ଫୁଲଚୋରି
ଫୁଲଚୋରି
ସକାଳୁ ଉଠି ଟିକେ ସାମନାରେ ଟହଲ ମାରିବା ଏଇଟା ଏଇ କରୋନା କଟକଣା ଯୋଗୁଁ ମୋ ପାଇଁ ଏକରକମ ବାଧ୍ୟବାଧକତା ହେଇ ଯାଇଥିଲା। ମର୍ଣ୍ଣିଂ ଓ୍ବାକ୍ ତ କରି ହେବନି ସେଥିପାଇଁ ଏଇ କ୍ବାର୍ଟର ସାମନାରେ ଚାଲୁଚାଲୁ ସେଦିନ ଆମ ଲାଇନର ଶେଷମୁଣ୍ଡ ଆଡେ ଚାଲିଗଲି।
ଆମ ଲାଇନର ଶେଷମୁଣ୍ଡରେ ଜଣେ ଅଣଓଡିଆ ଭଦ୍ରଲୋକ ରୁହନ୍ତି। ମିଷ୍ଟର ସହାୟ। ଛତିଶଗଡ ଲୋକ। ପିଲାମାନେ ବଡହେଇ ନିଜନିଜର ବାଟରେ ଏଠି ଖାଲି ବୁଢାବୁଢୀ। ରିଟାୟାରମେଣ୍ଟ ଆଉ ଅଳ୍ପ ଦିନ। ଦୀର୍ଘଦିନ ଓଡିଶାରେ ରହିବା ପରେ ତାକୁ ପରିବାରର ସମସ୍ତେ ଓଡିଆ କଥିତ ଭାଷାକୁ ଅନେକାଂଶରେ ଆୟତ୍ତ କରି ନେଇଥିଲେ। ଏମିତି କି ଗାଁ ଗହଳିର କଥିତ ଭାଷା ବି ସେମାନେ ବୁଝୁଥିଲେ ଓ କହୁଥିଲେ। ଅବଶ୍ୟ ସେମାନଙ୍କ ଓଡ଼ିଆ କଥା ଅଳ୍ପ ବଙ୍କା ଲାଗେ ଯାହା ଜଣେ ଧ୍ୟାନ ଦେଇ ଶୁଣିଲାପରେ ହିଁ ଜାଣିପାରିବ।
ସେଦିନ ସକାଳୁ ପ୍ରାୟ ପାଞ୍ଚଟା ବେଳକୁ ତାଙ୍କ କ୍ବାର୍ଟର ସାମନାରେ ପହଞ୍ଚିଲା ବେଳକୁ ମିସେସ ସହାୟ ବଡପାଟିରେ କହୁଥିବାର ଶୁଣିଲି, "ଏ ଆଣ୍ଠୁକୁଡିଏ, ରାତି ଅଧରୁ ଆସି ଫୁଲ କଢଗୁଡାକ ନେଇ ଯାଉଛନ୍ତି। ଠାକୁର ପୂଜା କରିବାକୁ କିଛି ବି ରହୁନି। ଫୁଟିବା ଫୁଲ ତ ଦୂର, କଢଟେ ବି ରହୁନି"। ଏତିକିବେଳେ ମିଷ୍ଟର ସହାୟ ବାହାରି ଆସିଲେ। ବୟସ ପ୍ରାୟ ଷାଠିଏ ପାର ହେଇଗଲାଣି। ଗୁରୁଗମ୍ଭୀର ସ୍ବର। ଢଳିଲା ବୟସରେ ମଧ୍ୟ ମୁହଁରୁ ତେଜ ଯାଇନି। ମୋତେ ଡାକିଲେ "ମିଶ୍ରବାବୁ, ଟିକେ ଶୁଣିବେ"। ତାଙ୍କର ଗମ୍ଭୀର ସ୍ବର ଯୋଗୁଁ ଏଇଟା ଅନୁରୋଧ କମ୍ ଆଦେଶ ବେଶି ଭଳି ଲାଗୁଥିଲା। ତଥାପି ଜଣେ ବୟସ୍କ ଲୋକଙ୍କ ଡାକ ଏଡାଇ ଯିବା ମୋତେ ନିହାତି ଅଭଦ୍ରାମୀ ଲାଗିଲା। ତା'ଛଡା ପୂର୍ବରୁ ସାମାନ୍ୟ ପରିଚୟ ମଧ୍ୟ ଅଛି। ଅଗତ୍ୟା ତାଙ୍କ ହତା ଭିତରକୁ ଗଲି। ମିସେସ ସହାୟଙ୍କର ସେଇଠୁ ବିବିଧଭାରତୀର ଅନର୍ଗଳ ଭାଷଣ ଆରମ୍ଭ ହେଇଗଲା,"ଶୁଣିଲେ ମିଶ୍ରବାବୁ, ଏଗୁଡା ଏମିତି ଅଭଦ୍ର ଲୋକଗୁଡା, ହତା ଭିତରେ ମୁଁ ଗଛ ଲଗେଇଛି, ଫୁଲ କେତେଟା ହେଲେ ଠାକୁରପୂଜା କରିବି, ମୋତେ ଆଉ କୁଆଡେ ଯିବାକୁ ପଡିବନି ବୋଲି। କିନ୍ତୁ ଏ ଲୋକଗୁଡାକ ରାତି ଅଧରୁ ଆସି ଗେଟ୍ ଖୋଲି ଭିତରେ ପଶି ଫୁଲ ଚୋରି କରିବେ, ଏଇଟା କ'ଣ ମଣିଷପଣିଆ?" ତାଙ୍କ କଥାର ଯୌକ୍ତିକତା ମୁଁ ଅନୁଭବ କରୁଥିଲି। ମୁଁ ବି ନିଜେ କେତେଟା ଫୁଲଗଛ ଲଗେଇଛି। ଅବଶ୍ୟ କୁଣ୍ଡରେ, କାରଣ ମୋ ଅଗଣାଟା ପୁରାପୁରି ସିମେଣ୍ଟ ପ୍ଲାଷ୍ଟର, ଠେଙ୍ଗା ଗୋବରେ ଗୋବେ ହେଲେ ମାଟି ନାହିଁ। ତେଣୁ କୁଣ୍ଡରେ ଫୁଲଗଛ ଲଗାଇବା ମୋ ପାଇଁ ଏକରକମ ବାଧ୍ୟବାଧକତା।କୁଣ୍ଡରେ ଋତୁକାଳୀନ ଫୁଲଗଛ ଲଗାଇ ଆବଶ୍ୟକତା ମୁତାବକ ଫୁଲ ମୁଁ ପାଇଯାଏ। ଅବଶ୍ୟ ଆବଶ୍ୟକତାଠାରୁ କେବେ ବି ମୁଁ ଅଧିକ ଫୁଲ ତୋଳେନି।
ଏତିକିବେଳେ ସହାୟବାବୁଙ୍କ କାମବାଲୀ ତିନିଟା ପ୍ଲାଷ୍ଟିକ ଚେୟାର ଲନରେ ପକେଇଦେଇ ବସିବାକୁ କହିଗଲା। ମୁଁ ଜାଣେ, ମିସେସ ସହାୟ ଭାରି ଗପୁଡି। କିନ୍ତୁ ତାଙ୍କର ବୟସ ଦୃଷ୍ଟିରୁ ସମ୍ଭ୍ରମତା ରକ୍ଷା କରି ତାଙ୍କ କଥାର ଅସରନ୍ତି ପେଡିକୁ ମୋତେ କର୍ଣ୍ଣସ୍ଥ କରିବାକୁ ପଡିବ ବୋଲି ମୁଁ ଜାଣିସାରିଥିଲି। ଅବଶ୍ୟ ମୁଁ ଜାଣିଥିଲି, ଟିକିଏ ପରେ ଗରମାଗରମ ଚା' ଆସିଯିବ, ତେଣୁ ସକାଳୁ ସକାଳୁ ଗରମାଗରମ ଚା' ର ଲୋଭ ସମ୍ବରଣ କରି ନ ପାରି ଅଗତ୍ୟା ବସିଲି। ମିସେସ ସହାୟଙ୍କର ଟ୍ରାଞ୍ଜିଷ୍ଟରର କଣ୍ଟା ସେଇ ଫୁଲ ଚୋରି ପାଖରେ ଅଟକିଛି। ପୁଣି ସେଇ ଫୁଲଚୋରୀ ଅଧ୍ୟାୟ ଆରମ୍ଭ ହୋଇଗଲା,"ସାମନା ଗେଟରେ ତାଲା ପକେଇଲି, ସାମନା ପାଚେରୀର ଉଚ୍ଚତା ଦି ରଦା ଇଟା ଦେଇ ବଢେଇଲି। ସେବାଟେ ତ ଆସି ହେଲାନି, ସେଥିପାଇଁ ପାଖ କ୍ଵାର୍ଟରର ଗେଟରେ ପଶି ଆମ ଦି କ୍ଵାର୍ଟରର ମଝିରେ ଯୋଉ ଛୋଟ ପାଚେରୀ ଅଛି, ତାକୁ ଡେଇଁ ଭିତରେ ଚୋର ପଶୁଛି। ଛିଃ ଏମିତିକା ଲୋକ। କେତେ ଶ୍ରଦ୍ଧାରେ ଗଛଗୁଡିକ ମୁଁ ଲଗେଇଛି। ଫୁଲ ନେଲ ତ ନେଲ , କଢ଼ ବି ଛାଡିଲନି, ସେଥିରେ ପୁଣି ଡାଳ ସବୁ ଭାଙ୍ଗିଦେଉଛନ୍ତି। ଗଛଗୁଡାକର ଡାଳଖଣ୍ଡେ କି ପତ୍ରଖଣ୍ଡେ ଛିଣ୍ଡିଗଲେ ମୋ ଦେହରୁ ଖଣ୍ଡେ ଛିଣ୍ଡିଗଲା ପରି ଲାଗେ।" ମୁଁ ଦେଖୁଥିଲି, ସତରେ ଖୁବ ଯତ୍ନରେ ଏ ଲନ ଆଉ ବଗିଚା ଖଣ୍ଡକ ହେଇଛି। ମୋର ତ ଲୋଭ ଆସିଯାଉଥିଲା। ଏମିତିଆ ସଯତ୍ନ ବର୍ଦ୍ଧିତ ଗଛଗୁଡିକର କିଛି କ୍ଷୟକ୍ଷତି ହେଲେ ସତରେ ବଡ଼ ଅସହ୍ୟ ହୁଏ।
ଚାହା ଆସିଗଲା, ଚାହାର ଗରମ ଚୁସକି ଫଗୁଣର ଏ ମହୁଲିଆ ଶୀତକୁ କଡା ଜବାବ ଦେଉଥିଲା। ୟା ଭିତରେ ଅନ୍ୟାନ୍ୟ ଔପଚାରିକତା ବିହୀନ କଥାବାର୍ତ୍ତା ପରେ ମୁଁ ଉଠିଲି। ମିଃ ସହାୟଙ୍କ ଘରଠାରୁ ମୋ ଘର ପ୍ରାୟ ଶହେ ମିଟର ହେବ। ମୁଁ ଆସି ମୋ କ୍ଵାର୍ଟରର ଗେଟ୍ ପାଖରେ ପହଞ୍ଚିଲାବେଳକୁ ଦେଖିଲି ମୋ ଗେଟ୍ ଖୋଲା। ଜଣେ ଭଦ୍ରମହିଳା ମୋ ଗେଟରୁ ବାହାରି ଯାଉଛନ୍ତି। ମୁଁ ସ୍ଥିର ନିଶ୍ଚିତ ହେଇଗଲି ଯେ ଏ ଭଦ୍ରମହିଳା ଜଣକ ନିଶ୍ଚୟ ଫୁଲ ନେବାଲାଗି ଆସିଥିବେ। ହଁ, ହାତରେ ତ ପଲିଥିନ୍ ଖଣ୍ଡେ ଧରିଛନ୍ତି। ସେଥିରେ ଫୁଲ ବି ଅଛି, ମୁଁ ଟିକେ ଚାଲିର ବେଗ ବଢାଇଲି। କିନ୍ତୁ ଏକଥାର ଧ୍ୟାନ ରଖିଲି ଯେ ମୁଁ ଯେମିତି ସେ ମହିଳାଙ୍କ ପଛେ ପଛେ ଥାଏ। କୁଆଡ଼କୁ ଯାଉଛନ୍ତି ଜାଣିବା ପାଇଁ ମୋର ଭାରି ଇଚ୍ଛା ହେଲା। ସେଥିପାଇଁ ଅନୁସରଣ କରି ପ୍ରାୟ ଅଧକିଲୋମିଟର ଗଲାପରେ କଲୋନୀ ଉପକଣ୍ଠରେ ଗୋଟିଏ ଏକଣା ଘରେ ସେ ମହିଳା ଜଣକ ପଶିଲେ। ମୁଁ ଜାଣିଲି ଯେ ସେ ମହିଳା ଏଇ ଘରେ ରୁହନ୍ତି। ଯାହାହେଉ ଶେଷରେ ଫୁଲଚୋରି କରୁଥିବା ସ୍ତ୍ରୀଲୋକ ଜଣଙ୍କୁ ମୁଁ ଧରିପାରିଛି ବୋଲି ଟିକେ ଖୁସି ଲାଗୁଥାଏ। କିନ୍ତୁ ସେଠି ତାଙ୍କ ଘର ଆଗରେ ଏ ଫୁଲଚୋରି କଥା ଉଠେଇ କୌଣସି ଘଟଣା ଘଟାଇବାର ମୋର ନା ସାହସ ଥିଲା ନା ଥିଲା ଆଗ୍ରହ। ଅଗତ୍ୟା ଫେରିଆସିଲି।
ମନରେ କିନ୍ତୁ ଥାଏ ଯେ ଆସନ୍ତାକାଲି ନିଶ୍ଚୟ ଠିକ ଫୁଲ ତୋଳୁଥିଲା ସମୟରେ ସେ ସ୍ତ୍ରୀ ଲୋକକୁ ଧରିବି। ଯଥାରୀତି ଦିନଟା ବିତିଗଲା। ଖାଇସାରି ଟିକେ ସଅଳ ସଅଳ ବିଛଣା ଧରିନେଲି, ସକାଳୁ ଉଠିବାର ଅଛି ଯେ, ସେଇଥିପାଇଁ। ମୁଁ ଜାଣିଥିଲି ଚୋର ତ ମୋତେ ଦେଖିନି ସେଥିପାଇଁ ଆସନ୍ତାକାଲି ନିଶ୍ଚୟ ଆସିବ।
ଭୋର ପ୍ରାୟ ଚାରିଟା ବେଳକୁ ନିଦ ଭାଙ୍ଗିଗଲା। ମୁହଁ ହାତ ଧୋଇ ଝାଡା ଝପଟ ଯାଇ ବସିଗଲି ବାଟଘର କବାଟ ପାଖରେ। ସକାଳୁ ଯାହା ଚାଲିବାକୁ ଯାଏ ସେଦିନ ଗଲିନି। ଘର ଭିତରଟା ଅନ୍ଧାର କିନ୍ତୁ ବାହାରଟା ସାମାନ୍ୟ ଫର୍ଚ୍ଚା ହେଲାଣି, ସବୁକିଛି କବାଟ ଫାଙ୍କରେ ସ୍ପଷ୍ଟ ଦେଖାଯାଉଛି। ଏତିକିବେଳେ ଗେଟ୍ ଖୋଲିବାର ଶବ୍ଦ ହେଲା। ଗେଟ୍ ଖୋଲିବାର ଶବ୍ଦ ଶୁଣି ମିସେସ ପଦାକୁ ବାହାରି ଆସିଲେ। ସେ ସ୍ତ୍ରୀଲୋକକୁ ଦେଖି ମିସେସ କହିଲେ,"ଲତା! ଆଜି ଆଜି ଏତେ ଡେରି କଲୁ ଯେ , କ'ଣ କିଛି ଅସୁବିଧା ହେଲା କି?"
