନ୍ଧିଛି ଆଉ ସାଥିରେ ଗୋଟେ ଛୋଟ ପୁଅ ପିଲା। ତାକୁ ଗୋଟେ ଚକୋଲେଟ ଧରେଇ ଦେଇ ଭାରି ଅସ୍ତ ବ୍ୟସ୍ତ ପାଦରେ ଆଗକୁ ଆଗକୁ ଚାଲିଛି। ଆଉ ଏପଟ ସେପଟକୁ ଚାହୁଁଛି ଖାଲି। ଆଉ ସେ ସ୍ତ୍ରୀ ଲୋକକୁ ଆମେ ଆଗରୁ କେବେ ଦେଖି ନଥିଲୁ।। ଚେହେରାରୁ ଲାଗୁଛି ବୋଧେ ସେ କଣ ଗୋଟେ ଖରାପ କାମ କରୁଛି।ଆମକୁ ଦେଖି ଆହୁରି ଅସ୍ତବ୍ୟସ୍ତ ପାଦ ହେଲା।ଦେହରୁ ଗମ୍ ଗମ୍ ଝାଳ ବୋହିଚାଲିଛି।ଆଉ ସେ ହଳଦିଆ ଶାଢ଼ୀ ତାକୁ ଅଲଗା ରଙ୍ଗରେ ପରିବର୍ତ୍ତନ କରୁଛି। ଭ୍ରୂକୁଞ୍ଚିତ ହେଲା ଆମକୁ ଦେଖି।ପିଲାଟା ଚୁପ୍ ଚାପ୍ ଚାଲିଛି। ଏମିତି ଚାଲିଛି ଯେମିତି କିଏ ଗୋଡ଼ାଉଛି ପଛରୁ।
ଗୁଜବ ଥିଲା ପିଲାଚୋରି କରୁଥିବା ସ୍ତ୍ରୀ ଲୋକଟା ହଳଦିଆ ଶାଢ଼ୀ ପିନ୍ଧିଛି।ଆମେ ତ ଭାବି ନେଲୁ ପିଲା ଚୋର ହେଲେ ଆମେ କଣ କରି ପାରିବୁ।
ଆକାଶ ଭାଇ (ସ୍କୁଲ ପାଖର ଗୋଟେ ପିଲା) ସେ କଲେଜରେ ପଢ଼େ।ସ୍କୁଲ ପାଖ ପୁରା ଫାଙ୍କା ଜାଗା ଅଛି କିନ୍ତୁ ଖାଲି ସେଇ ଆକାଶ ଭାଇ ଘରଟା ଅଛି। ସଙ୍ଗେ ସଙ୍ଗେ ଆକାଶ ଭାଇ ସେ ସ୍ତ୍ରୀଲୋକ ଫୋଟୋ ଉଠେଇ ନେଲା।ଆଉ ଫେସବୁକ୍, whatsapp ଷ୍ଟାଟସ୍, insta, ଚାରି ଆଡେ଼ ଦେଇ ଦେଲା ଯେ ପିଲାଚୋରଟା ସ୍କୁଲକୁ ଅତିକ୍ରମ କରି ଯାଉଛି ବସ୍ ଷ୍ଟାଣ୍ଡ ଆଡ଼କୁ।
ସେଠି କେହି ନଥିଲେ ତେଣୁ ଆକାଶ ଭାଇ ସେ ସ୍ତ୍ରୀ ଲୋକ ଟାକୁ କିଛି କହିଲା ନାହିଁ। କାଳେ ସେ କିଛି ମାରଣାସ୍ତ୍ର ରଖି ଥିବ ଭାବି ଡରିଗଲା।
ସ୍କୁଲ ଛୁଟି ହେଲା ।ଦେଖିଲି ବସ ଷ୍ଟାଣ୍ଡରେ ବହୁତ୍ ଭିଡ଼।
ମାଆ କହିଥିଲେ ଗଣ୍ଡଗୋଳ ଜାଗାକୁ ଜମା ଯିବୁନି। ହେଲେ ମୁଁ କଣ ମାନିବା ପିଲା।
ଯାଇ ଦେଖେତ କିଛି ଲୋକ ସେ ସ୍ତ୍ରୀ ଲୋକଟିକୁ ଧରି ବାନ୍ଧି ଦେଇଛନ୍ତି ଆଉ ପଚାରି ଚାଲିଛନ୍ତି କହ ତୋର ସହଯୋଗୀ କିଏ???
ଆଉ କେତେଟା ପିଲା ଚୋରି କରିଛୁ। ଏମିତି ସବୁ।ଆଉ ଖରାପ ଭାଷାରେ ଗାଳି କରୁଛନ୍ତି। ସ୍ତ୍ରୀ ଲୋକଟିଏ ବିଚରା ଯେତେ ମନା କରୁଛି କି ମୁଁ ପିଲା ଚୋର ନୁହଁ କେହି ମାନୁ ନାହାନ୍ତି।
ଏମିତି ଅନେକ ସମୟ ପରେ ଜଣା ପଡିଲା ଯେ ସେ ସ୍ତ୍ରୀଲୋକଟିର ଗରମ ଦିନରେ ମୁଣ୍ଡ ଦୋଷ ବାହାରେ ।ସେ ପାଞ୍ଚ କିଲୋମିଟର ଦୂରରେ ଥିବା ଗାଆଁ ଗୋପାଳପୁରର ।ଆଜି ମୁଣ୍ଡ ଦୋଷ ବାହାରିବାରୁ ତା ପିଲାଟିକୁ ଧରି ଘରୁ ପଳେଇ ଆସିଛି।
ଆମେ ଆଜି କାଲି ଏମିତି କରି ଚାଲିଛୁ କିଛି ଘଟଣାର ସତ୍ୟତା ନ ଜାଣି ମୋବାଇଲକୁ ଆସିଲେ forward କରିଦଉଛୁ। କିଛି ଦିନ ଆଗରୁ ସେମିତି ଜଣେ ଝିଅ Zomato boyକୁ ପିଟିଲା । ହେଲେ ସେ ମିଛ ଅଭିନୟ କରି ସୋସିଆଲ ମିଡିଆରେ ଛାଡ଼ି ଦେଲା ଆଉ ଆମେ କିଛି ନ ବୁଝି Zomato boyକୁ ଗାଳି ଦେଇ ଚାଲିଲୁ।
ଆଉ ଗୋଟେ ଝିଅ ଅଟୋ ଚାଳକକୁ ପିଟିଲା କିଛି ଦିନ ସମସ୍ତେ ଝିଅ ସପକ୍ଷରେ କହିଚାଲିଲେ।
ଏବେ ଏଇ କିଛି ଦିନ ହେଲା ଦୁଇ ଜଣ ଝିଅ ଦୁଇ ଜଣ ପୁଅକୁ ପିଟିବାର ଭିଡିଓ ଭାଇରାଲ ହେଉଛି।ଆଉ ସେ ପୁଅମାନେ ବି ବହୁତ୍ ପିଟିଲେ ତାଙ୍କୁ।
ଆଉ ଆମେ ପୁଣି କିଛି ନବୁଝି ତାକୁ forward କରିଚାଲିଛୁ। ଆଉ ଭିନ୍ନ ଭିନ୍ନ ମତ ଦେଇ ଚାଲିଛୁ।
ତେଣୁ ଦୟା କରି ସତ୍ୟତା ନ ଜାଣି share କରନ୍ତୁ ନାହିଁ। ଆପଣଙ୍କର ଗୋଟେ share ହୁଏତ ବହୁତ ମହଙ୍ଗା ପଡ଼ିପାରେ।
ଆଉ ଏମିତି ଅନେକ ଜାଗାରେ ପିଲା ଚୋର ବାହାନାରେ ଅନେକ ମାନସିକ ରୋଗୀ ବି ମାଡ଼ ଖାଇବାର ଉଦାହରଣ ଆପଣ ମଧ୍ୟ ଜାଣନ୍ତି।
ସେଦିନ ବୋଧହୁଏ ପିଟିଥିଲେ ସେ ସ୍ତ୍ରୀଲୋକଟିର ଜୀବନ ବି ଯାଇଥାନ୍ତା।

