ଫୁଲକଢ଼ୀର ସ୍ବପ୍ନ
ଫୁଲକଢ଼ୀର ସ୍ବପ୍ନ


ସପନ ଦେଖିବାକୁ କେତେ ସୁଖ ଲାଗେ l ଆଉ ସପନରେ ବଞ୍ଚିବାକୁ ବି l ଆଜିକାଲି ବାସ୍ତବତା କୁ ଆଉ କେହି ଭଲପାଉ ନାହାନ୍ତି l କାହିଁକି ନା ସ୍ବପ୍ନର ସାତରଙ୍ଗୀ ଦୁନିଆଁଠାରୁ ବେଦରଦୀ ବାସ୍ତବତା ଢେର ଅଲଗା l
ଅର୍ଚ୍ଚନାର ଜୀବନ ବି ଠିକ ସପନ ଦେଖିବା ପରି l ସେ ତ ଫୁଲକଢି ଟିଏ l ଫୁଲ ହୋଇ ଫୁଟିଥିଲା ସାରା ଦୁନିଆଁକୁ ତା ମହକରେ ମହକାଇବା ପାଇଁ l ନୂଆ ଆଶା ଆଉ ଉନ୍ମାଦନା ଭରିଥିଲା ତା ଟିକି ମନରେ l ପ୍ରଜାପତି ଟିଏ ହୋଇ ସୁନୀଲ ଆକାଶରେ ଉଡିବାର ସ୍ବପ୍ନ ଦେଖିଥିଲା ସେ l ସରଗୀ ଜହ୍ନ ବି ତା ଆଗରେ ଫିକା ଫିକା ଲାଗେ l ସତେ ଯେମିତି ସରଗର
ପରୀଟିଏ ଉଡି ଆସିଛି ଏ ଧରାକୁ l
ଗରିବ ଘରେ ଜନ୍ମ ହେଲେ କଣ ହେଲା? ସେ ତ ନିଜକୁ କେବେ ବି ଛୋଟ ଭାବିନି l ନିଜ ଉପରେ ତାର ଗଭୀର ବିଶ୍ୱାସ ଦିନେ ନା ଦିନେ ଜିଣିବ ସାରା ଦୁନିଆ l ଦିନେ ନା ଦିନେ ହସିବ ସେ ଆଉ ତାର ଟିକି ଦୁନିଆ l ପିଲାଟି ଦିନରୁ ମାଆକୁ ହରାଇ ଥିଲା ସେ l ମାଆର ମମତା ତ ତାପାଇଁ ହେଲା ସାତ ସପନ l ହେଲେ ବି ସେ ତା ମନକୁ କେବେହେଲେ ଉଣା କରିନି କି ଜୀବନ ଯୁଦ୍ଧରେ ହାରିଯାଇନି l
ଘରେ ତାର ବୁଢ଼ା ବାପା l ସେ ଜାଣିଲା ଦିନଠୁ ତା ବାପା କେଉଁ ଗୋଟେ ଅଜଣା ରୋଗର ଶିକାର ହୋଇ ପୁରା ପଙ୍ଗୁ କହିଲେ ଚଳେ l ସେ ସକାଳୁ ଉଠି ପ୍ରଥମେ ବାପାର ପାଦ ଛୁଇଁ ପ୍ରଣାମ କରେ ଓ ତାପରେ ଲାଗିପଡେ ଦିନଯାକର ତମାମ କାମ ସାରିବା ପାଇଁ l ଦିନକୁ ଦି ଓଳି ଭାତ ପାଇଁ ତାକୁ ଘର ଘର ବୁଲି ବାସନ ଧୋଇବାକୁ ପଡ଼େ l ତା ପରେ ରୋଷେଇ ବାସ ସାରି ବାପାଙ୍କର ଖାଇବା ପିଇବା ଠାରୁ ଔଷଧ ପତ୍ର ଖୁଆଇବା ତାର ନିତିଦିନିଆ କାମ l
ଅର୍ଚ୍ଚନାର ଏଭଳି କାମ କରିବା ଦେଖି ସହି ପାରନ୍ତିନି ତାର ବାପା l ମନରେ ତାଙ୍କର ଅନେକ ଦରଜ ଆଉ ଛାତିରେ ଅସରନ୍ତି କୋହକୁ ଚାପି ରଖି ଖାଲି ମାରିବା ଦିନକୁ କରିଛନ୍ତି ଅପେକ୍ଷା l ତାଙ୍କ ଆଖିରେ ସବୁବେଳେ ଦୁଇ ଧାର ଲୁହ ଯାହା କେବେ ବି ବନ୍ଦ ପଡ଼େନି l
ଅର୍ଚ୍ଚନା ର ସ୍ବପ୍ନ ସେ ଜଣେ ବିଖ୍ୟାତ ଗାୟିକା ହେବ l ବଡ଼ ବଡ଼ ଫିଲ୍ମରେ ଗୀତ ଗାଇବ l ତା ସ୍ବପ୍ନର ଦୁନିଆରେ ମନଖୋଳି ବଞ୍ଚିବ l ସେଥିପାଇଁ ତ ସେ ରାତି ରାତି ଉଜାଗର ରହି ଗୀତ ଗାଏ l ପୁରୁଣା ହେଉ କି ନୂଆ ସବୁ ଫ