―"ମାଉସୀ, ନମସ୍କାର ଆଜି ମଙ୍ଗଳବାର ତ, ସେଥିପାଇଁ ଘର ଦାଣ୍ଡରେ ଗୋବର ଲିପାଲିପି କରିଆସିଲି ପଣା ଦେବାର ଅଛି।
―"ହଁ, ମୋର ତ ମନେ ନଥିଲା, ରହରହ, ମୁଁ କଦଳୀ ଦି'ଟା ଦେଉଛି, ପଣା ଦେବୁ ତୁ ଫୁଲ ତୋଳୁଥା।
ଏତିକି କହି ମିସେସ୍ ଘର ଭିତରକୁ ଆସିଲେ। ଆରଘରେ ମୁଁ କବାଟ ଫାଙ୍କରେ ସବୁ ଦେଖୁଛି। ବଡ଼ ଆଶ୍ଚର୍ଯ୍ୟ! ଏଠି ମୋ ଘରେ ତ ବିଭୀଷଣ। ଘର ଢିଙ୍କି କୁମ୍ଭୀର ହେଲେ ବାହାର ଲୋକଙ୍କୁ ମୁଁ କ'ଣ ବା କହିବି? ବଡ଼ ରାଗ ଲାଗୁଥିଲା ମିସେସଙ୍କ ଉପରେ। ମୁଁ କେତେ ଯତ୍ନରେ ଫୁଲଗଛ ଲଗେଇ କୋଡା ଖୁସା କରି ଗୋବର ଖତ କିଣି ଦେଉଛି, କେତେ ଯତ୍ନ ନେଉଛି। ସେଥିରେ ଏମିତି ଘରଲୋକ ଯଦି ଉଜାଡିବେ, ତେବେ କହିବି କାହାକୁ? ସବୁ ଦେଖୁଥାଏ। ସେ ସ୍ତ୍ରୀଲୋକ ଜଣକ ନିଜର ଆବଶ୍ୟକତା ଅନୁସାରେ ଫୁଲ ନେଇ ମୁଁ ମିସେସଙ୍କଠାରୁ କଦଳୀ ନେଇ ଚାଲିଗଲେ। ଖୁବ କମ ବୟସର, ଏଇ ଛବିଶି କି ସତେଇଶି ବର୍ଷର ହେବ କିନ୍ତୁ ବିଧବା। ବଡ଼ ଦୁଃଖ ଲାଗୁଥାଏ। ଆଉ ସମବେଦନାରେ ହୃଦୟ ଭରିଯାଉଥାଏ। କିନ୍ତୁ ମୋର ପରିଶ୍ରମ ଆଉ ଯତ୍ନରେ ବର୍ଦ୍ଧିତ ଫୁଲଗଛରୁ ଜଣେ ଫୁଲ ନେଇଯିବ, ଏକଥା ଭାବିଲାବେଳକୁ ରାଗ ମଧ୍ୟ ଲାଗୁଥାଏ। ମନେମନେ ସ୍ଥିର କଲି ଆଜି ଘରେ ଗୋଟେ ତୁମୁଳ କାଣ୍ଡ ହେବ। ଆଜି ମୋର ଦିନେକୁ ମିସେସଙ୍କର ଦିନେ। ଫୁଲଚୋରି ପଛର ସବୁ ଘଟଣା ତ ଜାଣିଗଲି, ଜାଣିଗଲି ନୁହେଁ ନିଜ ଆଖିରେ ଦେଖିଲି ଆଉ ତା ପରେ ସମୟ ବରବାଦ ନ କରି ମର୍ଣ୍ଣିଂଓ୍ବାକ୍ ରେ ବାହାରିଗଲି। ମର୍ଣ୍ଣିଂଓ୍ବାକ୍ ରୁ ଫେରିଲା ପରେ ମିସେସ ହସିହସି ଚା କପ୍ ଟା ବଢେଇଦେଲେ। ସେତେବେଳେ ମୋର ରାଗ ପଞ୍ଚମରେ ଆଖି ତରାଟି ପଚାରିଲି,"ଏଗୁଡା ତୁମେ ଯାହା କରୁଛ ଭଲ କରୁଛ?" ମୋ ପ୍ରଶ୍ନ ଶୁଣି ମିସେସ ଆଶ୍ଚର୍ଯ୍ୟ ହୋଇ ପଚାରିଲେ,"କାଇଁ କ'ଣ ହେଲା କି?"
―ସବୁ ମୂଳରେ ତମେ ପୁଣି ପଚାରୁଛ କ'ଣ ହେଲା। ସେ ସ୍ତ୍ରୀଲୋକ, ଯାହାକୁ ତୁମେ ଲତା ବୋଲି ଡାକିଲ ଆଉ ସିଏ ତୁମକୁ ମାଉସୀ ବୋଲି ଡାକୁଥିଲା, ସିଏ କିଏ? ତାକୁ ନେବାପାଇଁ ପୁଣି କହିଲ କେମିତି? ତୁମେ ଜାଣିଛ, କେତେ କଷ୍ଟ କରି କେତେ ଯତ୍ନରେ ମୁଁ ଫୁଲଗଛ ଗୁଡାକ ବଢେଇଛି। ଗଛରେ ଫୁଲ ଗୁଡାକ ରହିଲେ ତମକୁ କ'ଣ ଭଲଲାଗୁନି?"