ିଲ୍ମର ଗୀତ ମନେ ରଖିଛି ସେ l ଆଉ ଗୀତ ଗାଇ ମୋହି ନିଏ ସମସ୍ତଙ୍କ ମନ ଓ ହୃଦୟ l
ଗାଁ ଯାକର ସବୁ ଲୋକ ଶୁଣନ୍ତି ଆଉ ପ୍ରଶଂସାରେ ପୋତି ଦିଅନ୍ତି ତାକୁ l ଯୁଆଡେ ଦେଖିବ ତାର ନାଁ l ସତେ ଯେମିତି ସେ ତା ଗାଆଁ ର ସୁପରଷ୍ଟାର l
ସବୁ ବର୍ଷ ତାଙ୍କ ଗାଆଁର ମକରମେଳାରେ ଗୀତ ଗାଏ ସେ l ଆଖ ପାଖର ସବୁ ଗାଆଁ ଲୋକ ଆସି ତା ଗୀତ ଶୁଣନ୍ତି ଆଉ ଭୁରି ଭୁରି ପ୍ରଶଂସା କରନ୍ତି l କିଏ କିଏ ଶ୍ରଦ୍ଧାରେ ତାକୁ ପଇସା ବି ଦିଅନ୍ତି l
ସେଦିନ ଥିଲା ଅର୍ଚ୍ଚନାର ଜୀବନରେ ଏକ ବହୁତ ବଡ଼ ଦିନ l କାରଣ ବହୁତ ଦିନ ପରେ ଆଜି ତାର ଦେଖିଥିବା ସ୍ବପ୍ନ ଆଜି ସତ ହେବାକୁ ଯାଉଛି l ନୂଆ କରି ଓଡ଼ିଆ ଫିଲ୍ମରେ ଗୀତ ଗାଇବ ସେ l ଓଡିଶାର ସୁନାମଧନ୍ୟ ସଙ୍ଗୀତଜ୍ଞ ନୀଳକଣ୍ଠ ସାହୁଙ୍କ ନିର୍ଦେଶନାରେ ଗୀତ ଗାଇବ ସେ l ମନରେ ଅଛି ଅନେକ ଆଶା ଆଉ ଅସୁମାରୀ ସପନ l
ସାତ ଜଣ ଲୋକ ଆସିଲେ ତାକୁ ସ୍ୱତନ୍ତ୍ର ଗାଡ଼ିରେ ସହରକୁ ନେବା ପାଇଁ l ଗାଆଁଟା ସାରା ଲୋକ ଆଜି ଖୁସିରେ ପାଗଳ l କାହିଁକି କି ବା ନ ହେବେ? ଅର୍ଚ୍ଚନା ଆଜି ଇତିହାସ ଲେଖିବାକୁ ଯାଉଛି l ସମସ୍ତେ ଆଶୀର୍ବାଦ ଦେଇ ବିଦାୟ ଦେଲେ ଅର୍ଚ୍ଚନାକୁ l
ତା ବାପାର ତ ପାଦ ଆଉ ତଳେ ପଡ଼ୁ ନ ଥିଲା l ଆଜି ଦୁଃଖର ଅଶ୍ରୁ ନୁହଁ ବରଂ ଖୁସିର ଲୁହ ତାଙ୍କ ଆଖିରୁ ଝରିପଡ଼ୁ ଥିଲା l
ରାସ୍ତାରେ ଆଧବାଟ ଗଲାପରେ ହଠାତ କାହିଁକି ଗାଡ଼ି ବନ୍ଦ ହୋଇଗଲା l ଡ୍ରାଇଭର ବାବୁ ଯେତେ ଚେଷ୍ଟା କଲେ ବି ଆଉ ପାରିଲେ ନାହିଁ l ଅର୍ଚ୍ଚନାକୁ ବହୁତ ଡର ମାଡୁଥିଲା l ସେ ଲୋକମାନେ ତ ତାକୁ କେମିତି କେମିତି ଆଖିରେ ଦେଖୁଥିଲେ l ବେଳେବେଳେ ତାର ଗାଲକୁ ବି ବାହାନା କରି ଚିପୁଡ଼ି ଦେଉଥାଆନ୍ତି l ଅର୍ଚ୍ଚନା ଯାହା ବିରୋଧ କଲେ ବି ତା କଥା ଶୁଣୁ ନ ଥାଆନ୍ତି l ସମସ୍ତେ ଗୋଟିଏ ଗୋଟିଏ ନରରାକ୍ଷସ ପରି ହେଉଥାଆନ୍ତି l ସତେ ଯେମିତି ତାକୁ ଚିରି ଫାଡ଼ି ଗିଳି ପକେଇବେ l
ତା ପର ଦିନ ସକାଳେ ଖବର କାଗଜ ପୃଷ୍ଠାରେ ବଡ଼ ବଡ଼ ଅକ୍ଷରରେ ପ୍ରକାଶିତ ହେଲା :
ନାବାଳିକାର ଗଣଦୁଷ୍କର୍ମ ଓ ହତ୍ୟା l
ଅର୍ଚ୍ଚନାର ବାପାକୁ ଆଉ କିଛି ଶୁଭୁ ନ ଥିଲା କି କିଛି ଦିଶୁ ନ ଥିଲା l ସେ ପଥର ମଣିଷ ପାଲଟି ଯାଇଥିଲେ l