―ଓଃ, ଏଇକଥା, ସିଏ ଗୋଟେ ବଡ଼ ଲମ୍ବା କାହାଣୀ। ବଡ଼ ଦୁଃଖିନୀଟିଏ। ସିଏ ମୋ ସାଙ୍ଗର ବଡ଼ଝିଅ। ମୋ ସାଙ୍ଗ ନଳିନୀକୁ ଜାଣିଥିବ। ଆମରି ଗାଁରେ ତାର ଘର। ଆମରି ବାହାଘର ଦିନ ତାର ମଧ୍ୟ ବାହାଘର ହେଇଥିଲା। କିନ୍ତୁ ଦୁର୍ଭାଗ୍ୟକୁ କୋଉ ଗୋଟେ ଅଜଣା ରୋଗରେ ବାହାଘରର ଚାରିବର୍ଷ ପରେ ସେପାରିକୁ ଚାଲିଗଲା। ସେତେବେଳକୁ ଏଇ ଲତା ଖୁବ ଛୋଟ ଏଇ ବର୍ଷେ କି ଦି'ବର୍ଷର ହେଇଥିବ। ତା ବାପା ଦ୍ବିତୀୟ ବିବାହ କଲା। ସାବତ ମାଆର ଅକଥନୀୟ ଅତ୍ୟାଚାର ସହି ଲତା ବଡ଼ ହେଲା, ଗାଁ ସ୍କୁଲରୁ ମାଟ୍ରିକ ପାସ କଲା। ଯୌତୁକ ଦେବାକୁ ପଡିବ ବୋଲି କୋଉ ଗୋଟେ ରୋଗୀଣା ପିଲା ସହ ତାର ବାହାଘର କରିଦେଲା। ସବୁ ସେଇ ସାବତ ମାଆର ଚକ୍ରାନ୍ତ। ସେ ଯାହାହେଉ, ପିଲାଟି କୋଉ ଗୋଟେ କମ୍ପାନୀରେ ଡ୍ରାଇଭର କାମ କରୁଥିଲା। ଭଲରେ ଚଳୁଥିଲେ ସେମାନେ। ସେ ପିଲାଟିର ମଧ୍ୟ କେହି ନ ଥିଲା। ଏକରକମ ଅନାଥ। ଏଇ କଲୋନୀ ପାଖ ଗାଁରେ ଭଡାଘର ଖଣ୍ଡେ ନେଇ ରହୁଥିଲେ।
ଭାଗ୍ୟ ସବୁବେଳେ ସଳଖ ବାଟରେ ଯାଏନି। ଦିନେ ଦୁର୍ଘଟଣାରେ ତା ସ୍ଵାମୀ ମରିଗଲା। ତାର ଛୋଟ ପିଲାଟିଏ ବି ଅଛି। ଏଇଠି ଏତେ ପାଖରେ ମୋର ଘନିଷ୍ଠ ସାଙ୍ଗର ଝିଅ ରହୁଛି ମୁଁ ଜାଣିନଥିଲି। ସେଦିନ ବସରେ ଯିବାବେଳେ ଲତା ମୋ ପାଖ ସିଟରେ ବସିଥିଲା। ତା ସ୍ବାମୀର ମୃତ୍ୟୁ ବାବଦକୁ ଟଙ୍କା ଆଣିବାକୁ ଯାଉଥିଲା। ଏଇମିତି କଥାବାର୍ତ୍ତା ଭିତରେ ତାର ପରିଚୟ ମୁଁ ପାଇଲି। ଏଇଠି ରହୁଛି ବୋଲି ଜାଣିଲି। ତୁମେ ତ ସକାଳୁ ଉଠି ମର୍ଣ୍ଣିଂୱାକ୍ ଯାଉଛ, ତା ପରେ ଅଫିସ ଆଉ ସନ୍ଧ୍ୟାରେ ଘରକୁ ଫେରିଲେ ଟିଭି, ଖବରକାଗଜରେ ଲାଗିରୁହ, ସେଇଥିପାଇଁ ଏକଥା କହିବାକୁ ମୁଁ ସମୟ ପାଇନି। ୟା ଭିତରେ ମୁଁ ଦୁଇ ତିନିଥର ତା ଘରକୁ ଯାଇଛି, ତା ପୁଅର ପାଠପଢ଼ା ପାଇଁ ତାକୁ କିଛି କିଛି ପଇସା ଦେଇଆସିଛି। ଅବଶ୍ୟ ତମକୁ ଜଣେଇନି କିନ୍ତୁ ମୁଁ ଜାଣିଛି ଯେ ତୁମେ ମନା କରିବନି। ସିଏ ମଧ୍ୟ ଏଠିକି ଆସି ବେଶ୍ କିଛି ସମୟ କଟାଇଦିଏ। ଏତେ ସବୁ କଥା ମୋ ଅଜଣାରେ ଘଟିଯାଇଛି ଜାଣି ଆଚମ୍ବିତ ହେଇଯାଇଥିଲି। ସମବେଦନାରେ ମୋ ଅନ୍ତରଟା ଭରିଯାଇଥିଲା। ଏବେ ମୁଁ ଜାଣିପାରୁଥିଲି ଚିହ୍ନାଜଣା ନ ହୋଇ ଗେଟ୍ ଖୋଲି ଫୁଲ ନେବାକୁ କେହି ସାହସ କରନ୍ତା ନାହିଁ। ମୁଁ ମିସେସଙ୍କୁ କହିଲି,"ଖୁବ ଭଲକାମଟିଏ କରିଛ। ଗଛରେ ଫୁଲ ଥାଇ ଯଦି ଭଗବାନଙ୍କ ପାଖରେ ନ ଲାଗି ମଉଳିଯାଏ ତେବେ ସେ ଫୁଲ ସାର୍ଥକତାହୀନ ହେଇଯାଏ। ଲତା ତ ଆମ ଝିଅ ଭଳି, ଏବେ ତାକୁ କୁହ, ସେ ଭଡାଘର ଛାଡ଼ି ଆମ ସାଥିରେ ରହୁ। ଆମର ସେ ସର୍ଭେଣ୍ଟ କ୍ବାର୍ଟରଟା ଖାଲି ପଡିଛି। ଆଜେବାଜେ ଜିନିଷ ଭରି ଅରଣା ହେଲାଣି। ସିଏ ତ ମାଆ ପୁଅ ଦି'ଜଣ, ଆରାମରେ ଚଳିଯିବେ। ପାଣି, ବିଜୁଳି କିଛି ଅସୁବିଧା ନାହିଁ। ଆଉ ମୁଁ ଅଫିସ ଗଲାପରେ ତମେ ଯାହା ଏକୁଟିଆ ରହୁଥିଲ, ଜଣେ ସାଙ୍ଗ ମିଳିଯିବ, କଥାବାର୍ତ୍ତା ହେଇପାରିବ। ସମୟ କଟିଯିବ।" ମିସେସ କହିଲେ,"ମୁଁ ତ ତାକୁ ସେକଥା କହିସାରିଛି, କିନ୍ତୁ ସେ ମନାକଲା, କହିଲା, ତୁମର ପଦ ମର୍ଯ୍ୟାଦା ଅନୁସାରେ ସିଏ ରହିଲେ ଭଲ ହେବନି। ସିଏ ଏତେ ଆଦବକାଇଦା, ଅଫିସରି ଚାଲିଚଳନ ସହ ଅଭ୍ୟସ୍ତ ନୁହେଁ।" ତା ଛଡା ଆଉ ଗୋଟେ କଥା କହିଲା, ଯାହା ମୋ ମନକୁ ପାଇଲା। ଦୂରରେ ଥିଲେ ପରସ୍ପରର ସମ୍ମାନ ବଜାୟ ରହେ ସ୍ବାଧୀନତା ଅକ୍ଷୁର୍ଣ୍ଣ ରହେ। ଏକଥା ଶୁଣି ମୁଁ ଆଉକିଛି କହିପାରିଲିନି। ଗରିବ ହେଲେ ବି ଲତା ଯେ ସ୍ବାଭିମାନୀ ଆଉ ସ୍ଵାଧୀନଚେତା, ଏଥିରେ କୌଣସି ସନ୍ଦେହ ନ ଥିଲା। ତା କଥା ଶୁଣି ବଡ଼ ଦୁଃଖ ଲାଗୁଥିଲା ସିନା, ତାର ସ୍ଵାଭିମାନ ଆଉ ଏତେ କଷ୍ଟ ଭିତରେ ବି ସ୍ଵାଧୀନତା ବଜାୟ ରଖିବାର ଅଦମ୍ୟ ପ୍ରଚେଷ୍ଟା ଦେଖି ସମ୍ମାନରେ ତା ପ୍ରତି ମୁଣ୍ଡ ନଇଁଯାଉଥିଲା।